ସ୍ପୁଟନିକ୍‌ ଟିକା ଓ ଭାରତ

ଶୈଳେନ୍ଦ୍ର ନାରାୟଣ ସ୍ବାଇଁ

ସମ୍ପ୍ରତି କରୋନା ଭୂତାଣୁ ଭାରତରେ ଦ୍ବିତୀୟ ଉତ୍ତାଳ ତରଙ୍ଗ ଆଣିଛି। ଏହାର ବିଶାଳ ଢେଉ ଆଗରେ ବିଜ୍ଞାନୀ ମଣିଷର ସମସ୍ତ ଆୟୋଜନ ତୁଚ୍ଛ ସାବ୍ୟସ୍ତ ହୋଇଛି। ତେବେ ଶେଷ ପର୍ଯ୍ୟାୟରେ ଟିକା ହିଁ ସଂଜୀବନୀ ବ୍ରହ୍ମାସ୍ତ୍ର ପାଲଟିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୧୬ କୋଟିରୁ ଊର୍ଦ୍ଧ୍ବ ଲୋକ ଟିକା ନେଇସାରିଲେଣି। ଅଦ୍ୟାବଧି ଭାରତରେ ମାତ୍ର ୨.୨ % ଲୋକ ଦୁଇ ପାନ ଟିକା ନେଇଥିଲାବେଳେ ଆମେରିକାରେ ୩୨ %, ବ୍ରିଟେନରେ ୨୩ %, ଇସ୍ରାଏଲରେ ୫୬ % ଲୋକ ଟିକା ନେଇସାରିଲେଣି। ଭାରତରେ ଲୋକ ସଂଖ୍ୟା ଦୃଷ୍ଟିରୁ ଟିକା ଉତ୍ପାଦନ କମ୍ ହେଉଛି। ସେଥିପାଇଁ ଭାରତରେ ଟିକାର ଅଭାବ ପରିଲକ୍ଷିତ ହେଉଛି। ୧୨ ଏପ୍ରିଲରେ ଭାରତର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ କର୍ତ୍ତୃପକ୍ଷ (ସିଡ଼ିଏସସିଓ) ତୃତୀୟ ଟିକା ଭାବେ ରୁଷ ଟିକା ସ୍ପୁଟନିକ-୫କୁ ଅନୁମତି ଦେଇଥିଲେ। ଗତ ମେ’ ପହିଲାରେ ରୁଷ ଦେଶରୁ ସ୍ପୁଟନିକ ଟିକା ଆସି ଆମ ଦେଶରେ ପହଞ୍ଚିଛି। ଭାରତର କରୋନା ବିପକ୍ଷ ସମରରେ ଏହା ସାହାଯ୍ୟ କରିବ। ଏହି ଟିକାର ନାମ ବିଶ୍ୱର ପ୍ରଥମ କୃତ୍ରିମ ଉପଗ୍ରହ ସ୍ପୁଟନିକ-୧ ଅନୁସାରେ ରଖାଯାଇଛି ଯାହାକୁ ୪ ଅକ୍ଟୋବର ୧୯୫୭ରେ ନିକ୍ଷେପ କରାଯାଇଥିଲା।

ସ୍ପୁଟନିକ ଟିକା ହେଉଛି ଏକ ପ୍ରକାର ‘ଭାଇରାଲ ଭେକ୍ଟର ଭାକ୍ସିନ’। ଏହାକୁ ରୁଷ ଦେଶର ଗମାଲୟ ରିସର୍ଚ୍ଚ ଇନଷ୍ଟିଚୁଟ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ୱାରା ତିଆରି କରାଯାଇଛି। ଏହି କମ୍ପାନୀ ଆଗରୁ ଇବୋଲା ଭୂତାଣୁ ଓ ମର୍ସ କରୋନା ଭୂତାଣୁ ବିପକ୍ଷରେ ସଫଳତାର ସହିତ ଟିକା ତିଆରି କରିଥିଲା। ରୁଷ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପୁଟନିକ ଟିକାକୁ ୧୧ ଅଗଷ୍ଟ ୨୦୨୦ ରେ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଥିଲେ; କିନ୍ତୁ ସେତେବେଳେ ବିଶ୍ୱରେ ଏହା ବିବାଦରେ ରହିଥିଲା; କାରଣ ଏହାକୁ କମ୍ ଲୋକଙ୍କ ଉପରେ ପରୀକ୍ଷା କରାଯାଇ ମାତ୍ର ଦୁଇ ମାସରେ ଅନୁମତି ଦିଆଯାଇଥିଲା। ସେତେବେଳେ ଦ୍ୱିତୀୟ ତୃତୀୟ ପର୍ଯ୍ୟାୟ ମାନବ ଉପରେ ପରୀକ୍ଷଣର ଫଳାଫଳ ମଧ୍ୟ ଆସିନଥିଲା। ପରେ ୨ ଫେବୃଆରୀ ୨୦୨୧ ରେ ପ୍ରସିଦ୍ଧ ମେଡ଼ିକାଲ ପତ୍ରିକା ଲାନସେଣ୍ଟ ଅନୁସାରେ ଏହା ପ୍ରାୟ ୯୨ ପ୍ରତିଶତ ପ୍ରଭାବୀ ଓ ତା’ର କୋୖଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ଜଣାପଡିଥିଲା।

ସ୍ପୁଟନିକ ଟିକା ପାଇଁ ମଣିଷ ଭିତରେ ଥଣ୍ଡା ରୋଗ କରୁଥିବା ଆଡେନୋ ଭୂତାଣୁର ଜିନ୍ ବ୍ୟବହାର କରାଯାଏ। ଆଡେନୋ ଭୂତାଣୁ ହେଉଛି ବହିରାବରଣ ନଥିବା ‘ଇକୋସାହେଡ୍ରାଲ’ ଆକାରର ନ୍ୟୁକ୍ଲିଓକ୍ୟାପ୍ସିଡ଼ ଥିବା ଦୁଇଖିଅ ବିଶିଷ୍ଟ ଡିଏନ୍ଏ ଭୂତାଣୁ ଯାହା ମଣିଷରେ ବିଭିନ୍ନ ରୋଗ କରାଇଥାଏ। ଆଡେନୋ ଭୂତାଣୁର ଡିଏନଏକୁ ‘ରିକମ୍ବିନାଣ୍ଟ’ ପ୍ରଯୁକ୍ତି ଜ୍ଞାନ ପ୍ରୟୋଗ କରି ରୂପାନ୍ତରିତ କରାଯାଇ ମଣିଷ ଶରୀର ମଧ୍ୟକୁ ପଠାଯାଏ ଯାହା କରୋନା ଭୂତାଣୁର ସ୍ପାଇକ ପ୍ରୋଟିନ ପାଇଁ ‘ଏନ୍‌କୋଡ଼’ କରେ। ବାହ୍ୟ ଆଣ୍ଟିଜେନ ବିପକ୍ଷରେ ଲଢ଼ାଇ କରିବା ପାଇଁ ୮ଟି କୋଷିକା ସଜାଗ ହୋଇ ରକ୍ତରେ ଆଣ୍ଟିବଡ଼ି ବା ପ୍ରତିପିଣ୍ଡ ସୃଷ୍ଟି କରନ୍ତି। ଏହି ଟିକାର ବିଶେଷତ୍ୱ ହେଉଛି ଏହାର ଦୁଇଟି ପାନ ଅଲଗା। ପ୍ରଥମ ପାନ ପାଇଁ ଆଡେନୋ ଭାଇରସ ସେରୋଟାଇପ୍-୨୬ ବ୍ୟବହାର କରାଯାଉଥିଲାବେଳେ ୨୧ ଦିନ ପରେ ଦ୍ୱିତୀୟ ପାନ ଦିଆଯାଏ ଯାହା ପାଇଁ ଆଡେନୋ ଭାଇରସ ସେରୋଟାଇପ୍-୫ ବ୍ୟବହାର କରାଯାଏ। ଦୁଇ ପାନ ସମ୍ପୂର୍ଣ୍ଣ ଅଲଗା ଓ ଆମେ ଚାହିଁଲେ ତାକୁ ବଦଳାବଦଳି କରିପାରିବାନି।

ବର୍ତ୍ତମାନ ସୁଦ୍ଧା ଚାରୋଟି କରୋନା ଟିକାରେ ଆଡେନୋ ଭୂତାଣୁ ବ୍ୟବହାର କରାଯାଇଛି। ସେଗୁଡିକ ହେଲା କୋଭିସିଲ୍‌ଡ଼, ସ୍ପୁଟନିକ-ଭି, ଜନସନ ଓ ଜନସନ ଏବଂ କୋନଭିଡେସିଆ କରୋନା ଟିକା। ଏହି ଟିକାକୁ ବିଯୁକ୍ତ ୧୮ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଗଚ୍ଛିତ କରାଯାଇ ପାରିବ। ଭାରତ ସରକାରଙ୍କ ଡିସିଜିଆଇ ଏହାକୁ ୧୩ ଏପ୍ରିଲରେ ଅନୁମତି ଦେଇଥିଲେ। ଭାରତ ସରକାର ଗତ ଜାନୁଆରୀରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଅନୁମତି ଦେଇଥିଲେ। ଏହି ଟିକାକୁ ୧୮ ବର୍ଷରୁ ଉପର ସମସ୍ତ ହିତାଧିକାରୀ ନେଇପାରିବେ ଓ ଏହାର ପ୍ରତ୍ୟେକ ପାନର ମୂଲ୍ୟ ପ୍ରାୟ ୧୦ ଡଲାର ପଡିବ। ବିଶ୍ୱରେ ୬୦ ତମ ଦେଶ ହିସାବରେ ଭାରତ ଏହାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ଆଗରୁ ୫୯ ଟି ଦେଶ ଏହି ଟିକାକୁ ଅନୁମତି ଦେଇସାରିଛନ୍ତି। ସେମାନେ ହେଲେ ହଙ୍ଗେରୀ, ମେକ୍ସିକୋ, ସ୍ଲୋଭାକିଆ, ବେଲାରୁଷ, ସର୍ବିଆ, ଆଲଜେରିଆ, ବୋଲିଭିଅ, ବ୍ରାଜିଲ, ଚୀନ, ଇଜିପ୍ଟ, ହଣ୍ଡୁରାସ, ଇରାନ, ଇଟାଲୀ, ଆର୍ଜେଣ୍ଟିନା,ୟୁଏଇ, ପାକିସ୍ତାନ, ବାହାରିନ, ଶ୍ରୀଲଙ୍କା ଇତ୍ୟାଦି।

ଭାରତରେ କ୍ଲିନିକାଲ ପରୀକ୍ଷା ଓ ବିକ୍ରି ପାଇଁ ସେପ୍ଟେମ୍ବର ୨୦୨୦ ରେ ରୁଷିଆର ପ୍ରତ୍ୟକ୍ଷ ନିବେଶ ଫଣ୍ଡ୍‌ (ଆରଡ଼ିଆଇଏଫ) ସହ ଭାରତର ଡ଼. ରେଡ୍ଡିସ ଲାବ ଚୁକ୍ତି କରିଥିଲା। କେବଳ ଡ଼. ରେଡ୍ଡିସ ନୁହଁ ଭାରତର ଅନ୍ୟ ୫ ଟି ସଂସ୍ଥା ଯଥା ହେଟେରୋ ବାୟୋଫାର୍ମା, ଗ୍ଲାଣ୍ଡ ଫାର୍ମା, ଷ୍ଟେଲିସ ବାୟୋଫାର୍ମା, ଭିରକୋ ବାୟୋଟେକ ଓ ପାନାସିୟା ବାୟୋଟେକ ସହ ମିଶି ଆରଡିଆଇଏଫ ୮୫୦ ନିୟୁତ ପାନ ସ୍ପୁଟନିକ ଟିକା ଭାରତରେ ବିକଶିତ କରିବେ। ଦୁର୍ଦ୍ଧର୍ଷ କରୋନା ଭୂତାଣୁ ସହ ଶେଷ ରଣ ପାଇଁ ବର୍ତ୍ତମାନ ବିଶ୍ୱରେ ଯେଉଁ ପ୍ରମୁଖ ଟିକାମାନ ତିଆରି ହୋଇଛି ସେମାନଙ୍କ ମଧ୍ୟରେ ଫାଇଜର ୯୫ % ପ୍ରଭାବୀ ହୋଇଥିଲାବେଳେ ମଡର୍ଣ୍ଣା ୯୪ %, ସ୍ପୁଟନିକ ୯୨ %, ନୋଭାଭାକ୍ସ ୮୯ %, କୋଭାକ୍ସିନ ୭୮ %, କୋଭିସିଲ୍ଡ ୭୦ %, ଜନସନ ଜନସନ ୬୬ %ଓ କରୋନା ଭ୍ୟାକ୍ ୫୦ % ପ୍ରଭାବୀ ଅଟେ। ରୁଷ ପଠାଇଥିବା ଟିକା ଭାରତୀୟମାନେ ପାଇ ଉପକୃତ ହେବେ ଏବଂ ରୁଷ ଭାରତ ସମ୍ପର୍କ ସୁଦୃଢ଼ ହେବ। ଶୀତଳ ଯୁଦ୍ଧ ସମୟରେ ଭାରତ ସୋଭିଏତ ସଂଘ ଦ୍ବିପାକ୍ଷିକ ସମ୍ପର୍କ ବହୁତ ମଜଭୁତ ଥିଲା। ସେତେବେଳେ ରାଜନୈତିକ, ଅର୍ଥନୈତିକ, କୂଟନୈତିକ, ସୈନ୍ୟ ଓ ରଣକୌଶଳ ସ୍ତରରେ ସ୍ବତନ୍ତ୍ର ସହଯୋଗିତାର ସମ୍ପର୍କ ଥିଲା। ଆଗକୁ ଏହି ସମ୍ପର୍କ ଅଧିକ ମଜଭୁତ ହେବା ଆଶା କରାଯାଏ।

Comments are closed.