ପରୀକ୍ଷା ବାତିଲ ଓ ପିଲାଙ୍କ ଭବିଷ୍ୟତ

ସତ୍ୟକାମ ମିଶ୍ର

ସଂପ୍ରତି କରୋନା ମହାମାରୀ ଦେଶର ସବୁ କ୍ଷେତ୍ରରେ ଅଭୂତପୂର୍ବ ସମସ୍ୟା ସୃଷ୍ଟି କରିଛି। ନୂତନ ଶିକ୍ଷାନୀତି ମାଧ୍ୟମରେ ଆମ ଶିକ୍ଷା ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାର ସ୍ବପ୍ନ ଧୂଳିସାତ୍ ହୋଇଯାଇଛି । ପରିବର୍ତ୍ତନ ତ ଦୂରର କଥା, ପିଲାଙ୍କୁ ଦି ଅକ୍ଷର ପଢାଇବା ମଧ୍ୟ ସମ୍ଭବପର ହୋଇପାରୁନି। ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନ ପ୍ରକ୍ରିୟା କୌଣସିମତେ ସକ୍ରିୟ ରଖିବାର ପ୍ରୟାସ କେତେକାଂଶରେ ସଫଳ ହୋଇଥିବା ସ୍ଥଳେ, ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଏହା ଫଳପ୍ରଦ ହୋଇପାରିନାହିଁ।

ଏଥିପାଇଁ କାହାକୁ ଦୋଷ ଦେଇହେବ ନାହିଁ। ଆମର ଶିକ୍ଷାବ୍ୟବସ୍ଥା ଏଭଳି ଏକ ଜରୁରୀକାଳୀନ ପରିସ୍ଥିିତିକୁ ମୁକାବିଲା କରିବାପାଇଁ ପ୍ରସ୍ତୁତ ନଥିଲା। ସବୁ ବର୍ଗର ବିଦ୍ୟାର୍ଥୀଙ୍କ ପାଇଁ ସହଜଲଭ୍ୟ ଏକ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥାର ପ୍ରଚଳନପାଇଁ ଯେଉଁ ଭିତ୍ତିଭୂମି ଆବଶ୍ୟକ, ତାହା ସୃଷ୍ଟି କରିବା ସମୟ ସାପେକ୍ଷ। ବର୍ତ୍ତମାନ ପରିସ୍ଥିତିରେ ମହାମାରୀ ନିୟନ୍ତ୍ରଣ ସରକାରଙ୍କର ସର୍ବପ୍ରଥମ ଦାୟିତ୍ବ। ତେଣୁ ଏ ସମୟରେ ଶିକ୍ଷାଦାନ ପ୍ରକ୍ରିୟା ସ୍ବାଭାବିକଭାବେ ପ୍ରଭାବିତ ହୋଇଛି ଏବଂ ପରିସ୍ଥିତିର ମୁକାବିଲା କରି ପରୀକ୍ଷା କରାଇବାକୁ ଚେଷ୍ଟା ନକରି ଆମ ଦେଶର ଶିକ୍ଷା ପରିଷଦଗୁଡ଼ିକ ପରୀକ୍ଷା ବାତିଲ ଭଳି ଏକ ସହଜ ଉପାୟକୁ ଗ୍ରହଣ କରିଛନ୍ତି। ଏହା ଶିକ୍ଷାପ୍ରେମୀଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିବା ସଙ୍ଗେସଙ୍ଗେ ମେଧାବୀ ବିଦ୍ୟାର୍ଥୀଙ୍କୁ ହତୋତ୍ସାହ କରିଛି।

କେନ୍ଦ୍ରୀୟ ମାଧ୍ୟାମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ(ମାଟ୍ରିକ) ପରୀକ୍ଷା ବାତିଲ ହେବାପରେ ଅନ୍ୟାନ୍ୟ ପରିଷଦଗୁଡିକ ଅନୁରୂପ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତବର୍ଷର ଦଶମ ଶ୍ରେଣୀ (ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା)କୁ ମଧ୍ୟ ବାତିଲ କରିଦିଆଯାଇଛି। ସେହି ପରୀକ୍ଷା ଦେବାକୁ ଥିବା ପରୀକ୍ଷାର୍ଥୀଙ୍କର ଫଳ ବିକଳ୍ପ ମୂଲ୍ୟାୟନ ଜରିଆରେ ନିର୍ଣ୍ଣୟ ହେବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ସିବିଏସ୍‌ଇ ଏଥିପାଇଁ ଉପାୟ ବାହାର କରି କାମ ଆରମ୍ଭ କଲାଣି । ବିଦ୍ୟାଳୟ ସ୍ତରରେ ହୋଇଥିବା ପରୀକ୍ଷାଗୁଡିକର ଫଳାଫଳକୁ ଏକ କମିଟି ମାଧ୍ୟମରେ ପୁନର୍ବିଚାରକରି ଦଶମ ଶ୍ରେଣୀର ଫଳ ପ୍ରକାଶ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା ଫଳକୁ ଛଅଟି ଗ୍ରେଡରେ ବିଭକ୍ତ କରି ପ୍ରତ୍ୟେକ ବିଦ୍ୟାଳୟର ସର୍ବୋଚ୍ଚ କେତେଜଣ କେଉଁ ଗ୍ରେଡରେ ରହିବେ, ତାହା ସଂପୃକ୍ତ ବିଦ୍ୟାଳୟର ପୂର୍ବବର୍ଷଙ୍କର ଫଳାଫଳ ଭିତ୍ତିରେ ନିର୍ଣ୍ଣୟ କରାଯାଉଛି।

ବିଦ୍ୟାଳୟସ୍ତରୀୟ ପରୀକ୍ଷା ବୋର୍ଡ ପରୀକ୍ଷାର ଏକ ଅଂଶବିଶେଷ ହୋଇଥିବାରୁ ଏଭଳି ପଦକ୍ଷେପ ନେବା (ସିବିଏସଇ)ପକ୍ଷରେ ସମ୍ଭବ ହୋଇପାରିଛି। ଦ୍ୱିତୀୟ କଥା ହେଲା, (ସିବିଏସଇ) ଅନୁବନ୍ଧିତ ବିଦ୍ୟାଳୟରେ ବିଦ୍ୟାର୍ଥୀମାନଙ୍କୁ ସଂପୃକ୍ତ ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡିବ ନାହିଁ। ତେଣୁ ସେମାନଙ୍କ ପାଇଁ ନାମ ଲେଖାଇବା ସମସ୍ୟା ନାହିଁ। ଆଶାନୁରୂପ ଫଳ ନପାଇଲେ ବି ଜଣେ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ କୌଣସି ଅସୁବିଧା ନାହିଁ। ଏହି ଦୃଷ୍ଟିରୁ (ସିବିଏସଇ) ଦ୍ବାରା ଅନୁସୃତ ନିୟମ, ‘ଆତୁରେ ନିୟମନାସ୍ତି’ ନ୍ୟାୟରେ ବିଦ୍ୟାର୍ଥୀଙ୍କ ପକ୍ଷରେ ଗ୍ରହଣୀୟ ହୋଇପାରେ; କିନ୍ତୁ ଏହା ବୋର୍ଡ ପରୀକ୍ଷାର ଉପଯୁକ୍ତ ବିକଳ୍ପ ନୁହେଁ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ମାଟ୍ରିକ ପରୀକ୍ଷା କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଥିବା ସମୟରେ ସରକାର ପରୀକ୍ଷା ବାତିଲ କରିବା ନିଷ୍ପତ୍ତି ନେଇଗଲେ। ଏଭଳି ନିଷ୍ପତ୍ତି ନେବାର ଦୁଇ ଦିନ ପୂର୍ବରୁ ସମସ୍ତ ବିଦ୍ୟାଳୟରେ ପ୍ରାକ୍‌ ବୋର୍ଡ ପରୀକ୍ଷା ହୋଇଥିଲା। ଯଦି ସରକାର ଏହି ନିଷ୍ପତ୍ତି ଆଉ କିଛିଦିନ ଆଗରୁ ନେଇପାରିଥା’ନ୍ତେ ତେବେ ପ୍ରାକ ବୋର୍ଡ ପରୀକ୍ଷାକୁ ମାଟ୍ରିକ ପରୀକ୍ଷାର ମାନ୍ୟତା ଦେଇ ବୋର୍ଡର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କରାଯାଇପାରିଥା’ନ୍ତା ଏବଂ ଏ ବିଷୟରେ ପରୀକ୍ଷାର୍ଥୀମାନେ ଆଗରୁ ଅବଗତ ଥିଲେ ସେହି ପରୀକ୍ଷାକୁ ଗୁରୁତ୍ବ ଦେଇ ଯତ୍ନର ସହିତ ଦେଇଥା’ନ୍ତେ; କିନ୍ତୁ ସରକାର ଠିକ୍ ସମୟରେ ନିଷ୍ପତ୍ତି ନେଇ ପାରିଲେନି। ଫଳରେ ଆଜି ଏକ ଅଭୂତପୂର୍ବ ସମସ୍ୟା ଦେଖାଦେଇଛି। ଆମ ବ୍ୟବସ୍ଥାରେ (ସିବିଏସଇ) ଭଳି ବୋର୍ଡ ପରୀକ୍ଷା ପାଇଁ ବିଦ୍ୟାଳୟ ସ୍ତରରେ କୌଣସି ଆଭ୍ୟନ୍ତରୀଣ ପରୀକ୍ଷା ହୁଏନାହିଁ। ତେଣୁ ବିଦ୍ୟାଳୟ ଦ୍ବାରା କରାଯାଇଥିବା ପରୀକ୍ଷାର ଫଳ ଭିତ୍ତିରେ ମାଟ୍ରିକ ପରୀକ୍ଷାର ଫଳ ନିର୍ଦ୍ଧାରଣ କରିବା କେତେଦୂର ଯୁକ୍ତିସଙ୍ଗତ ଓ ଆଇନସମ୍ମତ ସେ ବିଷୟରେ ସ୍ପଷ୍ଟୀକରଣର ଆବଶ୍ୟକତା ଅଛି।

ଆମ ଶିକ୍ଷାବ୍ୟବସ୍ଥାରେ ମାଟ୍ରିକ ପରୀକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ସ୍ତର। ଏହି ସ୍ତରରେ ଉପଯୁକ୍ତ ଶିକ୍ଷାଦାନ ଉଚ୍ଚଶିକ୍ଷାଲାଭ ପାଇଁ ବିଦ୍ୟାର୍ଥୀଙ୍କର ସାମର୍ଥ୍ୟ ସୃଷ୍ଟି କରିଥାଏ। ଏହି ପରୀକ୍ଷାର ସଫଳତା ଉଚ୍ଚଶିକ୍ଷା ପାଇଁ ମାର୍ଗ ଉନ୍ମୋଚନ କରି ବିଦ୍ୟାର୍ଥୀଙ୍କର ଉଚ୍ଚାକାଙ୍‌କ୍ଷାକୁ ଚରିତାର୍ଥ କରିବାରେ ସହାୟକ ହୋଇଥାଏ। ମୋଟ ଉପରେ କହିବାକୁ ଗଲେ ଦଶମ ଶ୍ରେଣୀ ପରୀକ୍ଷାର ସଫଳତା ସେମାନଙ୍କ ମନରେ ଯେଉଁ ଆତ୍ମପ୍ରତ୍ୟୟ ସୃଷ୍ଟି କରେ ତାହା ଉଚ୍ଚଶିକ୍ଷା ଲାଭ ପାଇଁ ଭିତ୍ତିଭୂମି ରୂପେ କାର୍ଯ୍ୟ କରିଥାଏ। କାଳକ୍ରମେ ଦଶମ ପରୀକ୍ଷା ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ଏକ ଅଂଶ ବିଶେଷ ହୋଇଯାଇଛି। ତେଣୁ ଏହି ପରୀକ୍ଷା ବିଷୟରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଏହି ପରୀକ୍ଷାର ଗୁରୁତ୍ବକୁ ବୁଝିବା ଦରକାର।

ପରୀକ୍ଷା ନ ଦେଇ ଉତ୍ତୀର୍ଣ୍ଣ କରିବାର ମାନସିକତା ସୃଷ୍ଟି କଲା ଭଳି କୌଣସି ଉଦ୍ୟମ ହେବା ଆଦୌ ବାଞ୍ଚନୀୟ ନୁହେଁ। ଗତ ବର୍ଷ ଡିଗ୍ରୀ ପରୀକ୍ଷାର ଶେଷ ସେମିଷ୍ଟାର ପରୀକ୍ଷା ନକରି ପୂର୍ବ ସେମିଷ୍ଟାର ପରୀକ୍ଷାର ଫଳ ଭିତ୍ତିରେ ଫଳ ପ୍ରକାଶନ କରିବାର ଉଦ୍ୟମକୁ ୟୁଜିସି ପ୍ରତ୍ୟାଖ୍ୟାନ କରିଦେଇଥିଲା। ତେଣୁ ଆମ ବିଶ୍ବବିଦ୍ୟାଳୟଗୁଡ଼ିକ ପରୀକ୍ଷା କରିବାପାଇଁ ବାଧ୍ୟ ହେଲେ। ପରୀକ୍ଷାକୁ ବାତିଲ କରିବା ଏକ ସୁସ୍ଥ ପରମ୍ପରା ନୁହେଁ। ଭବିଷ୍ୟତରେ ଏହା ଆମ ଶିକ୍ଷାବ୍ୟବସ୍ଥାକୁ ଦୁର୍ବଳ କରିବ। ସରକାର ପରୀକ୍ଷା ବାତିଲ ନିଷ୍ପତ୍ତିର ପୁନର୍ବିଚାର କରିବା ଆବଶ୍ୟକ। ୨୦୨୦ ସପ୍ଲିମେଣ୍ଟାରୀ ମାଟ୍ରିକ ପରୀକ୍ଷା ଢାଞ୍ଚାରେ ସ୍ବଳ୍ପ ସମୟ ମଧ୍ୟରେ ନିଜ ବିଦ୍ୟାଳୟରେ ଏହା କରାଯାଇପାରିବ।

ଏପରିକି ଗୋଟିଏ ବିଷୟ ପାଇଁ ଏକ ଘଣ୍ଟା ଅବଧିର ପରୀକ୍ଷା ଗୋଟିଏ ଦିନରେ ଛଅଟି ବିଷୟ ପାଇଁ ବହୁ ସମ୍ଭାବିତ ଉତ୍ତର ସମ୍ବଳିତ ବସ୍ତୁନିଷ୍ଠ ପ୍ରଶ୍ନ (ମଲ୍‌ଟିପଲ୍‌ ଚୟସ୍‌ ଅବ୍‌ଜେକ୍ଟିଭ୍‌ କୋଶ୍ଚିନ୍‌) ମାଧ୍ୟମରେ ଦିନ ୯ଟାରୁ ୪ଟା ମଧ୍ୟରେ କୋଭିଡ୍‌ ମାର୍ଗଦର୍ଶିକାକୁ ଅନୁସରଣକରି କରାଯାଇପାରିବ।
ପିଲାମାନେ ଘର ପାଖ ବିଦ୍ୟାଳୟ କିମ୍ବା ଅନ୍ୟାନ୍ୟ ସାଧାରଣ ସ୍ଥାନରେ ପରୀକ୍ଷା ଦେବେ, ଯେପରିକି ସେମାନେ ପରୀକ୍ଷା କେନ୍ଦ୍ରକୁ ଚାଲି କରି ଯାଇପାରିବେ।

ଯଦି ଏହା ସମ୍ଭବ ନୁହେଁ କିମ୍ବା ସରକାର ଏହା ଚାହୁଁନାହାନ୍ତି, ତେବେ ବୋର୍ଡ ଦ୍ବାରା ପ୍ରସ୍ତୁତ ପ୍ରଶ୍ନାବଳୀ ମାଧ୍ୟମରେ ହୋଇଥିବା ପ୍ରାକ ବୋର୍ଡ ପରୀକ୍ଷାର ଏ+,ଏ, ବି+ ଓ ‘ବି’ ଗ୍ରେଡ ଅର୍ନ୍ତଗତ ନମ୍ବର ଦିଆଯାଇଥିବା ଉତ୍ତର ଖାତାଗୁଡ଼ିକୁ ବୋର୍ଡ ଦ୍ବାରା ମୂଲ୍ୟାୟନ କରାଯାଇ ତାହାରି ଭିତ୍ତିରେ ଫଳ ପ୍ରକାଶ ହେଉ ଏବଂ ଏଥି ସହିତ ପ୍ରତ୍ୟେକ ବିଦ୍ୟାଳୟର ଏ+,ଏ, ବି+ ଓ ‘ବି’ ଗ୍ରେଡ୍‌ରେ ସ୍ଥାନିତ ପ୍ରାର୍ଥୀଙ୍କ ସଂଖ୍ୟା ବିଦ୍ୟାଳୟର ବିଗତ ପାଞ୍ଚ ବର୍ଷର ଫଳକୁ ବିଚାରକୁ ନେଇ ନିର୍ଣ୍ଣୟ କରାଯାଉ । ପ୍ରାକ୍‌ ବୋର୍ଡ଼ ବ୍ୟତୀତ ଅନ୍ୟ କୌଣସି ପରୀକ୍ଷାର ଫଳକୁ ବିଚାର ପରିସରଭୁକ୍ତ କରା ନ ଯାଉ; କାରଣ ପ୍ରାକ ବୋର୍ଡ ପରୀକ୍ଷା ବ୍ୟତୀତ ଅନ୍ୟ କୌଣସି ପରୀକ୍ଷା ଦଶମ ଶ୍ରେଣୀର ସମଗ୍ର ପାଠ୍ୟଖସଡା ଉପରେ ପର୍ଯ୍ୟବସିତ ନୁହେଁ । ମେଧାବୀ ତଥା ସାଧୁ ଉପାୟରେ ପରୀକ୍ଷା ଦେଇଥିବା ପ୍ରାର୍ଥୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଫଳ ନିର୍ଣ୍ଣୟ କରାଯାଉ। ଫଳ ନିର୍ଣ୍ଣୟ କଲାବେଳେ ନ୍ୟାୟିକ ଦିଗ ପ୍ରତି ଦୃଷ୍ଟି ଦିଆଯାଉ।

ପତ୍ରବିନିମୟ ପାଠ୍ୟକ୍ରମର ପ୍ରାର୍ଥୀ, ବିଗତ ବର୍ଷରେ ଅକୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ, ମୁକ୍ତ ବିଦ୍ୟାଳୟର ପ୍ରାର୍ଥୀ, ପ୍ରାକ୍‌ ବୋର୍ଡ଼ ପରୀକ୍ଷା ଦେଇନଥିବା ପ୍ରାର୍ଥୀ, ବୋର୍ଡ ପ୍ରଶ୍ନାବଳୀରେ ପ୍ରାକ ବୋର୍ଡ ପରୀକ୍ଷା ଦେଇ ନଥିବା ପ୍ରାର୍ଥୀ ତଥା ବୋର୍ଡ ପରୀକ୍ଷାଦେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଉପରୋକ୍ତ ଉପାୟରେ ପରୀକ୍ଷା କରାଯାଉ। ଏହାସହିତ ଚଳିତ ଶିକ୍ଷାବର୍ଷରୁ ସିବିଏସ୍‌ଇ ଭଳି ପ୍ରତ୍ୟେକ ବିଷୟରେ ଶତକଡ଼ା ୨୦ ନମ୍ବର ପାଇଁ ଅନ୍ୟୂନ ଚାରିଟି ବିଦ୍ୟାଳୟ ସ୍ତରୀୟ ପରୀକ୍ଷା ବ୍ୟବସ୍ଥା ହେଉ । ଭବିଷ୍ୟତରେ ଦରକାର ହେଲେ ଅସ୍ବାଭାବିକ ପରିସ୍ଥିତିରେ ଏହି ପରୀକ୍ଷା ଭିତ୍ତିରେ ବୋର୍ଡ ପରୀକ୍ଷାର ଫଳ ପ୍ରକାଶ କରାଯାଇପାରିବ।

Comments are closed.