ଚନ୍ଦ୍ରରୁ ଆଣିବା ବିଦ୍ୟୁତ୍‌ ଶକ୍ତି

ପ୍ରମୋଦ କୁମାର ମହାପାତ୍ର

ଶକ୍ତି ହିଁ ବିକାଶ ତଥା ସୁସ୍ଥ ଜୀବନଯାପନର ମାପକାଠି। ଗ୍ରୀଷ୍ମପ୍ରଧାନ ଆମ ଦେଶରେ ଗ୍ରୀଷ୍ମଋତୁରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଯେପରି ଏକ ଜରୁରୀ ଆବଶ୍ୟକତା, ଶିଳ୍ପ ସଂସ୍ଥା, ସରକାରୀ କାର୍ଯ୍ୟାଳୟ ତଥା ଅନ୍ୟ ସବୁ ଶ୍ରେଣୀର ସଂସ୍ଥା ପାଇଁ ବିଦ୍ୟୁତ୍‌ ଶକ୍ତି ଆବଶ୍ୟକତା ଅନୁସାରେ ମିଳିବା ଜରୁରୀ। ତେବେ ବାସ୍ତବତା ହେଉଛି ଯେ ଏବେ ଆମ ରାଜ୍ୟ କି ଆମ ଦେଶ ନୁହେଁ, ପୃଥିବୀର ବିଭିନ୍ନ ଦେଶରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେବା ଏକ ସାଧାରଣ ଚିତ୍ର। ଆବଶ୍ୟକ ବିଦ୍ୟୁତ୍‌ ଶକ୍ତି ନପାଇ ସାଧାରଣ ବିଦ୍ୟୁତ୍‌ ଉପଭୋକ୍ତା ପ୍ରଚଣ୍ଡ ଗ୍ରୀଷ୍ମରେ ହଟହଟା ହେବାର ନଜିର ଆମ ପାଖରେ ଅଭାବ ନାହିଁ। ଏହାର ପ୍ରମୁଖ କାରଣ ହେଲା ଆମେ ଆବଶ୍ୟକ କରୁଥିବା ବିଦ୍ୟୁତ୍‌ ଶକ୍ତି ବର୍ତ୍ତମାନ ସୁଦ୍ଧା ଉତ୍ପାଦନ କରିପାରିନାହୁଁ। ଲବ୍ଧ ବିଦ୍ୟୁତ୍‌ ଶକ୍ତିର ପ୍ରମୁଖ ଭାଗ ଆମେ ଏବେ କୋଇଲା ଜାଳି ତାପଜଶକ୍ତି ସୂତ୍ରରୁ ପାଉଥିବାବେଳେ କୋଇଲା ଜାଳିଲେ ତାପମାତ୍ରା ବଢ଼ୁଛି ଓ ପ୍ରଦୂଷଣ ବୃଦ୍ଧି ପାଇବା ସତ୍ତ୍ବେ ଆମେ ଏହା କରିବାକୁ ବାଧ୍ୟ ହେଉଛୁ। ଜଳଭଣ୍ଡାରରୁ ବିଦ୍ୟୁତ୍‌ ଉତ୍ପାଦନ ସେତେଟା ଫଳପ୍ରଦ ହୋଇପାରୁନାହିଁ।

ଏହା ବ୍ୟତୀତ ଅନ୍ୟ ଯେଉଁସବୁ ସୂତ୍ରରୁ ଆମେ ପୃଥିବୀବାସୀ ବିଦ୍ୟୁତ ଶକ୍ତି ପାଉଛୁ ସେ ସବୁ ହେଲା ପ୍ରାକୃତିକ ତୈଳ। ପରମାଣୁ ଶକ୍ତିରୁ ସୃଷ୍ଟ ବିଦ୍ୟୁତଶକ୍ତି, ପବନଶକ୍ତି, ସୌର ରଶ୍ମିରୁ ମିଳୁଥିବା ଶକ୍ତି, ଭୂଗର୍ଭ ତାପଜ ଶକ୍ତି, ଅଣପାରମ୍ପରିକ ଶକ୍ତି ସୂତ୍ର, ଜୈବିକ ସୂତ୍ରରୁ ମିଳୁଥିବା ବିଦ୍ୟୁତ୍‌ ଶକ୍ତି । ତେବେ ଆମ ଦେଶରେ ଆମେ ଶତକଡ଼ା ୭୫ ଭାଗ ବିଦ୍ୟୁତ୍‌ ଶକ୍ତି କୋଇଲା ଜାଳି ତାପଜ ଶକ୍ତି ସୂତ୍ରରୁ ପାଇ ବ୍ୟବହାର କରୁଥିବାବେଳେ ଆମେରିକାରେ ମୋଟ ଶକ୍ତିର ଶତକଡ଼ା ୨୦ଭାଗ କୋଇଲା ସୂତ୍ରରୁ ଉତ୍ପାଦିତ ହେଉଛି। ଭାରତ ପରମାଣୁ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ ଆରମ୍ଭ କରିଥିଲେ ମଧ୍ୟ ଏହା ମାତ୍ର ବାର୍ଷିକ ୬୭୮୦ ମେଗାୱାଟ ମଧ୍ୟରେ ସୀମିତ ରହିଛି। ଅନ୍ୟ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ର ମଧ୍ୟ ଆମ ଦେଶରେ ଏଯାଏ ଆଖିଦୃଶିଆ ଭାବେ ବିକଶିତ ହୋଇପାରିନାହିଁ। ପୃଥିବୀର ଅଳ୍ପ କେତୋଟି କମ୍‌ ଲୋକସଂଖ୍ୟା ଥିବା ବିକଶିତ ଦେଶ ଶକ୍ତି କ୍ଷେତ୍ରରେ ଊଣାଅଧିକେ ସମୃଦ୍ଧ ହୋଇଥିବାବେଳେ ସାରା ପୃଥିବୀରେ ଏବେ ଶକ୍ତିର ନିଅଣ୍ଟିଆ ଅବସ୍ଥା ଲାଗିରହିଛି ବୋଲି ଆମକୁ ସ୍ବୀକାର କରିବାକୁ ହେବ। ଦିନ ପରେ ଦିନ ମଧ୍ୟ ବିଦ୍ୟୁତ୍‌ ଶକ୍ତିର ଆବଶ୍ୟକତା ବଢ଼ିବଢ଼ି ଚାଲିଛି।

ଏଭଳି ଅବସ୍ଥାରେ ପୃଥିବୀବାସୀ ଶକ୍ତି ସଂକଟ ମଧ୍ୟରେ ଥିବାବେଳେ କେତେଜଣ ବୈଜ୍ଞାନିକ ଆମର ପଡ଼ୋଶୀ ଏକମାତ୍ର ଉପଗ୍ରହ ଚନ୍ଦ୍ରରୁ ବିଦ୍ୟୁତ୍‌ଶକ୍ତି ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ଆମେରିକାର ପଦାର୍ଥବିଜ୍ଞାନୀ ଡକ୍ଟର ଡେଭିଡ କ୍ରିସୱେଲ ଓ ତାଙ୍କର ସହଯୋଗୀ ବୈଜ୍ଞାନିକଗୋଷ୍ଠୀ ମତ ଦେଇଛନ୍ତି ଯେ ଚନ୍ଦ୍ର ପୃଷ୍ଠରେ ଏତେ ପରିମାଣରେ ବିଦ୍ୟୁତ୍‌ଶକ୍ତି ରହିଛି ଯଦି ଆମେ ସେଠାରୁ ବିଦ୍ୟୁତ୍‌ ଶକ୍ତି ଆଣିପାରିବା ତେବେ ପୃଥିବୀବାସୀ ଆବଶ୍ୟକ କରୁଥିବା ସମସ୍ତ ବିଦ୍ୟୁତ୍‌ ସଙ୍କଟର ସମାଧାନ ହୋଇଯିବା ସହ ଆମର ସବୁ ଚାହିଦା ପୂରଣ ହୋଇପାରିବ। ଚନ୍ଦ୍ର ପୃଷ୍ଠରେ ସୌର ଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି କେନ୍ଦ୍ର ମାଧ୍ୟମରେ ଚନ୍ଦ୍ର ପୃଷ୍ଠରେ ସୌରଶକ୍ତି ସଂଗ୍ରହ କରାଯାଇ ତାହାକୁ ପୃଥିବୀ ପୃଷ୍ଠକୁ ଅଣାଯାଇପାରିବ।

୨୦୫୦ ମସିହା ବେଳକୁ ପୃଥିବୀର ଲୋକସଂଖ୍ୟା ଏକହଜାର କୋଟି ଟପିଯିବ। ସେତେବେଳେ ଆମେ ବର୍ତ୍ତମାନଠାରୁ ଅଧିକ ଶକ୍ତି ଆବଶ୍ୟକ କରିବା। ତେବେ ଚନ୍ଦ୍ର ସୂର୍ଯ୍ୟଠାରୁ ୧୩ ହଜାର ଟେରାୱାଟ ଶକ୍ତି ପାଉଥିବାରୁ ଆମେ​‌ ଯଦି ଚନ୍ଦ୍ର ପାଉଥିବା ଶକ୍ତିର ଶତକଡ଼ା ମାତ୍ର ଏକଭାଗ ସଂଗ୍ରହ କରି ପୃଥିବୀକୁ ଆଣିପାରିବା ତେବେ ପୃଥିବୀ ପୃଷ୍ଠରେ ସବୁଦିନର ଶକ୍ତି ସମସ୍ୟା ସମାଧାନ ହୋଇପାରିବ। ଏଥିପାଇଁ ଚନ୍ଦ୍ରପୃଷ୍ଠରେ ଏକ ଶକ୍ତିକେନ୍ଦ୍ର ସ୍ଥାପନ କରାଯିବ। ଚନ୍ଦ୍ର ପୃଷ୍ଠରେ ଥିବା ବିଭିନ୍ନ ପଦାର୍ଥକୁ ନେଇ ଏହି କେନ୍ଦ୍ର ସ୍ଥାପନ କରିବା ମାଧ୍ୟମରେ ପୃଥିବୀରୁ ସେଠାକୁ ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇ ଜିନିଷପତ୍ର ବୋହିନେବାକୁ ପଡ଼ିବ ନାହିଁ। ଏହି ଯୋଜନାରେ ଚନ୍ଦ୍ରପୃଷ୍ଠରେ ୨୦ରୁ ୪୦ଟି ଯାଏ ଏଭଳି ଶକ୍ତିକେନ୍ଦ୍ର ସ୍ଥାପନ କରିବାକୁ ହେବ। ଏସବୁ ଚନ୍ଦ୍ର ପୃଷ୍ଠର ପୂର୍ବ ଓ ପଶ୍ଚିମଭାଗରେ ସ୍ଥାପିତ ହେବ। ପ୍ରତ୍ୟେକ କେନ୍ଦ୍ରରେ ଅନେକ ସୌରକୋଷ ରହି ସୌର ରଶ୍ମିରୁ ଶକ୍ତି ସଂଗ୍ରହ କରିବ। ଯେଉଁଗୁଡ଼ିକ ଚନ୍ଦ୍ରପୃଷ୍ଠରେ ପୋତାଯାଇଥିବା ବିଦ୍ୟୁତ୍‌ ତାର ମାଧ୍ୟମରେ ବିଭିନ୍ନ ସ୍ଥାନରୁ ଆସି ​‌େ​‌ସଠାରେ ସଂଗୃହୀତ ହେବ।

ଏସବୁ ଶକ୍ତି ମାଇକ୍ରୋୱେଭ (ଅତ୍ୟନ୍ତ କ୍ଷୁଦ୍ର ତରଙ୍ଗ)ରେ ପରିବର୍ତ୍ତିତ ହେବ। ପରେ ଏହି ଶକ୍ତିକୁ ଏକ ଜେନେରେଟର ମାଧ୍ୟମରେ ଶକ୍ତିଶାଳୀ ତରଙ୍ଗରେ ପୃଥିବୀ ନିକଟକୁ ପ୍ରେରଣ କରାଯିବ। ଏସବୁ ପୃଥିବୀର ବିଭିନ୍ନ ସ୍ଥାନରେ ସ୍ଥାପିତ ଏକାଧିକ ଆଣ୍ଟିନା ସଂଗ୍ରହ କରି ଏହାକୁ ମାଇକ୍ରୋୱେଭ ଶକ୍ତିରୁ ବିଦ୍ୟୁତ୍‌ ଶକ୍ତିରେ ପରିବର୍ତ୍ତିତ କରି ସ୍ଥାନୀୟ ଶକ୍ତି କେନ୍ଦ୍ରକୁ ଯୋଗାଇ ଦେଇପାରିବ ବୋଲି କ୍ରିସୱେଲ ଓ ତାଙ୍କର ସହଯୋଗୀମାନେ ପ୍ରକାଶ କରିଛନ୍ତି।

ଏକବିଂଶ ଶତାବ୍ଦୀରେ ଏକ ନିସ୍ତବ୍ଧ କ୍ଷେତ୍ରରୁ କୌଣସି ବାଧାବିଘ୍ନ ବ୍ୟତୀତ ପ୍ରଚୁର ଶକ୍ତି ଉତ୍ସ ସଂଗ୍ରହ କରିବା ନିଶ୍ଚିତଭା​‌େ​‌ବ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଏହି କାର୍ଯ୍ୟକ୍ରମକୁ ସଂଚାଳିତ କରିବାପାଇଁ ଚନ୍ଦ୍ରପୃଷ୍ଠରେ ମଣିଷର ଉପସ୍ଥିତିର ଆବଶ୍ୟକତା ଜରୁରୀ ମନେହୁଏ। ବିଶେଷ ଭାବେ ସେଠାରେ ସ୍ଥାପିତ ଶକ୍ତି କେନ୍ଦ୍ରକୁ ସଂଚାଳନ କରିବାକୁ ରୋବଟଙ୍କୁ ରଖାଯିବାର ବ୍ୟବସ୍ଥା ସତ୍ତ୍ବେ ଅନ୍ତତଃ କେତେଜଣ ବିଶେଷଜ୍ଞଙ୍କ ସେଠାରେ ଅବସ୍ଥାନ ଜରୁରୀ ମନେହୁଏ। ଏଭଳି କେତେକ ଅସୁବିଧା ପାଇଁ ଏଯାଏ ଏଭଳି ଯୋଜନା ଆରମ୍ଭ ହୋଇପାରିନାହିଁ।

ଇତିମଧ୍ୟରେ ଚନ୍ଦ୍ରର ତିନିଟି ସ୍ଥାନରେ ମଣିଷର ବସତି ଯୋଜନା ପାଇଁ ବେନ.ଜେ.ବୁସି ତଥା ଅନ୍ୟ କେତେଜଣ ବୈଜ୍ଞାନିକ ମତ ଦେଇଛନ୍ତି। ସେ ସବୁ ସ୍ଥାନ ହେଲା ଚନ୍ଦ୍ରର ସାଖଲଟନ ଗହ୍ବର ନିକଟବର୍ତ୍ତୀ ସ୍ଥାନ, ଦ୍ବିତୀୟ ସ୍ଥାନଟି ଏହାଠାରୁ ୬ ମାଇଲ ଦୂରରେ ଅବସ୍ଥିତ। ତୃତୀୟ ସ୍ଥାନଟି ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ଏହି ସବୁ ସ୍ଥାନ ପର୍ଯ୍ୟାପ୍ତ ସୂର୍ଯ୍ୟରଶ୍ମି ପାଇପାରୁଛି। ନିକଟ ଭବିଷ୍ୟତରେ ଏଠାରେ ମଣିଷର ବସତି କ୍ଷେତ୍ର ସ୍ଥାପନ ପରେପରେ ମଣିଷ ଚନ୍ଦ୍ର ପୃଷ୍ଠର ସୁଖ ସୁବିଧା ପାଉ କି ନପାଉ ସେଠାରୁ ପୃଥିବୀବାସୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ୍‌ ଶକ୍ତି ସଂଗ୍ରହ କରି ଯେ ପଠାଇବ ଓ ପୃଥିବୀର ଶକ୍ତି ସମସ୍ୟା ଦୂରୀକରଣରେ ଦିନେ ଆମର ଅତିପ୍ରିୟ ଚନ୍ଦ୍ରମା ଯେ ସହଯୋଗୀ ହେବ ଏହା ହିଁ ଆଶା କରାଯାଇପାରେ।

ତେବେ ବର୍ତ୍ତମାନ ଅବସ୍ଥାରେ ପରିବର୍ତ୍ତିତ ପୃଥିବୀର ପ୍ରାକୃତିକ ପରିବେଶରେ ବୃଦ୍ଧି ପାଉଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବାପାଇଁ ଆମକୁ ଚନ୍ଦ୍ର ବ୍ୟତୀତ ମହାକାଶ ଉପରେ ମଧ୍ୟ ସୌରରଶ୍ମି ପାଇଁ ନିର୍ଭର କରିବାକୁ ହେବ। ଇତିମଧ୍ୟରେ କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ୫୦ଟି ସଂଗଠନ ପକ୍ଷରୁ ମହାକାଶରେ ସୋଲାର ପ୍ୟାନେଲ ସ୍ଥାପନ କରି ପୃଥିବୀପୃଷ୍ଠଠାରୁ ୧୩ଗୁଣ ଅଧିକ ସୌରରଶ୍ମିରୁ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରାଯିବ ବୋଲି ଘୋଷଣା କରାଯାଇଛି। ଏହି ବ୍ୟବସ୍ଥାରେ ପୃଥିବୀ ପୃଷ୍ଠଠାରୁ ୩୬ହଜାର କିଲୋମିଟର ଉଚ୍ଚତାରେ ସୌର ପ୍ୟାନେଲ ନିର୍ମାଣ ହେବ ଓ ଏହି ଯୋଜନାରୁ ୨୦୩୫ ମସିହାରେ ଆମେ ବିଦ୍ୟୁତ୍‌ଶକ୍ତି ଉତ୍ପାଦନ କରିପାରିବା। ଏକ ବୃହତ୍‌ ଆଣ୍ଟିନା ଲଗାଯାଇ ଏହା ସୌରଶକ୍ତିକୁ ବିଦ୍ୟୁତ୍‌ ଶକ୍ତିରେ ରୂପାନ୍ତରିତ କରି ଭୂପୃଷ୍ଠକୁ ଯୋଗାଇବ। ମହାକାଶରୁ ମିଳୁଥିବା ସୌରରଶ୍ମି ପ୍ରକଳ୍ପ ଶକ୍ତିର ଭଣ୍ଡାର। ତେବେ ଏହା ଯେପରି ପୃଥିବୀରୁ ଯାତ୍ରା କରୁଥିବା ଶତାଧିକ ମହାକାଶଯାନ ପ୍ରତି ବିପଦ ସୃଷ୍ଟି ନକରେ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ। ଆଗାମୀ ଦିନ ସୂର୍ଯ୍ୟରଶ୍ମି ହିଁ ଆମର ପ୍ରମୁଖ ଶକ୍ତି ସୂତ୍ର- ଏହାକୁ ଆମେ ସ୍ବୀକାର କରିବା ସହ ଏହା ଯେ ଅନେକ ପରିବେଶ ସମସ୍ୟା ସମାଧାନର ପଥ ପରିଷ୍କାର କରିବ ତାହା ମାନିବାକୁ ହେବ।

Comments are closed.