ବିଜୁଳି ପାଇବାକୁ କ’ଣ ରାଷ୍ଟ୍ରପତି ହେବାକୁ ପଡ଼ିବ!

ଶ୍ୟାମସୁନ୍ଦର ଅଗ୍ରୱାଲା

ଦ୍ରୌପଦୀ ମୁର୍ମୁ ବିଧାୟିକା ହେଲେ, କିନ୍ତୁ ତାଙ୍କ ଗାଁକୁ ବିଜୁଳି ଆସିଲା ନାହିଁ। ମନ୍ତ୍ରୀ ହେଲେ, ବିଜୁଳି ଆସିଲା ନାହିଁ। ରାଜ୍ୟପାଳ ହେଲେ ତଥାପି ତାଙ୍କ ଗାଁକୁ ବିଜୁଳି ଆସିଲା ନାହିଁ। ଶେଷକୁ ଯେତେବେଳେ ଯାଇ ସେ ରାଷ୍ଟ୍ରପତି ହେଲେ ତାଙ୍କ ଗାଁକୁ ବିଜୁଳି ଆସିଲା। ୟା’ ଅର୍ଥ କ’ଣ ଗାଁକୁ ବିଜୁଳି ଆଣିବାକୁ ହେଲେ ଗାଁର ଜଣକୁ ରାଷ୍ଟ୍ରପତି ହେବାକୁ ପଡ଼ିବ? ରାଷ୍ଟ୍ରପତି ତ ଜଣେ ଆଉ ସେ ବି ପାଞ୍ଚ ବର୍ଷରେ ଥରେ; ତେଣୁ ବିଜୁଳି ଦେଖିବାକୁ ହେଲେ ଗ୍ରାମବାସୀଙ୍କୁ କ’ଣ ଜଣେ କିଏ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ ବାରମ୍ବାର ଜନ୍ମ ନେବାକୁ ପଡ଼ିବ?

ଆଜ୍ଞା, ଆମର ଏଠି କୌଣସି ଘଟଣା ହେଉ କି ଦୁର୍ଘଟଣା ହେଉ ଯେ ପର୍ଯ୍ୟନ୍ତ ତାହା ନ ଘଟିଛି ସେ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୁଏ ନାହିଁ। ଯେ ପର୍ଯ୍ୟନ୍ତ ମୁକୁଳା ନାଳରେ ପଡି଼ ଜଣଙ୍କର ମୃତ୍ୟୁ ନ ହୋଇଛି ସେ ପର୍ଯ୍ୟନ୍ତ ସେହି ତା’ ଉପରେ ସ୍ଲାବ ପକାଯାଏ ନାହିଁ। ଯେ ପର୍ଯ୍ୟନ୍ତ ଗୋଟିଏ ପରିତ୍ୟକ୍ତ ବୋରୱେଲ ଭିତରେ ଜଣେ ବାଳକ ଗଳି ନ ପଡି଼ଛି ସେ ପର୍ଯ୍ୟନ୍ତ ସେହି ବୋରୱେଲକୁ ପୋତା ଯାଏ ନାହିଁ। ଯେ ପର୍ଯ୍ୟନ୍ତ କୌଣସି ଡାକ୍ତରଖାନାରେ ନିଆଁ ଲାଗି ଦୁଇ ଚାରିଜଣ ରୋଗୀ ପୋଡ଼ିକି ନ ମରିଛନ୍ତି ସେ ପର୍ଯ୍ୟନ୍ତ ସେଠାରେ ଅଗ୍ନି ନିର୍ବାପକ ଯନ୍ତ୍ର ଲଗାଯାଏ ନାହିଁ କି ଯେ ପର୍ଯ୍ୟନ୍ତ କୌଣସି ରାସ୍ତାରେ ଦୁର୍ଘଟଣା ଘଟି ବସ୍‌ରେ ଯାଉଥିବା ଚାଳିଶ ପଚାଶ ଜଣ ଯାତ୍ରୀ ଖଣ୍ଡିଆଖାବରା ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ସେ ରାସ୍ତା କି ବସ୍‌କୁ ତଦାରଖ ମଧ୍ୟ କରାଯାଏ ନାହିଁ।

ଏମିତି ଅନେକ କଥା। ଲେଖିଲେ ଏକ ଲମ୍ବା ତାଲିକା ହେବ। ସତେ ଯେମିତି ଆମେ ଘଟଣା ହେଉ କି ଦୁର୍ଘଟଣା ହେଉ ସେ ସବୁକୁ ଘଟିବାକୁ ଅନେଇକି ବସିଛୁ। ଏବେକାର କଥା କହୁଛି। ଗୋଟିଏ ଦିବ୍ୟାଙ୍ଗ ସ୍କୁଲକୁ ରାଜ୍ୟ ଶିକ୍ଷା ବିଭାଗର କର୍ମକର୍ତ୍ତାମାନେ ପରିଦର୍ଶନରେ ଯାଇଥିଲେ। ଏହା ଏକ ସାଧାରଣ ଘଟଣା; କିନ୍ତୁ ଅସାଧାରଣ କଥା ସେତେବେଳେ ଘଟିଲା ଯେତେବେଳେ ସ୍କୁଲର ଜଣେ ଦୃଷ୍ଟିବାଧିତ ଛାତ୍ର ସେମାନଙ୍କୁ ପ୍ରଶ୍ନ କରିଥିଲା, “ମୁଁ ସିନା ଅନ୍ଧ କିନ୍ତୁ ଆପଣମାନେ କ’ଣ ଅନ୍ଧ ହୋଇଗଲେ? ଆପଣମାନେ କ’ଣ ଦେଖିପାରୁନାହାନ୍ତି ଯେ ଆମ ସ୍କୁଲରେ ଶହ ଶହ ଛାତ୍ରଛାତ୍ରୀଙ୍କ ପାଇଁ କେବଳ ହାତଗଣତି ଶିକ୍ଷକଶିକ୍ଷୟିତ୍ରୀ ଅଛନ୍ତି? ଆମେ ପଢ଼ିବୁ କିପରି? ଆପଣମାନଙ୍କୁ କ’ଣ ଦିଶୁନାହିଁ?” ଜଣେ ସାଧାରଣ ଦୃଷ୍ଟିବାଧିତ ଛାତ୍ରର ଏପରି ଅସାଧାରଣ ପ୍ରଶ୍ନ ବିଜୁଳି ବେଗରେ ପ୍ରଚାରିତ ହେବା ମାତ୍ରେ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେଇ ଅଧିକ ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତିର ବ୍ୟବସ୍ଥା କରିଥିଲେ। ପ୍ରଶ୍ନ ଉଠେ, ଏ ଯାଏ କଥା ଗଲା କାହିଁକି?

ପ୍ରତିଦିନ ଖବରକାଗଜରେ ପ୍ରକାଶ ପାଉଛି ଯେ ଅମୁକ ଗାଁ’କୁ ପାଣି ନାହିଁ ତ ସମୁକ ଗାଁକୁ ରାସ୍ତା ନାହିଁ। ଅମୁକ ଗାଁର ପିଲାମାନେ କାଠ ଉପରେ ଭାରା ଦେଇ ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି ତ ସମୁକ ଗାଁର ବ୍ୟକ୍ତି ତାହାର ଗର୍ଭବତୀ ସ୍ତ୍ରୀକୁ ଖଟରେ ଶୁଆଇ ଡାକ୍ତରଖାନା ନେଉଛି। ଏହାର କୌଣସି ପ୍ରତିକାର ହେଉ ନାହିଁ କିନ୍ତୁ ଯେଉଁ ଦିନ ଦାନ ମାଝି ତା’ର ମୃତ ପତ୍ନୀକୁ କାନ୍ଧରେ ଧରି ଦଶ କିଲୋମିଟର ଚାଲିଗଲା ଓ ଏହା ଏକ ଅସାଧାରଣ ଘଟଣା ହୋଇ ଚାରିଆଡ଼େ ବ୍ୟାପିଗଲା ସେଦିନ ସରକାର ତତ୍ପର ହୋଇ ଉଠିଲେ ଓ ଜିଲାପାଳମାନେ ତୁରନ୍ତ ତହସିଲଦାରମାନଙ୍କୁ ନି​‌େ​‌ର୍ଦଶ ଦେଇ ହରିଶ୍ଚନ୍ଦ୍ର ଯୋଜନାରେ ସମସ୍ତଙ୍କୁ ଶବବାହକ ଗାଡ଼ି ଯୋଗାଇ ଦେବାର ବ୍ୟବସ୍ଥା କଲେ। ଓଡ଼ିଶା ସରକାର ତୁରନ୍ତ ମହାପ୍ରୟାଣ ଯୋଜନା କରି ଗରିବଙ୍କ ମୃତ ଦେହକୁ ନିଃଶୁଳ୍କ ଘରେ ପହଞ୍ଚେଇ ଦେବାପାଇଁ ବ୍ୟବସ୍ଥା କଲେ। ଏହି ତତ୍ପରତା ଯଦି ଟିକେ ଆଗରୁ ପ୍ରକାଶ ପାଇଥାନ୍ତା ତେବେ ହୁଏତ ଦାନ ମାଝି ପତ୍ନୀର ଆତ୍ମା ସସମ୍ମାନେ ଇହଲୋକ ତ୍ୟାଗ କରିଥାନ୍ତା।

ରାଜସ୍ଥାନ ଉଦୟପୁରରେ କହ୍ନେୟାଲାଲ ନାମକ ଜଣେ ଦରଜି ସରକାରଙ୍କୁ ତା’ର ଜୀବନ ପ୍ରତି ବିପଦ ଅଛି ବୋଲି ପ୍ରମାଣ ଦେଇ ଆବଶ୍ୟକ ସୁରକ୍ଷା ଅନୁରୋଧ କରିଥିଲା। ଡରରେ ସାତ ଦିନ ଦୋକାନ ମଧ୍ୟ ବନ୍ଦ ରଖିଥିଲା, କିନ୍ତୁ ଯେଉଁ ଦିନ ଦୋକାନ ଖୋଲିଲା ସେହି ଦିନ ଦୁଇଜଣ ବ୍ୟକ୍ତି ମାପ ଦେବା ବାହାନାରେ ତାକୁ ଛୁରିରେ ଆକ୍ରମଣ କରି ହତ୍ୟା କଲେ। ବର୍ତ୍ତମାନ ସମଗ୍ର ରାଜସ୍ଥାନ ପୁଲିସ ଛାଉଣିରେ ପରିବର୍ତ୍ତନ ହୋଇଯାଇଛି। ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଜାଗାଜାଗାରେ ସାନ୍ଧ୍ୟ ଆଇନ ଜାରି କରାଯାଇଛି। ମୁଖ୍ୟମନ୍ତ୍ରୀ ପ୍ରତ୍ୟହ ଶାନ୍ତି ରକ୍ଷା କରିବା ପାଇଁ ବାରମ୍ବାର ନିବେଦନ କରୁଛନ୍ତି। ଏହାର ଅର୍ଥ ତୁମକୁ ଯେଉଁ ଧମକ ଦିଆଯାଉଛି ତାହା ଯେ ପର୍ଯ୍ୟନ୍ତ ଅକ୍ଷରେ ଅକ୍ଷରେ ସତ୍ୟରେ ପରିଣତ ନ ହୋଇଛି, ସେ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯିବ ନାହିଁ। କହ୍ନେୟାଲାଲର ଅନୁରୋଧ ରକ୍ଷା କରି ଯଦି ଅନ୍ତତଃ ଦୁଇଜଣ ସିପାହି ତା’ ଦୋକାନରେ ବସେଇ ଦିଆଯାଇଥା’ନ୍ତା, ତେବେ ହୁଏତ ଆଜି ଏ ଦିନ ଦେଖିବାକୁ ପଡ଼ି ନଥାନ୍ତା।

ଥରେ ଜଣେ ବାପା ଅକାଳରେ ରୋଗଗ୍ରସ୍ତ ହୋଇପଡି଼ ମୃତ ପ୍ରାୟ ଖଟିଆ ଉପରେ ପଡ଼ି ରହିଥିଲେ। ଡାକ୍ତର ନାଡ଼ି ପରୀକ୍ଷା କରି ଏହା ତାଙ୍କର ଶେଷ ସମୟ ବୋଲି ଘୋଷଣା କରିଦେଲେ। ତୁରନ୍ତ ଦୂରଦୂରାନ୍ତରୁ ପୁଅ, ଝିଅ, ନାତିନାତୁଣୀ, ବନ୍ଧୁବାନ୍ଧବ ସମସ୍ତେ ପହଞ୍ଚିଗଲେ ଓ ଉତ୍କଣ୍ଠାର ସହିତ ତାଙ୍କୁ ଘେରିକି ରହିଥିଲେ। ପାଟିରେ ଗଙ୍ଗାଜଳ ଦେଇ ସମସ୍ତେ ତାଙ୍କୁ ଆଉ କ’ଣ କହିବାକୁ ଚାହୁଁଛ ବୋଲି ବାରମ୍ବାର ପ୍ରଶ୍ନ କରୁଥିଲେ। ଅକାଳରେ ବାର୍ଦ୍ଧକ୍ୟ ବରଣ କରି ରୋଗଗ୍ରସ୍ତ ହୋଇପଡ଼ିଥିବା ବାପା ବଲବଲ କରି ସମସ୍ତଙ୍କୁ ଚାହୁଁଥିଲେ ଓ ଜଣ ଜଣକୁ ଚିହ୍ନିପାରୁଥିବାର ସଙ୍କେତ ମଧ୍ୟ ଦେଉଥିଲେ। ଏହି ସମୟରେ “ବାପା କ’ଣ କହିବାକୁ ଚାହୁଁଛ, କୁହ” ବୋଲି ବଡ଼ ପୁଅ ପ୍ରଶ୍ନ କରିବାରୁ ବାପା କହିଲେ “ପୁଅରେ, ଆଜି ଯେମିତି ତୁମେମାନେ ସମସ୍ତେ ମୋ ପାଖରେ ଏକାଠି ମୋତେ ଘେରିକି ବସିଛ ସେମିତି ଯଦି ଆଗରୁ କେବେ କେମିତି ବସିଥାନ୍ତ ତେବେ ହୁଏତ ମୋ’ର ଏ ଅକାଳ ମୃତ୍ୟୁ ହୋଇ ନଥାନ୍ତା।”

Comments are closed.