ଗାଦି ମାହାତ୍ମ୍ୟ

ଏବେ ସମସ୍ତେ ଗାଦି ପାଇଁ ଡହଳବିକଳ ହେଉଛନ୍ତି, ଯେଉଁଥିଲାଗି ନେତା ହେବା ନିହାତି ଦରକାର। ଗାଦି ପାଇଗଲେ ଅପର୍ଯ୍ୟାପ୍ତ କ୍ଷମତା ଓ ଅର୍ଥାଗମ ହୋଇଯାଏ। ନିଜ ପାଇଁ କେବଳ ନୁହେଁ; ଆସନ୍ତା ପାଞ୍ଚସାତ ପିଢ଼ି ପାଇଁ। ଥରେ କ୍ଷମତାର ଚୌକିରେ ବସିଗଲେ, ତେଣିକି ବିଳାସ ଓ ଉପଭୋଗ ଆପେଆପେ ଆସିଯାଏ। ସୋମରସ, ଅପସରା, ଭାଟ ଆଉ ଗୁଣ୍ଡାବାହିନୀ ଚତୁର୍ଦ୍ଦିଗେ ଘେରିଯା’ନ୍ତି। ଥରେ ଗାଦି ଅକ୍ତିଆର କଲାପରେ ‘ଗଣ’ମାନଙ୍କୁ ବଶୀଭୂତ କରିବାକୁ ନିଜନିଜ ଭିତରେ ଲଢ଼େଇ କରିବାକୁ ଛାଡ଼ି ଦିଆଯାଏ। ଗଣଙ୍କ ଭିତରେ କୃଷକ ନେତା, ଶ୍ରମିକ ନେତା, ହିନ୍ଦୁ ନେତା, ମୁସଲମାନ ନେତା, ନାରୀ ସ୍ବାଧୀନତାର ନେତା, ସଂଖ୍ୟାଲଘୁ ଓ ସଂଖ୍ୟାଗୁରୁ, ଉପରଜାତି ଓ ତଳ ଜାତି, ମନ୍ଦିର ଓ ମସ୍‌ଜିଦ୍‌, ସଂରକ୍ଷିତ ଓ ଅସଂରକ୍ଷିତ ଇତ୍ୟାଦି ସୃଷ୍ଟି କରି ସେମାନଙ୍କ ହାତରେ ବନ୍ଧୁକ, ଛୁରି, ଖଣ୍ଡା ଓ ଟେକାପଥର ଧରାଇ ବାଡ଼ିଆପିଟା ହେବାର ବ୍ୟବସ୍ଥା କରିଦିଆଯାଏ। ହିଂସା ସୃଷ୍ଟି ଓ ଶାନ୍ତିବାହିନୀ ସୃଷ୍ଟିକରି ଗୁଡ଼ାଏ ତଦନ୍ତ କମିସନ ବସାଉ ବସାଉ ପାଞ୍ଚବର୍ଷ ପୂରିଯାଏ। ପୁଣି ନିର୍ବାଚନ ଆସେ ପ୍ରତିଶ୍ରୁତିର ସୁନା ମିରିଗମାନେ ନାଚନ୍ତି; ଗଣ ବୁଝି ପାରନ୍ତି ନାହିଁ ଯେ ସେ ସୁନା ନୁହେଁ କି ମିରିଗ ବି ନୁହେଁ, ସେ କେବଳ ଗୋଟାଏ ରାକ୍ଷସ। ସୁନାମିରିଗ ରୂପକ ପ୍ରତିଶ୍ରୁତିର ଭେଳିକି ନେତାଙ୍କ ଭାଷଣ ମାଧ୍ୟମରେ ଗଣର କଳ୍ପନା ଭିତରକୁ ପଶିଆସନ୍ତି। ଗଣଙ୍କୁ ପ୍ରତିବାଦ କରିବାକୁ ମନା ଏବଂ ସମାଲୋଚନା କରିବାକୁ ବି ମନା। କ୍ଷମତାସୀନଙ୍କ ବିରୋଧରେ ପଦୁଟିଏ ଲେଖିବାକୁ ବି ମନା, କାରଣ ପାଟି ଖୋଲିଲେ ନେତାଙ୍କ ପୋଷା ଚାଣୁର ଓ ମୁଷ୍ଟିକମାନେ ତୁମ ତଣ୍ଟିଚିପି ଟାଙ୍ଗିଦେବେ ଓ ଭାଟ ଡାକ୍ତରମାନେ ଏ ହତ୍ୟାକୁ ଆତ୍ମହତ୍ୟାର ପ୍ରମାଣପତ୍ର ଦେଇଦେବେ।

ଏଇଥିପାଇଁ ସତ କହିବାକୁ ମନା, ନ୍ୟାୟ ସପକ୍ଷରେ ଯିବା ମନା; କାରଣ ସାଧାରଣ ଜନତା ଜାଣେ ବିଦୁର ସତ କହି ଆଉ ବିଭୀଷଣ ନ୍ୟାୟ ସପକ୍ଷରେ କହି ବିତାଡ଼ିତ ହୋଇଥିଲେ। ଯିଶୁଖ୍ରୀଷ୍ଟ ସତ୍ୟ କହି କ୍ରୂଶବିଦ୍ଧ ହୋଇଥିଲେ। ସକ୍ରେଟିସ୍‌ ସତ୍ୟ କହିବାରୁ ତାକୁ ବିଷ ପିଆଇ ଦିଆଗଲା। ଗାଲିଲିଓଙ୍କ ସତ କଥା ପାଇଁ ତାଙ୍କୁ ପାଗଳ ବୋଲି ଘୋଷଣା କରିଦିଆଯାଇଥିଲା। ଯେତେ ପାରୁଛ ଯେଉଁଠି ପାରୁଛ, କେବଳ ମିଛ କୁହ ଓ ଛଳନା କର। ସତ ବାଟରେ ରହି ଆଉ ଯାହା କିଛି ହେଉ ପଛେ କ୍ଷମତାସୀନ ଚୌକି ତମ ଆଡ଼େ ଚାହିଁବ ବି ନାହିଁ। ମନେ ରଖିବାକୁ ହେବ ଯେ କ୍ଷମତାସୀନଙ୍କ ‘ଗାଦି ଅକ୍ତିଆର ରାଜନୀତି’ର ଏକମାତ୍ର ଲକ୍ଷ୍ୟ ମନ୍ତ୍ରୀ ପଦ, ସାଂସଦ ପଦ, ବିଧାନସଭା ବା ବିଧାନ ପରିଷଦ ସଭ୍ୟପଦ- ଏଥିପାଇଁ ବାପ, ମା, ଦାଦା, ବଡ଼ବାପା ଇତ୍ୟାଦି ଯୌଥ ପରିବାରକୁ ଭୁଲିଯିବାକୁ ହେବ। କେବଳ ମୁଁ, ମୋ ସ୍ତ୍ରୀ ଓ ମୋ ପିଲାପିଲି ମଧ୍ୟରେ ନିଜ ଖୁସି ଓ ଉପଭୋଗକୁ ଆବଦ୍ଧ କରି ରଖିବା ଅଭ୍ୟାସ କରିବାକୁ ହେବ। ଏଥିରେ ଯିଏ ବାଧା ଦେବ ତାକୁ ଏ ସଂସାରରୁ ବିଦା କରିବାର ବ୍ୟବସ୍ଥା କରାଯିବ। ଗାଦିରେ ବସିବା ପରେ ସାରା ଦେଶଟା ବରବାଦ୍‌ ହେଲେ ବି ଚିନ୍ତା କରିବନି; ଅସହାୟ ଯୁବତୀ, ଭୋକିଲା ବୃଦ୍ଧା, ଦୁର୍ଘଟଣାଗ୍ରସ୍ତ ଯୁବକ ଇତ୍ୟାଦିଙ୍କ ଆଡ଼େ ଦେଖି ନ ଦେଖିଲାପରି ମୁହଁ ଆଡ଼େଇ ଚାଲିଯିବାର ଅଭ୍ୟାସ କରିବାକୁ ହେବ। ଖାଲି ଗାଦିରେ ବସିଥିବା ମନ୍ତ୍ରୀ, ସଚିବ ନୁହନ୍ତି ସେମାନଙ୍କ ପାଖ ଲୋକଙ୍କୁ ବି ‘ଗଣ’ ଡରନ୍ତି କାରଣ ମହାଦେବଙ୍କ ଅପେକ୍ଷା ତାଙ୍କ ‘ସାପ’ର ପ୍ରତିଶୋଧ ପରାୟଣତା ଅଧିକ ଗୁଣ ଭୟଙ୍କର।

ଆମେ ବଡ଼ଜାତିବାଲା ସାନଜାତିକୁ ବା ମୁସଲମାନ ଧର୍ମ ଖ୍ରୀଷ୍ଟିଆନ ଧର୍ମକୁ ସହିପାରୁନୁ; କିନ୍ତୁ ଜାତି ଧର୍ମ ନିର୍ବିଶେଷରେ ପ୍ରତିଷ୍ଠିତ ଧନୀମାନେ ଏକାଠି ଅଛନ୍ତି। ସେଠି ଜାତିଧର୍ମ ନାହିଁ, ଟଙ୍କା ଓ ପ୍ରତିଷ୍ଠା ହିଁ ସେମାନଙ୍କୁ ଏକାଠି କରି ରଖିଦିଏ। ସେଇଥିପାଇଁ ଶିଳ୍ପପତି ଓ ନେତାଙ୍କ ଗାମୁଛା ଗୋଟିଏ। ଏକୁ ଆରେକକୁ ଆଖିବୁଜା ସମର୍ଥନ କରେ। ଉଭୟ ପାଞ୍ଚୋଟି ଯାକ ଜାଗା ଅକ୍ତିଆର କରି ରଖିଛନ୍ତି ତେଣୁ ଉପରକୁ ଉଠୁଛନ୍ତି- ଏଇଟା କଳିଯୁଗ ତ ଯୁଗ ସମ୍ରାଟ କଳି ପରୀକ୍ଷିତ ରାଜାଙ୍କଠାରୁ ପାଞ୍ଚୋଟି ଜାଗା ମାଗିନେଇଥିଲେ- ଦ୍ୟୁତକ୍ରୀଡ଼ା (ଛଳନା), କାମିନୀ ଇଚ୍ଛା, ମଦ୍ୟପାନ, ହିଂସା (ଜୀବହତ୍ୟା) ଓ ସୁନା (ଅବାରିତ ଅର୍ଥ)। ନେତା ଓ ଶିଳ୍ପପତି ଏକାଠି ମିଶି ଏ ପାଞ୍ଚୋଟି ଯାକ ସ୍ଥାନରେ ଚାଷ କରୁଛନ୍ତି, ଜମେଇ ବସିଛନ୍ତି। ସମୁଦ୍ର ମନ୍ଥନ ଭଳି ଗୋଟାଏ ପଟେ ସରକାର ଓ ଅନ୍ୟପଟେ ଶୋଷିତ ‘ଗଣ’ଙ୍କୁ ରଖିଛନ୍ତି। ଏଥିରୁ ଯାହା ଲକ୍ଷ୍ମୀ, ଐରାବତ ହସ୍ତୀ, ଅପ୍‌ସରା, ପାରିଜାତ ଓ ଅମୃତ ବାହାରୁଛି ସେ ସବୁ ​‌େ‌ନତାଙ୍କର, ଶିଳ୍ପପତିଙ୍କର ଗାଦିରେ ଥିବା ପ୍ରତିଷ୍ଠିତ ଲୋକଙ୍କର ଆଉ ଯାହା ବିଷ ବାହାରୁଛି, ସେ ସବୁ ଭୋଳା, ସ୍ମୃତିଶକ୍ତି ଦୁର୍ବଳ ‘ଗଣ’ ପିଇ ଚାଲିଛନ୍ତି।
ଦିନେ କଂସ ଏହିପରି ଥିଲା। ରାବଣ ବି ଏହିପରି ଅମାନିଆ ଥିଲା। ହିରଣ୍ୟକଶିପୁ ବି ଏମିତି ଅନ୍ୟାୟ କରିଚାଲିଥିଲା। ଦୁ​‌େ​‌ର୍ଯ୍ୟାଧନ ବି କରୁଥିଲା। ଶଚୀଙ୍କୁ ଉପଭୋଗ କରିବା ଇଚ୍ଛାରେ ନହୁଷ ରାଜା ମୁନିଋଷିମାନଙ୍କ ଦ୍ବାରା ପାଲିଙ୍କି ବୁହାଇଥିଲା। ଶକୁନି ପଶାଖେଳି ପାଣ୍ଡବମାନଙ୍କୁ ଜଙ୍ଗଲରେ ବୁଲାଇଥିଲା। କାଳନେମୀ ରାକ୍ଷସ ରାମଭକ୍ତ ସାଜି ହନୁମାନଙ୍କୁ ଭୁଲାଇବାକୁ ଚେଷ୍ଟା କରିଥିଲା, ଭସ୍ମାସୁର ଶିବଙ୍କଠାରୁ ବରପାଇ ପାର୍ବତୀଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କୁ ପାଇବାକୁ ଆଗ ଶିବଙ୍କୁ ଧ୍ବଂସ କରିବାକୁ ଗୋଡ଼ାଇଥିଲା। ଦୁର୍ଗାମାତାଙ୍କ ମୋହିନୀ ରୂପରେ ମୁଗ୍ଧ ହୋଇ ଶୁମ୍ଭ, ନିଶୁମ୍ଭ ଏପରି କି ମହିଷାସୁର ବି ମନ ଭିତରକୁ ବିକାର ଭାବନା ଆଣିଥିଲା, ଦୁ​‌େ​‌ର୍ଯ୍ୟାଧନ ଦ୍ରୌପଦୀଙ୍କୁ ନିଜ ଜଙ୍ଘ ଉପରେ ବସିବାକୁ ଆମନ୍ତ୍ରଣ କରିଥିଲା। ହେଲେ ଏମାନେ କେହି ସଫଳ ହେଲେ କି? କେବଳ ଅନ୍ୟାୟୀଙ୍କ ପକ୍ଷନେଇ ଦାନବୀର କର୍ଣ୍ଣ ମଧ୍ୟ ନିଜ ଅକାଳ ମୃତ୍ୟୁକୁ ଆମନ୍ତ୍ରଣ କରିଥିଲେ।
ତେଣୁ ଗାଦିର ଗଦି ଓ ତଜ୍ଜନିତ ବିଳାସପାଇଁ ବ୍ୟାକୁଳ ହେବାର ପରିଣତି ଅତି ଭୟାନକ। ଏହା ଆମକୁ ଓ ଆମ ପରପିଢ଼ି ମଣିଷମାନଙ୍କୁ ଅଶାନ୍ତି ଓ ଛଟପଟ ଯନ୍ତ୍ରଣା ଉପହାର ଦେଇପାରେ; ବଂଶ ବି ନଷ୍ଟ କରିଦେଇପାରେ। ଜୀବନଟା ଟ୍ରେନ ଭିତରର ଯାତ୍ରୀଙ୍କ ଭଳି କ୍ଷଣସ୍ଥାୟୀ। ଯୁବକ ଆଗ ଓହ୍ଲାଇ ବୃଦ୍ଧ ପଛରେ ଓହ୍ଲାଇପାରେ। କାହାର କେଉଁ ଷ୍ଟେସନରେ ଓହ୍ଲାଇବାକୁ ଟିକଟ୍‌ କଟାଯାଇଛି, ଅନ୍ୟମାନେ ତାହା ଜାଣନ୍ତିନି। ସୀମିତ ସମୟ ମଧ୍ୟରେ ଗାଦିପାଇଁ ଛଳନା, ଅହଂକାର ଓ ଶୋଷଣ ଇତ୍ୟାଦିକୁ ଆପଣେଇବା ଅର୍ଥ ନାଗସାପକୁ ବେକରେ ଗୁଡ଼ାଇ ଚୁମ୍ବନ ଦେବାଭଳି ହେବ। ସାଧୁ ସାବଧାନ।

Comments are closed.