ରୁଷର ବିଷ କୂଟନୀତି

ଲଳିତେନ୍ଦୁ ପଲାଉରୀ

ରୁଷର ୟୁକ୍ରେନ୍ ଉପରେ ଘନଘନ ଆକ୍ରମଣ, ଧ୍ବଂସ ଲୀଳା, ନରସଂହାର ବିରାଟ ମାନବୀୟ ସଙ୍କଟ ସୃଷ୍ଟି କରିଛି। ୟୁକ୍ରେନକୁ ଧ୍ବଂସସ୍ତୂପ କରି ଦେଇଥିବା ରୁଷ ତଥାପି ଆକ୍ରମଣ ବନ୍ଦ କରୁନି। ତେବେ ଏହାକୁ ଯୁଦ୍ଧ ନୁହେଁ, ବରଂ ୟୁକ୍ରେନ୍ ବିରୋଧରେ ଏହା କେବଳ ସାମରିକ ଅଭିଯାନ ବୋଲି ରୁଷ ପ୍ରଶାସନ କହି ଚାଲିଛି । ରୁଷ ଉପରେ ଆମେରିକା, ଇଂଲଣ୍ଡ ସମେତ ନାଟୋ ସଦସ୍ୟ ରାଷ୍ଟ୍ରଗୁଡିକ କଡା ନିନ୍ଦା କରିବା ସହ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି। ଜାତିସଂଘର ମାନବାଧିକାର ସଂଗଠନ ରୁଷର ସଦସ୍ୟତା ରଦ୍ଦ କରିଛି। ଏତେ ସବୁ ପରେ ବି ରୁଷ ଯୁଦ୍ଧରୁ ଓହରୁନି। ଜିଦ୍‌ଖୋର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ନିଜ ନିଜ ଜିଦ ପୂରଣ ପାଇଁ ଦେଶବାସୀଙ୍କୁ ମୋହରା କରି ଯୁଦ୍ଧ ଜାରି ରଖିଛନ୍ତି। ସୁପର ପାୱାର ରୁଷର ଯୁଦ୍ଧ କୂଟନୀତି, ଅଣୁ ପରମାଣୁ ଅସ୍ତ୍ର ସହ ବିଷକୁ ମଧ୍ୟ ଅସ୍ତ୍ର ଭାବେ ବ୍ୟବହାର କରି କୂଟନୈତିକ ବିଜୟ ପାଇଁ ରୁଷ ଚେଷ୍ଟା ଜାରି ରଖିଛି। ପୂର୍ବ ସୋଭିଏତ ସଂଘ ମଧ୍ୟ ଏଭଳି ପୁରୁଣା ବିଷକୁ ରଣନୀତି କରୁଥିବାର ଅନେକ ନଜିର ରହିଛି। ବିଶେଷ କରି ଆଭ୍ୟନ୍ତରୀଣ ଶତ୍ରୁ, ନିନ୍ଦୁକ, ବିରୋଧୀ ଓ ବାହ୍ୟ ଶତ୍ରୁଙ୍କୁ ବରବାଦ କରିବାକୁ ବିଷକୁ ଏକ ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରି ଆସୁଛି ରୁଷ। ଏଥିପାଇଁ ରୁଷ ସୁରକ୍ଷା ସଂସ୍ଥା ହେଉ କି ଗୁଇନ୍ଦା ସଂସ୍ଥା ଦୀର୍ଘଦିନ ହେଲା ଏଭଳି ଗୁପ୍ତ ଗବେଷଣା ଜାରି ରଖିଛନ୍ତି।

ନିକଟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରମୁଖ ସମାଲୋଚକ ତଥା ବିରୋଧୀ ନେତା ଆଲେକ୍ସି ନାଭଲିନଙ୍କୁ ବିଷ ଦିଆଯାଇଥିଲା। ଏହି ବିଷକ୍ରିୟା ଜଣା ପଡ଼ିବା ପରେ ଗୁରୁତର ଅବସ୍ଥାରେ ନାଭଲିନଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଜର୍ମାନୀର ବର୍ଲିନକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ନାଭଲିନଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ ଯେ ନାଭଲିନଙ୍କୁ ମାରିବାକୁ ତାଙ୍କ ଖାଦ୍ୟରେ ବିଷ ଦିଆଯାଇଥିଲା। ଏହି ବିଷକ୍ରିୟା ପଛରେ ରୁଷ ରାଷ୍ଟ୍ରପତି ପୁଟିନଙ୍କ କେହି ବିଶ୍ବସ୍ତ କିମ୍ବା ତାଙ୍କୁ ଖୁସି କରିବାକୁ କେହି ଷଡଯନ୍ତ୍ର କରିଥିବା କୁହାଯାଉଛି। ତେବେ ନାଭଲିନଙ୍କୁ ବିଷ ଦେବା ଘଟଣାକୁ ରୁଷର କ୍ରେମଲିନ୍ ପ୍ରଶାସନ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ସେହିଭଳି ଯୁକ୍ରେନ-ରୁଷ ଶାନ୍ତି ପ୍ରତିଷ୍ଠା ପାଇଁ ମଧ୍ୟସ୍ଥତା କରିବାକୁ ଆଗ୍ରହ ଦେଖାଇଥିବା ରୋମାନ ଆବ୍ରୋମୋଭିଚ ଏବଂ କ୍ରିମିଆର ଆଇନଜୀବୀ ରୁଷ୍ଟେମ ଉମରେଭୋଙ୍କୁ ମଧ୍ୟ କିଛିଦିନ ପୂର୍ବେ ବିଷ ଦିଆଯାଇଥିବା ଅନୁମାନ କରାଯାଉଛି।

ୟୁକ୍ରେନ୍ ରାଜଧାନୀ କିଭରେ ଉଭୟଙ୍କୁ ଗୁରୁତର ସ୍ଥିତିରେ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ଆଖି ଲାଲ ଓ ଆଖିରୁ ଅନବରତ ଲୁହ ଗଡିବା, ମୁଖ ମଣ୍ଡଳ ମଳିନ ଦେଖାଯାଉଥିଲା। ତେବେ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ବିପଦମୁକ୍ତ ରହିଛି। ୟୁକ୍ରେନ-ରୁଷ ଯୁଦ୍ଧ ପ୍ରଶମନ ପାଇଁ ଉଭୟ ମଧ୍ୟସ୍ଥତା ନକରି ଓହରିଯିବାକୁ ସେମାନଙ୍କୁ ସାମାନ୍ୟ ବିଷ ଦିଆଯାଇ ପରୋକ୍ଷରେ ଚେତାବନୀ ଦିଆଯାଇଥିଲା ବୋଲି କୁହାଯାଉଛି। ଆବ୍ରୋମୋଭିଚଙ୍କୁ ରୁଷ-ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଉପଯୁକ୍ତ ଭାବି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିଥିଲେ।

ତେବେ ଦେଖାଯାଇଛି ଯେ ୨୦୦୪ ମସିହା ପରେ ରୁଷରେ ଭ୍ଲାଦିମିର ପୁଟିନଙ୍କ କ୍ଷମତା ବୃଦ୍ଧି ପରେ ରୁଷର ଏହି ବିଷ କୂଟନୀତି ଅଧିକ ବୃଦ୍ଧି ପାଇଛି। ୟୁକ୍ରେନର ପୂର୍ବତନ ରାଷ୍ଟ୍ରପତି ତଥା ‘ଅରେଞ୍ଜ ରିଭଲ୍ୟୁସନ’ର ମୁଖ୍ୟ ଭିକ୍ଟର ୟୁସେନୋକୋ ଯିଏ କି ରୁଷ ପ୍ରଶାସନ ବିରୋଧରେ ଶୋଭାଯାତ୍ରା ବାହାର କରିଥିଲେ, ତାଙ୍କୁ ମଧ୍ୟ ‘ପୋଟେଣ୍ଟ ଡାୟୋକ୍ସିନ’ ବିଷ ଦିଆଯାଇଥିଲା । ପରେ ତାଙ୍କ ଶରୀରକୁ କ୍ଷତ ବିକ୍ଷତ କରି ଫିଙ୍ଗି ଦିଆଯାଇଥିଲା। ସେହି ବର୍ଷ ମଧ୍ୟ ଜଣେ ଅନୁସନ୍ଧାନମୂଳକ ସାମ୍ବାଦିକତା କରୁଥିବା ସାମ୍ବାଦିକା ଆନ୍ନା ପୋଲିଟକୋଭାସ୍କିଙ୍କୁ ମଧ୍ୟ ବିଷଦେଇ ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା, ଯିଏ ରୁଷର ବେସଲାନ ସ୍କୁଲ ଅପହରଣ ଘଟଣାକୁ ନେଇ ରୁଷ ସରକାରଙ୍କୁ ସମାଲୋଚନା କରି ଖବର ଛାପିଥିଲେ। ତେବେ ଗୁରୁତର ପୋଲିଟକୋଭାସ୍କି ଚିକିତ୍ସା ପରେ ବଞ୍ଚି ଯାଇଥିଲେ । ଆଉ ଠିକ ୨ ବର୍ଷ ପରେ ଭ୍ଲାଦିମିର ପୁଟିନଙ୍କ ଜନ୍ମଦିନରେ ହିଁ ପୋଲିଟକୋଭାସ୍କିଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ତେବେ ସାମ୍ବାଦିକା ଆନ୍ନା ପୋଲିଟକୋଭାସ୍କି ମୃତ୍ୟୁକୁ ନେଇ ପୁଟିନଙ୍କୁ ସିଧା ଦାୟୀ କରିଥିବା ରୁଷ ଏଫଏସବି ସୁରକ୍ଷା ସଂସ୍ଥାର ଅଫିସର ଆଲେକଜାଣ୍ଡର ଲିଟଭିନକୋଙ୍କୁ ମଧ୍ୟ ଲଣ୍ଡନର ଏକ ହୋଟେଲରେ ଚା’ ରେ ବିଷ ଦିଆଯାଇ ହତ୍ୟା କରାଯାଇଥିଲା। ଏଥିପାଇଁ ପୁଟିନଙ୍କର ନିର୍ଦେଶ ଥିଲା ବୋଲି ବ୍ରି​‌େ​‌ଟନ୍ ସରକାର ପରେ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା।

୨୦୧୮ ମାର୍ଚ୍ଚ ମାସରେ ରୁଷ ମିଲିଟାରୀର ଆଉ ଜଣେ ଇଣ୍ଟିଲଜେନ୍ସ ଅଫିସର ସେର୍ଗୀ ସ୍କ୍ରିପଲଙ୍କୁ ମଧ୍ୟ ଇଂଲଣ୍ଡର ସେଲ୍ସ ବ୍ୟୁରି ସହରରେ ବିଷ ଦିଆଯାଇଥିଲା। ଅନୁସନ୍ଧାନ ପରେ ଜଣାପଡିଥିଲା କି ରୁଷର ନର୍ଭ ଏଜେଣ୍ଟ ଲୋଭିଚୋକ ଗବେଷଣାରୁ ପ୍ରସ୍ତୁତ ଗୁପ୍ତ ରସାୟନିକ ପଦାର୍ଥ ତାଙ୍କଠାରେ ପ୍ରୟୋଗ କରାଯାଇଥିଲା। ଏହି ଘଟଣାରେ ବ୍ରିଟିଶ ପୁଲିସ ଦୁଇଜଣ ରୁଷୀୟ ସାମରିକ ଗୁଇନ୍ଦା ଅଧିକାରୀଙ୍କ ସଂପୃକ୍ତି ନେଇ ଜାଣିବାକୁ ପାଇଥିଲା। ଏହି ଦୁଇ ଗୁଇନ୍ଦା ଅଧିକାରୀ ପୁଟିନଙ୍କର ବହୁ ବିଶ୍ବସ୍ତ ଥିଲେ ଓ ପୁଟିନଙ୍କ ଦ୍ବାରା ପୂର୍ବରୁ ମଧ୍ୟ ସମ୍ମାନିତ ହୋଇଥିଲେ। ତେବେ ଅଧିକାଂଶ ବିଷକ୍ରିୟାରେ ରୁଷର ସୁରକ୍ଷା କର୍ମଚାରୀ କିମ୍ବା ଗୁଇନ୍ଦା ଅଧିକାରୀଙ୍କ ସଂପୃକ୍ତ ରହିଛି। ରୁଷର କାର୍ନେଜି ମସ୍କୋ ସେଣ୍ଟରର ଜଣେ ଗବେଷକ ଲେଖିଛନ୍ତି ଯେ ନାଭଲେନିଙ୍କୁ ବିଷ ଦେବା ପଛରେ ପୁଟିନଙ୍କ ମିଲିଟାରୀ ସଦସ୍ୟ କିମ୍ବା ପୁଟିନଙ୍କୁ ଖୁସି କରିବାକୁ ଏଭଳି ପ୍ରୟାସ କରାଯାଇଥିଲା। କାରଣ ନାଭଲେନିଙ୍କ ପ୍ରତି ହୋଇଥିବା ବିଷକ୍ରିୟା ପୂର୍ବରୁ ପୁଟିନଙ୍କ ୨ଜଣ ବିରୋଧୀଙ୍କ ପ୍ରତି ହୋଇଥିବା ଘଟଣା ସହ ସାମଞ୍ଜସ୍ୟ ରଖୁଛି। ୧୯୫୭ ମସିହାରେ ବୁଲଗେରିଆର ବିରୋଧୀ ନେତା ଗେରଗୋଇ ମାରକଭଙ୍କୁ ମଧ୍ୟ ଏଭଳି ସନ୍ଦେହଜନକ ବିଷକ୍ରିୟା ମୃତ୍ୟୁ ନେଇ ଠାବ କରାଯାଇଥିଲା। ନିକୋଲାଇ ଖୋଖଲଭ ନାମକ ଜଣେ କେଜିବି ବିଦ୍ରୋହୀଙ୍କୁ ମଧ୍ୟ କିଭରେ ବିଷ ଦିଆଯାଇ ହତ୍ୟା କରାଯାଇଥିଲା।

ସୋଭିଏତ ସଂଘ ହେଉ କି ବର୍ତ୍ତମାନର ରୁଷ, ସେଠାକାର ପ୍ରମୁଖ ସୁରକ୍ଷା ସଂସ୍ଥାର ଏକ ଗୁପ୍ତ ବିଷ ଗବେଷଣାଗାର ରହିଛି। ଏହି ଗବେଷଣାଗାରକୁ ‘କାମିରା’ ନାମରେ ନାମିତ କରାଯାଇଛି, ଯାହାର ଅର୍ଥ ଗୁପ୍ତ କୋଠରି। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍ ଅନବରତ ଗବେଷଣା କରୁଛନ୍ତି। ସୋଭିଏତ ସଂଘରେ ଜୋଶେଫ୍ ଷ୍ଟାଲିନଙ୍କ ଶାସନ ସମୟରୁ ଏହି ବିଷ ଅସ୍ତ୍ର ପ୍ରୟୋଗଶାଳା ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ସୋଭିଏତ ମିଲିଟାରୀର ଜଣେ ପୂର୍ବତନ ଅଧିକାରୀ ବୋରିସ ଭୋଲଡରସ୍କାଏ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ରୁଷ ସେନା ବିଷ ଅସ୍ତ୍ର ପ୍ରସ୍ତୁତ କରିବା ରୁଷ ଗୁପ୍ତଚର ସଂସ୍ଥା କେଜିବିର ଏକ ପୁରୁଣା ପ୍ରୟାସ। ଏହାକୁ ଏକ ନୂଆ କୂଟନୀତି ବା ଯୁଦ୍ଧ ଜିଣିବାର ଏକ ଗୁପ୍ତ ଯୋଜନା ମଧ୍ୟ କୁହାଯାଉଛି। ଏସବୁ ଭିତରେ ନିଜେ ଭ୍ଲାଦିମିର ପୁଟିନ୍ ମଧ୍ୟ କାଳେ କେବେ ଏଭଳି ବିଷ କୂଟନୀତିରେ ଶିକାର ହେବେ ସେଥିପାଇଁ ନିଜେ ସଜାଗ ହୋଇଯାଇଛନ୍ତି। ନିକଟ ଅତୀତରେ ନିଜେ ପୁଟିନ୍‌ ନିଜର ବିଶ୍ବସ୍ତ ୧ ହଜାର ବ୍ୟକ୍ତିଗତ କର୍ମଚାରୀଙ୍କୁ ସେ ସେବାରୁ ଛଟେଇ କରିଛନ୍ତି। ଏହି କର୍ମଚାରୀମାନେ ପୁଟିନଙ୍କ ରୋଷେୟା, ଲଣ୍ଡ୍ରି ଷ୍ଟାଫ ଓ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ତେଣୁ ଉପରୋକ୍ତ ଘଟଣାଗୁଡିକୁ ଅନୁଶୀଳନ କଲେ ଜଣାଯାଏ ଯେ ଶତ୍ରୁ ପକ୍ଷକୁ ଦୁର୍ବଳ କରିବାକୁ ହେଉ କିମ୍ବା ସାରା ଜୀବନ ଅପରାଜେୟ ଶାସକ ରହିବାକୁ ଏଭଳି ବିଷ କୂଟନୀତିକୁ ଢାଲ ଭାବେ ବ୍ୟବହାର କରାଯାଉଛି କି? ବିଶ୍ବର ମହାଶକ୍ତିମାନଙ୍କ ମଧ୍ୟରେ ଶୀତଳ ଯୁଦ୍ଧ, ଛାୟା କୁଟନୀତି ହେଉ କିମ୍ବା ଆଭ୍ୟନ୍ତରୀଣ ଶତ୍ରୁଙ୍କୁ ଦମନ ପାଇଁ ରୁଷ ଭଳି ଅନେକ ଦେଶର ବିଷଅସ୍ତ୍ର କୂଟନୀତି ପ୍ରତି ସର୍ବଦା ସତର୍କ ରହିବା ଜରୁରୀ।

Comments are closed.