ସୁଧହାର ଓ ଅର୍ଥନୀତି

ସୁଜାତା ପ୍ରହରାଜ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ୪ ମେ ୨୦୨୨ରେ ରେପୋରେଟ୍ ୪୦ ବେସିସ୍ ପଏଣ୍ଟ୍ ବୃଦ୍ଧି କରିଛନ୍ତି। ଫଳରେ ବର୍ତ୍ତମାନ ଏହା ୪%ରୁ ବଢ଼ି ୪.୪% ହୋଇଛି। ଅଗଷ୍ଟ ୨୦୧୮ ମସିହା ପରେ ୪୫ ମାସରେ ଏହା ପ୍ରଥମ ବୃଦ୍ଧି। କରୋନା ମହାମାରୀ ଯୋଗୁ କେନ୍ଦ୍ରୀୟ ବ୍ୟାଙ୍କ ସେତେବେଳେ ଏହି ହାରକୁ ୪.୪%ରୁ ୪%କୁ କମାଇ ଥିଲେ। ସେହିପରି କେନ୍ଦ୍ରୀୟ ବ୍ୟାଙ୍କ କ୍ୟାସ୍ ରିଜର୍ଭ ରେସିଓରେ ୫୦ ବେସିସ୍ ପଏଣ୍ଟ୍ ବୃଦ୍ଧି କରିବା ଫଳରେ ଏହା ବର୍ତ୍ତମାନ ୪%ରୁ ବଢ଼ି ୪.୫% ହୋଇଛି। ବ୍ୟାଙ୍କର ନୀତି ନିର୍ଦ୍ଧାରଣକାରୀ ଅଙ୍ଗ ମନିଟାରୀ ପଲିସି କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ଉଚ୍ଚ ମୁଦ୍ରାସ୍ଫୀତି ହାରକୁ ଏହି ପଦକ୍ଷେପର କାରଣ ଭାବରେ ଦର୍ଶାଯାଇଛି। ଯଦିଓ ଏହି ଘୋଷଣା ହଠାତ୍ କରାଯାଇଛି, ଏହା କିନ୍ତୁ ଚମକେଇଲା ପରି ନୁହେଁ, ବରଂ କୁହାଯାଇପାରେ ଯେ ଏହାଛଡ଼ା ଅନ୍ୟ କିଛି ବାଟ ନ ଥିଲା। ପୂର୍ବରୁ ଏହା ଆଶା କରାଯାଉଥିଲା। ମୁଦ୍ରାସ୍ଫୀତିର ଭୂତଟି ଭାରତର ଅର୍ଥନୀତିକୁ କେବଳ କବଳିତ କରି ରଖିନି, ବରଂ ବେଳକୁ ବେଳ ଘରୋଇ ଓ ଅନ୍ତର୍ଜାତୀୟ କାରଣଗୁଡ଼ିକ ଯୋଗୁ ତା’ର କଳେବର ବୃଦ୍ଧି ପାଇବାରେ ଲାଗିଛି।
ଭାରତରେ କ୍ରମାଗତ ସତର ମାସ ଧରି ଖାଉଟି ମୁଦ୍ରାସ୍ଫୀତି ୭% ଉପରେ ରହିଛି। ୨୦୨୨ ଏପ୍ରିଲ ମାସ ଶେଷ ସୁଦ୍ଧା ଖାଉଟି ଓ ପାଇକାରି ମୁଦ୍ରାସ୍ଫୀତି ଯଥାକ୍ରମେ ୭.୭୯% ଏବଂ ୧୪.୬% ରହିଛି ଯାହା ବିଗତ ଆଠ ବର୍ଷରେ ସର୍ବାଧିକ। କେନ୍ଦ୍ରୀୟ ବ୍ୟାଙ୍କ କହିବା ହିସାବରେ ଏହା ଅର୍ଥନୀତିର ସହ୍ୟ କ୍ଷମତା ୬%ଠାରୁ ଯଥେଷ୍ଟ ଅଧିକ। ମୁଦ୍ରାସ୍ଫୀତି ସବୁ ସମୟରେ ସବୁଠାରୁ କଷ୍ଟଦାୟକ ହୁଏ ସମାଜର ଗରିବ ‌େ​‌ଶ୍ରଣୀର ଲୋକଙ୍କ ପାଇଁ। କରୋନା ସେମାନଙ୍କୁ ଅକଥନୀୟ ଯନ୍ତ୍ରଣା ଦେଇଥିବା ବେଳେ ମୁଦ୍ରାସ୍ଫୀତି ସେମାନଙ୍କ ହାତରୁ କ୍ରୟଶକ୍ତି ହ୍ରାସ କରି ସେମାନଙ୍କୁ ଦୁର୍ଦ୍ଦିନ ଭିତରକୁ ଠେଲିଦେଇଛି। ଦରଦାମ୍‌ ବୃଦ୍ଧିରେ ସାରା ଦେଶ ଶଢ଼ୁଛି। ଅର୍ଥନୀତିର କୌଣସି ଏମିତି ବିଭାଗ (ସେକ୍ଟର) ନାହିଁ ଯାହାକୁ ମୂଲ୍ୟବୃଦ୍ଧି ଛୁଇଁନି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକର ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ସମୟ ଥାଉଥାଉ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରାନଗଲେ ତାହା ବେଲଗାମ ହୋଇ ଅର୍ଥନୀତିକୁ ଏକ ମାନ୍ଦାବସ୍ଥାକୁ ଟାଣିନେବ ଯେଉଁଥିରୁ ବାହାରିବା ଭାରତୀୟ ଅର୍ଥନୀତି ପାଇଁ କଷ୍ଟକର ହେବ।

ପାଠକେ, ଏଥର ଆସନ୍ତୁ ଜାଣିବା ରେପୋରେଟ୍ ଓ କ୍ୟାସ୍ ରିଜର୍ଭ ରେସିଓ କ’ଣ ଏବଂ ଏହାର ବୃଦ୍ଧି ଅର୍ଥନୀତି ଓ ଜନସାଧାରଣଙ୍କ ପାଇଁ କ’ଣ ଗୁରୁତ୍ୱ ରଖେ। ଅର୍ଥନୀତିର ସୁପରିଚାଳନା ନିମନ୍ତେ ଏହି ଦୁଇଟି ହେଉଛନ୍ତି କେନ୍ଦ୍ରୀୟ ବ୍ୟାଙ୍କ ହାତରେ ଦୁଇଟି ଅସ୍ତ୍ର। ସରଳ ଭାଷାରେ କହିଲେ ବ୍ୟାଙ୍କଗୁଡ଼ିକ ନିଜର କାରବାର ପାଇଁ ଅନେକ ସମୟରେ ରିଜର୍ଭ ବ୍ୟାଙ୍କଠାରୁ ଋଣ ଆଣନ୍ତି। ଏହି ଋଣ ରିଜର୍ଭ ବ୍ୟାଙ୍କ ଯେଉଁ ସୁଧହାରରେ ଦିଏ ତାହା ରେପୋରେଟ୍ ନାମରେ ଜଣା। ସେହିପରି ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ଥିରୀକୃତ ହାରରେ ନିଜ ଆୟର ନିର୍ଦ୍ଦିଷ୍ଟ ଅଂଶ ରିଜର୍ଭ ବ୍ୟାଙ୍କ ପାଖରେ ଜମା ରଖନ୍ତି ଯାହାକୁ କ୍ୟାସ୍ ରିଜର୍ଭ ରେସିଓ କୁହାଯାଏ। ଏହାର ଉଦ୍ଦେଶ୍ୟ ଯୁଦ୍ଧ, ପ୍ରାକୃତିକ ଦୁର୍ବିପାକ ପରି ଜରୁରୀ ପରିସ୍ଥିତିର ମୁକାବିଲା କରିବା। ରେପୋରେଟ୍ ବଢ଼େଇବାର ଅର୍ଥ ବ୍ୟାଙ୍କଗୁଡ଼ିକ ଯେଉଁ ଋଣ ଆଣିବେ ତା’ଉପରେ ସେମାନଙ୍କୁ ଅଧିକ ସୁଧ ଦେବାକୁ ପଡ଼ିବ। ତେଣୁ ବ୍ୟାଙ୍କଗୁଡ଼ିକ କମ୍ ଋଣ ଆଣିବାକୁ ଚେଷ୍ଟା କରିବେ। ସେହିପରି କ୍ୟାସ୍ ରିଜର୍ଭ ରେସିଓ ବଢ଼େଇବା ଦ୍ୱାରା ବ୍ୟାଙ୍କଗୁଡ଼ିକୁ ଅଧିକ ଜମା କରିବାକୁ ପଡ଼ିବ।

ଉପରୋକ୍ତ ଉଭୟ ପଦକ୍ଷେପର ଉଦ୍ଦେଶ୍ୟ ବ୍ୟାଙ୍କଗୁଡ଼ିକ ହାତରେ କମ୍ ନଗଦ ଟଙ୍କା ରଖିବା। କେନ୍ଦ୍ରୀୟ ବ୍ୟାଙ୍କ ସମଗ୍ର ଅର୍ଥ ବ୍ୟବସ୍ଥାରୁ ୮୭୦୦୦ କୋଟି ଟଙ୍କା ଫେରାଇ ନେବେ ବୋଲି ଆକଳନ କରିଛନ୍ତି। ଏହି ପଦକ୍ଷେପ ଫଳରେ ବ୍ୟାଙ୍କଗୁଡ଼ିକୁ ଅଧିକ ସୁଧ ଦେବାକୁ ପଡ଼ୁଥିବାରୁ ସେହି ସୁଧକୁ ସେମାନେ ଋଣଗ୍ରହୀତାଙ୍କ ଉପରକୁ ଛାଡ଼ି ଦେବେ। ଫଳରେ ଗୃହ, ଯାନ ଓ ବ୍ୟକ୍ତିଗତ ଋଣ ଏବଂ ବ୍ୟବସାୟ ପାଇଁ ଋଣ ଉପରେ ସୁଧ ଅଧିକ ଦେବାକୁ ପଡିବ। ତେଣୁ ଋଣଗ୍ରହୀତାଙ୍କର ମାସିକ କିସ୍ତି ପରିମାଣରେ ବୃଦ୍ଧି ଘଟିବ। ଲୋକେ ଆଉ ଅଧିକ ଋଣ ନେବାକୁ ଇଚ୍ଛା କରିବେନି କିମ୍ବା ନିହାତି ଆବଶ୍ୟକ ସ୍ଥଳେ କମ୍ ଋଣ ନେବେ। ଫଳତଃ ବ୍ୟାଙ୍କ ଓ ଲୋକଙ୍କ ପାଖରେ ନଗଦ ଟଙ୍କା କମ୍ ରହିବ ଯାହା ଦ୍ବାରା ପୂରା ଅର୍ଥ ବ୍ୟବସ୍ଥାରେ ନଗଦ ଟଙ୍କାର ପରିମାଣ କମିବ। ହାତରେ ନଗଦ କମ୍ ରହିଲେ ଚାହିଦା କମିବ, ଚାହିଦା କମିଲେ ଦରଦାମ କମିବ, ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିବ।

ମନରେ ସ୍ବତଃ ପ୍ରଶ୍ନ ଆସେ ମୁଦ୍ରାସ୍ଫୀତିର ହାର ଅଧିକ ରହିଥିବା ସତ୍ତ୍ୱେ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ଆଗରୁ କାହିଁକି ଗ୍ରହଣ କରି ନ ଥିଲେ। ଜଗତୀକରଣ ପରେ ବୈଶ୍ୱିକ ମୂଲ୍ୟବୃଦ୍ଧିର ପ୍ରଭାବ ସମସ୍ତ ଦେଶ ଉପରେ ପଡ଼ିଛି, ଭାରତ ଉପରେ ମଧ୍ୟ। ଏହା ସହିତ କରୋନା କବଳିତ ଭାରତୀୟ ଅର୍ଥନୀତି ହାଲି ବିଯୁକ୍ତାତ୍ମକ ଅଭିବୃଦ୍ଧିରୁ ଉଠିଛି। ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ପୂର୍ବାବସ୍ଥାକୁ ଫେରିନି। ସୁଧହାର ବଢ଼ିଲେ ଅଭିବୃଦ୍ଧି କମିବ। ତେଣୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସହିତ ଅର୍ଥନୀତିର ଅଭିବୃଦ୍ଧି ମଧ୍ୟ ସମଗୁରୁତ୍ୱପୂର୍ଣ୍ଣ। ଦ୍ୱିତୀୟତଃ ଏଲ୍‌ଆଇସିର ଆଇପିଓ ସରକାର ବଜାରକୁ ଛାଡ଼ିଲେ ପୁଞ୍ଜି ସଂଗ୍ରହ ପାଇଁ। ତା’ ପୂର୍ବରୁ ସୁଧହାର ବୃଦ୍ଧି ହେଲେ ସେଆର୍ ବଜାରରେ ଆଇପିଓର ମୂଲ୍ୟ ହ୍ରାସ ହେବାର ଆଶଙ୍କା କରି ରିଜର୍ଭ ବ୍ୟାଙ୍କ ସୁଧହାର ପରେ ବୃଦ୍ଧି କଲେ। ଏଠାରେ କହିବା ଜରୁରୀ ଯେ ସୁଧହାର ଘୋଷଣା ହେବାର ଗୋଟିଏ ଦିନ ଭିତରେ ବିଏସ୍‌ଇ ସେନ୍ସେକ୍ସ୍ ୧୪୦୦ ପଏଣ୍ଟ ଓ ନିଫ୍ଟି ଫିଫ୍ଟି ୩୯୧ ପଏଣ୍ଟ ଖସିଛି। ନିବେଶକମାନେ ୬.୨୭ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବିଶେଷଜ୍ଞଙ୍କ ମତରେ ଯେହେତୁ ସରକାର ଆଇପିଓର ମୂଲ୍ୟ ଉତ୍ତମ ସ୍ତରରେ ରଖିଛନ୍ତି ଏବଂ ଏଲ୍‌ଆଇସି ଏକ ବୃହତ୍‌ ମଜଭୁତ ସରକାରୀ ସଂସ୍ଥା, ସୁଧହାର ବୃଦ୍ଧି ଏହାର ଲାଭାଂଶ ଉପରେ ନକାରାତ୍ମକ ପ୍ରଭାବ ପକାଇବ ନାହିଁ।

ବର୍ତ୍ତମାନ ଏହି ପଦକ୍ଷେପର ଫଳାଫଳ ଆଲୋଚନା କରିବା। ସାଧାରଣରେ ଆଲୋଚିତ ଯେ ତତକ୍ଷଣାତ୍ ବ୍ୟାଙ୍କ ଋଣ ମହଙ୍ଗା ହେବ; ମାତ୍ର ତା’ ସହିତ ଆହୁରି ଅନେକ ପ୍ରଭାବ ରହିଛି। ଯେହେତୁ ବ୍ୟାଙ୍କଗୁଡ଼ିକୁ ଅଧିକ ସୁଧହାର ଦେବାକୁ ପଡ଼ିବ, ଉପଭୋକ୍ତା ବ୍ୟାଙ୍କଗୁଡ଼ିକରୁ ଆଣୁଥିବା ଘର, ଗାଡ଼ି, ବ୍ୟକ୍ତିଗତ ଓ ଅନ୍ୟାନ୍ୟ ଋଣର ମାସିକ କିସ୍ତିରେ ବୃଦ୍ଧି ଘଟିବ। ଉଦ୍ୟୋଗ ପାଇଁ ନେଉଥିବା ଋଣ ଉପରେ ମଧ୍ୟ ସୁଧ ଅଧିକା ଦେବାକୁ ପଡ଼ିବ। ଏ ଭିତରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢ଼େଇବେ ବୋଲି ଆଶା କରି ଅନେକ ବ୍ୟାଙ୍କ ସେମାନଙ୍କର ଏମ୍‌ସିଏଲ୍‌ଆର୍‌ (Marginal Cost of fund-based Lending Rates- ସରଳ ଭାଷାରେ ଏହା ହେଉଛି ଋଣ ଉପରେ ବ୍ୟାଙ୍କଗୁଡ଼ିକ ନେଉଥିବା ସର୍ବନିମ୍ନ ସୁଧହାର) ବଢ଼େଇ ଥିଲେ। କେନ୍ଦ୍ରୀୟ ବ୍ୟାଙ୍କ ବର୍ଦ୍ଧିତ ସୁଧହାର ଘୋଷଣା କରୁ କରୁ ଅନେକ ବ୍ୟାଙ୍କ ସେମାନଙ୍କର ସୁଧହାର ପୁଣି ବଢ଼େଇଛନ୍ତି। ଏଥିରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଅଧିକ କ୍ଷତିଗ୍ରସ୍ତ ହେବେ।

ବ୍ୟାଙ୍କ ଓ ଅଣବ୍ୟାଙ୍କିଙ୍ଗ୍ ବିତ୍ତୀୟ ସଂସ୍ଥାଗୁଡ଼ିକ ସହିତ ସଂଶ୍ଲିଷ୍ଟ କ୍ଷୁଦ୍ର ସ୍ଥାୟୀ ଜମାକାରୀମାନେ ଲାଭବାନ ହେବେ; କାରଣ ଏହା ପୂର୍ବରୁ ସ୍ଥାୟୀ ଜମା ଉପରେ ବ୍ୟାଙ୍କଗୁଡ଼ିକ ବହୁତ କମ୍ ହାରରେ ସୁଧ ପ୍ରଦାନ କରୁଥିଲେ; କିନ୍ତୁ ମ୍ୟୁଚୁଆଲ୍ ଫଣ୍ଡରେ ଥିବା ଦୀର୍ଘମିଆଦୀ ଜମା, ସୋଭେରେନ୍ ଓ କର୍ପୋରେଟ୍ ବଣ୍ଡରେ ନିବେଶ ରାଶିର ନିଟ୍ ମୂଲ୍ୟ (ନିଟ୍ ଆସେଟ୍ ଭେଲ୍ୟୁ) କମିବା ଫଳରେ ଜମାଧାରୀ କ୍ଷତିର ସମ୍ମୁଖୀନ ହେବେ। ଋଣ ମହଙ୍ଗା ହେବା ଦ୍ୱାରା ଶିଳ୍ପ ଓ ବ୍ୟବସାୟ ପାଇଁ ଋଣ ପରିମାଣରେ ହ୍ରାସ ହେବ। ଫଳରେ ଉତ୍ପାଦନ କମିବ, ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ପାଇବ। ଏଥିରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଅଧିକ କ୍ଷତିଗ୍ରସ୍ତ ହେବେ; କିନ୍ତୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହେବା ଯୋଗୁ ଦରଦାମ୍ କମିବ, ଲୋକଙ୍କର କ୍ରୟଶକ୍ତି ବୃଦ୍ଧି ପାଇବ ଯାହା ଫଳରେ ଚାହିଦା ବୃଦ୍ଧି ହେବ। ଚାହିଦା ବୃଦ୍ଧି ହେଲେ ଯୋଗାଣ ବଢ଼େଇବାକୁ ଉତ୍ପାଦନ ବୃଦ୍ଧି ହେବ। ଅର୍ଥନୀତି ପୁଣି ଅଭିବୃଦ୍ଧିର ରାସ୍ତାକୁ ଫେରିବ।

ଯେହେତୁ ବଜାରରେ ମୁଦ୍ରା ସଂଚରଣ (ମନି ସର୍କୁଲେସନ୍) କମ୍ ହେବ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟରେ ସୁଧାର ଆସିବ। ଏହି ଘୋଷଣା ସଂଗେ ସଂଗେ ଭାରତୀୟ ମୁଦ୍ରା ପ୍ରତି ଡଲାର ପିଛା ୭୬.୬୬ରୁ ୭୬.୪୨ଟଙ୍କାକୁ ଖସିଲା। ଏହା ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହିତ କରିବ; କିନ୍ତୁ ଏହି ସୁଫଳ ସେତେବେଳେ ମିଳିବ ଯଦି ମୁଦ୍ରାସ୍ଫୀତି ଅଧିକ ହାରରେ ନ ବଢ଼େ। ଭିତରେ ଯୁଦ୍ଧ ଓ ଇନ୍ଧନ ତୈଳର ମୂଲ୍ୟରେ ଅନିୟମିତତା ପାଇଁ ନିବେଶକମାନେ ନିଜର ପୁଞ୍ଜି ପ୍ରତ୍ୟାହାର କରି ନେଉଛନ୍ତି। ମାର୍ଚ୍ଚ ମାସରେ ମାତ୍ର ତିନିଦିନରେ ୧୭୫୩୭ କୋଟି ଟଙ୍କା ପ୍ରତ୍ୟାହୃତ ହୋଇଛି। ତେଣୁ ସୁଧହାର ବଢ଼େଇବା ଛଡ଼ା କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ଅନ୍ୟ ଉପାୟ ନ ଥିଲା। ଆମେରିକାରେ ସୁଧହାର ବୃଦ୍ଧି ପରିପ୍ରେକ୍ଷୀରେ ଆମେରିକାର ସୁଧହାର ଓ ଭାରତୀୟ ସୁଧହାର ଭିତରେ ବଡ଼ ପାର୍ଥକ୍ୟ ରହିଲେ ନିବେଶକମାନେ ସୋଭେରେନ୍ ବଣ୍ଡ୍ ବିକିବା ଆରମ୍ଭ କରିବେ। ଅର୍ଥନୀତିର ଏ ଅବସ୍ଥାରେ ନିବେଶ ହରାଇବା ଦେଶ ପାଇଁ ବିପର୍ଯ୍ୟୟ ସିଦ୍ଧ ହେବ।

ଏସବୁ ପରିସ୍ଥିତି ଭିତରେ ରିଜର୍ଭ ବ୍ୟାଙ୍କ ଭାରତର ଅର୍ଥନୀତିର ଏକ ଦ୍ରୁତ ଅଭିବୃଦ୍ଧି ନେଇ ବେଶ୍ ଆଶାବାଦୀ। ଦ୍ରୁତ ଅର୍ଥନୈତିକ କାର୍ଯ୍ୟକଳାପ, ନିବେଶର ପ୍ରତ୍ୟାବର୍ତ୍ତନ ଓ ଏକ ଅନୁକୂଳ ମୌସୁମୀ ଅର୍ଥନୀତିର ଗାଡ଼ିକୁ ଦ୍ରୁତ ବେଗ ଦେବେ ବୋଲି ବ୍ୟାଙ୍କ ନିଶ୍ଚିତ ଅଛନ୍ତି। ଭବିଷ୍ୟତ କହିବ ସ୍ଥିତି କିଭଳି ହେଉଛି।

Comments are closed.