କାରାଗାରରେ ମାନସିକ ସ୍ବାସ୍ଥ୍ୟ ସ୍ଥିତି

ରାଜୀବ କର୍ମି

ଜେଲର ମୁଖ୍ୟଦ୍ୱାର ସମ୍ମୁଖରେ ପରିବା ବିକୁଥିବା ଲୋକଟିକୁ ସବୁ ଦିନେ ଦେଖେ। କେବେ କେମିତି ପରିବା ବି ତାଙ୍କ ପାଖରୁ କିଣିଛି; କିନ୍ତୁ କେବେ ବି ପରିଚୟ ପଚାରିନି। ସେଦିନ କାହିଁକି କୌତୂହଳ ହେଲା ପଚାରିବାକୁ। ୪୦ରୁ ୪୫ ବର୍ଷର ଜଣେ ଭଦ୍ର ଲୋକ। ଘର ନିକଟସ୍ଥ ଜିଲାର କୌଣସି ଏକ ଆଭ୍ୟନ୍ତରୀଣ ଗାଁରେ। ସିଧାସଳଖ ସଂପୃକ୍ତ ନ ଥାଇ ବି କୌଣସି ଏକ ଷଡଯନ୍ତ୍ରର ଶିକାର ହୋଇ ଆଠ ବର୍ଷ ଧରି କାରାବାସ ଭୋଗୁଛନ୍ତି। ଏଇ କେତେ ମାସ ହେଲା ଜେଲ ପରିସରରେ ଉତ୍ପାଦିତ ପରିବାକୁ ଜେଲ ସମ୍ମୁଖରେ ବସି ବିକ୍ରି କରୁଛନ୍ତି। ଦୁଇ ଘଣ୍ଟା ସମୟ ଭିତରେ ଯାହା ବିକ୍ରି ହେଲା, ଜଣେ ପୁଲିସ୍‍ ବାବୁ ଆସି ପଇସା ଗଣି ନିଅନ୍ତି। ତା’ପରେ ସେହି ବ୍ୟକ୍ତି ଜଣକ ଜେଲ ଭିତରକୁ ପୁଣି ଚାଲିଯାଅନ୍ତି ବାକି ସମୟ ପାଇଁ। କୌତୂହଳବଶତଃ ପଚାରିଲି ଜେଲ କର୍ମଚାରୀ ଆପଣଙ୍କୁ ବିଶ୍ୱାସ କରି ବାହାରକୁ କିପରି ଛାଡୁଛନ୍ତି? ତାଙ୍କର ଉତ୍ତର ଥିଲା ‘ଯାଏଁ ଭି ତୋ କାହାଁ ଯାଏଁ’। ବ୍ୟକ୍ତିଙ୍କର ମାନସିକତା ଏବଂ ଜେଲ କର୍ତ୍ତୃପକ୍ଷଙ୍କ ଅଗାଧ ବିଶ୍ୱାସ ମୋତେ ଆଚମ୍ବିତ କଲା। ମନେମନେ ଭାବିଲି ଏପରି ଯଦି ସବୁ ଜେଲ୍‍ରେ ହୁଅନ୍ତା ତେବେ ଜେଲଗୁଡ଼ିକ ମଣିଷ ସୁଧାରିବାର କର୍ମଶାଳା ପାଲଟି ଯାଆନ୍ତା।

ଏହା ଏକ ଛୋଟ ପ୍ରୟାସ; କିନ୍ତୁ ଏହାଦ୍ୱାରା ଗୋଟିଏ ବ୍ୟକ୍ତି ଏବଂ ପରିବାରର ପରିବର୍ତ୍ତନ ହୋଇ ପାରିବ। ବ୍ୟକ୍ତି ଜଣକ କାରାଗାରର ଚାରିକାନ୍ଥ ଭିତରୁ ବାହାରି କିଛିକ୍ଷଣ ବାହ୍ୟ ସମାଜରେ ଭାବର ଆଦାନପ୍ରଦାନର ସୁଯୋଗ ପାଇଲେ, ଯା ଫଳରେ କିଛି ଲୋକଙ୍କ ସହିତ ନିଜର ଭାବନା ଏବଂ ଅନୁଭବକୁ ବିନିମୟ କରିବାରେ ସକ୍ଷମ ହେଲେ। ନିଜର ଅନ୍ତରର କଥାକୁ ଅନ୍ୟମାନଙ୍କୁ ବାଣ୍ଟିବା ଦ୍ୱାରା ତାଙ୍କର ମନ ହାଲୁକା ହେଲା। ଏହା ସହିତ ସେ ଯେତେବେଳେ ଚାହିଁଲେ ତାଙ୍କ ପରିବାର ସଦସ୍ୟଙ୍କ ସହ ମିଶି ପାରିଲେ। ଅଳ୍ପ ସମୟ ବି ହେଉ ପାରିବାରିକ ବନ୍ଧନ ସୁଦୃଢ଼ ହେଲା। ଛୋଟ ବି ହେଉ ସେ ଏକ ଆୟ ପନ୍ଥାରେ ସାମିଲ ହୋଇ ପାରିଲେ; ଯଦ୍ଦ୍ବାରା ତାଙ୍କୁ ଲାଗିଲା ନାହିଁ ଯେ ସେ ଜେଲ ଭିତରେ ବେକାର ହୋଇ ବସିଛନ୍ତି। ଫଳତଃ ଏହି ଦୁଇ ତିନି ଘଣ୍ଟାର ମୁକ୍ତ ପରିବେଶ ପାଇବା ଦ୍ୱାରା ବାକି ସମୟ ତାଙ୍କୁ ଆଉ ବେଶି କଷ୍ଟକର ହେଲା ନାହିଁ। ଏହି ଛୋଟ ପ୍ରୟାସ ତାଙ୍କର ମାନସିକ ସ୍ୱାସ୍ଥ୍ୟରେ ଏକ ବିରାଟ ପରିବର୍ତ୍ତନ କରିପାରିବ।

କାରାଗାର ପରିସଂଖ୍ୟାନ ୨୦୨୦ ଅନୁସାରେ ଆମ ଦେଶରେ ଥିବା ୧୩୦୬ ଜେଲରେ ୪,୧୪,୦୩୩ ଜଣଙ୍କ ପାଇଁ ରହିବା ବ୍ୟବସ୍ଥା ଥିବାବେଳେ ସେଥିରେ ୪,୮୮,୫୧୧ ଜଣ ରହୁଛନ୍ତି। ଅର୍ଥାତ୍‌ ଜେଲର ଦକ୍ଷତା ଠାରୁ ୧୮ ଶତକଡ଼ା ଅଧିକ। ଜେଲଗୁଡ଼ିକରେ ଅନେକ ସମସ୍ୟା ରହିଛି ପୁଣି ମାତ୍ରାଧିକ ଅନ୍ତେବାସୀ ରହିବା ଦ୍ୱାରା ସମସ୍ୟା ବହୁଗୁଣିତ ହୋଇଥାଏ। ଯେପରି କି ନିମ୍ନ ମାନର ଆବଶ୍ୟକୀୟ ଆନୁଷଙ୍ଗିକ ବ୍ୟବସ୍ଥା, ମୌଳିକ ସୁବିଧାର ଅଭାବ, କମ୍‍ ସ୍ଥାନ, ନିମ୍ନ ମାନର ଜୀବନ ଶୈଳୀ, ସାଧାରଣ ସ୍ୱାସ୍ଥ୍ୟର ଅଭାବ, ସୀମିତ ସାମାଜିକ ମିଳାମିଶା, ଶୋଷଣ, ନିର୍ଯାତନା, ଭେଦଭାବର ଶିକାର, ଗୋପନୀୟତାର ଅଭାବ, ଅର୍ଥପୂର୍ଣ୍ଣ କାମର ଅଭାବ ଏବଂ ଭବିଷ୍ୟତ ଅସୁରକ୍ଷାର ଭୟ। ଏହି ସମସ୍ୟାଗୁଡ଼ିକ ଅନ୍ତେବାସୀମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ପ୍ରଭାବ ପକାଇବା ପାଇଁ ଯଥେଷ୍ଟ। ଏହି ପରିସଂଖ୍ୟାନ ଅନୁସାରେ ଭାରତୀୟ କାରାଗାରଗୁଡ଼ିକରେ ୭୫୨୪ ଜଣ ମାନସିକ ଅସୁସ୍ଥ ବ୍ୟକ୍ତି ଜେଲ ଜୀବନ କାଳାତିପାତ କରୁଛନ୍ତି; ଯେଉଁଥିରେ ‘ସିଜୋଫ୍ରେନିୟା’ ଭଳି ଗୁରୁତର ମାନସିକ ରୋଗୀ ବି ଅଛନ୍ତି। ଏହା ସରକାରୀ ତଥ୍ୟ, ମାତ୍ର ପ୍ରକୃତରେ ଯଦି ଦେଖିବା ଜଣେ ବ୍ୟକ୍ତି କାରାଗାର ଭିତରକୁ ଗଲା ପରେ କିଛି ନା କିଛି ମାନସିକ ଅସୁସ୍ଥତାର ଶିକାର ହୋଇଥାଏ। ସେଠାକୁ ବିଭିନ୍ନ ସାମାଜିକ ପରିବେଶ ଯେପରି କି ବିଭିନ୍ନ ସାମାଜିକ ବର୍ଗ ଏବଂ ଆର୍ଥିକ ସ୍ତରରୁ ଲୋକ ଆସିଥାନ୍ତି। କାରାଗାରକୁ ଅାସିଲା ପରେ ଅନେକ ସେହି ପରିବେଶରେ ଖାପ ଖୁଆଇ ପାରନ୍ତି ନାହିଁ। ଆତ୍ମହତ୍ୟା ପ୍ରବଣତା, ଦୁର୍ଘଟଣା ପରବର୍ତ୍ତୀ ମାନସିକ ସମସ୍ୟା, ଅବସାଦ, ନିଶାଗ୍ରସ୍ତ, ନିଦ୍ରାହୀନତା, ଚିନ୍ତା ସହିତ ଅନ୍ୟାନ୍ୟ ମାନସିକ ସମସ୍ୟା ଏମାନଙ୍କଠାରେ ଦେଖାଦେଇଥାଏ। ଏହାର ସମାଧାନ ପାଇଁ କାରାଗାରଗୁଡ଼ିକରେ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସବୁଠାରୁ ବିଡ଼ମ୍ବନାର ବିଷୟ ମାନସିକ ସ୍ୱାସ୍ଥ୍ୟକୁ ଏଠାରେ ଗୁରୁତ୍ୱ ଦିଆଯାଏ ନାହିଁ। ଜେଲଗୁଡ଼ିକରେ ଆବଶ୍ୟକୀୟ କର୍ମଚାରୀ ନାହାନ୍ତି। ୧୩୦୬ ଜେଲ ପାଇଁ ଅନୁମୋଦିତ ୮୭୯୬୧ କର୍ମଚାରୀ ରହିବା ସ୍ଥାନରେ ୬୧୨୯୬ କର୍ମଚାରୀ ଅଛନ୍ତି। ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ଏବଂ ଚିକିତ୍ସାପାଇଁ ୧୩୧୫ ଜଣ ଅଧିକାରୀ, ମନସ୍ତତ୍ତ୍ବବିଦ୍‍ ଏବଂ ମାନସିକ ରୋଗ ଚିକିତ୍ସକ ରହିବା ବଦଳରେ ମାତ୍ର ୭୮୯ ଜଣ ଅଛନ୍ତି।

ଭାରତୀୟ ଜେଲଗୁଡ଼ିକରେ ୨୦୦୪୬ ଜଣ ମହିଳା କଏଦୀ ରହିଛନ୍ତି। ଏମାନଙ୍କର ସମସ୍ୟା ପୁରୁଷ କଏଦୀଙ୍କଠାରୁ କେତେକାଂଶରେ ଭିନ୍ନ। ମହିଳା ଜେଲ କର୍ମଚାରୀଙ୍କ ଅଭାବ, ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ, ମହିଳା ପରାମର୍ଶକାରୀଙ୍କ ଅଭାବ ସାଙ୍ଗକୁ ଅନ୍ୟାନ୍ୟ ଅାନୁଷଙ୍ଗିକ ବ୍ୟବସ୍ଥାର ଅଭାବ ମହିଳାମାନଙ୍କର ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଦୁଃଖର ବିଷୟ ଯେ ୧୪୨୭ ଜଣ ମହିଳାଙ୍କ ସହିତ ୧୬୨୮ ଜଣ ଶିଶୁ ମଧ୍ୟ ଜେଲ ଦଣ୍ଡ ଭୋଗୁଛନ୍ତି। ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ସେମାନଙ୍କର ଳାଳନ ପାଳନ, ତାଙ୍କର ଭବିଷ୍ୟତ, ଶିଶୁ ଅଧିକାର କ୍ଷୁଣ୍ଣ ଇତ୍ୟାଦି ମହିଳା ଅନ୍ତେବାସୀଙ୍କର ସମସ୍ୟାକୁ ଦ୍ୱିଗୁଣିତ କରିଥାଏ। ମାମଲା ବିଚାର ନ ହୋଇ ଅନେକ ଦିନ ଜେଲ ଦଣ୍ଡ ଭୋଗ କରିବା, ଉପଯୁକ୍ତ ଆଇନ ସହାୟତା ନ ପାଇବା, ଜାମିନଦାର ଅଭାବ, ପଇସା ଅଭାବ ହେତୁ ମାମଲା ଲଢ଼ି ନ ପାରିବା ଇତ୍ୟାଦି ମାନସିକ ସ୍ୱାସ୍ଥ୍ୟକୁ ଆହୁରି ଖରାପ କରିଥାଏ।

ପରିସଂଖ୍ୟାନ ଅନୁସାରେ ୧୮ ରୁ ୩୦ ବର୍ଷ ବୟସ୍କ ୪୪ ଭାଗ ଏବଂ ୩୦ ରୁ ୫୦ ବର୍ଷ ବୟସ୍କ ୪୩ ଭାଗ ଲୋକ ଜେଲଦଣ୍ଡ ଭୋଗୁଛନ୍ତି। ୧୦ମ କିମ୍ବା ତଦୂର୍ଦ୍ଧ୍ବ ଯୋଗ୍ୟତା ଥିବା ୩୨ ଭାଗ ଅନ୍ତେବାସୀ ସଜା କାଟୁଛନ୍ତି। ଉତ୍ପାଦନକ୍ଷମ ବୟସରେ ଏବଂ ଯୋଗ୍ୟତାଧାରୀ ବ୍ୟକ୍ତି ଜେଲର ଚାରିକାନ୍ଥ ଭିତରେ ଜୀବନ କାଟିବା ଦ୍ୱାରା ନିଜର, ନିଜ ପରିବାରର ଏପରି କି ଦେଶର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ୁଛି। ଅନ୍ତେବାସୀମାନଙ୍କୁ ସୁଧାରିବା ଏବଂ ସେମାନଙ୍କର ଥାଇଥାନ ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି ମାତ୍ର ତାହା ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇ ପାରୁନାହିଁ। ବୃତ୍ତିଗତ ତାଲିମ, ବିକାଶ ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ମୋଟ ଜେଲ ବଜେଟ୍‍ର ମାତ୍ର ୬ ଶତକଡ଼ା ଦିଆଯାଇଥାଏ। ଏତିକିରେ ସେମାନଙ୍କର ଥାଇଥାନ ହେବ କେମିତି?

ମାନସିକ ସ୍ୱାସ୍ଥ୍ୟର ଯତ୍ନ ଆଇନ୍‍ ୨୦୧୭ରେ ଜେଲରେ ଥିବା ମାନସିକ ଅସୁସ୍ଥ ବ୍ୟକ୍ତିମାନଙ୍କର ଯତ୍ନ ଏବଂ ଚିକିତ୍ସା ଉପରେ ଗୁରୁତ୍ୱ ଦିଆଯାଇଛି। ଜେଲରେ ନିଯୁକ୍ତି ପାଇଥିବା ଡାକ୍ତରମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ଉପରେ ସ୍ୱତନ୍ତ୍ର ତାଲିମ ପ୍ରଦାନ, ନିୟମିତ ବ୍ୟବଧାନରେ ମାନସିକ ରୋଗ ବିଶେଷଜ୍ଞଙ୍କର ଜେଲ ପରିଦର୍ଶନ ଏବଂ ରାଜ୍ୟର ଗୋଟିଏ ଜେଲରେ ମାନସିକ ରୋଗ ପାଇଁ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଆଇନ ରହିଛି। ମାତ୍ର ଭିତ୍ତିଭୂମି ଏବଂ ପର୍ଯ୍ୟାପ୍ତ ପରିମାଣର ମାନସିକ ରୋଗ ଚିକିତ୍ସକ ଅଭାବ, ଆଇନର କାର୍ଯ୍ୟକାରିତାରେ ପ୍ରତିବନ୍ଧକ ସୃଷ୍ଟି କରୁଛି।

କେତୋଟି ପ୍ରୟାସ କଲେ କାରାଗାରରେ ଅନ୍ତେବାସୀମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ସୁସ୍ଥ ରଖାଯାଇ ପାରିବ। ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଏବଂ ଅଗ୍ରାଧିକାର ଦେବା ସହିତ ଜେଲ କର୍ମଚାରୀମାନଙ୍କୁ ମାନସିକ ସ୍ୱାସ୍ଥ୍ୟ ଉପରେ ତାଲିମ ପ୍ରଦାନ ଯେପରି କି, ମାନସିକ ସମସ୍ୟାକୁ ଚିହ୍ନିବା, ସମ୍ଭାବ୍ୟ ଆତ୍ମହତ୍ୟାର ଲକ୍ଷଣକୁ ଜାଣିବା ଏବଂ ସେମାନଙ୍କର ଯତ୍ନ ପାଇଁ ଅଧିକ କର୍ମଚାରୀଙ୍କୁ ସାମିଲ କରିବା ଆବଶ୍ୟକ। ସାମାଜିକ ଭାବବିନିମୟର ଦକ୍ଷତା ଏବଂ ବୃତ୍ତିଗତ ଦକ୍ଷତା ବୃଦ୍ଧି କରିବା, ଯା ଫଳରେ ଜଣେ ବ୍ୟକ୍ତି କାରାଗାରରୁ ମୁକୁଳିବା ପରେ ସହଜରେ ନିଜର ଜୀବନଯାପନ କରି ପାରିବ। ଜେଲରେ ଚାଲୁଥିବା ସୁଧାର କାର୍ଯ୍ୟକ୍ରମ ଯଥା ଲାଇବ୍ରେରୀ, ଅନ୍ତେବାସୀଙ୍କ ବୈଠକ, ମନୋରଞ୍ଜନ, ନିୟମିତ ଯୋଗ ଓ ବ୍ୟାୟାମ ଇତ୍ୟାଦି ମାନସିକ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇବ।

ଅନେକ ଲୋକ ଦୀର୍ଘଦିନ ରହି ଜେଲରୁ ଫେରିବା ପରେ ବିଭିନ୍ନ ରୋଗଗ୍ରସ୍ତ ହେବା, ଲୋକଙ୍କର ସହିତ ମିଳାମିଶାରେ ଅସୁବିଧା, ବାଛବିଚାରର ଶିକାର ହେବା, ଦକ୍ଷତାର ଅଭାବ ହେତୁ ପରିବାର ଦାୟିତ୍ୱ ନେବାରେ ଅସୁବିଧା, ଏ ପରି କି ଅନେକ ଜେଲ ଫେରନ୍ତା ଶୀଘ୍ର ମୃତ୍ୟୁବରଣ କରିବାର ନଜିର ରହିଛି। କାରାଗାରଗୁଡ଼ିକରେ ଆତ୍ମହତ୍ୟାର ହାର ବଢ଼ିବାରେ ଲାଗିଛି। ୨୦୨୦ ମସିହାରେ କେବଳ ୧୫୬ ଜଣ ଅନ୍ତେବାସୀ ବିଭିନ୍ନ ଜେଲରେ ଆତ୍ମହତ୍ୟା କରିଛନ୍ତି। ଏହାକୁ କମ୍‍ କରିବା ପାଇଁ ବିହିତ କୌଶଳ ଅବଲମ୍ବନ କରିବା ଦରକାର। ମାନସିକ ଅସୁସ୍ଥତା ଏବଂ ଜେଲରେ ଥିବା ବ୍ୟକ୍ତି ପ୍ରତି ଥିବା ବାଛବିଚାର ସହିତ କଳଙ୍କକୁ ଦୂର କରିବା ପାଇଁ ବ୍ୟକ୍ତିଗତ ତଥା ସମାଜରେ ସଚେତନତା ସୃଷ୍ଟି କରିବା ଉଚିତ୍‍।

Comments are closed.