ଆଜି ଯଦି ସେ ଥାଆନ୍ତେ!

ହରିହର ତ୍ରିପାଠୀ

ଆଜି ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ। ଉତ୍କଳବାସୀ ତାଙ୍କର ପ୍ରିୟ ନେତାଙ୍କୁ ସ୍ମରଣ କରୁଛନ୍ତି। ସାଧାରଣ ଲୋକଟିଏ ଆଜିର ନେତାମାନଙ୍କ ଭିତରେ ଉତ୍କଳମଣିଙ୍କୁ କେବେ ଖୋଜିବାକୁ ପ୍ରୟାସ କରୁନାହିଁ। ଏବେ ନୁହେଁ ତାଙ୍କର ମହାପ୍ରୟାଣ ପରଠାରୁ କେବେ ମଧ୍ୟ ଏ ପ୍ରକାର ଅପଚେଷ୍ଟା ସେ କରିନି; କାରଣ ଉତ୍କଳମଣିଙ୍କ ଦେହାନ୍ତ ପରେ ସବୁ ଓଡ଼ିଆ ଅନୁଭବ କରିଥିଲେ ତାଙ୍କର ପରିବାରରୁ ଜଣେ କିଏ ଚାଲିଗଲେ ଯେମିତି। ଉତ୍କଳମଣି ଥିଲେ ଏମିତି ଏକମାତ୍ର ନେତା ଯାହାଙ୍କୁ କୁହାଯାଏ ପୁଣ୍ୟାତ୍ମା। ତାଙ୍କ ଲାଗି ଦେଶ ଥିଲା ପରିବାର, ଦେଶବାସୀ ଥିଲେ ଆତ୍ମୀୟସ୍ୱଜନ। ସେଇଥିପାଇଁ ହିଁ ସେ କହିଥିଲେ, ‘‘ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଡ଼, ପୂରୁ ତହିଁ ପଡ଼ି ମୋର ମାଂସହାଡ଼। ଆଜିର ନେତାମାନଙ୍କ ନିମନ୍ତେ ଏ ପ୍ରକାର ଧ୍ବନି ବା ସ୍ଲୋଗାନ ଲୋଡା ନାହିଁ। ସ୍ୱରାଜ୍ୟ କୁଆଡେ ଆସିସାରିଛି। ତେବେ ଏ କଥା ସାଧାରଣ ଜନତାଟିଏ ଅନୁଭବ କରିପାରିନି। ସେଇଥିଲାଗି ସେ ସ୍ୱରାଜ୍ୟକୁ ଖୋଜୁଛି। ଟଙ୍କିକିଆ ଚାଉଳ ପାଇବା ଲାଗି ବ୍ୟାଗ ହାତରେ ଧରି​‌େ‌ରସନ ଦୋକାନରେ ଠିଆ ହେଲାବେଳେ ସ୍ୱାଭିମାନୀ ଓଡ଼ିଆ ଖୋଜୁଛି ସେଇ ଶ୍ମଶ୍ରୁଧାରୀ ପୁଣ୍ୟାତ୍ମାଙ୍କୁ ଯିଏ ଦିନେ ଲୋକଙ୍କୁ ଶିଖାଇଥିଲେ- ଜୀବନ ଥିଲେ ଭାଇ ପାତିବା ନାହିଁ ହାତ, ମଣିଷ ପରି ଦିନେ ମଣିଷ ହୋଇବା ତ !

ଏ ରାଜ୍ୟରେ ବନ୍ୟା, ବାତ୍ୟା, ମରୁଡି ଆଜି ବି ହେଉଛି। ତେବେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପରି ଚୁଡା, ଚାଉଳ ଲୁଗାପଟା ସଂଗ୍ରହ କରି କେହି ନେଇ ଯାଉନାହାନ୍ତି ବନ୍ୟାପ୍ରପୀଡିତ ଲୋକଙ୍କ ନିକଟକୁ। ନେତାମାନେ ହେଲିକପ୍ଟରରେ ବନ୍ୟାଞ୍ଚଳ ବୁଲୁଛନ୍ତି; ମରୁଡି ସାହାଯ୍ୟ ଲାଗି କେନ୍ଦ୍ର-ରାଜ୍ୟ ସରକାର ଗୋଇ ଖୋଳାଖୋଳି ହେଉଛନ୍ତି; ବାତ୍ୟା ରିଲିଫକୁ ନେଇ ଗାଁ ରାଜନୀତି ସରଗରମ ହୋଇଉଠୁଛି। ଲୋକେ ନଈବନ୍ଧରେ ଗାତକରି ଘଳିଆ ପକେଇ ଦେଉଛନ୍ତି, ବନ୍ୟାହେଲେ ରିଲିଫ ମିଳିବ, ଇନ୍ଦିରା ଆବାସ ମିଳିବ। ଆଜି ଯଦି ଗୋପବନ୍ଧୁ ଥାଆନ୍ତେ ସେ ନିଶ୍ଚୟ କାନ୍ଦିଥାନ୍ତେ ଏମିତି ଲୋକଙ୍କ ଲାଗି କାହିଁକି ସେ ନିଜ ପରିବାର, ନିଜର ଏକମାତ୍ର ପୁଅକୁ ପଛକରି ଦିନେ ଧାଇଁଯାଉଥିଲେ ପାଣିଘେରକୁ !

ଶିକ୍ଷା ଲାଗି ଏ ରାଜ୍ୟରେ ସେ ଥାପିଥିଲେ ବକୁଳ ବନବିଦ୍ୟାଳୟ। ମଣିଷ ତିଆରି କାରଖାନା। ସେ ସମୟର ଏକ ଆବାସିକ ବିଦ୍ୟାଳୟ। ଆଜି ରାଜ୍ୟରେ ହଜାର ହଜାର ‘ରେସିଡେନ୍ସିଆଲ ସ୍କୁଲ’। ବିଦ୍ୟା ବେପାର ! ଅର୍ଥସର୍ବସ୍ୱ ଶିକ୍ଷା। ଏ ଶିକ୍ଷାରେ ଜୀବନ ଗଢିବାର କଳା ନାହିଁ; ନମ୍ବର ବଢିବାର କଳା ଅଛି। ସରକାରୀ ସ୍କୁଲରେ ସବୁ ଅଛି, ଘର, ପାଇଖାନା, ମଧ୍ୟାହ୍ନଭୋଜନ; ହେଲେ ପାଠପଢ଼ା ନାହିଁ। ଶିକ୍ଷକମାନଙ୍କ ଦ୍ୱିତୀୟ କାର୍ଯ୍ୟାଳୟ ହୋଇଯାଇଛି ରାଜଧାନୀର ଲୋୟର ପିଏମ୍‍ଜି। ଶିକ୍ଷକଙ୍କ ଭିତରେ ଭେଦଭାବ। ଗଣଶିକ୍ଷକ, ଶିକ୍ଷା ସହାୟକ, ପାରା ଶିକ୍ଷକ, ୪୪୧ ବର୍ଗର ଶିକ୍ଷକ ଏମିତି କେତେ କଣ। ସେମିତି ଘରୋଇ ସ୍କୁଲର ଅବସ୍ଥା। ଘରୋଇ ସ୍କୁଲର ଫି’କୁ ନେଇ ଅଭିଭାବକ ଏମିତି ତ୍ରସ୍ତ ଯେ ସେଥିପାଇଁ ସେମାନଙ୍କୁ ଆନ୍ଦୋଳନକୁ ଓହ୍ଲାଇବାକୁ ହେଉଛି। ଭଲ ହୋଇଛି ଗୋପବନ୍ଧୁ ଆଜି ନାହାନ୍ତି। ନିଜର ହାତଗଢା ବନବିଦ୍ୟାଳୟରେ ସରକାରୀ ସାହାଯ୍ୟକୁ ସ୍ପଷ୍ଟ ମନା କରିଦେଇଥିବା ଲୋକଜଣକ କେମିତି ଦେଖିପାରନ୍ତା ଶିକ୍ଷକ, ଶିକ୍ଷାବେପାରୀ ଓ ଅପରିଣାମଦର୍ଶୀ ସରକାର କେମିତି ଶିକ୍ଷା ବ୍ୟବସ୍ଥାଟିକୁ ଶୂନ୍ୟଗର୍ଭ କରିସାରିଲେଣି ବୋଲି !

ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇ ସଂଗ୍ରାମୀମାନେ ଜେଲ୍‍ ଯାଉଥିଲେ। ଜେଲ୍‍ରେ ସୂତାକାଟି, ଗୀତାପଢ଼ି, ଯୋଗ କରି, ଦେଶକଥା ଭାବି ସମୟ କଟୁଥିଲା। ଆଜି ବି ନେତା, ଅଫିସର, ଜନସେବୀମାନେ ଜେଲ୍‍ ଯାଉଛନ୍ତି। ଚିଟ୍‍ଫଣ୍ଡରେ ଲୋକଙ୍କୁ ଠକି, କଳା ନାଁରେ ଶୋଷଣ କରି, ଜମି ଦୁର୍ନୀତି, ଖଣି ଦୁର୍ନୀତି, ପାଣି ଦୁର୍ନୀତି ଆଦି ସବୁ ପ୍ରକାର ଦୁର୍ନୀତି ଯାତ୍ରାର ଶେଷ ହେଉଛି କାରାଗାରରେ। କିଛି ଲୋକ କାରାଗାରକୁ ଘର କରିସାରିଲେଣି। କିଏ ଜେଲ୍‍ ଭିତରୁ ଥାଇ ବ୍ୟବସାୟ ଚଳାଉଛି ତ କିଏ ଗଣମାଧ୍ୟମ। ଭଲ ହୋଇଛି ପୁଣ୍ୟାତ୍ମା ଆଜି ନାହାନ୍ତି। ଥିଲେ ଏ କଥା ଶୁଣି ପାରିଥା​‌େ​‌ନ୍ତ କି ଜେଲ୍‍ରେ ପଶିଥିବା ଏଇ ଲୋକମାନେ ଉଦାହରଣ ଦେଉଛନ୍ତି ‘ଗାନ୍ଧୀ ଗୋପବନ୍ଧୁ ତ ପୁଣି ଜେଲ୍‍ ଯାଇଥିଲେ’!

ଭଲ ହୋଇଛି ଗୋପବନ୍ଧୁ ନାହାନ୍ତି କି ଆଉ ଗୋପବନ୍ଧୁମାନେ ଜନ୍ମ ହେଉ ନାହାନ୍ତି। ହେବାର ସମ୍ଭାବନା ବି ନାହିଁ। ଦେଶ ବିକ୍ରି ହୋଇ ଚାଲିଛି। ବିଦେଶୀ ଇଂରେଜଙ୍କ ହାତରେ ନୁହେଁ; ବରଂ ଦେଶୀ ବାବୁମାନଙ୍କ ହାତରେ। ବିକାଶ ହୋଇଛି ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି ହେଲେ ରାଜ୍ୟ ସରକାରଙ୍କ ତାଲିକାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ବଢୁଛି। ସମସ୍ତେ ଗରିବ ହେବାକୁ ବ୍ୟଗ୍ର। ଏଭଳି ପ୍ରତିଯୋଗିତାକୁ ଦେଖି ସରକାର ଗରିବମାନଙ୍କୁ ପଞ୍ଜିକୃତ କରିବାର ଯୋଜନା କରିଛନ୍ତି। ରେସନ କାର୍ଡ ଲାଗି ତାଲିକା ହେଉଛି। ଭିକାରି ହେବାର ଯୋଗ୍ୟତା ନିର୍ଦ୍ଧାରଣ ହୋଇଛି! ଅଯୋଗ୍ୟ ଭିକାରିମାନେ ତୁରନ୍ତ ଭିକାରି ତାଲିକାରୁ ନିଜର ନାମ ଅପସାରଣ କରିବାକୁ ସରକାରଙ୍କ ତରଫରୁ ତାଗିଦା ହୋଇଛି।

ସେ ଦିନ ସିରେଇ ଗାଁର ଚାଉଳ ବଣ୍ଟନ କେନ୍ଦ୍ରରେ ସେ ପିଲାଟି ଚାଉଳ ମାଗିବାକୁ ଯିବ କି ନାହିଁ, ଏଇ ଦ୍ୱନ୍ଦ୍ୱରେ ତାର ଦିନ କଟିଗଲା। ଶେଷକୁ ଲୁହଭରା ଆଖିରେ ଉତ୍କଳମଣିଙ୍କୁ ସ୍ୱାଭିମାନୀ ଓଡ଼ିଆପୁଅ ଜବାବ ଦେଇଥିଲା, ସେ କେବେ ବି ମାଗିବା ଲାଗି ହାତପାତି ଠିଆ ହେବ ନାହିଁ। ଭଲ ହୋଇଛି ଆଜି ଉତ୍କଳମଣି ନାହାନ୍ତି। ଥିଲେ ଏ ରେସନ କାର୍ଡର ଯୋଗ୍ୟ ଅଯୋଗ୍ୟ ହିତାଧିକାରୀଙ୍କ ଭିଡରେ ସେ ନିଶ୍ଚେ ଅଣନିଃଶ୍ୱାସୀ ହୋଇଯାଇଥା‌େ‌ନ୍ତ। ପୁଣି ଖୋଜିଥାନ୍ତେ, କାହିଁ ସ୍ୱରାଜ୍ୟ?

Comments are closed.