ଅତୀତ ଓ ବର୍ତ୍ତମାନ

- ବିପିନ ବିହାରୀ ମିଶ୍ର

୧୯୫୭ ମସିହା କଥା। ଆମେମାନେ ସମ୍ବଲପୁର ଗଲୁ ବାପାଙ୍କ ବଦଳି ହେବାରୁ। ଦିନେ ମୁଁ ଦେଖି ଅାଶ୍ଚର୍ଯ୍ୟହେଲି ଯେ ଆମର ଅନେକ ସାଙ୍ଗ ବାଁ ହାତରେ ବାନ୍ଧିଛନ୍ତି ରାଖି। ଜୀବନରେ ପ୍ରଥମଥର ପାଇଁ ମୁଁ ରାଖି ଦେଖିଲି ଓ ପଚାରିବାରୁ ସାଙ୍ଗମାନେ କହିଲେ, ‘ରାଖି ଦିନ ଭଉଣୀମାନେ ଭାଇଙ୍କ ରକ୍ଷାପାଇଁ ରାଖି ବାନ୍ଧନ୍ତି; କିନ୍ତୁ ଏଭଳି ବ୍ୟବସ୍ଥା ପରମ୍ପରା ତାଳଚେର, ଢ଼େଙ୍କାନାଳ କିମ୍ବା ଅନୁଗୁଳରେ ସେତେବେଳେ ନଥିଲା। ଆଉ ଗୋଟେ କଥା ମନେପଡ଼େ ଯେ ମୋର ଢ଼େଙ୍କାନାଳ ସମୟର ସାଙ୍ଗ ତା’ ମାଉସୀ ଘରକୁ ଯାଇଥିଲା। ପୁରୀ ନିକଟରେ ଏକ ଶାସନକୁ। ଫେରି ଆସି ବର୍ଣ୍ଣନା କଲା ଯେ ସେ ଗାଁରେ ଭାଗବତ ପୁରାଣ ସବୁଦିନ ପଢ଼ା ହୁଏ ଓ ଅନେକ ଆସି ଶୁଣନ୍ତି। ଏ ଘଟଣାର ବହୁଦିନ ପରେ ଯେତେବେଳେ ମୁଁ ଚାକିରିରେ ଥିଲି, ମୋ’ ପାଖକୁ ଜଣେ ପରିଚିତ ବ୍ୟକ୍ତିଙ୍କର ଝିଅ ଗୋଟେ କାର୍ଡ ପଠେଇଲା। ସେଥିରେ ଲେଖାଥିଲା ‘ହାପି ଫ୍ରେଣ୍ଡସିପ୍‌ ଡେ’। ତା’କୁ ଫୋନ୍‌ କରି ପଚାରିଲି ଏଇଟା କ’ଣ? କ’ଣ ପାଇଁ ପଠେଇଲୁ ? ନବମ ଶ୍ରେଣୀରେ ପଢ଼ୁଥିବା ନିରୀହ ଝିଅଟି କହିଲା, ‘ମଉସା, ଆମ ସାଙ୍ଗମାନେ ପଠାଉଛନ୍ତି, ମୁଁ ପଠେଇଲି ଆପଣଙ୍କୁ।’

ଭାଗବତ କିମ୍ବା ନୃସିଂହପୁରାଣ ଏବେ ଅଳ୍ପ କେତେକ ବ୍ରାହ୍ମଣ ଶାସନରେ ଆବଦ୍ଧ ​‌େ​‌ହଇ ରହିଛି। ଭାଗବତ ଟୁଙ୍ଗି ଅଳ୍ପ କେତୋଟି ସ୍ଥାନରେ ତିଆରି କରା ହୋଇଛି; କିନ୍ତୁ କେହି ଆଗ୍ରହୀ ନାହାନ୍ତି। ଗାଁରେ ପାଠାଗାର ହେଇଛି। ରାଜା ରାମମୋହନ ଫାଉଣ୍ଡେସନ୍‌ ତରଫରୁ ମାଗଣାରେ ବହି ଦେବା ବ୍ୟବସ୍ଥା ହେଇଛି; କିନ୍ତୁ ବହିସବୁ ବନ୍ଧାହୋଇ ପାଠାଗାରରେ ଧୂଳି ସଂଗ୍ରହ କରୁଛନ୍ତି। ଏସବୁ ଦେଖିଲେ ଆହୁରି କେତେ କଥା ମନେ ପଡ଼େ। ବ୍ରତଘର ଇତ୍ୟାଦିହେଲେ ଅନେକ ସ୍ଥାନରେ ବାଦୀପାଲା କରାଯାଏ। ପାଲା ଗାୟକମାନେ ସାରାରାତି ପାଲା କରନ୍ତି, ବେଶ୍‌ ଭଳ ପ୍ରତିଯୋଗିତା ହୁଏ। ଗାଁ ଓ ଛୋଟ ସହରରେ ବାସିନ୍ଦାମାନେ ଘରୁ ଖାଇପିଇ ଆସନ୍ତି ଲଣ୍ଠନଟେ ଧରି ଓ ସଉପ ପକାଇ ପାଲା ଦେଖନ୍ତି ଓ ଛୁଆମାନେ ଘଣ୍ଟେ ଅଧଘଣ୍ଟା ଦେଖି (ବୁଝନ୍ତୁ ବା ନ ବୁଝନ୍ତୁ) ବାପା ମାଆଙ୍କ ଦେହରେ ଆଉଜି ପଡ଼ନ୍ତି। ସେହିଭଳି ଦାସକାଠିଆ। ରାତି ଅଧ ପର୍ଯ୍ୟନ୍ତ ସାରା ଗାଁ ଆସି ଦେଖେ। କ୍ରମଶଃ ପରିବର୍ତ୍ତନ ହେଲା। ଭାଗବତ ପୁରାଣ ଆମକୁ ପିତା ଲାଗିଲା। ଆମେ ଶୁଣିଲେ ତୁଳସୀ ରାମାୟଣ। ପାଲା ଦାସକାଠିଆ ଉଚ୍ଚ ସାହିତ୍ୟ ମାନର ହୋଇ ମଧ୍ୟ ଆମେ ନାକ ଟେକିଲେ; କିନ୍ତୁ ଅଣ୍ଟାହଲା ନାଚ, ଅଶ୍ଳୀଳ ଗୀତ ବୋଲା ହେଉଥିବା ଯାତ୍ରା ସକାଳ ପର୍ଯ୍ୟନ୍ତ ଦେଖିଲୁ। ଯାତ୍ରାଦଳକୁ ଯଦି ଉଚ୍ଚମାନର କରନ୍ତେ, ଏହା ବହୁତ ଭଲ କଥା ହୁଅନ୍ତା; କିନ୍ତୁ ଅଧିକାଂଶ ଯାତ୍ରା ହେଉଛି କୁ-ରୁଚିପୂର୍ଣ୍ଣ।

୧୯୬୪ ମସିହା କଥା। ଛାତ୍ରଜୀବନ, ଦ୍ବିପହରେ ଟିକେ ଢ଼ୁଳେଇ ପଡ଼ିଥିଲି; କିନ୍ତୁ ଆଖିପତା ଖୋଲିଗଲା। ସମ୍ମିଳିତ କଣ୍ଠରେ ଭୋଲେ ବମ୍‌ବମ୍‌ ଶୁଣି। କ’ଣ ହେଲା? ଚାରି ପାଞ୍ଚଜଣଙ୍କୁ ପଚାରିଲି। କେହି କିଛି କହିପାରିଲେନି; କିନ୍ତୁ ପୂର୍ବରୁ ଏଇ କଥା ଜାଣିଥିବା ଛାତ୍ରାବାସର ପିଅନ ମୋର ଅଜ୍ଞତା ଦେଖି ମୁରୁକି ହସ ଦେଇ କହିଲା, ବିଏ ପଢ଼ୁଛ, ଏତିକି ଜାଣିନ? ଗଡ଼ଗଡ଼ିଆଘାଟରୁ ଜଳନେଇ ଏମାନେ ଯିବେ ଲିଙ୍ଗରାଜ ମନ୍ଦିର। ଲିଙ୍ଗରାଜଙ୍କ ଉପରେ ଜଳାଭିଷେକ କରାଇବେ। ବାଟରେ ବିଶ୍ରାମ ନେବେ; କିନ୍ତୁ ଭୋର୍‌ରୁ ଉଠି ଜଳାଭିଷେକ କରିବେ। ମୁଁ ଦେଖିଲି ସେମାନେ ଗୈରିକ ଧୋତି ବା ହାପ୍‌ପ୍ୟାଣ୍ଟ ଓ ଫତେଇ ବା ଗେଞ୍ଜି ପିନ୍ଧିଛନ୍ତି। ବାହୁଙ୍ଗାର ଦୁଇ ପାଖରେ ଶିକାରେ ପାଣି ଠେକି ରଖି ଖାଲି ପାଦରେ ‘ବମ୍‌ ଭୋଲେ’ କହି ଚାଲିଥାଆନ୍ତି। ପଶ୍ଚିମା ଓ ମାରୱାଡ଼ି ଲୋକ ବହୁ ସଂଖ୍ୟାରେ ଆସି ରହିବାରୁ ରାଖି ଓ ବମ୍‌ ଭୋଲେ ଆରମ୍ଭ ହେଲା। ଅଥଚ ପିଲାଦିନେ ଆମେ ଅନେଇ ବସୁଥିଲୁ କେବେ ପୁରୀର ପଣ୍ଡା ମହାରାଜା ଆସିବେ। ସେ ହଠାତ୍‌ ପହଞ୍ଚିଯା’ନ୍ତି କାର୍ତ୍ତିକ ମାସର କୌଣସି ଏକ ଦିନରେ ଓ ଦିଅନ୍ତି ଶୁଖୁଲି ମହାପ୍ରସାଦ। ଆମେ ହାତ ବ​‌େ​‌ଢ଼ଇଦେଲେ ସମସ୍ତଙ୍କୁ ଗୋଟେଗୋଟେ ଦିଅନ୍ତି ଓ ଆଶୀର୍ବାଦ କରନ୍ତି। ସାରା ଘର ତାଙ୍କୁ ମୁଣ୍ଡିଆମାରେ। ଅଳ୍ପ କିଛି ଦକ୍ଷିଣା ଦିଏ ଓ ଆନନ୍ଦରେ ସେ ଚାଲିଯାଆନ୍ତି ପାଖଘରକୁ। ସେ ପ୍ରଥା ଗଲାଣି। ପଣ୍ଡାମାନେ ବୁଲିବୁଲି ସାରା ଭାରତରେ ଜଗନ୍ନାଥ ଧର୍ମକୁ ପହଞ୍ଚାନ୍ତି। ସେଇ କଥାକୁ ଆମେ ଯେତେ ବର୍ଣ୍ଣନା କରୁ, ତା’ଠାରୁ ବେଶୀ ବର୍ଣ୍ଣନାକରୁ କାଁ ଭାଁ ଘଟଣା ଯଥା ପଣ୍ଡାମାନେ ଯାତ୍ରୀମାନଙ୍କୁ ହଇରାଣ କରିବା ଇତ୍ୟାଦି। ଅଧିକାଂଶ ପଣ୍ଡା ବିତ୍ତଶାଳୀ ନୁହନ୍ତି; କିନ୍ତୁୁ ସେମାନେ ଶହଶହ ବର୍ଷ ହେଲା ଜଗନ୍ନାଥଙ୍କର ମନ୍ଦିରର ପରମ୍ପରାକୁ ଦୃଷ୍ଟିରେ ରଖି ମନ୍ଦିରର ରୀତିନୀତି ପାଳନକରନ୍ତି। ଶହଶହ ପୂଜକ ପ୍ରତିଦିନ ବିନା ନିୟନ୍ତ୍ରଣରେ ଠିକ୍‌ ସମୟରେ ପ୍ରଭୁଙ୍କ ପୂଜାର୍ଚ୍ଚନା କରିବା କମ୍‌ କଥାନୁହେଁ। ଅଥଚ ଆପଣ ଯାଆନ୍ତୁ ଯେ କୌଣସି ଅଫିସକୁ। ହଜାରହଜାର ଟଙ୍କା ପାଉଥିବା ବଡ଼ବଡ଼ ହାକିମମାନେ ଡେରିରେ ଅଫିସ ଆସନ୍ତି, ନାଲିବତି ଜଳେଇଦେଇ (ଅର୍ଥାତ୍‌ ପ୍ରବେଶ ନିଷେଧ) ମୋବାଇଲ୍‌ ଫୋନ୍‌ରେ ଗପସପ୍‌ କରନ୍ତି। ସମୟ ଥିଲା ଅଧିକାଂଶ ଅଫିସର ଚାଲିଚାଲି ଅଫିସ୍‌ ଯାଉଥିଲେ ଓ ଠିକ୍‌ ସମୟରେ ଅଫିସରେ ପହଞ୍ଚୁଥିଲେ।

ହାଟ ବସୁଛି। ଗାଁ ଲୋକ ଆସୁଛନ୍ତି ଏବଂ ସପ୍ତାହର ଆବଶ୍ୟକତା ଦେଖି ଜିନିଷ କିଣୁଛନ୍ତି ଶସ୍ତାରେ। ବିଭିନ୍ନ ଗାଁ ଲୋକଙ୍କ ମଧ୍ୟରେ ବନ୍ଧୁତା ହେଉଥିଲା ଏବଂ ବାହାଘର ପ୍ରସ୍ତାବ ପଡ଼ୁଥିଲା। ସହରରେ ନିଆରା ଢ଼ଙ୍ଗର ହାଟ। ଗାଁରେ ତଳେ ବସି କିଣନ୍ତି, ସହରରେ ଠେଲାରେ ବିକ୍ରି ହଉଛି। ପୁଣି ‘ସପିଂ ମଲ୍‌’ ହେଲାଣି ଯେଉଁଠି ଟଙ୍କାକର ଜିନିଷ ଦେଢ଼ଟଙ୍କାରେ ମିଳେ; କିନ୍ତୁ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଅଛି ଓ ପୁଅଝିଅଙ୍କର ଅବାଧ ମିଳାମିଶା, ଖିଲିଖିଲି ହସ। ଗାଁରେ ସେତେବେଳେ କେବେ କେମିତି ମିଳାମିଶା ହେଉଥିଲା ଆମ୍ବତୋଟାରେ କିମ୍ବା ପୋଖରୀହୁଡ଼ାରେ। ଏବେ ଶାଢ଼ିର ଯୁଗ ଗଲାଣି, ଶଲୱର କମିଜି କିମ୍ା ଜିନ୍‌ ପ୍ୟାଣ୍ଟ ସାଙ୍ଗକୁ ସ୍ପୋର୍ଟିଂ ବାନିୟନ ପିନ୍ଧା ଚାଲିଛି। ମୁଁ ଥରେ ଅପଦସ୍ତ ହେଲି ଯେତେବେଳେ ଗୋଟେ ଧନୀ ଘରର ପିଲା ଫଟା ଜିନ୍‌ପ୍ୟାଣ୍ଟଟେ ପିନ୍ଧି ଥିବାର ଦେଖି ନୂଆଟେ ନ କିଣିବାର କାରଣ ପଚାରିଲି। ଉତ୍ତରରେ ଶୁଣିଲି ଠୋ ଠୋ ହସ। ସେ ଭାବିଲା ମୁଁ ବୋଧେ ଥଟ୍ଟା କରୁଛି; କିନ୍ତୁ ମୁଁ ଏହା ଏକ ଷ୍ଟାଇଲ ବୋଲି ଜାଣିନଥିଲି। ଥରେ ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ମୁଁ ଓ ମୋ ସହଧର୍ମିଣୀ ଜିନିଷ ଦେଖୁଥିଲୁ, ଗୋଟେ ଝିଅଟେ ଆସି ମତେ ପଚାରିଲା, ‘ସେ କ’ଣ ଆପଣଙ୍କର ପତ୍ନୀ’। ମୁଁ ହଁ କରିବାରୁ ପଚାରିଲା, ସ୍ଥାୟୀ କି ଅସ୍ଥାୟୀ? (ସେ ଦେଶରେ ଅସ୍ଥାୟୀ ପତ୍ନୀ ମିଳନ୍ତି) ହଁ, କହିବାରୁ, ଦ୍ବିତୀୟ ପ୍ରଶ୍ନଥିଲା ସେ କି ପୋଷାକ ପିନ୍ଧିଛନ୍ତି? ଶାଢ଼ି କହିବାରୁ ସେ ଅନୁରୋଧ କଲା କେମିତି ପିନ୍ଧାଯାଏ ବତେଇ ଦିଅନ୍ତୁ। ‘ପୁରୁଷମାନେ ଜାଣନ୍ତି ନାହିଁ। ’ ମୋ ଧର୍ମପତ୍ନୀଙ୍କୁ ପଚାର ସେ କହିବେ।’ ମୋ ଉତ୍ତରକୁ ସେ ବିଶ୍ବାସ କରିବାପାଇଁ ନାରାଜ। କହିଲେ ଏଇଟା କ’ଣ ଏତେ କଷ୍ଟକର ଯେ ପୁରୁଷମାନେ ଜାଣନ୍ତି ନାହିଁ?

ସିୟାଡ଼େ ମୋ’ ସ୍ତ୍ରୀ ଜିନିଷ ବାଛିବାରେ ବ୍ୟସ୍ତ। ସମୟ ଲାଗିବ ନିଶ୍ଚୟ। ସେ ଝିଅଟି ମୋ ପାଇଁ କପେ ଚା ନେଇ ଆସିଲା। କି ରଙ୍ଗର ଚା ଓ କି ଅଦ୍ଭୁତ ସ୍ବାଦ। ଛୁଇଁବି ହେଲାନି। ଭଦ୍ରତା ଖାତିରିରେ ଟିକେ ପିଇଲି ଓ ସେ ଝିଅକୁ ପଚାରିଲି, ‘ଆପଣ କ’ଣ କଲେଜରେ ପଢ଼ନ୍ତି?’ ହସିହସି ସେ କହିଲେ ‘ଗଲାବର୍ଷ ମୋର ବିବାହ ହେଲା, ସ୍ଥାୟୀ।’ ଏଇ ସମୟରେ ତାଙ୍କର ଦୁଇଟି ସାଙ୍ଗ ଆସିଲେ। ସେଥିରୁ ଜଣେ ଫଟା ଜିନ୍‌ ପ୍ୟାଣ୍ଟ ଓ ସ୍ଫୋର୍ଟିଂ ବାନିୟନ ପିନ୍ଧିଥିଲେ। ମୁଁ ପଚାରିଲି କେଉଁଟା ଭଲ? ଆପଣଙ୍କ ଥାଇଲାଣ୍ଡର ପୋଷାକ ନା ଜିନ୍‌ ପ୍ୟାଣ୍ଟ? ତିନିଜଣ (ଏପରି କି ଜିନ୍‌ ପିନ୍ଧିଥିବା ଝିଅ ଏକା ସାଙ୍ଗରେ କହିଲେ ଆମ ପୋଷାକ ସବୁଠାରୁ ଭଲ। ଆପଣଙ୍କ ଦେଶର ପୋଷାକ ମଧ୍ୟ ବହୁତ ଭଲ; କିନ୍ତୁ ଆପଣଙ୍କ ଦେଶର ପୁରୁଷମାନଙ୍କର ପୋଷାକ କ’ଣ? କେମିତି ଦେଖିବାକୁ, କେମିତି ପିନ୍ଧିବାକୁ, ଆପଣ କାହିଁକି ପିନ୍ଧି ନାହାନ୍ତି? ମୁଁ ନିରୁତ୍ତର। କୁଆଡ଼େ ଗଲା ଆମର ଧୋତି? ଆଭିଜାତ୍ୟ ପରିବାରର ସଦସ୍ୟମାନେ ଶାନ୍ତିପୁରୀ ଧୋତି ମଗେଇ ପିନ୍ଧୁଥିଲେ। ବର୍ତ୍ତମାନ କେବଳ ବାହାଘର ବେଦୀରେ ବର, ବରପିତା, ପୁରୋହିତ ଓ ଭଣ୍ଡାରି ଧୋତି ପିନ୍ଧୁଛନ୍ତି। ପଞ୍ଚାବନ ଛପନ ମସିହାରେ, ମୁଁ ଛୋଟ ପିଲାଟେ ଥିଲି ଓ କେବଳ ଧୋତିପିନ୍ଧା ମଣିଷଙ୍କୁ ଦେଖୁଥିଲି। ଅଧିକାଂଶ ଶିକ୍ଷକ ଧୋତି ପିନ୍ଧି ସ୍କୁଲକୁ ଆସୁଥିଲେ। ସଂସ୍କୃତ ଶିକ୍ଷକଙ୍କର ଚୁଟିଟେ ଥିଲା ଓ ସେ ଧୋତିପିନ୍ଧି ଆସୁଥିଲେ। ଜଣେ ଅଧେ ଶିକ୍ଷକ ଫୁଲ୍‌ପ୍ୟାଣ୍ଟ ପିନ୍ଧୁଥିଲେ ଓ ସେମାନଙ୍କ ପାଇଁ ଟାହିଟାପରା ଯଥା ‘ଓ’ ସାହେବ ବାବୁ’ ସଂରକ୍ଷିତ ଥିଲା। ଇଂରେଜମାନେ ଭାରତକୁ ଆସିବାରୁ ଆମେ ଟେବୁଲ ଚୌକିରେ ବସିଖାଇବା, ଠିଆହୋଇ ରୋଷେଇ କରିବା, ହାତରେ ନଖାଇ ଚାମଚରେ ଖାଇବା, ଜୋତା, ପୂରାପ୍ୟାଣ୍ଟ ପିନ୍ଧିବା, ସେମାନଙ୍କ ଭାଷାଶିଖିବା ଇତ୍ୟାଦି କେତେଗୁଡ଼ାଏ ପରିବର୍ତ୍ତନ କଲୁ ଆମର ଆଚାର ବ୍ୟବହାରରେ। ଅଥଚ ହଜାରହଜାର ବର୍ଷଧରି ଆମେ ଧୋତି ପିନ୍ଧୁଥିଲୁ, ତଳେ ବସି ହାତରେ ଭାତ ଖାଉଥିଲୁ ଓ ନିଜଭାଷାକୁ ନେଇ ଗର୍ବ କରୁଥିଲୁ। ସରକାରୀ ଚାକିରିରେ ଲୋଭ ଓ ପୁସ୍ତକ ପଠନ ପାଇଁ ଇଂରେଜି ଭାଷା ଶିଖିଲୁ । ଏତେ ପରିମାଣରେ ନିଶାସକ୍ତ ହେଇଯାଇଛୁ ଯେ ବାପାଙ୍କୁ ଡ୍ୟାଡ୍‌ ଓ ମାଆଙ୍କୁ ମମ୍‌ କହୁଛୁ ଓ ପିଲାଙ୍କୁ ଶିଖାଉଛୁ। ଓଡ଼ିଶା ବାହାରକୁ ଗଲେ ଅନେକ ଓଡ଼ିଆ ପିଲାମାନଙ୍କ ସହିତ ହିନ୍ଦୀ ବା ଇଂରାଜୀରେ କଥାବାର୍ତ୍ତା କରୁଛନ୍ତି। ପଚାରିଲେ କହିବେ ଯେ କ’ଣ ଆମ ପିଲାମାନେ ଓଡ଼ିଶାରେ ରହିବେ କି? ଓଡ଼ିଆ ଭାଷାରେ କଥା ହୋଇ ଲାଭ କ’ଣ? ଏଇଭଳି ପରମ୍ପରାର ଅନେକ ପରିବର୍ତ୍ତନ ହେଇଛି। ଅନେକ ପରିବର୍ତ୍ତନ ପାଇଁ ଅବଶ୍ୟ ସମାଜ ଉପକୃତ ହୋଇଛି; କିନ୍ତୁ କେତେଗୁଡ଼ାଏ ପରିବର୍ତ୍ତନ ଆମର ଆଚାର ବ୍ୟବହାର, ସଂସ୍କୃତିର ବିରୋଧରେ ଯାଉଛି। ଭାଗବତ ପଢ଼ା ଛାଡ଼ି ତୁଳସୀ ରାମାୟଣ ପଢ଼ିବା ଏହାର ଏକ ଉଦାହରଣ।

ଅଳ୍ପ ଆୟ କରୁଥିବା ଲୋକଟି ପିଲାକୁ ଇଂରେଜି ମାଧ୍ୟମ ସ୍କୁଲ​‌େ​‌ର ପଢ଼ାଇବା ପାଇଁ ଇଚ୍ଛୁକ। ସେଇ ପିଲାମାନେ ବଡ଼ ହେଲେ ସାରଳା ଦାସ, ଜଗନ୍ନାଥ ଦାସ କିଏ ଜାଣନ୍ତିନି। ମଧୁସୂଦନ ଦାସ, ପଣ୍ଡିତ ଗୋପବନ୍ଧୁ ଦାସ କିଏ ପଚାରିଲେ ବଲବଲ ଅନେଇବେ। ଶିକ୍ଷାକ୍ଷେତ୍ରରେ ଏ ପରିବର୍ତ୍ତନ ଆମ ଭାଷା ଓ ସଂସ୍କୃତି ପାଇଁ ପ୍ରାଣଘାତକ ହେଲାଣି। ଅଳ୍ପ କେତେକ ସରକାରୀ କର୍ମଚାରୀ, ଯେଉଁମାଙ୍କର ଓଡ଼ିଶା ବାହାରେ ଚାକିରି କେବଳ ସେଇମାନେ ପିଲାଙ୍କୁ ଇଂରେଜିଭାଷା ମାଧ୍ୟମରେ ପଢ଼ାଇବାକୁ ବାଧ୍ୟ ହୁଅନ୍ତି। କାଲି ଯଦି ସେମାନଙ୍କର ତାମିଲନାଡ଼ୁକୁ ବଦଳିହେବ ସେ ପିଲାଙ୍କୁ ପାଠ ପଢ଼େଇବେ କେଉଁଠାରେ; କିନ୍ତୁ ଯାହାର ସେ ବାଧ୍ୟତା ନାହିଁ ସେ କାହିଁକି ତା’ ପିଲାକୁ ଇଂରେଜି ମାଧ୍ୟମ ସ୍କୁଲରେ ପଢ଼ାଇବ? କେତେକ ଯୁକ୍ତିକରନ୍ତି ଯେ ଇଂ‌େରଜି ମାଧ୍ୟମରେ ନ ପଢ଼ାଇଲେ ବୌଦ୍ଧିକ ବିକାଶ ହେବନାହିଁ; କିନ୍ତୁ, ଚୀନ, ଜାପାନ, ଫ୍ରାନ୍ସ, ଋଷିଆ ଇତ୍ୟାଦି ଦେଶରେ ବୌଦ୍ଧିକ ବିକାଶ ହେଉଛି କେମିତି? ୟୁହିଦୀମାନଙ୍କ କଥା ଧରାଯାଉ। ଏ ଲୋକଗୁଡ଼ିକ ତିନିହଜାର ବର୍ଷ ଧରି ବିଲେଇ ଛୁଆଭଳି ଏ ଦେଶକୁ ସେ ଦେଶକୁ ହେଲେ ଏବଂ ଶେଷରେ ତାଙ୍କ ପାଇଁ ଇସ୍ରାଏଲ ଦେଶ ଗଠନ କରାଗଲା। ସେମାନେ ତାଙ୍କର ଇହୁଦି ଭାଷାକୁ ମାତୃଭାଷା କଲେ ଓ ତା’ ସାଙ୍ଗେ ଇଂରେଜି ଭାଷା ଶିଖିଲେ। ୨୦୦୨ ମସିହାରେ ସେଇ ଦେଶର ହାଇଫା ବିଶ୍ବବିଦ୍ୟାଳୟରେ କେତେକ ଛାତ୍ର ଗୋଟେ ଉପଗ୍ରହ କରିପାରିଲେ। ଆମ ଦେଶର ଛାତ୍ରମାନେ ଏକଦା ଧୋତିପିନ୍ଧି, ଜଙ୍ଗଲରେ କୁଡ଼ିଆଘରେ ରହି ବେଦ, ଉପନିଷେଦ ଓ ବିଭିନ୍ନ ଶାସ୍ତ୍ର ପଢ଼ୁଥିଲେ। ଆମ ପୂର୍ବ ପୁରୁଷମାନେ ବେଦକୁ ମୁଖସ୍ଥ କରି ରଖିଥିଲେ। ଅଥଚ ସେଇ ରକ୍ତଥାଇ ଆମର ଅନେକଙ୍କର ଧାରଣା ଯେ ଇଂରେଜି ଭାଷା ନ ପଢ଼ିଲେ ଆମେ ବିଜ୍ଞାନ ବୁଝିପାରିବା ନାହିଁ। ଅଥଚ ଇଂରେଜି ଭାଷା ଜନ୍ମ ହେବା ପୂର୍ବରୁ ଆର୍ଯ୍ୟଭଟ, ଭାସ୍କର, ଚିକିତ୍ସା ବିଜ୍ଞାନର ଶୁଶ୍ରୁତ ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ଚମତ୍କାରିତା ଦେଖାଇ ପାରିଥିଲେ।

ଅତୀତ ହେଉଛି ଆମ ଚେର। ବର୍ତ୍ତମାନ ହେଉଛି ଆମ ଗଣ୍ଡି ଓ ଭବିଷ୍ୟତ ହେଉଛି ବୃକ୍ଷଡାଳ। ଚେରକୁ ଓପାଡ଼ିବା ନାହିଁ। ବୃକ୍ଷର ଗଣ୍ଡି ନଷ୍ଟ କରିବାନାହିଁ। ନଷ୍ଟକଲେ, ଚେର ଓପାଡ଼ିଲେ ଡାଳ ଝାଉଁଳି ପଡ଼ିବ, ଅର୍ଥାତ୍‌ ଭବିଷ୍ୟତ ଅନ୍ଧକାରମୟ ହେବ।

Comments are closed.