ବିଚାର ବିଭାଗ ଉପରେ ବୋଝ

ଚିତ୍ତରଞ୍ଜନ ମହାନ୍ତି

୧୯୭୫ ମସିହା ଜୁନ ମାସ ୧୨ତାରିଖ ସ୍ୱାଧୀନ ଭାରତର ଇତିହାସରେ ଏକ ଦୀପ୍ତିମୟ ଦିନ। ସେ ଦିନ ଗୁଜୁରାଟର ଜନଗଣ ଏକ ଭ୍ରଷ୍ଟ ଶାସନକୁ ସାବାଳକ ଭୋଟ ପ୍ରଥା ମାଧ୍ୟମରେ ବଦଳାଇଲେ ଓ ଆଲହାବାଦ ହାଇକୋର୍ଟ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନକୁ ଭ୍ରଷ୍ଟ ଆଚରଣ ଯୋଗୁ ଅସିଦ୍ଧ ଘୋଷଣା କଲେ। ଉଭୟ ଲୋକଙ୍କ ଅଦାଲତ ଓ ନ୍ୟାୟିକ ଅଦାଲତ ଭିନ୍ନ ଭିନ୍ନ ରାଜ୍ୟରେ ନୀତିନିଷ୍ଠ ଫଇସଲା ଶୁଣାଇଲେ। ଭାରତର ଗଣତନ୍ତ୍ର ଓ ସମ୍ବିଧାନ ଶ୍ରେଷ୍ଠତାର ଶିଖର ଛୁଇଁଲା।

ଗୁଜୁରାଟରେ ଦରବୃଦ୍ଧି ଯୋଗୁଁ ସାଧାରଣ ଜନଜୀବନ ଅତିଷ୍ଠ ହୋଇପଡିଲା। ତା’ର ପ୍ରଭାବ ହଷ୍ଟେଲର ଅନ୍ତେବାସୀଙ୍କ ଉପରେ ପଡିଲା। ଛାତ୍ରମାନେ ଥାଳି ପିଟି ରାଜରାସ୍ତାକୁ ଆସିଲେ ଓ ରାଜ୍ୟରେ ତୀବ୍ର ଛାତ୍ର ଆନ୍ଦୋଳନ ଗଢି ଉଠିଲା। ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଗୁଜୁରାଟର ବୟୋଜ୍ୟେଷ୍ଠ ନେତା ମୋରରଜୀ ଭାଇ ଦେଶାଇ(ପରେ ଦେଶର ପ୍ରଧାନମନ୍ତ୍ରୀ) ଆନ୍ଦୋଳନକୁ ସମର୍ଥନ ଦେବାରେ ଏହା ଏକ ନିର୍ଣ୍ଣାୟକ ମୋଡ ନେଲା। ବିଧାନସଭା ଭଙ୍ଗ ହୋଇ ସାନି ନିର୍ବାଚନ ହେଲା। ସେଥିରେ ଶାସକ ଦଳ ହାରିଲା ଓ ଜନପକ୍ଷ ଜିତିଲା।

୧୯୭୧ ଲୋକସଭା ନିର୍ବାଚନରେ ‘ଗରିବ ହଟାଓ’ ସ୍ଲୋଗାନରେ ଅଭିଭୂତ ହୋଇ ଭାରତବାସୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ବିପୁଳ ବହୁମତ ଦେଲେ ଓ ତାଙ୍କୁ ରାଏବରେଲି ଭୋଟର ଖୁବ୍‍ ସମର୍ଥନ ଦେଇ ଜିତାଇଲେ। ତାଙ୍କ ପ୍ରତିଦ୍ୱନ୍ଦ୍ବୀ ସମାଜବାଦୀ ନେତା ରାଜନାରାୟଣ ତାଙ୍କ ନାମରେ ଆଲହାବାଦ ହାଇକୋର୍ଟରେ ନିର୍ବାଚନ ମାମଲା ଦାଏର କଲେ। ରାଜନାରାୟଣଙ୍କ ଘନିଷ୍ଠ ସମାଜବାଦୀ ବନ୍ଧୁ ବିଶିଷ୍ଟ ସାଂସଦ ମଧୁଲିମାୟେ ପରିହାସରେ ରାଜନାରାୟଣଙ୍କୁ ପଚାରିଲେ- ‘ରାଜନାରାୟଣଜୀ, ଆପକା କୋଇ କାମ ନହିଁ ହୈ କ୍ୟା, ହାଇକୋର୍ଟକୀ କୌନସି ଜଜ୍‍ କା କଲେଜା ହୋଗା ଯୋ ଦେଶକୀ ପ୍ରଧାନମନ୍ତ୍ରୀ କୀ ଖିଲାପ ଫଇସଲା କରେଗା?’ ରାଜନାରାୟଣଙ୍କ ସଂକ୍ଷିପ୍ତରେ ଉତ୍ତର ଥିଲା- ‘ଆଜମା ଲେତେ ହେଁ।’ ଅର୍ଥାତ୍‍ ପରୀକ୍ଷା ପ୍ରାର୍ଥନୀୟ। ରାଜନାରାୟଣଙ୍କ ପରୀକ୍ଷା ସଫଳ ହେଲା। ଜଜ୍‍ ଜଗମୋହନ ଲାଲ ସିହ୍ନା ୧୧ଟି ଅଭିଯୋଗରୁ ଶ୍ରୀମତୀ ଗାନ୍ଧୀଙ୍କୁ ମୁକ୍ତ କରି ଜଳ ଜଳ ଦିଶୁଥିବା ୩ଟି ନିର୍ବାଚନୀ ଅନିୟମିତତାକୁ ନେଇ ତାଙ୍କ ନିର୍ବାଚନ ଅସିଦ୍ଧ ବୋଲି ଘୋଷଣା କଲେ। ସେଗୁଡିକ ହେଲା- ୧) ପ୍ରାର୍ଥୀ ଇନ୍ଦିରାଙ୍କ ମଞ୍ଚ ସରକାରୀ ବିଭାଗ କରିଛି. ୨) ପ୍ରାର୍ଥୀ ଇନ୍ଦିରାଙ୍କ ମାଇକ୍‍ ସଜ୍ଜା ଜିଲାର ସରକାରୀ ଲୋକସଂପର୍କ ବିଭାଗ କରିଛି ଓ ୩) ସରକାରୀ ସଚିବ ଥାଇ ମଧ୍ୟ ଯଶପାଳ କପୁର ଆଇ.ଏ.ସ୍‍ ଇନ୍ଦିରାଙ୍କୁ ଜତାଇବା ପାଇଁ ନିର୍ବାଚନ ସଭାରେ ଭାଷଣ ଦେଇଛନ୍ତି।

ସତରେ କେହି ଆଶା କରିନଥିଲେ ଯେ, ଜଣେ ହଇକୋର୍ଟର ଜଜ୍‍ ସୁପ୍ରିମ କୋର୍ଟକୁ ଯିବାର ମହଦାକାଙ୍‌କ୍ଷାକୁ ଏଡାଇ ଏଭଳି ସାହସିକ ନିଷ୍ପତ୍ତି ନେବେ ବୋଲି, ଖବର ବିଜୁଳି ବେଗରେ ପ୍ରଚାରିତ ହେବାପରେ କ୍ରିୟା ପ୍ରତିକ୍ରିୟା ତୀବ୍ର ହେଲା। ପ୍ରଧାନମନ୍ତ୍ରୀ ଅଚାନକ ଇସ୍ତଫା ଦେଲେ, ସାମ୍ବିଧାନିକ ସଂକଟ ସୃଷ୍ଟି ହେବାର ଦ୍ୱାହି ଦେଇ କୋର୍ଟକୁ ନିବେଦନ କରାଗଲା ୨୦ଦିନର ମହଲତ ପାଇଁ। କୋର୍ଟ ସେଥିରେ କୁଣ୍ଠା କଲା ନାହିଁ; କିନ୍ତୁ ସେ କୋଡିଏ ଦିନକୁ ସକାରାତ୍ମକ ଭାବେ ବ୍ୟବହାର ନକରି ହାଇକୋର୍ଟ ଫଇସଲାକୁ ସବୁମତେ ଭଣ୍ଡୁର କରିବାର ପ୍ରୟାସ ହେଲା। ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ବହୁ ବିକ୍ଷୋଭ ଆୟୋଜିତ ହେଲା। ନ୍ୟାୟପାଳିକାର ସୀମା ଓ ଶକ୍ତି ଉପରେ ପ୍ରଶ୍ନ ଉଠାଇ ଅଗ୍ରଲେଖା ଯୋଗାଡ ଓ ପ୍ରକାଶ କରାଗଲା। କିନ୍ତୁ କିଛି କୌଶଳ କାମ କଲା ନାହିଁ। ପୂର୍ବରୁ ସର୍ବୋଚ୍ଚ ନ୍ୟାୟପାଳିକାକୁ ନାଲି ଆଖି ଦେଖାଇବା ପାଇଁ ତିନିଜଣ ଜଜ୍‍ଙ୍କୁ ଟପାଇ ଜଷ୍ଟିସ ଏଏନ୍‍ ରାୟଙ୍କୁ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି କରାଗଲା। ବରିଷ୍ଠ ଜଜ୍‍ ଜଷ୍ଟିସ ଜେ.ଏମ୍‍ ସେଲହଟ୍‍, ଜଷ୍ଟିସ କେ.ଏସ୍‍. ହେଗଡେ ଓ ଏଏନ୍‍ ଗ୍ରୋଭରଙ୍କ ଅପରାଧ ହେଲା ସେମାନେ ସରକାରୀ ମତ ସହ ଏକମତ ନ ହୋଇ ଐତିହାସିକ କେଶବାନନ୍ଦ ଭାରତୀ କେସରେ ମତ ହେଲେ ଯେ ସାମୟିକ ସରକାର ଅର୍ଥାତ୍‍ ସଂସଦ ସମ୍ବିଧାନର ଶାଶ୍ୱତ ଚରିତ୍ରକୁ ବଦଳାଇ ପାରିବ ନାହିଁ।

ସୁପ୍ରିମକୋର୍ଟର ସୁଖ୍ୟାତ ଜଜ୍‍ ଭି.ଆର. କୃଷ୍ଣଆୟାର ଜୁନ୍‍ ୨୪ତରିଖରେ ନାଲି ଆଖିକୁ ନଡରି ସର୍ତ୍ତମୂଳକ ସ୍ଥଗିତାଦେଶ ଦେଲେ ଯାହା ଇନ୍ଦିରା ଗାନ୍ଧୀଙ୍କ କାମରେ ଲାଗିଲା ନାହିଁ। ନିର୍ବାଚନ ଅସିଦ୍ଧ ଥାଇ ପ୍ରଧାନମନ୍ତ୍ରୀ ରହିବା ଅସଙ୍ଗତ ଲାଗିଲା। ଲୋକନାୟକ ଜୟପ୍ରକାଶ ନାରାୟଣ ଜୁନ ୨୫ତାରିଖ ସଂନ୍ଧ୍ୟାରେ ଦିଲ୍ଲୀରେ ବିଶାଳ ଜନସଭାରେ ଆହ୍ୱାନ ଦେଲେ-ନ୍ୟାୟପାଳିକାର ରାୟକୁ ସମ୍ମାନ ନଦେଲେ ଲୋକେ ସରକାରକୁ ଅସହଯୋଗ କରି ଅଚଳ କରିଦିଅନ୍ତୁ।

ସେଇ ଜୁନ ୨୫ତାରିଖ ମଧ୍ୟ ରାତ୍ରିରେ ନ୍ୟାୟପାଳିକାଙ୍କୁ ଅସାର କରିବାକୁ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀସ୍ଥିତି ଜାରି କଲେ। ବ୍ୟାପକ ଗିରଫଦାରୀ ହେଲା। ସ୍ୱୟଂ ଜୟପ୍ରକାଶ ଗରିଫ ହେଲେ। ଉଗ୍ର, ନମ୍ର କୌଣସି ରାଜନେତା ବାଦ ପଡିଲେ ନାହିଁ। ରାଜନାରାୟଣ , ମଧୁଲିମାୟେ, ବିଜୁ ପଟ୍ଟନାୟକ, ରବି ରାୟ, ଅଟଳ ବିହାରୀ ବାଜପେୟୀ, ଚନ୍ଦ୍ରଶେଖର, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ ପ୍ରମୁଖ ଆଗପଛ ହୋଇ ଗିରଫ ହେଲେ। ଲେଖକ ଭଳି ସାଧାରଣ ଛାତ୍ର ମଧ୍ୟ ମିଶା ଆଇନ୍‍ର ଶିକାର ହୋଇ ଅଠରମାସ କାରାକଷଣ ଭୋଗିଲେ।

ସବୁଠୁ ଦୁଃଖଦାୟକ ଥିଲା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ମିଳିତ ପଞ୍ଜାବର ପୂର୍ବ ମୁଖ୍ୟମନ୍ତ୍ରୀ, ଓଡିଶାର ପୂର୍ବ ରାଜ୍ୟପାଳ ଲୋକସେବକ ମଣ୍ଡଳର ଆଜୀବନ ସଭ୍ୟ ଭୀମସେନ ସାଚାରଙ୍କ ଗିରଫଦାରୀ। ତାଙ୍କ ଜ୍ୱାଇଁ ବିଶିଷ୍ଟ ସାମ୍ବାଦିକ କୁଳଦୀପ ନାୟରଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା। ଭୀମସେନ ସାଚାରଙ୍କୁ ୨୬ ଜୁଲାଇ ୧୯୭୫ ଭୋରରୁ ଗିରଫ କରି କ୍ରୂର ମୁଖ୍ୟମନ୍ତ୍ରୀ ବଂଶୀଲାଲଙ୍କ ତତ୍ତ୍ୱାବଧାନରେ ହରିୟାଣାର ଆମ୍ବାଲା ଜେଲରେ ରଖାଯାଇଥିଲା। ତାଙ୍କର ଅପରାଧ ସେ ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଅତି ଘନିଷ୍ଠ ସହଯୋଗୀ ଥିଲେ। ଗଣତନ୍ତ୍ରପ୍ରେମୀ ନେହେରୁଙ୍କ କନ୍ୟା ଏକଛତ୍ରବାଦୀ ହେବା କଥାଟା ହଜମ ନକରି ଇନ୍ଦିରାଙ୍କୁ ଉପଦେଶ ଦେଇ ଚିଠି ଲେଖିଲେ। ଦିଲ୍ଲୀ ଲାଜପତ ଭବନରେ ଅନୁଷ୍ଠିତ ହେଉଥିବା ଲୋକ ସେବକ ମଣ୍ଡଳ ବୈଠକରେ ବସି ସ୍ଥିର ହେଲା- ଇନ୍ଦିରା ଗାନ୍ଧୀଙ୍କୁ ଅନୁରୋଧ କରାଯିବ ଜରୁରୀସ୍ଥିତି ଉଠାଇବାକୁ କାରଣ ଏହା ଗଣତନ୍ତ୍ରର ପରିପନ୍ଥୀ। ଚିଠିର ମର୍ମ ହେଲା-ଆମେ ଆପଣଙ୍କର ଅଗଣିତ ନାଗରିକଙ୍କ ମଧ୍ୟରୁ ଅକିଞ୍ଚନ କେତେଜଣ। ଆମେ ପଣ୍ଡିତ ନେହେରୁଙ୍କୁ ଜଣେ ଶ୍ରେଷ୍ଠ ଗଣତନ୍ତ୍ରପ୍ରେମୀ ଭାବେ ସମ୍ମାନ କରୁ। ସେ ସମ୍ବାଦପତ୍ରର ସ୍ୱାଧୀନତା ଉପରେ କହିଥିଲେ- “ମୁଁ କୁଣ୍ଠିତ ଓ ନିୟନ୍ତ୍ରିତ ପ୍ରେସ ଅପେକ୍ଷା ପୂର୍ଣ୍ଣ ସ୍ୱାଧୀନତା ଥିବା ସ୍ୱତନ୍ତ୍ର ପ୍ରେସ ଚାହିଁବି ତାହା ଯେତେ ବିପଦଜନକ ହେଉପଛେ। ଭୟମୁକ୍ତ ଜୀବନ ହିଁ ଶ୍ରେଷ୍ଠ ଜୀବନ ସେଇଥିପାଇଁ ଗାନ୍ଧିଜୀଙ୍କର ଆହ୍ୱାନ ଥିଲା- ‘ଭୟ କର ନାହିଁ।’ ଆମେ କୌଣସି ରାଜନୈତିକ ଦଳର ସଭ୍ୟ ନୋହୁଁ କିନ୍ତୁ ଗାନ୍ଧିଜୀଙ୍କ ପ୍ରେରଣାରେ ମାତୃଭୂମିକୁ ବନ୍ଧନମୁକ୍ତ କରିବାରେ ସାମାନ୍ୟ କଷ୍ଟ ବରଣ କରିଛୁ। ଆଜି ଆମେ ସ୍ଥିର ହୋଇ ରହିବା ସମ୍ଭବ ନୁହେଁ। ତେଣୁ ଅଗଷ୍ଟ ୯ତାରିଖରୁ ଜରୁରୀସ୍ଥିତିକୁ ବିରୋଧ କରି ଆମେ ସତ୍ୟାଗ୍ରହ କରିବୁ।” ଏହି ଚିଠିରେ ଭୀମସେନ ସାଚାରଙ୍କ ସହ ଲୋକ ସେବକ ମଣ୍ଡଳର ଯେଉଁ ସାତଜଣ ସ୍ୱାକ୍ଷର କରିଥିଲେ ସେମାନେ ହେଲେ, ଏସ୍‍ଡି ଶର୍ମା, ଜେଆର ସାହନୀ, ବିଷ୍ଣୁ ଦତ୍ତ, କିଶନଲାଲ ବୈଦ, ସେବକ ରାମ, ଜେକେ ଶର୍ମା ଓ କେକେ ସିହ୍ନା।

ଭୀମସେନ ସାଚାରଙ୍କ ପୁତ୍ର ଜଷ୍ଟିସ ରାଜେନ୍ଦ୍ର ସାଚାର ସିକିମ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଭୀମସେନ ସାଚାର ଓ ତାଙ୍କ ଜ୍ୱାଇଁ କୁଳଦୀପ ନାୟରଙ୍କ ଗିରଫଦାରୀକୁ ଚାଲେଞ୍ଜ କରିବାକୁ ବହୁ ଖ୍ୟାତନାମା ଆଇନଜୀବୀ ଆଗେଇ ଆସିଲେ। ଭିଏମ୍‍ ତାରକୁଣ୍ଡେ ଓ ସଲିସୋରାବଜୀ ଦିଲ୍ଲୀ ହାଇକୋର୍ଟରେ ହେବିୟସ କରପସ ଦାଏର କଲେ। ଜଷ୍ଟିସ ରଙ୍ଗରାଜନ ଓ ଜଷ୍ଟିସ ଅଗ୍ରୱାଲ ଶୁଣାଣି କରି ନୋଟିସ ଜାରି କଲେ। ସେମାନଙ୍କ ନିରପେକ୍ଷତାକୁ ଡରି ସରକାର ମାମଲା ପ୍ରତ୍ୟାହାର କରି ଉଭୟଙ୍କୁ ଖଲାସ କଲେ; କିନ୍ତୁ ସେଥିପାଇଁ ଉଭୟ ଜଜ୍‍ଙ୍କୁ ମୂଲ୍ୟ ଦେବାକୁ ପଡିଲା। ଜଷ୍ଟିସ ରଙ୍ଗରାଜନକୁ ଗୌହାଟି ବଦଳି କରାଗଲା ଓ ଜଷ୍ଟିସ ଅଗ୍ରୱାଲଙ୍କୁ ସ୍ଥାୟୀ ନକରି ଜିଲା ଜଜ୍‍ ପଦକୁ ଫେରାଇ ଅଣାଗଲା ଓ ପୁନର୍ବାର ସେ ହାଇକୋର୍ଟ ଜଜ୍‍ ହେଲେ ୧୯୭୭ରେ, ଜନତା ସରକାର ଆସିଲା ପରେ।

ଆଉ ଏକ ଦୁର୍ଭାଗ୍ୟ ଜନକ ଘଟଣା ହେଲା-ବଞ୍ଚିବାର ଅଧିକାରକୁ ନେଇ। ଆମ ସମ୍ବିଧାନରେ ବଞ୍ଚିବାର ଅଧିକାରକୁ ଅନ୍ୟ ମୌଳିକ ଅଧିକାରଠାରୁ ଭିନ୍ନ ଧାରାରେ ରଖାଯାଇଛି। ସାଧାରଣ ମୌଳିକ ଅଧିକାରକୁ ୧୯ଧାରାରେ ରଖି ବଂଚିବାର ଅଧିକାରକୁ ଜନ୍ମସିଦ୍ଧ ଅଧିକାର ଭାବରେ ୨୧ ଧାରାରେ ସ୍ୱତନ୍ତ୍ର ଭାବରେ ସ୍ଥାନିତ କରାଯାଇଛି। ତେଣୁ ବିନା ବିଚାରରେ ପ୍ରତିଷ୍ଠିତ ଶାନ୍ତିପ୍ରିୟ ଲୋକ କାରାକଷଣ ଭୋଗିବାରେ, ବିଭିନ୍ନ ହାଇକୋର୍ଟରେ ମାମଲା ଉଠିଲା ଓ ନଅଟି ହାଇକୋର୍ଟ ବଞ୍ଚିବାର ଅଧିକାରକୁ ଚିରନ୍ତନ ଘୋଷଣା କରି କୌଣସି ପରିସ୍ଥିତିରେ ମଧ୍ୟ ସମ୍ବିଧାନର ୨୧ ଧାରା ବାତିଲ ହୋଇପାରିବ ନାହିଁ ବୋଲି ରାୟ ଦେଲେ। କେନ୍ଦ୍ର ସରକାର ଅଡୁଆରେ ପଡି ଏ ମାମଲାକୁ ସୁପ୍ରିମ କୋର୍ଟକୁ ଆଣି ପାଞ୍ଚ ଜଣିଆ ପୀଠରେ ତାର ବିଚାର କରାଇଲେ।

ରାଏ ବରେଲୀ ନିର୍ବାଚନ କେସ ହାଇକୋର୍ଟ ଉପରେ ବୋଝ ଥିଲା। ଆଲାହାବାଦ ହାଇକୋର୍ଟ ସେ ବୋଝ ବହନ କରି ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ମଧ୍ୟ ନ୍ୟାୟ କରିପାରିଲା। ଫଳରେ ଜରୁରୀ ସ୍ଥିତି ଜାରି ହେଲା। ଜରୁରୀସ୍ଥିତିରେ ଅଣ ରାଜନୈତିକ ବିଶିଷ୍ଟ ବ୍ୟକ୍ତି, ବିଶେଷ କରି ସ୍ୱାଧୀନତା ସଂଗ୍ରାମୀ ଓ ସାମ୍ବାଦିକ ମିଶାରେ ଗିରଫ ହେବାରେ ହାଇକୋର୍ଟମାନଙ୍କରେ ବ୍ୟକ୍ତି ସ୍ୱାଧୀନତା ପାଇ ମାମଲା ଉଠିଲା। ସମସ୍ତ ହାଇକୋର୍ଟ(ପ୍ରାୟ ନଅଟି) ଏ ବୋଝ ସଫଳ ଭାବେ ବହନ କରି ବ୍ୟକ୍ତି ସ୍ୱାଧୀନତା ଓ ବଞ୍ଚିବାର ଅଧିକାର ସପକ୍ଷରେ ରାୟ ଦେଲେ ଯେ ଜରୁରୀ ସ୍ଥିତିରେ ମଧ୍ୟ ନାଗରିକଠାରୁ ତା’ର ବଞ୍ଚିବାର ଅଧିକାର (ସମ୍ବିଧାନର ୨୧ ଧାରାରେ ପ୍ରଦତ୍ତ) ଛଡାଇ ନିଆଯାଇପାରିବ ନାହିଁ। ଏ ରାୟ ବିରୁଦ୍ଧରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟ ଯିବାରେ ସମଗ୍ର ଆଇନ ଜଗତ ନାକ ଟେକିଲା। ପାଞ୍ଚଜଣିଆ ସମ୍ବିଧାନିକ ଖଣ୍ଡପୀଠରେ ମାମଲା ଉଠିଲା। ଏହା ଏ.ଡି.ଏମ୍‍ ଜବଲପୁର କେସ ନାମରେ ଖ୍ୟାତ। ୧୯୭୬ ଏପ୍ରିଲ ୨୮ତାରିଖରେ ସୁପ୍ରିମ କୋର୍ଟ ବୋଝ ବହନ ନକରିପାରି କାନ୍ଧ ଖସାଇଦେଲା। ସରକାର ପନ୍ଥୀ ମୁଖ୍ୟ ବିଚାରପତି ଏଏନ୍‍ ରାୟ ଓ ତାଙ୍କ ମନୋନୀତ ୩ଜଣ କାନ୍ଧ ଖସାଇଲାବେଳେ ଜଣେ ମାତ୍ର ବିଚାରପତି ଜଷ୍ଟିସ ଏଚ୍‍ଆର. ଖାନ୍ନା ଶେଷ ପର୍ଯ୍ୟନ୍ତ ଅଟଳ ରହି ଭିନ୍ନମତ ନେଲେ ଯେ ମଣିଷ ବଞ୍ଚିବାର ଅଧିକାର ପବିତ୍ର ଓ ଶାଶ୍ୱତ। ବିନା ବିଚାରରେ କାହାକୁ ଦଣ୍ଡିତ କରାଯାଇପାରିବ ନାହିଁ। ମାରିଦେବା ତ ଦୂରର କଥା। ସୁପ୍ରିମ କୋର୍ଟଠାରୁ ସୁବିଧାଜନକ ରାୟ ପାଇବାପାଇଁ ପୂର୍ବରୁ ବ୍ୟବସ୍ଥା ହୋଇଥିଲା। ବରିଷ୍ଠତା ଆଧାରରେ ଜଜ୍‍ ନ ବାଛି ମାନସିକତା ଆଧାରରେ ଖଣ୍ଡପୀଠ ଗଠିତ ହୋଇଥିଲା।

ମୁଖ୍ୟ ବିଚାରପତି ଜଷ୍ଟିସ ରାୟଙ୍କ ପରେ ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ଖାନ୍ନା ମୁଖ୍ୟ ବିଚାରପତି ହେବା କଥା। ସେ କିନ୍ତୁ ନିଜ ଐତିହାସିକ ଭିନ୍ନ ରାୟ ଯୋଗୁ ମୂଲ୍ୟ ଦେଲେ। ତାଙ୍କ ବଦଳରେ ସରକାରୀ ବିଚାରଧାରାର ସମର୍ଥକ ଜଷ୍ଟିସ ବେଗ ମୁଖ୍ୟ ବିଚାରପତି ହେଲେ। ଜଷ୍ଟିସ ଖାନ୍ନା କାଳ ବିଳମ୍ବ ନକରି ଇସ୍ତଫା ଦେଇ ଦେଲେ, ଯଦିଓ ତାଙ୍କର କାର୍ଯ୍ୟକାଳ ଆଉ ମାତ୍ର ଚାରିମାସ ଥିଲା।

ଲୋକସଭା ନିର୍ବାଚନ ହେବାର ଥିଲା ୧୯୭୬ ମସିହାରେ।ହେଲା ବର୍ଷକ ପରେ, ୧୯୭୭ ମସିହାରେ। ୧୯୭୭ ନିର୍ବାଚନରେ ଜନତା ପାର୍ଟି ମେଣ୍ଟ ବିପୁଳ ଭୋଟରେ ଜିଣି ସରକାର ଗଢିଲା। ପରିସ୍ଥିତି ବଦଳିଗଲା। ଜଷ୍ଟିସ ବେଗ୍‍ ୧୯୭୮ରେ ଅବସର ନେବାପରେ ଜଷ୍ଟିସ ଚନ୍ଦ୍ରଚୂଡ ବରିଷ୍ଠତମ ବିଚାରପତିଭାବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବା କଥା; କିନ୍ତୁ ବଞ୍ଚିବାର ଅଧିକାର ବିରୁଦ୍ଧରେ ସେ ଦେଇଥିବା ରାୟ ତାଙ୍କର ବାଧକ ସାଜିଲା। ଗଣତାନ୍ତ୍ରିକ ମୂଲ୍ୟବୋଧ ବିଶେଷ କରି ବଞ୍ଚିବାର ଅଧିକାର ସପକ୍ଷରେ ଜନମତ ଏତେ ପ୍ରଚଣ୍ଡ ଥିଲା ଯେ, ଜରୁରୀସ୍ଥିତିର ତତ୍ତ୍ୱକୁ ସମର୍ଥନ କରିଥିବା ବ୍ୟକ୍ତି, ଗୋଷ୍ଠୀ କି ସଂଗଠନକୁ ଉପ୍ରୋଧ କରିବାକୁ ପ୍ରସ୍ତୁତ ନଥିଲା। ଜଷ୍ଟିସ ଚନ୍ଦ୍ରଚୂଡ ଓ ଜଷ୍ଟିସ ଭାଗବତି ବିବାଦୀୟ ରାୟ ଦେବା ପୂର୍ବରୁ ଲୋକାଭିମୁଖୀ ଜଜ୍‍ ଭାବେ ବେଶ୍‌ ସୁନାମ ଅର୍ଜନ କରିଥିଲେ। ଜନମତ ତାଙ୍କୁ କାଠଗଡାରେ ଠିଆ କରାଇବାରେ ସେମାନେ ମର୍ମାହତ ହେଲେ ଓ ପ୍ରାୟଶ୍ଚିତ୍ତ ସ୍ୱରୂପ ପରବର୍ତ୍ତୀ ସମୟରେ ବଞ୍ଚିବାର ଅଧିକାରକୁ ମୁକ୍ତ କଣ୍ଠରେ ସ୍ୱୀକାର କଲେ।

ଚିନ୍ତାର ବିଷୟ ଯେ ଜରୁରୀସ୍ଥିତିପର ଜନମତକୁ ସମ୍ମାନ ଦେଇ ନ୍ୟାୟପାଳିକା ନିଜକୁ ସମ୍ଭାଳିବାରେ ଲାଗିଥିବାବେଳେ ଅନ୍ୟ ସ୍ତମ୍ଭର ଗୋଡ ବୁଡିଲା ଲୋକ ଭଳି ନିମ୍ନମୁଖୀ ହେଉଛି। ନିର୍ବାଚନ ଖର୍ଚ୍ଚବହୁଳ ହେବାରେ ରାଜନେତା ଅର୍ଥ ସଂଗ୍ରହରେ ବ୍ୟସ୍ତ ରହୁଛନ୍ତି। କାର୍ଯ୍ୟପାଳିକା ଦୀପ ତେଜି ହାତ ଚିକ୍କଣ କରୁଛନ୍ତି। ଗଣମାଧ୍ୟମ ନିଜ ସ୍ଥିତି ବଜାୟ ରଖିବାକୁ ନୀତିଛଡା ହେବାକୁ ବାଧ୍ୟ ହେଉଛନ୍ତି। ଫଳରେ ଗଣତନ୍ତ୍ର ଓ ସମ୍ବିଧାନକୁ ଧରି ରଖିବାର ସମସ୍ତ ବୋଝ ନ୍ୟାୟପାଳିକା କାନ୍ଧରେ ନ୍ୟସ୍ତ ହୋଇଯାଇଛି। ଆବଶ୍ୟକତାରୁ ଅଧିକ ବୋଝ ହେଲେ ଯେ କେହି କାନ୍ଧ ଖସାଇବ। କାନ୍ଧ ଦୁର୍ବଳ ହେଲେ ତ କଥା ସରିଲା। ତେଣୁ ଆମକୁ ନିଜ ଦେଶର ସମ୍ବିଧାନ, ଗଣତନ୍ତ୍ର, ଏକତା ଓ ଅଖଣ୍ଡତା ତଥା ବିଶେଷ କରି ବ୍ୟକ୍ତି ସ୍ୱାଧୀନତା ଓ ବଞ୍ଚିବା ଅଧିକାରକୁ ରକ୍ଷା କରିବାକୁ ହେଲେ ନିଜ କାନ୍ଧ ଦେଖାଇ ନ୍ୟାୟପାଳିକା କାନ୍ଧରୁ ବୋଝ ଆଣିବାକୁ ହେବ ଯାହା ଜୟପ୍ରକାଶଙ୍କ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ ଯୋଗୁଁ ୧୯୭୫ରେ ସମ୍ଭବ ହୋଇଥିଲା। ବିଭିନ୍ନ କାରଣରୁ ବର୍ତ୍ତମାନର ବ୍ୟବସ୍ଥା ପତନମୁଖୀ ହେଉଛି। ତେଣୁ ତା’ର କୌଣସି ଅଙ୍ଗ ବିଶେଷ ଉପରେ ବେଶୀ ନିର୍ଭର ନକରି ପ୍ରତି ନାଗରିକ କର୍ତ୍ତବ୍ୟବୋଧ ନେଇ ଐକ୍ୟବଦ୍ଧ ହେଲେ ଦେଶ ଓ ସମାଜ ବଞ୍ଚିବ। ଯେଉଁମାନେ ଭୋଳା ସାଜି କ’ଣ କରିବା ବୋଲି ପଚାରୁଛନ୍ତି, ସେମାନଙ୍କୁ ଉତ୍ତର-ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ।

Comments are closed.