ନୂଆ ଶିକ୍ଷାନୀତି: ଜ୍ଞାନ ଅର୍ଥନୀତି ପାଇଁ ପ୍ରସ୍ତୁତି

ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ୨୦୧୬ରେ ଯେତେବେଳେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ପ୍ରବର୍ତ୍ତନ ହେଲା ସେତେବେଳେ ଆମର ପ୍ରମୁଖ ଆହ୍ୱାନ ଥିଲା ଦେଶର ଅଗମ୍ୟ ଦୂରଦୂରାନ୍ତ ଅଞ୍ଚଳରେ ଧାଡିରେ ଛିଡା ହୋଇଥିବା ଶେଷ ମହିଳାଙ୍କୁ ଜାଳେଣି ଗ୍ୟାସ ସିଲିଣ୍ଡର ଯୋଗାଇବା । ପ୍ରଚଣ୍ଡ ରାଜନୈତିକ ଇଚ୍ଛାଶକ୍ତି ଏବଂ ଏକ ଉତ୍ସର୍ଗୀକୃତ ଶ୍ରମଶକ୍ତି ସହାୟତାରେ ଉଜ୍ଜ୍ୱଳା ଯୋଜନା ସଫଳ ହୋଇଥିଲା। ଏହି ଯୋଜନାର ଉଲ୍ଲେଖନୀୟ ସଫଳତା ସବୁଠୁ ଦୁର୍ବଳ ବର୍ଗଙ୍କ ଜୀବନକୁ ପ୍ରଭାବିତ କରିଥିଲା ଏବଂ ତାହା ମୋତେ ୨୦୨୦ ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ କରିବାରେ ସବୁ ପ୍ରତିବନ୍ଧକ ଦୂର କରିବାର ଆତ୍ମବିଶ୍ୱାସ ଦେଇଛି। ନୂଆ ଶିକ୍ଷାନୀତି ଦେଶର ଶିକ୍ଷାକ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ଛାତ୍ରଛାତ୍ରୀଙ୍କୁ ଏକବିଂଶ ଶତାବ୍ଦୀର ଜ୍ଞାନ ଅର୍ଥନୀତିର ଆହ୍ୱାନର ମୁକାବିଲା ପାଇଁ ଯୋଗ୍ୟ କରିବାକୁ ଉଦ୍ଦିଷ୍ଟ ।

ନାଗରିକଙ୍କ ହାରାହାରି ବୟସ ଅନୁସାରେ ଭାରତ ବିଶ୍ୱର ଅନ୍ୟତମ କନିଷ୍ଠ ଦେଶ। ଏହାର ମୋଟ ଜନସଂଖ୍ୟାର ୫୦ଭାଗରୁ ଅଧିକଙ୍କ ବୟସ ୩୦ବର୍ଷରୁ କମ୍ । ଅତଏବ ଏହି ଜନସାଂଖ୍ୟିକ ସ୍ଥିତିର ଲାଭ ଉଠାଇବାର ସମ୍ଭାବନା ଯଥେଷ୍ଟ। ଏହି ସମ୍ଭାବନା ଓ ସୁଯୋଗ ଆମ ପାଖରେ କିନ୍ତୁ ସବୁଦିନ ପାଇଁ ରହିବ ନାହିଁ । ଆହୁରି ମଧ୍ୟ ଏହି ଲାଭ ଉଠାଇବା ପ୍ରକ୍ରିୟା ସ୍ୱୟଂକ୍ରିୟ ନୁହେଁ । ଏଥିପାଇଁ ସମ୍ମିଳିତ ଉଦ୍ୟମ ଓ ନୀତିଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି । କିଛି ବିଶେଷଜ୍ଞଙ୍କ ମତରେ ୨୦୫୦ ସୁଦ୍ଧା ଭାରତ ଏକ ବୟସ୍କ ସମାଜରେ ପରିଣତ ହେବ । ସେତେବେଳେ ଦେଶର ମୋଟ ଜନସଂଖ୍ୟାର ପାଖାପାଖି ୨୦ଶତାଂଶ ଲୋକଙ୍କ ବୟସ ୬୦ବର୍ଷରୁ ଅଧିକ ହୋଇଥିବ । ଏହାକୁ ସତ୍ୟ ବୋଲି ଧରି ନେଇ ଦେଖିଲେ ଓ ସାଧାରଣ ହିସାବ ଲଗାଇଲେ, ଆମ ପାଖରେ ଥିବା ଅଧିକ ଯୁବଶକ୍ତିର ସମ୍ପୂର୍ଣ୍ଣ ଉପଯୋଗ ଓ ଲାଭ ଉଠାଇବାକୁ ଆଉ ମାତ୍ର ଦୁଇ ଦଶନ୍ଧିରୁ ସାମାନ୍ୟ ଅଧିକ ସମୟ ବାକି ଅଛି । ଏହି ସମୟକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ‘ଅମୃତ କାଳ’ଭାବେ ଉଲ୍ଲେଖ କରିଛନ୍ତି । ଏହାର ଅର୍ଥ ଆମ ଦେଶର ସ୍ୱାଧୀନତାର ଏକଶହ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ବାକିଥିବା ଆଉ ୨୫ବର୍ଷ । ଅତଏବ ଏ କ୍ଷେତ୍ରରେ ଆମ ଦୃଷ୍ଟିକୋଣ ଓ ଆଭିମୁଖ୍ୟ ଧୀର ମନ୍ଥର ବା କାମଚଳା ନ ହୋଇ ବ୍ୟବସ୍ଥାରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପଡିବ । ଏହି ପ୍ରକ୍ରିୟାରେ ଯୁବ ସମାଜର ବିଭିନ୍ନ ବର୍ଗଙ୍କ ଆଶାଆକାଂକ୍ଷା ପୂରଣ କରିବାକୁ ଆବଶ୍ୟକ ପଦକ୍ଷେପ ଭାବିଚିନ୍ତି ଠିକ୍ ସମୟରେ ଗ୍ରହଣ କରିବାକୁ ହେବ।

୨୦୨୦ର ନୂଆ ଶିକ୍ଷାନୀତି ଆମ ଦେଶର ପରିବର୍ତ୍ତନ ଯାତ୍ରାରେ ସେଭଳି ଏକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଭାଷାରେ, ନୂଆ ଶିକ୍ଷାନୀତି ଆତ୍ମନିର୍ଭର ଭାରତର ମୂଳଦୁଆ ଭାବେ କାର୍ଯ୍ୟ କରିବ। ଏହି ନୂଆ ଶିକ୍ଷାନୀତିରେ ଆମ ଶିକ୍ଷା ବ୍ୟବସ୍ଥାର ପୁନର୍ଗଠନ ଓ ପରିବର୍ତ୍ତନ ପାଇଁ ପ୍ରାଥମିକଠାରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବ୍ୟବସ୍ଥା କରାଯାଇଛି । ଏଥିରେ ଦକ୍ଷତା/ କୌଶଳ ବିକାଶ ଏବଂ ଗବେଷଣା ଯଥୋଚିତ ଗୁରୁତ୍ୱ ପାଇଛି । ଏହା ପହଞ୍ଚ (ଆକ୍‌ସେସ୍‌), ମାନ(କ୍ୱାଲିଟି), ସମାନତା (ଇକୁଇଟି) ଓ ସହଜଲବ୍ଧତା (ଆଫଡିବିଲିଟି)-ଏହି ଚାରିସ୍ତମ୍ଭ ଉପରେ ଗଢି ଉଠିଛି । ଏଥିରେ ୨୦୩୫ ସୁଦ୍ଧା ଉଚ୍ଚଶିକ୍ଷା କ୍ଷେତ୍ରରେ ମୋଟ ନାମଲେଖା ହାରକୁ ଏବେକାର ହାରରୁ ବଢାଇ ୫୦ ପ୍ରତିଶତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ଏହି ହାର ୨୭.୧ ଶତାଂଶ ରହିଛି । ସେଥିପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସ୍ଥାନରେ ଆମେ ନୂଆ ଶିକ୍ଷାନୀତି ଅନୁସାରେ ଭାରତୀୟ ଉଚ୍ଚଶିକ୍ଷା ଆୟୋଗ ବା ଏଚଇସିଆଇ ଗଠନ କରିଛୁ । ଏହା ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକକ ନିୟାମକ ସଂସ୍ଥା ଭାବେ କାର୍ଯ୍ୟ କରିବାକୁ କ୍ଷମତାପ୍ରାପ୍ତ। ଏହା ଏକ ସ୍ୱାଧୀନ ଓ କ୍ଷମତାପ୍ରାପ୍ତ ସଂସ୍ଥା । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଯେଉଁସବୁ ପ୍ରଗତିଶୀଳ ସୁପାରିସ କରାଯାଇଛି ସେଥିମଧ୍ୟରୁ ପ୍ରତ୍ୟେକ ସ୍ତରରେ ଏକ୍ସପେରିମେଣ୍ଟାଲ ଲର୍ଣ୍ଣିଂ (ପରୀକ୍ଷାମୂଳକ ଶିକ୍ଷା), ଅଭିନବ ନବସୃଜନକାରୀ ଧନ୍ଦାଭିତ୍ତିକ ଶିକ୍ଷାଦାନ, ଉଚ୍ଚଶିକ୍ଷା କ୍ଷେତ୍ରରେ ବିବିଧ ପ୍ରବେଶ/ପ୍ରସ୍ଥାନ ବିକଳ୍ପ, ବହୁ ବିଷୟକ ଶିକ୍ଷା ସୁବିଧା ଏବଂ ଏକାଡେମିକ କ୍ରେଡିଟ୍ ବ୍ୟାଙ୍କ ପ୍ରତିଷ୍ଠା ଅନ୍ୟତମ । ଆହୁରି ମଧ୍ୟ ନୂଆ ଶିକ୍ଷାନୀତିରେ ଶିକ୍ଷାର ଆନ୍ତର୍ଜାତିକୀକରଣ ସହିତ ଷ୍ଟଡି ଇନ୍ ଇଣ୍ଡିଆ ପ୍ରୋଗ୍ରାମ ଉପରେ ଗୁରୁତ୍ବ ଦିଆଯାଇଛି। ଏସବୁ ବ୍ୟାପକ ସଂସ୍କାରକୁ କାର୍ଯ୍ୟକାରୀ କରିବାକୁ ନୀତିନିୟମରେ ଆବଶ୍ୟକ ପରିବର୍ତ୍ତନ କରାଯାଉଛି।

ନୂଆ ଶିକ୍ଷାନୀତି ଏକବିଂଶ ଶତାବ୍ଦୀର ଆକାଂକ୍ଷୀ ଶିକ୍ଷା ବ୍ୟବସ୍ଥା ପାଇଁ ଉଦ୍ଦିଷ୍ଟ ହୋଇଥିବାବେଳେ ଏହା ମଧ୍ୟ ତାତ୍କାଳିକ ଆହ୍ୱାନର ମୁକାବିଲାକୁ ଗୁରୁତ୍ୱ ଦିଏ । ତଦନୁସାରେ ପ୍ରତ୍ୟେକ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଯେପରି ଆଧାରଭୂତ ସାକ୍ଷରତା (ଫାଉଣ୍ଡେସନାଲ ଲିଟରେସି) ଓ ମୌଳିକ ଗଣିତ ଜ୍ଞାନ ହାସଲର ସୁବିଧା ପାଆନ୍ତି ତାହା ତୁରନ୍ତ ନିଶ୍ଚିତ କରିବାକୁ ନୂଆ ଶିକ୍ଷାନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଯେଉଁ ‘ନିପୁଣ ଭାରତ ଯୋଜନା’ ଦେଶରେ ଆରମ୍ଭ କରାଯାଇଛି ୨୦୨୬-୨୭ସୁଦ୍ଧା ତାହା ପିଲାଙ୍କୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଆଧାରଭୂତ ସାକ୍ଷରତା ଓ ମୌଳିକ ଗଣିତ ଶିକ୍ଷା ପ୍ରଦାନ କରିବାକୁ ଉଦ୍ଦିଷ୍ଟ।

ନୂଆ ଶିକ୍ଷାନୀତିରେ ଅନ୍ତତଃ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାତୃଭାଷାରେ ଶିକ୍ଷା ଦେବା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ସ୍ଥାନୀୟ ଭାଷାରେ ମଧ୍ୟ ଏହି ଶିକ୍ଷା ଦେବାକୁ କୁହାଯାଇଛି। ଏହାର ଉଦ୍ଦେଶ୍ୟ ହେଲା ନିଜ ମାତୃଭାଷାରେ ପିଲା ସହଜରେ ପାଠ ଧରି ପାରିବେ ଓ ଶିଖିବେ । ଆମ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ମଧ୍ୟ ସ୍ଥାନୀୟ ଭାଷାକୁ ଗୁରୁତ୍ୱ ଦେଇଛନ୍ତି । ଏହାର କାରଣ ହେଲା କେନ୍ଦ୍ର ସରକାର ସବୁ ଭାଷାକୁ ଜାତୀୟ ଭାଷା ଭାବେ ବିଚାର କରନ୍ତି । ବର୍ତ୍ତମାନ ସୁଦ୍ଧା ୨୦୦ରୁ ଅଧିକ ସ୍ନାତକସ୍ତରର ବୈଷୟିକ ପୁସ୍ତକ ସ୍ଥାନୀୟ ଭାଷାରେ ଲେଖା ସରିଲାଣି । ଏଥିରେ କିଛି ଡିପ୍ଲୋମା କୋର୍ସର ବହି ମଧ୍ୟ ରହିଛି । ଏସବୁ ବହିର ପ୍ରଚଳନ ନିକଟରେ ଆରମ୍ଭ କରାଯାଇଛି । ଇଞ୍ଜିନିୟିରିଂ, ମେଡିକାଲ ଓ ଆଇନ ବିଷୟକ ପାଠ୍ୟପୁସ୍ତକମାନ ସ୍ଥାନୀୟ ଓ ସରକାରୀ ଭାଷାରେ ପ୍ରକାଶ କରିବାକୁ ସରକାର ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି । ସେହିଭଳି ବିଭିନ୍ନ ପ୍ରବେଶିକା ପରୀକ୍ଷାକୁ ବିଭିନ୍ନ ପ୍ରମୁଖ ଭାଷାରେ କରିବାକୁ ଉଦ୍ୟମ କରାଯାଉଛି । ଏବେ ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ୧୩ଟି ଭାଷାରେ ହେଉଛି । ଏହାର ଲକ୍ଷ୍ୟ ହେଲା ଉଚ୍ଚମାନର ଶିକ୍ଷା ପାଇବା କ୍ଷେତ୍ରରେ ଇଂରାଜୀ ଭାଷା ଯେପରି ପ୍ରତିବନ୍ଧକ ସୃଷ୍ଟି ନକରେ ତାହା ସୁନିଶ୍ଚିତ କରିବା।

ଶିକ୍ଷକମାନେ ଆମ ଦେଶର ଭବିଷ୍ୟତକୁ ରୂପ ଦିଅନ୍ତି। ଅତଏବ ଆମେ ଆମ ଶିକ୍ଷାବୃତ୍ତିର ଉଚ୍ଚ ସମ୍ମାନ ଓ ମର୍ଯ୍ୟାଦାକୁ ପୁନଃ ସ୍ଥାପନ କରିବାକୁ ଶିକ୍ଷକମାନଙ୍କୁ ଉତ୍ସାହିତ ଓ ଅନୁପ୍ରାଣିତ କରିବାର ଆବଶ୍ୟକତା ରହିଛି। ଶିକ୍ଷକମାନଙ୍କୁ ଆତ୍ମବିକାଶ ଓ ନିରନ୍ତର ବୃତ୍ତିଗତ ବିକାଶର ସୁଯୋଗ ଦେବା ପାଇଁ ଆମ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି । କେବଳ ସ୍କୁଲ ଶିକ୍ଷା କ୍ଷେତ୍ରରେ ନୁହେଁ, ଆମ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଶିକ୍ଷକମାନେ ଅଧୁନାତନ ଟେକ୍‌ନୋଲୋଜି, ଇନୋଭେସନ ଓ ଶିକ୍ଷାଦାନର ବିଭିନ୍ନ ନୂଆ ନୂଆ କଥା ଏଣିକି ଶିଖିବେ । ଶିକ୍ଷକମାନଙ୍କୁ ତାଲିମ ଦେବାକୁ ଆମେ ଦେଶବ୍ୟାପୀ ବିଶ୍ୱସ୍ତରୀୟ କେନ୍ଦ୍ରମାନ ତିଆରି କରୁଛୁ । ଏଥର ବଜେଟରେ ‘ଡିଜିଟାଲ ଟିଚର୍ସ’ଙ୍କ ବ୍ୟବସ୍ଥା କରାଯାଇଛି ଏବଂ ଏଥିପାଇଁ ୬କୋଟି ଟଙ୍କାର ବ୍ୟୟବରାଦ ହୋଇଛି।

କରୋନା ମହାମାରୀ କାରଣରୁ ବିଗତ ଦୁଇବର୍ଷ ଅଭୂତପୂର୍ବ ସମୟ ଦେଇ ଗତି କରିଥିଲା । ମହାମାରୀର କୋପ ଏଯାଏ ସମ୍ପୂର୍ଣ୍ଣ କମି ନାହିଁ ଏବଂ ଏହା ତୃତୀୟ ବର୍ଷରେ ପ୍ରବେଶ କରିଛି । ଏହା ଫଳରେ ସାମାଜିକ ଜୀବନ ବିଘ୍ନିତ ହୋଇଛି ଏବଂ ଏହି ସମୟରେ କେତେକ ଅପ୍ରତ୍ୟାଶିତ ଭୂ-ରାଜନୀତିକ ଘଟଣା ଘଟିଛି । ତେବେ ଏହାର ଏକ ସକାରାତ୍ମକ ଦିଗ ହେଉଛି ଯେ ଏପରି ସମୟ ବା କାଳଖଣ୍ଡ ନୂଆନୂଆ କଥା ବାହାର କରିବାର ସୁଯୋଗ ଦିଏ । କରୋନା ମହାମାରୀ କାଳରେ ତାହା ଘଟିଛି ଏବଂ ଏହା ଏକ ଭଲ କଥା। ଆମେ ଦେଖିଲେ, ସ୍ପଷ୍ଟ ଜଣାପଡେ ଯେ ଆମ ଯୁବବର୍ଗର ନବସୃଜନ ଆଗ୍ରହ ଓ ଉତ୍ସାହ ଏହି ସମୟରେ ବଢିଛି । କୋଭିଡ୍ ସଂକ୍ରମଣଜନିତ ପରବର୍ତ୍ତୀ ସମୟରେ ଆମ ଶିକ୍ଷାନୁଷ୍ଠାନଗୁଡିକରେ ଅନେକ ‘ଇନୋଭେଟିଭ ମଡେଲ’ ବିକଶିତ ହୋଇଛି ।

ବୈଶ୍ୱିକ ମାନର ଟେକ୍‌ନୋଲୋଜି ସମତା ଓ ଦକ୍ଷତା ବୃଦ୍ଧି ପାଇଁ ବିଶେଷ ସହାୟକ ହୋଇଥାଏ । ଏହି ନୀତିରେ ବିଶ୍ୱାସ ରଖି ଆମ ସରକାର କେତେକ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ବଜେଟ୍‌ରେ ଶିକ୍ଷାର ପ୍ରସାର ପାଇଁ ୨୦୦ ନୂଆ ଟିଭି ଚାନେଲର ବ୍ୟବସ୍ଥା କରାଯିବା ସହିତ ୯୩୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଅର୍ଥରାଶି ପାଞ୍ଚବର୍ଷ ମଧ୍ୟରେ ଖର୍ଚ୍ଚ ହେବ ।

ଏବେ ସମଗ୍ର ବିଶ୍ୱ ଚତୁର୍ଥ ଶିଳ୍ପ ବିପ୍ଳବ ଆଡେ ଆଗେଇଛି । ପ୍ରଥମ ଦୁଇ ବିପ୍ଳବର ସୁବିଧାସୁଯୋଗ ଆମେ ପାଇ ନ ଥିଲୁ । ତୃତୀୟ ଶିଳ୍ପ ବିପ୍ଳବର ସୁଯୋଗ ହାସଲ କରିବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲୁ । ଏବେ କିନ୍ତୁ ଆମକୁ ଚତୁର୍ଥ ଶିଳ୍ପ ବିପ୍ଳବର ସୁଯୋଗ ହାତେଇବାକୁ ଦୃଢ ନିଶ୍ଚିତ ହେବାକୁ ପଡିବ ଏବଂ ଏହି ପ୍ରକ୍ରିୟାରେ ଅଗ୍ରଣୀ ରହିବାକୁ ହେବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ରୋବୋଟିକ୍ସ ଓ ଅଟୋମେସନ୍ ଭଳି ନୂଆ ଟେକ୍‌ନୋଲୋଜି ଅନେକ ସୁଯୋଗ ପ୍ରଦାନ କରୁଥିଲେ ମଧ୍ୟ ଏଥିରେ ଯଥେଷ୍ଟ ଆହ୍ୱାନ ରହିଛି । ଏହି ପ୍ରକ୍ରିୟାରେ ଅନେକ ପ୍ରକାର ପାରମ୍ପରିକ ନିଯୁକ୍ତି ଓ ଚାକିରି ଅନାବଶ୍ୟକ ହୋଇପଡିବ । ଏହା ମଧ୍ୟ ଏକ ନୂଆ କର୍ମବର୍ଗ ସୃଷ୍ଟି କରିବାରେ ସାହାଯ୍ୟ କରିବ । ଏହି କର୍ମ ବିଭାଗରେ ରହିବେ ମଣିଷ, ମେସିନ୍ ଓ କଳନାବିଧି ବା ଆଲଗୋରିଦିମ୍ । ତେଣୁ ଶ୍ରମିକ/କର୍ମଚାରୀଙ୍କ ଦକ୍ଷତା ବିକାଶ ଓ ପୁନଃ ଦକ୍ଷକରଣ ପାଇଁ ସୁଯୋଗର ଆକାର କ୍ରମଶଃ କମି କମି ଯାଉଛି । ତେଣୁ ଏ କ୍ଷେତ୍ରରେ ବର୍ତ୍ତମାନଠାରୁ କାମ ଆରମ୍ଭ କରିବାର ଆବଶ୍ୟକତା ରହିଛି । ଏହା ଛଡା ଦେଶର ବିପୁଳ ଯୁବଶକ୍ତିକୁ ନୂଆ ସମୟର ଆବଶ୍ୟକତା ପୂରଣ ପାଇଁ ବ୍ୟାପକ ସ୍ତରରେ ତାଲିମ ଦେବା ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ହେବ ।
ଏକବିଂଶ ଶତାବ୍ଦୀ ଜ୍ଞାନର ଶତାବ୍ଦୀ । ଭାରତ ଏକ ଅନ୍ୟତମ ପ୍ରାଚୀନ ସଭ୍ୟତା ଓ ଜ୍ଞାନର ସମାଜ । ତେଣୁ ଏ କ୍ଷେତ୍ରରେ ନେତୃତ୍ୱ ନେବାକୁ ସମସ୍ତ ପ୍ରାକୃତିକ ସୁଯୋଗ ଭାରତରେ ରହିଛି। ଦେଶର ଅର୍ଥନୀତିକୁ ସମୃଦ୍ଧିର ନୂଆ ଶିଖରରେ ପହଞ୍ଚାଇବାକୁ ବାଟ ଦେଖାଇବାର ସାମର୍ଥ୍ୟ ଭାରତର ଅଛି । ମୋର ବିଶ୍ୱାସ, ଭାରତୀୟ ସମ୍ବିଧାନ ପରେ ୨୦୨୦ର ନୂଆ ଶିକ୍ଷାନୀତି ବିଭିନ୍ନ ସ୍ତର ଓ ପର୍ଯ୍ୟାୟରେ ବ୍ୟାପକ ଆଲୋଚନା, ବିଚାରବିମର୍ଶ ଓ ବିଭିନ୍ନ ବର୍ଗଙ୍କ ମତାମତକୁ ବିଚାରକୁ ନେଇ ପ୍ରସ୍ତୁତ ହୋଇଛି । ଭାରତୀୟ ସମ୍ବିଧାନ ଭଳି ୨୦୨୦ ନୂଆ ଶିକ୍ଷାନୀତି ଆମକୁ ଦଶନ୍ଧି ଦଶନ୍ଧିର ଦ୍ୱନ୍ଦ୍ୱ ଓ ସନ୍ଦେହରୁ ମୁକ୍ତ କରି ନୂଆ ମାର୍ଗ ଦେଖାଇବ। ବିଚାର, ଚେତନା, ବୌଦ୍ଧିକତା ଓ କାର୍ଯ୍ୟରେ ଏହା ଆମ ଭିତରେ ଯଥାର୍ଥ ଭାରତୀୟର ଗଭୀର ଗର୍ବ ଓ ଅସ୍ମିତାକୁ ଉଦ୍ରେକ କରାଇବ। ଏହା ବିଦ୍ୟାର୍ଥୀ, ଗୁରୁ, ପିତାମାତା ଓ ସମାଜକୁ ଯୋଡି ଏକ ସାମଗ୍ରିକ ବିକାଶ ପଥରେ ବାଟ କଢାଇ ନେଇ ମାନବିକ ସାମର୍ଥ୍ୟର ପୂର୍ଣ୍ଣତା ହାସଲ କରିବାରେ ସହାୟକ ହେବ । ଆମର ଯୁବବର୍ଗ କେବଳ ଚାକିରି ପ୍ରତିଯୋଗୀ ଭାବେ ନିଯୁକ୍ତି କଥା ଭାବୁନାହାନ୍ତି । ସେମାନେ ବରଂ ନିଯୁକ୍ତି ସୃଷ୍ଟିକାରୀ ଭାବେ ନିଜକୁ ଗଢି ତୋଳିବାକୁ ଅଭିଳାଷୀ। ସେମାନଙ୍କୁ ଆଜିର ନୂଆ ଉଚ୍ଚମାନର ଜ୍ଞାନ ଓ କୌଶଳ ଆମକୁ ଯୋଗାଇ ଦେବାକୁ ପଡିବ । ଭାରତକୁ ବିଶ୍ୱଗୁରୁ କରିବାର ଯେଉଁ ସ୍ୱପ୍ନ ଆମ ସ୍ୱାଧୀନତା ସଂଗ୍ରାମୀମାନେ ଦେଖିଥିଲେ ତାହାକୁ ସାକାର କରିବାରେ ତେବେ ଯାଇ ଆମେ ସମର୍ଥ ହୋଇପାରିବା । ଭାରତକୁ ବିଶ୍ୱଗୁରୁ କରିବା ପାଇଁ ହିଁ ଆମ ନୂଆ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି । ସ୍ୱାଧୀନତାର ୭୫ ବର୍ଷ ପାଳନ ଅବସରରେ ଏହା ହିଁ ହେବ ରାଷ୍ଟ୍ର-ନିର୍ମାଣ କ୍ଷେତ୍ରରେ ଆମର ଅବଦାନ ।

Comments are closed.