ଶିକ୍ଷିତ ବେକାର ନା ବେକାର ଶିକ୍ଷିତ?

“ଯେଉଁ ଶିକ୍ଷା ଓ ଯେଉଁ ବିଶ୍ୱାସ ମଣିଷକୁ ଜୀବନସାରା ଖାଲି କଷଣ ଯୋଗାଏ, ସେହି ଶିକ୍ଷା ଓ ସେହି ବିଶ୍ୱାସକୁ ଶତ ଧିକ୍‍। ଯେଉଁ ଉତ୍ତମ ଜୀବନ ମଣିଷକୁ କେବଳ ଦୁଃଖୀ ଓ ହତାଶ କରିରଖେ, ସେ ଜୀବନ ମିଥ୍ୟା। କାରଣ ନିଜର ଜୀବନକୁ ସୁଖମୟ କରିବା ହିଁ ଏ ସଂସାରରେ ମଣିଷର ପ୍ରଥମ କର୍ତ୍ତବ୍ୟ। ଏଇ ସୁଖର ସନ୍ଦେଶ ପ୍ରସାରିତ କରିବା ହିଁ ତା’ର ପ୍ରଥମ ଧର୍ମ। ଯିଏ ଏ ଜୀବନକୁ ବୈକୁଣ୍ଠ ସମାନ ନ କରି ପାରିଲା ତା’ ଜୀବନ ବୃଥା। ମଣିଷ ନିର୍ବାସନ ଦଣ୍ଡ ପାଇଁ ଏ ସଂସାରକୁ ଆସିନାହିଁ।” ଆଜି ଏଇ ପ୍ରବନ୍ଧଟି ଲେଖିଲା ବେଳକୁ ହଠାତ କାହିଁକି ଲେବାନନ୍‍ର ବିଶ୍ୱବିଦିତ ଲେଖକ ଖଲିଲ୍‍ ଜିବ୍ରାନ୍‍ଙ୍କର ଏଇ ମନ୍ତବ୍ୟଟି ମନେପଡ଼ିଯାଉଛି।

ବର୍ତ୍ତମାନ ମୂଳ ପ୍ରସଙ୍ଗକୁ ଆସିବା। ଚଳିତ ବର୍ଷ ମୋଟ ୯୦.୫୫% ଛାତ୍ର ବିଏସଇ ଓଡ଼ିଶା ମାଟ୍ରିକ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶାର ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳାଫଳରେ ପୁଅମାନଙ୍କ ପାସ୍‍ ପ୍ରତିଶତ ୮୮% ଥିବାବେଳେ ବାଳିକା ପାସ୍‍ ପ୍ରତିଶତ ୯୨% ରେକର୍ଡ କରାଯାଇଛି। ଏ ବର୍ଷ ୫.୨୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ବସିଥିଲେ ଯେଉଁଥିରେ ୫.୧୭ ଲକ୍ଷ ପାସ୍‍ କରିଛନ୍ତି। ଏତେ ବଡ଼ ସଫଳତା ଓଡ଼ିଶା ମାଟ୍ରିକ ପରୀକ୍ଷା ଇତିହାସରେ, ପୁଣି କାରୋନା ମହାମାରୀର କୋକୁଆ ଭୟ କାଳରେ ହାସଲ କରିବା ସବୁଠାରୁ ବଡ଼ ଉଲ୍ଲେଖନୀୟ ବିଷୟ। ଏହା ଠିକ୍‍ କଥା, କିନ୍ତୁ ଏହା ପରେ କ’ଣ କରିବେ ଆମ ପିଲାମାନେ? ଏଇ ପ୍ରଶ୍ନଟି ଆଜି ମୋ ମନକୁ ଉଦ୍‍ବେଳିତ କରୁଛି। ମନରେ କୋକୁଆ ଭୟ, ଆମ ପିଲାମାନେ ଭବିଷ୍ୟତରେ ଖଲିଲ୍‍ ଜିବ୍ରାନ୍‍ଙ୍କ ଭଳି ଅସହାୟ ହୋଇ ପଡିବେ କି?

ଆମ ଦେଶରେ ମେଧାବୀ ଛାତ୍ରମାନେ ସବୁଠାରୁ ଅଧିକ ଯନ୍ତ୍ରଣା ଭୋଗନ୍ତି। ସେମାନଙ୍କ ପିତାମାତା ଜୀବନବ୍ୟାପୀ ସଞ୍ଚୟକୁ କେବଳ ଏକ ଆଶାରେ ଖର୍ଚ୍ଚ କରନ୍ତି ଯେ ସେମାନଙ୍କ ପିଲାମାନେ ଏକ ସୁରକ୍ଷିତ ଚାକିରି ପାଇବେ। ଭାରତୀୟ ଶିକ୍ଷା ବ୍ୟବସ୍ଥା କେବଳ କଲେଜ, କୋଚିଂ କ୍ଲାସ୍‍, କମ୍ପାନୀ, ସଂଗଠନ ଏବଂ ସମସ୍ତ ଆନୁଷଙ୍ଗିକ ଅନୁଷ୍ଠାନ ପାଇଁ ଉତ୍କୃଷ୍ଟ। ଏହା କଦାପି ଛାତ୍ର/ପିତାମାତାଙ୍କ ସପକ୍ଷରେ କାମ କରେ ନାହିଁ। ସତ କହିବାକୁ ଗଲେ, ଭାରତୀୟ ବିଦ୍ୟାଳୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ଶିକ୍ଷକମାନେ ପିଲାମାନଙ୍କୁ ଧମ୍‍କେଇ ଚମ୍‍କେଇ ପିଲାମାନଙ୍କଠାରୁ ପରୀକ୍ଷା ଏବଂ ମାର୍କ ଉପରେ ଅଧିକ ଧ୍ୟାନ ଦିଅନ୍ତି। ଜର୍ମାନୀରେ ପିଲାମାନଙ୍କର ଅତି କମ୍‍ରେ ୪ର୍ଥ କିମ୍ବା ୫ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ନାହିଁ। ସେଠାରେ, ଯଦି ଜଣେ ଶିକ୍ଷକ ଛାତ୍ରଙ୍କ ଉପରେ ହାତ ଉଠାଇବାକୁ ଧମକ ଦିଅନ୍ତି ତେବେ ସେ ଜେଲ ଯିବେ। ଏଠାରେ ମୁଖ୍ୟ ବିଷୟଗୁଡ଼ିକ (ଜର୍ମାନ, ଇଂରାଜୀ ଏବଂ ଗଣିତ) ୩ଟି ପ୍ରଦର୍ଶନ ଗୋଷ୍ଠୀରେ ବିଭକ୍ତ। ବିଭିନ୍ନ ବିଭାଗର ପିଲାମାନେ ସେମାନଙ୍କ ସ୍ତର ଅନୁଯାୟୀ ଏହି ବିଷୟଗୁଡ଼ିକ ପାଇଁ ମନୋନୀତ ହୁଅନ୍ତି। ତେଣୁ ଶିକ୍ଷକ ନିଶ୍ଚିତ ଥାଆନ୍ତି ଯେ ପ୍ରତ୍ୟେକ ପିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଶିଖୁଛନ୍ତି।

କ୍ଲାସରେ ୩୦ରୁ ଅଧିକ ଛାତ୍ର ନଥାନ୍ତି; କିନ୍ତୁ ଆମ ଦେଶରେ ସାଧାରଣତଃ ଏକ ଛୋଟ କ୍ଲାସରୁମ ଭିତରେ ୩୫ରୁ ଅଧିକ ସହପାଠୀ ଥାଆନ୍ତି। ଜର୍ମାନୀରେ ଚାକିରି କରିବା ପାଇଁ ଶିକ୍ଷା ପ୍ରସ୍ତୁତ କରାଯାଏ ନାହିଁ, ଜଣେ ଜୀବନରେ ଯାହା ଚାହୁଁଛି ସେ ବିଷୟରେ ସ୍ପଷ୍ଟ ଧାରଣା ଦେବା ପାଇଁ ଶିକ୍ଷା ଖସଡ଼ା ପ୍ରସ୍ତୁତ କରାଯାଇଥାଏ ଏବଂ ଜଣେ ତାହାକୁ ହାସଲ କରିବାର ସମସ୍ତ ସମ୍ଭାବ୍ୟ ଉପାୟ ଶିଖାଏ; କିନ୍ତୁ ଆମର ଶିକ୍ଷା ତାହା କରିବାକୁ ବିଫଳ ହୁଏ ଏବଂ ସେଥିପାଇଁ ଆମ ଛାତ୍ରଛାତ୍ରୀଙ୍କଠାରେ କୌଶଳ ଅଭାବ ଚାକିରିରେ ପରିଣତ ହୁଏ। ଯୁବ ଛାତ୍ରଛାତ୍ରୀଙ୍କ ପାଇଁ ଆଧୁନିକ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକମାନେ କୌଣସି ତତ୍ତ୍ୱଗତ ଏବଂ ବ୍ୟାବହାରିକ ଜ୍ଞାନ ପ୍ରଦାନ କରନ୍ତି ନାହିଁ। ଏପରି କି ଜଣେ ୭ବର୍ଷର ଛାତ୍ର ପୁସ୍ତକ ଏବଂ ନୋଟବୁକ୍‍ ପରିପୂର୍ଣ୍ଣ ଏକ ବ୍ୟାଗ୍‍ ନେଇ ସ୍କୁଲ ପର୍ଯ୍ୟନ୍ତ ଏବଂ ସେଠାରୁ ଘରକୁ କୁଲି ପରି ଫେରୁଥିବାର ଦେଖାଯାଏ। ଛାତ୍ରମାନଙ୍କୁ ବ୍ୟାବହାରିକ ଶିକ୍ଷା ଦେବା ପରିବର୍ତ୍ତେ ବିରକ୍ତିକର ବିଷୟଗୁଡ଼ିକୁ ମୁଖସ୍ଥ କରିବାକୁ ବାଧ୍ୟ କରାଯାଏ। ଏହି ପ୍ରକ୍ରିୟାରେ, ଛାତ୍ରମାନେ ଆଗ୍ରହ ହରାନ୍ତି ଯାହା ସେମାନଙ୍କୁ ଭଲ ଶିଖିବାରେ ଏବଂ ଦ୍ରୁତ ଗତିରେ ଶିକ୍ଷା କରିବାରେ ସାହାଯ୍ୟ କରେ ନାହିଁ। ଏହି ବ୍ୟବସ୍ଥାର ସବୁଠାରୁ ବଡ଼ ତ୍ରୁଟି ହେଉଛି ଏହା କୌତୂହଳକୁ ମାରିଦିଏ – ଯାହା ମାନବୀୟ ପ୍ରକୃତିକୁ ବିକାଶମୁଖୀ କରିଥାଏ।

ଭାରତୀୟ ଶିକ୍ଷା ପଦ୍ଧତିରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ମେଡିକାଲ, ଆଇଆଇଟି ଆଦିରେ ଚୟନ ପ୍ରକ୍ରିୟା ‘ମେରିଟ୍‍ ବେସ୍‌ଡ ସିଷ୍ଟମ୍‍’ ନୁହେଁ। ଏସବୁ ଗୁଣାତ୍ମକ ଅନୁଷ୍ଠାନରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ହାତଗଣତି ସୀମିତ ସିଟ୍‍ ଅଛି; କିନ୍ତୁ ଏହି ସଂସ୍ଥାଗୁଡ଼ିକରେ ଆଡମିସନ ସର୍ବଦା ଯୋଗ୍ୟତା ଉପରେ ଆଧାରିତ ନୁହେଁ। ‘ସୀମିତ’ ଆସନଗୁଡ଼ିକର ଏକ ପ୍ରମୁଖ ଅଂଶ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟରେ ଜନ୍ମିତ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ – ସେମାନଙ୍କ ପିତାମାତା କୃଷକ, ଶିଳ୍ପପତି କିମ୍ବା ଆଇଏଏସ୍‍ ଅଧିକାରୀ ହୁଅନ୍ତୁ ପଛକେ, ସରକାର ରାଜନୀତିକ ପ୍ରଭାବିତ ସଂରକ୍ଷଣ ବ୍ୟବସ୍ଥାକୁ ଅନ୍ଧ ଭାବରେ କାର୍ଯ୍ୟକାରୀ କରିବାକୁ ବାଛିଛନ୍ତି। ଏହିପରି ଅବିଶ୍ୱସନୀୟ ପ୍ରତିଯୋଗିତା କେବଳ ଭାରତରେ ସମ୍ଭବ ହୋଇପାରେ।
ଆମ ଶିକ୍ଷାର ଉଦ୍ଦେଶ୍ୟ ଅଦ୍ୟାବଧି ସ୍ପଷ୍ଟ ନୁହେଁ। ଆଜି ବି ଆମର ଶିକ୍ଷା ବ୍ୟବସ୍ଥା କେବଳ ବାବୁ ଏବଂ କିରାଣି (Pen-pusher) ଉତ୍ପାଦନ ଦିଗରେ ପ୍ରସ୍ତୁତ ଏକ ଉପନିବେଶବାଦୀ ଶିକ୍ଷା ବ୍ୟବସ୍ଥା ଅଟେ। ଶିକ୍ଷାର ଉଦ୍ଦେଶ୍ୟ କେବଳ ପରୀକ୍ଷାକୁ କଡ଼ାକଡ଼ି କରିବା ନୁହେଁ, ଏହା ଆମ ଶିକ୍ଷା ବ୍ୟବସ୍ଥା ଭୁଲି ଯାଇଛି। ଆମ ଦେଶରେ ବିଶ୍ୱର ସର୍ବାଧିକ ସଂଖ୍ୟକ ଇଞ୍ଜିନିୟରିିଂ ସ୍ନାତକ ଅଛନ୍ତି; କିନ୍ତୁ ଏଠାରେ କୌଣସି ବୈଷୟିକ ଉଦ୍ଭାବନର ନାମଗନ୍ଧ ହିଁ ନାହିଁ। ଆମର ନୂତନ ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ ହେବା ଉଚିତ: ଉଦ୍ୟୋଗୀ, ଉଦ୍ଭାବକ, କଳାକାର, ବୈଜ୍ଞାନିକ, ଚିନ୍ତକ ଏବଂ ଲେଖକ ସୃଷ୍ଟି କରିବା, ଯେଉଁମାନେ ନିମ୍ନମାନର ସେବା ପ୍ରଦାନକାରୀ ରାଷ୍ଟ୍ର ଅପେକ୍ଷା ଜ୍ଞାନ ଆଧାରିତ ଅର୍ଥନୀତିର ମୂଳଦୁଆ ସ୍ଥାପନ କରିପାରିବେ; ହେଲେ ଏସବୁ ଭାରତରେ ଆଜି ସ୍ୱପ୍ନ କାରଣ ଆମର ଶିକ୍ଷା ବ୍ୟବସ୍ଥା ଆତ୍ମରତିମଗ୍ନ ସରକାରଙ୍କ ଦ୍ୱାରା ଅତ୍ୟଧିକ ନିୟନ୍ତ୍ରିତ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର ଅଧିକାଂଶ ଶିକ୍ଷାଦାନ ସମୟକୁ ନିୟମ ଏବଂ ନିୟମାବଳୀ ପାଳନ କରି ନଷ୍ଟ କରନ୍ତି। ତେଣୁ ଶିକ୍ଷାଦାନ ଏଠାର କମ୍‍ ପ୍ରାଥମିକତା ପାଇଥାଏ।

ସମଗ୍ର ଭାରତରେ ହଜାର ହଜାର ଆତଙ୍କ ସୃଷ୍ଟିକାରୀ ଶିକ୍ଷକ ପ୍ରତ୍ୟେକ ଦିନ ଛୋଟ ପିଲାମାନଙ୍କର ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି। ଦୀର୍ଘ ସମୟ ଧରି ଶିକ୍ଷାଦାନ ଅକ୍ଷମତାର ଅଭୟାରଣ୍ୟ ହୋଇଗଲାଣି। ଆମ ଶିକ୍ଷାବ୍ୟବସ୍ଥା ସର୍ବୋତ୍ତମ ଶିକ୍ଷାଦାନ ପ୍ରଫେସନାଲମାନଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛି। ଆଜି ପୁଞ୍ଜାଏ ଅକ୍ଷମ, ଅନାଗ୍ରହୀ ଏବଂ ଭୟ ସଞ୍ଚାରକାରୀ ଶିକ୍ଷକମାନଙ୍କ ସହିତ ଆମ ଶିକ୍ଷାବ୍ୟବସ୍ଥା କାର୍ଯ୍ୟ କରୁଛି। ଟେକ୍ନୋଲୋଜି ଭିତ୍ତିଭୂମିର ଅଭାବ। ପୁରୁଣା ମଡେଲ ପାଠ୍ୟକ୍ରମ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଆମକୁ ଶିକ୍ଷାଗତ ବିତରଣ ପ୍ରଣାଳୀ ସୃଷ୍ଟି କରିବାକୁ ପଡ଼ିବ। ଏହା ପ୍ରକୃତରେ ମାନବ ଜ୍ଞାନର ସମ୍ପଦକୁ ଜନସାଧାରଣଙ୍କ ନିକଟକୁ ନେଇପାରିବ। କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‍ ପରି ଆଧୁନିକ ଜ୍ଞାନ କୌଶଳର ବ୍ୟବହାର ସବୁ ବିଦ୍ୟାଳୟରେ ନାହିଁ, ଯଦିଓ କିଛି ବିଦ୍ୟାଳୟରେ ଏହି ସୁବିଧା ଅଛି କିନ୍ତୁ ଏହାକୁ କିପରି ବ୍ୟବହାର କରାଯିବ ତାହା ସେମାନେ ଜାଣନ୍ତି ନାହିଁ।
ଆମର ଶିକ୍ଷା ପ୍ରଣାଳୀ କୌଶଳ ପ୍ରଦାନର ବିପରୀତ ଭାବରେ ଅଥଚ ଜ୍ଞାନ ଶିକ୍ଷା ଏବଂ ପରୀକ୍ଷଣ ଦିଗରେ ପ୍ରସ୍ତୁତ। ଚୀନ୍‍ ଦେଶର ଏକ ଖ୍ୟାତନାମା ପ୍ରବାଦ ମନେପଡ଼େ, “ଜଣେ ବ୍ୟକ୍ତିଙ୍କୁ ଯଦି ମାଛ ଦିଅ ତେବେ ତୁମେ ତାଙ୍କୁ ଦିନେ ଖାଇବାକୁ ଦିଅ। ତାଙ୍କୁ ଯଦି ମାଛଧରିବା ଶିଖାଅ, ତୁମେ ତାଙ୍କୁ ଆଜୀବନ ଖାଇବାକୁ ଦିଅ।” ବର୍ଷକୁ ବର୍ଷ ଭାରତୀୟ ଛାତ୍ରମାନେ ଘୋଷାବିଦ୍ୟା ଉପରେ ଧ୍ୟାନ ଦେଇଆସନ୍ତି। ଏହି ବ୍ୟବସ୍ଥା ଦ୍ୱାରା ସର୍ବୋତ୍ତମ ଘୋଷାପଟୁକୁ ହିଁ ପୁରସ୍କୃତ କରାଯାଏ। ଘୋଷାବିଦ୍ୟା ମନେ ନପଡ଼ିଲେ ଭୀମ ହାରିଯିବ ମହାଭାରତ ଯୁଦ୍ଧ। ଏହା ହିଁ ଆମର ଶିକ୍ଷା ବ୍ୟବସ୍ଥାର ଏକ ମୌଳିକ ତ୍ରୁଟି। ସୃଜନଶୀଳତା ଏବଂ ମୂଳ ଚିନ୍ତାଧାରା ନିରୁତ୍ସାହିତ। ଆମର ପରୀକ୍ଷଣ ଏବଂ ମାର୍କିଂ ସିଷ୍ଟମଗୁଡ଼ିକ ପ୍ରତିଭାକୁ ଚିହ୍ନିବା ପାଇଁ ନିର୍ମିତ। ସୃଜନଶୀଳତା, ସମସ୍ୟା ସମାଧାନ, ମୂଲ୍ୟବାନ ମୌଳିକ ଅନୁସନ୍ଧାନ ଏବଂ ନୂତନତ୍ୱ ବା ପ୍ରତ୍ୟୁତ୍ପନ୍ନମତିତା ହିଁ ଶିକ୍ଷାର ନିଷ୍କର୍ଷ। ସ୍ମରଣ କରିବା କୌଣସି ଶିକ୍ଷା ନୁହେଁ; ଆମ ଶିକ୍ଷା ବ୍ୟବସ୍ଥାର ସବୁଠାରୁ ବଡ଼ ତ୍ରୁଟି ବୋଧହୁଏ ଏହା ଯାହା ମୌଳିକ ସୃଜନଶୀଳତା ଉପରେ ସ୍ମରଣକୁ (ଘୋଷାପାଠ ସ୍ମରଣକୁ) ଉତ୍ସାହିତ କରିଥାଏ।
ଆଜି ଭାରତର ବେକାରୀ ସଂଖ୍ୟା ରେକର୍ଡ ସର୍ବାଧିକ ରହିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (CMIE) ଆକଳନ କରିଛି ଯେ ୨୦୧୮ରେ ୧୧ ନିୟୁତ ଚାକିରି ହଜିଯାଇଛି ଓ ବେକାରୀ ହାର ୭.୩୮%କୁ ବୃଦ୍ଧି ପାଇଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଶୂନ୍ୟ ସ୍ଥାନ ବଢ଼ିଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ପାସ୍‍ ହାର ଦ୍ରୁତ ଗତିରେ ବଢ଼ି ବଢ଼ି ୧୦୦% ଧରି ଯାଉଛି। ଫଳରେ (NSSO) ରିପୋର୍ଟରେ ବେକାରୀ ହାର ୬.୧% ହୋଇଛି, ଯାହା ଚାରି ଦଶନ୍ଧି ମଧ୍ୟରେ ସର୍ବାଧିକ।
ପ୍ରବନ୍ଧର ଶେଷରେ କହିବାରେ ଦ୍ୱିଧା ନାହିଁ ଯେ, ଆମେ ଆମ ଛାତ୍ରଛାତ୍ରୀମାନଙ୍କୁ ଆଜି କେବଳ ରୋବଟରେ ପରିଣତ କରିଦେଉଛୁ। ଏକ ଭ୍ରାନ୍ତ ଅନୁସରଣରେ, ଆମେ ଆମ ଉତ୍ତର ପିଢ଼ିର ପିଲାଦିନକୁ ନଷ୍ଟ କରୁଛୁ। ଆମ ଶିକ୍ଷାବ୍ୟବସ୍ଥା ସେମାନଙ୍କୁ ‘ଶିକ୍ଷିତ ବେକାର ନୁହେଁ ବରଂ ବେକାର ଶିକ୍ଷିତରେ’ ରୂପାନ୍ତରିତ କରୁଛି। ସବୁଠାରୁ ବଡ଼ ଅସୁବିଧା ହେଉଛି ଆମ ଛାତ୍ରଛାତ୍ରୀମାନେ ଆଜି ଯେଉଁ ଶିକ୍ଷାନୁଷ୍ଠାନମାନଙ୍କରେ ପଢୁଛନ୍ତି ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଅନୁଷ୍ଠାନରେ ନା ଉତ୍ତମ ପରିବେଶ ଅଛି ନା ଉତ୍ତମ ଶିକ୍ଷାଦାନ ହେଉଛି ନା ଛାତ୍ରବତ୍ସଳ ଶିକ୍ଷକ ଅଛନ୍ତି। ଏହା ହେଉଛି ଭାରତର ସର୍ବାଧିକ ଶିକ୍ଷାନୁଷ୍ଠାନଗୁଡ଼ିକର ଆଭ୍ୟନ୍ତରୀଣ କାହାଣୀ।

Comments are closed.