ଭଲ ଲୋକ ସନ୍ଧାନରେ

ଗ୍ରୀକ୍‌ ଦାର୍ଶନିକ ଡାୟୋଜିନିସ୍‌ ଥରେ ଦିନରେ ଲଣ୍ଠନଟିଏ ଧରି ବୁଲି ବାହାରି ପଡ଼ିଥିଲେ, ଆଉ କେହି ତାଙ୍କର ଅଦ୍‌ଭୁତ ଖିଆଲି ଭ୍ରମଣ ବିଷୟରେ ପଚାରନ୍ତେ ସେ କହିଥିଲେ ସେ ଚାଲିଛନ୍ତି କେହି ଭଲଲୋକର ସନ୍ଧାନରେ।
ସତରେ ଭଲଲୋକ କ’ଣ ଏତେ ଦୁଷ୍ପ୍ରାପ୍ୟ ଯେ ତାଙ୍କୁ ଖୋଜିବା ପାଇଁ ଏତେ ପରୀକ୍ଷାନିରୀକ୍ଷା କରିବାକୁ ପଡ଼ିବ। ସେମାନଙ୍କୁ ଖୋଜି ପାଇବାର ବାଟ କ’ଣ! କେହିକେହି ପୁଣି କହନ୍ତି ଭଲ ଲୋକଙ୍କୁ ଭଗବାନ ବହୁତ କଷ୍ଟ ଦିଅନ୍ତି ଆଉ ସେହି କଷଣ ଭିତରେ ତାଙ୍କର ପରୀକ୍ଷା ନିଅନ୍ତି। ଦୁଃଖର ଅହରହ ସନ୍ତାପ ଭିତରେ କୁହୁଳୁଥିବା ଏବଂ ଅଥୟ ହେଉଥିବା ଲୋକଟେ କ’ଣ ସତରେ ଭଲଲୋକ। କେହି ଜଣେ ଯେମିତି କେଉଁଠି କହିଥିଲେ ସୁଖୀଲୋକ ସେଇ ଜଣକ ଯାହାର ପିଠିରେ ସାର୍ଟ ଖଣ୍ଡେ ବି ନାହିଁ! ଆପଣ କ’ଣ ଏପରି ପରିଭାଷା ସହିତ ଏକମତ। ଏଇସବୁ କଥା ଭାବିଲାବେଳେ କିଛି ନିଷ୍କର୍ଷରେ ପହଞ୍ଚିହୁଏ ନାହିଁ।
ଏମିତି କିଛି ଲୋକ ଥାଆନ୍ତି ଯେଉଁମାନେ ଭଲ ଲୋକଙ୍କ ପାଇଁ ଯେତିକି ଭଲ, ଖରାପ ଲୋକଙ୍କ ପାଇଁ ତା’ଠାରୁ ଦୁଇ ଗୁଣ ଖରାପ। ଯଦି ଆପଣଙ୍କ ଜିଲାକୁ ଜଣେ ଏପରି ଏସ.ପି. ଆସିଥିବେ ଯିଏକି ଲୋକମାନଙ୍କୁ ଖୁବ୍‌ ଭଲ ବ୍ୟବହାର କରୁଥିବେ, ଅଥଚ ତାଙ୍କ ରାଜୁତିରେ ଚୋର ତସ୍କର ଖୁନୀ ଅପରାଧୀମାନଙ୍କ କଚେ ବାର ଚାଲିଥିବ, ସେଇଭଳି ଏସ୍‌ପିଙ୍କୁ କ’ଣ ଆପଣ ଭଲର ସଂଜ୍ଞା ଭିତରେ ଗଣିବେ କି?
ଥରେ କୌଣସି ଅଧ୍ୟାପକ ଶ୍ରେଣୀ ଗୃହରେ ତାଙ୍କର ଛାତ୍ରମାନଙ୍କୁ କହିଥିବା କଥାଟିଏ ପରିଣତ ବୟସରେ ମନେ ପକାଉଥିଲେ ଜଣେ ଅନ୍ତରଙ୍ଗ ବନ୍ଧୁ। ଅଧ୍ୟାପକଙ୍କ କହିବାର ଥିଲା ଜଣକୁ ଭଲ ଓକିଲ ଭାବେ ଲୋକେ ବିବେଚନା କରନ୍ତି ଯିଏକି ମୋକଦ୍ଦମା ବିଚାରରେ ତାଙ୍କ ମହକିଲଙ୍କ ପକ୍ଷ ଏପରି ରଖନ୍ତି ଯେ ସବୁବେଳେ ତାଙ୍କର ହୁଏ ଜିତାପଟ। ସେଇ ଡାକ୍ତରଙ୍କୁ ଲୋକେ ଭଲ ଡାକ୍ତରର ଆଖ୍ୟା ଦିଅନ୍ତି ଯିଏ କି ରୋଗୀର ରୋଗକୁ ଠିକ୍‌ ଭାବରେ ଚିହ୍ନି ପାରନ୍ତି ଏବଂ ତାଙ୍କର ଔଷଧରେ ରୋଗ ଉପଶମ ହୋଇଥାଏ ଏବଂ ବହୁଦିନ ଧରି ରୋଗୀକୁ ଯନ୍ତ୍ରଣା ଭୋଗିବାକୁ ପଡ଼େ ନାହିଁ; ମାତ୍ର ଶ୍ରେଣୀରେ କେବଳ ଭଲ ଶିକ୍ଷାଦାନ କରୁଥିବା ଅଧ୍ୟାପକଙ୍କୁ ଭଲ ଅଧ୍ୟାପକ ଲୋକେ କହିବାର ଆପଣ କ୍ବଚିତ୍‌ ଶୁଣିଥିବେ; ବରଂ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାଦାନ ସହିତ ସେ ଛାତ୍ରୀଛାତ୍ରୀଙ୍କୁ ଉତ୍ତମ ଓ ମାର୍ଜିତ ବ୍ୟବହାର ଦେଖାଉଥିବେ। ଏଥିସହିତ ତାଙ୍କର ସାମାଜିକ ଦାୟିତ୍ବବୋଧ ରହିଥିବ ଏବଂ ଲୋକଙ୍କ ନଜରରେ ସେ ଜଣେ ଚରିତ୍ରବାନ ବ୍ୟକ୍ତି ହୋଇଥିବେ। ସେଇ ବିବେଚନା ଯଦି ସତ ହୁଏ ତା’ହେଲେ ଜଣେ ଖୁବ୍‌ ଭଲ ଅଧ୍ୟାପକ ହେବା ସତରେ ଭାରି କାଠିକର ପାଠ।
ଲୋକଟିଏ ସଂଖ୍ୟାରେ ଜଣେ ହେଲେ ବି ସେ ଅନେକ ସମୟରେ ବହୁବିଧ ଚରିତ୍ର ହୋଇ ବଞ୍ଚେ। କେତେବେଳେ ସିଏ ପୁଅ, କେତେ​‌େ​‌ବଳେ ବାପା ଓ ଭାଇ, କେବେ କାହାର ବନ୍ଧୁ ତ କାହାର ପୁଣି ମୁନିବ, ପୁଣି କେବେ କାହାର ଅଧସ୍ତନ। ଏମିତି ବହୁବିଧ ଚରିତ୍ରରେ ଅଭିନୟ କରିବାକୁ ପଡ଼େ ଲୋକଟିକୁ। ସବୁ ଚରିତ୍ରରେ ସଫଳ ହେବା ଅତ୍ୟନ୍ତ କଷ୍ଟସାଧ୍ୟ। ବ୍ୟକ୍ତିଟିକୁ ତା’ର ବୃତ୍ତିଗତ ଜୀବନ ବାହାରେ ଏକ ବ୍ୟକ୍ତିଗତ ଜୀବନ ଜିଇବାକୁ ହୁଏ। ସାମାଜିକ ପ୍ରାଣୀଟିଏ ଭାବରେ ସାମାଜିକ ଜୀବନକୁ ଏଡ଼େଇ ହୁଏନାହିଁ। ଏସବୁ ସତ୍ତ୍ବେ ତା’ର କିଛି ନିଜର ରୁଚି ନଥିଲେ ଜୀବନ ଋଦ୍ଧିମନ୍ତ ହୋଇନଥାଏ। ୟେ ସବୁକୁ ସମତୁଲ ଭାବରେ ଦେଖି ସମୟ ଅନୁରୂପ ଭାବରେ ବିନିଯୋଗ କରିବା ଭାରି ମୁସ୍କିଲ ବ୍ୟାପାର। ନହେଲେ କିଛିଦିନ ବ୍ୟବଧାନରେ ପାଣି ଦେବି ଭାବିଲା ବେଳକୁ ଶିଶୁ ଚାରାଟି ଯେମିତି ପଞ୍ଚତ୍ବ ପ୍ରାପ୍ତ ହୋଇ ସାରିଥାଏ, ସେମିତି ବହୁ କରୁଣ ଘଟଣା ଘଟେ ଆମର ଜୀବନରେ।
ସ୍ବାମୀ ବିବେକାନନ୍ଦ ଅନେକ ସମୟରେ କହୁଥିଲେ ଯେ ଏହି ସମାଜ ଗୋଟିଏ ‘କୁକୁର ଲାଙ୍ଗୁଡ଼ ବଙ୍କା’ ନ୍ୟାୟର ଚିତ୍ରଟିଏ। ତା’କୁ ସଜାଡ଼ିବାକୁ ଯେତେ ଚେଷ୍ଟା କଲେ ବି ସେଥିରେ ପୂର୍ଣ୍ଣ ସୁଧାର ହୁଏନି; ମାତ୍ର ସଜାଡ଼ିବାକୁ ଚେଷ୍ଟା କରୁଥିବା ଲୋକଟିର ସୁଧାର ଆସିଯାଏ ସେଇ ପ୍ରଚେଷ୍ଟା ଭିତରେ। ତେଣୁ ଚେଷ୍ଟା ହେବା ଦରକାର ଅନବରତ।
ଆମ ଉପ​‌ରେ ଜୀବନ ସାରା ଚାପ ପଡ଼େ। ଅଭିଭାବକମାନେ କହନ୍ତି ତୁମକୁ ସଫଳ ହେବାକୁ ପଡ଼ିବ। କିଛି ଶୁଭେଚ୍ଛୁ କହନ୍ତି ସୁଖୀ ରହିବାକୁ ଚେଷ୍ଟାକର ପୁଣି ଆହୁରି କିଛି କହନ୍ତି ତମେ ବଡ଼​‌େ​‌ଲାକ ନହୁଅ ପଛେ, ଭଲ ଲୋକ ଟିକେ ହୁଅ। କ’ଣ ସେଇ ଭଲ ଲୋକର ପରିଚୟ? ତା’ର କ’ଣ କିଛି ଖରାପ ଗୁଣ ନଥିବ? ମାର୍କ ଟ୍ବାଇନ୍‌ ତ ପୁଣି କହିଲେ- ‘‘ପ୍ରତି ଲୋକ ଜଣେ ଜଣେ ଚନ୍ଦ୍ର ପରି ଉପଗ୍ରହଟିଏ ଯାହାର ଗୋଟିଏ ପାଖ ଆଲୋକ ତ ଅାଉ ଗୋଟିଏ ପାଖ ଅନ୍ଧାର। ହେଲେ ସେ ଅନ୍ଧାର ପାଖଟିକୁ କାହାରିକୁ ଦେଖାଇବାକୁ ଚାହେଁନା।’’ ଆହୁରି କେତେକ ତ ମୁରବି ପଣିଆ ଜଣେଇ ଆପଣଙ୍କୁ ପରାମର୍ଶ ଦେବେ- ବେଶି ଭଲ ହେବା ଅଡ଼ୁଆ। ଚବିଶ କ୍ୟାରେଟ୍‌ ସୁନାରେ କେବେ ଅଳଙ୍କାର କ’ଣ ଗଢ଼ାହୁଏ। ତମେ ଯଦି ଅତି ଭଲ ଆଉ ଭଦ୍ର ହେବ ସମସ୍ତେ ତମ ଉପରେ କୁଦି ପଡ଼ିବେ। ଫକିରମୋହନ ଏଭଳି ଅତି ଭଲ ଲୋକଙ୍କ ଚରିତ୍ରର ଦୁଃଖଦ ଭାବନା ଲେଖିଛନ୍ତି ଏଇମିତି- ‘‘କୋହଳ ମାଟି ପାଇଲେ ବିଲେଇ ଯେପରି…. କ୍ରିୟା କରେ, ମହାପାତ୍ରେ ସରଳ ଲୋକଟି ଉପରେ ସେଇମିତି ଅବ୍ୟାପାର ଚଳେଇଛନ୍ତି।’’ ଅର୍ଥାତ୍‌ ଆପଣ ଭଲ ହେଲେ ଏପରି ଦୁଃଖ ବି ସହ୍ୟ କରିବାକୁ ପଡ଼ିବ; ଏହା ମଧ୍ୟ ଅବଧାରିତ ସତ୍ୟ।

ପୁରାଣରେ ଆମେ ଶୁଣିଥିଲେ ଥରେ ଦୁ​‌େର୍ଯ୍ୟାଧନଙ୍କୁ କୁହାଯାଇଥିଲା ଜଣେ ଭଲ ଲୋକଙ୍କୁ ଖୋଜି ଆଣିବାକୁ ଏବଂ ଅନୁରୂପ ଭାବରେ କୁହାଯାଇଥିଲା ଯୁଧିଷ୍ଠିରଙ୍କୁ ଜଣେ ମନ୍ଦ ଲୋକର ଅନିଷା କରିବାକୁ। ଉଭୟ ସେମାନଙ୍କର ଅନ୍ବେଷଣରେ ଅସଫଳ ହୋଇଥିଲେ। ଦୁ​‌େ​‌ର୍ଯ୍ୟାଧନଙ୍କୁ ସବୁଲୋକ ଖରାପ ଦେଖାହେଲେ ଯେମିତି ଯୁଧିଷ୍ଠିରଙ୍କୁ ସବୁଲୋକ ଭଲ ଦେଖାହେଲେ ସେମିତି। ତେଣୁ ଦୁନିଆରେ ଭଲଲୋକ ଖୋଜିବା ଭଳି ଏକ ବ୍ୟତିକ୍ରମରେ ମନ ନ ଦେଇ ଚାଲନ୍ତୁ ନିଜେ ଭଲ ଲୋକ ହେବାକୁ ଚେଷ୍ଟା କରିବା। ମନେ ପକେଇ ପାରିବା ପଣ୍ଡିତ ଗୋପବନ୍ଧୁଙ୍କ ଜୀବନର ଗୋଟିଏ କଥା। ଥରେ ସେ ନୀଳଗିରି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଥିଲାବେଳେ ଜଣେ ସହକର୍ମୀଙ୍କ ପାଇଁ ଚରିତ୍ର ପ୍ରମାଣପତ୍ରଟିଏ ଲେଖି ଦେଇଥିଲେ। ଭାଷାଟି ଥିଲା ସଂକ୍ଷିପ୍ତ ମାତ୍ର ଗଭୀର, ‘I consider him a complete man with morality, ability and nobility’। ନୈତିକତା, ଦକ୍ଷତା ଓ ଉଦାରତାକୁ ଛାଡ଼ିଦେଇ ଭଲଲୋକର ଆଉ କିଛି ସଂଜ୍ଞା ଖୋଜିବା ଦରକାର କି?

Comments are closed.