ଏକ ବିକଶିତ ଓଡ଼ିଶାର ପରିକଳ୍ପନା

- ଅମରେନ୍ଦ୍ର ଦାସ

ଆଉ ମାତ୍ର ପନ୍ଦର ବର୍ଷ ପରେ ଓଡ଼ିଶାକୁ ଶହେ ବର୍ଷ ପୂରିବ। ରାଜ୍ୟବାସୀ ମିଳିତ ଭାବରେ ଏହି ଶୁଭ ଅବସରକୁ ଖୁବ ଧୂମ୍‌ଧାମରେ ପାଳିବେ। ଓଡ଼ିଶା ଗଠନରେ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ମହାନ ବ୍ୟକ୍ତିଙ୍କର ସ୍ମୃତିଚାରଣ କରିବେ। ଏହି ଅବସରରେ ଓଡିଶାକୁ କିପରି ଏକ ଅଗ୍ରଣୀ ରାଜ୍ୟ ବା ଅତି କମରେ ଏକ ମଧ୍ୟବିତ୍ତ ରାଜ୍ୟରେ ରୂପାନ୍ତର କରିହେବ ସେଥିପାଇଁ ରାଜ୍ୟବାସୀ ପରିକଳ୍ପନା କରିବା ସହିତ ଯଥାସମ୍ଭବ ଉଦ୍ୟମ କରିବାକୁ ପଡିବ। ସ୍ୱତନ୍ତ୍ର ଓଡିଶା ରାଜ୍ୟ ନିର୍ମାଣରେ ଯେପରି ରାଜ୍ୟର ଅନେକ ମହାନ ସଂଗ୍ରାମୀ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ, ଠିକ୍‌ ସେହିପରି ଆଗାମୀ ୧୫ ବର୍ଷ ମଧ୍ୟରେ ଯଦି ପ୍ରତ୍ୟେକ ଓଡ଼ିଆ ବିକାଶର ଜନଆନ୍ଦୋଳନରେ ସାମିଲ ହେବେ ତେବେ ଆମ ରାଜ୍ୟର ନବକଳେବର ହେବା ସୁନିଶ୍ଚିତ। ଏଥିପାଇଁ ଓଡ଼ିଶାର ବିଗତ ୮୫ ବର୍ଷର ବିକାଶ ଯାତ୍ରାର ଏକ ନିରପେକ୍ଷ ମୂଲ୍ୟାୟନର ଆବଶ୍ୟକତା ବି ରହିଛି। ଏଥିରୁ ହୁଏତ ଆଗାମୀ ୧୫ ବର୍ଷର ବିକାଶର ରୂପରେଖ ପ୍ରସ୍ତୁତ କରିବା ପାଇଁ ଅନେକ ପ୍ରେରଣା ମିଳିପାରିବ।

ଆମେ ସଭିଏଁ ଜାଣି ରଖିବା ଉଚିତ ଯେ ଶହେ ବର୍ଷର ଓଡିଶା ବୟସରେ ବାର୍ଦ୍ଧକ୍ୟ ନୁହେଁ, ବରଂ ଉଦ୍ଦାମତାଭରା ଯୌବନରେ ପଦାର୍ପଣ କରିବ। ୨୦୧୧ ଜନଗଣନା ଅନୁସାରେ ରାଜ୍ୟର ପାଖାପାଖି ୪.୨ କୋଟି ଜନସଂଖ୍ୟାର ୬୫ ପ୍ରତିଶତ କର୍ମକ୍ଷମ ବୟସ ଭିତରେ ଥିଲେ। ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି ଅନୁସାରେ ଭାରତ ଏବଂ ଆମ ରାଜ୍ୟ ଓଡିଶା ୨୦୧୮ ମସିହାରୁ ଆରମ୍ଭ କରି ୩୭ ବର୍ଷ ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ ସମୟ ଦେଇ ଗତି କରିବ ଯେଉଁ ସମୟରେ କର୍ମକ୍ଷମ ଜନସଂଖ୍ୟା ନିର୍ଭରଶୀଳ ଜନସଂଖ୍ୟାଠାରୁ ଢ଼େର ଅଧିକ ରହିବ। ଏହି ସମୟରେ ଉତ୍ପାଦନକ୍ଷମ ମାନବ ସମ୍ବଳର ସଦୁପଯୋଗ କରି ଦେଶ ଓ ରାଜ୍ୟର ଦ୍ରୁତ ବିକାଶ ହାସଲ କରିହେବ। ଏହାକୁ ଜନସଂଖ୍ୟାର ଲାଭାଂଶ ହାସଲ ବୋଲି ବିବେଚନା କରାଯାଏ; କିନ୍ତୁ ଆମକୁ ମନେ ରଖିବାକୁ ହେବ ଯେ ଯଦି ଏହି ମାନବ ସମ୍ବଳର ସଦୁପଯୋଗ ନହୁଏ ତେବେ ଏହା ଜନସଂଖ୍ୟା ବିସ୍ଫୋରଣର ରୂପ ନେବ। ଜନସଂଖ୍ୟାକୁ ମାନବ ସମ୍ବଳରେ ରୂପାନ୍ତର କରିବାକୁ ହେଲେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶର ଆବଶ୍ୟକତା ରହିଛି।

୧୯୫୦ ଦଶକରୁ ଆରମ୍ଭ କରି ଚଳିତ ଦଶନ୍ଧି ପର୍ଯ୍ୟନ୍ତ ଓଡିଶାର ବିକାଶ ଧାରାକୁ ଅବଲୋକନ କଲେ ଉଭୟ ଆଶା ଓ ନିରାଶାର ସଙ୍କେତ ମିଳେ। ୨୦୧୧-୧୨ରେ ଆମ ରାଜ୍ୟର ମୁଣ୍ଡପିଛା ଆୟ ପାଖାପାଖି ୭୬୪୧୭ ଟଙ୍କା ଥିଲାବେଳେ ୨୦୧୮-୧୯ ମସିହାରେ ଭାରତର ମୁଣ୍ଡପିଛା ଆୟ ୯୨୦୮୫ ଟଙ୍କା ଥିଲା। ଅର୍ଥାତ୍‌ ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ମୁଣ୍ଡପିଛା ଆୟର ୮୩ ପ୍ରତିଶତ ଥିଲା। ମୁଣ୍ଡପିଛା ଆୟ ଅନୁସାରେ ଏହି ବର୍ଷ ଓଡ଼ିଶାର ସ୍ଥିତି ୨୮ଟି ରାଜ୍ୟ ଭିତରେ ୧୮ ସ୍ଥାନରେ ଥିଲା। ୧୯୫୦ ଦଶକରେ ଓଡ଼ିଶାର ମୁଣ୍ଡ ପିଛା ଆୟ ଜାତୀୟ ମୁଣ୍ଡପିଛା ଆୟର ପାଖାପାଖି ୯୦ ପ୍ରତିଶତ ଥିଲା। ୧୯୮୦ ଦଶକରୁ ଆରମ୍ଭକରି ଓଡ଼ିଶାର ତୁଳନାତ୍ମକ ସ୍ଥିତି କ୍ରମଶଃ ବିଗିଡିବାରେ ଲାଗିଲା। ୨୦୦୨-୦୩ ବେଳକୁ ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ଆୟର ମାତ୍ର ୬୩ ପ୍ରତିଶତକୁ ଖସି ଆସିଲା। ୨୦୦୩-୦୪ ଠାରୁ ଆରମ୍ଭକରି ଓଡ଼ିଶାର ସ୍ଥିତି କ୍ରମଶଃ ସୁଧୁରିବାରେ ଲାଗିଛି ଏଵଂ ୨୦୨୦-୨୧ ଆର୍ଥିକ ସର୍ବେକ୍ଷଣ ତଥ୍ୟ ଅନୁସାରେ ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ଆୟର ପାଖାପାଖି ୭୮ ପ୍ରତିଶତରେ ପହଞ୍ଚିଛି।

ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ମୁଣ୍ଡପିଛା ଆୟ ସହିତ ସମାନ କରିବାକୁ ହେଲେ ଜାତୀୟ ଅଭିବୃଦ୍ଧି ହାର ଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ଯଥେଷ୍ଟ ବେଶୀ ରଖିବାକୁ ପଡିବ। ଉଦାହରଣ ସ୍ୱରୂପ ଯଦି ଜାତୀୟ ସ୍ତରର ମୁଣ୍ଡପିଛା ଆୟ କ୍ରମାଗତ ଭାବେ ବାର୍ଷିକ ପାଞ୍ଚ ପ୍ରତିଶତ ହାରରେ ବୃଦ୍ଧି ପାଏ ଏବଂ ଓଡ଼ିଶାର ମୁଣ୍ଡପିଛା ଆୟ ବାର୍ଷିକ ସାତ ପ୍ରତିଶତରେ ବୃଦ୍ଧି ପାଏ ତେବେ ଯାଇ ୨୦୩୪ ମସିହା ସୁଦ୍ଧା ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ମୁଣ୍ଡପିଛା ଆୟ ସହିତ ସମାନ କିମ୍ବା ଅଳ୍ପ ମାତ୍ରାରେ ଅଧିକ ହୋଇ ପାରିବ। ମୁଦ୍ରାସ୍ଫୀତି ଏବଂ ଜନସଂଖ୍ୟା ଅଭିବୃଦ୍ଧି ହାରକୁ ଆଖିରେ ରଖି ହିସାବ କଲେ ଚଳିତ ବଜାର ଦରରେ ଓଡ଼ିଶାର ମୋଟ ଆୟ ଅଭିବୃଦ୍ଧି ହାର ବାର୍ଷିକ ଅତି କମ୍‌ରେ ୧୫ ପ୍ରତିଶତ ବା ତଦୂର୍ଦ୍ଧ୍ବ ରଖିବାକୁ ହେବ। ଏହା ଏକ ଛୋଟ ଆହ୍ୱାନ ନୁହେଁ।

ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ବିଶେଷ ଭଲ ନୁହେଁ। ଵିଶେଷକରି ଦାରିଦ୍ର୍ୟ, ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟୁହାର, ସ୍ୱାସ୍ଥ୍ୟସେବାର ଭିତ୍ତିଭୂମି, ଗୁଣାତ୍ମକ ଶିକ୍ଷା, ପାନୀୟ ଜଳ ଯୋଗାଣ, ନିଯୁକ୍ତି ଆଦିରେ ଓଡ଼ିଶାର ସ୍ଥିତି ଜାତୀୟ ହାରଠାରୁ ଭଲ ନୁହେଁ। ତେଣୁ ଅଭିବୃଦ୍ଧି ହାର ହାସଲ ଉପରେ ଗୁରୁତ୍ୱ ଦେଲାବେଳେ ଅଭିବୃଦ୍ଧିର ଠିକ ମାଧ୍ୟମଟିକୁ ବାଛିବାକୁ ହେବ। ଅଭିବୃଦ୍ଧିର ପ୍ରକ୍ରିୟା ଯେପରି ସର୍ବୋଦୟ ହୁଏ ତା’ଉପରେ ଧ୍ୟାନ ଦେବାକୁ ପଡିବ। ଏକବିଂଶ ଶତାବ୍ଦୀର ପୃଥିବୀ ଜ୍ଞାନ, ଵିଜ୍ଞାନ, କୃତ୍ରିମ ବୁଦ୍ଧିମତ୍ତା, ଯାନ୍ତ୍ରିକ ଶିକ୍ଷାଧାରା ଆଦି ଉପରେ ପର୍ଯ୍ୟବସିତ ଅଟେ। ଏହା ସହିତ ନିରନ୍ତର ବିକାଶ ପାଇଁ ପରିବେଶ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ କୋପରୁ ରକ୍ଷା, ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ, ଜୈବବିବିଧତା ସୁରକ୍ଷା, ସାମାଜିକ ତଥା ସାମ୍ପ୍ରଦାୟିକ ସହାବସ୍ଥାନ, ସମତୁଲ ଆଞ୍ଚଳିକ ବିକାଶ ଆଦି ଉପରେ ଗୁରୁତ୍ୱ ଦେବାକୁ ହେବ।

ଖଣିଜ ସମ୍ପଦ ଭରା ଆମ ରାଜ୍ୟ ଶିଳ୍ପାୟନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସଦୁପଯୋଗ କରିବା ଆବଶ୍ୟକ; କିନ୍ତୁ ବର୍ତ୍ତମାନର ଶିଳ୍ପାୟନ ପ୍ରକ୍ରିୟା ଦୀର୍ଘ ସ୍ଥାୟୀ ନୁହେଁ ତଥା ନିରନ୍ତର ବିକାଶ ଏବଂ ସର୍ବୋଦୟ ନୀତି ଉପରେ ପର୍ଯ୍ୟବସିତ ନୁହେଁ। ଉତ୍ପାଦନ ପ୍ରକ୍ରିୟାର ଅଧିକରୁ ଅଧିକ ଯାନ୍ତ୍ରିକୀକରଣ ତଥା ଆଧୁନିକ କାରିଗରୀ କୌଶଳର ପ୍ରୟୋଗ ଯୋଗୁଁ ନିଯୁକ୍ତି ବ୍ୟାପକ ମାତ୍ରାରେ ହ୍ରାସ ପାଇଛି। ତେଣୁକରି ଏହାର ଲାଭ ସୀମିତ ବ୍ୟକ୍ତିଙ୍କ ଭିତରେ କେନ୍ଦ୍ରୀଭୂତ ହୋଇ ରହିଯାଉଛି। ଶିଳ୍ପାୟନ ପ୍ରକ୍ରିୟାର ଫାଇଦାକୁ ଅଧିକ ବ୍ୟାପକ କରିବାକୁ ହେଲେ ପୁଞ୍ଜି ଅଧିକାରରେ ସ୍ଥାନୀୟ ଲୋକଙ୍କର ସହଭାଗିତା ରହିବା ଆବଶ୍ୟକ।

ଉଦାହରଣ ସ୍ୱରୂପ ସ୍ଥାନୀୟ ଜମି, ଜଳ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦର ବ୍ୟବହାର ବଦଳରେ ପ୍ରତ୍ୟେକ ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଅଧିବାସୀଙ୍କୁ ସର୍ବନିମ୍ନ ୨୫ ପ୍ରତିଶତ ପୁଞ୍ଜି ଅଧିକାର ଦେଲେ ଏବଂ ଫଳ ସ୍ୱରୂପ ନିଯୁକ୍ତି ଏବଂ ଶିଳ୍ପ ପରିଚାଳନାରେ ସ୍ଥାନୀୟ ଅଧିବାସୀଙ୍କର ସହଭାଗିତା ବାଧ୍ୟତାମୂଳକ କଲେ ଶିଳ୍ପାୟନର ସୁଫଳ ବ୍ୟାପକ ହୋଇପାରିବ। ଦକ୍ଷତା ଭିତ୍ତିକ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ପ୍ରତ୍ୟେକ ପଞ୍ଚାୟତରେ ସ୍ଥାନୀୟ ସମ୍ବଳ ବ୍ୟବହାର କରିପାରୁଥିବା ଭଳି ଅଣୁ, କ୍ଷୁଦ୍ର ବା ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା ଆଵଶ୍ୟକ।

ବ୍ୟକ୍ତିଗତ ଦ୍ରବ୍ୟ ବା ସେବା ଉତ୍ପାଦନ କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶ ପାଇଁ ପ୍ରଶାସନିକ ପ୍ରକ୍ରିୟା, ତଥା ପୁଞ୍ଜି ସଂଗ୍ରହ ପ୍ରକ୍ରିୟାର ସରଳୀକରଣ କରିବାର ଆବଶ୍ୟକତା ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ଜଳ ଯୋଗାଣ ଭଳି ସାଧାରଣ ସେବା କ୍ଷେତ୍ରରେ ସରକାରୀ ପୁଞ୍ଜି ନିବେଶକୁ ବ୍ୟାପକ ଭାବରେ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ଆଧୁନିକ ଅର୍ଥନୀତି ନିର୍ମାଣରେ ଯେଉଁ ସବୁ ଦକ୍ଷତା ବା ସେବାର ଆବଶ୍ୟକତା ରହିଛି ତାହା ଅତି କ୍ଷିପ୍ର ବେଗରେ ପରିବର୍ତ୍ତନଶୀଳ। ତେଣୁକରି ଦକ୍ଷତା ବିକାଶ କ୍ଷେତ୍ରରେ ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରିବାର ଆବଶ୍ୟକତା ରହିଛି ।

କୃଷିର ଆଧୁନିକୀକରଣ ପାଇଁ ବ୍ୟାପକ ନିବେଶର ଆବଶ୍ୟକତା ରହିଛି। ଏଠାରେ ସ୍ପଷ୍ଟ କରିବା ଆବଶ୍ୟକ ଯେ କୃଷିର ଆଧୁନିକୀକରଣ ଅର୍ଥ ନୁହେଁ ପରିବେଶ ବିଧ୍ବଂସକାରୀ ରସାୟନସାର କୀଟନାଶକର ବ୍ୟବହାର; ବରଂ ଜୈବବିବିଧତା ସୁରକ୍ଷା ତଥା ପରିବେଶ ସୁରକ୍ଷା ଭିତ୍ତିରେ ପର୍ଯ୍ୟବସିତ ଏକୀକୃତ କୃଷି ପ୍ରଣାଳୀର ଜନାଦୃତି ଆବଶ୍ୟକ। କୃଷି କ୍ଷେତ୍ରରୁ ଛଦ୍ମ ବେକାରୀ ସଂଖ୍ୟା ହ୍ରାସ ନିମିତ୍ତ ଆଧୁନିକ ପ୍ରଣାଳୀର ଉପଯୋଗର ଆବଶ୍ୟକତା ରହିଛି। କୃଷିକ୍ଷେତ୍ରରେ ବ୍ୟାପକ ସରକାରୀ ପୁଞ୍ଜି ନିବେଶ ଦ୍ୱାରା ଭିତ୍ତିଭୂମି ସୁଦୃଢ଼ କରିବା ସହ ଘରୋଇ ପୁଞ୍ଜି ନିବେଶ ନିମିତ୍ତ ବ୍ୟବସ୍ଥାର ସରଳୀକରଣର ଆବଶ୍ୟକତା ରହିଛି। ରାଜ୍ୟର ଦାରିଦ୍ର୍ୟ ଦୂରୀକରଣ ନିମିତ୍ତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆବଶ୍ୟକ। ନିଯୁକ୍ତି ସୃଷ୍ଟି ପାଇଁ ପ୍ରାଥମିକରୁ ଆରମ୍ଭ କରି ଗୁଣାତ୍ମକ ଉଚ୍ଚ ମାଧ୍ୟମିକ ଶିକ୍ଷା, ବୃତ୍ତିଗତ ଏବଂ ଦକ୍ଷତା ବୃଦ୍ଧି ଶିକ୍ଷା ସାର୍ବଜନୀନ କରିବା ଉଚିତ। ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ପର୍ଯ୍ୟାପ୍ତ ସରକାରୀ ପୁଞ୍ଜି ନିବେଶ ହିଁ ଏକମାତ୍ର ସମାଧାନ। ଗୁଣାତ୍ମକ ଓ ମାଗଣା ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମାଜରେ ଆର୍ଥିକ ବିଭେଦ ଦୂର କରିବା ସହିତ ଏକ ଶାନ୍ତିପୂର୍ଣ୍ଣ ତଥା ଦୁର୍ନୀତିମୁକ୍ତ ସମାଜ ଗଠନରେ ବିଶେଷ ସହାୟକ ହେବ।

ରାଜ୍ୟର ସାର୍ବଜନୀନ ବିକାଶ ପାଇଁ ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ରଣନୀତିର ଆବଶ୍ୟକତା ରହିଛି। ଆଦିବାସୀପଡ଼ାଗୁଡ଼ିକର ଠିକ ବିକାଶ ପାଇଁ ସବୁଦିନିଆ ରାସ୍ତା, ବିଜୁଳି, ଜଳ ଯୋଗାଣ, ମାତୃଭାଷାରେ ପ୍ରାଥମିକ ଶିକ୍ଷା ପାଇଁ ଆଦିବାସୀ ବହୁଳ ଅଞ୍ଚଳରେ ପ୍ରତ୍ୟେକ ପଞ୍ଚାୟତରେ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ଜରୁରୀ। ଏକବିଂଶ ଶତାବ୍ଦୀର ଯୁଗୋପଯୋଗୀ ନୂଆ ଓଡିଶା ଗଠନ ପାଇଁ ଏକ ସ୍ପଷ୍ଟ ପରିକଳ୍ପନାର ଆବଶ୍ୟକତା ରହିଛି। ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ବିକାଶ ପାଇଁ ସବୁବର୍ଗର ମାନସ ମନ୍ଥନ ଆବଶ୍ୟକ। ଏକ ବିକଶିତ ଓଡିଶା ଗଠନର ପରିକଳ୍ପନା ସଭିଙ୍କର ସହଭାଗିତାରେ ହିଁ ସମ୍ଭବ ହୋଇପାରିବ।

Comments are closed.