ରାଷ୍ଟ୍ରପତି ନିର୍ବାଚନର ଗଣିତ ଓ ଗୁରୁତ୍ବ

ଅଭୟ କୁମାର ଦାସ

ଆମ ଦେଶ ଏକ ‘ରିପବ୍ଲିକ୍‍’ ବା ସାଧାରଣତନ୍ତ୍ର। ଯେଉଁ ଦେଶର ରାଷ୍ଟ୍ରମୁଖ୍ୟ ସାଧାରଣ ଜନତାଙ୍କ ଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷରେ ନିର୍ବାଚିତ ହୁଅନ୍ତି ସେ ଦେଶକୁ ଏକ ‘ରିପବ୍ଲିକ’ ବୋଲି କୁହାଯାଏ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଯେହେତୁ ଜୁଲାଇ ୨୪ରେ ଶେଷ ହେଉଛି; ଷୋଡ଼ଶ ରାଷ୍ଟ୍ରପତି ପାଇଁ ନିର୍ବାଚନ ବିଗୁଲ ବାଜି ସାରିଲାଣି। ମୁଖ୍ୟ ପ୍ରତିଦ୍ୱନ୍ଦ୍ବୀ ଭାବେ ଅଛନ୍ତି ଏନ୍‍.ଡି.ଏ. ପକ୍ଷରୁ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳଙ୍କ ପକ୍ଷରୁ ଯଶୋବନ୍ତ ସିହ୍ନା। ଓଡ଼ିଶା ନିବାସୀ ଶ୍ରୀମତୀ ମୁର୍ମୁ ବିଜେପିର ଜଣେ କର୍ମୀ; ସେ କାଉନସିଲରରୁ ରାଜନୈତିକ ଜୀବନ ଆରମ୍ଭ କରି ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇଛନ୍ତି। ଅପରପକ୍ଷରେ ବିହାର ନିବାସୀ ଶ୍ରୀ ସିହ୍ନା ୧୯୬୦ ବ୍ୟାଚର ଜଣେ ଆଇ.ଏ.ଏସ୍‍. ଅଧିକାରୀ, ଅଭିଜ୍ଞ ରାଜନେତା, ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ।

ଆମର ରାଷ୍ଟ୍ରପତି ପରୋକ୍ଷଭାବେ ନିର୍ବାଚିତ ହୁଅନ୍ତି; ଅର୍ଥାତ୍‍ ନିର୍ବାଚିତ ବିଧାୟକ ଓ ସାଂସଦମାନେ ‘ଏକକ ବଦଳକ୍ଷମ ଭୋଟ୍‍’ (ସିଙ୍ଗଲ ଟ୍ରାନ୍ସଫରେବଲ୍‍ ଭୋଟ୍‍) ଜରିଆରେ ନିର୍ବାଚିତ କରିଥାଆନ୍ତି। ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ମୂଲ୍ୟ ସମାନ ହୋଇଥିବାବେଳେ ରାଷ୍ଟ୍ରପତି ନିର୍ବାଚନରେ ଭୋଟରଙ୍କ ମୂଲ୍ୟ ଭିନ୍ନଭିନ୍ନ ହୋଇଥାଏ। ଯେହେତୁ ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ସେ ରାଜ୍ୟର ଜନସଂଖ୍ୟା ଉପରେ ନିର୍ଭରଶୀଳ; ତେଣୁ ବିଭିନ୍ନ ରାଜ୍ୟର ବିଧାୟକଙ୍କ ଭୋଟ୍‌ର ମୂଲ୍ୟରେ ତାରତମ୍ୟ ଥାଏ। ସିକିମ୍‍ ରାଜ୍ୟର ଜନସଂଖ୍ୟା କମ୍‍ ହେତୁ ସେ ରାଜ୍ୟର ବିଧାୟକଙ୍କ ଭୋଟ୍‍ର ମୂଲ୍ୟ ୭ ହୋଇଥିବାବେଳେ ଉତ୍ତର ପ୍ରଦେଶ ଭଳି ଜନବହୁଳ ରାଜ୍ୟର ଭୋଟ୍‍ର ମୂଲ୍ୟ ୨୦୮। ସମୁଦାୟ ସାଂସଦଙ୍କ ଭୋଟ୍‌ର ମୂଲ୍ୟ ଓ ପୂରା ଦେଶର ବିଧାୟକଙ୍କ ଭୋଟ୍‍ର ମୂଲ୍ୟ ପ୍ରାୟ ସମାନ ଥାଏ। ସମୁଦାୟ ଭୋଟ୍‍ର ମୂଲ୍ୟ ନିର୍ଦ୍ଧାରଣ ପୂର୍ବରୁ ପ୍ରଥମେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଧାୟକଙ୍କ ଭୋଟ୍‍ର ମୂଲ୍ୟ ସ୍ଥିର ହେବା ଆବଶ୍ୟକ।

ଆମ ସମ୍ବିଧାନର ୮୪ତମ ସଂଶୋଧନ ଅନୁସାରେ ୧୯୭୧ ଜନଗଣନାରେ ପ୍ରକାଶିତ ଜନସଂଖ୍ୟାକୁ ହିସାବକୁ ନିଆଯିବ। ଗୋଟିଏ ରାଜ୍ୟର ଜନସଂଖ୍ୟାକୁ ସେହି ରାଜ୍ୟର ମୋଟ୍‍ ବିଧାୟକଙ୍କ ଦ୍ୱାରା ଭାଗ ପରେ ପୁନଶ୍ଚ ୧୦୦୦ଦ୍ୱାରା ଭାଗ କଲେ ଯାହା ଭାଗଫଳ ମିଳେ; ତାହା ସେହି ରାଜ୍ୟର ପ୍ରତ୍ୟେକ ବିଧାୟକଙ୍କ ଭୋଟ୍‍ର ମୂଲ୍ୟ। ଏଠାରେ ଓଡ଼ିଶା କଥା ବିଚାରକୁ ନିଆଯାଇପାରେ। ୧୯୭୧ ଜନଗଣନା ଅନୁଯାୟୀ ଓଡ଼ିଶାର ଜନସଂଖ୍ୟା ୨,୧୯,୪୪,୬୧୫ ଥିଲା। ତେବେ ଏହାକୁ ୧୪୭୦୦୦ଦ୍ୱାରା ଭାଗ କଲେ ଓଡ଼ିଶା ବିଧାୟକଙ୍କ ଭୋଟ୍‍ର ମୂଲ୍ୟ ୧୪୯ ଉପଲବ୍ଧ ହୋଇଥାଏ। ନିର୍ଦ୍ଧାରିତ ମୂଲ୍ୟକୁ ୧୪୭ସହ ଗୁଣନ କଲେ ଓଡ଼ିଶାର ସମୁଦାୟ ବିଧାୟକଙ୍କ ଭୋଟ୍‍ର ମୂଲ୍ୟ ୨୧,୯୦୩ ରେ ଉପନୀତ ହୋଇଥାଏ। ଏଭଳି ୨୮ଟି ରାଜ୍ୟ ସହିତ ଦିଲ୍ଲୀ, ପୁଡ଼ୁଚେରୀ ଓ ଜାମ୍ମୁ-କାଶ୍ମୀର ଭଳି କେନ୍ଦ୍ର ଶାସିତ ଅଞ୍ଚଳର ସମୁଦାୟ ବିଧାୟକଙ୍କ ଭୋଟ୍‍ର ମୂଲ୍ୟକୁ ଯୋଗ କଲେ ପୂରା ଦେଶର ବିଧାୟକଙ୍କ ଭୋଟ୍‍ର ମୂଲ୍ୟ ମିଳିଥାଏ। ଏବେ ସୁଦ୍ଧା ୪ ରାଜ୍ୟସଭା ସାଂସଦ ଓ ୯୦ ବିଧାନସଭା ଆସନ ଜାମ୍ମୁ-କାଶ୍ମୀରରେ ଖାଲି ପଡ଼ିଛି। ଏହି ମୂଲ୍ୟ ୨୦୨୨ ନିର୍ବାଚନ ପାଇଁ ୫,୪୩,୦୦୦ ବୋଲି ନିର୍ଦ୍ଧାରିତ ହୋଇଛି। ଏହାକୁ ଭିତ୍ତିକରି ସାଂସଦଙ୍କ ଭୋଟ୍‍ର ମୂଲ୍ୟ ସ୍ଥିର କରାଯାଇଥାଏ। ସମସ୍ତ ସାଂସଦଙ୍କ ଭୋଟ୍‍ର ମୂଲ୍ୟ ସମାନ ହୋଇଥାଏ। ଯେହେତୁ କେବଳ ନିର୍ବାଚିତ ସାଂସଦ ନିର୍ବାଚନରେ ଅଂଶଗ୍ରହଣ କରନ୍ତି; ତେବେ ଲୋକସଭାକୁ ମନୋନୀତ ୨ଜଣ ସାଂସଦ ଓ ରାଜ୍ୟସଭାକୁ ମନୋନୀତ ୧୨ଜଣ ସାଂସଦ ଭୋଟ ଦେଇପାରିବେ ନାହିଁ।

୨୦୨୨ ରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚିତ ଲୋକସଭା ସାଂସଦ ୫୪୩ ଓ ରାଜ୍ୟସଭା ସାଂସଦ ୨୩୩କୁ ମିଶାଇଲେ ସମୁଦାୟ ୭୭୬। ପୂର୍ବ ନିର୍ଦ୍ଧାରିତ ୫,୪୩,୦୦୦କୁ ୭୭୬ ଦ୍ୱାରା ଭାଗ କଲେ ଆମେ ୭୦୦ରେ ଉପନୀତ ହେବା; ଯାହାକି ଜଣେ ସାଂସଦର ଭୋଟ୍‍ର ମୂଲ୍ୟ। ପୁନଶ୍ଚ ୭୦୦ ସହିତ ୭୭୬ ଗୁଣନ କଲେ ପୂରା ଦେଶର ସାଂସଦଙ୍କ ଭୋଟ୍‌ର ମୂଲ୍ୟ ଉପଲବ୍ଧ ହେବ ଯାହାକି ୫,୪୩,୦୦୦। ଦେଶର ସମୁଦାୟ ବିଧାୟକଙ୍କ ଭୋଟ୍‍ର ମୂଲ୍ୟ ଓ ସମୁଦାୟ ସାଂସଦଙ୍କ ଭୋଟ୍‍ର ମୂଲ୍ୟକୁ ଯୋଗ କଲେ ୨୦୨୨ ରାଷ୍ଟ୍ରପତି ନିର୍ବାଚନ ପାଇଁ ସମୁଦାୟ ଭୋଟ୍‍ର ମୂଲ୍ୟ ୧୦,୮୬,୦୦୦ ହେବ।

୨୦୨୨ ନିର୍ବାଚନରେ ସମୁଦାୟ ୭୭୬ ସାଂସଦ ଓ ୪୦୩୩ ବିଧାୟକ। ଯାହା ହିସାବରୁ ଜଣାପଡ଼େ ଯଦି ସମସ୍ତ ଭୋଟର ଭୋଟ ଦିଅନ୍ତି; ତେବେ ଏନ୍‍.ଡି.ଏ. ସପକ୍ଷରେ ୫.୨୩ ଲକ୍ଷ ଭୋଟ ଅଛି; ଯାହା ମାଜିକ୍‍ ସଂଖ୍ୟାଠାରୁ ମାତ୍ର ୨୦,୦୦୦କମ୍‍। ବିଜେଡ଼ିର ବିଧାୟକ ଓ ସାଂସଦଙ୍କ ୩୧,୭୦୫ ଭୋଟ୍‍ ମିଳିଲେ ଏନ୍‍.ଡି.ଏ. ପ୍ରାର୍ଥୀ ଜିତିବା ନିଶ୍ଚିତ। ମହାରାଷ୍ଟ୍ରର ସମୀକରଣ ପରିବର୍ତ୍ତନ ପରେ ଏନ୍‍ଡିଏକୁ ଆହୁରି ସହଜ ହେବ। ରାଷ୍ଟ୍ରପତି ନିର୍ବାଚନରେ ଦଳବଦଳ ଆଇନ୍‍ ଲାଗୁ ହୁଏ ନାହିଁ କି କୌଣସି ଦଳ ହ୍ୱିପ ଜାରି କରିପାରିବେ ନାହିଁ। ଏଠାରେ ସ୍ମରଣଯୋଗ୍ୟ ଯେ ନିଜ ବିବେକାନୁଯାୟୀ ଭୋଟ ଦିଆଯାଉଥିବା ଯୋଗୁଁ କଂଗ୍ରେସର ସେଭଳି କ୍ଷମତା ନଥାଇ ୨୦୦୭ରେ ପ୍ରତିଭା ସିଂହ ପାଟିଲ ଓ ୨୦୧୪ରେ ପ୍ରଣବ ମୁଖାର୍ଜୀ ଦୁଇ-ତୃତୀୟାଂଶରୁ ଅଧିକ ଭୋଟ୍‍ ପାଇବାକୁ ସକ୍ଷମ ହେଲେ। ଏପରି କି ୧୯୬୯ରେ କଂଗ୍ରେସ ଦଳ ମଧ୍ୟରେ କନ୍ଦଳ ଯୋଗୁଁ ବିବେକ ଅନୁସାରେ ଭୋଟ୍‍ ଦେବାକୁ ଇନ୍ଦିରା ଗାନ୍ଧୀ ଘୋଷଣା କରିବା ଫଳରେ ଦଳୀୟ ପ୍ରାର୍ଥୀ ନିଲମ ସଞ୍ଜୀବା ରେଡ୍ଡୀଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭି.ଭି. ଗିରି ହରେଇବାକୁ ସକ୍ଷମ ହେଲେ; କିନ୍ତୁ ଏ ନିର୍ବାଚନରେ ସେଭଳି କିଛି ଉପୁଜିବାର ସମ୍ଭାବନା ନାହିଁ।

ପରିତାପର ବିଷୟ, ରାଜନୈତିକ ଦଳଗୁଡିକ ରାଷ୍ଟ୍ରପତି ପଦର ଗୁରୁତ୍ୱ ସେଭଳି ଉପଲବ୍ଧି କରନ୍ତି ନାହିଁ। ରାଜନୈତିକ ଫାଇଦା ଆଶାରେ କେତେବେଳେ ପାର୍ଟି-ମାଟି ଭଳି ଭାବପ୍ରବଣତା କଥା କହି ଭୋଟ୍‍ ଦିଅନ୍ତି ତ ଅନେକବେଳେ ଆଉ କିଛି କହନ୍ତି। ଶ୍ରୀମତୀ ମୁର୍ମୁଙ୍କୁ ବି.ଜେ.ଡ଼ି. ମାଟି ପାଇଁ ଭୋଟ ଦେବ ବୋଲି କହିଥିବାବେଳେ ୨୦୧୭ ନିର୍ବାଚନରେ ରାମନାଥ କୋବିନ୍ଦ ମାଟି କି ପାର୍ଟିର ନହୋଇଥିବାବେଳେ ମଧ୍ୟ ବିଜେଡି ଭୋଟ୍‍ ଦେଇଥିଲା।

ଅପରପକ୍ଷରେ, ୨୦୧୭ରେ ପ୍ରତିଦ୍ୱନ୍ଦ୍ବୀ ମୀରା କୁମାର ଓ ୨୦୨୨ରେ ଯଶୋବନ୍ତ ସିହ୍ନା ଉଭୟ ବିହାର ମାଟିର ହୋଇଥିଲେ ହେଁ ବିହାରର ଜେ.ଡି.ୟୁ ଓ ବି.ଜେ.ପି. ସେମାନଙ୍କୁ ଯଥାକ୍ରମେ ଭୋଟ୍‍ ଦେଇନଥିଲେ କି ଦେବାର ସମ୍ଭାବନା କମ୍‍। ବିଭିନ୍ନ ସମୟରେ ରାଷ୍ଟ୍ରପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ନିର୍ଦ୍ଦିଷ୍ଟ ଜାତି, ସଂପ୍ରଦାୟ, ଅଞ୍ଚଳର ପ୍ରାର୍ଥିତ୍ୱକୁ ନେଇ ଭୋଟ ମଗାଯାଇଥାଏ; କିନ୍ତୁ ସେ ବର୍ଗର ଲୋକେ ରାଷ୍ଟ୍ରପତି ହେବା ପରେ କ’ଣ ସେ ବର୍ଗଙ୍କର କିଛି ପରିବର୍ତ୍ତନ ହୋଇଛି? ୧୯୮୪ରେ ଶିଖ୍‌ ସମ୍ପ୍ରଦାୟର ଜ୍ଞାନୀ ଜୈଲ ସିଂହ ରାଷ୍ଟ୍ରପତି ଥିବାବେଳେ ଶିଖ୍‍ ଦଙ୍ଗା ଘଟିଥିଲା। ସେଭଳି ପୂର୍ବରୁ ମୁସଲମାନ ସମ୍ପ୍ରଦାୟର ରାଷ୍ଟ୍ରପତି ହୋଇଥିଲେ ହେଁ ମୁସଲମାନଙ୍କ ପ୍ରତି ଆମର ମନୋଭାବରେ କ’ଣ ପରିବର୍ତ୍ତନ ହୋଇଛି ? ଏ.ପି.ଜେ. ଅବଦୁଲ କଲାମଙ୍କ ପରି ମହାନ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି କରାଗଲା, ତଥାପି କ’ଣ ମୁସଲମାନଙ୍କ ପ୍ରତି କିଛି ମନୋଭାବ ପରିବର୍ତ୍ତନ ହୋଇଛି? ପ୍ରଥମ ଦଳିତ ବର୍ଗର ରାଷ୍ଟ୍ରପତି କେ.ଆର. ନାରାୟଣନ୍‍ (୧୯୯୭-୨୦୦୨) ଓ ଏବେ ରାମନାଥ କୋବିନ୍ଦ ଦାୟିତ୍ୱରେ ଥିବା ସ‌େ‌ତ୍ତ୍ବ ଦଳିତଙ୍କ ଭାଗ୍ୟର କ’ଣ କିଛି ପରିବର୍ତ୍ତନ ହୋଇଛି ନା ଅସ୍ପୃଶ୍ୟତା ହଟିଯାଇଛି। ପ୍ରତିଭା ସିଂହ ପାଟିଲ ପ୍ରଥମ ମହିଳା ରାଷ୍ଟ୍ରପତି ହେବା ପରେ କ’ଣ ମହିଳାଙ୍କ ପ୍ରତି ଆମର ମନୋଭାବରେ ପରିବର୍ତ୍ତନ ଆସିଛି? କୌଣସି ଜାତି ବା ସମ୍ପ୍ରଦାୟର ଜଣେ ବ୍ୟକ୍ତି ଉଚ୍ଚ ପଦରେ ଅନୁଷ୍ଠିତ ହୋଇଗଲେ ଯେ ସେ ଗୋଷ୍ଠୀର ବିକାଶ ସାଧନ ହୋଇଯିବ ତାହା ଭାରତରେ ଭାବିବା ଭୁଲ୍‍। କେବଳ ସେହି ‘କାର୍ଡ’କୁ ବ୍ୟବହାର କରି ପରବର୍ତ୍ତୀ ଲୋକସଭା-ବିଧାନସଭା ନିର୍ବାଚନରେ ଫାଇଦା ଉଠାଇବା ଦେଖାଯାଇଥାଏ। ସ୍ୱାଧୀନତାର ୭୫ବର୍ଷ ପରେ ବି ଦକ୍ଷତାକୁ ଆଧାର କରି ନିର୍ବାଚନ ହେଲା ନାହିଁ।

ରାଷ୍ଟ୍ରପତି ଭଳି ପଦକୁ ନେଇ ରାଜନୀତି କରିବା ବା ସାମାଜିକ ସମୀକରଣ କରିବା ଏକ ସୁସ୍ଥ ଗଣତନ୍ତ୍ରର ପରମ୍ପରା ନୁହେଁ। ଆମ ସାମ୍ବିଧାନିକ ବ୍ୟବସ୍ଥାରେ ରାଷ୍ଟ୍ରପତିଙ୍କୁ ସଖୀ କଣ୍ଢେଇ ବା ଆଳଙ୍କାରିକ ବା ରବରଷ୍ଟାମ୍ପ କହିବା ସମ୍ପୂର୍ଣ୍ଣ ଠିକ୍‍ ନୁହେଁ। ରାଷ୍ଟ୍ରପତିଙ୍କ ଦକ୍ଷତା ଓ କ୍ଷମତା ସୂଚାଇଥାଏ ରାଷ୍ଟ୍ରପତି କିଭଳି ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ କାର୍ଯ୍ୟ କରୁଛନ୍ତି ଏବଂ ମନ୍ତ୍ରିପରିଷଦକୁ ପରାମର୍ଶ ଦେଉଛନ୍ତି।

ଦ୍ୱିତୀୟତଃ, ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ଭାବେ ଯେହେତୁ ନିରପେକ୍ଷତା ପ୍ରଦର୍ଶନ କରିଥାଆନ୍ତି ପ୍ରତ୍ୟେକ ରାଜନୈତିକ ଦଳକୁ ପରାମର୍ଶ କରାଯାଇ ସର୍ବଗ୍ରହଣୀୟ ପ୍ରାର୍ଥୀ ମନୋନୟନ ହୋଇଥିଲେ ଭଲ ହୋଇଥାଆନ୍ତା ଓ ଅଣ-ରାଜନୈତିକ ବ୍ୟକ୍ତି ହୋଇଥିଲେ ସମସ୍ତଙ୍କ ପସନ୍ଦ ହୁଏତ ହୋଇଥାଆନ୍ତା ଏବଂ ନିର୍ବାଚନକୁ ଏଡାଇ ଦିଆଯାଇ ପାରିଥାଆନ୍ତା; କିନ୍ତୁ ଅନେକ ସମୟରେ ଦେଖାଯାଏ ଶାସକ ଦଳ ରାଷ୍ଟ୍ରପତିଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଦଳୀୟ ପ୍ରାର୍ଥୀ ଚୟନ କରିଥାଆନ୍ତି ଯାହାକି ଅନ୍ୟମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇନଥାଏ। ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତି ପଦ, ଗୋଟିଏ ଦଳର ନିୟନ୍ତ୍ରଣରେ ରହିଲେ ଆଇନ ପ୍ରଣୟନରେ କୌଣସି ବାଧା ରହିବ ନାହିଁ। ଆମ ଦେଶ ଯେହେତୁ ‘ବିଭିନ୍ନତା ମଧ୍ୟରେ ଏକତା’କୁ ପ୍ରାଧାନ୍ୟ ଦିଏ କୌଣସି ନିର୍ଦ୍ଦିଷ୍ଟ ଦଳର ନିୟନ୍ତ୍ରଣରେ ଏ ତିନିଟି ରହିଲେ ତାହା ଏକଛତ୍ରବାଦ ବା ମନମୁଖି ଶାସନପ୍ରବଣତା ସୃଷ୍ଟି କରିବା ଅସ୍ବାଭାବିକ ନୁହେଁ।

ଜଣେ ରାଷ୍ଟ୍ରପତିଙ୍କ ଦୃଢ଼ତା, ଅଭିଜ୍ଞତା ଓ ପରିଣାମଦର୍ଶିତା ଦେଶକୁ ଉଚିତ ମାର୍ଗରେ ନେବାକୁ ସହାୟକ ହୋଇଥାଏ। ସାମରିକ ବାହିନୀର ମୁଖ୍ୟ ଭାବେ ଯୁଦ୍ଧ ଘୋଷଣା, ଆଇନ ଅନୁମୋଦନ ବେଳେ ଭିଟୋ ପ୍ରୟୋଗ, ସଂସଦ ଅଧିବେଶନରେ ନଥିବାବେଳେ ଅଧ୍ୟାଦେଶ ଜାରି, ରାଜ୍ୟ ମଧ୍ୟରେ ଜଳ ବିବାଦର ସମାଧାନ, ସାମ୍ବିଧାନିକ ସଙ୍କଟବେଳେ ମିଳିତ ଅଧିବେଶନ ଡକାଇ ଠିକ୍‍ ପରାମର୍ଶ ଦେବା, ବିଭିନ୍ନ ଦେଶ ମଧ୍ୟରେ ଚୁକ୍ତି କରିବା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷମତାର ଅଧିକାରୀ ହେଉଛନ୍ତି ରାଷ୍ଟ୍ରପତି। ଏପରି କି ରାଷ୍ଟ୍ରପତିଙ୍କ ବିନା ସୁପାରିସରେ ‘ମନି ବିଲ୍‍’ ଉପସ୍ଥାପନ କରାଯାଇପାରିବ ନାହିଁ। ଏଠାରେ ପ୍ରକାଶଯୋଗ୍ୟ ଯେ ଏନ୍‍.ଡି.ଏ.ର ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ନ ଥିବା ଯୋଗୁଁ ‘ଆଧାର ବିଲ୍‍’କୁ ‘ମନି ବିଲ୍‍’ ମାନ୍ୟତା ଦେଇ ଲୋକସଭାରେ ପାସ୍‍ କରାଇ ଆଇନରେ ପରିଣତ କରିଦେଲେ। ତୃତୀୟତଃ, ‘ଧର୍ମନିରପେକ୍ଷତା’କୁ ଯେଭଳି ବିତର୍କ ମଧ୍ୟକୁ ଟଣାଯାଇଛି, ସେପରି ସ୍ଥଳେ ସୁସ୍ଥ ଗଣତନ୍ତ୍ର ପାଇଁ ପ୍ରତ୍ୟେକ କ୍ଷମତା କେନ୍ଦ୍ର ମଧ୍ୟରେ ଭାରସାମ୍ୟ ରହିବା ଆବଶ୍ୟକ। କୌଣସି ନିର୍ଦ୍ଦିଷ୍ଟ ଦଳ ନିୟନ୍ତ୍ରଣରେ ସଂସଦର ତିନିଟି ଭବନ ରହିଲେ ତାହା ଦେଶ ପାଇଁ ଶୁଭଙ୍କର ନୁହେଁ। ତେଣୁ ଭୋଟରମାନେ ଜାତି, ଧର୍ମ, ବର୍ଣ୍ଣ, ଅଞ୍ଚଳ ଏବଂ ଦଳ ଆଦି ସଂକୀର୍ଣ୍ଣତାର ଊର୍ଦ୍ଧ୍ବରେ ରହି ନିଜର ବିବେକ ଅନୁଯାୟୀ ଭୋଟ୍‍ ଦେଲେ ତାହା ଦେଶ ପାଇଁ ହିତକର ହେବା ସହିତ ରାଷ୍ଟ୍ରପତି ପଦର ଗରିମା ଅକ୍ଷୁଣ୍ଣ ରହିବ।

Comments are closed.