ଚାଲି ନ ଜାଣି ବାଟର ଦୋଷ

- ପ୍ରବୋଧ କୁମାର ମିଶ୍ର

ଗାଉଁଲି ଭାଷାରେ ଢଗ ଅଛି- ‘ଚାଲି ନ ଜାଣି ବାଟର ଦୋଷ’। ଅନେକ ସମୟରେ ଆମେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାପାଇଁ ଠିକଣା ବାଟ ନ ଧରିବା ଫଳରେ ​ବେଳେବେଳେ ଅସୁବିଧାର ସମ୍ମୁଖୀନ ହୋଇଥାଉ। ଅନେକ କ୍ଷେତ୍ରରେ ବାଟର ନିନ୍ଦା ବି କରିଥାଉ। ରାଜ୍ୟ ସରକାରଙ୍କ ଗଣଶିକ୍ଷା ନୀତି ଏହି ମାର୍ଗରେ ଅଳ୍ପ ବହୁତେ ପରିଚାଳିତ ହେବା ଲକ୍ଷ୍ୟ କରାଯାଏ। ରାଜ୍ୟ ସରକାର ୨୦୧୯-୨୦୨୦ ଶିକ୍ଷାବର୍ଷରେ ୨୦ରୁ କମ୍‌ ପିଲା ଥିବା ସ୍କୁଲର ପାଖ ସ୍କୁଲ ସହ ମିଶ୍ରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହି ସ୍କୁଲର ଛୋଟଛୋଟ ପିଲାମାନେ ପରିବର୍ତ୍ତିତ ସ୍କୁଲରେ ଏହାଦ୍ବାରା ପାଠ ପଢ଼ିପାରିବେ। ବିଦ୍ୟାଳୟ ବନ୍ଦ ନେଇ ରାଜ୍ୟ ସରକାରଙ୍କର ଏହି ବିଜ୍ଞପ୍ତିକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କରି କହିଛନ୍ତି ଯେ ଛୋଟଛୋଟ ପିଲାଙ୍କୁ ଦୂର ସ୍କୁଲ ପଠାଇବା ବେଆଇନ। ଏହା ଫଳରେ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ପ୍ରଦତ୍ତ ଗଣଶିକ୍ଷା ବିଭାଗର ଏହି ବିଜ୍ଞପ୍ତି ଅକାମୀ ହୋଇଯାଇଛି।

ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସଜାଡ଼ିବା ଦାୟିତ୍ବ ହେଉଛି ସରକାରଙ୍କର। ଏହା ନ କରି ସ୍କୁଲ ବନ୍ଦ କରିବା ବ୍ୟବସ୍ଥାକୁ ହାଇକୋର୍ଟ ପସନ୍ଦ କରିନାହାନ୍ତି ବରଂ ଦିଲ୍ଲୀକୁ ମଡେଲ୍‌ ଭାବେ ଗ୍ରହଣ କରିବାପାଇଁ ଅଦାଲତ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ପ୍ରାଥମିକ ଶିକ୍ଷା ଏକପ୍ରକାର ବାଟବଣା ହୋଇଯାଇଛି। ନିର୍ଦିଷ୍ଟ ଧାରାରେ ରାଜ୍ୟରେ ପ୍ରାଥମିକ ସ୍କୁଲଗୁଡ଼ିକ କର୍ମକ୍ଷମ ଥିବା ମନେହୁଏ ନାହିଁ। ସରକାର ଶହଶହ କୋଟି ଟଙ୍କା ଏଥିପାଇଁ ଖର୍ଚ୍ଚ କରୁଥିଲାବେଳେ ଶିକ୍ଷା ଢ଼ାଞ୍ଚା ବା ଧାରାର ଉନ୍ନତି ପରିଲକ୍ଷିତ ହୁଏନାହିଁ। କେଉଁଠି ବଡ଼କୋଠାରେ ପ୍ରାଇମେରୀ ସ୍କୁଲ ଚାଲୁଛି ତ କେଉଁଠି ଗଛମୂଳେ ବା ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ଚାଲିଛି। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ଟାଣ କରିବା ଆଜିର ପ୍ରଥମ ଆବଶ୍ୟକତା। ପୂର୍ବେ ଚାଟଶାଳୀରେ ପିଲା ଭରପୂର ହେଉଥିଲାବେଳେ ଏବେ ଶିକ୍ଷା ଭିତ୍ତିଭୂମିର ବିକାଶ ଧାରା ଲକ୍ଷ୍ୟ କରିବାକୁ ହେବ। କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ଆଣ୍ଠୁଏ ପାଣିରେ ପଶି ପିଲାମାନେ ଆସିପାରୁ ନାହାନ୍ତି। ଏହାଛଡ଼ା ମାଲକାନାଗିରି, ଗୁଣପୁର, ଉମରକୋଟର ଗ୍ରାମାଞ୍ଚଳ, ନୂଆପଡ଼ା ଏବଂ ଆମ ସୀମାନ୍ତବର୍ତ୍ତୀ ଗାଁ ସ୍କୁଲଗୁଡ଼ିକର ବାସ୍ତବ ଚିତ୍ରର ଅନୁଧ୍ୟାନ ଆବଶ୍ୟକ। ସୁନ୍ଦରଗଡ଼ର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ସ୍କୁଲଗୁଡ଼ିକର ଅବସ୍ଥା ଦୟନୀୟ। ପ୍ରାସାଦ ନିର୍ମାଣ ଲାଗି ଭିତ୍ତିଭୂମିର ଦୃଢ଼ ନିର୍ମାଣ ଆବଶ୍ୟକ। ପ୍ରାଥମିକ ସୋପାନରୁ ପିଲାଙ୍କୁ ଉଠାପକା କରିବା ବ୍ୟବସ୍ଥା ଗ୍ରହଣୀୟ ନୁହେଁ। ପ୍ରାଥମିକ ସ୍ତରରୁ ମୂଳଦୁଆ ଦୃଢ଼ କରିବାପାଇଁ ଗୋଟିଏ ଧାରା ପ୍ରବର୍ତ୍ତିତ ହେବା ଆବଶ୍ୟକ। ଏବେର ଶିକ୍ଷା କ୍ଷେତ୍ରରେ ଖେଚୁଡ଼ି ଧାରା ଚାଲିଛି ବୋଲି କହିବାକୁ ହେବ। ଆଉ ଗୋଟିଏ କଥା, କେନ୍ଦ୍ର ସରକାର ପ୍ରାଥମିକ ସ୍ତରରୁ ମାତୃଭାଷା, ହିନ୍ଦୀ, ସଂସ୍କୃତକୁ ପ୍ରାଧାନ୍ୟ ଦେଉଥିଲାବେଳେ ରାଜ୍ୟ ସରକାର ଇଂରେଜୀରୁ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ପ୍ରଶ୍ନ ଉଠୁଛି ପିଲାମାନେ ମାତୃଭାଷାରୁ ଇଂରେଜୀ ଶିଖିବେ ନା ଇଂରେଜୀରୁ ମାତୃଭାଷା ଶିଖିବେ।

ଉଲ୍ଲେଖନୀୟ ଯେ, ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଓଡ଼ିଆର ପରିପୂରକ ଭାଷା ସଂସ୍କୃତକୁ ସରକାର ହୀନମନ୍ୟ ବିଚାର କରୁଛନ୍ତି। ଉଦାହରଣ ସ୍ବରୂପ ୨୦୧୯-୨୦ ଶିକ୍ଷା ବର୍ଷରେ ପିଲା ଅଭାବରୁ ୭୨ ସଂସ୍କୃତ ଟୋଲ୍‌କୁ ସରକାର ଭାଙ୍ଗିଦେଇ ପିଲାମାନଙ୍କୁ ପାଖ ହାଇସ୍କୁଲ ବା ଟୋଲ୍‌ରେ ନାମ ଲେଖାଇଛନ୍ତି। ଏହି ସ୍କୁଲର ଶିକ୍ଷକମାନଙ୍କୁ ଅନ୍ୟତ୍ର ଚାକିରି ମିଳିଛି। ପୂର୍ବରୁ ସଂସ୍କୃତ ଟୋଲ୍‌ ଶିକ୍ଷାପାଇଁ ଯେଉଁ ସୁଯୋଗ ଥିଲା ତାକୁ ଇତସ୍ତତଃ କରାଯିବା ଫଳରେ ଛାତ୍ରସଂଖ୍ୟା କମିଲା। ପଣ୍ଡିତ, ଶିକ୍ଷକଙ୍କର ମଧ୍ୟ ନିଯୁକ୍ତି ହେଲାନାହିଁ। ସରକାରଙ୍କ ନିୟମ-କଟକଣାରୁ କେତେକ ଟୋଲ୍‌ର ଗୃହ ନିର୍ମାଣ ହୋଇପାରିଲା ନାହିଁ। ସେହି ସମୟରେ ଅର୍ଥ ମଧ୍ୟ ମଞ୍ଜୁର କରାଗଲା ନାହିଁ। ସ୍ଥୂଳତଃ ପ୍ରତିକୂଳ ବ୍ୟବସ୍ଥା ଓ ପରିସ୍ଥିତି ଭିତରେ ଏହି ଶିକ୍ଷା ବିପର୍ଯ୍ୟସ୍ତ ହେଉଛି। ବିଛାମନ୍ତ୍ର ନଜାଣି ସାପ ଗାତରେ ହାତ ପୂରାଇବାରେ ଶାସନତନ୍ତ୍ର ଯଦି କାର୍ଯ୍ୟ କରେ ତେବେ ପରିଣାମ କ’ଣ ହେବ? ସରକାରୀ ନାଲିଫିତା ତଳେ ବହୁ ବାସ୍ତବତା ଚାପି ହୋଇଯାଇଛି। ସରକାର ଓ ବିଜ୍ଞ ଶାସନତନ୍ତ୍ର ବିଶେଷଜ୍ଞ କମିଟି ବସାଇ ଏଭଳି ବାଟବଣା ବ୍ୟବସ୍ଥାର ସମାପ୍ତି ଘଟାଇବେ ବୋଲି ଆମର ଆଶା। ଉଚ୍ଚ ନ୍ୟାୟାଳୟଙ୍କ ରାୟ ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିକୋଣରୁ ସ୍ବାଗତଯୋଗ୍ୟ ଓ ସମୟୋଚିତ ମନେହୁଏ।

Comments are closed.