ଫେରିଯିବା କି?

- ହରିହର ତ୍ରିପାଠୀ

ସୁଖ, ସନ୍ତୋଷ ଭଳି ପ୍ରଗତିର ସଂଜ୍ଞା ନିରୂପଣ କରିବା କଷ୍ଟକର। ଆଧୁନିକ ବୋଲାଉଥିବା ମଣିଷ ଉପଭୋଗକୁ ହିଁ ସୁଖ ମାନିନେଇଛି। ଠିକ୍ ସେମିତି ଉପଭୋଗ ନିମନ୍ତେ ଲୋଡ଼ା ସମସ୍ତ ସାଧନକୁ ହିଁ ପ୍ରଗତିର ଗୋଟିଏ ଗୋଟିଏ ଉପାଦାନ ମନେ କରୁଛି। ଏକଥା କହିବା ଅଧିକ ଉଚିତ ହେବ ଯେ ପ୍ରକୃତିଠାରୁ ଦୂରେଇଯାଇ ଅପ୍ରାକୃତିକ ଉପାୟରେ ସେ ନିଜେ ପ୍ରକୃତିଲବ୍ଧ ବସ୍ତୁକୁ ତିଆରି କରିବାକୁ ଚେଷ୍ଟା କରୁଛି। ପ୍ରକୃତି ସହ ମଣିଷ ଆଜି ଯେଉଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ତା’ରି ବିଷମୟ ଫଳ ତାକୁ ଭୋଗିବାକୁ ପଡ଼ୁଛି। ମହାମାରୀ ତା’ର ଏକ ଝଲକ ମାତ୍ର।

ଅନ୍ୟ ଜୀବଙ୍କ ଭଳି ମାଟିରେ ପାଦଥାପି ମାଟିରେ ଜୀବନ ବଞ୍ଚିବା ଲାଗି ପ୍ରକୃତି ମଣିଷକୁ ଅଧିକାର ଦେଇଥିଲା। ମାତ୍ର ମଣିଷକୁ ମାଟି ପସନ୍ଦ ଲାଗିଲା ନାହିଁ ସେ ତିଆରି କଲା କଂକ୍ରିଟର ଦୁନିଆ। ଏହାକୁ କହିଲା ପ୍ରଗତି। କଂକ୍ରିଟର ଆସ୍ତରଣତଳେ ମାଟି ଧୀରେଧୀରେ ଲୁଚିଚାଲିଛି। ମାଟି ସହିତ ଲୁଚିଯାଉଛି ପ୍ରକୃତି ପ୍ରଦତ୍ତ ଅମୂଲ୍ୟ ପଦାର୍ଥସବୁ, ଯାହା ହିଁ ମଣିଷର ଜୀବନୀଶକ୍ତି ବୃଦ୍ଧିର ପ୍ରମୁଖ ଉପାଦାନ। ଆମର ପରମ୍ପରା, ସଂସ୍କୃତି ସବୁ ସମୟରେ ଆମ ଲାଗି ଏକ ଜୈବିକ ପରିବେଶ ସୃଷ୍ଟି କରିଥାଏ ଯାହା ଭିତରେ ଆମେ ବଞ୍ଚିଲେ ସୁସ୍ଥ ରହୁ। ଆମର ଚଳଣିରେ ସବୁ କାର୍ଯ୍ୟ ଦିନରେ କରାଯାଏ। ରାତି ବିଶ୍ରାମ ନେବା ଲାଗି ରହିଥାଏ। ସୂର୍ଯ୍ୟ ହେଉଛନ୍ତି ଆମର ସଂସ୍କୃତିର ପ୍ରମୁଖ ଦେବତା।

ଆମର ପ୍ରଭାତ ଆରମ୍ଭ ହୋଇଥାଏ ସୂର୍ଯ୍ୟଙ୍କ ପ୍ରଣାମ ସହିତ। ପ୍ରକୃତି ଉପାସନା ହିଁ ଆମ ଧର୍ମର ମୂଳତତ୍ତ୍ୱ କେବଳ ସେଥିପାଇଁ ବେଦର ପ୍ରଥମ ମନ୍ତ୍ରରେ ଅଗ୍ନିଙ୍କର ପ୍ରଶଂସା କରାଯାଇଛି। ଅଗ୍ନି, ବାୟୁ, ଜଳ, ଭୂ, ଆକାଶ, ସୂର୍ଯ୍ୟ, ଗ୍ରହ ନକ୍ଷତ୍ର ଆଦିଙ୍କୁ ନେଇ ମଣିଷ ମନରେ ଯେତେବେଳେ କୌତୂହଳ ସୃଷ୍ଟିହେଲା ସେ ଏହି ଶକ୍ତିମାନଙ୍କୁ ବୁଝିବାକୁ ପ୍ରୟାସ କଲା। ପରେ ସେମାନଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରି ମନ୍ତ୍ରମାନ ସୃଷ୍ଟି କଲା। ତେବେ ସୃଷ୍ଟିର ନାନାଦି ଶକ୍ତିମାନଙ୍କ ମଧ୍ୟରେ ସୂର୍ଯ୍ୟ ହିଁ ପ୍ରଥମ ମହାଶକ୍ତି ଯାହାଙ୍କୁ ମଣିଷ ଆଦିଦେବତା ଭାବେ ଆରାଧନା କଲା। ପୁରାଣମାନଙ୍କରେ ସୂର୍ଯ୍ୟଙ୍କୁ ବିଶ୍ୱର ଆତ୍ମା ଏବଂ ଈଶ୍ୱରଙ୍କ ନେତ୍ର ଭାବେ ଉଲ୍ଲେଖ କରାଯାଇଛି। ସୂର୍ଯ୍ୟଦେବଙ୍କ ପୂଜା କଲେ ଜୀବନଶକ୍ତି, ମାନସିକ ଶାନ୍ତି, ଊର୍ଜା ଏବଂ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ। ସେଥିପାଇଁ ପ୍ରଭାତ ସମୟର ଉଦୀୟମାନ ସୂର୍ଯ୍ୟଙ୍କ ଦର୍ଶନ କରି ଦୈନନ୍ଦିନ ଜୀବନର ଶୁଭାରମ୍ଭ କରାଯାଏ। ସୂର୍ଯ୍ୟଙ୍କ ଉପସ୍ଥିତି ବିନା କୌଣସି ମଙ୍ଗଳକାର୍ଯ୍ୟ କରାଯାଇନଥାଏ।

ଏମିତି କି ଆମର ପରମ୍ପରାରେ ରାତ୍ରି ସମୟରେ ଅନ୍ନଭୋଜନ ମଧ୍ୟ ନିଷିଦ୍ଧ। ରାତ୍ରିଭୋଜନ ଯେତେ ହାଲୁକା ହେବ ତାହା ମଣିଷ ଲାଗି ସେତେ ସ୍ୱାସ୍ଥ୍ୟପ୍ରଦ। ନିଦ୍ରା ହେଉଛି ସବୁଠାରୁ ବଡ଼ ଆରୋଗ୍ୟକାରୀ ପ୍ରକ୍ରିୟା। ଏବେ ବି ଗାଁଗହଳିର ଲୋକମାନେ ଶିଘ୍ର ଶୁଅନ୍ତି ଓ ଶିଘ୍ର ଉଠନ୍ତି। ମାତ୍ର ଆଧୁନିକ ଜୀବନଶୈଳୀ ଆପଣାଇ ଆମେ ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ଚେଇଁବା ଓ ଦିନରେ ଡେରିଯାଏ ଶୋଇବାର ଅଭ୍ୟାସ କରି ଯାବତୀୟ ରୋଗକୁ ଆମନ୍ତ୍ରଣ କରିଚାଲିଛୁ। ସୂର୍ଯ୍ୟକିରଣ, ବିଶୁଦ୍ଧ ଜଳ, ଆଉ ସ୍ୱାସ୍ଥ୍ୟପ୍ରଦ ପବନ ଆମ ଲାଗି ଦିନକୁ ଦିନ ଦୁଷ୍ପ୍ରାପ୍ୟ ହେଉଛି ନକହି କହିବାକୁ ହେବ ଆମେ ସେସବୁକୁ ନଷ୍ଟକରି ଚାଲିଛୁ।

ମହାମାରୀ ସମୟରେ ଆଜି ଆମେ ଆପଣାଉଥିବା ସତର୍କତା ଯେ ଆମ ପରମ୍ପରାର ଅବିଚ୍ଛେଦ୍ୟ ଅଙ୍ଗ ତାହା ଅନେକ ଭୁଲିଗଲେଣି। ମୁଣ୍ଡ ନୁଆଁଇ ଦୂରରୁ ପ୍ରଣାମ କରିବା ହେଉଛି ଆମର ପରମ୍ପରା। ସାଷ୍ଟାଙ୍ଗ ପ୍ରଣିପାତ ନହେଲେ ବି ଆଣ୍ଠୁମାଡ଼ି ଦୂରରୁ ବଡ଼ମାନଙ୍କୁ ଭୂମିରେ ମଥାରଖି ପ୍ରଣାମ କରିବା ହେଉଛି ଆମର ସଂସ୍କୃତି। ଆଜିକାଲି ଗୁରୁଜନଙ୍କୁ ଏ ପ୍ରକାର ପ୍ରଣାମ କରିବା ସମସ୍ତେ ଭୁଲିଗଲେଣି। ବଡ଼ମାନଙ୍କ ପାଦ ଆଙ୍ଗୁଠି ଛୁଇଁ ମୁଣ୍ଡରେ ମାରିବା ଏକ ଷ୍ଟାଇଲଭାବେ ଗଣାଯାଉଛି। ପାଦ ଛୁଇଁବା ଆମ ପରମ୍ପରାର ଏକ ବିଲକ୍ଷଣ ହୋଇଥିବାବେଳେ ହାତ ମିଳାଇବା ବିଦେଶାଗତ। ସ୍ୱଚ୍ଛତା, ସଂକ୍ରମଣ ଦୃଷ୍ଟିରୁ ପାଦଛୁଇଁବା, ହାତ ମିଳାଇବା ଓ କୋଳାଗ୍ରତ କରିବାକୁ ବାରଣ କରାଯାଉଛି। ବାହାରୁ ଘରକୁ ଫେରିଲେ ପୋଷାକପତ୍ର ବାହାରେ ରଖି ଲୁଗା ବଦଳାଇ, ହାତଗୋଡ଼ ଭଲଭାବରେ ଧୋଇ ଘରକୁ ପ୍ରବେଶ କରିବା ହେଉଛି ଆମ ଚଳଣିର ଏକ ଅଙ୍ଗ ଯାହାକୁ ଆମେ ଭୁଲିସାରିଛୁ। ଏବେ ମହାମାରୀ ଆମକୁ ଏଇ ଅଭ୍ୟାସକୁ ମନେ ପକାଇ ଦେଇଛି। କରୋନା ସଂକ୍ରମଣ ଭୟରେ ଏବେ ଲୋକେ ବାହାରୁ ଘରକୁ ଫେରିଲେ ପୋଷାକପତ୍ର, ଜୋତା, ବେଲ୍ଟ ଆଦି ଅଲଗା ରଖୁଛନ୍ତି।

ପ୍ରଗତି ନାଁରେ ଆମେ ଯାହାକୁ ସବୁ ଛାଡ଼ୁଛୁ ତାକୁ ପ୍ରଗତିର ଶୀର୍ଷକୁ ଛୁଇଁସାରିଥିବା ଲୋକେ ଆପଣାଉଛନ୍ତି। କିଛିଦିନ ତଳେ ଖବର ଆସିଥିଲା ଚୁଲି ପାଉଁଶ ଅନ୍ଲାଇନରେ ବିକ୍ରି ହେଉଛି ଯାହାର ମୂଲ୍ୟ କେଜି ୬୫୦ ଟଙ୍କା। ପିଲାଦିନେ ଚୁଲି ପାଉଁଶରେ ଅନେକ ଦାନ୍ତ ଘଷିଥିବେ। ବାସନମଜା ଓ ଅନ୍ୟାନ୍ୟ ବହୁ କାର୍ଯ୍ୟରେ ପାଉଁଶର ବ୍ୟବହାର ହେଉଥିଲା। କେବଳ ପାଉଁଶ ନୁହେଁ ଏବେ ଅନେକ ଦେଶୀ ଜିନିଷ ଉପରେ ବିଦେଶୀଙ୍କର ଆଖି। ଅକାଣ୍ଡିଆ ଚାଉଳ, ମାଣ୍ଡିଆ, କୋଳଥ, ନିମ୍ବ, ବେଲପତ୍ର ଆଦିର ଚାହିଦା ବିଶ୍ୱବଜାରରେ କାହିଁରେ କଣ! ଏସବୁ ଜିନିଷକୁ ବିଦେଶୀ ବୈଜ୍ଞାନିକମାନେ ଭଲ କହିବା ପରେ ଆମେ ଏବେ ସେଗୁଡ଼ିକ ଆଡ଼କୁ ଫେରି ଚାହିଁଲୁଣି ।

ଆଜି ସଂକ୍ରମଣରୁ ବର୍ତ୍ତିବା ଲାଗି ଯୋଗାଭ୍ୟାସ କରିବାକୁ କୁହାଯାଉଛି, ସ୍ୱଚ୍ଛ, ସ୍ୱାସ୍ଥ୍ୟପ୍ରଦ ଓ ଦେଶୀ ଖାଦ୍ୟ ଉପରେ ଗୁରୁତ୍ୱପ୍ରଦାନ କରାଯାଉଛି। ଆମର ଚଳଣିରେ ଏସବୁ ଅବିଭାଜ୍ୟ ଅଙ୍ଗ ଯାହାକୁ ଆମେ ପାଶୋରି ଦେଇଛୁ, ଭୁଲିଯାଇଛୁ, ବିସର୍ଜି ଦେଇଛୁ। ରାତିରେ ଶୋଇବା ପୂର୍ବରୁ ଓ ସକାଳୁ ଉଠିବା ପରେ ଯୋଗ ଅଭ୍ୟାସ କରିବା, ଈଶ୍ୱରଙ୍କୁ ଧ୍ୟାନ କରିବା ଆମର ଭାରତୀୟ ଘରର ନିୟମ। ଏବେ ଅବଶ୍ୟ ଶୋଇବା ପୂର୍ବରୁ ଓ ଉଠିବା ପରେ ସ୍ମାର୍ଟଫୋନ୍ରେ ହ୍ୱାଟସ୍ଆପ ମେସେଜ ଚେକ୍ କରିବା ଭାରତୀୟ ଘରର ନିୟମ ପାଲଟିଛି। ବିଛଣା ନିକଟରେ ସ୍ମାର୍ଟଫୋନଟି ରଖି ଆମେ ବିଦ୍ୟୁତ୍ଚୁମ୍ବକୀୟ ବଳୟ ଭିତରେ ରହିବାକୁ ପସନ୍ଦ କରୁଛୁ । ଏହା ଆମର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି। ମୁକ୍ତବାୟୁର ଶୀତଳତା ବଦଳରେ ଏବେ ଆମେ ପାଉଛୁ ବାତାନୁକୂଳିତ ଯନ୍ତ୍ରର କୃତ୍ରିମ ଶୀତଳତା, କୂଅ ବା ନଳକୂଅର ଶୀତଳଜଳର ସ୍ଥାନ ନେଇଛି ଫ୍ରିଜର ଥଣ୍ଡା ପାଣି ଆଉ ସକାଳର ନରମ କିରଣକୁ ପଛକରି ସଦାସର୍ବଦା ସ୍ମାର୍ଟଫୋନ୍ର ବିକିରଣ ଭିତରେ କଟୁଥିବା ଆମ ଜୀବନରେ ରୋଗପ୍ରତିରୋଧ ଶକ୍ତି ବଢିବ କେମିତି ?

ଆମକୁ ଫେରିବାକୁ ହେବ। ନ ଫେରିଲେ ମଣିଷ ଜୀବନର ସଂଜ୍ଞା ବଦଳିଯିବ। ମଣିଷକୁ ପ୍ରାକୃତିକ ହେବାକୁ ପଡ଼ିବ। ଆମକୁ ଫେରିବାକୁ ହେବ ପୁଣି ପ୍ରକୃତି କୋଳକୁ!!

Comments are closed.