ଅମ୍ଳଜାନର ଅଭାବ କାହିଁକି?

ମୃଣାଳ ଚାଟାର୍ଜୀ

ଆମ ଦେଶରେ ବର୍ତ୍ତମାନ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ଅମ୍ଳଜାନ ଉତ୍ପାଦନ କ୍ଷମତା ଦିନକୁ ୯ହଜାର ମେଟ୍ରିକ ଟନରୁ ଊର୍ଦ୍ଧ୍ୱ। କୋଭିଡ୍‍-୧୯ ମହାମାରୀର ଦ୍ୱିତୀୟ ଲହରରେ ଆମର ବର୍ତ୍ତମାନ ଆବଶ୍ୟକତା ଛ’ରୁ ସାତ ହଜାର ମେଟ୍ରିକ ଟନ୍‍। ଏ ଅବସ୍ଥାରେ ଆମ ଦେଶରେ ଅମ୍ଳଜାନର କୌଣସି ଅଭାବ ହେବା କଥା ନୁହଁ। ତଥାପି ଅମ୍ଳଜାନର ଅଭାବ ଦେଶର ଅନେକ ରାଜ୍ୟରେ- ବିଶେଷ କରି ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୁଜରାଟରେ ଦେଖାଦେଉଛି। ଅମ୍ଳଜାନ ନ ପାଇ ଅନେକ କରୋନା-ଆକ୍ରାନ୍ତଙ୍କ ମୃତ୍ୟୁ ଖବର ଆଖି ଆଗକୁ ଆସୁଛି।

ଡାକ୍ତରଖାନା ଅମ୍ଳଜାନର ଉତ୍କଟ ଅଭାବ କାହିଁକି? ଏହାକୁ ବୁଝିବାକୁ ଗଲେ, ଆମକୁ ଅମ୍ଳଜାନର ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ବୁଝିବାକୁ ପଡି଼ବ। ଅମ୍ଳଜାନ ମୁଖ୍ୟତଃ ବିଭିନ୍ନ ଶିଳ୍ପ ପାଇଁ ପ୍ରସ୍ତୁତ କରାଯାଏ। ଏଇ ଶିଳ୍ପ ଭିତରେ ଇସ୍ପାତ କାରଖାନା ମଧ୍ୟ ଅଛି। ଦେଶରେ ବେଶ୍‍ କିଛି କେବଳ ତରଳ ଅମ୍ଳଜାନ କାରଖାନା ରହିଛି, ତା’ର ମାଲିକ କେତେକ ଗ୍ୟାସ୍‍ କମ୍ପାନୀ, ଯେମିତି ଲିନ୍‍ଡେ, ଆଇନକ୍ସ। ସେମାନେ ତରଳ ଅମ୍ଳଜାନ ପ୍ରସ୍ତୁତ କରନ୍ତି ଏବଂ ଟ୍ୟାଙ୍କର୍‍ ଜରିଆରେ ତାଙ୍କ ଗ୍ରାହକଙ୍କୁ ବଣ୍ଟନ କରନ୍ତି।

ସାରା ଭାରତରେ ‘ରିଫିଲର୍‌’ମାନେ ଅଛନ୍ତି, ସେମାନେ ଏହାକୁ ଗ୍ୟାସ୍‍ରେ ପରିଣତ କରି ସିଲିଣ୍ଡରରେ ଭର୍ତ୍ତି କରନ୍ତି ଏବଂ ତାହା ବିଭିନ୍ନ ସ୍ଥାନକୁ ଯାଏ। ଯେଉଁଠି ଶିଳ୍ପ କ୍ଷେତ୍ର ପାଇଁ ଅମ୍ଳଜାନ ତିଆରି ହେଉଛି, ସେଠି ମଧ୍ୟ ଡାକ୍ତରଖାନା ପାଇଁ ଅମ୍ଳଜାନ ତିଆରି ହୋଇପାରିବ। ବର୍ତ୍ତମାନ ଏହା ହେଉଛି। ଶିଳ୍ପ କ୍ଷେତ୍ରରେ ଓ ଡାକ୍ତରଖାନାରେ ବ୍ୟବହୃତ ଅମ୍ଳଜାନ ଭିତରେ ସାମାନ୍ୟ ଫରକ ରହିଛି। ଫରକଟି ହେଉଛି ଶୁଦ୍ଧତାରେ। ଅମ୍ଳଜାନର ଶୁଦ୍ଧତା ସହିତ ଯେଉଁ ସିଲିଣ୍ଡରରେ ଡାକ୍ତରୀ ଅମ୍ଳଜାନ ଯାଏ, ତାହା ଡାକ୍ତରଖାନା ଉପଯୋଗୀ ଥିବା ଦରକାର।

ମୋଟାମୋଟି ୩ଟି ବାଟରେ ଅମ୍ଳଜାନକୁ ବଣ୍ଟନ କରାଯାଏ।
ଏକ: ଯେଉଁ ଶିଳ୍ପରେ ଅମ୍ଳଜାନ ବ୍ୟବହାର କରାଯାଉଛି, ସେଠାକୁ ପାଇପ୍‍ ଲାଇନ୍‍ ଜରିଆରେ; ପ୍ରାୟ ୮୦ ଶତାଂଶ ଅମ୍ଳଜାନ ଏଇ ବାଟରେ ହିଁ ନିଆଯାଏ।

ଦୁଇ: ପାଖାପାଖି ୧୫ ଶତାଂଶ ଅମ୍ଳଜାନକୁ ତରଳ କରିଦିଆଯାଏ, ତାକୁ ଟ୍ୟାଙ୍କର ଜରିଆରେ ନିଆଯାଏ।

ତିନି: ମାତ୍ର ୫ ଶତାଂଶ ଅମ୍ଳଜାନକୁ ସିଲିଣ୍ଡରରେ ଭର୍ତ୍ତି କରି ବିଭିନ୍ନ ସ୍ଥାନକୁ ନିଆଯାଏ ।

ଉଚ୍ଚମାନର ଶୁଦ୍ଧ ଅମ୍ଳଜାନକୁ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଏ। ସ୍ୱାଭାବିକ ଅବସ୍ଥାରେ ଆମ ଦେଶରେ ଯେତିକି ଅମ୍ଳଜାନ ଉତ୍ପାଦିତ ହୁଏ- ତା’ର ଦଶରୁ ୧୫ ଶତାଂଶ ମେଡିକାଲ ଅମ୍ଳଜାନ ଭାବରେ ବ୍ୟବହାର କରାଯାଏ। କରୋନା ମହାମାରୀ ପୂର୍ବରୁ ଦେଶରେ ମେଡିକାଲ ଅମ୍ଳଜାନର ଚାହିଦା ଥିଲା ଦିନକୁ ୭୦୦-୮୦୦ ଟନ୍‍। କରୋନାର ଦ୍ୱିତୀୟ ଲହର ଆରମ୍ଭ ହେବା ପରେ ଏବର୍ଷ ଏପ୍ରିଲ ଆରମ୍ଭ ବେଳକୁ ଏହା ୩୫୦୦-୪୦୦୦ ଟନ୍‍କୁ ବୃଦ୍ଧି ପାଇଲା। ତଥାପି ଭାରତରେ ଅମ୍ଳଜାନ ପାଇଁ ଏ ପ୍ରକାର ହାହାକାର ଅବସ୍ଥା ହେବା କଥା ନୁହେଁ।

ସମସ୍ୟା ମୁଖ୍ୟତଃ ଦୁଇଟି।

ଏକ: କାରଖାନାରେ ଉତ୍ପାଦିତ ଅମ୍ଳଜାନକୁ ଲୋକଙ୍କ ପାଖରେ ପହଞ୍ଚାଇବା। ଦୁଇ: ଅମ୍ଳଜାନର ଚାହିଦା ହଠାତ ବହୁଗୁଣ ବଢ଼ିଯିବା ।

ମୁଖ୍ୟତଃ ଅମ୍ଳଜାନର ବ୍ୟବହାରକାରୀମାନେ ହେଲେ ଶିଳ୍ପ ପ୍ରତିଷ୍ଠାନ। ଅଧିକାଂଶ କ୍ଷେତ୍ରରେ ଶିଳ୍ପଗୁଡି଼କୁ ପାଇପ୍‍ ଲାଇନ୍‌ ଜରିଆରେ ଅମ୍ଳଜାନ ଯୋଗାଇ ଦିଆଯାଏ । ତରଳ ଅମ୍ଳଜାନ ପରିବହନ ପାଇଁ ବ୍ୟବହୃତ ଟ୍ୟାଙ୍କର ବିଶେଷ ଧରଣର। ତାକୁ କହନ୍ତି ‘କ୍ରାଓଜେନିକ’ ଟ୍ୟାଙ୍କର। ଯେଉଁଥିରେ ତରଳ ଅମ୍ଳଜାନକୁ ଅତି କମ୍‍ ଉତ୍ତାପରେ ରଖିବାର ସୁବିଧା ଅଛି। ପରିବହନ ପାଇଁ ତରଳ ଅମ୍ଳଜାନକୁ ବିଯୁକ୍ତ ୧୮୪ ଡିଗ୍ରୀରୁ କମ୍‍ ତାପମାତ୍ରାରେ ରଖିବା ପାଇଁ ପଡ଼େ। ସେଥିପାଇଁ ଏହି ଟ୍ୟାଙ୍କରଗୁଡ଼ିକ ଦ୍ରୁତ ଗତିରେ ଚଳାଚଳ କରିବା ସମ୍ଭବ ନୁହେଁ। ଏ ପ୍ରକାର ଟ୍ୟାଙ୍କରଗୁଡି଼କ ବହୁତ ଦାମ୍‍। ଗୋଟେଗୋଟେ ଟ୍ୟାଙ୍କରର ଦାମ୍‍ ପାଖାପାଖି ୫୦ ଲକ୍ଷ ଟଙ୍କା। ସାରା ଭାରତରେ ସରକାରୀ ହିସାବ ଅନୁସାରେ ମାତ୍ର ୧୨୨୪ଟି କ୍ରାଓଜେନିକ ଅମ୍ଳଜାନ ଟ୍ୟାଙ୍କର ରହିଛି। ସବୁଗୁଡ଼ିକ ଟ୍ୟାଙ୍କର ୧୬ ହଜାର ଟନ୍‍ ତରଳ ଅମ୍ଳଜାନ ପରିବହନ କରିପାରିବେ। ତେଣୁ ଯେତେବେଳେ ହଠାତ୍‍ ଅମ୍ଳଜାନର ଚାହିଦା ବଢ଼ିଗଲା, ସେତେବେଳେ ଟ୍ୟାଙ୍କର ଜରିଆରେ ଶୀଘ୍ର ଅମ୍ଳଜାନ ଯୋଗାଇବା କାର୍ଯ୍ୟ ହୋଇପାରିଲା ନାହିଁ।

ସିଲିଣ୍ଡର ଆଉ ଏକ ସମସ୍ୟା । ଅମ୍ଳଜାନ ସିଲିଣ୍ଡର ମଧ୍ୟ ଅଧିକ ଦାମ୍‍। ଗୋଟେଗୋଟେ ସିଲିଣ୍ଡରର ଦାମ ପାଖାପାଖି ୧୦ ହଜାର ଟଙ୍କା। ସେଥିରେ ଯେତିକି ଅମ୍ଳଜାନ ରହେ, ସାଧାରଣ ଅବସ୍ଥାରେ ତା’ର ଦାମ୍‍ ୩୦୦ରୁ ୫୦୦ ଟଙ୍କା। ଯେଉଁମାନେ ସିଲିଣ୍ଡରରେ ଅମ୍ଳଜାନ ଭର୍ତ୍ତି କରୁଛନ୍ତି ବା ରଖୁଛନ୍ତି, ସେମାନେ ଖୁବ୍‍ ବେଶି ସଂଖ୍ୟାରେ ସିଲିଣ୍ଡର ରଖିବାକୁ ଚାହାନ୍ତି ନାହିଁ। କାରଣ ଆବଶ୍ୟକତାରୁ ଅଧିକ ସିଲିଣ୍ଡର ରଖିବା ମାନେ ଅଧିକ ପୁଞ୍ଜି ଲଗାଣ- ଯାହାର ଫାଇଦା ବେଶି କିଛି ନାହିଁ।

ଟ୍ୟାଙ୍କର୍‍ ଯୋଗେ ଅମ୍ଳଜାନ ପହଞ୍ଚାଇବାରେ ଆଉ ଏକ ସମସ୍ୟା ହେଉଛି- ଯେଉଁ ଶିଳ୍ପ ପ୍ରତିଷ୍ଠାନରେ ଅମ୍ଳଜାନ ପ୍ରସ୍ତୁତ ହେଉଛି, ସେଗୁଡ଼ିକ ଚାହିଦା ଜାଗାଠୁଁ ବହୁତ ଦୂରରେ ଅଛି। ପୂର୍ବ ଭାରତରେ ଥିବା ଇସ୍ପାତ କାରଖାନାଗୁଡି଼କୁ ଯଦି ଟ୍ୟାଙ୍କର ଯୋଗେ ଦିଲ୍ଲୀକୁ ଅମ୍ଳଜାନ ପଠାଯାଏ, ତେବେ ଭଲ ରାସ୍ତା ଥିଲେ ବି ଟ୍ୟାଙ୍କରକୁ ୭ରୁ୧୦ଦିନ ଲାଗୁଛି; କାରଣ ଅମ୍ଳଜାନ ଟ୍ୟାଙ୍କର ଘଣ୍ଟାକୁ ୪୦କିଲୋମିଟରରୁ ବେଶି ଗତିରେ ଯିବା ନିରାପଦ ନୁହଁ। ଅମ୍ଳଜାନ ପରିବହନରେ ଯାତାୟାତ ପାଇଁ ବହୁତ ସମୟ ଲାଗି ଯାଉଛି। ଇତିମଧ୍ୟରେ ଅମ୍ଳଜାନର ଚାହିଦା ବହୁଗୁଣିତ ହୋଇଯାଉଛି।

୨୦୧୯ରେ ଯେତେବେଳେ ମହାମାରୀ ଭାରତକୁ ପ୍ରବେଶ କଲା, ତା’ ପୂର୍ବ ଯାଏ, ଭାରତର ଚାହିଦା ଥିଲା ମାତ୍ର ୭୫୦-୮୦୦ ମେଟ୍ରିକ ଟନ୍‍। ଯେତେବେଳେ କରୋନାର ପ୍ରଥମ ଲହର ଆସିଲା, କରୋନା ସଂକ୍ରମଣ ଶୀର୍ଷ ଥିବା ସମୟରେ ବି ଚାହିଦା ୧୫୦୦ ମେଟ୍ରିକ ଟନ୍‍ରୁ ବେଶି ହୋଇନଥିଲା। ଦ୍ୱିତୀୟ ଲହରରେ ଏ ଚାହିଦା ହଠାତ୍‍ ବହୁଗୁଣିତ ହୋଇଗଲା। ୬ ହଜାର ମେଟ୍ରିକ ଟନ୍‍ଯାଏ ବଢ଼ିଗଲା। ଏ ଚାହିଦା କାହିଁକି ବଢ଼ିଗଲା? ତା’ର କାରଣ ‘ନେସନାଲ କ୍ଲିନିକାଲ କୋଭିଡ-୧୯ ରେଜିଷ୍ଟର’ରୁ ମିଳେ। କାରଣ ହେଲା: କରୋନାର ଦ୍ୱିତୀୟ ଲହରରେ ଯେଉଁ ଲୋକ ଡାକ୍ତରଖାନାରେ ପହଞ୍ଚିଲେ, ପ୍ରତ୍ୟେକ ଦୁଇ ଜଣରେ ଜଣଙ୍କୁ ଅମ୍ଳଜାନ ଦରକାର ପଡ଼ିଲା। ଗତ ବର୍ଷର କରୋନା ସଂକ୍ରମଣ ଶୀର୍ଷସ୍ଥାନରେ ରହୁଥିବା ସମୟ ତୁଳନାରେ ଏହା ବେଶ୍‍ ଅଧିକ। ହଠାତ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା, ଅଧିକ ଆକ୍ରାନ୍ତଙ୍କୁ ଅମ୍ଳଜାନ ଦରକାର ପଡ଼ିବା, ଆଉ ଅମ୍ଳଜାନ ପହଞ୍ଚାଇବାରେ ଯେଉଁ ସମସ୍ୟା ରହିଲା, ଏଥିପାଇଁ ଏହା ଏକ ବିପର୍ଯ୍ୟୟ ହୋଇଉଠିଲା।

ଏମିତି ଏକ ବିପତ୍ତି ଆସୁଛି, ଏ ବିଷୟରେ ଆମେ ଜାଣିନଥିଲେ, ଏହା ଆଦୌ ନୁହଁ। ଆମେ ଜାଣିଥିଲେ ଏବଂ କିଛିଟା ଯୋଜନା ମଧ୍ୟ କରିଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଦେଖିଲେ, ଗତ ବର୍ଷ ଅକ୍ଟୋବରରେ ସାରା ଦେଶରେ ଅମ୍ଳଜାନ ଶିଳ୍ପ ତିଆରି ପାଇଁ ପ୍ରସ୍ତାବ ମଗାଯାଇଥିଲା। ୧୬୨ ଅମ୍ଳଜାନ ତିଆରି କାରଖାନା ଅନୁମୋଦିତ ହୋଇଥିଲା। ତା’ ଭିତରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୩୩ଟି କାରଖାନା ପ୍ରତିଷ୍ଠା ହୋଇପାରିଛି। ଅନ୍ୟଗୁଡ଼ିକ କାହିଁକି ହୋଇପାରିଲା ନାହିଁ? କାରଣ ହେଲା ଯେ, ରାଜ୍ୟ ସରକାରଗୁଡ଼ିକ ଏ କାରଖାନା ବସେଇବା ପାଇଁ ଯେତିକି ଜମି ଦେବା ଦରକାର ଥିଲା, ତାହା ଠିକଣା କରିପାରିନାହାନ୍ତି। ତେବେ କାରଖାନାଗୁଡି଼କ ବସେଇବା ଦାୟିତ୍ୱରେ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ରାଜ୍ୟମାନେ କାହିଁକି ତାହା କଲେ ନାହିଁ, ଏହାକୁ ବୁଝିବା ଓ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ତା’ର ଦାୟତ୍ବ।

ଏ ବିଷୟରେ ‘ଇଣ୍ଡିଆନ ଏକ୍ସପ୍ରେସ’ର ଏକ ରିପୋର୍ଟ ଅନୁସାରେ, ମାର୍ଚ୍ଚ ୨୦୨୦ରେ ୧୧ଟି ‘କ୍ଷମତାପ୍ରାପ୍ତ ଗୋଷ୍ଠୀ’ ଗଠନ କରାଯାଇଥିଲା। ତାଙ୍କର କାମ ଥିଲା, କରୋନାର ପ୍ରକୋପ ଯଦି ବଢ଼େ, ତାକୁ କେମିତି ମୁକାବିଲା କରାଯିବ ଏବଂ ସେ ବିଷୟରେ ପଦକ୍ଷେପ ନେବା। ସେମାନେ ବିଶେଷ କିଛି ପଦକ୍ଷେପ ନେଇପାରିନାହାନ୍ତି। ଏହା ହେଉଛି ବିପତ୍ତିର ମୁଖ୍ୟ କାରଣ।

ବର୍ତ୍ତମାନ ସରକାର ଘୋଷଣା କରିଛନ୍ତି ଦେଶର ୫୫୧ଟି ଜିଲାରେ ଅମ୍ଳଜାନ କାରଖାନା ବସାଯିବ। ଯଦି ଆମେ ଅମ୍ଳଜାନ ଅଭାବର ମୂଳକୁ ଯିବା, ତା’ହେଲେ ଦେଖିବା ଯେ ଏ କାରଖାନାର ଆଦୌ ଆବଶ୍ୟକତା ନାହିଁ। ଉତ୍ପାଦନ ସମସ୍ୟା ନୁହେଁ। ଆବଶ୍ୟକତା ହେଲା ବଣ୍ଟନ ବ୍ୟବସ୍ଥାକୁ ସରଳ କରିବା। ପ୍ଲାଣ୍ଟରୁ ଅମ୍ଳଜାନ କେମିତି ଲୋକଙ୍କ ପାଖରେ ପହଞ୍ଚିବ ସେ ବ୍ୟବସ୍ଥାକୁ ଠିକ୍‌ କରିବା। ଯେଉଁଠି ଚିକିତ୍ସା କରାଯାଉଛି, ସେଠି କେମିତି ଆବଶ୍ୟକ ସମୟରେ ଅମ୍ଳଜାନ ଯଥେଷ୍ଟ ପରିମାଣରେ ମହଜୁଦ ହୋଇ ରହିପାରିବ, ତା’ର ବ୍ୟବସ୍ଥା କରିବା। କେତେ ଅମ୍ଳଜାନର ଆବଶ୍ୟକତା ପଡ଼ିବ ତାହା ଆଗୁଆ ଅନୁମାନ କରି, କେଉଁଠୁ ତାହା ଆସିପାରିବ ତାହା ନିଶ୍ଚିତ କରି ରଖିବା। କାରଖାନା ପ୍ରତିଷ୍ଠା ଯେତେ ଜରୁରୀ ନୁହେଁ, ତା’ଠୁ ଅଧିକ ଜରୁରୀ ଉପଯୁକ୍ତ ପରିଚାଳନା।

Comments are closed.