ବାଦଲଫଟା ବର୍ଷା ଓ ଜଳବାୟୁ ପରିବର୍ତ୍ତନ

ଜଳ ହିଁ ଜୀବନ। ପୁଣି ବର୍ଷା ହିଁ ଜଳର ପ୍ରମୁଖ ଉତ୍ସ। ବର୍ଷା ଚାରିମାସ ପୃଥିବୀପୃଷ୍ଠ ଯେ କେବଳ ଶସ୍ୟଶ୍ୟାମଳା ହୁଏ ତାହା ନୁହେଁ, ସମଗ୍ର ଭୂପୃଷ୍ଠ ଶାନ୍ତ ଓ ଶ୍ୟାମଳିମାରେ ଭରିଯାଏ। ସର୍ବୋପରି ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜଗତ ବର୍ଷସାରା ଆବଶ୍ୟକ କରୁଥିବା ଭୂପୃଷ୍ଠର ଅମୂଲ୍ୟ ପ୍ରାକୃତିକ ସମ୍ପଦ ସମସ୍ତ ଜଳ ବର୍ଷା ହିଁ ଯୋଗାଇ ଦେଇଥାଏ। ଏହି ଜଳ ଶୁଖିଯାଇଥିବା ହ୍ରଦ, ନଦୀ, ପୋଖରୀକୁ ଜଳପ୍ଳାବିତ କରିବା ସହ ଭୂତଳ ଜଳ ଉତ୍ସକୁ ମଧ୍ୟ ସମୃଦ୍ଧ କରେ। ପ୍ରଚୁର ଜଳକଣାଧାରୀ କଳାହାଣ୍ଡିଆ ବାଦଲକୁ ଆମେ ସ୍ୱାଗତ କରୁ। ସୂର୍ଯ୍ୟ ଦେବତା ନିଜର ପ୍ରଖର ତେଜକୁ ବାଦଲ ପଛରେ ଲୁଚାଇରଖି ବର୍ଷାକୁ ପୃଥିବୀ ପୃଷ୍ଠରେ ଜୀବଜଗତକୁ ବଞ୍ଚାଇ ରଖିବାକୁ ସତେଯେପରି ପ୍ରାଧାନ୍ୟ ଦିଅନ୍ତି। ଏହାର ଆଗମନରେ ସବୁଆଡ଼େ ଆନନ୍ଦ ଉଲ୍ଲାସ ଖେଳିଯାଏ। ଅବଶ୍ୟ ବର୍ଷା ଋତୁରେ ବେଳେବେଳେ ପ୍ରଚଣ୍ଡ ବାରିଧାରା ବର୍ଷଣରେ ବନ୍ୟା ଭଳି ବିପତ୍ତି ଦେଖାଦିଏ। ଏହା ସତ୍ତ୍ବେ ବର୍ଷା ହିଁ ପୃଥିବୀ ପାଇଁ ଆଣେ ଅମୃତର ଧାରା। ବର୍ଷାବିହୀନ ଧରା କଥା ଚିନ୍ତା କରାଯାଇ ପାରେ ନାହିଁ। ସେଇଥିପାଇଁ ସୌରଜଗତରେ ଜଳ ବିହୀନ ଅଧିକାଂଶ ଗ୍ରହ ଜୀବଶୂନ୍ୟ, ନିସ୍ତବ୍ଧ, ନିରବ ମୃତ ପିଣ୍ଡ। ବିଶ୍ୱ ବ୍ରହ୍ମାଣ୍ଡରେ ଆମେ ପୃଥିବୀ ଭଳି ସଜୀବ ଗ୍ରହଟିଏ ଖୋଜିବାବେଳେ ସେଥିରେ ଜଳ ଅଛି କି ନାହିଁ, ତାହା ପ୍ରଥମେ ଅନ୍ୱେଷଣ କରିଥାଉ।

ତେବେ ପୃଥିବୀ ପୃଷ୍ଠରେ ଏବେ ଜଳବାୟୁ ପରିବର୍ତ୍ତନ ଭଳି ଅବସ୍ଥା ପାଇଁ ପ୍ରାକୃତିକ ବର୍ଷା ଠିକ୍‍ ସମୟରେ ନହେବା ଭଳି ବିଭ୍ରାଟ ବିଶୃଙ୍ଖଳା ଯେ କେବଳ ସୃଷ୍ଟି ହୋଇଛି ତାହା ନୁହେଁ, ପରନ୍ତୁ ବର୍ଷାର ରୂପ ମଧ୍ୟ ବଦଳିଯାଇ ଏହା ନରମ, ସରଳ ତଥା କୋମଳ ବାରିଧାରାରୁ ରୂପାନ୍ତରିତ ହୋଇ କଠିନ, ଭୂମି ଉଲଂଘନକାରୀ ବିଭୀଷିକାମୟ ରୂପ ନେଇ ଭୀଷଣ ଆକାରରେ ପୃଥିବୀ ସ୍ପର୍ଶ କରୁଛି। ଏଭଳି କଠିନ, ବିଦ୍ରୋହୀ ଭଳି ମନେ ହେଉଥିବା ବର୍ଷାକୁ ଆମେ ବାଦଲଫଟା ବର୍ଷା କହୁଛୁ। ତେବେ ବର୍ତ୍ତମାନ ପ୍ରଶ୍ନ ହେଉଛି ଧୀର, କୋମଳ ବର୍ଷାକୁ ଏଭଳି ଭୟଙ୍କର ରୂପ ଦେଲା କିଏ, ଯାହା ଅନେକ ବିତ୍ପାତର କାରଣ ହୋଇଛି। ବାଦଲଫଟା ବର୍ଷା ପ୍ରଭାବରେ ହଠାତ୍‍ ପ୍ରଚଣ୍ଡ ବନ୍ୟା, ପାର୍ବତ୍ୟାଞ୍ଚଳରେ ମାଟି ଅତଡ଼ା ଧସି ଅନେକଙ୍କ ଧନଜୀବନ ନଷ୍ଟ କରିବା, ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା, ଘର ଦ୍ୱାର ଭାଙ୍ଗି ପଡ଼ିବା ଓ ରାସ୍ତାଘାଟ ଧୋଇ ଯାଇ ଯୋଗାଯୋଗ ବିଚ୍ଛିନ୍ନ ହେବାଭଳି ଆକସ୍ମିକ ବିଭ୍ରାଟ ଓ ବିପତ୍ତି ଦେଖାଦେଇଥାଏ। ଏହା ବ୍ୟତୀତ ଅନେକ ଜୀବଜନ୍ତୁ ଓ ମଣିଷ ମଧ୍ୟ ଅକସ୍ମାତ ମୃତ୍ୟୁ ମୁଖରେ ପଡ଼ିଥାନ୍ତି।

ଏଭଳି ବର୍ଷାର ଇତିହାସ ମଧ୍ୟ ଆମ ନିକଟରେ ଅଭାବ ନାହିଁ। ଇତି ମଧ୍ୟରେ ଜର୍ମାନୀ, ଇଂଲଣ୍ଡ, ଚୀନ, ବେଲଜିୟମ ଓ ଆମ ଦେଶର ମହାରାଷ୍ଟ୍ର, ଆସାମ, ଉତ୍ତରାଖଣ୍ଡରେ ଏଭଳି ବର୍ଷା ତାଣ୍ଡବ ଦେଖାଦେଇଛି। ଉତ୍ତରାଖଣ୍ଡରେ ୨୦୧୩ ମସିହାରେ ଘଟିଥିବା ପ୍ରଳୟଙ୍କରୀ ବର୍ଷା ପରେ ପ୍ରତିବର୍ଷ ଏଭଳି ବର୍ଷା ଲାଗି ରହିଛି। ଚଳିତ ବର୍ଷ ମଧ୍ୟ ବାଦଲଫଟା ବର୍ଷାରେ ବହୁ ଲୋକଙ୍କର ମୃତ୍ୟୁ ସହ ଘରଦ୍ୱାର ଭାଙ୍ଗିଛି। ଚୀନର ହେନାନ ପ୍ରଦେଶର ରାଜଧାନୀ ଝୋନଝାଓ ସହରରେ କିଛି ବର୍ଷ ତଳେ ବର୍ଷ ସାରା ସାଧାରଣଭାବେ ଯେତେ ବର୍ଷା ହୁଏ ତା’ର ଶତକଡ଼ା ୮୭ ଭାଗ ବର୍ଷା ମାତ୍ର ୨୪ ଘଣ୍ଟା ଭିତରେ ହୋଇ ସେହି ସହରକୁ ଛାରଖାର କରିଦେବା ସହ ୧୭୧ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ୪୦ ହଜାରରୁ ଅଧିକ ଲୋକ ଘରଦ୍ୱାର ହରାଇ ବିପନ୍ନ ହୋଇଥିଲେ।

ଉଲ୍ଲେଖନୀୟ ବିଷୟ ହେଉଛି ବାଦଲଫଟା ବର୍ଷା କେବଳ ଯେ ହଠାତ୍‍ ଆସେ ତାହା ନୁହେଁ, ପରନ୍ତୁ ଏଭଳି ବର୍ଷା ସଂପର୍କରେ ପୂର୍ବାନୁମାନ କରିବାକୁ ମଧ୍ୟ ସମୟ ଦିଏ ନାହିଁ। ଏଭଳି ବର୍ଷାକୁ ଆମେ ବିପର୍ଯ୍ୟୟର ବର୍ଷା ବୋଲି କହିଥାଉ; କାରଣ ଏହି ବର୍ଷା ନିଜ ସହିତ ବିପର୍ଯ୍ୟୟ, ବିଭୀଷିକାକୁ ନେଇ ଆସିଥାଏ। ବର୍ଷା କରାଉଥିବା ବାଦଲ ଖଣ୍ଡକୁ ଲୋକେ ସେଇଥିପାଇଁ “ଅପରାଧୀ ବାଦଲ” ବୋଲି କହିଥାନ୍ତି। ପୂର୍ବେ ଏହି ବର୍ଷା କାଁ ଭାଁ ପାର୍ବତ୍ୟାଞ୍ଚଳରେ ହେଉଥିବା ବେଳେ ଏବେ ଏହାର ମାତ୍ରା ବଢ଼ିବା ସହ ଉଗ୍ରରୂପ ମଧ୍ୟ ବଢ଼ିଚାଲିଛି। ତେବେ ଏହିଭଳି ଜନଜୀବନ ପ୍ରତି ହଠାତ୍‍ ବିପଦ ସୃଷ୍ଟି କରୁଥିବା ବର୍ଷାର କାରଣ କ’ଣ? ଶୀତଳ ବର୍ଷା ଧାରା ଏବେ ମୂଷଳ ରୂପ ନେଲା କାହିଁକି?

ବାଦଲଫଟା ବର୍ଷାର ମୁଖ୍ୟ କାରଣ ହେଉଛି ବିଶ୍ୱ ଉତ୍ତପ୍ତିକରଣ। ଏବେ ପୃଥିବୀପୃଷ୍ଠରେ ବାୟୁମଣ୍ଡଳର ତାପମାତ୍ରା ବଢ଼ିବାରେ ଲାଗିଛି। ତାପମାତ୍ରା ବଢ଼ିବା ଦ୍ୱାରା ଅନେକ ଅଞ୍ଚଳର ବାୟୁ ଊର୍ଦ୍ଧ୍ବମୁଖୀ ହୋଇଥାଏ ଓ ଏହା ଫଳରେ ସ୍ତରୀଭୂତ ମେଘମାଳା ଉପରକୁ ଉଠିଯାଇଥାଆନ୍ତି। ଏଠାରେ ଏହି ମେଘମାଳା ଏକ ଜଳକଣାବାହୀ ବାଦଲ ସ୍ତୁପ ନିର୍ମାଣ କରିଥାନ୍ତି। ଜମିରହିଥିବା ଜଳକଣା ପରସ୍ପର ମଧ୍ୟରେ ଧକ୍କା ଖାଇ ବଡ଼ ବଡ଼ ଜଳକଣାରେ ରୂପାନ୍ତରିତ ହୋଇଥାଆନ୍ତି। ଏହି ବଡ଼ ଜଳକଣାଗୁଡ଼ିକ ଊର୍ଦ୍ଧ୍ବମୁଖୀ ବାୟୁପ୍ରବାହ ଯୋଗୁଁ ଉପରକୁ ଉଠିଯାଇ ବାଦଲରେ ଜମା ହୋଇ ଏହାର ଓଜନ ବଢ଼ାଇଥାନ୍ତି। ଏହି ସମୟରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବ ଯୋଗୁଁ ଓଜନିଆ ଜଳକଣାବାହୀ ବାଦଲଗୁଡ଼ିକ ନିଜର ଭାରସାମ୍ୟ ହରାଇ ସବୁତକ ଜଳଧାରାକୁ ଗୋଟାଏ ଅଞ୍ଚଳରେ ଅଜାଡ଼ି ଦେବାଭଳି ଢାଳି ଦିଅନ୍ତି। ଏହା ହିଁ ବାଦଲ ଫଟା ବର୍ଷା। ଏହିସବୁ ଜଳବିନ୍ଦୁ ବଡ଼ବଡ଼ ଟୋପା ଆକାରରେ ଅତ୍ୟଧିକ କ୍ଷୀପ୍ର ବେଗରେ ତଳକୁ ଖସି ପ୍ରଳୟକାଣ୍ଡ ସୃଷ୍ଟି କରିବାରେ ସହାୟକ ହୋଇଥାଏ। ସାଧାରଣ ବର୍ଷା ସମୟରେ ଜଳବିନ୍ଦୁର ଘଣ୍ଟାପ୍ରତି ବେଗ ମାତ୍ର ୧୨ କିଲୋମିଟର ରହିଥିବାବେଳେ ବାଦଲଫଟା ବର୍ଷା ସମୟରେ ଏହି ବିନ୍ଦୁର ବେଗ ଘଣ୍ଟା ପ୍ରତି ୮୦ କିଲୋମିଟର ହୋଇଥାଏ। ଏହା ଛଡ଼ା ଏକ ବର୍ଗ ମିଟର ସ୍ଥାନରେ ପ୍ରାୟ ଏକହଜାର ଦୁଇଶହରୁ ଅଧିକ ବଡ଼ ବର୍ଷା ବିନ୍ଦୁ ଆସି ଭୂମିକୁ ସ୍ପର୍ଶ କରିଥାଏ। ଏହାର ମାଡ଼ ଯୋଗୁଁ ଭୂପୃଷ୍ଠରେ ପ୍ରଳୟ ସୃଷ୍ଟି ହୋଇଥାଏ। ଏହା ଘରଦ୍ୱାର ନଷ୍ଟ କରି ବନ୍ୟା ପ୍ଳାବନ ସହ ଧ୍ବଂସଲୀଳା ଘଟାଇଥାଏ। ଏବେ ଆମ ଦେଶରେ ଏଭଳି ବର୍ଷା ସଂଖ୍ୟା ବାର୍ଷିକ ୫୦୦ରୁ ଅଧିକ ଟପିଯିବା ଉଦ୍‍ବେଗଜନକ ହୋଇଛି।

ତେବେ ବର୍ଷା ଏଭଳି ପ୍ରକୃତି ପରିବର୍ତ୍ତନ କରିବାର ମୁଖ୍ୟ କର୍ତ୍ତା କିଏ? ଆମେ ନିଶ୍ଚିତ ଭାବେ କହିବା ଯେ ମଣିଷ ବ୍ୟତୀତ ଆଉ କିଏ? କାରଣ ବିଶ୍ୱ ଉତ୍ତପ୍ତିକରଣର ମୁଖ୍ୟ ହେଉଛି ମଣିଷ। ଲୋକସଂଖ୍ୟାର ଦ୍ରୁତ ଅଭିବୃଦ୍ଧି ସହ ସମସ୍ତଙ୍କୁ ସୁଖସୁବିଧା ସହିତ ବଞ୍ଚିବାର ଅଧିକାର ଯୋଗାଇବା ପାଇଁ ଆମେ ପ୍ରକୃତି ଉପରେ ଚାପ ସୃଷ୍ଟି କରୁଛୁ ଓ ବାୟୁମଣ୍ଡଳକୁ ଉତ୍ତପ୍ତ କରୁଥିବା ଅଧିକାଂଶ ଗ୍ୟାସ ସୃଷ୍ଟି କରି ଚାଲିଛୁ। କୋଇଲା ଜାଳି ବିଦ୍ୟୁତ ଉତ୍ପାଦନଠାରୁ ଆରମ୍ଭ କରି ଗାଡ଼ି ମଟରର ଅହେତୁକ ସଂଖ୍ୟାବୃଦ୍ଧି, ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ବହୁଳ ବ୍ୟବହାର ସହ ଶିଳ୍ପକାରଖାନା ବୃଦ୍ଧି କାରଣରୁ ଆମେ ଏବେ ପୃଥିବୀର ପ୍ରାକୃତିକ ପରିବେଶକୁ ଧ୍ୱଂସ କରିସାରିଲୁଣି। ଅଧିକାଂଶ ଲୋକ ଏହା ଜାଣିଛନ୍ତି। ତେବେ କେତେଜଣ ଲୋକ ଏସବୁ ପଦାର୍ଥ ଛାଡ଼ିପାରିବେ ତାହାହିଁ ପ୍ରଶ୍ନ। ଏହା କ୍ରମେ ଜୀବଜଗତର ସ୍ଥିତି ନେଇ ଗୁରୁତର ସମସ୍ୟା ସୃଷ୍ଟି କରିବାକୁ ଯାଉଛି। ଆମେ ସଂଯତ ନହେଲେ ସମସ୍ୟା ବଢ଼ିବ ଓ ବାଦଲଫଟା ବର୍ଷା ସଂଖ୍ୟା ବଢ଼ି ଆଗକୁ ପ୍ରଳୟ ଘଟି ଚାଲିବ ବୋଲି ଆମେ କହିପାରିବା।

Comments are closed.