ଆର୍ଟ ଅଫ୍‍ ଗିଭିଂ: ବିଚାରରୁ ଅଭିବ୍ୟକ୍ତ

ଅଚ୍ୟୁତ ସାମନ୍ତ

ଆଜିର ବସ୍ତୁବାଦୀ ଜୀବନରେ କିପରି ନିଜେ ଭଲରେ ରହିବେ ସେଥିପାଇଁ ସମସ୍ତେ ବ୍ୟସ୍ତ। ଆମେ ଅର୍ଥ, ଗାଡ଼ି, ଘର, ସୁଖ, ପ୍ରତିପତ୍ତି ଓ ବିଳାସମୟ ଜୀବନଯାପନ ପାଇଁ ବ୍ୟସ୍ତ ରହୁଛନ୍ତି। କିଏ କ’ଣ କରୁଛି, କିପରି ରହୁଛି ସେଥିପ୍ରତି ନିଘା ନାହିଁ। ଆଜିର ସ୍ୱାର୍ଥପର ଦୁନିଆରେ ଉଦାର ମନୋଭାବ, ଦୟା ଓ ପରୋପକାର ଇତ୍ୟାଦି ଶବ୍ଦ ‘ନୀତିକଥା’ରେ ରହିଯାଇଛି। ରାସ୍ତାକଡ଼ରେ ଖାଦ୍ୟ ପାଇଁ ସଂଘର୍ଷ କରୁଥିବା ଲୋକଟି ବିଷୟରେ ଭାବିବାକୁ କାହା ପାଖରେ ସମୟ ନାହିଁ। କାରଣ ନିଜେ କିପରି ଅଧିକରୁ ଅଧିକ ସମ୍ପତ୍ତି ଆହରଣ କରି ସୁଖରେ ରହିବା ସେଥିପାଇଁ ଆମେ ବ୍ୟସ୍ତ। ଯଦିଓ ରାସ୍ତାକଡ଼ର ସେହି ଲୋକଙ୍କ ବିଷୟରେ ଆମେ ଚିନ୍ତାକରୁ ଏବଂ ଆମ ମନରେ ଦୟା ଆସିଥାଏ, ତେବେ ସେମାନଙ୍କୁ କିପରି ସାହାଯ୍ୟ କରାଯାଇପାରିବ ସେ କଥା ଆମେ ଜାଣିନାହୁଁ। ଏହି ପରିପ୍ରେକ୍ଷୀରେ ‘ଆର୍ଟ ଅଫ୍‍ ଗିଭିଂ’ର ପ୍ରୟାସ ସମସ୍ତଙ୍କ ମଧ୍ୟରେ ଖୁସି ଓ ଆନନ୍ଦର ଲହରି ଖେଳାଇ ଦେଇପାରେ।

‘ଆର୍ଟ ଅଫ୍‍ ଗିଭିଂ’ ହେଉଛି ଦୟା ଓ ଉଦାରତା ମାଧ୍ୟମରେ ଅନ୍ୟମାନଙ୍କୁ ପୂର୍ଣ୍ଣମାତ୍ରାରେ ସ୍ନେହ, ଶାନ୍ତି, ଖୁସି ଏବଂ ସନ୍ତୋଷ ଦେବା ନିମନ୍ତେ ଏକ ପ୍ରୟାସ। ଦୟା ଓ ଉଦାରତା ମାଧ୍ୟମରେ ଅନ୍ୟକୁ ଖୁସି ଦେବାର ଅନୁଭବ ‘ଆର୍ଟ ଅଫ୍‍ ଗିଭିଂ’ ଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିବା ପାଇଁ ମୋତେ ପ୍ରେରଣା ଦେଇଥିଲା। ୨୦୧୩ ମସିହା ମେ ୧୭ ତାରିଖରେ ‘ଆର୍ଟ ଅଫ୍‍ ଗିଭିଂ’ ପ୍ରତିଷ୍ଠା କରାଯାଇ ଏହାକୁ ସମଗ୍ର ବିଶ୍ୱରେ ପ୍ରସାର ଓ ପ୍ରଚାର ନିମନ୍ତେ ଉଦ୍ୟମ ଆରମ୍ଭ ହେଲା। ବାସ୍ତବରେ ‘ଆର୍ଟ ଅଫ୍‍ ଗିଭିଂ’ର ଏହି ଅଭ୍ୟାସ ବାଲ୍ୟକାଳରୁ ମୋ ମଧ୍ୟରେ ଜନ୍ମଲାଭ କରିଥିଲା। ପିତାଙ୍କୁ ହରାଇ ଦାରିଦ୍ର୍ୟ ମଧ୍ୟରେ ଥାଇ ମଧ୍ୟ ବାଲ୍ୟକାଳରେ ଅନ୍ୟକୁ ସାହାଯ୍ୟ କରିବା ପ୍ରବୃତ୍ତି ମୋ ମଧ୍ୟରେ ଆରମ୍ଭ ହୋଇଥିଲା। ମାତ୍ର ୫ ବର୍ଷ ବୟସରୁ ତମାମ ବାଲ୍ୟଜୀବନ ମୁଁ ମୋର ମାଆଙ୍କୁ ତାଙ୍କର ସବୁ କାମରେ ସାହାଯ୍ୟ କରିବା ସହ ସାନ୍ତ୍ୱନା ଦେଇ ଆସୁଥିଲି। ଏପରି କି ପିଲାବେଳେ ଛୋଟ ଛୋଟ କାମ କରି ମୁଁ ପାଉଥିବା ସାମାନ୍ୟ ଅର୍ଥରେ ଗାଁଆର ଅନ୍ୟ ଗରିବ ଓ ଅସହାୟଙ୍କୁ ଯତ୍‍କିଞ୍ଚିତ୍‌ ସାହାଯ୍ୟ କରୁଥିଲି।

ଏକ ଦାରିଦ୍ର୍ୟ-କ୍ଷୁଧା-ନିରକ୍ଷରତା-ମୁକ୍ତ ବିଶ୍ୱକୁ ଲକ୍ଷ୍ୟ ରଖି ମୁଁ ନିଜକୁ ସମାଜସେବାରେ ନିୟୋଜିତ କଲି। ଯୁବାବସ୍ଥାରେ ମୁଁ ମୋର ପ୍ରଫେସନାଲ୍‍ କ୍ୟାରିଅର ଆରମ୍ଭ କରୁକରୁ ରୋଜଗାରର ଗୋଟିଏ ଗୋଟିଏ ଟଙ୍କା ଲୋକଙ୍କ ସେବାରେ ବିନିଯୋଗ କରିବା ଆରମ୍ଭ କଲି। କ୍ରମେ ମୁଁ ଆୟର ସମସ୍ତ ଭାଗ ମାନବ ସେବା କ୍ଷେତ୍ରରେ ବିନିଯୋଗ କରି ଚାଲିଲି ଏବଂ ଏଥିରୁ ମୁଁ ମଧ୍ୟ ଅପାର ଆନନ୍ଦ ପାଇଲି। ଆମେ କିଟ୍‍ ଓ କିସ୍‍ ପ୍ରତିଷ୍ଠା କରିବା ପରେ କିସ୍‍ ମାଧ୍ୟମରେ ପ୍ରାୟ ୭୦ହଜାରରୁ ଊର୍ଦ୍ଧ୍ବ ଗରିବ ଜନଜାତି ପିଲାଙ୍କୁ ଶିକ୍ଷା ମାଧ୍ୟମରେ ସଶକ୍ତ କରିପାରିଛୁ। ଏହା ହେଉଛି ବାସ୍ତବରେ ମୋର ଜୀବନ ଦର୍ଶନ ଏବଂ ‘ଆର୍ଟ ଅଫ୍‍ ଗିଭିଂ’। ମୁଁ ମୋ ଜୀବନରେ ଆଜି ପର୍ଯ୍ୟନ୍ତ ଯାହା ସବୁ ସଫଳତା ପାଇଛି ସେ ସବୁର ମୂଳ ହେଉଛି ‘ଆର୍ଟ ଅଫ୍‍ ଗିଭିଂ’। ମୋ ପାଖରେ ଯାହା ଅଛି ସେ ସବୁକୁ ଅନ୍ୟମାନଙ୍କୁ ଦେଇଦେବା ମୋର ଅଭ୍ୟାସରେ ପରିଣତ ହୋଇଯାଇଛି।

ଦେବାର ମହତ୍ତ୍ୱ ବୁଝିବାକୁ ହେଲେ ଜଣକୁ ଗରିବ ହେବାକୁ ପଡ଼ିବ। ମୋ ପାଇଁ ଉଦାର ହେଉଛି ଦୁଇଟିକିଆ ରାସ୍ତା। ବିଶ୍ୱର ସମସ୍ତ ଦୁଃଖ, ଦାରିଦ୍ର୍ୟ ଓ ଯନ୍ତ୍ରଣାର ଉପଶମ ତଥା ଏକ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ହେଲେ ସାହାଯ୍ୟର ଅନେକ ରାସ୍ତା ରହିଛି। ବିଶ୍ୱରେ ପ୍ରତ୍ୟେକ ଧର୍ମରେ ‘ଆର୍ଟ ଅଫ୍‍ ଗିଭିଂ’ ଏବଂ ଆନନ୍ଦ ଓ ଶାନ୍ତିର ବାର୍ତ୍ତା ରହିଛି। ଜଣେ ତା’ର ବ୍ୟବହାର ମାଧ୍ୟମରେ ଅନ୍ୟ ପ୍ରତି ଦୟାଶୀଳ ହୋଇପାରିବ। ମୁଁ ସର୍ବଦା ଲୋକଙ୍କ ପାଇଁ କାମ କରିବାକୁ ଇଚ୍ଛା କରିଆସିଛି ଏବଂ ମୋର ଏହି ଇଚ୍ଛା ପୂରଣ କରିବା ଦିଗରେ ଭଗବାନ ମୋତେ ମଧ୍ୟ ଶକ୍ତି ଦେଇଛନ୍ତି।
ପ୍ରତ୍ୟେକ ଧର୍ମ ସବୁବେଳେ ଦାନକୁ ଗୁରୁତ୍ୱ ଦେଇଆସିଛି। କାରଣ ଆଧ୍ୟାତ୍ମିକ ଜୀବନ ପାଇଁ ଉଦାର ମନୋଭାବର ଆବଶ୍ୟକତା ରହିଛି। ଭାରତୀୟ ଶାସ୍ତ୍ରରେ ଦାନର ଏକ ପ୍ରମୁଖ ସ୍ଥାନ ରହିଛି। ପ୍ରତ୍ୟେକ ଧର୍ମରେ ଦାନର ଗୁରୁତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। କୋରାନରେ ଏହାକୁ ‘ଜାକତ’, ବୌଦ୍ଧ ଧର୍ମରେ ଗରିବଙ୍କୁ ଦାନ, ଜୈନ ଧର୍ମରେ ଖାଦ୍ୟ ଦାନ, ବିପଦରୁ ଅନ୍ୟକୁ ଉଦ୍ଧାର କରିବା, ଔଷଧ ଓ ଜ୍ଞାନ ଦାନ କଥା କୁହାଯାଇଛି। ସେହିପରି ଇହୁଦୀ ଧର୍ମରେ ଜେଦାକ ଅର୍ଥାତ୍‍ ନ୍ୟାୟ ବା ସତ୍‍ପଥକୁ ଦାନ ଅର୍ଥରେ କୁହାଯାଇଛି। ଖ୍ରୀଷ୍ଟିଆନ୍‍ ଧର୍ମରେ ଦାନକୁ ବିଶ୍ୱାସର ଏକ ପ୍ରମୁଖ ଅଂଶ ଭାବେ ବର୍ଣ୍ଣନା କରାଯାଇଛି।

‘ଆର୍ଟ ଅଫ୍‍ ଗିଭିଂ’ ଏକ ଚିନ୍ତାଧାରା ରୂପେ ଆରମ୍ଭ କରାଯାଇଥିଲା। କିନ୍ତୁ ଏବେ ଏହି ଚିନ୍ତାଧାରାକୁ ବିଶ୍ୱର ଅନେକ ଲୋକ, ‘ଆର୍ଟ ଅଫ୍‍ ଗିଭିଂ’ ଶୁଭେଚ୍ଛୁ ଏହାକୁ ଆପଣାଇ ଅଭ୍ୟାସରେ ପରିଣତ କରିଛନ୍ତି। ପ୍ରତିବର୍ଷ ମେ ୧୭ ତାରିଖକୁ ସମସ୍ତେ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ଦିବସ ଭାବେ ପାଳନ କରି ଆସୁଛନ୍ତି। ପ୍ରତିବର୍ଷ ସମାଜ, ଆଧ୍ୟାତ୍ମିକତା ଓ ମାନବିକତା ଉପରେ ଆଧାରିତ ବିଷୟବସ୍ତୁକୁ ନେଇ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍‍ ଗିଭିଂ’ ପାଳିତ ହୋଇଆସୁଛି। ୨୦୧୪ରେ ସହାନୁଭୂତି ବିଷୟବସ୍ତୁ ରଖାଯାଇଥିବା ବେଳେ ୨୦୧୫ରେ ଅସହାୟଙ୍କୁ ବସ୍ତ୍ରଦାନ ଜରିଆରେ ‘ଆର୍ଟ ଅଫ୍‍ ଗିଭିଂ’ ପାଳନ କରାଯାଇଥିଲା। ସେହିପରି ୨୦୧୬ରେ କୃତଜ୍ଞତା ମାଧ୍ୟମରେ ନିଜକୁ ସମଗ୍ର ବିଶ୍ୱ ସହ ଯୋଡ଼ିବା ବିଷୟବସ୍ତୁ ରଖାଯାଇଥିବା ବେଳେ ୨୦୧୭ରେ ସୁସ୍ଥ ଜୀବନ ଏବଂ ସବୁଜ ଭବିଷ୍ୟତ ନେଇ ସଚେତନତା ପାଇଁ ସାଇକ୍ଲୋଥୋନ୍‍ ଓ ତା ପରବର୍ଷଠାରୁ ‘ଆର୍ଟ ଅଫ୍‍ ଗିଭିଂ’ର କଳେବର ବୃଦ୍ଧି ପାଇ ଏହା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିଥିଲା।

୨୦୧୮ରେ ‘ଆର୍ଟ ଅଫ୍‍ ଗିଭିଂ’ର ‘ପ୍ୟାର ଭରା ପ୍ୟାକ୍‍’ କାର୍ଯ୍ୟକ୍ରମ ବିପୁଳ ସଫଳତା ଲାଭ କରିଥିଲା। ଏଥିରେ ସମଗ୍ର ବିଶ୍ୱରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଖାଦ୍ୟ ଦାନ କରାଯାଇଥିଲା। ୨୦୧୯ରେ ‘ବ୍ୟାଗ୍‍ ଅଫ୍‍ ହାପିନେସ୍‍’ ବିଷୟବସ୍ତୁ ରଖାଯାଇଥିବା ବେଳେ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କୁ ହାପିନେସ୍‍ କିଟ୍‍ ଉପହାର ପ୍ରଦାନ କରାଯାଇଥିଲା। ୨୦୨୦ କରୋନା କାଳରେ ‘ଆର୍ଟ ଅଫ୍‍ ଗିଭିଂ’ ପକ୍ଷରୁ କୋଭିଡ୍‍ ଯୋଦ୍ଧାଙ୍କୁ ସମ୍ମାନିତ କରାଯିବା ସହ କରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରାଯାଇଥିଲା। ସେହିପରି ୨୦୨୧ରେ ‘ମାଇଁ ମଦର ମାଇଁ ହିରୋ’ ବିଷୟବସ୍ତୁକୁ ନେଇ ‘ଆର୍ଟ ଅଫ୍‍ ଗିଭିଂ’ର ସଦସ୍ୟମାନେ ନିଜ ମାଆଙ୍କୁ କୃତଜ୍ଞତା ଜଣାଇଥିଲେ।

୨୦୧୪ ଓ ୨୦୧୫ରେ ଏହା ଏକ ଆନ୍ଦୋଳନରେ ପରିଣତ ହୋଇଥିଲା। ଏହାର କଳେବର ବୃଦ୍ଧି ପାଇ ୨କୋଟି ଅନୁଗାମୀଙ୍କ ସହ ୧୫ ଲକ୍ଷ ସଦସ୍ୟରେ ପହଞ୍ଚିଥିଲା। ‘ଆର୍ଟ ଅଫ୍‍ ଗିଭିଂ’ର ବାର୍ତ୍ତା ବର୍ଷ ତମାମ ପ୍ରସାର ଓ ପ୍ରସାର ପାଇଁ ବିଶ୍ୱର ୧୨୦ ଦେଶର ୩ଶହ ସ୍ଥାନରେ ଏହାର ସଂଯୋଜକ ରହିଥିବା ବେଳେ ଭାରତର ସମସ୍ତ ରାଜ୍ୟ ଓ ଓଡ଼ିଶାର ସମସ୍ତ ବ୍ଲକ ଓ ପଞ୍ଚାୟତରେ ସଂଯୋଜକ ଅଛନ୍ତି। ଏବେ ସୁଦ୍ଧା ସାମାଜିକ ଗଣମାଧ୍ୟମରେ ଆମେ ୧ କୋଟି ଲୋକଙ୍କ ନିକଟରେ ପହଞ୍ଚିପାରିଛୁ ଏବଂ ଭର୍ଚୁଆଲ୍‍ରେ ବହୁ ସଂଖ୍ୟକ ଲୋକଙ୍କ ସହ ଯୋଡ଼ି ହୋଇପାରିଛୁ। ‘ଦେବାର କଳା’ ମାଧ୍ୟମରେ ବିଶ୍ୱକୁ ଏକ କରିବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ।

ଚଳିତ ବର୍ଷର ବିଷୟବସ୍ତୁ ରହିଛି ଆଶା-ଆନନ୍ଦ-ସଂପ୍ରୀତି। ଗତ ଦୁଇବର୍ଷ ମଧ୍ୟରେ ଆମେ ବହୁ କଠିନ ସମୟ ଦେଇ ଗତି କରିଆସିଛୁ। ତଥାପି ଆମେ ନିରାଶ ହୋଇନାହୁଁ। ଆମେ ପ୍ରତ୍ୟେକ ପ୍ରତ୍ୟେକଙ୍କ ସହ ଯୋଡ଼ିହେବା ଓ ସହଯୋଗ କରିବା ପାଇଁ ସ୍ନେହ, ଉଦାରତା, ଦୟା, ସହାନୁଭୂତି ଓ କୃତଜ୍ଞତା ଭଳି ଅସଂଖ୍ୟ ରାସ୍ତା ରହିଛି। ଆଶାର ସହ ବଞ୍ଚିବା ସମାଜରେ ଖୁସି ଓ ଆନନ୍ଦର ବାର୍ତ୍ତା ବାଣ୍ଟିବା ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ ବୋଲି ମୋର ବିଶ୍ୱାସ। ଆସନ୍ତୁ ସମଗ୍ର ବିଶ୍ୱରେ ଜାତି, ଧର୍ମ, ବର୍ଣ୍ଣ, ଜାତୀୟତାର ସରହଦକୁ ଲଙ୍ଘି ଆମେ ‘ଆଶା, ଆନନ୍ଦ ଓ ସଂପ୍ରୀତି’ର ବାର୍ତ୍ତା ପ୍ରଚାର କରି ସମାଜରେ ଏକ ବିରାଟ ପରିବର୍ତ୍ତନ ଆଣିବା ସହ ମାନବିକତାର ଏହି ବନ୍ଧନକୁ ଦୃଢ଼ କରିବା।

Comments are closed.