ଅନନ୍ୟ ଗଦ୍ୟସ୍ରଷ୍ଟା ଗୋପବନ୍ଧୁ

ବିରଞ୍ଚି କୁମାର ସାହୁ

ଗୋପବନ୍ଧୁ ଦାସ କ’ଣ ନ ଥିଲେ? ସବୁ ଥିଲେ ଏବଂ ସବୁଥିରେ ତାଙ୍କର ଦକ୍ଷତା ବାରି ହୋଇ ପଡୁଥିଲା। ଗୋପବନ୍ଧୁଙ୍କୁ ଆମେ କୌଣସି ‘ଗୋଟିଏ’ ମଧ୍ୟରେ ସୀମିତ ରଖି ପାରିବା ନାହିଁ। କାରଣ ସେ ଅସୀମିତ ବ୍ୟକ୍ତିତ୍ବ। ସାହିତ୍ୟିକ, ସୁବକ୍ତା, ରାଜନୀତିକ କର୍ମୀ, ସାମ୍ବାଦିକ, ଓକିଲ, ଶିକ୍ଷକ, ସମ୍ପାଦକ, ଦେଶ ସେବକ ଆହୁରି କେତେ କଣ! ସବୁ କାର୍ଯ୍ୟକୁ ସମ୍ଭବତଃ ସେ ଠିକ୍‌ ଭାବେ ଓ ସୁଚାରୁ ଭାବେ ତୁଲାଇ ପାରୁଥିଲେ। ସାହିତ୍ୟିକ ହିସାବରେ ସେ ଥିଲେ କବି, ପ୍ରାବନ୍ଧିକ ଓ ଗଦ୍ୟ ଲେଖକ। ଆମେ ଗୋପବନ୍ଧୁଙ୍କ ସାହିତ୍ୟର ଗୋଟିଏ ମାତ୍ର ଦିଗକୁ ଦୃଷ୍ଟିପାତ କରିବା। ତାହା ହେଉଛି ସେ ଥିଲେ ଗଦ୍ୟ ସାହିତ୍ୟର ଅନନ୍ୟ ସ୍ରଷ୍ଟା। ପ୍ରବନ୍ଧ ରଚନା କରିବା ସହିତ ‘ସମାଜ’ ଓ ସତ୍ୟବାଦୀ ପୃଷ୍ଠାରେ ତାଙ୍କ ଦ୍ବାରା ରଚିତ ସମ୍ପାଦକୀୟ ଥିଲା ଉଚ୍ଚକୋଟୀର ଗଦ୍ୟ ରଚନା। ସରଳ ଭାଷାରେ ଜନସାଧାରଣଙ୍କ ସମସ୍ୟାବଳୀକୁ ନେଇ ଆପଣାର ମନୋଭାବ ପ୍ରକାଶ କରିବା ତାଙ୍କର ଲକ୍ଷ୍ୟ ଥିଲା। ସେଥିପାଇଁ ତାଙ୍କ ଲେଖାରେ ସେ ଗ୍ରାମୀଣ ଓ ଲୋକକଥିତ ଭାଷା ବ୍ୟବହାର କରୁଥିଲେ। ‘ସତ୍ୟବାଦୀ’ ପତ୍ରିକାରେ ସେ ଏ କଥା ମଧ୍ୟ ଉଲ୍ଲେଖ କରିଥିଲେ- ‘‘ଆମ୍ଭମାନଙ୍କ ସାହିତ୍ୟିକ ଉଦ୍ୟମରୁ ଲୋକ ସାଧାରଣଙ୍କୁ ବାଦ୍‌ ଦେଲେ ଜାତୀୟ ସାହିତ୍ୟ ଅସମ୍ଭବ ହେବ। ଉଚ୍ଚଭାବ ଓ ଉଚ୍ଚ ଭାଷାରେ ଯେ ସାହିତ୍ୟ ଲେଖା ନ ହେବ, ତାହା କେହି କହୁନାହିଁ। ତାହା ଯେତେ ଅଧିକ ଲେଖା ହୁଏ, ଜାତିର ଏବଂ ଭାଷାର ତେତେ ଗୌରବ; କିନ୍ତୁ ସେ ସବୁ ଭାବରାଶି ସରଳ ସ୍ବଚ୍ଛ ପ୍ରଣାଳୀରେ ନିମ୍ନ ସ୍ତରକୁ ପ୍ରବାହିତ ନ ହେଲେ ତାହା ସମଗ୍ର ଜାତିର ସମ୍ପତ୍ତି ହେଲା ବୋଲି କୁହାଯାଇ ପାରିବ ନାହିଁ।’’ (ସତ୍ୟବାଦୀ ୧ମ ଖଣ୍ଡ/୩ୟ ସଂଖ୍ୟା-ପୃ ୬୮)। ଗୋପବନ୍ଧୁଙ୍କ ଉଦ୍ଦେଶ୍ୟ ଥିଲା ସାହିତ୍ୟ ଯଦି ସାଧାରଣ ଲୋକଙ୍କ ସହିତ ନ ରହିଲା ତେବେ ଜାତୀୟ ଜୀବନ, ଜାତୀୟ ଚରିତ୍ର, ଜାତୀୟ ଆଦର୍ଶ ଓ ଜାତୀୟ ଭାବର ବିକାଶ ସମ୍ଭବ ନୁହେଁ। ଗୋପବନ୍ଧୁଙ୍କ ଦ୍ବାରା ‘ସମାଜ’ ସମ୍ବାଦପତ୍ର ୧୯୧୯ ମସିହା ବିଜୟା ଦଶମୀ ଦିନ ସତ୍ୟବାଦୀ ପ୍ରେସ୍‌ରୁ ପ୍ରକାଶିତ ହେଲା। ଏଥିରେ ସେ ଯେଉଁ ସମ୍ପାଦକୀୟ ଲେଖୁଥିଲେ ତାହା ଥିଲା ଉଚ୍ଚାଙ୍ଗଧର୍ମୀ ଗଦ୍ୟ ରଚନା। ପ୍ରତ୍ୟେକ ସମ୍ପାଦକୀୟର ଗଦ୍ୟ ଥିଲା ଉଚ୍ଚକୋଟୀର। ଏପରି କି ‘ସମାଜ’ ଖବରକାଗଜରେ ଯେଉଁ ଖବରସବୁ ପ୍ରକାଶ ପାଉଥିଲା ତା’ର ଭାଷା ଅତି ସରଳ ଓ ସହଜ ଥିଲା। ଯିଏ ଖାଲି ଅକ୍ଷର ଚିହ୍ନିଥିବେ, ସେ ପଢ଼ିଲେ ବୁଝି ପାରିବେ। ଏପରି କି ଅକ୍ଷର ଚିହ୍ନି ନ ଥିବା ଲୋକେ ସୁଦ୍ଧା ଶୁଣି ବୁଝିପାରିବେ। ଏଥିରୁ ଅନୁମାନ କରାଯାଇପାରେ ଯେ, ଗୋପବନ୍ଧୁଙ୍କ ଚିନ୍ତାଧାରା କେତେ ମହତ୍‌ ଥିଲା। ନିଜେ ଯେଉଁ ଗଦ୍ୟ ରଚନା କରୁଥିଲେ ଓ ସମ୍ବାଦପତ୍ର/ସାହିତ୍ୟ ପତ୍ରିକାରେ ଯେଉଁ ଲେଖା ସବୁ ପ୍ରକାଶ ହେଉଥିଲା ତା’ର ଭାଷା ସରଳ, ବୋଧଗମ୍ୟ ହେଉ-ଏ କଥା ଗୋପବନ୍ଧୁଙ୍କ ଉଦ୍ଦେଶ୍ୟ ଥିଲା ଏବଂ ସେ ଏହା ଉପରେ ଗୁରୁତ୍ବାରୋପ କରୁଥିଲେ। ‘ସମାଜ’ ସମ୍ବାଦପତ୍ର ଓ ସତ୍ୟବାଦୀ ସାହିତ୍ୟ ପତ୍ରିକା ମାଧ୍ୟମରେ ଗୋପବନ୍ଧୁ ସାହିତ୍ୟକୁ ଗଣାଭିମୁଖୀ କରାଇ ପାରିଥିଲେ। ଏ କଥା ମଧ୍ୟ ଆମକୁ ସ୍ବୀକାର କରିବାକୁ ହେବ ଯେ, ଉଦାର ମାନବିକତା, ସଂସ୍କାର ମନୋବୃତ୍ତି, ଉଚ୍ଚ ଚିନ୍ତାଧାରା, ମାର୍ଜିତ ରୁଚିବୋଧ, ସ୍ବଦେଶୀ ଭାବନା ତାଙ୍କ ପ୍ରବନ୍ଧଗୁଡ଼ିକୁ ଗୁଣାତ୍ମକ ଓ ପରିମାଣାତ୍ମକ ଦୃଷ୍ଟିରୁ ସମୃଦ୍ଧ କରିଛି।

ତାଙ୍କ ପ୍ରବନ୍ଧରେ ଶିକ୍ଷା, ସଂସ୍କୃତି, ଆଦର୍ଶ, ନୈତିକତା, ରାଜନୀତି, ଜାତୀୟବୋଧ, ସଂସ୍କାର, ପ୍ରଭୃତି ସ୍ଥାନ ପାଇଛି। ଗୋପବନ୍ଧୁଙ୍କ ଅନୁଭବ ଓ ଅନୁଭୂତି ଥିଲା ବିଶାଳ। ସାଧାରଣ ଜନତାଙ୍କ ଦୁଃଖ ଓ ଦୁର୍ଦଶା ତାଙ୍କୁ ବ୍ୟଥିତ କରୁଥିଲା। ଖବରକାଗଜଟିଏ ପ୍ରକାଶ କରିବାର ଇଚ୍ଛା ଥିଲା ସେହି ଦୀନ ଦରିଦ୍ର ଦୁଃଖୀ ମଣିଷମାନଙ୍କ କଥାକୁ ସାମ୍ନାକୁ ଆଣିବା ଓ ସମାଧାନର ବାଟ ଖୋଜିବା। ସେ ଜୀବନରେ ଯେମିତି ଭାବୁଥିଲେ, ସତ୍ୟକୁ ଯେମିତି ସାମ୍ନା କରୁଥିଲେ, ସାଧାରଣ ଜନତାର ଦୁଃଖରେ ଯେପରି ସହାନୁଭୂତିଶୀଳ ହେଉଥିଲେ, ତା’ରି ଭାଷାକୁ ଅବିକଳ ସେ ପ୍ରକାଶ କରୁଥିଲେ। ଓଡ଼ିଶାର ପ୍ରତ୍ୟେକ ସମସ୍ୟା, ଭାରତବର୍ଷର ବିବିଧ ସମସ୍ୟାକୁ ସେ ଯଥାରୀତି ସ୍ଥାନ ଦେଉଥିଲେ ଖବରକାଗଜ ପୃଷ୍ଠାରେ। ‘ସମାଜ’ରେ ତା ୭ା୮ା୧୯୨୬ ମସିହାରେ ପ୍ରକାଶିତ ‘ଶ୍ରମିକମାନଙ୍କ ସମସ୍ୟା ନେଇ ମଜୁରିଆଙ୍କ ମେଳ’ ଶୀର୍ଷକ ଲେଖାରୁ ତାଙ୍କ ଭାଷା ସମ୍ପର୍କୀୟ ସୂଚନା ମିଳେ। ସେ ଲେଖିଥିଲେ ‘ପୃଥିବୀର ସବୁ ମଜୁରିଆମାନେ ଗୋଟିଏ ଜାତି। ସବୁଠାରେ ସେମାନଙ୍କ ଭାଗ୍ୟ ସମାନ। ସବୁ ଦେଶରେ ମାଲିକମାନେ ତାଙ୍କୁ ଚପାଇ ରଖିବାକୁ ବସିଛନ୍ତି ଏବଂ ସେମାନଙ୍କ ରକ୍ତରୁ ଆପଣାର ଲାଭ କରିବାକୁ ଚାହାନ୍ତି। ବିଲାତ ମଜୁରିଆଙ୍କ ଉପସ୍ଥିତ ଅବସ୍ଥାରେ ଅନ୍ୟାନ୍ୟ ଦେଶର ଶ୍ରମଜୀବୀଙ୍କର ସହାନୁଭୂତି ହେବା ସ୍ବାଭାବିକ; ଆଜି ଶ୍ରମିକମାନେ ଦବି ଯାଇପାରନ୍ତି; କିନ୍ତୁ ସେମାନଙ୍କ ଦିନ ଆସୁଛି, ଏହା ଜଗତର ନିୟମ।’ ଏହି କେତୋଟି ବାକ୍ୟ ମଧ୍ୟରେ ଗୋପବନ୍ଧୁଙ୍କର ଶ୍ରମିକମାନଙ୍କ ପ୍ରତି ଯେଉଁ ସହାନୁଭୂତି ପ୍ରକାଶ ପାଇଛି ତାହା ନିଶ୍ଚିତ ସେମାନଙ୍କ ମନରେ ସାହସ ଓ ଧୈର୍ଯ୍ୟ ସଞ୍ଚାର କରାଇବ। ‘ସମାଜ’ ପୃଷ୍ଠାରେ ତାଙ୍କର ସମ୍ପାଦକୀୟ ବ୍ୟତୀତ ସେ ମଧ୍ୟ କେତେ ଉଚ୍ଚକୋଟୀର ମୌଳିକ ପ୍ରବନ୍ଧ ରଚନା କରିଥିଲେ। ମୁକୁର ପତ୍ରିକାରେ ସ୍ଥାନ ପାଇଥିବା ତାଙ୍କର ‘ବିବାହରେ ଅର୍ଥ ପ୍ରସଙ୍ଗ’ ଦୀର୍ଘ ପ୍ରବନ୍ଧ ମାଧ୍ୟମରେ ସାମାଜିକ ଅଙ୍ଗୀକାର ସମ୍ପର୍କରେ ସେ ସୂଚନା ଦେଇଛନ୍ତି। ଗୋପବନ୍ଧୁ, ହିନ୍ଦୁ ବିବାହକୁ ଆତ୍ମାର ମିଳନ ବୋଲି ବିବେଚନା କରୁଥିଲେ। ସେ ଜାତୀୟ ଜୀବନ ପାଇଁ ଓ ଜାତିକୁ ବାଞ୍ଛିତ ଦିଗ୍‌ଦର୍ଶନ ଦେବା ପାଇଁ ସାହିତ୍ୟର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନ ଥିଲେ। ତାଙ୍କର ଆଦର୍ଶ ଥିଲା ପ୍ରାତଃ ସ୍ମରଣୀୟ ଜଗନ୍ନାଥ ଦାସଙ୍କ ଭାଗବତ। ସେହି ଭାଗବତର ଭାଷା ଓ ଶୈଳୀ ତାଙ୍କୁ ପ୍ରଚୋଦିତ କରିଥିଲା। ତେଣୁ ସେହି ଭାଗବତକୁ ଆଦର୍ଶ ରୂପେ ଗ୍ରହଣ କରି ଗଦ୍ୟ ଓ ପଦ୍ୟରେ ସେହି ଭାଷାର ପ୍ରୟୋଗ କରିଥିଲେ। ତାଙ୍କର ‘ଭାଷା ଓ ଜାତୀୟତା’ ପ୍ରବନ୍ଧଟି ଏକ ଉଚ୍ଚାଙ୍ଗଧର୍ମୀ ଗଦ୍ୟ ରଚନା। ତାହା ମଧ୍ୟ ଦୀର୍ଘ ବର୍ଷ ଧରି ପାଠ୍ୟଖସଡ଼ାରେ ସ୍ଥାନ ପାଇବା ଗୌରବର ବିଷୟ। ଭାଷା ଦ୍ବାରା ଜାତୀୟତା କିପରି ସମ୍ଭବ ହୁଏ ଏବଂ ଭାଷା ସହିତ ଜାତୀୟତାର ସମ୍ପର୍କକୁ ସେ ଏକ ଦୀର୍ଘ ପ୍ରବନ୍ଧ ଜରିଆରେ ବ୍ୟକ୍ତ କରିଛନ୍ତି। ଭାଷା ଭିତ୍ତିରେ ପ୍ରଦେଶ ଗଠନ ପାଇଁ ଲେଖକ ଏହି ପ୍ରବନ୍ଧ ମାଧ୍ୟମରେ ଯୁକ୍ତି ଉପସ୍ଥାପନ କରିବା ସହିତ ଭାଷା ହିଁ ଜାତୀୟ ଜୀବନ ସୃଷ୍ଟି କରିବାରେ ସହାୟକ ହୋଇଥାଏ, ଏହା ପ୍ରମାଣ କରିଛନ୍ତି। ଭାଷାକୁ ଜାତୀୟତାର ପ୍ରାଣ ବୋଲି କହିଛନ୍ତି ଗୋପବନ୍ଧୁ। ଗୋଟିଏ ପ୍ରଦେଶରେ ଭିନ୍ନ ଭିନ୍ନ ଜାତି, ଧର୍ମର ଓ ଭାଷାର ଜନସାଧାରଣ ରହିଲେ ମଧ୍ୟ ଯଦି ସେମାନେ ସେହି ପ୍ରଦେଶର ଭାଷାକୁ ନିଜ ଭାଷା ରୂପେ ଗ୍ରହଣ କରନ୍ତି ତେବେ ଜାତୀୟ ଏକତା ସୃଷ୍ଟି ହେବ। ଲେଖକଙ୍କ ଯୁକ୍ତି ହେଉଛି ଯୁକ୍ତରାଷ୍ଟ୍ର ଆମେରିକାରେ ବିଭିନ୍ନ ଦେଶ ଓ ଜାତିର ଲୋକେ ବସବାସ କଲେ ହେଁ, ଇଂରାଜୀ ଭାଷାକୁ ରାଜ୍ୟର ଭାଷା ରୂପେ ସ୍ବୀକାର କରିଥିବାରୁ ସେଠାରେ ଗୋଟିଏ ଜାତୀୟ ଭାବର ଉଦ୍ରେକ ହୋଇପାରିଛି। ଏହିପରି ଉଦାହରଣ ମାଧ୍ୟମରେ ଗୋପବନ୍ଧୁ ଜାତୀୟ ଚେତନା ସହିତ ଭାଷାର ସମ୍ପର୍କକୁ ଆଲୋଚନା କରିଛନ୍ତି। ଏ ପ୍ରବନ୍ଧରେ ଲେଖକଙ୍କ ଭାଷା, ଶୈଳୀ, ଭାବ, ଭାବନା ସବୁ ଉଚ୍ଚକୋଟୀର ହୋଇପାରିଛି। ତାଙ୍କ ପ୍ରବନ୍ଧ ବା ଗଦ୍ୟ ରଚନା ସମ୍ପର୍କରେ ସମାଲୋଚକ ଡ. ଅସିତ୍‌ କବି ଲେଖିଛନ୍ତି ‘ଦେଶ, ଭାଷା, ଜାତୀୟ ସାହିତ୍ୟ, ଜାତୀୟ ଜୀବନ ସମ୍ପର୍କରେ ସେ ଯାହା ଚିନ୍ତା କରୁଥିଲେ, ଯାହା ସତ୍ୟ ତେଣୁ ଉପାସ୍ୟ ବୋଲି- ତାଙ୍କ ମନରେ ପ୍ରତୀତି ଜାତ ହେଉଥିଲା, ତତ୍‌ ପ୍ରତି ତାଙ୍କର ଗଭୀର ଆନ୍ତରିକତା ତାଙ୍କ ପ୍ରବନ୍ଧ‌େର ଭାସ୍ବର’। ତାଙ୍କର ସଂସ୍କାର ଓ ସମୟ, ପ୍ରାଦେଶିକ ଭାଷା ସାହାଯ୍ୟରେ ଶିକ୍ଷା, ପ୍ରାଗ୍‌ ବୌଦ୍ଧ ଯୁଗରେ ଭାରତୀୟ ଶିକ୍ଷା ବିଧାନ ସତ୍ୟବାଦୀ ବା ସାକ୍ଷିଗୋପାଳ ଉଲ୍ଲେଖଯୋଗ୍ୟ। ‘ଗୋପବନ୍ଧୁ ଏକ କଥାରେ ବିଂଶ ଶତାବ୍ଦୀର ଆଦ୍ୟ ପାଦରେ ଉତ୍କଳରେ ଜାତୀୟ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାର ବାର୍ତ୍ତାବହ। ଉଦାର ଚିନ୍ତା ପ୍ରସୂତ ମନନଶୀଳ ବାଣୀର ପରିପ୍ରକାଶ ହେତୁ ତାଙ୍କ ବିକ୍ଷିପ୍ତ ଗଦ୍ୟ ରଚନା ଅମୂଲ୍ୟ।’ (ମିଶ୍ର, ଶ୍ରୀନିବାସ/ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ/ପୃ ୪୦୫)। ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା, ଜାତୀୟତା କ୍ଷେତ୍ରରେ ଗୋପବନ୍ଧୁ ଜଣେ ଚିରସ୍ମରଣୀୟ ମନୀଷୀ ଏବଂ ଓଡ଼ିଆ ଗଦ୍ୟ ସାହିତ୍ୟରେ ସେ ଜଣେ କୃତବିଦ୍ୟ ଶିଳ୍ପୀ।

Comments are closed.