ବଦଳିଯାଉଛି ସମ୍ପର୍କର ସଂଜ୍ଞା

ବିବାହ କେବଳ ଜଣେ ପୁରୁଷ ଆଉ ଜଣେ ନାରୀଙ୍କ ମଧ୍ୟରେ ଥିବା ଦୈହିକ ସମ୍ପର୍କର ଦସ୍ତାବିଜ୍‌ ନୁହେଁ। ଏହା ଦୁଇଟି ମନ ଓ ପ୍ରାଣର ଅନ୍ତରଙ୍ଗ ମିଳନ। ବିବାହ ଏକ ପବିତ୍ର ସାମାଜିକ ଅନୁଷ୍ଠାନ ଓ ପାରିବାରିକ ବନ୍ଧନ। ଏ ବନ୍ଧନର ମୂଳପିଣ୍ଡ ହେଉଛି ପରିବାର। ପରିବାର ହେଉଛି ମଣିଷର ପ୍ରଥମ ପୃଥିବୀ। ତା’ପରେ ଆସେ ସମାଜ, ଦେଶ, ମହାଦେଶ ଓ ବିଶ୍ବ। ମଣିଷର ପ୍ରଥମ ପରିଚୟ ହେଉଛନ୍ତି ତା’ର ପିତାମାତା ଓ ବଂଶ ବୃକ୍ଷ, ଯାହାକୁ ଆମ ସମାଜ ପରିବାର ବୋଲି ଆଖ୍ୟା ଦିଏ। ପରିବାର ହେଉଛି ମାନବ ସମାଜର ନାଭିକେନ୍ଦ୍ର। ପରିବାର ବିନା ସମାଜର ସ୍ଥିତି ଅସମ୍ଭବ। ଶିଶୁଟିଏ ଜନ୍ମ ନେଲାପରେ ତା’ର ବ୍ୟକ୍ତିତ୍ବର ବିକାଶ ହୁଏ ପରିବାରରେ। ପରିବାର ଉପରେ ନିର୍ଭରକରି ସେ ତା’ର ମୌଳିକ ଆବଶ୍ୟକତାକୁ ପୂରଣ କରେ। ସେ ପରିବାରରେ ଜନ୍ମନିଏ, ପରିବାରରେ ବଢ଼େ ଏବଂ ପରିବାରରେ ମୃତ୍ୟୁବରଣ କରେ। ସୁତରାଂ ପରିବାର କହିଲେ ଏକତ୍ର ବସବାସ କରୁଥିବା ଏବଂ ରକ୍ତସମ୍ପର୍କରେ ବାନ୍ଧିହୋଇଥିବା ବ୍ୟକ୍ତିମାନଙ୍କର ସମାହାରକୁ ବୁଝାଏ। ପରିବାର ହେଉଛି ସାମାଜିକ ସଂଗଠନର ଏକ ମୌଳିକ ଏକକ। ସାମାଜିକ ସଂରଚନାର କେନ୍ଦ୍ରବିନ୍ଦୁ। ସମୟର ରଥ ଚକତଳେ ଅନେକ ପରିବର୍ତ୍ତନ ଘଟିଛି। ଅନେକ ସଂସ୍ଥା, ସମିତି ଓ ସମୂହର ଆରମ୍ଭ, ବିକାଶ ଓ ପରେ ବିଲୟ ବି ଘଟିଛି; କିନ୍ତୁ ପରିବାର ସମସ୍ତ ପରିବର୍ତ୍ତନ ସହ ସମଯୋଜନ କରି ଏକ ସର୍ବୋତ୍କୃଷ୍ଟ, ଅପେକ୍ଷାକୃତ ସ୍ଥିର ସଂଘ ଓ ସମିତି ରୂପେ କେଉଁ ଅନାଦିକାଳରୁ ତିଷ୍ଠି ରହିଛି।

ମଣିଷ ଏବେ ଏକବିଂଶ ଶତାବ୍ଦୀରେ ପାଦଥାପିଛି। ଅଧୁନା ଆମ ପାଖରେ ରହିଛି ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ଯାଦୁକରୀ ଐଶ୍ବର୍ଯ୍ୟ। ତ୍ବରିତ ବିମାନ ସେବାଠାରୁ ଆରମ୍ଭ କରି ଭ୍ରାମ୍ୟଭାଷ, ଇଣ୍ଟରନେଟ୍‌, ଇ-ମେଲ, ହ୍ବାଟ୍ସଆପ୍‌, ଫେସ୍‌ବୁକ ଓ ସ୍କାଇପ ପରି ଅନେକ କ୍ଷିପ୍ର ସଂଚାରର ମାଧ୍ୟମ ଦୂରତ୍ବର ସଂଜ୍ଞା ବଦଳେଇ ଦେଇ ସମଗ୍ର ବିଶ୍ବକୁ ଗୋଟିଏ ଗାଁରେ ପରିଣତ କରିଦେଇଛି, ଯେଉଁ ଗାଁର ନାଆଁ ବିଶ୍ବଗ୍ରାମ ବା ‘ଗ୍ଲୋବାଲ୍‌ ଭିଲେଜ’। ପକେଟ ଭିତରେ ଥିବା କ୍ଷୁଦ୍ରାତିକ୍ଷୁଦ୍ର ଯନ୍ତ୍ର ଭିତରେ ଏବେ ପୃଥିବୀର ଭୂତ, ଭବିଷ୍ୟ ଓ ବର୍ତ୍ତମାନ। ସତେ ଯେମିତି ଆଧୁନିକ ମଣିଷ ପାଇଁ ଏ ବିଶ୍ବ ପାଲଟିଛି ମୁଠାଏ ଭୂଗୋଳ ଓ ପୃଷ୍ଠାଏ ଇତିହାସ। ବିଜ୍ଞାନ ଓ କାରିଗରୀ କୌଶଳ ବଳରେ ବିଶ୍ବ ଏବେ ଏକ ବିପଣିରେ ପରିଣତ ହୋଇଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ଆଧୁନିକ ମଣିଷର ଶକ୍ତି ଓ ସାମର୍ଥ୍ୟକୁ ସଂପ୍ରସାରିତ କରିଛି। କିନ୍ତୁ ହାୟ! ଏହା ମଣିଷର ନୈତିକ ମୂଲ୍ୟବୋଧକୁ ସଂକୁଚିତ କରିଦେଉଛି। ମୂଲ୍ୟ ଓ ମୂଲ୍ୟବୋଧର ପ୍ରତିଯୋଗିତାରେ ମୂଲ୍ୟବୋଧ ହାର୍‌ ମାନିଛି। ଭାଙ୍ଗିପଡ଼ୁଛି ଯୁଗଯୁଗ ଧରି ଗଢ଼ା ହୋଇଥିବା ପରିବାରର ନକ୍ସା। ସୂତାଖିଅରେ ଝୁଲୁଛି ପାରିପାରିକ ସମ୍ପର୍କ। ବଦଳିଛି ସମ୍ପର୍କର ସଂଜ୍ଞା, ସାମାଜିକ ବନ୍ଧନର ପରିଭାଷା। ସଂଯୁକ୍ତ ପରିବାର ଆଜି ବିଘଟିତ। ସମ୍ବନ୍ଧ ସମାପ୍ତପ୍ରାୟ। ଆତ୍ମୀୟତା ଲୋପ ପାଇଆସୁଛି। ପରିବାର ସବୁ ଭୁଶୁଡୁଛି।

ବଡ଼ଦେଉଳରୁ ପଥର ଖସିଲା ପରି ପରିବାରର ପବିତ୍ର ପାଚେରିରୁ ଖଣ୍ଡଖଣ୍ଡ ହୋଇ ଖସି ପଡ଼ୁଛି ପଥର ଖଣ୍ଡ। ବାହାରର ବାସଗୃହ ସବୁ ଚହଟଚିକ୍କଣ, କିନ୍ତୁ ଭିତରର ସଂସାରଟିମାନ ଜଗମୋହନ ଭଳି ଫଟା। ପରିପୂର୍ଣ୍ଣ ପ୍ରତ୍ୟୟ ହେଉଥିବା ପରିବାର ଭିତରେ ଭିତରେ ଶୂନ୍ୟପ୍ରାୟ। ପିତା-ପୁତ୍ର, ପତି-ପତ୍ନୀ, ଭାଇ-ଭଉଣୀ, ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନ, ଜ୍ଞାତିପରିଜନ କାହାର କାହା ସହ ସମ୍ପର୍କ ନାହିଁ। ଯାହା ଅଛି ତାହା ସ୍ଥୂଳ, ସ୍ବାର୍ଥକୈନ୍ଦ୍ରିକ କିମ୍ବା ତୁଚ୍ଛା ଲୌକିକ ବା ଆନୁଷ୍ଠାନିକ। ସ୍ନେହ, ଶ୍ରଦ୍ଧା, ସହାନୁଭୂତି, ସମ୍ବେଦନା ବିରଳ ପ୍ରାୟ। ବାପ ମୁହଁ ପୂର୍ବକୁ ତ ପୁଅ ମୁହଁ ପଶ୍ଚିମକୁ। ଗୋଟିଏ ବିଛଣାରେ ରାତି ବିତଉଥିବା ଏବଂ ଆଗାମୀ ଦିନରେ ଯୁଗଳଯାତ୍ରା ପାଇଁ ପଣ କରିଥିବା ଅଧିକାଂଶ ଦମ୍ପତିଙ୍କ ମଧ୍ୟରେ ଛିଡ଼ା ହୋଇଛି ଚୀନର ବିଶାଳପ୍ରାଚୀର। ବଢ଼ି ଚାଲିଛି ପରକୀୟା ପ୍ରୀତି। ପରିବାରର ନୂଆରୂପ ନେଇଛି ‘ଲିଭ୍‌-ଇନ୍‌ ରିଲେସନସିପ୍‌’। ଗଙ୍ଗା କହିଲେ ଥିବି, ଗାଙ୍ଗୀ ବୋଇଲେ ଯିବି। ଶିଥିଳ ହେଉଛି ସମ୍ପର୍କ। ନିଷ୍ପ୍ରାଣ ହେଉଛି ଦାମ୍ପତ୍ୟ।

ଦିନେ ପିତୃସତ୍ୟ ପାଳନ କରିବାକୁ ଯାଇ ରାମଚନ୍ଦ୍ର ଚଉଦବର୍ଷ ବନବାସ କରିଥିଲେ। ଏବେ ପୁତ୍ର ସତ୍ୟ (ବୋହୂ ପାଖରେ ପୁଅ କରିଥିବା ସତ୍ୟ) ପାଳନ କରିବାପାଇଁ ଅସହାୟ ପିତାମାତା ଜରାଶ୍ରମରେ ବନବାସ କାଟୁଛନ୍ତି। ପରିବାରରେ ସବୁଠି ଯେମିତି ଭଙ୍ଗାଭଙ୍ଗା ଭାବ। ଯୋଡ଼ିହେବା ନାଁରେ ଭିତରେ ଛିଡ଼ିଯିବା ଭାବର ପ୍ରାବଲ୍ୟ। ବିପୁଳ ବିଭବ ଓ ବିବିଧ ବିଳାସ ସତ୍ତ୍ବେ ସବୁ ପରିବାର ଆଜି ଅବସାଦଗ୍ରସ୍ତ। ସୁଖ ସାଉଁଟିବାର ଦୁଃଖରେ ସମ​‌େ​‌ସ୍ତ କ୍ଳାନ୍ତ ଓ ନୟାନ୍ତ। ମଙ୍ଗଳଗ୍ରହରେ ଜୀବନ ଖୋଜୁଥିବା ମଣିଷ ଜୀବନରେ ମଙ୍ଗଳ କାହିଁ? ‘ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର’ର ମନ୍ତ୍ର ଆଜି ବର୍ଣ୍ଣବୋଧର ଶୀର୍ଣ୍ଣ ପୃଷ୍ଠାରେ ବନ୍ଦୀ। ଚନ୍ଦ୍ର ମଙ୍ଗଳରେ ପାଦ ଥାପିଥିବା ମଣିଷ ନିଜ ପଡ଼ୋଶୀଙ୍କୁ ଚିହ୍ନିଲା ନାହିଁ। ‘ଆପେ ବଞ୍ଚିଲେ ବାପର ନାଁ’ ଆଜି ମଣିଷର ବି​‌େ​‌ଶଷ ଯୋଗ୍ୟତା। ‘ଗଣ’ ଜାଗାରେ ମଣିଷ ‘ଜଣ’କୁ ଆଦରି ନେଲାଣି। ଏମିତି ତ ଯୌଥ ପରିବାର ସବୁ ଭାଙ୍ଗିଗଲାଣି। ଅଧାବିଲାତି ‘ନ୍ୟୁକ୍ଲିଅର ଫ୍ୟାମିଲି’ ବା ଏକକ ପରିବାର ସମସ୍ତଙ୍କର ଏବେ ଲକ୍ଷ୍ୟ ହେଲାଣି। ଆମଦାନୀ କରାଯାଇଥିବା ଏହି ଅତ୍ୟାଧୁନିକ ସଂସ୍କୃତି ଏ ଦେଶର ପ୍ରାଚୀନତମ ଅନୁଷ୍ଠାନ ‘ପରିବାର’କୁ ଚ୍ଛିନ୍ନଭିନ୍ନ କରିଦେଲାଣି। ଏକକ ପରିବାରର ଅଗଣାରେ ଏବେ ଗଭୀର ନିସ୍ତବ୍ଧତା ରାଜୁତି କରୁଛି। ନର୍ସରୀ ସ୍କୁଲ୍‌ର କ୍ରେଚ୍‌ ଭିତରେ ବନ୍ଧା ପଡ଼ିଛି ମାଆ କ୍ଷୀର ଛାଡ଼ିନଥିବା ଶିଶୁର କଅଁଳ ଶୈଶବ। ଦିଆଶିଲି ଖୋଳ ଭଳି ଫ୍ଲାଟ୍‌ଘରେ ନିଃସଙ୍ଗ ଜୀବନର ନାଗଦଂଶନକୁ ସହ୍ୟ କରିଚାଲିଛି ମେଟ୍ରୋ ମଣିଷ। କିଏ ଜଣେ କହିଥିଲେ- ‘ବିବାହଠୁ ବଳି ବଡ଼ ବନ୍ଧନ ନାହିଁ, ସମାଜଠୁ ବଳି ବଡ଼ ନୀତିନିୟମ ନାହିଁ। ’ ମାତ୍ର ବିଡ଼ମ୍ବନା ଏହା ଯେ, ଏ ଆପ୍ତବାକ୍ୟରେ ଆଉ ସତ୍ୟତା ନାହିଁ। ପ୍ରତ୍ୟହ ହଜାରହଜାର ଦମ୍ପତିଙ୍କର ବିବାହ ବିଚ୍ଛେଦ ଘଟୁଛି। ଆମ ସାମାଜିକ ଓ ପାରିବାରିକ ଜୀବନରେ ପ୍ରତିନିୟତ ଘଟିଚାଲିଛି ଭୂମିକମ୍ପ। ନୀତିନିୟମ, ଆଦର୍ଶ ଓ ମାନବିକତା ରୂପ ବଦଳେଇ ଚାଲିଛନ୍ତି ହୋୟାଂ ହୋ ନଦୀ ଭଳି। ପ୍ରସ୍ତର ଯୁଗରୁ ହୋମୋସାପିଅାନ ହୋଇ ଆଜିର ମଣିଷ ପୁଣି ଫେରିଯାଉଛି ସତେ ଯେମିତି ଆଦିମ ଯୁଗକୁ। ଆଲୁଅରୁ ଅନ୍ଧାର ଆଡ଼କୁ। ସତରେ କ’ଣ ଏଭଳି ଭାବେ ଲୋପ ପାଇଯିବ ଆମ ସର୍ବ ପୁରାତନ ମାନବିକ ସମ୍ପର୍କ? କେବଳ ଏକକ ପରିବାର ଭିତରେ ବନ୍ଦୀ ହୋଇ ରହିଯିବ ଆମ ଭାରତବର୍ଷର ‘ବସୁଧୈବ କୁଟୁମ୍ବକମ୍‌’ର ଅମଳିନ ଆଦର୍ଶ?

ଝିଅଟିଏ ଟେଲିଫୋନ ଯୋଗେ ବାପାଙ୍କୁ ଜଣାଇଲା- ‘ବାପା! ମୁଁ ଆମେରିକାରେ ରହୁଥିବା ଏକ ପୁଅକୁ ପ୍ରେମ କରୁଛି। ବାପା ପଚାରିଲେ- ସେ ପୁଅ ସହ ତୋର କେମିତି ଜଣାଶୁଣା ହେଲା? ଏଥର ଝିଅ କହିଲା- ସେ ପୁଅ ସହ ମୋର ଫେସ୍‌ବୁକ୍‌ରେ ଦୋସ୍ତି ହେଲା। ସ୍କାଇପରେ ମୁଁ ତାକୁ ପ୍ରପୋଜ୍‌ କଲି ଏବଂ ଭାଇବରରେ ଆମେ ଦୁହେଁ ଦୁଇମାସ ଧରି ପ୍ରେମ କରୁଛୁ। ଉତ୍ତରରେ ବାପା କହିଲେ- ଠିକ୍‌ ଅଛି, ତୁମେ ଦୁହେଁ ଏବେ ଟୁଇଟରରେ ବାହା ହୋଇପଡ଼! ମେକ୍‌ ମାଇଁ ଟ୍ରିପ୍‌ରେ ହନିମୁନ୍‌ କର। ଫ୍ଲିପ୍‌କାର୍ଟରେ ପିଲା ମଗେଇଦିଅ। ଜି-ମେଲ୍‌ରେ ରିସିଭ୍‌ କର। ଶେଷରେ ଯଦି ସ୍ବାମୀ ପସନ୍ଦ ନ ହେଲା, ତେବେ ଓଏଲଏକ୍ସରେ ବିକ୍ରି କରିଦିଅ।’

ପାଠକେ! ଏ ସଂଗିନ ସ୍ଥିତି ଆସିବାକୁ ଆଉ କେତେଦିନ ବାକି ଅଛି, ତାହା ଆପଣମାନେ ଆକଳନ କରିବେ। ତେବେ ଶେଷରେ ମୋର ଗୋଟିଏ କଥା କହିବାର ଅଛି। କିଏ ଜଣେ କହିଥିଲେ- ‘ଯେଉଁଠି ପ୍ରେମର ବନ୍ଧନ ଶିଥିଳ, ସେ ପରିବାରର ରକ୍ଷା ଅସମ୍ଭବ। ଏପରି କି ଈଶ୍ବର ଚାହିଁଲେ ମଧ୍ୟ ସେ ପରିବାରକୁ ରକ୍ଷା କରିପାରିବେ ନାହିଁ।’ ତେଣୁ ଆସନ୍ତୁ ବେଳ ଥାଉଥାଉ ସାବଧାନ ହେବା। ଆମ ସର୍ବପୁରାତନ ସାମାଜିକ ଅନୁଷ୍ଠାନ ପରିବାରର ଭାଙ୍ଗି ପଡ଼ୁଥିବା ଭୂଗୋଳକୁ ଏ ବିଧ୍ବଂସୀ ବିପର୍ଯ୍ୟୟରୁ ରକ୍ଷା କରିବା।

Comments are closed.