ଭବିଷ୍ୟତରେ ବିନା ମାଟିରେ ଚାଷ

ପୃଥିବୀପୃଷ୍ଠର ସବୁଠାରୁ ମୂଲ୍ୟବାନ ପ୍ରାକୃତିକ ପଦାର୍ଥ ହେଉଛି ମାଟି। ଜୀବନର ସୃଷ୍ଟି, ବିକାଶ ସହ ସଜୀବଙ୍କ ଜୀବନ, ଜୀବିକା ତଥା ଦେଶ ଓ ଜାତିର ସଭ୍ୟତାର ସ୍ଥିତି ଓ ବିନାଶ ମୂଳରେ ମାଟିର ସହଯୋଗ ସର୍ବାଧିକ ବୋଲି କୁହାଯାଇପାରିବ। ଏହି ପ୍ରକୃତିଦତ୍ତ ପଦାର୍ଥର ଅମୂଲ୍ୟ ଉପରିସ୍ଥ ମାତ୍ର ଏକଇଞ୍ଚ ବହଳର ଉର୍ବର ମାଟି ସୃଷ୍ଟି କରିବାକୁ ୬୦୦ ବର୍ଷରୁ ଏକହଜାର ବର୍ଷ ଯାଏ ସମୟ ଲାଗିଥାଏ। ପୁଣି ଉଲ୍ଲେଖନୀୟ ବିଷୟ ହେଉଛି ଯେ ମାଟି ଉପରେ ମଣିଷ ସମେତ ଜୀବଜନ୍ତୁ ଓ ଉଦ୍ଭିଦ ଜଗତ ବସବାସ କରି ନିଜର ଖାଦ୍ୟଠାରୁ ଆରମ୍ଭକରି ବାସଗୃହ ଓ ଆବଶ୍ୟକ ସମସ୍ତ କାର୍ଯ୍ୟ ସହଜରେ ଓ ସୁବିଧାରେ ସଂପନ୍ନ କରୁଥିବାବେଳେ ଆମ ପାଦ ତଳେ ଥିବା ମାତ୍ର ଏକଗ୍ରାମ ମାଟିରେ ପ୍ରାୟ ୫୦ ହଜାରରୁ ୧୦ ଲକ୍ଷ ପ୍ରଜାତିର ବୀଜାଣୁ, ପ୍ରୋଟୋଜୁଆ ଓ ଶୈବାଳ, ସୂକ୍ଷ୍ମ ଅଣୁଜୀବ ବସବାସ କରିଥାନ୍ତି। ଏମାନେ ପ୍ରାୟତଃ ଆମ ଆଖିକୁ ଦେଖାଯାଆନ୍ତି ନାହିଁ। ତେବେ ଆମେ ଦେଖୁଥିବା ବିଛା, ଜିଆ, ପିମ୍ପୁଡ଼ି, ଊଈ ଓ ଅନ୍ୟ କେତେକ ଛୋଟବଡ଼ ପୋକ ମାଟି ଗର୍ଭର ସ୍ଥାୟୀ ବାସିନ୍ଦା ଭାବେ ରହିଥାନ୍ତି ଓ ଦରକାର ସମୟରେ ପଦାକୁ ଆସିଥାନ୍ତି। ତେଣୁ ଏକ ସୁସ୍ଥ ସମାଜ ତଥା ସୁନ୍ଦର ପୃଥିବୀର ସ୍ଥିତି ତଥା ଜୀବଜଗତର ସ୍ଥାୟିତ୍ବ ପାଇଁ ମାଟିର ସୁସ୍ବାସ୍ଥ୍ୟ ସର୍ବଦା ଏଠାକାର ପ୍ରମୁଖ ସମ୍ପତ୍ତି ରୂପେ ବିବେଚିତ ହୋଇଥାଏ।

ତେବେ ଉଦ୍‌ବେଗଜନକ ବିଷୟ ହେଉଛି ଏବେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଅଭାବରୁ ତଥା ମାଟିର ସୁରକ୍ଷା ପ୍ରତି ଆମେ କ୍ରମାଗତ ଭାବେ ଅବହେଳା ଦେଖାଇ ଆସିଥିବାରୁ ପୃଥିବୀର ଶ୍ରେଷ୍ଠ ଜୀବ ମଣିଷମାନଙ୍କୁ ଠିକ୍‌ ମା’ ପରି ଜନ୍ମରୁ ମୃତ୍ୟୁଯାଏ ସୁଖ ସୁବିଧା ଯୋଗାଇ ଆସିଥିବା ମାଟି ମା’ ଏବେ ବିପଦରେ। ଜୀବଜଗତର ତ୍ରାଣକର୍ତ୍ତା ମାଟିର କ୍ରମାଗତ ନଷ୍ଟ ପ୍ରକ୍ରିୟାରୁ ଏହାକୁ ବଞ୍ଚାଇବା ପାଇଁ ମିଳିତ ଜାତିସଙ୍ଘ ୨୦୧୩ ମସିହାରେ ଏହାର ୬୮ତମ ଅଧିବେଶନରେ ୨୦୧୫ ମସିହାକୁ ଆନ୍ତର୍ଜାତିକ ମାଟି ସୁରକ୍ଷା ବର୍ଷ ରୂପେ ସାରା ପୃଥିବୀରେ ପାଳନ କରିବାକୁ ଘୋଷଣା କରି ସେ ବର୍ଷ ବହୁବିଧ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଉର୍ବରମାଟି କାହିଁକି, କିପରି ଆମର ବ୍ୟବହାର ଅନୁପଯୋଗୀ ହେଉଛି ଓ ଏହାର ସମାଧାନର ବାଟ କ’ଣ ସେ ସମ୍ପର୍କରେ ସେତେବେଳେ ବହୁ ଆଲୋଚନା, ପର୍ଯ୍ୟାଲୋଚନା କରାଯାଇଥିଲା। ଯେହେତୁ ମାଟି ସୁସ୍ଥ ନ ରହିଲେ ପୃଥିବୀରେ ଜୀବନ ତିଷ୍ଠିରହିବା ଅସମ୍ଭବ ଓ ଅତୀତ ପୃଥିବୀର ୬ଟି ପ୍ରମୁଖ ମାନବ ସଭ୍ୟତା କେବଳ ମୃତ୍ତିକାକ୍ଷୟ ତଥା ମାଟି ନଷ୍ଟ ପାଇଁ ଧ୍ବଂସ ପାଇଯାଇଛି, ତେଣୁ ବୈଜ୍ଞାନିକ, ବୁଦ୍ଧିଜୀବୀମାନେ ସୁସ୍ଥ ମୃତ୍ତିକା ସୃଷ୍ଟି ଉପରେ ଗୁରୁତ୍ବ ଦେଇ ଆସିଥିଲେ।

ତେବେ ଉଦ୍‌ବେଗଜନକ ବିଷୟ ହେଉଛି ମାଟିର ବର୍ତ୍ତମାନ ସ୍ଥିତି ପାଇଁ ପ୍ରମୁଖଭାବେ ମଣିଷମାନେ ହିଁ ଦାୟୀ। ଆମକୁ ମନେରଖିବାକୁ ହେବ ଯେ ପୃଥିବୀର ମୃତ୍ତିକା ସୀମିତ ଓ ଏହା ବଢ଼ିବାର ନାହିଁ। ମାତ୍ର ମାତ୍ରାଧିକ ଜନସଂଖ୍ୟା ବୃଦ୍ଧି ପାଇଁ ଉତ୍ପାଦନ ବୃଦ୍ଧିକରିବା ଲକ୍ଷ୍ୟରେ ଅଳ୍ପ ଜମିରୁ ଅଧିକ ଫସଲ ଉତ୍ପାଦନ କରିବାକୁ ଆମେ ପ୍ରଚୁର ରାସାୟନିକ ସାର, କୀଟନାଶକ ବ୍ୟବହାର କରିବା ସହ କେବଳ ମାଟି ନୁହେଁ ପରନ୍ତୁ ଅନେକ ସ୍ଥାନରେ ଜଳ ଓ ପରିବେଶକୁ ନଷ୍ଟ କରିସାରିଛୁ। କ୍ରମାଗତ ଭାବେ ଜୈବିକ ସାର ବ୍ୟବହାର ନକରି କେବଳ ଅଧିକ ଉତ୍ପାଦନ ଲକ୍ଷ୍ୟରେ ରାସାୟନିକ ସାର ଓ କୀଟନାଶକ ବାରମ୍ବାର ବ୍ୟବହାର କରି ଅଧିକାଂଶ ଚାଷ ଜମିକୁ ଇତି ମଧ୍ୟରେ ଉତ୍ପାଦନ ଅକ୍ଷମ ନଷ୍ଟ ମୃତ୍ତିକାରେ ପରିଣତ କରି ସାରିଲୁଣି। ଏହା ବ୍ୟତୀତ ବର୍ଷାଜଳରେ ବା ଅନ୍ୟ ବହୁବିଧ ଉପାୟରେ ମାଟିର ଉର୍ବର ଅଳ୍ପ ଇଞ୍ଚର ଉପର ମୃତ୍ତିକା ଧୋଇଯାଇ ପ୍ରାକୃତିକ ଭାବେ ମଧ୍ୟ ଉର୍ବର ମୃତ୍ତିକା ହାନିର କାରଣ ହୋଇଛି। ଏହାକୁ ପ୍ରତିରୋଧ କରିବାରେ ଆମେ ଏଯାଏ ସ୍ବତନ୍ତ୍ର ପନ୍ଥା ଗ୍ରହଣ କରିନାହୁଁ। ଗୋବର ଭଳି ଜୈବିକ ଖତ ପୂର୍ବପରି ଜମିରେ ଦେବା, ଧାନ ଓ ଅନ୍ୟ ଉତ୍ପାଦିତ ଶସ୍ୟର ନଡ଼ା କାଟି ଜମିରେ ପକାଇବା ତଥା ଗୋଟିଏ ଚାଷ ଜମିରେ ନକରି ବହୁବିଧ ଫସଲ ଚାଷ କରିବା ମାଧ୍ୟମରେ ଜମିର ଉର୍ବରତାକୁ ଦୀର୍ଘକାଳ ଯାଏ ବଜାୟ ରଖିବା ପଦ୍ଧତିକୁ ଛାଡ଼ି ଏବେ ଅଧିକାଂଶ ଚାଷୀ ରାସାୟନିକ ସାର ଓ ପ୍ରଳୟ ସୃଷ୍ଟିକାରୀ କୀଟନାଶକ ମାୟାରେ ପଡ଼ି ଉର୍ବର ଜମିକୁ ନିଜ ଅଜାଣତରେ ନଷ୍ଟ କରୁଛନ୍ତି।

ଅଷ୍ଟ୍ରେଲିଆରେ ଆୟୋଜିତ ଏକ ମୃତ୍ତିକା ବିଶେଷଜ୍ଞ ସମ୍ମିଳନୀରେ ମତ ପ୍ରକାଶ ପାଇଛି ଯେ ଏବେ ପୃଥିବୀରେ ତାପମାତ୍ରା ଓ ଜନସଂଖ୍ୟା ବୃଦ୍ଧି ପାଇଁ ବାର୍ଷିକ ପ୍ରାୟ ୮୫ଶହ କୋଟି ଟନରୁ ଅଧିକ ମୃତ୍ତିକା ନଷ୍ଟ ହେଉଛି। ଏହା ମାଧ୍ୟମରେ ପୃଥିବୀର ଶସ୍ୟ ଉତ୍ପାଦନକାରୀ ଶତକଡ଼ା ୮୫ଭାଗ ଜମି କ୍ଷତିଗ୍ରସ୍ତ ହେଉଛି। ଏବେ ଚୀନ, ଆମେରିକା, ୟୁରୋପୀୟ ଦେଶ, ଅଷ୍ଟ୍ରେଲିଆ ଭଳି ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ତିକାକ୍ଷୟ ଠାରୁ ବହୁଗୁଣରେ ମାନବକୃତ ମୃତ୍ତିକା କ୍ଷୟ ହେଉଛି। ବିଶେଷଜ୍ଞମାନେ ଘୋଷଣା କରିଛନ୍ତି ଏହି ଅବସ୍ଥା ଚାଲୁରହିଲେ ଆଉ ୫୦ବର୍ଷ ମଧ୍ୟରେ ପୃଥିବୀ ଏକ ନଷ୍ଟ ହୋଇଥିବା ମୃତ୍ତିକା କ୍ଷେତ୍ରରେ ପରିଣତ ହୋଇଯିବ।

ତେବେ ସେତେବେଳେ ଆମେ କରିବା କ’ଣ? ଚାଷ କରିବା କେଉଁଠି? ବୈଜ୍ଞାନିକମାନେ ଇତି ମଧ୍ୟରେ ମାଟି ନଥାଇ ଚାଷ ବା ହାଇଡ୍ରୋପୋନିକ୍ସ ପଦ୍ଧତିରେ ଚାଷ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଆମେରିକା, ଅଷ୍ଟ୍ରେଲିଆ, ନେଦରଲାଣ୍ଡ, ପୋଲାଣ୍ଡ, ଜାପାନ, ୟୁରୋପର କେତେକ ଦେଶ ଦକ୍ଷିଣ ଆଫ୍ରିକା ତଥା ଆମ ଦେଶରେ ଏଭଳି ଚାଷ ପଦ୍ଧତି ପ୍ରାୟ ବିିଂଶଶତାବ୍ଦୀର ନବେ ଦଶକ କାଳରୁ କାର୍ଯ୍ୟକାରୀ ହୋଇଛି। ନେଦରଲାଣ୍ଡରେ ଏହା ବହୁଳଭାବେ କରାଯାଇଥିବାବେଳେ ଆମ ଦେଶରେ ବ୍ୟାବସାୟିକ ଭିତ୍ତିରେ ଏହା କାଁ ଭାଁ କାର୍ଯ୍ୟ କରୁଛି। ଦେଶର କେତେକ ପ୍ରମୁଖ ସହରରେ ଏଭଳି ଚାଷ ଉପରେ ଚାଷୀଙ୍କୁ ମାଗଣା ପରାମର୍ଶ ଯୋଗାଇ ଦିଆଯାଉଛି। ଏହି ପଦ୍ଧତିରେ ଚାଷପାଇଁ ମାଟିର ଆବଶ୍ୟକତା ନାହିଁ। ସବୁଜ କୋଠରି ନିର୍ମାଣ କରାଯାଇ ତା’ଭିତରେ କେତୋଟି କାଠ ବାକ୍ସରେରେ ଛୋଟ କାଠ, ବାଲି, ସ୍ପଞ୍ଜ କିମ୍ବା ପଥର ଖଣ୍ଡ ରଖି ତା’ଉପରେ ଚାରାଲଗାଇ ଗଛ ମାଟିରୁ ଶୋଷୁଥିବା ରାସାୟନିକ ପଦାର୍ଥର ଦ୍ରବଣର ତରଳ ମିଶ୍ରଣକୁ ଯୋଗାଇ ଦେଇ ଗଛର ଅଭିବୃଦ୍ଧି ସହ ଏହି ପ୍ରଣାଳୀରେ ଉର୍ବର ଚାଷ ଜମିଠାରୁ ଅଧିକ ପରିମାଣରେ ଫୁଲକୋବି, ବନ୍ଧାକୋବି, ବାଇଗଣ, କଲରା, ଶାଗ, ବିନ୍‌, କଖାରୁ, କାକୁଡ଼ି ଓ ବିଲାତି ବାଇଗଣ ଆଦି ଉତ୍ପାଦନ କରାଯାଇ ପାରୁଛି।

ଆମେ ଜାଣୁ ଯେ ଗଛ ପ୍ରମୁଖ ଭାବେ ମାଟିରୁ ଯବକ୍ଷାରଜାନ, ଫସଫରସ, ପଟାସିୟମ, ଅମ୍ଳଜାନ, ଉଦଯାନ ଓ କାର୍ବନ ଗ୍ରହଣ କରିଥାଏ। ଏହାଠାରୁ କମ୍‌ ପରିମାଣର କ୍ୟାଲସିୟମ, ମ୍ୟାଗ୍ନେସିୟମ, ଗନ୍ଧକ ଓ ଅଳ୍ପ ପରିମାଣରେ କ୍ଲୋରିନ, ବୋରନ, ଦସ୍ତା, ତମ୍ବା, ମାଙ୍ଗାନିଜ, ମଲିବିଡିୟମ ଓ ଲୁହା ନିଜର ଅଭିବୃଦ୍ଧି ତଥା ଉତ୍ପାଦନ ପାଇଁ ଆବଶ୍ୟକ କରିଥାଏ। ଏସବୁ ଗଛର କୋଷ, ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ, ପତ୍ର ଇତ୍ୟାଦି ଗଠନ କରିଥାନ୍ତି। ଏସବୁର ଦ୍ରବଣ କ୍ରମାଗତ ଗଛକୁ ଜଳମିଶ୍ରିତ କରି ଯୋଗାଇ ଓ ସବୁଜ କୋଠରି ଭିତରେ ଆବଶ୍ୟକ ସୂର୍ଯ୍ୟରଶ୍ମି ଯୋଗାଇ ଇଚ୍ଛାନୁସାରେ ଉତ୍ପାଦନ ଆମେ ଏବେ କରିବାରେ ସକ୍ଷମ। ଏହା ହିଁ ହେଉଛି ମାଟିନଥିବା ଚାଷ ପଦ୍ଧତି।

ତେବେ ପ୍ରଶ୍ନ ଉଠୁଛି ଏହି ବ୍ୟବସ୍ଥା କ’ଣ ଏକ ପ୍ରାକୃତିକ ଧାରାମୁକ୍ତ ବ୍ୟବସ୍ଥା? ସମସ୍ତ ଚାଷୀ କ’ଣ ଏହାକୁ ଗ୍ରହଣ କରିପାରିବେ? ଖୋଲାମେଲା ଜମିରେ, ମୁକ୍ତ ସୂର୍ଯ୍ୟାଲୋକ ଓ ବର୍ଷାସିକ୍ତ ଶସ୍ୟ କ୍ଷେତ୍ରରେ ଧୀର ପବନରେ ଲହରି ଭାଙ୍ଗି ଚାଷୀ ମନକୁ ତୋଷି ନେଉଥିବା ଶସ୍ୟକ୍ଷେତ୍ରର ଅପରୂପ ସୌନ୍ଦର୍ଯ୍ୟ ଏଭଳି ଏକ ଚଦର ଘୋଡ଼ା ଆବଦ୍ଧ ସବୁଜଗୃହ ଭିତରୁ କେଉଁଠୁ ଆସିବ? ତେବେ କ୍ଷୋଭର ସହିତ କହିବାକୁ ହେଉଛି ଯେ ଆମ ଦେଶ ଓ ଆମ ରାଜ୍ୟ ଯେହେତୁ ଉର୍ବର ମୃତ୍ତିକା ଧ୍ବଂସ ପ୍ରକ୍ରିୟାରୁ ମୁକ୍ତ ନୁହେଁ ଓ ଏବେ ବାର୍ଷିକ ଆମ ଦେଶରେ ୫୫୦ କୋଟି ଟନରୁ ଅଧିକ ଉର୍ବର ମୃତ୍ତିକା ଓ ଆମ ରାଜ୍ୟରେ ପ୍ରତି ହେକ୍ଟର ପିଛା ୧୫ଟନରୁ ଅଧିକ ମୃତ୍ତିକା ବାର୍ଷିକ ନଷ୍ଟ ହେବା ସହ ରାସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ବ୍ୟବହାର ଦିନ ପରେ ଦିନ ପ୍ରବଳରୁ ଅତି ପ୍ରବଳ ବେଗରେ ବଢ଼ିବଢ଼ି ଚାଲିଛି, ତେଣୁ ଆମକୁ ଭବିଷ୍ୟତରେ ହୁଏତ ମାଟି ନଥିବା ଚାଷ ପଦ୍ଧତିକୁ ଯେ ଦରକାରବେଳେ ବାଧ୍ୟ ହୋଇ ଗ୍ରହଣ କରିବାକୁ ପଡ଼ିପାରେ- ଏହାକୁ ଅସ୍ବୀକାର କରିହେବ ନାହିଁ। ମୃତ୍ତିକା ସୁରକ୍ଷା ଆଜିର ଦିନରେ ସମସ୍ତଙ୍କ ପାଇଁ ପ୍ରମୁଖ ଚିନ୍ତା ହେଉ- ଏହା ହିଁ କାମନା।

Comments are closed.