ମହାସମାପ୍ତି ଓ ଧ୍ବଂସର ଧୂମକେତୁ

ରମେଶ ଚନ୍ଦ୍ର ପରିଡ଼ା

ଏକ ଘୂର୍ଣ୍ଣନଶୀଳ ବାଷ୍ପୀୟ ବାଦଲରୁ ପିଣ୍ଡଟିଏ ରୂପେ ସୃଷ୍ଟି ହେଲାପରେ ଆମ ଗ୍ରହ ପୃଥିବୀ କ୍ରମଶଃ ଶୀତଳ ହୋଇ ତରଳ ଓ କଠିନ ରୂପ ଧାରଣ କଲା। କାଳକ୍ରମେ ବହୁ ଜଣାଅଜଣା ବିସ୍ମୟକର ପରିଘଟଣା ହେତୁ ଏହାର ଅଜୈବ ଚରିତ୍ରରେ ପରିବର୍ତ୍ତନ ଆସି ତହିଁରେ ଜୈବିକ ପରିବେଶର ସୂତ୍ରପାତ ଘଟିଲା। ଏହାରି ମଧ୍ୟରେ ସୃଷ୍ଟି ହେଲା ଜୀବନ। ଏସବୁର କାଳ ନିର୍ଦ୍ଧାରଣ ଏବେ ମଧ୍ୟ କେବଳ ପ୍ରାଜ୍ଞିକ ଅନୁମାନ ମଧ୍ୟରେ ସୀମିତ। ତଥାପି, ବିବଦମାନ ହେଲେ ହେଁ, ପୃଥିବୀର ପରିବର୍ତ୍ତନଶୀଳ ପରିବେଶ ସହିତ ତାଳଦେଇ ତହିଁରେ ବିକଶିତ ଜୀବଜଗତର ରୂପରେଖ କିପରି ହେଲା ଓ ସମୟକୁ ସମୟ ସେଥିରେ କେବେ ଓ କି’ ପ୍ରକାର ପରିବର୍ତ୍ତନ ଆସିଲା ଏଥି ସମ୍ପର୍କରେ ଏବେ ସୂଚନା ଦେବାକୁ ବୈଜ୍ଞାନିକମାନେ ସକ୍ଷମ ହେଲେଣି। ସେମାନଙ୍କ ମତରେ ପୃଥିବୀ ପୃଷ୍ଠରେ ଏକ ସୁସ୍ପଷ୍ଟ ଜୀବଜଗତର ଆଦ୍ୟସୃଷ୍ଟି ଘଟିଥିଲା ଆଜକୁ ପ୍ରାୟ ୩୭୦୦୦୦ ନିୟୁତ ବର୍ଷ ପୂର୍ବେ।

ସେହି ସମୟରୁ ଆଜି ମଧ୍ୟରେ ବିବିଧ ପ୍ରାକୃତିକ ଘଟଣାବଳୀ ଏବଂ ପରିବେଶ ବଦଳିବା ହେତୁ ଏହାର ରୂପରେଖରେ ଘୋର ପରିବର୍ତ୍ତନ ଆସିଛି। କୋଟି କୋଟି ପ୍ରଜାତିଙ୍କର ବିଲୁପ୍ତ ଘଟିଛି ଏବଂ ତତ୍ପରେ କୋଟିକୋଟି ନୂତନ ପ୍ରଜାତି ଉଦ୍ଭବ ହୋଇ ସେମାନଙ୍କ ସ୍ଥାନ ନେଇଛନ୍ତି। ସମୟ ସମୟରେ ଏକ ଅପେକ୍ଷାକୃତ କମ୍‌ ସମୟ ମଧ୍ୟରେ ଏହା ଅତ୍ୟଧିକଭାବେ ଘଟିଛି। ଏହାକୁ ବୈଜ୍ଞାନିକମାନେ ମହାବିଲୁପ୍ତି ବୋଲି କହୁଛନ୍ତି।

ଜୀବଜଗତର ଆଦ୍ୟକାଳରୁ ଏଭଳି ୫ଟି ଘଟଣା ଘଟିବାର ଚିହ୍ନଟ କରାଯାଇଛି। ଏହାର କାରଣ ଏବଂ ତହିଁରେ ବିଲୁପ୍ତ ହୋଇଥିବା କେତେକ ପ୍ରଧାନ ଶ୍ରେଣୀର ସଜୀବମାନଙ୍କ ସମ୍ପର୍କରେ ମଧ୍ୟ ସୂଚନା ମିଳିପାରିଛି। ତଦନୁଯାୟୀ ଏହି ଘଟଣାଗୁଡ଼ିକ ଯଥାକ୍ରମେ ବର୍ତ୍ତମାନଠାରୁ ୪୪୦-୪୪୫ ନିୟୁତ, ୩୬୫ରୁ ୩୭୦ ନିୟୁତ, ୨୫୦ରୁ ୨୫୨ ନିୟୁତ, ୨୦୧ରୁ ୨୧୦ ନିୟୁତ ଏବଂ ୬୫ରୁ ୬୬ ନିୟୁତ ବର୍ଷ ପୂର୍ବେ ଘଟିଥିବାର ଅନୁମାନ କରାଯାଏ। ଏସବୁର କାରଣ ଥିଲା ସମୟକ୍ରମେ ପ୍ରକୃତି କ୍ଷେତ୍ରରେ ଘଟୁଥିବା ବିବିଧ ପରିବର୍ତ୍ତନ ହେତୁ ଜଳବାୟୁ ବଦଳିବା, ଆଗ୍ନେୟଗିରି ଉଦ୍‌ଗିରଣ, ଆଲ୍‌ଗିମାନଙ୍କ ହଠାତ୍‌ ବଂଶବୃଦ୍ଧି ହେତୁ ସମୁଦ୍ର ଜଳରେ ଅମ୍ଳଜାନ ହ୍ରାସ, ବାୟୁର ସଂରଚନାରେ ପରିବର୍ତ୍ତନ, ମହାକାଶ ପିଣ୍ଡ ପତନ ଇତ୍ୟାଦି। ଏଥିରେ ଯଥାକ୍ରମେ ଲୋପ ପାଇଥିଲେ ତଦାନୀନ୍ତନ ଜୀବଜଗତର ୮୫% (ସେତେବେଳେ କେବଳ ଜଳଭାଗରେ ଜୀବଜଗତ ଥିଲା), ୭୫% (ସବୁ ଜଳଚର) ଓ ୯୬% ଜଳଚର ତଥା ୭୦% ସ୍ଥଳରେ (ଏ ସମୟକୁ ସ୍ଥଳ ଭାଗରେ ଜୀବଜଗତର ମଧ୍ୟ ବିକାଶ ଘଟିସାରିଥିଲା), ୮୦% (ଜଳଚର ଓ ସ୍ଥଳଚର) ଏବଂ ୭୫% (ଜଳଚର ଓ ସ୍ଥଳର) ପ୍ରାଣୀ। ପ୍ରକୃତି ମହାନାୟକ ସାଜିଥିଲା ଓ ପ୍ରତ୍ୟେକ ମହାବିଲୁପ୍ତି ପରେ ନୂତନ ସୃଷ୍ଟିର ଆରମ୍ଭ ହୋଇଥିଲା ଏବଂ ବିକଶିତ ହୋଇଥିଲେ ଅଧିକ ଉନ୍ନତ ପ୍ରଜାତି ସମୂହ।

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି କହୁଛନ୍ତି ବୈଜ୍ଞାନିକ। ଏଥର ପ୍ରକୃତି ବା ପ୍ରାକୃତିକ କ୍ରିୟାପ୍ରକ୍ରିୟା ବଦଳରେ ଏଥିରେ ଖଳନାୟକ ସାଜିଛି ମଣିଷ। ଏହା ତାହାର ଆଗମନ ପ୍ରକ୍ରିୟାକୁ ସାଧାରଣ ବେଗଠାରୁ କ୍ଷିପ୍ରତର କରିଛି। ପୃଥିବୀ ତଥା ତା’ବକ୍ଷରେ ଜୀବଜଗତ ସୃଷ୍ଟି ହେବାର ଦୀର୍ଘକାଳ ପରେ ଦୁଇ ଗୋଡ଼ରେ ସିଧାଭାବେ ଚାଲୁଥିବା ‘ହୋମୋ ସାପିଏନ୍‌ ଇରେକ୍‌ଟର’ ବା ମଣିଷ ପ୍ରଜାତିର ଆବିର୍ଭାବ ଘଟିଲା ଆଜକୁ ମାତ୍ର ୧,୩୦,୦୦୦ରୁ ୨,୦୦,୦୦୦ ବର୍ଷ ପୂର୍ବେ। ଏ ସମୟ ସୃଷ୍ଟିର ଆଦ୍ୟକାଳର ମାତ୍ର ୦.୯୩% ଏବଂ ଏ ଜୀବଟି ସମସ୍ତ ପ୍ରଜାତିମାନଙ୍କର ୦.୦୧%। ତେବେ, ପ୍ରକୃତି ଓ ପରିସଂସ୍ଥା ଉପରେ ଏହାର ପ୍ରଭାବ ଅଭୂତପୂର୍ବ, ଯାହାକି ଉଦ୍‌ଭବ ଘଟାଇଛି ଏକ ଧ୍ବଂସାତ୍ମକ ପରିସ୍ଥିତିର: ପରିବେଶ ଅଣଲେଉଟା ଭାବେ ପ୍ରଦୂଷିତ ହେବାରେ ଲାଗିଛି, ଲୁଣ୍ଠିତ ହେଉଛି ପ୍ରାକୃତିକ ସଂସାଧନ, ଧ୍ବଂସପ୍ରାପ୍ତ ହେଉଛି ଜୀବଜଗତର ଫୁସ୍‌ଫୁସ୍‌ ରୂପେ ପରିଗଣିତ ଅରଣ୍ୟାନି, ବାସହରା ହୋଇ ଚାଲିଛନ୍ତି ଅଧିକରୁ ଅଧିକ ପ୍ରଜାତି ଏବଂ ଅବକ୍ଷୟ ପ୍ରାପ୍ତ ହେଉଛି ପରିସଂସ୍ଥା। ଫଳରେ ପୃଥିବୀ ହରାଇବାରେ ଲାଗିଛି ଏହାର ବାସୋପଯୋଗିତା। ଏ ପରିସ୍ଥିତିକୁ ଆହୁରି ଜଟିଳ କରୁଛି ଯୁଦ୍ଧବିଗ୍ରହ, ଆତଙ୍କବାଦ ସମେତ ବିବିଧ ଦାୟିତ୍ବହୀନ ତଥା ଅମାନୁଷିକ କାର୍ଯ୍ୟକଳାପ।

ଏକ ଆକଳନ ଅନୁସାରେ ବର୍ତ୍ତମାନ ଭୂଭାଗର ୭୫% ଏବଂ ସମୁଦ୍ରଗୁଡ଼ିକର ୬୬%ରେ ମଣିଷର କାର୍ଯ୍ୟକଳାପ ହେତୁ ଗୁରୁତର ପରିବର୍ତ୍ତନ ଆସିସାରିଛି। ଜାଗତିକ ଜଳଭୂମିର ୮୫%ରୁ ଅଧିକ ଅଂଶ ହଜିସାରିଛି; କେବଳ ୨୦୧୦ରୁ ୨୦୧୫ ମସିହା ମଧ୍ୟରେ , ୭୯ ନିୟୁତ ଏକର ଅରଣ୍ୟ ଧ୍ବଂସପ୍ରାପ୍ତ ହୋଇଛି। (ବର୍ଷକୁ ୧୫ହଜାର ନିୟୁତ ବୃକ୍ଷ ଛେଦନ ହେଉଛି) ଏବଂ ପ୍ରତିବର୍ଷ ପ୍ରାୟ ୩% ପ୍ରଜାତି ବାସହରା ହେଉଛନ୍ତି। ୨୦୧୪ ମସିହାରେ ଜାତିସଂଘ ଦ୍ବାରା ଅନୁଷ୍ଠିତ ଗଣନାନୁସାରେ ମଣିଷ ଯଦି ନଥାନ୍ତା, ତେବେ ଯେଉଁ ହାରରେ ସଜୀବ ପ୍ରଜାତିମାନଙ୍କର ବିଲୁପ୍ତି ଘଟୁଥାନ୍ତା ଏବେ ତାହା ୧୦୦ଗୁଣ ଅଧିକ ହାରରେ ଘଟୁଛି। ଅତଏବ ଆଗାମୀ ଦଶକ ମଧ୍ୟରେ ୧ ନିୟୁତରୁ ଅଧିକ ଉଦ୍ଭିଦ ଓ ପ୍ରାଣୀ ପ୍ରଜାତି ବିଲୁପ୍ତ ହୋଇଯିବେ। ସେହିପରି ୨୦୧୭ ମସିହାର ଅନ୍ୟ ଏକ ଅଧ୍ୟୟନ ଅନୁସାରେ ଏବେ ପୃଥିବୀର ଜଣାଶୁଣା ପ୍ରଜାତିମାନଙ୍କ ମଧ୍ୟରୁ ପ୍ରାୟ ୨୬,୫୦୦ ସମ୍ଭାବ୍ୟ ବିଲୁପ୍ତିର ସମ୍ମୁଖୀନ। ଏହାବ୍ୟତୀତ ‘ଇଣ୍ଟର ନ୍ୟାସ୍‌ନାଲ୍‌ ୟୁନିୟନ ଫର୍‌ କଞ୍ଜରଭେସନ ଅଫ୍‌ ନେଚର’ (ଆଇୟୁସିଏନ୍‌) ଲୋହିତ ପୁସ୍ତକ ବା ‘ରେଡବୁକ୍‌’ରେ ସମ୍ଭାବ୍ୟ ବିଲୁପ୍ତି ତାଲିକାରେ ରହିଲେଣି ବିଶ୍ବର ୪୦% ଉଭୟଚର ପ୍ରାଣୀ, ୨୫ରୁ ୩୩% ସ୍ତନ୍ୟପାୟୀ ଏବଂ ୩୩% ପ୍ରବାଳ ପ୍ରାଚୀରବାସୀ। ଆଗାମୀ ୧୦୦ବର୍ଷ ମଧ୍ୟରେ ଏଗୁଡ଼ିକ ପ୍ରାୟତଃ ବିଲୁପ୍ତ ହୋଇଯିବେ। ସେହିପରି ଜାତିସଂଘର ଏକ ରିପୋର୍ଟ (୨୦୧୫) ଅନୁସା​‌େ​‌ର ଏବେ ବାର୍ଷିକ ୨.୫% ହାରରେ ବଂଶହାନି ଘଟିଚାଲିିଛି ପରାଗ ସଙ୍ଗମକାରୀ କୀଟପତଙ୍ଗଙ୍କର। ଏ ସବୁର ଊର୍ଦ୍ଧ୍ବରେ ନିକଟରେ ପ୍ରକାଶ ପାଇଛି ଜାତିସଙ୍ଘର ‘ୱାର୍ଲଡ ପପୁଲେସନ ପ୍ରସ୍‌ପେକ୍ଟସ’ ବିଶ୍ଳେଷଣ- ୨୦୨୧-୨୦୨୨। ଏଥିରେ ଦର୍ଶାଯାଇଛି ଯେ’ ସମଗ୍ର ବିଶ୍ବରେ ମଣିଷର ସମୁଦାୟ ପ୍ରଜନନ କ୍ଷମତାହାର ଦ୍ରୁତ ହ୍ରାସ ପାଇବାରେ ଲାଗିଛି। ଜନସଂଖ୍ୟା ସ୍ଥିର ରଖିବାଲାଗି ଏହାର ହାର ୨.୧ ହେବା ଆବଶ୍ୟକ ଥିଲାବେଳେ ଦକ୍ଷିଣ କୋରିଆ, ତାଇୱାନ, ସିଂଗାପୁର ଆଦି ପାଞ୍ଚଟି ଦେଶରେ ଏହା ୧ ତଳକୁ ଖସିଆସିଲାଣି। ସେହିପରି, ଜାପାନ, ଥାଇଲାଣ୍ଡ, କାନାଡ଼ା, ଇଟାଲୀ ଆଦି ୧୫ଟି ଦେଶରେ ଏହା ତହିଁରୁ ସାମାନ୍ୟ ଅଧିକ ଅଛି, ଯାହାକି ୨୦୩୫ ମସିହା ବେଳକୁ ୧ ତଳକୁ ଖସି ଆସିବ। ଅନ୍ୟପକ୍ଷରେ ଆଗାମୀ ଶତାବ୍ଦୀର ଆରମ୍ଭରେ ଭାରତ ଓ ଚୀନ ସମେତ ବିଶ୍ବର ପ୍ରାୟ ସବୁଦେଶ ଏ ପ୍ରକାର ଜନସଂଖ୍ୟା ହ୍ରାସ ପ୍ରକ୍ରିୟାର ସମ୍ମୁଖୀନ ହେବେ। କେତେକ ବୈଜ୍ଞାନିକଙ୍କ ମତରେ ଆମ ଗ୍ରହ ଜନଶୂନ୍ୟ ହୋଇ ଚାଲିବାର ଏହା ହେଉଛି ପ୍ରାରମ୍ଭିକ ସୂଚନା। ବାୟୁମଣ୍ଡଳରେ ବିଷାକ୍ତ ବାଷ୍ପର ମାତ୍ରା ବୃଦ୍ଧି ଏହାର କାରଣ।

ଏହି ଦୃଶ୍ୟପଟ ମନକୁ ଆଣିଥାଏ ମଣିଷର ଧ୍ବଂସାତ୍ମକ କାର୍ଯ୍ୟକଳାପରେ ମ୍ରିୟମାଣ ହୋଇପଡ଼ିଥିବା ଅମର କବି ରାଧାମୋହନ ଗଡ଼ନାୟକଙ୍କ ‘ସୃଷ୍ଟିର ଅପମାନ’। କବିତାର ପଙ୍‌କ୍ତିଟିଏ: ‘‘ସାରା ଦୁନିଆରେ ହୋଇ ଅଛି ସେ ଅମଙ୍ଗଳର ହେତୁ/ ସାରା ଆକାଶରେ ଉଇଁ ଉଠିଛି ସେ ଧ୍ବଂସର ଧୂମକେତୁ।’’

ପୁନଶ୍ଚ ବେଳେବେଳେ ଏହା ମଧ୍ୟ ମନରେ ଏକ ଭିନ୍ନ ପ୍ରଶ୍ନର ଉତ୍‌ଥାପନ କରିଥାଏ- ବୁଦ୍ଧିମାନ ମଣିଷ କ’ଣ ଏହି ବିଲୁପ୍ତି ପ୍ରକ୍ରିୟାରେ ହସ୍ତକ୍ଷେପ କରିପାରିବନି? ସମ୍ଭବତଃ ସେ ଏଥିରେ ଅନେକାଂଶରେ ସଫଳ ହୋଇପାରନ୍ତା ଯଦି ତା’ର ଏହି ବୁଦ୍ଧି ରୂପାନ୍ତରିତ ହୁଅନ୍ତା। ସଦ୍‌ବୁଦ୍ଧିରେ ଏବଂ ସେ ତାକୁ ସତ୍‌ମାର୍ଗରେ ନିୟୋଜିତ କରନ୍ତା। ତା’ ହେଲେ ସେ ଲାଳସାମୁକ୍ତ ହୁଅନ୍ତା ଏବଂ ପ୍ରକୃତି ଜନନୀକୁ ଜୀବନର ଦୋଳି ରୂପେ ବିଚାରକରି ଏହାର ପରିବେଶ ପ୍ରଦୂଷଣ ଓ ପରିସଂସ୍ଥୀୟ ଅବକ୍ଷୟକୁ ପ୍ରତିହତ କରିପାରନ୍ତା; ତଥା ବ୍ୟାହତ କରି ପାରନ୍ତା ବିବିଧ ପ୍ରଜାତିର ଦ୍ରୁତ ହୋଇଚାଲିଥିବା ବିଲୁପ୍ତି ପ୍ରକ୍ରିୟା।

ଅତଏବ ମହାବିଲୁପ୍ତିର ଆଗମନକୁ ସଂପୂର୍ଣ୍ଣ ରୋକି ନହେଲେ ବି ବିଳମ୍ବିତ କରିହୁଅନ୍ତା ଏବଂ ତାହାର ଧ୍ବଂସକାରୀ ପ୍ରଭାବକୁ ସୀମିତ କରାଯାଇପାରନ୍ତା। ଅନ୍ୟ ପକ୍ଷରେ, ଜୈବ-ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଦ୍ବାରା ପରିବର୍ତ୍ତିତ ପରିବେଶ ମଧ୍ୟରେ ସାଧାରଣ ଜୀବନଧାରଣ ପାଇଁ ମଣିଷ ବା ଅନ୍ୟାନ୍ୟ ପ୍ରଜାତିଙ୍କଠାରେ ଉପଯୋଗୀ ଜିନୀୟ ପରିବର୍ତ୍ତନ ଆଣିବାରେ ସେ ହୁଏତ ସଫଳ ହୋଇପାରନ୍ତା ବୋଲି କଳ୍ପନା କରାଯାଇପାରେ। ସେହିପରି କଳ୍ପନା ମଧ୍ୟ କରାଯାଇପାରେ ପୃଥିବୀର ଚତୁଃପାର୍ଶ୍ବରେ ସୁରକ୍ଷା ବଳୟଟିଏ ସୃଷ୍ଟିକରି ଜୈବମଣ୍ଡଳକୁ ତନ୍ମଧ୍ୟରେ ସୁରକ୍ଷିତ ରଖିବାର ବିବିଧ ବିଧାନର ବ୍ୟବସ୍ଥା କରିବା କଥା। ଅତଏବ ଏ ବିଲୁପ୍ତି ପ୍ରକ୍ରିୟା ବିଳମ୍ବ ହୋଇପାରନ୍ତା ଅନିର୍ଦିଷ୍ଟ କାଳ ପାଇଁ।

ତାହା ନକରି, ବର୍ତ୍ତମାନର ଲାଳସା ଏବଂ ଅହଂକାର ମୋହଗ୍ରସ୍ତ ଜୀବନଧାରାକୁ ଅନୁସରଣ କରିଚାଲିଥିଲେ ଏ ପ୍ରକ୍ରିୟା ତ୍ବରାନ୍ବିତ ହେବ ଏବଂ ମହାବିଲୁପ୍ତି କ୍ଷିପ୍ର ହେବାକୁ ଲାଗିବ। ପୁନଶ୍ଚ ଆଗ ଭଳି ଏହା ହୁଏତ ବନ୍ଦ ନହୋଇ ଚାଲିପାରେ ଅନିର୍ଦିଷ୍ଟ କାଳଲାଗି। ଏପରି ସ୍ଥଳେ, ପୃଥିବୀର ଜୈବିକ ଚରିତ୍ର ସଂପୂର୍ଣ୍ଣ ଧ୍ବଂସ ହୋଇଯିବା କଥା କଳ୍ପନା କରାଯାଇପାରେ। ଅତଏବ ଅନ୍ୟ ମହାବିଲୁପ୍ତିଗୁଡ଼ିକର ଅବସାନ ପରେ ଯେପରି ନୂତନ ଜୀବଜଗତର ବିକାଶ ଘଟିଥିଲା, ସେପରି ହୁଏତ ଆଉ ନ ହୋଇପାରେ ଏବଂ ଆମ ଗ୍ରହଟି ହୁଏତ ପରିଣତ ହୋଇପାରେ ଚନ୍ଦ୍ର ବା ମଙ୍ଗଳ ଭଳି ଏକ ମୃତ ହିମାକାଶ ପିଣ୍ଡରେ। ଯଦି ସେପରି ହୁଏ, ଏହି ମହାବିଲୁପ୍ତି ଜୀବଜଗତ ପାଇଁ ମହାସମାପ୍ତି ହୋଇଯିବ ଏବଂ ଏଥିଲାଗି ଦାୟୀହେବ ଧ୍ବଂସର ଧୂମକେତୁ ମଣିଷ।

Comments are closed.