ପ୍ରବାସୀ ଶ୍ରମିକର କରୁଣ ଚିତ୍ର

- ସୁବାସ ସିଂହ

ଦୈନିକ ୮ ଘଣ୍ଟା କାର୍ଯ୍ୟ କରିବାର ଦାବିକୁ ନେଇ ଜନ୍ମ ହୁଏ ଆନ୍ତର୍ଜାତିକ ଶ୍ରମିକ ଦିବସ। ୧୮୮୬ ମସିହା ମେ’ ୧ ତାରିଖରେ ଆମେରିକାର ଚିକାଗୋ ସହରରେ ଏହି ୮ଘଣ୍ଟା କାର୍ଯ୍ୟଦିବସ ଦାବି ଉପରେ ସଂଗଠିତ ହୁଏ ବିଶାଳ ସମାବେଶ। ମେ’ ୩ରେ ଏହି ବାର୍ତ୍ତା ପୂରା ଆମେରିକା ମହାଦେଶରେ ନିଆଁ ଭଳି ବ୍ୟାପିବାରେ ଲାଗିଥାଏ। ହଜାରହଜାର ଶ୍ରମିକ ୮ଘଣ୍ଟା କାର୍ଯ୍ୟଦିବସ ଦାବି କରି ରାଜରାସ୍ତାକୁ ବାହାରି ପଡ଼ନ୍ତି। ୪୦ଟି ସହରରେ ପୁଲିସର ବର୍ବର ଆକ୍ରମଣରେ ୬ଜଣ ଶ୍ରମିକ ପ୍ରାଣ ହରାନ୍ତି। ୧୮୬୭ ମସିହା ନଭେମ୍ବର ୧୧ରେ ୪ଜଣ ଶ୍ରମିକ ନେତାଙ୍କୁ ଫାଶୀ ଦିଆଯାଏ। ଆଠଘଣ୍ଟା ଦୈନିକ ଶ୍ରମଦିବସ ଦାବିକରି ଆମେରିକାର ସେହି ରକ୍ତାକ୍ତ ସଂଗ୍ରାମକୁ ସମର୍ଥନ ଜଣାଇ ବିଶ୍ବର ବିଭିନ୍ନ ଦେଶ ମେ ୧ ତାରିଖକୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରୂପେ ପାଳନ କରି ଆସୁଛନ୍ତି।

ଆଜି ଦିନରେ ନବ୍ୟ ଉଦାରବାଦୀ ଅର୍ଥନୀତି ଜାଲରେ ଶ୍ରମିକ ଶ୍ରେଣୀ ନୂଆ ରୂପରେ ଶୋଷଣର ଶିକାର ହେଉଛନ୍ତି। ବହୁ ଦେଶୀୟ କମ୍ପାନୀଗୁଡ଼ିକର ସ୍ବାର୍ଥରକ୍ଷା ପାଇଁ ଅଘୋଷିତ ୮ ଘଣ୍ଟା କାର୍ଯ୍ୟ ପରିବର୍ତ୍ତେ ୧୨ ଘଣ୍ଟା କାର୍ଯ୍ୟ କରିବାକୁ ପଡ଼ୁଛି। ସ୍ଥାୟୀ ନିଯୁକ୍ତି ବଦଳରେ ବହୁ ଜାତୀୟ ସଂସ୍ଥା ଅସ୍ଥାୟୀ ନିଯୁକ୍ତି ଦେବା ସହ ବାହ୍ୟଲୋକଙ୍କ ମାଧ୍ୟମରେ କାମ କରାଇ ଲକ୍ଷଲକ୍ଷ ଶିକ୍ଷିତ ଯୁବକ-ଯୁବତୀମାନଙ୍କର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି। ମାସିକ ଦଶ ହଜାର ଟଙ୍କା ପାରିଶ୍ରମିକରେ ଚାକିରି ଆରମ୍ଭ କରି କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ସ୍ଥାୟୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ବ୍ୟବସ୍ଥାକୁ ସଂଶୋଧନ କରିବା ପାଇଁ ଏକ କଠୋର ଆଇନ୍ର ଆବଶ୍ୟକତା ରହିଛି।

ବ୍ରିଟିଶ ଶାସନ ସମୟରୁ ବହୁ ସଂଘର୍ଷ ମଧ୍ୟଦେଇ ଶ୍ରମିକ ଶ୍ରେଣୀ ପାଇଥିବା ଅଧିକାର ଯଥା- ଶ୍ରମିକ ସଂଗଠନ ଆଇନ ୧୯୨୬, ଔଦ୍ୟୋଗିକ ନିଯୁକ୍ତି ଆଇନ ୧୯୪୬, ଔଦ୍ୟୋଗିକ ବିବାଦ ଆଇନ ୧୯୪୭, ଶିଶୁ ଶ୍ରମିକ ଆଇନ ୧୯୮୬, କାରଖାନା ଆଇନ ୧୯୪୮, କର୍ମଚାରୀ ଭବିଷ୍ୟନିଧି ଏବଂ ଅନ୍ୟାନ୍ୟ ସହାୟତା ଆଇନ ୧୯୫୨, ଠିକା ଶ୍ରମିକ ଆଇନ ୧୯୭୦, ସର୍ବନିମ୍ନ ପାରିଶ୍ରମିକ ଆଇନ ୧୯୪୮, ସମାନ ପାରିଶ୍ରମିକ ଆଇନ ୧୯୭୬, ରାଜ୍ୟ ପ୍ରବାସୀ ଶ୍ରମିକ ଆଇନ ୧୯୭୯ ପ୍ରଭୃତି ୪୭ଟି ଶ୍ରମ ଆଇନ ସଂଶୋଧିତ ହୋଇଛି ଓ ୪ଟି ଶ୍ରମ ସଂହିତାରେ ପରିଣତ କରାଯାଇଛି। ଏହାଦ୍ବାରା ସମସ୍ତ କ୍ଷମତା କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି ବୋଲି ଆଶଙ୍କା ପ୍ରକାଶ ପାଉଛି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଆଇନ୍ ୧୯୯୬ ଅଧୀନରେ ଥିବା ହଜାରହଜାର କୋଟି ଟଙ୍କାର ସେସ୍ ଅର୍ଥ ରାଜ୍ୟ ବୋର୍ଡମାନଙ୍କ ଦ୍ବାରା ଶ୍ରମିକ କଲ୍ୟାଣ ପାଇଁ ପରିଚାଳିତ ହେଉଛି। ଏହି ନୂଆ ସଂହିତା ପ୍ରଚଳନ ଫଳରେ ରାଜ୍ୟଗୁଡ଼ିକ ଏହା ପରିଚାଳନା କରିବାକୁ ସୁଯୋଗ ପାଇବେ ନା ନାହିଁ, ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ପୂର୍ବ ଆଇନ୍ ବଦଳରେ ଶ୍ରମିକ ଓ ବିଶେଷକରି ପ୍ରବାସୀ ଶ୍ରମିକମାନେ ଏକ ବଡ଼ ଆଇନ୍ଗତ ସୁରକ୍ଷା ପାଇପାରୁଥିଲେ। ଅପରପକ୍ଷରେ ସରକାରଙ୍କ ଦ୍ବାରା ଉପସ୍ଥାପିତ ୨୦୨୧-୨୨ ଆୟବ୍ୟୟ ହିସାବ (ବଜେଟ)ରେ ୪୫ ବର୍ଷ ଧରି ଜୀବନକୁ ବିପନ୍ନ କରି କାର୍ଯ୍ୟ କରୁଥିବା ୨୫ ଲକ୍ଷ ଅଙ୍ଗନବାଡି କର୍ମୀଙ୍କ ଯୋଜନା ଆଇସିଡିଏସ୍, ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ସ୍ବାସ୍ଥ୍ୟ ମିଶନ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମରେ ବ୍ୟୟବରାଦ କମିକମି ଚାଲିଛି ଓ ରାଜ୍ୟଗୁଡ଼ିକ ଉପରେ ବୋଝ ଲଦି ଦିଆଯାଉଛି। ଏଥି ମଧ୍ୟରେ ଏହି କଲ୍ୟାଣକାରୀ ଯୋଜନାଗୁଡ଼ିକରେ ୯୦/୧୦ ପ୍ରତିଶତ ସହାୟତା କମାଇ ୬୦/୪୦ ପ୍ରତିଶତ କରାଯିବା ଓ କେତେକ କଲ୍ୟାଣକାରୀ ଯୋଜନାକୁ ପ୍ରତ୍ୟାହାର କରିନେବା ବଡ଼ ସମସ୍ୟା ସୃଷ୍ଟି କରିଛି।

କରୋନାର ଦ୍ବିତୀୟ ତରଙ୍ଗରେ ପୁନର୍ବାର ପ୍ରବାସୀ ଶ୍ରମିକଙ୍କର ଲୁହଲହୁର କରୁଣ କାହାଣୀ ଦେଶବାସୀ ଦେଖି ପାରୁଛନ୍ତି। ପ୍ରଧାନମନ୍ତ୍ରୀ ଯେତେ ନିବେଦନ କଲେ ମଧ୍ୟ ପ୍ରବାସୀ ଶ୍ରମିକମାନେ ଘରମୁହାଁ ହୋଇ ରାଜରାସ୍ତାରେ ଚାଲିବା ଆରମ୍ଭ କରିଛନ୍ତି। ପ୍ରବାସୀ ଶ୍ରମିକ କାର୍ଯ୍ୟରତ ସଂପୃକ୍ତ ରାଜ୍ୟଗୁଡ଼ିକ ଯଦି ସେମାନଙ୍କର ରହିବା, ଖାଇବା, ପିଲା ପାଠ ପଢ଼ିବା ଚିକିତ୍ସା ଓ ସାମାଜିକ ସୁରକ୍ଷାର ଦାୟିତ୍ବ ନେଇ ପାରିଥାନ୍ତେ ତେବେ ସେମାନେ କାହିଁକି ଫେରିବାକୁ ବାଧ୍ୟ ହୁଅନ୍ତେ? ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ତେଲଙ୍ଗାନା ଆଦି ସମୃଦ୍ଧ ରାଜ୍ୟଗୁଡ଼ିକ କାହିଁକି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରହିବା ଘର ବ୍ୟବସ୍ଥା କରୁନାହାନ୍ତି।

କେନ୍ଦ୍ର ସରକାର ଘୋଷଣା କରିବା ପରେ ମଧ୍ୟ ‘ଏକ ଦେଶ ଏକ ପଡ଼ି କାର୍ଡ’ ଯୋଜନା କାର୍ଯ୍ୟକାରୀ କରାଯାଉ ନାହିଁ। ସେମାନଙ୍କର ଚିକିତ୍ସାର ବ୍ୟବସ୍ଥା କରାଯାଉନାହିଁ। ଫଳରେ କରୋନାର ଦ୍ବିତୀୟ ତରଙ୍ଗରେ ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀରେ ଡାକ୍ତରଖାନାରେ ଶଯ୍ୟା ନପାଇ ପ୍ରବାସୀ ଶ୍ରମିକଙ୍କ ଜୀବନ ଚାଲିଯାଉଛି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଏହି ସଂପୃକ୍ତ ରାଜ୍ୟଗୁଡ଼ିକ ପାଖରେ ୩୨ ହଜାର କୋଟି ଟଙ୍କାର ସେସ୍ ପଇସା ପଡ଼ିରହିଛି।

ଓଡ଼ିଶା ଭଳି ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଭଡ଼ାଘର ଯୋଜନା କରି ଦେଶରେ ଏକ ଉଦାହରଣୀୟ ରାଜ୍ୟ ଭାବେ ପରିଣତ ହୋଇପାରିଛି। ଏଥିପାଇଁ କେନ୍ଦ୍ର ସରକାର ନିଜସ୍ବ ପାଣ୍ଠିରେ ତଥା ସଂପୃକ୍ତ ରାଜ୍ୟଗୁଡ଼ିକର ସହଯୋଗ ଦ୍ବାରା ବାସଗୃହ ବ୍ୟବସ୍ଥା କାହିଁକି ନିଶ୍ଚିତ କରାଯାଉନାହିଁ। ଏଥିପାଇଁ ଆଇନର ଉପଯୁକ୍ତ କାର୍ଯ୍ୟକାରିତା ଓ କେନ୍ଦ୍ର ସରକାରଙ୍କର ଆନ୍ତରିକତା ଦରକାର।

ଗତବର୍ଷ କରୋନା ସମୟରେ ଶ୍ରମିକମାନେ ଜୀବନ ବିକଳରେ ରାଜରାସ୍ତାରେ ଚାଲିଚାଲି ଏବଂ ଟ୍ରେନ୍ ଓ ବସ୍ ଦୁର୍ଘଟଣାରେ ଶତାଧିକ ପ୍ରାଣ ହରାଇଲେ। ଆମ୍ଭେମାନେ ସଂସଦରେ ଦାବି କଲାପରେ ବି ତାହାର ଠିକ୍ ତଥ୍ୟ ମିଳିପାରିଲା ନାହିଁ। ଆଜି ପର୍ଯ୍ୟନ୍ତ ଏହି ପ୍ରବାସୀ ଶ୍ରମିକ ପରିବାରକୁ ଟଙ୍କାଟିଏ ମଧ୍ୟ ସହାୟତା ଦିଆଗଲା ନାହିଁ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ଜାନୁଆରୀ ୧୫ରେ ରାଜ୍ୟର ପ୍ରମୁଖ ପ୍ରବାସୀ ଶ୍ରମିକ ଜିଲା, ଯଥା: ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି ଓ ବରଗଡ଼, ଏହି ୪ଟି ଜିଲାରେ ୨୦ଟି ବ୍ଲକ ଓ ୪୭୭ ଗ୍ରାମପଞ୍ଚାୟତ ପାଇଁ ୫୦୦କୋଟି ଟଙ୍କାର ସମଗ୍ର ପାଣ୍ଠି (କର୍ପସ୍ ଫଣ୍ଡ୍) ବ୍ୟୟବରାଦ କରି ମନରେଗାରେ କାର୍ଯ୍ୟଦିବସକୁ ବୃଦ୍ଧି କରିଥିଲେ। ୧୦୦ଦିନ ପରିବର୍ତ୍ତେ ୨୦୦ ଦିନ ଓ ୧୮୮ଟଙ୍କା ମଜୁରି ବୃଦ୍ଧି କରି ୨୮୬ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିବା ସହ ଏହା କାର୍ଯ୍ୟକାରୀ ହୋଇଛି। ଏହି ପ୍ରସଙ୍ଗକୁ ଆମେ ସଂସଦରେ ଉପସ୍ଥାପନା କରି ମନରେଗାର କାର୍ଯ୍ୟଦିବସକୁ ୨୦୦ ଦିନକୁ ବଢ଼ାଇବା ସହିତ ସର୍ବନିମ୍ନ ମଜୁରି ୩୦୦ଟଙ୍କାକୁ ବୃଦ୍ଧିକରି ଏହି ଭୟଙ୍କର ମହାମାରୀରେ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ସହିତ ସେମାନଙ୍କର ସୁରକ୍ଷା ଦିଆଯାଉ ବୋଲି ଦାବି କରିଥିଲୁ। ଏକ ବିଶେଷଜ୍ଞ ସମିତି ଜରିଆରେ ପ୍ରବାସୀ ଶ୍ରମିକ ଜିଲାଗୁଡ଼ିକୁ ଦେଶରେ ଚିହ୍ନଟ କରାଯାଇ ସେଥିପାଇଁ ସ୍ବତନ୍ତ୍ର ବ୍ୟୟବରାଦ କରିବାକୁ ଅନୁରୋଧ କରିଥିଲୁ। କେନ୍ଦ୍ର ସରକାର ଏହାକୁ ବିଚାରକୁ ନେଲେ ନାହିଁ।

କରୋନାର ଦ୍ବିତୀୟ ଲହରରେ ସବୁଠାରୁ ଜର୍ଜରିତ କରୁଣ କାହାଣୀ ଶ୍ରମିକଙ୍କଠାରେ ଦେଖିବାକୁ ମିଳୁଛି। ସବୁଆଡ଼େ ତାଲାବନ୍ଦ, ସପ୍ତାହାନ୍ତ ବନ୍ଦ, କଳକାରଖାନା ବନ୍ଦ। କାମ ନାହିଁ। ଜୀବନ ବିକଳରେ ପ୍ରବାସୀ ଶ୍ରମିକମାନେ ରାଜରାସ୍ତାରେ। ଏପରିକି ଘରକୁ ଫେରିବା ପାଇଁ ପଇସା ନାହିଁ। ପରିବହନରେ କାର୍ଯ୍ୟକରୁଥିବା ଶ୍ରମିକ ଏବଂ ପର୍ଯ୍ୟଟନ ଓ ହୋଟେଲ୍ ଶିଳ୍ପରେ କାର୍ଯ୍ୟରତ ଶ୍ରମିକଙ୍କ କରୁଣ କାହାଣୀ ଅବର୍ଣ୍ଣନୀୟ। ଏହି କରୁଣ କାହାଣୀ କେନ୍ଦ୍ର ସରକାର ଜାଣି ମଧ୍ୟ ଅଜଣା ହେଉଛନ୍ତି।

ଶ୍ରମିକର ସାମାଜିକ ସୁରକ୍ଷା ଆଇନ୍ ୨୦୦୮ ମସିହାରେ ପାଳିତ ହେଲାପରେ ବ୍ୟୟବରାଦରେ ଟଙ୍କାଟିଏ ରଖାଯାଇ ନାହିଁ। ୨୦୦୪ ଅର୍ଜୁନ ସେନ୍ଗୁପ୍ତା ବିବରଣୀର କରୁଣ ଦୃଶ୍ୟ ଓ ତଥ୍ୟ ଆଧାରରେ ୭୦ଭାଗ ଶ୍ରମିକ ଦୈନିକ ୨୦ଟଙ୍କାରେ ବଞ୍ଚିଥାନ୍ତି। ଜାତିସଙ୍ଘ ଓ ବିଶ୍ବ ଶ୍ରମ ସମ୍ମିଳନୀର ନିର୍ଦେଶନାମା ସତ୍ତ୍ବେ ପ୍ରତ୍ୟେକ ଶ୍ରମିକର ସାମାଜିକ ସୁରକ୍ଷା ପ୍ରଦାନ କ୍ଷେତ୍ରରେ କଠୋର ପଦକ୍ଷେପ ନିଆଯାଉ ନାହିଁ। ଭାରତବର୍ଷର ୪୦ କୋଟି ଅସଂଗଠିତ ଶ୍ରମିକ ଅନିଶ୍ଚିତତା ମଧ୍ୟଦେଇ କାର୍ଯ୍ୟ କରୁଛନ୍ତି। ଏହାର ପ୍ରତିକାର ହେବା ନିତାନ୍ତ ଜରୁରୀ।

Comments are closed.