ଭାରତରେ ଡାକ୍ତରୀ ଶିକ୍ଷା

ଗତ କିଛିଦିନ ହେବ ୟୁକ୍ରେନ୍‍ରେ ଯୁଦ୍ଧର ବିଭୀଷିକା ଚାଲିଛି। ଏହି ଯୁଦ୍ଧର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡ଼ିବା ନିଶ୍ଚିତ ବୋଲି ଜଣା ପଡ଼ିଲାଣି; କିନ୍ତୁ ଆରମ୍ଭରେ ଯାହା ଦେଶବାସୀଙ୍କ ପାଇଁ ସବୁଠାରୁ ବେଶି ଉଦ୍‍ବେଗର କାରଣ ଥିଲା ତାହା ହେଉଛି ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ଅକ୍ଷତ ଅବସ୍ଥାରେ ଦେଶକୁ ଫେରାଇ ଆଣିବା। ଏହି କାର୍ଯ୍ୟଟିକୁ ଭାରତ ସରକାର ଯଥାର୍ଥରେ ପ୍ରାଥମିକତା ଦେଇଥିଲେ। ଯେଉଁ ଭାରତୀୟମାନଙ୍କୁ ୟୁକ୍ରେନରୁ ଉଦ୍ଧାର କରିବାକୁ ପଡ଼ିଲା ସେମାନଙ୍କ ମଧ୍ୟରେ ମୁଖ୍ୟତଃ ଥିଲେ ଡାକ୍ତରୀ ଛାତ୍ର। ପ୍ରକାଶିତ ତଥ୍ୟରୁ ଜଣାପଡ଼େ ଯେ ସେହି ଦେଶରେ ୧୮୦୦୦ ଭାରତୀୟ ଥିଲେ ଡାକ୍ତରୀ ପଢୁଥିବା ଶିକ୍ଷାର୍ଥୀ। କେବଳ ୟୁକ୍ରେନ ନୁହେଁ, ଚୀନ, ରୁଷିଆ, ଫିଲିପାଇନସ୍‍, କିର୍‍ଗୀଜସ୍ଥାନ, କାଜାକସ୍ଥାନ ଇତ୍ୟାଦି ଦେଶକୁ ପ୍ରତି ବର୍ଷ ୨୫୦୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଯାଆନ୍ତି ଡାକ୍ତରୀ ପଢିବା ପାଇଁ। ଏହା ଚାଲି ଆସିଛି ଗତ ତିନି ଦଶକ ହେଲା। ଏତେ ସଂଖ୍ୟାରେ ଆମ ଦେଶର ପିଲାଙ୍କୁ ଡାକ୍ତରୀ ପଢିବା ପାଇଁ ବିଦେଶକୁ ଯିବାକୁ ପଡେ ତାହା ଜାଣିବା ପରେ ଏହା ପଛରେ କି କାରଣ ଥାଇପାରେ ତାହା ଜାଣିବା ପାଇଁ ଆଗ୍ରହ ହେବା ସ୍ୱାଭାବିକ। ଏହାଛଡ଼ା ମେଡିକାଲ ଶିକ୍ଷା ପାଇଁ ସେମାନଙ୍କୁ କିପରି ବାହାରକୁ ଯିବାକୁ ପଡ଼ିବ ନାହିଁ ସେଥିପାଇଁ ମଧ୍ୟ ଉପାୟ ଖୋଜିବାକୁ ପଡ଼ିବ।

ଆମ ଦେଶରେ ଯେତିକି ଡାକ୍ତରଙ୍କର ଆବଶ୍ୟକତା ରହିଛି, ସେତିକି ସଂଖ୍ୟାରେ ଡାକ୍ତରୀ ଛାତ୍ରଙ୍କୁ ତାଲିମ ଦେବା ପାଇଁ ଆମ ଶିକ୍ଷା ବ୍ୟବସ୍ଥା ଅସମର୍ଥ, ଏହା ଅତ୍ୟନ୍ତ ସ୍ପଷ୍ଟ। ଭାରତରେ ପ୍ରତି ବର୍ଷ ୭ ଲକ୍ଷରୁ ୮ ଲକ୍ଷ ଛାତ୍ରଛାତ୍ରୀ ଡାକ୍ତରୀ ପଢ଼ିବା ପାଇଁ ‘ନିଟ୍‍’ ପରୀକ୍ଷା ଦେଇଥାଆନ୍ତି ବିଭିନ୍ନ ମେଡିକାଲ କଲେଜରେ ଥିବା ଏମ୍‍.ବି.ବି.ଏସ୍‍ରେ ପ୍ରାୟ ନବେ ହଜାର ସିଟ୍‍ ପାଇଁ। ଏହି ସିଟ୍‍ ସଂଖ୍ୟାର ପ୍ରାୟ ଅର୍ଦ୍ଧେକ ସରକାରୀ କଲେଜଗୁଡ଼ିକରେ ରହିଛି; ବାକି ଗୁଡ଼ିକ ଘରୋଇ କଲେଜରେ। ଭାରତର ଲୋକସଂଖ୍ୟା ଚୀନର ଲୋକସଂଖ୍ୟା ସହ ପ୍ରାୟ ସମାନ ହୋଇଥିବାବେଳେ ସେ ଦେଶରେ ୨୦୧୮ରେ ମେଡିକାଲ ସ୍ନାତକ ସିଟ୍‍ର ସଂଖ୍ୟା ୨୮୬୦୦୦ ଓ କଲେଜ ସଂଖ୍ୟା ୪୨୦ ଥିଲା। ସଂଖ୍ୟା ଦୃଷ୍ଟିରୁ ଭାରତରେ ବିଶ୍ୱର ସବୁଠାରୁ ବେଶି ସଂଖ୍ୟକ ମେଡିକାଲ କଲେଜ ରହିଛି ବୋଲି ଏକ ତଥ୍ୟରୁ ଜଣାପଡେ। ୨୦୨୧-୨୨ରେ ଭାରତରେ ୫୯୬ଟି ମେଡିକାଲ କଲେଜ ଥିଲା। ଏହି କଲେଜଗୁଡ଼ିକ ସବୁ ରାଜ୍ୟରେ ସମାନ ଭାବରେ ନାହିଁ; କର୍ଣ୍ଣାଟକ, ମହାରାଷ୍ଟ୍ର ଓ ତାମିଲନାଡୁରେ ଅପେକ୍ଷାକୃତ ବେଶି ସଂଖ୍ୟାର କଲେଜ ଅଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଆମ ଦେଶର ମେଡିକାଲ କଲେଜଗୁଡ଼ିକର ହାରାହାରି ଛାତ୍ରସଂଖ୍ୟା ଅପେକ୍ଷାକୃତ କମ୍‍। ଅନେକ ବର୍ଷ ଧରି ଡାକ୍ତରୀ ଶିକ୍ଷା ପାଇଁ ଭିତ୍ତିଭୂମିର ଯେଉଁ ଅଭାବ ରହିଛି ଗତ କେତେ ବର୍ଷରେ ତାହାର ପୂରଣ ପାଇଁ କିଛି ଉଦ୍ୟମ ହୋଇଛି, କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ।

ଡାକ୍ତରୀ ଶିକ୍ଷା ପାଇଁ ଆମ ପିଲାଙ୍କୁ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଉପରେ ନିର୍ଭର କରିବାକୁ ପଡୁଛି। ସରକାରୀ ଅନୁଷ୍ଠାନରେ ଡାକ୍ତରୀ ପଢିବାରେ ଯେତେ ଖର୍ଚ୍ଚ ହୁଏ ଘରୋଇ ଅନୁଷ୍ଠାନରେ ଖର୍ଚ୍ଚହୁଏ ବହୁଗୁଣ ବେଶି; କିନ୍ତୁ ପ୍ରତି ୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ଜଣେ ହିଁ ସରକାରୀ ଅନୁଷ୍ଠାନରେ ପଢିବାର ସୁଯୋଗ ପାଆନ୍ତି। ଘରୋଇ କଲେଜଗୁଡିକରେ ମାତ୍ର ୨୦ ହଜାର ମ୍ୟାନେଜମେଣ୍ଟ କୋଟା ସିଟ୍‍ ରହିଛି। ଏହା ବ୍ୟତୀତ ବିଦେଶୀ ଭାରତୀୟମାନଙ୍କ ପାଇଁ ଏନ୍‍.ଆର.ଆଇ କୋଟା ମଧ୍ୟ ରହିଛି। ମ୍ୟାନେଜମେଣ୍ଟ ଓ ଏନ୍‍.ଆର.ଆଇ କୋଟାରେ ସଂପୂର୍ଣ୍ଣ ଏମ୍‍.ବି.ବି.ଏସ୍‍ ପାଠ୍ୟକ୍ରମ ପାଇଁ ୩୦ଲକ୍ଷରୁ ୧.୨୦ କୋଟି ଖର୍ଚ୍ଚ ହୋଇଥାଏ। ତା ବାହାରେ ପୁଣି ରହିଛି ରହିବା, ଖାଇବା, ପରୀକ୍ଷା ଫି ଇତ୍ୟାଦି ପାଇଁ ଖର୍ଚ୍ଚ। ଭାରତରେ ଥିବା ଘରୋଇ ମେଡିକାଲ କଲେଜଗୁଡ଼ିକରେ ପଢୁଥିବା ଅର୍ଦ୍ଧାଧିକ ଛାତ୍ରଛାତ୍ରୀଙ୍କୁ ଏକ କୋଟିରୁ ଅଧିକ ଟଙ୍କା କ୍ୟାପିଟେସନ୍‍ ଫି ବାବଦରେ ଦେବାକୁ ପଡିଥାଏ। ଆଜିକାଲି ମେଡିକାଲ ଆଡମିସନ ପାଇଁ କୁଆଡେ ଏଜେଣ୍ଟମାନଙ୍କ ସାହାଯ୍ୟ ମଧ୍ୟ ନେବାକୁ ପଡୁଛି। ବିଦେଶରେ ଏହି ଶିକ୍ଷା ପାଇଁ ଖର୍ଚ୍ଚ ହୋଇଥାଏ ହାରାହାରି ୩୦ରୁ ୩୫ ଲକ୍ଷ ଟଙ୍କା, ଯେଉଁଥିରେ ମିଶି ରହିଥାଏ ଟିଉସନ ଫି, ଖାଇବା ରହିବା ଇତ୍ୟାଦି ଖର୍ଚ୍ଚ। ଏହି କାରଣରୁ ଭାରତୀୟ ଅଭିଭାବକମାନେ ତାଙ୍କ ପିଲାଙ୍କୁ ବିଦେଶ ପଠାନ୍ତି ଡାକ୍ତରୀ ପଢିବା ପାଇଁ। ପୂର୍ବେ ପରିସ୍ଥିତି ଏପରି ନଥିଲା। ମେଧାବୀ ଛାତ୍ରଛାତ୍ରୀମାନେ ଇଣ୍ଟର ମିଡିଏଟ୍‍ ଶିକ୍ଷା ପରେ ସିଧାସଳଖ ସରକାରୀ ମେଡିକାଲ କଲେଜମାନଙ୍କରେ ଆଡମିସନ ପାଉଥିଲେ।

ଖର୍ଚ୍ଚ ବଞ୍ଚାଇବା ପାଇଁ ବିଦେଶ ଯିବାକୁ ବାଧ୍ୟ ହେଉଥିଲେ ମଧ୍ୟ ବିଦେଶରେ ଥିବା ଡାକ୍ତରୀ ଶିକ୍ଷାନୁଷ୍ଠାନଗୁଡିକରେ ଶିକ୍ଷାର ମାନ ଯେ ସବୁବେଳେ ଉନ୍ନତ ତାହା ମଧ୍ୟ ନୁହେଁ। ସେସବୁ ଅନୁଷ୍ଠାନରେ ପାଠ ସମାପ୍ତି ପରେ ଛାତ୍ରଛାତ୍ରୀମାନଙ୍କୁ ଆମ ଦେଶରେ ଚିକିତ୍ସା କରିବା ପାଇଁ ଆଉ ଏକ ପରୀକ୍ଷା ଦେବାକୁ ପଡେ, ଯାହାକୁ କୁହାଯାଏ ବିଦେଶ ମେଡିକାଲ ଗ୍ରାଜୁଏଟସ୍‍ ଏକଜାମିନେସନ। ଏହି ପରୀକ୍ଷାରେ ଖୁବ୍‍ କମ୍‍ ସଂଖ୍ୟକ ପିଲା କୃତକାର୍ଯ୍ୟ ହୁଅନ୍ତି। ଅନ୍ୟମାନେ କିଭଳି ଭାବରେ ନିଯୁକ୍ତ ହୁଅନ୍ତି ସେ ସଂପର୍କରେ ଯଥେଷ୍ଟ ତଥ୍ୟର ଅଭାବ ରହିଛି।

ଏକ ଦୀର୍ଘ ସମୟର ନିଷ୍କ୍ରିୟତା ପରେ ଓଡ଼ିଶାରେ ଖୁବ୍‍ ଅଳ୍ପ ଦିନ ମଧ୍ୟରେ ଅଧିକ ସଂଖ୍ୟାର ମେଡିକାଲ କଲେଜ ଖୋଲିବାର ନିଷ୍ପତ୍ତି ନିଆଯାଇଛି। ଏସବୁ କଲେଜ ସଂପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେବାକୁ କେତେ ବର୍ଷ ଲାଗିଯିବ। ସେଗୁଡିକରେ ଉଚ୍ଚମାନର ଶିକ୍ଷା ପାଇଁ ସବୁଠାରୁ ବେଶି ଅଭାବ ରହିବ ଅଭିଜ୍ଞ ଶିକ୍ଷକଙ୍କର। ଭାରତ ସରକାରଙ୍କ ସର୍ବଭାରତୀୟ ଆୟୁର୍ବିଜ୍ଞାନ ଅନୁଷ୍ଠାନ (ଏମ୍‍ସ) ପରି ଅନୁଷ୍ଠାନଗୁଡିକରେ ମଧ୍ୟ ଚିକିତ୍ସା ଓ ଶିକ୍ଷାଦାନର ଯଥାଯଥ ବ୍ୟବସ୍ଥା ଏପର୍ଯ୍ୟନ୍ତ ହୋଇ ପାରିନାହିଁ। ଯଦି ବିଗତ ଶତାବ୍ଦୀରୁ ଆରମ୍ଭ କରି ପ୍ରତ୍ୟେକ ଦଶକରେ ଓଡିଶାର ବିଭିନ୍ନ ସ୍ଥାନରେ ଗୋଟିଏ ଦୁଇଟି ଲେଖାଏଁ ମେଡିକାଲ କଲେଜ ସରକାର ସ୍ଥାପନ କରିଥାନ୍ତେ, ଅଧିକ ନୂଆ କଲେଜ ଖୋଲିବା ବେଳକୁ ଶିକ୍ଷକ ଅଭାବ ହୋଇ ନଥାନ୍ତେ। ମୋଟ ଉପରେ ସରକାର କେତୋଟି ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ଘୋଷଣା କଲେ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ହେଉଛି ପ୍ରତ୍ୟେକ ଅନୁଷ୍ଠାନକୁ ସ୍ୱୟଂସଂପୂର୍ଣ୍ଣ କରିବା ଏବଂ ଏପରି ଏକ ସ୍ତରକୁ ନେବା ଯାହାଦ୍ୱାରା ବର୍ଷ ପରେ ବର୍ଷ ଉଚ୍ଚମାନର ଡାକ୍ତର ସୃଷ୍ଟି ହେବେ। ଏହି ପରିପ୍ରେକ୍ଷୀରେ ଯାହା ଅଧିକ ଚିନ୍ତାର ବିଷୟ ତାହା ହେଉଛି ଘରୋଇ କ୍ଷେତ୍ରରେ ଅଧିକ ଉଦ୍ୟୋଗୀଙ୍କୁ ମେଡିକାଲ କଲେଜ ସ୍ଥାପନ ପ୍ରତିଷ୍ଠା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଘରୋଇ କଲେଜଗୁଡିକରେ ଶିକ୍ଷାର ମାନକୁ ଅବିଶ୍ୱାସ ନ କଲେ ମଧ୍ୟ ବହୁ ଅର୍ଥ ବ୍ୟୟ କରି ସେସବୁ ଅନୁଷ୍ଠାନରେ ପଢୁଥିବା ପିଲାମାନେ ଦୂରଦୂରାନ୍ତର ଗ୍ରାମାଞ୍ଚଳରେ କାମ କରିବା ପାଇଁ ନିଶ୍ଚୟ ଅନିଚ୍ଛୁକ ହେବେ ଏବଂ ଦ୍ୱିତୀୟତଃ ସେମାନେ ସାଧାରଣ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାମ ନ କରି ସ୍ୱାସ୍ଥ୍ୟସେବା ଯୋଗାଉଥିବା ଘରୋଇ ଅନୁଷ୍ଠାନଗୁଡ଼ିକରେ ନିଯୁକ୍ତ ହେବା ପାଇଁ ଅଧିକ ପସନ୍ଦ କରିବେ। ଆମର ଅନେକ ଡାକ୍ତର ବନ୍ଧୁ ଅଛନ୍ତି ଯେଉଁମାନେ ଚାକିରିର ଶେଷ ପର୍ଯ୍ୟାୟରେ ମେଡିକାଲ କଲେଜର ପ୍ରଫେସର ହୋଇଛନ୍ତି ବା ବିଭାଗୀୟ ଦପ୍ତରରେ ଉଚ୍ଚ ପଦରେ ରହି ଅବସର ନେଇଛନ୍ତି। କିନ୍ତୁ ସେମାନେ ସମସ୍ତେ ଚାକିରି ଆରମ୍ଭ ବେଳକୁ ନିପଟ ମଫସଲ ଅଞ୍ଚଳରେ ଅବସ୍ଥାପିତ ହୋଇ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ଏବଂ ପ୍ରଚୁର ଅର୍ଥ ଉପାର୍ଜନ କରିବା ସେମାନଙ୍କର ମୂଳ ଲକ୍ଷ୍ୟ ନଥିଲା। ସେମାନଙ୍କ ପରି ମେଧାବୀ ଛାତ୍ରଛାତ୍ରୀମାନେ ସେ ସମୟରେ ସିଧାସଳଖ ମେଡିକାଲ କଲେଜରେ ସ୍ଥାନ ପାଇ ଯାଇଥିଲେ। କିନ୍ତୁ ଯେଉଁ ପିଲା ଘରୋଇ କଲେଜରେ ଉଚ୍ଚ ଅଙ୍କର ଅର୍ଥ ଖର୍ଚ୍ଚ କରି ପଢ଼ିବ ତା’ର ମନସ୍ତତ୍ତ୍ବ ଠିକ୍‍ ସେହିପରି ରହିବ ଏହା କହିହେବ ନାହିଁ।

ମାନବ ସମ୍ବଳର ଆବଶ୍ୟକତା ପୂରଣ ପରେ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ଓ ବିଶେଷ ଭାବରେ ମେଡିକାଲ କଲେଜଗୁଡ଼ିକ ପାଇଁ ଦ୍ୱିତୀୟ ପ୍ରାଥମିକତା ହେବା କଥା ଆବଶ୍ୟକୀୟ ଯନ୍ତ୍ରପାତି। ଆଗ ଧାଡିର ମେଡିକାଲ କଲେଜଗୁଡ଼ିକରେ ମଧ୍ୟ ସବୁ ପ୍ରକାର ଆଧୁନିକ ଯନ୍ତ୍ରପାତି ଅଛି ବୋଲି କହିହେବ ନାହିଁ, ଯେଉଁପରି ଯନ୍ତ୍ରପାତି ଘରୋଇ ଡାକ୍ତରଖାନାଗୁଡ଼ିକରେ ଅଛି। ତୃତୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମେଡିକାଲ ଶିକ୍ଷାରେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ସୁସଂପର୍କ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସେବା ମନୋଭାବ ସୃଷ୍ଟି କରିବା, ରୋଗୀମାନଙ୍କ ପ୍ରତି ସହାନୁଭୂତିଶୀଳ ହେବା-ଏସବୁକୁ ପାଠ୍ୟକ୍ରମରେ ଗୁରୁତ୍ବ ଦେବା। ଆମର କେତେକ ଡାକ୍ତର ବନ୍ଧୁଙ୍କଠାରୁ ମୁଁ ଶୁଣିଛି ସେମାନଙ୍କର ଅଧ୍ୟାପକମାନଙ୍କ ସହ ଥିବା ସଂପର୍କ ବିଷୟରେ। ମେଡିକାଲ କଲେଜରେ ଏପରି ପ୍ରାଧ୍ୟାପକମାନେ ଥିଲେ ଯେଉଁମାନେ ଶିକ୍ଷାୟତନ ବାହାରେ ଘରୋଇ ଚିକିତ୍ସା କରୁନଥିଲେ ବା ରୋଗୀମାନଙ୍କୁ ନିଃଶୁଳ୍କ ସେବା ଯୋଗାଇବାରେ ଆନନ୍ଦ ପାଉଥିଲେ। କିନ୍ତୁ ଯାହା ବେଶି ମୂଲ୍ୟବାନ ଥିଲା ତାହା ହେଲା ସେମାନେ ଶିକ୍ଷାଦାନରେ ଉଚ୍ଚତମ ମାନକୁ ଅନୁସରଣ କରୁଥିଲେ। ଏହି କାରଣରୁ ଓଡ଼ିଶାର ମେଡିକାଲ କଲେଜମାନଙ୍କରୁ ଉତ୍ତୀର୍ଣ୍ଣ ଡାକ୍ତରୀ ଛାତ୍ରମାନେ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିବାରେ ସମର୍ଥ ହେଉଥିଲେ। ଆଜିକାଲି ମେଡିକାଲ କଲେଜଗୁଡିକରେ ନାମ ଲେଖାଉଥିବା ଅନେକ ଛାତ୍ରଛାତ୍ରୀଙ୍କର ନିଷ୍ଠାପର ଭାବରେ ଅଧ୍ୟୟନ କରିବାରେ କୁଆଡ଼େ ଆଗ୍ରହର ଅଭାବ ଅଛି। ଅନେକ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ଅନୁପସ୍ଥିତ ରହୁଥିବା ଶୁଣିବାକୁ ମିଳେ। ଘରୋଇ କଲେଜଗୁଡ଼ିକରେ ବହୁ ଅର୍ଥ ବ୍ୟୟ କରି ଶିକ୍ଷାଲାଭ କରୁଥିବାରୁ ସେମାନଙ୍କର ଓ ଅଭିଭାବକମାନଙ୍କର ଚାପ ଥାଏ କୌଣସି ପ୍ରକାରେ ପରୀକ୍ଷାରେ ପାସ୍‍ କରାଇଦେବା ପାଇଁ। ଏହି ସଂସ୍କୃତି ଯଦି ଚାଲୁ ରହେ ଆମ ଚିକିତ୍ସା ବ୍ୟବସ୍ଥାର ଗୁଣାତ୍ମକ ମାନ ସଂପର୍କରେ ନିଶ୍ଚୟ ସନ୍ଦେହ ରହିବ। ଏ ଲେଖକର ମତରେ ସରକାରୀ ହେଉ ବା ବେସରକାରୀ ଅନୁଷ୍ଠାନ ହେଉ, ଶିକ୍ଷାର୍ଥୀମାନଙ୍କର ପର୍ଯ୍ୟାପ୍ତ ଗୁଣାତ୍ମକ ଶିକ୍ଷା ଲାଭରେ ଯେପରି କୌଣସି ଊଣା ନହୁଏ ତା’ର ତଦାରଖ କରିବା ପାଇଁ ନିଷ୍ଠାପର ବରିଷ୍ଠ ଡାକ୍ତରମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବାର ଆବଶ୍ୟକତା ରହିଛି। ମେଡିକାଲ ଶିକ୍ଷା, ଅନ୍ୟ ଶିକ୍ଷାଠାରୁ ଭିନ୍ନ – ଏଇଥିପାଇଁ ଯେ ଅସୁସ୍ଥ ମଣିଷକୁ ସୁସ୍ଥ କରିବା ବା ଏକ ନୂଆ ଜୀବନ ଦେବାରେ ଡାକ୍ତରମାନଙ୍କର ପ୍ରମୁଖ ଭୂମିକା ଥାଏ।

ଏବେ ଆମେ ଯେ କୌଣସି ସରକାରୀ ବା ବେସରକାରୀ ଡାକ୍ତରଖାନାକୁ ଗଲେ ଦେଖିବା ରୋଗୀମାନଙ୍କର ଅସମ୍ଭବ ଭିଡ ଏବଂ ଅନେକଙ୍କ ମୁହଁରେ ଅସହାୟତାର ଚିହ୍ନ। ନିହାତି ବାଧ୍ୟବାଧକତା ନଥିଲେ ଜଣେ କେବେ ଡାକ୍ତରଖାନାକୁ ଯିବାକୁ ଚାହିଁବ ନାହିଁ। ସେଠାକୁ ଯେଉଁମାନେ ଆସୁଛନ୍ତି ସେମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବା ଏବଂ ଉଚ୍ଚ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ଯେ କୌଣସି ଜନମଙ୍ଗଳ ରାଷ୍ଟ୍ରର ପ୍ରଥମ ଦାୟିତ୍ୱ ହେବା କଥା। ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି କହିବା ହୁଏତ ଭୁଲ ହେବ, କିନ୍ତୁ ଅଧିକାଂଶ ଉଦ୍ୟମ ବଡ ସହରମାନଙ୍କରେ ଓ ତାହା ମଧ୍ୟ ଅଧାପନ୍ତରିଆ ଭାବରେ ହେଉଥିବା ମନେହୁଏ। ପରିସ୍ଥିତିର ଉନ୍ନତି ହେବ ଯେତେବେଳେ ଆମ ପିଲାମାନେ ସରକାରୀ ଅନୁଷ୍ଠାନମାନଙ୍କରେ ସ୍ୱଳ୍ପ ଖର୍ଚ୍ଚରେ ଉଚ୍ଚମାନର ମେଡିକାଲ ଶିକ୍ଷା ପାଇବେ ଏବଂ ସେମାନଙ୍କର ଶିକ୍ଷାର ସଂପୂର୍ଣ୍ଣ ସଦୁପଯୋଗ ପାଇଁ କୌଣସି ଭିତ୍ତିଭୂମି ଓ ଯନ୍ତ୍ରପାତିର ଅଭାବ ରହିବ ନାହିଁ। ତାହାହେଲେ ଯାଇ ଆମ ଦେଶରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାର ସ୍ୱପ୍ନ ସାକାର ହେବ।

Comments are closed.