‘ସମ୍ବଳ ଅଭିଶପ୍ତ’ ରାଜ୍ୟ ଓଡ଼ିଶା

ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହେଉଥିଲେ ମଧ୍ୟ ଆମ ରାଜ୍ୟ, ଦେଶର ଅନ୍ୟ ଉନ୍ନତ ଓ ଧନୀ ରାଜ୍ୟ ସହ ସମକକ୍ଷ ହୋଇ ପାରୁନାହିଁ। ଦେଶରେ ଧନୀ ରାଜ୍ୟର ଓ ଗରିବ ରାଜ୍ୟ ମଧ୍ୟରେ ବ୍ୟବଧାନ ଧୀରେଧୀରେ ବଢ଼ି ଚାଲିଛି। ଭାରତର ସର୍ବନିମ୍ନ ପାଞ୍ଚଗୋଟି ରାଜ୍ୟ ମଧ୍ୟରେ ଓଡ଼ିଶା ପୂର୍ବରୁ ଥିଲା, ଏବେ ବି ଅଛି। ବିଶ୍ବ ବ୍ୟାଙ୍କର ୨୦୦୬ରେ ଏକ ସର୍ବେକ୍ଷଣ ଦ୍ବାରା ଜଣା ପଡ଼ିଥିଲା ଯେ, ଅର୍ଥନୈତିକ ସଂସ୍କାର ୧୯୯୧ରେ ଆରମ୍ଭ ହେବାଠାରୁ ଭାରତରେ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ, ପଞ୍ଜାବ ଓ ହରିୟାଣା ଭଳି ଧନି ରାଜ୍ୟ ଅତି ଧନୀ ହେଉଛନ୍ତି; ଏବଂ ଓଡ଼ିଶା, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ଅବିଭକ୍ତ ବିହାର ଭଳି ଗରିବ ରାଜ୍ୟଗୁଡ଼ିକ ଅଧିକ ଗରିବ ହେଉଛନ୍ତି। ଉନ୍ନତ ରାଜ୍ୟର ମୁଣ୍ଡପିଛା ଆୟ ଗରିବ ରାଜ୍ୟମାନଙ୍କଠାରୁ ଅଧିକରୁ ଅଧିକ ହେଉଛି। ଦେଶରେ ଦାରିଦ୍ର୍ୟ କମୁଛି, କିନ୍ତୁ ଧନୀ ରାଜ୍ୟ ତୁଳନାରେ ଗରିବ ରାଜ୍ୟରେ କମ୍‌ ହାରରେ କମିଛି। ଧନୀ ରାଜ୍ୟମାନେ ଗରିବ ରାଜ୍ୟଠାରୁ ହାରାହାରି ୫୦ ପ୍ରତିଶତରୁ ଅଧିକ ଦାରିଦ୍ର୍ୟ ଦୂର କରିବାରେ ସମର୍ଥ ହେଉଛନ୍ତି। ବିକଶିତ ରାଜ୍ୟଗୁଡ଼ିକରେ ଅବିକଶିତ ରାଜ୍ୟଠାରୁ ଅଧିକ ନିଯୁକ୍ତି ସୃଷ୍ଟି ହେଉଛି। ଗରିବ, ଅବିକଶିତ ରାଜ୍ୟଗୁଡ଼ିକରେ ଦେଶର ୪୦ ପ୍ରତିଶତ ଜନସଂଖ୍ୟା ଥିଲାବେଳେ ସଂଗଠିତ କ୍ଷେତ୍ରରେ ମାତ୍ର ୨୫ ପ୍ରତିଶତ କାର୍ଯ୍ୟ କରନ୍ତି। ଧନୀ ରାଜ୍ୟମାନେ ବ୍ୟାଙ୍କରୁ ୫୫ ପ୍ରତିଶତ ଋଣ ପାଉଥିଲାବେଳେ ଗରିବ ରାଜ୍ୟ ମାତ୍ର ୧୫ ପ୍ରତିଶତ ଋଣ ପାଉଛନ୍ତି। ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିର ଅଧାରୁ ଅଧିକ, ଉପର ସ୍ତରରେ ଥିବା ପାଞ୍ଚଟି ରାଜ୍ୟରେ ନିବେଶ ହେଉଛି।

୨୦୨୨ରେ ଅନ୍ୟ ଏକ ପରିସଂଖ୍ୟାନ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୨୦୧୨-୧୩ ଏବଂ ୨୦୧୯-୨୦ ବର୍ଷ ମଧ୍ୟରେ ଏହି (୨୦୦୬ରେ ଜଣା ପଡ଼ିଥିବା) ବ୍ୟବଧାନ ବଢ଼ି ଚାଲିଛି। ତାମିଲନାଡ଼ୁ, କର୍ଣ୍ଣାଟକ ଓ ଗୁଜରାଟ ଭଳି ରାଜ୍ୟ ଭାରତରେ ସବାଉପରେ ଥିବା ଧନୀ ରାଜ୍ୟ ମଧ୍ୟରେ ଥିଲାବେଳେ ସବାତଳେ ଥିବା ପାଞ୍ଚ ରାଜ୍ୟ ମଧ୍ୟରେ ଓଡ଼ିଶା ଓ ବିହାର ସ୍ଥାନ ପାଇଛି। ଉପରେ ଥିବା ରାଜ୍ୟ ଓ ନିମ୍ନରେ ଥିବା ରାଜ୍ୟ ମଧ୍ୟରେ ଅର୍ଥନୈତିକ ବ୍ୟବଧାନ ବଢ଼ି ଚାଲିଛି।

ଅର୍ଥନୈତିକ ଅଭିବୃଦ୍ଧିର ହାରଠାରୁ ପୁଞ୍ଜିନିବେଶ ଉପରେ ଲାଭର ହାର ଅଧିକ ହେଉଥିବାରୁ ସମ୍ପତ୍ତିର ଅସମାନ ବଣ୍ଟନ ହେଉଛି। କରୋନା ମହାମାରୀ ପାଇଁ ଏହି ଦୁଇ ଗୋଷ୍ଠୀ ରାଜ୍ୟଗୁଡ଼ିକ ମଧ୍ୟରେ ଅସମାନତା ଆହୁରି ଅଧିକ ବଢ଼ି ଯାଇଛି। ଉପର ସ୍ତରରେ ଥିବା ପାଞ୍ଚଟି ଧନୀ ରାଜ୍ୟର ହାରାହାରି ମୁଣ୍ଡପିଛା ଆୟ ତଳ ସ୍ତରରେ ଥିବା ପାଞ୍ଚଟି ରାଜ୍ୟର ମୁଣ୍ଡପିଛା ଆୟଠାରୁ ୩.୩ ଗୁଣ ଅଧିକ। ଏହା ୨୦୧୨-୧୩ରେ ୩.୧ଗୁଣରୁ ୨୦୧୯-୨୦ରେ ୩.୩ ଗୁଣକୁ ବୃଦ୍ଧି ପାଇଛି। ଗରିବ ରାଜ୍ୟରେ ମୁଦ୍ରାସ୍ଫୀତି (୩.୧ ପ୍ରତିଶତ) ଠାରୁ ଧନୀ ରାଜ୍ୟଗୁଡ଼ିକରେ ଏହା କମ୍‌, ଅର୍ଥାତ୍‌ ୨.୯ ପ୍ରତିଶତ। ତେଣୁ ଗରିବ ଓ ଧନୀ ରାଜ୍ୟ ମଧ୍ୟରେ ଅର୍ଥନୈତିକ ବିକାଶର ବ୍ୟବଧାନ ବୃଦ୍ଧି ହେଉଥିବାରୁ, ଓଡ଼ିଶା ଭଳି ରାଜ୍ୟକୁ, ବିଶ୍ବ ବ୍ୟାଙ୍କ ‘ସମ୍ବଳ ଅଭିଶପ୍ତ’ ରାଜ୍ୟ ବୋଲି ଆଖ୍ୟା ଦେଇଛନ୍ତି। ଅର୍ଥାତ୍‌ ଯେଉଁ ରାଜ୍ୟ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦରେ ଭରପୂର, ସେହି ରାଜ୍ୟରେ ପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ ନଥିଲା ଭଳି ରାଜ୍ୟଠାରୁ କମ୍‌ ଅର୍ଥନୈତିକ ଅଭିବୃଦ୍ଧି ହେଉଛି।

ଓଡ଼ିଶାରେ କୃଷି କ୍ଷେତ୍ରରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ। ରାଜ୍ୟରେ କୃଷକଙ୍କ ସଂଖ୍ୟା ହ୍ରାସ ପାଉଛି, କିନ୍ତୁ କୃଷି ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ୧୫ଲକ୍ଷ ଏକର ଚାଷଜମି ଓ ୧୦ଲକ୍ଷ ଏକର ସର୍ବସାଧାରଣ ସମ୍ପତ୍ତି ସମ୍ବଳକୁ ଅଣ-ଚାଷ ଉଦ୍ଦେଶ୍ୟରେ ମୁଖ୍ୟତଃ ଶିଳ୍ପ ପାଇଁ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଚାଷ କହିଲେ ଧାନ ଚାଷକୁ ବୁଝାଏ। ଶସ୍ୟ ବିବିଧତା ନାହିଁ। ଶସ୍ୟ ବିଭିନ୍ନତା ପାଇଁ କୌଣସି ବିଶେଷ ପଦକ୍ଷେପ ନିଆଯାଉ ନାହିଁ। ତେଣୁ ପନିପରିବା, ଫଳ, ମାଛ, ଅଣ୍ଡା ଆଦି ଆମ ପଡ଼ୋଶୀ ରାଜ୍ୟରୁ ଆମଦାନୀ କରୁଛୁ। ଉଚ୍ଚ ଆଶା ରଖି କେତେକ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। କିନ୍ତୁ ରାଜ୍ୟର ବହୁ ଅଞ୍ଚଳରେ ନିଶ୍ଚିତ ନିର୍ଭରଶୀଳ ଜଳସେଚନର ବ୍ୟବସ୍ଥା ନାହିଁ। ଉନ୍ନତ ଧରଣର ବିହନ, କୀଟନାଶକ ଓ କୃତ୍ରିମ ସାର ଠିକ୍‌ ଭାବେ ବ୍ୟବହାର କରିବା ଜ୍ଞାନ କୌଶଳର ଅଭାବ। ତେଣୁ ବହୁ ସମୟରେ ଫସଲନଷ୍ଟ ହେଉଛି। ଋଣଭାର ଓ ଫସଲହାନି ଜନିତ ଦୁଃଖରେ କୃଷକ ଆତ୍ମହତ୍ୟା ବଢ଼ୁଛି। ମରୁଡ଼ି, ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହିଥିବାରୁ ଅନେକ ବର୍ଷ ଫସଲ ମଧ୍ୟ ନଷ୍ଟ ହେଉଛି। ତେଣୁ ଓଡ଼ିଶାରେ କୃଷକର ଅର୍ଥନୈତିକ ଅବସ୍ଥାରେ କିଛି ଉନ୍ନତି ଦେଖାଯାଉନାହିଁ। ଭାରତୀୟ କୃଷି ଗବେଷଣା ପରିଷଦ ରିପୋର୍ଟ-୨୦୨୨ ଅନୁଯାୟୀ, ଓଡ଼ିଶାରେ ଚାଷୀଙ୍କ ଆୟ କମୁଛି। ଧାନ ଚାଷ ଓ ଅନ୍ୟାନ୍ୟ ଶସ୍ୟ ଉତ୍ପାଦନକାରୀ ଚାଷୀଙ୍କ ପରିବାର ଆୟ ୨୦୧୬-୧୭ରେ ଯେତିକି ଥିଲା, ଗତ ପାଞ୍ଚବର୍ଷରେ ଅତିରିକ୍ତ ଆୟ, ସରକାରଙ୍କ ଲକ୍ଷ୍ୟ ଦୁଇଗୁଣ ହେବା ବଦଳରେ, ମାତ୍ର ୭.୫୫ ପ୍ରତିଶତ ବୃଦ୍ଧି ହୋଇଛି।

ସରକାରଙ୍କ ଦ୍ବାରା ଶିଳ୍ପକ୍ଷେତ୍ରରେ ଅନେକ ପଦକ୍ଷେପ ନେବା ସତ୍ତ୍ବେ, ରାଜ୍ୟରେ ଶିଳ୍ପାୟନ ବାଟବଣା ହୋଇଛି। ଓଡ଼ିଶାରେ ସ୍ବାଧୀନତା ପରେ, କେନ୍ଦ୍ର ସରକାରଙ୍କ ଦ୍ବାରା ପୁଞ୍ଜି ନିବେଶ ହୋଇ କେତୋଟି ବୃହତ୍‌ ଶିଳ୍ପ ପ୍ରତିଷ୍ଠା ହୋଇଥିଲା। ୧୯୬୦ ଦଶକର ପ୍ରଥମ ଭାଗରେ, ବିଶେଷତଃ ଗ୍ରାମାଞ୍ଚଳରେ ଶିଳ୍ପାୟନ ପାଇଁ ପ୍ରଚେଷ୍ଟା ଥିଲା। ୧୯୮୦ ଠାରୁ ୨୦୧୫ ମଧ୍ୟରେ ଆଠଗୋଟି ଶିଳ୍ପନୀତି ରାଜ୍ୟ ସରକାରଙ୍କ ଦ୍ବାରା ଘୋଷଣା କରାଯାଇଛି। ଏସବୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ, ଓପିମ୍‌, ଓଟିମ୍‌, ବିଟିମ୍‌, ଭଳି ୩୦ରୁ ଅଧିକ ମଧ୍ୟମ ଶିଳ୍ପ, ୧୧ଟି ଇସ୍ପାତ କାରଖାନା, ୨୦ଟି ଚିନି କାରଖାନା ଓ ଅନ୍ୟାନ୍ୟ ଅନେକ କ୍ଷୁଦ୍ର, ମଧ୍ୟମ ଓ ବୃହତ୍‌ ଶିଳ୍ପ ବନ୍ଦ ହୋଇ ଗଲାଣି। ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ଶିଳ୍ପାଞ୍ଚଳରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନରେ ତାଲା ପଡ଼ିଛି। ଏପରିକି ଭୁବନେଶ୍ବର ଭଳି ରାଜଧାନୀ ସହରରେ ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ନହୋଇ, ଲାଭଖୋର ମନୋବୃତ୍ତି ନେଇ ବେସରକାରୀ ଶିକ୍ଷାନୁଷ୍ଠାନମାନ ମୁଣ୍ଡ ଟେକି ଉଠିଛି। ରାଜ୍ୟ ସରକାରଙ୍କ ୧୦ରୁ ଅଧିକ କାରଖାନା କ୍ଷତିରେ ଚାଲିଛି ଓ ଅନେକ ବନ୍ଦ ହୋଇଗଲାଣି। ରାଜ୍ୟର ହସ୍ତ ଓ କୁଟୀର ଶିଳ୍ପର ଅବସ୍ଥା ମଧ୍ୟ ଭୟଙ୍କର। ଏଗୁଡ଼ିକ ଧୀରେଧୀରେ ଉଭେଇ ଯାଉଛି ଏବଂ ଏଥିପାଇଁ ଏହି କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଧୀରେଧୀରେ କମିଯାଉଛି। ବୃହତ୍‌ ଶିଳ୍ପାନୁଷ୍ଠାନ ପାଇଁ ରାଜ୍ୟ ସରକାର ଅନେକ ବୁଝାମଣା ପତ୍ର ସ୍ବାକ୍ଷର କରିଛନ୍ତି; କିନ୍ତୁ ତାହା ମଧ୍ୟରୁ ବହୁତ କମ୍‌ କ୍ଷେତ୍ରରେ ପୁଞ୍ଜି ନିବେଶ ହେଉଛି। ଦେଶରେ ସମୁଦାୟ ପୁଞ୍ଜି ନିବେଶ ମଧ୍ୟରେ ଗୁଜରାଟରେ ୧୬ ପ୍ରତିଶତ ଓ ମହାରାଷ୍ଟ୍ରରେ ୧୫ ପ୍ରତିଶତ ହୋଇଥିଲାବେଳେ ଆମ ରାଜ୍ୟରେ ମାତ୍ର ଚାରି ପ୍ରତିଶତ ହୋଇଛି।

ଯାହା କେତୋଟି ଶିଳ୍ପ ପୁଞ୍ଜି ନିବେଶ କରୁଛନ୍ତି ବା କରିବାକୁ ଆସୁଛନ୍ତି, ତାହା କେବଳ ଧୂଳିଝଡ଼ା ଶିଳ୍ପରେ ପୁଞ୍ଜି ନିବେଶ କରୁଛନ୍ତି। ସେହି ସବୁ ଖଣିଜ ପଦାର୍ଥ ପ୍ରକ୍ରିୟାକରଣ ଶିଳ୍ପ ପାଇଁ, କାରଖାନା ଓ ସେଥିପାଇଁ ସହର ପ୍ରତିଷ୍ଠା ଓ ଖଣିଜପଦାର୍ଥ (ଲୁହାପଥର, ବକ୍ସାଇଟ, କୋଇଲା) ଉତ୍ତୋଳନ ସ୍ଥାନରେ ବିସ୍ଥାପନ ବଢ଼ୁଛି। ପରିବେଶ ଧ୍ବଂସ ହେଉଛି, ଜଳ ଓ ବାୟୁର ପ୍ରଦୂଷଣ, ଜଙ୍ଗଲ ଧ୍ବଂସ ଓ ମୃତ୍ତିକା ଅବକ୍ଷୟ ହେଉଛି। ପୁଞ୍ଜି ନିବେଶ ତୁଳନାରେ ବିଶେଷ ନିଯୁକ୍ତିର ସୁଯୋଗ ରହୁନାହିଁ। କୃଷିଭିତ୍ତିକ ଶିଳ୍ପରେ କିଛି ପୁଞ୍ଜି ନିବେଶ ହେଉନାହିଁ। ରାଜ୍ୟରେ ଉତ୍ପାଦିତ ଇସ୍ପାତ ଓ ଆଲୁମିନା/ଆଲୁମିନିୟମରୁ କୌଣସି ମୂଲ୍ୟଯୁକ୍ତ ପଦାର୍ଥ, ଓଡ଼ିଶା ଭିତରେ ଉତ୍ପାଦନ ହେଉନାହିଁ। କାର, ଭାରିଯାନ, ଦୁଇ/ତିନିଚକିଆ ଗାଡ଼ି, ସାଇକେଲ, ମୋଟରଗାଡ଼ି ସମ୍ପର୍କିତ ସହାୟକ ଯନ୍ତ୍ରପାତି ଓ ସରଞ୍ଜାମ, ଭାରିଯନ୍ତ୍ର କଳକବ୍ଜା, ଲୁହା ଓ ଇସ୍ପାତରୁ ଏବଂ ଉତ୍ପାଦିତ ଆଲୁମିନା ଓ ଆଲୁମିନିୟମରୁ ପତଳା ପାତ୍ର, ଭଙ୍ଗପ୍ରବଣ ନଳୀ, ଧାତବ ପାତ୍ର, ବାସନକୁସନ, ଆଧାର ପାତ୍ର, ଆଲୁମିନିୟମ ଗୁଣ୍ଡ, ଛାଞ୍ଚ, ବିମାନ ଓ ମୋଟର ଗାଡ଼ି ପାଇଁ ସହାୟକ ଯନ୍ତ୍ରପାତି ଆଦି ମୂଲ୍ୟଯୁକ୍ତ ପଦାର୍ଥର ଉତ୍ପାଦନ କାରଖାନା ଓଡ଼ିଶାରେ ପ୍ରତିଷ୍ଠା ହୋଇପାରିବ। ଯଦି ଏହିସବୁ ମୂଲ୍ୟଯୁକ୍ତ ପଦାର୍ଥର ଉତ୍ପାଦନ ହୁଅନ୍ତା, ବିସ୍ଥାପନ ଓ ପରିବେଶ ଧ୍ବଂସ କମ୍‌ ହେବାର ସମ୍ଭାବନା ରହିବ ଏବଂ ନିଯୁକ୍ତିର ସୁଯୋଗ ବୃଦ୍ଧି ହେବ।

ସାମାଜିକ କ୍ଷେତ୍ରରେ ବିକାଶ ହେଲେ ମାନବସମ୍ବଳ ପୁଞ୍ଜିର ବିକାଶ ହୁଏ ଏବଂ ମାନବ ସମ୍ବଳର ବିକାଶ ହେଲେ ଅର୍ଥନୈତିକ ବୃଦ୍ଧି ହୁଏ ଓ ଦାରିଦ୍ର୍ୟ ହ୍ରାସ ହୁଏ। ଶିକ୍ଷା ଓ ସ୍ବାସ୍ଥ୍ୟ, ସାମାଜିକ କ୍ଷେତ୍ରର ଦୁଇଟି ପ୍ରଧାନ ଉପାଦାନ। ତେଣୁ ଭାରତ ଭଳି ବିକାଶଶୀଳ ରାଷ୍ଟ୍ରରେ ଥିବା ଓଡ଼ିଶା ଭଳି ଅତି ଦରିଦ୍ର ରାଜ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ‘ସେବା’ ଭାବେ ଗ୍ରହଣ କରାଯାଇ, ସରକାର ବିନା ମୂଲ୍ୟରେ ସମସ୍ତଙ୍କୁ ଯୋଗାଇବା ଆବଶ୍ୟକ; କିନ୍ତୁ ଉଦାରୀକରଣ ଓ ଘରୋଇକରଣ ସମୟରେ ଶିକ୍ଷା ଓ ସ୍ବାସ୍ଥ୍ୟକୁ ଆଳୁ, ବାଇଗଣ ଭଳି ଏକ ଦ୍ରବ୍ୟ ହିସାବରେ ଧରାଯାଇ ବଜାରରେ କିଣାବିକା ଚାଲିଛି। ଏହାଦ୍ବାରା ଗରିବ ଘରର ସମସ୍ତ ଗୁଣସମ୍ପନ୍ନ ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷାଦାନରୁ ବଞ୍ଚିତ ହେଉଛନ୍ତି; ଏବଂ ସାଧାରଣ ଜନତା ଠିକ୍‌ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି। ସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଦିଆଯାଉଛି ଏବଂ ଶିକ୍ଷାର ଘରୋଇକରଣକୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ଦିଆଯାଉଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗବେଷଣାର ନାଁ ଗନ୍ଧ ନାହିଁ କି କୌଣସି ସୁବିଧା ନାହିଁ। କୌଣସି ନୂତନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନହୋଇ, ପୂର୍ବରୁ ଥିବା କେତେକ ମହାବିଦ୍ୟାଳୟଗୁଡ଼ିକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରି ଦିଆଯାଉଛି; କିନ୍ତୁ ସେଠାରେ ଉପଯୁକ୍ତ ଉଚ୍ଚଶିକ୍ଷାଦାନ ଓ ଗବେଷଣାର ସୁବିଧା ନାହିଁ, ଅଧ୍ୟାପକ ନାହାନ୍ତି।

ରାଜ୍ୟରେ ପ୍ରାକୃତିକ ସମ୍ପଦର ଦ୍ରୁତ ଅବକ୍ଷୟ ହେଉଛି। ସଡ଼କପଥ, ରେଳ ଓ ବନ୍ଦର ଭଳି ଉପଯୁକ୍ତ ଭିତ୍ତିଭୂମିର ଅଭାବ। ଉପରୋକ୍ତ ସମସ୍ୟାଗୁଡ଼ିକ ପାଇଁ ଆମ ରାଜ୍ୟ ଦରିଦ୍ର ହୋଇ ରହିଆସିଛି। ଦେଶରେ ଧନୀ ଓ ଗରିବ ରାଜ୍ୟ ମଧ୍ୟରେ ଅର୍ଥନୈତିକ ବିକାଶର ବ୍ୟବଧାନ ବଢ଼ି ଚାଲିଛି। ଓଡ଼ିଶା ଭଳି ଦରିଦ୍ର, ଅନୁନ୍ନତ ରାଜ୍ୟର ଭୌତିକ, ବିତ୍ତ, ମାନବସମ୍ବଳ, ପ୍ରାକୃତିକ ଓ ସାମାଜିକ ପୁଞ୍ଜିର ବିକାଶ କରିବାରେ, କେନ୍ଦ୍ର ଓ ରାଜ୍ୟ ସରକାର ମୁଖ୍ୟ ଭୂମିକା ଗ୍ରହଣ କରିବାକୁ ହେବ। ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ଅପେକ୍ଷାକୃତ ବଡ଼ଧରଣର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପୁଞ୍ଜିନିବେଶ ଅପରିହାର୍ଯ୍ୟ।

Comments are closed.