ଓଡ଼ିଶା ବଜେଟ: ଆଶା-ନିରାଶା

ସନ୍ତୋଷ କୁମାର ମହାପାତ୍ର

ଗତ ଜୁଲାଇ ୨ ତାରିଖରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ନିରଞ୍ଜନ ପୂଜାରୀଙ୍କ ଏହା ପଞ୍ଚମ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ। ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ଗତ ମାର୍ଚ୍ଚ ୩୦ରେ ସେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ ଏବଂ ସେଥିରୁ ବର୍ଷର ପ୍ରଥମ ଚାରିମାସ ପାଇଁ ସର୍ବାଧିକ ୧,୦୬,୪୯୮କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ସାଧାରଣ ବଜେଟ୍ ସହିତ ପୂର୍ବପରି ସ୍ବତନ୍ତ୍ର କୃଷି ବଜେଟ୍ ଉପସ୍ଥାପନ କରାଯାଇଛି। ପୁନଶ୍ଚ ବଜେଟରେ ବିଭିନ୍ନ ବିଭାଗ ଯଥା ନିରନ୍ତର ଉନ୍ନୟନ ବିକାଶ, ଲିଙ୍ଗ, ଶିଶୁ, ଜଳବାୟୁ , ପୋଷଣ ଆଦି ରହିଛି। ବଜେଟ୍ ସମ୍ପର୍କୀୟ ଠିକ ତଥ୍ୟ ଜନସାଧାରଣଙ୍କୁ ସୁବିଧାରେ ଉପଲବ୍ଧ କରାଇବା ଓ ସରକାରୀ ଅର୍ଥ ପରିଚାଳନାରେ ସ୍ବଚ୍ଛତା ଆଣିବା ପାଇଁ ‘ଜନସାଧାରଣ ବଜେଟ୍’ ନାମକ ଦସ୍ତାବିଜ ଉପସ୍ଥାପନ କରାଯାଇଛି। ବିଭିନ୍ନ ଜଟିଳ ତଥ୍ୟ ସରଳ ଭାଷାରେ ଉପସ୍ଥାପନ କରାଯାଇଛି; ଯାହା ପ୍ରଶଂସନୀୟ। ମୁଖ୍ୟମନ୍ତ୍ରୀ ଏହାକୁ ବିକାଶଶୀଳ କହିବା ସହିତ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଲା ବେଳେ ବିରୋଧୀଦଳ ତରଫରୁ ଏହାକୁ ନୈରାଶ୍ୟଜନକ, ନୂତନତ୍ବବିହୀନ, ଅନ୍ତଃସାର ଶୂନ୍ୟ, ନିଯୁକ୍ତିବିହୀନ କୁହାଯାଇଛି। ବଜେଟର ସବିଶେଷ ସମୀକ୍ଷା କଲେ ବାସ୍ତବ ରୂପ ଜଣାପଡିବ।

ସାଧାରଣତଃ ଏକ ବଜେଟକୁ ଯେତେବେଳେ ସମୀକ୍ଷା କରାଯାଏ, ନୋମିନାଲ ବା ନାମାଙ୍କନ ମୂଲ୍ୟରେ କେତେ ବୃଦ୍ଧି ପାଇବ ତାହା ବିଚାର କରାଯାଏ ନାହିଁ। କାରଣ ଏହା ପ୍ରତ୍ୟେକ ବର୍ଷ ବୃଦ୍ଧି ପାଇଥାଏ। ଏଣୁ ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ କେତେ ବ୍ୟୟ ଅଟକଳ ବୃଦ୍ଧି ପାଇଛି, ତାହା ସମୀକ୍ଷା ହେବାକଥା। ଅନ୍ୟଅର୍ଥରେ ରାଜ୍ୟର ନାମାଙ୍କନ ଜିଡିପି ବୃଦ୍ଧି ଅନୁସାରେ ମୋଟ ବ୍ୟୟ ତଥା ବିଭିନ୍ନ କ୍ଷେତ୍ରରେ ବ୍ୟୟ, ରାଜସ୍ବ, ଅଣରାଜସ୍ବ କେତେ ବୃଦ୍ଧି ପାଇଛି ତାହାକୁ ବିଚାର କରିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ୨୦୨୨-୨୩ରେ ନାମାଙ୍କନ ଜିଏସ୍‌ଡିପି ୭.୧୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆର୍ଥିକ ସର୍ବେକ୍ଷଣରେ ଆକଳନ କରାଯାଇଥିଲା। ୨୦୨୨-୨୩ର ଅନ୍ତରୀଣ ବଜେଟର ଆକଳନବେଳେ ନାମାଙ୍କନ ଜିଏସ୍‌ଡିପି ୧୨.୭% ଓ ବାସ୍ତବ ଜିଏସ୍‌ଡିପି (ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ) ୯ ରୁ ୯. ୫% ବୃଦ୍ଧି ପାଇବ ବୋଲି ଧାର୍ଯ୍ୟ କରାଯାଇଥିଲା; କିନ୍ତୁ ବିଶ୍ବ ତଥା ଭାରତରେ ମୁଦ୍ରାସ୍ଫୀତି ବୃଦ୍ଧି ସାଙ୍ଗକୁ ଆକଳିତ ଅଭିବୃଦ୍ଧି ହ୍ରାସକୁ ବିଚାରକୁ ନେଇ ବାସ୍ତବ ଜିଏସ୍‌ଡିପି ୮ରୁ ୮.୫% ବୃଦ୍ଧି ପାଇବ ବୋଲି ଧାର୍ଯ୍ୟ କରାଯାଇଛି। ଗତବର୍ଷ ବଜେଟ୍ ଅଟକଳ ୧.୭୦ ଲକ୍ଷ କୋଟି ଟଙ୍କା ଥିଲାବେଳେ ସଂଶୋଧିତ ଅଟକଳରେ ଏହା ୧.୬୫ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଥିଲା; କିନ୍ତୁ ଡିସେମ୍ବର ୨୦୨୧ରେ ମଧ୍ୟ ୧୯୩୮୦ କୋଟି ଟଙ୍କାର ଅତିରିକ୍ତ ବା ସପ୍ଲିମେଣ୍ଟାରୀ ବଜେଟ୍ ଆଗତ କରଯାଇଥିଲା ଯାହା ମୂଲ୍ୟହୀନ ହୋଇଛି। ଅବଶ୍ୟ ଗତବର୍ଷ ତୁଳନାରେ ବ୍ୟୟ ଅଟକଳ ୧୭.୬% ବୃଦ୍ଧି ପାଇବା ସ୍ବାଗତଯୋଗ୍ୟ; କିନ୍ତୁ ଗତ ୨୨ ବର୍ଷରେ ବଜେଟ୍ ଆକାର ୧୭ ଗୁଣ ବଢିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି; ତେବେ ନାମାଙ୍କନ ମୂଲ୍ୟରେ ସବୁ ରାଜ୍ୟର ଓ ଦେଶର ତାହା ବୃଦ୍ଧି ପାଇଥାଏ। ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ବା ଜିଏସଡିପି ଅନୁସାରେ କେତେ ବୃଦ୍ଧି ପାଇଛି ତାହା ବିଚାରକୁ ନେବା ଉଚିତ। ଅବଶ୍ୟ ୨୦୧୨-୧୩ରେ ନାମାଙ୍କନ ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି ) ଅନୁସାରେ ବଜେଟର ଆକାର ୧୯.୯୨% ଥିଲାବେଳେ କ୍ରମଶଃ ବୃଦ୍ଧି ପାଇ ୨୦୨୧-୨୨ରେ ୨୫.୮% ପହଞ୍ଚିଥିଲା ଏବଂ ୨୦୨୨-୨୩ରେ ଏହା ୨୭.୭% ହେବ ବୋଲି ଆକଳନ କରାଯାଇଛି। ଏହା ସ୍ବାଗତଯୋଗ୍ୟ।

ବଜେଟରେ ବିଭିନ୍ନ କ୍ଷେତ୍ରରେ ବ୍ୟୟବରାଦ ନାମାଙ୍କନ ମୂଲ୍ୟରେ, ମୁଦ୍ରାସ୍ଫୀତିକୁ ବିଚାରକୁ ନେଲେ ବୃଦ୍ଧି ପାଇଲାବେଳେ, କିଛି ​‌େ​‌କ୍ଷତ୍ରରେ ମଧ୍ୟ ହ୍ରାସ ପାଇଛି। ପ୍ରଶାସନିକ ବ୍ୟୟ ୨୦୨୧-୨୨ରେ ୮୫ ହଜାର କୋଟି ଧାର୍ଯ୍ୟ କରାଯାଇଥିଲାବେଳେ ଏହି ବଜେଟରେ ୮୯,୫୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପ୍ରଶାସନିକ ବ୍ୟୟ ସାଧାରଣତଃ ସମ୍ପଦ ସୃଷ୍ଟି କରେନା; କିନ୍ତୁ ନିଯୁକ୍ତି ସୃଷ୍ଟି ପାଇଁ ଆବଶ୍ୟକ ଏବଂ ପରୋକ୍ଷରେ ଅଭିବୃଦ୍ଧିରେ ସହାୟକ ହୁଏ। ଏହାର ଅର୍ଥ ସରକାର ବେତନ, ପେନସନ, ସୁଧ ବାବଦରେ ବେଶୀ ବ୍ୟୟ କରିବେ ନାହିଁ; ଅର୍ଥାତ ନୂତନ ନିଯୁକ୍ତିର ସମ୍ଭାବନା ନାହିଁ କି ଖାଲି ସ୍ଥାନ ପୂରଣ ହେବ ନାହିଁ। ଏହା ବେକାର ଯୁବାଙ୍କ ପାଇଁ ଭଲ ଖବର ନୁହେଁ। କାର୍ଯ୍ୟକ୍ରମ ବ୍ୟୟ ଯାହା ୨୦୨୧ -୨୨ ବଜେଟରେ ୭୫,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା ତାହା ଏହି ବଜେଟରେ ୧ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହା ବଜେଟର ୫୦%। ୨୦୨୦-୨୧ ବଜେଟରେ ବିପର୍ଯ୍ୟୟ ପ୍ରଶମନ ପାଇଁ ୩୨୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲାବେଳେ ୨୦୨୧-୨୨ରେ ହ୍ରାସପାଇ ୩୦୫୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏହି ବଜେଟରେ ୩୨୨୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଆଶାନୁରୂପ ବୃଦ୍ଧି ନହେବାର କାରଣ ହେଲା କେନ୍ଦ୍ରୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ସାହାଯ୍ୟ ହ୍ରାସ ପାଇବା। ସେହିପରି ୨୦୨୦-୨୧ ଲୋକାଲ ବଡିଜ୍‌ ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର ପାଇଁ ୭୧୪୫ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା; କିନ୍ତୁ ୨୦୨୧-୨୨ ଏହି ବଜେଟରେ ୬ ହଜାର ୯୫୦ କୋଟି ଟଙ୍କାକୁ ହ୍ରାସ ପାଇଥିଲା। ଏହି ବଜେଟରେ ମାତ୍ର ୭୨୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

୨୦୨୧ -୨୨ ମସିହାରେ ରାଜ୍ୟର ନିଜସ୍ୱ ଟିକସ/ ଜିଏସ୍‌ଡିପି ଅନୁପାତ ୬.୪ % ହେବବୋଲି ଆକଳନ କରଯାଇଥିଲାବେଳେ ସଂଶୋଧିତ ଆକଳନରେ ଏହା ୬.୫୦% ବୃଦ୍ଧି ପାଇଥିଲା। ଅବଶ୍ୟ ୨୦୨୨-୨୩ରେ ଏହା ୬.୪ % ହେବ ବୋଲି ଆକଳନ କରାଯାଇଛି। ୧୩ତମ ଅର୍ଥ ଆୟୋଗ ଅନୁଯାୟୀ ଏହା ୬.୭୫ % ହେବା ଉଚିତ। ତେବେ ଅନେକ ରାଜ୍ୟରେ ମଧ୍ୟ ଓଡିଶା ତୁଳନାରେ କମ୍ ଅନୁପାତ ରହିଛି। ସେହିଭଳି, ଅଣ-ଟିକସ / ଜିଏସ୍‌ଡିପି ଅନୁପାତ ଯାହା ୨୦୨୧-୨୨ରେ ୯.୮୦% ହିସାବ କରାଯାଇଥିଲା, ତାହା ସଂଶୋଧିତ ଆକଳନରେ ୧୩.୫% ବୃଦ୍ଧି ପାଇଛି ଏବଂ ୨୦୨୨-୨୩ରେ ଏହି ଅନୁପାତ ୧୩.୧% ପାଖାପାଖି ହେବ ବୋଲି ସ୍ଥିର କରାଯାଇଛି। ଏପରି ବୃଦ୍ଧିର କାରଣ ହେଲା ଖଣିଜ ରୟାଲଟି ବୃଦ୍ଧି ପାଇ ଅଣଟିକସ ରାଜସ୍ବ ବୃଦ୍ଧି ପାଇବା; କିନ୍ତୁ ଖଣିଜ ସମ୍ପଦ ଅସୀମ ନୁହେଁ, ସେଥିପ୍ରତି ଧ୍ୟାନ ଦେବା ଉଚିତ।

ମୋଟ ରାଜସ୍ୱ ପ୍ରାପ୍ତିରେ ରାଜ୍ୟର ନିଜର ଟିକସ ରାଜସ୍ୱ, ଅଣଟିକସ ରାଜସ୍ୱ, କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ, କେନ୍ଦ୍ରୀୟ ଅନୁଦାନ ରହିଥାଏ। ପଞ୍ଚଦଶ ଅର୍ଥ ଆୟୋଗ ଅନୁଯାୟୀ, ଦେଶର ମୋଟ ସରକାରୀ ଖର୍ଚ୍ଚ ରାଜ୍ୟଗୁଡିକ ୬୨%ରୁ ଅଧିକ ବହନ କଲାବେଳେ ରାଜସ୍ୱ ଆଦାୟ କରିବାର କ୍ଷମତା ମାତ୍ର ୩୭% ରହିଛି; କିନ୍ତୁ କେନ୍ଦ୍ର ସରକାରଙ୍କ ହାତରେ ରାଜସ୍ୱ ସଂଗ୍ରହ କରିବାର କ୍ଷମତାର ୬୩% ଥିଲାବେଳେ ମାତ୍ର ୩୮% ଖର୍ଚ୍ଚ ବହନ କରିଥାନ୍ତି। ଏଣୁ ରାଜ୍ୟମାନେ କେନ୍ଦ୍ରୀୟ ପାଣ୍ଠିରୁ ବେଶୀ ପାଇବା ଉଚିତ; କିନ୍ତୁ ଚିନ୍ତାଜନକ ହେଉଛି କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ବୃଦ୍ଧି ପାଇବା ପରିବର୍ତ୍ତେ ହ୍ରାସ ପାଉଛି। ୨୦୧୬-୧୭ରେ ମୋଟ ରାଜସ୍ୱ ପ୍ରାପ୍ତିରେ ଓଡିଶାର ଅଂଶ ୩୮.୧୨% ଥିଲାବେଳେ କ୍ରମଶଃ ହ୍ରାସପାଇ ୨୦୨୧-୨୨ରେ ସଂଶୋଧିତ ଅଟକଳରେ ୨୩.୮୩% ହୋଇଥିଲା। ୨୦୨୨-୨୩ରେ ଏହା ପୁନଶ୍ଚ ୨୩.୮୩%କୁ ହ୍ରାସପାଇବ। ସେହିପରି ଓଡିଶାର ମୋଟ ରାଜସ୍ୱ ପ୍ରାପ୍ତିରେ କେନ୍ଦ୍ରୀୟ ଅନୁଦାନ ମଧ୍ୟ ହ୍ରାସ ପାଉଛି। ୨୦୧୬-୧୭ରେ ୨୦.୩୦% ଥିଲାବେଳେ କ୍ରମଶଃ ହ୍ରାସପାଇ ୨୦୨୧-୨୨ରେ ସଂଶୋଧିତ ଅଟକଳରେ ୧୫.୩୧%କୁ ହ୍ରାସ ପାଇଥିଲା। ଯଦିଓ ୨୦୨୨-୨୩ରେ ଏହା ୨୦%କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି, ତଥାପି ଏହା ନୈରାଶ୍ୟଜନକ। କେନ୍ଦ୍ରୀୟ ଟିକସ ଓ ଅନୁଦାନ ପରିମାଣ ରାଜ୍ୟର ମୋଟ ରାଜସ୍ୱ ପ୍ରାପ୍ତିରେ ୨୦୧୬-୧୭ରେ ୫୮.୪୨% ଥିଲାବେଳେ କ୍ରମଶଃ ହ୍ରାସପାଇ ୨୦୨୧-୨୨ରେ ସଂଶୋଧିତ ଅଟକଳରେ ୩୯.୧୪% ହୋଇଥିଲା। ଯଦିଓ ୨୦୨୨-୨୩ରେ ଏହା ୪୨.୫୫%କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି; କିନ୍ତୁ ଆଶାଜନକ ନୁହେଁ। କ୍ରମାଗତ ହ୍ରାସର ଏକ ମୁଖ୍ୟ କାରଣ ହେଲା କେନ୍ଦ୍ର ଅର୍ଥ କମିସନ ସୁପାରିସ ଅନୁଯାୟୀ ଅର୍ଥ ହସ୍ତାନ୍ତର ହ୍ରାସ ପାଇବା। କେନ୍ଦ୍ର ସରଚାର୍ଜ, ସେସ ଦ୍ବାରା ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ସମ୍ବଳ ଆଦାୟ କରିବା ଦ୍ବାରା ରାଜ୍ୟଗୁଡ଼ିକ ବିଭାଜିତ ପାଣ୍ଠିରୁ କମ୍ ପାଉଛନ୍ତି। କାରଣ କେନ୍ଦ୍ର ସରଚାର୍ଜ, ସେସ ଦ୍ବାରା ଯେଉଁ ସମ୍ବଳ ଆଦାୟ କରେ, ସେଥିରେ ରାଜ୍ୟର କିଛି ଭାଗ ନଥାଏ।

ଏହା ସତ୍ତ୍ୱେ ବିତ୍ତୀୟ ଶୃଙ୍ଖଳା ବଜାୟ ରଖାଯାଇଛି। ୨୦୨୨-୨୩ ବର୍ଷର ବଜେଟରେ ୧୦ହଜାର କୋଟି ଟଙ୍କାର କର୍ପସ ସହିତ ଏକ ବଜେଟ୍‍ ସ୍ଥିରୀକୃତ ପାଣ୍ଠି ପ୍ରତିଷ୍ଠା କରାଯିବ ଯାହାକି ସମଗ୍ର ଦେଶରେ ପ୍ରଥମ ପଦକ୍ଷେପ। କୌଣସି କାରଣରୁ ଟିକସ ଆଦାୟ ହ୍ରାସ ହେଲେ, ଏହି ପାଣ୍ଠି ବିନିଯୋଗ ହେବ। କେନ୍ଦ୍ର ତାହାର କର୍ତ୍ତୃତ୍ବ ଜାହିର କରିବା ପାଇଁ ବିଭିନ୍ନ ଜନପ୍ରିୟ ଯୋଜନା ବନ୍ଦ କରିବାକୁ ଯେଉଁ ବିଭିନ୍ନ ଚାପ ରାଜ୍ୟଗୁଡ଼ିକ ଉପରେ ସୃଷ୍ଟି କରାଯାଉଥିଲା, ସେଥିରେ ଅର୍ଥମନ୍ତ୍ରୀ ପ୍ରଭାବିତ ହୋଇନାହାନ୍ତି। ଏହା ସ୍ବାଗତଯୋଗ୍ୟ; କିନ୍ତୁ ମହାମାରୀ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ବା ରୋଜଗାର ହରାଇଥିବା ପରିବାରର ଥଇଥାନ ପାଇଁ କୌଣସି ପଦକ୍ଷେପ ନନେବା ଚିନ୍ତାଜନକ। ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଯେଉଁ ଦରଦାମ ବୃଦ୍ଧି ପାଉଛି, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟୟସାପେକ୍ଷ ହେଉଛି, ବେକାରୀ ବୃଦ୍ଧି ପାଉଛି, ସେହିସବୁ ସମସ୍ୟାର ସମାଧାନ ପାଇଁ କିଛି ପଦକ୍ଷେପ ନାହିଁ। ତଥାପି ସମ୍ବଳ ଅଭାବ ସତ୍ତ୍ୱେ ବଜେଟ ଗରିବ ଓ ମହିଳାଙ୍କ ସ୍ବାର୍ଥକୁ ଅର୍ଥମନ୍ତ୍ରୀ ଧ୍ୟାନ ଦେଇଛନ୍ତି ।

Comments are closed.