ଏବେ କ୍ଷମା ମାଗିବାର ସମୟ !

ଭାରତବାସୀଙ୍କ ପାଇଁ ୧୧ ମେ ୨୦୨୨ ଏକ ଐତିହାସିକ ଦିବସ, କାରଣ ସାମନ୍ତବାଦୀ ସରକାର ଦ୍ବାରା ୧୮୬୦ ମସିହାରେ ପ୍ରଣୀତ ବିବାଦୀୟ ଓ ନିର୍ମମ ଦେଶଦ୍ରୋହ ଆଇନ (ଭାରତୀୟ ପିଙ୍ଗଳ କୋଡ ୧୨୪ (କ) ଧାରା) ର ପ୍ରଚଳନ ଉପରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ରୋକ ଲଗାଇଦେଲେ। ଏହା ଫଳରେ ଏହି ଆଇନର ଅପପ୍ରୟୋଗ କରି ରାଜନୈତିକ ବିରୋଧୀ ଓ ଭିନ୍ନ ମତ ରଖୁଥିବା ବ୍ୟକ୍ତିଙ୍କୁ କୌଣସି ସରକାର ଗିରଫ କରି ନିର୍ଯାତିତ କରିବା ଅସମ୍ଭବ ହେବ, ଯାହା ସ୍ବାଧୀନତା ପରବର୍ତ୍ତୀ ସରକାରଗୁଡିକ କରି ଆସୁଥିଲେ। ଏହି ସାମନ୍ତବାଦୀ ଆଇନକୁ ବଞ୍ଚାଇ ରଖିବା ପାଇଁ ଅତୀତର ସମସ୍ତ କେନ୍ଦ୍ର ସରକାର ଦାୟୀ। ଔପନିବେଶିକ ଶାସନର ଏହି ଯନ୍ତ୍ରଣା ଦାୟକ ଆଇନକୁ ସ୍ବାଧୀନତା ପରେ ଅଚଳ କରିବା ପାଇଁ ରାଜନୈତିକ ଦଳ, ସଂସଦ ଯାହା କରିପାରିଲେ ନାହିଁ, ସର୍ବୋଚ୍ଚ ଅଦାଲତ ତାହା କରିପାରି ନାଗରିକ ଅଧିକାର ପ୍ରତି ନିଜର ଅଙ୍ଗିକାରବଦ୍ଧତାକୁ ପ୍ରତିପାଦିତ କରିଅଛନ୍ତି, ସେଥିପାଇଁ ଅଭିନନ୍ଦନୀୟ। ଏହି ଆଇନ ରଦ୍ଦ ପାଇଁ “ଏଡିଟର ଗିଲ୍ଡ” ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାରେ ସୁପ୍ରିମ କୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଏନ୍.ଭି. ରମଣାଙ୍କ ନେତୃତ୍ବାଧୀନ ପୀଠ ଏହି ଐତିହାସିକ ରାୟ ଦେଇଛନ୍ତି। ମାନ୍ୟବର ବିଚାରାଳୟଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମେ ଏହି ଆଇନଟି ସମୟର କଷଟି ପଥରେ ପରୀକ୍ଷିତ ହୋଇଥିବା ନେଇ ମତ ରଖାଗଲା; କିନ୍ତୁ ଦୁଇ ଦିନ ପରେ ଆଇନର ପୁନଃ ପରୀକ୍ଷା କରିବା ପାଇଁ ମତ ରଖାଯିବା ନେଇ ସମ୍ବାଦ ପତ୍ରରେ ପ୍ରକାଶ ପାଇଥିଲା। ବାସ୍ତବରେ ଏହି ଆଇନ ବହୁ ଆଗରୁ ଅବୈଧ ହେବା ଉଚିତ ଥିଲା।

ସଂବିଧାନର ମୌଳିକ ଭାବନା/ମୂଲ୍ୟବୋଧ ଓ ନାଗରିକ ସ୍ବାଧୀନତାକୁ କ୍ଷୁଣ୍ଣ କରୁଥିବା ଯେ କୌଣସି ବିଦେଶୀ ସରକାରଙ୍କ ଦ୍ବାରା ପ୍ରଚଳିତ ଆଇନ ସମ୍ବିଧାନର ଧାରା ୧୩ ଅନୁଯାୟୀ ସମ୍ବିଧାନ ଗୃହୀତ ହେବା ପରବର୍ତ୍ତୀ କ୍ଷଣରେ ହିଁ ଅଚଳ ହେବା କଥା। ସମ୍ବିଧାନର ଧାରା ୧୩ ଅନୁଯାୟୀ ପୂର୍ବ ପ୍ରଚଳିତ ସମସ୍ତ ଆଇନ ଯାହା ମୌଳିକ ଅଧିକାର ଅନୁଚ୍ଛେଦ ୩ ର ସାମ୍ବିଧାନିକ ଭାବନା ଓ ମୂଲ୍ୟବୋଧର ପ୍ରତିକୂଳ ସ୍ବାଭାବିକ ଭାବେ ଅବୈଧ ହେବା କଥା। ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଦମନ ଓ ନିର୍ଯାତିତ କରିବା ପାଇଁ ସମ୍ରାଜବାଦୀ ସରକାର ୧୬୦ ବର୍ଷ ପୂର୍ବେ ଏହି ଆଇନ ପ୍ରଣୟନ କରିଥିଲେ। ପରବର୍ତ୍ତୀକାଳରେ ସ୍ବାଧୀନତା ସଂଗ୍ରାମଜନିତ ସଭା-ସମିତି ଅନୁଷ୍ଠାନର ବାରଣ ପାଇଁ ବିଦେଶୀ ସରକାରଙ୍କ ଦ୍ବାରା ‘ଦେଶଦ୍ରୋହ ସଭା ବାରଣ’ ଆଇନ ଏକାଧିକବାର ପ୍ରଣୟନ ହୋଇଥିଲା। ପୁଣ୍ୟାତ୍ମା ତିଲକଙ୍କଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତ ସ୍ବାଧୀନତା ସଂଗ୍ରାମୀମାନେ ଏଭଳି ପାଶବିକ ଆଇନ ଦ୍ବାରା ଗିରଫ ଓ ନିର୍ଯାତିତ ହୋଇଥିଲେ। ବ୍ରିଟିଶ ସରକାରଙ୍କ ପ୍ରଶାସନିକ ସ୍ୱେଚ୍ଛାଚାରିତାକୁ ‘କେଶରୀ’ରେ ପ୍ରକାଶ କରି ୧୮୯୭ ରେ ଲୋକମାନ୍ୟ ତିଲକଙ୍କୁ ୧୮ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିଥିଲା।

୧୯୦୯ରେ ପୁଣି ବ୍ରିଟିଶ ସରକାର ସମାନ ଅଭିଯୋଗରେ ତାଙ୍କୁ ଗିରଫ କରିଥିଲେ। ‘ୟଙ୍ଗ ଇଣ୍ଡିଆ’ ପତ୍ରିକାରେ ସରକାରର ସମାଲୋଚନା କରିବା ଯୋଗୁଁ ମହାତ୍ମା ଗାନ୍ଧୀଙ୍କ ବିରୁଦ୍ଧରେ ଦେଶଦ୍ରୋହ ମୋକଦ୍ଦମା ରୁଜୁ କରାଯାଇଥିଲା। ୧୯୨୨ ରେ ଏହି ଆଇନରେ ଗିରଫ ହୋଇ ମହାତ୍ମା କହିଥିଲେ ଯେ ‘ମଁୁ ବରଂ ଜେଲ ଭୋଗିବି; କିନ୍ତୁ ଦେଶଦ୍ରୋହ ଦଫା ପାଇଁ କ୍ଷମା ମାଗି ପାରିବି ନାହିଁ, କାରଣ ଏହି ଆଇନ ମାନବିକତା ଓ ବାକ୍‍ ସ୍ୱାଧୀନତାକୁ ହରଣ କରୁଛି। ଏଭଳି ଆଇନ ବିରୁଦ୍ଧରେ ଲଢିବା ନାଗରିକର ପରମ କର୍ତ୍ତବ୍ୟ’ ବୋଲି ସେ ଉତ୍ତର ରଖି କହିଥିଲେ। ଆମ ଦେଶ ମହାତ୍ମା ଗାନ୍ଧୀଙ୍କୁ ଜାତିର ପିତା ସିନା ଘୋଷଣା କରିଛି; କିନ୍ତୁ ସେ ଯେଉଁ ଆଇନ ଦ୍ବାରା ନିର୍ଯାତିତ, ଅତ୍ୟାଚାରିତ ଓ ଦଣ୍ଡିତ ହୋଇଥିଲେ ସେଭଳି ଆଇନକୁ କାଏମ ରଖି ଜାତିର ପିତା ଓ ପ୍ରାତଃସ୍ମରଣୀୟ ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରକୃତ ସମ୍ମାନ ଦେଇଛି କି? ଏହା କହିବା ନିଷ୍ପ୍ରୟୋଜନ ଯେ ବାକ୍‍ ସ୍ୱାଧିନତା, ନିର୍ଭୀକ ଅଭିବ୍ୟକ୍ତି ତଥା ଭିନ୍ନ ମତ ପ୍ରତି ସମ୍ମାନ ଗଣତନ୍ତ୍ରର ମୂଳଭିତ୍ତି ଓ ଗାନ୍ଧୀ ଦର୍ଶନର ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଦେଶ ସ୍ବାଧୀନତା ପରେ ମଧ୍ୟ ଅଭିବ୍ୟକ୍ତିର ସ୍ବାଧୀନତାର ସୁରକ୍ଷା ପାଇଁ ଜୟପ୍ରକାଶ ନାରାୟଣ, ମୋରାରଜୀ ଦେଶାଇ, ଡ. ମହାତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ ଓ ଅଟଳ ବିହାରୀ ବାଜପେୟୀଙ୍କ ଭଳି ବହୁ ଜାତୀୟ ନେତା ଜରୁରୀ ପରିସ୍ଥିତି ସମୟରେ କାରାବରଣ କରିଥିଲେ।

ସ୍ୱାଧୀନତା ପରେ ସବୁ କେନ୍ଦ୍ର ସରକାର ଏହି କଳୁଷିତ ସମ୍ରାଜବାଦୀ ଆଇନକୁ ପ୍ରତ୍ୟାହାର କରିବାରେ ବିଫଳ ହେଲେ। ବିଭିନ୍ନ ସରକାରଙ୍କ ସମୟରେ ଭିନ୍ନମତ ଓ ଗଣତାନ୍ତ୍ରିକ ପ୍ରତିବାଦକୁ ଦବାଇବାକୁ ଉଦ୍ୟମ ହେଲା। ଭିନ୍ନମତ ରଖିବା ଓ ସମାଲୋଚନାମୂଳକ ଲେଖା ପ୍ରକାଶନକୁ କେନ୍ଦ୍ରକରି ବହୁ ସାମ୍ବାଦିକ, ବୁଦ୍ଧିଜୀବୀ, ଫିଲ୍ମ ଷ୍ଟାର, ଲେଖକ, କବି, ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖଙ୍କୁ ଦେଶଦ୍ରୋହ ଦଫାରେ ଗିରଫ କରାଯାଇ ନିର୍ଯାତିତ କରାଯିବାର ବହୁ ଉଦାହରଣ ରହିଅଛି। ୨୦୧୬ ରେ ଜେ.ଏନ.ୟୁ ଛାତ୍ର ନେତା କହ୍ନେୟା କୁମାର ଓ ୨୦୨୧ ରେ ପରିବେଶବିତ୍‌ ଦିଶା ରବି ନିଜ ନିଜର ବିରୋଧ ଅଭିମତ ପାଇଁ ଦେଶଦ୍ରୋହ ଆଇନରେ ଗିରଫ ହୋଇଥିଲେ। କୃଷକ ଆନ୍ଦୋଳନ ସଂକ୍ରାନ୍ତ ସଂବାଦ ଛାପିବାକୁ କେନ୍ଦ୍ରକରି ଦିଲ୍ଲୀରେ ସମ୍ବାଦିକ ମନଦୀପ ପୁନିଆ, ମ୍ରିନାଲ ପାଣ୍ଡେ, ରାଜଦୀପ ସରଦେଶାଇ ଓ କୋଭିଡ ସମ୍ବାଦ ପ୍ରକାଶନକୁ ନେଇ ବିନୋଦ ଦୁଆ ଓ ଅନ୍ୟମାନଙ୍କ ବିରୁଦ୍ଧରେ ଏହି ଆଇନର ଅପପ୍ରୟୋଗ ନେଇ ଅଭିଯୋଗ ହୋଇଥିଲା। ଏକ ଇଂରାଜୀ ପତ୍ରିକା ସଂପାଦକୀୟ କପିଲ ସିବଲଙ୍କ ମତକୁ ଉଦ୍ଧାର କରି ପ୍ରକାଶ କରିଅଛନ୍ତି ଯେ ଭାରତରେ ବର୍ତ୍ତମାନ ପ୍ରାୟ ୧୩ ହଜାର ନାଗରିକ ଏହି ଆଇନର ଅପପ୍ରୟୋଗରେ କଷ୍ଟ ପାଉଛନ୍ତି।

ସ୍ବାଧୀନତା ସଂଗ୍ରାମ ସମୟରେ ଦେଶଦ୍ରୋହ, ୧୯୦୭ ଓ ପରବର୍ତ୍ତୀ ସମୟର ‘ଦେଶଦ୍ରୋହ ସଭା ବାରଣ’ ଆଇନର ପ୍ରତ୍ୟାହାର ପାଇଁ କଂଗ୍ରେସ ବାରମ୍ବାର ଦାବି କରିଆସୁଥିଲା। ଏହି ଆଇନର ଅପପ୍ରୟୋଗ ନେଇ ୧୯୦୭ ସୁରାଟ ଅଧିବେଶନରେ ତିଲକଙ୍କ ସମର୍ଥକମାନେ ତୁମ୍ବିତୋଫାନ କରିଥିଲେ। ପରବର୍ତ୍ତୀ କାଳରେ କଂଗ୍ରେସ ମଧ୍ୟ ଏଭଳି ଆଇନ ପ୍ରତ୍ୟାହାର ପାଇଁ ବରାବର ଦାବି କରୁଥିଲା। ୧୯୨୨ ଜାନୁଆରୀ ମଧ୍ୟଭାଗରେ ଦେଶର ରାଜନୈତିକ ସ୍ଥିତି ଉପରେ ବିଚାର-ବିମର୍ଶ ପାଇଁ ବମ୍ବେରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଏକ ସର୍ବଦଳୀୟ ବୈଠକ ଶ୍ରୀ ମଦନ ମୋହନ ମାଲବ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ ସ୍ବଧୀନତା ସଂଗ୍ରାମୀ ଶ୍ରୀ ଜିନ୍ନା, ପୁରୁଷୋତ୍ତମଦାସ ଠାକୁରଦାସ, ଏମ୍.ଆର୍ ଜୟକର, କେ. ନଟରାଜନ ଏବଂ ଜି.ଏମ୍‍. ଭୁରଗ୍ରି ପ୍ରମୁଖ ଅଂଶଗ୍ରହଣ କରି ଔପନିବେଶିକ ସରକାର, ବିଭିନ୍ନ ଦମନକାରୀ ଆଇନର ଅପପ୍ରୟୋଗ କରି ନାଗରିକଙ୍କ ପ୍ରାଥମିକ ଅଧିକାର, ସମ୍ବାଦପତ୍ର ସ୍ବାଧୀନତା ହନନ କରୁଥିବା ପରିପ୍ରେକ୍ଷୀରେ, ଏ ସବୁର ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ୧୯୫୮ରେ ମାନ୍ୟବର ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ ଦେଶଦ୍ରୋହ ଆଇନକୁ ନାଗରିକ ସ୍ବାଧୀନତାର ବିରୋଧୀ ଦର୍ଶାଇ ଏହାକୁ ଅବୈଧ ବୋଲି ରାୟ ଦେଇଥିଲେ। ପରବର୍ତ୍ତୀକାଳରେ ୧୯୬୨ ମସିହାରେ ଦେଶର ସର୍ବୋଚ୍ଚ ଅଦାଲତ ଏହି ଆଇନର ଅପବ୍ୟବହାର ରୋକିବା ପାଇଁ କେତେକ ଦିଶା ନିର୍ଣ୍ଣୟ କରିଥିଲେ ଯାହାକୁ କୌଣସି ସରକାର ମାନି ନାହାନ୍ତି ବରଂ ଏହାର ଲଙ୍ଘନ କରିଚାଲିଥିଲେ। ଏହି ଲେଖକ ପୂର୍ବରୁ ଏହି ସ୍ତମ୍ଭରେ ପ୍ରକାଶିତ ଏକାଧିକ ଲେଖାରେ ସାମ୍ବିଧାନିକ ଅଧିକାରର କଣ୍ଠରୋଧ କରିବା ଦିଗରେ ଦେଶଦ୍ରୋହ ଆଇନର ଅପବ୍ୟବହାର ନେଇ ଅଗ୍ରଲେଖା ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ୧୯୪୭ ଅଗଷ୍ଟ ୧୪ ମଧ୍ୟ ରାତ୍ରରେ ସ୍ବାଧୀନତା ହାସଲ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାର ଲାଲ ନେ​‌େ​‌ହରୁ କହିଥିଲେ ଯେ ସାରା ବିଶ୍ବ ଶୋଇଥିବା ବେଳେ ‘ଭାରତ ତା’ର ମୁକ୍ତି ହାସଲ କରି ନୂଆ ଜୀବନ ଅନ୍ବେଷଣ ଦିଗରେ’ ଶୁଭାରମ୍ଭ କଲା। ଭାରତୀୟ ଜନ ଜୀବନର ଏହି ମୁକ୍ତିର ଗତିକୁ ନିଷ୍କଣ୍ଟକ କରିବା ଦିଗରେ ଦେଶଦ୍ରୋହ ଭଳି ଆଇନ ଯେ ପରବର୍ତ୍ତୀ କାଳରେ ବାଧିତ ହେବ ତାକୁ ଅଦ୍ୟାବଧି ଶାସକମାନେ ବିବେଚନା କରିପାରିଲେ ନାହିଁ ଯାହା ବର୍ତ୍ତମାନ ମାନ୍ୟବର ସୁପ୍ରିମ କୋର୍ଟ କରିପାରିଲେ। ବର୍ତ୍ତମାନ ଏହି ରାୟକୁ ସବୁ ଦଳ ସ୍ବାଗତ କରିଅଛନ୍ତି। ଅତୀତରେ କେନ୍ଦ୍ରରେ ଶାସନ କରିଥିବା ସବୁଦଳ ଏହି ଆଇନକୁ ପ୍ରତ୍ୟାହାର କରିନଥିବା ଯୋଗୁଁ ଓ ଏହାର ଅପପ୍ରୟୋଗ ହୋଇଥିବା ନେଇ ଦେଶବାସୀଙ୍କ ନିକଟରେ କ୍ଷମାପ୍ରାର୍ଥନା କରିପାରିଲେ ପୂର୍ବରୁ ଏହି ଆଇନ ଦ୍ବାରା ବନ୍ଦୀ ଓ ନିର୍ଯାତିତ ହୋଇ ଆଖିରୁ ଲୁହ ଝରାଇ ପୃଥିବୀ ପୃଷ୍ଠରୁ ବିଦାୟ ନେଇ ସାରିଥିବା ବ୍ୟକ୍ତିମାନଙ୍କ ଆତ୍ମା ଶାନ୍ତି ପାଇବ। ଅତୀତର ଏଭଳି ଭୁଲ ପାଇଁ କ୍ଷମା ମାଗିବା କୌଣସି ଦୁର୍ବଳତା ହେବ ନାହିଁ ବରଂ ଏହା ଦେଶବାସୀ ଓ ଶାସନକଳକୁ ନୈତିକ ବଳ ଯୋଗାଇବ। ଯେ କୌଣସି ବଳ ଅପେକ୍ଷା, ମୌଳିକ ବଳ ଅଧିକ ଶକ୍ତିଶାଳୀ ଓ ମୂଲ୍ୟବୋଧ ପାଇଁ ପ୍ରେରଣାଦାୟକ।

Comments are closed.