ମଧୁବାବୁ ଓ ପୁରୀ ଶ୍ରୀମନ୍ଦିର ମାମଲା

- ବିଶ୍ବଭୂଷଣ ହରିଚନ୍ଦନ

ଉତ୍କଳୀୟ ଜନଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉତ୍କଳଗୌରବ ମଧୁସୂଦନଙ୍କ ଉପସ୍ଥିତି ଓ ନେତୃତ୍ୱ ଯେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ଜାରି ରହିଥିଲା, ତାହା ସର୍ବଜନ ବିଦିତ। ବିଭିନ୍ନ ପ୍ରଦେଶରେ ଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ଯେଉଁ ଅଭୂତପୂର୍ବ ଜନ ଆନ୍ଦୋଳନ ହୋଇଥିଲା, ସେ ଥିଲେ ତାର ସର୍ବୋଚ୍ଚ ନେତା। ଉତ୍କଳର ସବୁ କ୍ଷେତ୍ରର ବରପୁତ୍ରମାନଙ୍କୁ ଏକତ୍ର କରି ଦୀର୍ଘଦିନ ଧରି ସଂଗ୍ରାମ ଚଳାଇ ଶେଷରେ ସଫଳକାମ ହେବା କେବଳ ତାଙ୍କର ବିରାଟ ବ୍ୟକ୍ତିତ୍ୱ, ସାଧନା ଓ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇଥିଲା। ଏ ମାଟି ମାଆ ଓ ମଣିଷ ପାଇଁ ସେ ଯେମିତି ନିଜକୁ ଉତ୍ସର୍ଗ କରି ଦେଇଥିଲେ। ଓଡ଼ିଶାର ଭାଷା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ନେଇ ସେ ଗର୍ବ କରୁଥିଲେ।

ଓଡ଼ିଶାର ସେ ମହାନ ବରପୁତ୍ରଙ୍କର ଜୀବନର ଏକ ସ୍ମରଣୀୟ ଅଭୁଲା ପ୍ରସଙ୍ଗ, ଯାହାକି କେବଳ ଓଡ଼ିଶା ନୁହେଁ; ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଶ୍ୱର ସମସ୍ତ ଜଗନ୍ନାଥପ୍ରେମୀ ଜନସାଧାରଣଙ୍କ ଭିତରେ ଚହଳ ପକାଇ ଦେଇଥିଲା, ତା ଉପରେ ଏ ଲେଖାରେ ସମ୍ୟକ ସୂଚନା ଦେବା ପାଇଁ ପ୍ରୟାସ କରିଛି।

ଇଂରେଜମାନେ ଓଡ଼ିଶା ଦଖଲ କରିବା ପରେ ଶ୍ରୀମନ୍ଦିରର ପରିଚାଳନାରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିନଥିଲେ; କାରଣ ସେମାନେ ଜାଣିଥିଲେ ଯେ ପ୍ରଭୁ ଶ୍ରୀଜଗନ୍ନାଥ କେବଳ ଉତ୍କଳୀୟମାନଙ୍କର ରାଷ୍ଟ୍ରଦେବତା ନୁହନ୍ତି, ସମଗ୍ର ହିନ୍ଦୁ ଜଗତର ସେ ହେଉଛନ୍ତି ସର୍ବଶ୍ରେଷ୍ଠ ଦେବତା। ବୌଦ୍ଧ, ଜୈନ, ଶାକ୍ତ, ବୈଷ୍ଣବ ସମେତ ପ୍ରାୟ ସବୁ ଧର୍ମର ଲୋକେ ତାଙ୍କର ଆରାଧନା କେବଳ କରନ୍ତି ନାହିଁ, ତାଙ୍କୁ ବିଶ୍ୱନିୟନ୍ତା ଓ ମାନବ ସମାଜର ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରନ୍ତି। ଭାରତବର୍ଷ, ଶ୍ରୀଲଙ୍କା, ନେପାଳ ସମେତ ଅନେକ ଦେଶର ଲୋକ ଜଗନ୍ନାଥ ଧାମକୁ ଶ୍ରେଷ୍ଠ ଧାମ ଓ ଜଗନ୍ନାଥଙ୍କର ଆଦ୍ୟ ସେବକ ଉତ୍କଳର ଗଜପତି ମହାରାଜାଙ୍କୁ ଠାକୁରରାଜା ଭାବରେ ସମ୍ମାନ ଦିଅନ୍ତି। ଶହ ଶହ ବର୍ଷ ଧରି ଶ୍ରୀମନ୍ଦିରର ପରିଚାଳନା ଓ ସମସ୍ତ ଦାୟିତ୍ୱ ଗଜପତି ମହାରାଜାମାନେ ନିଜ ହାତରେ ରଖି ଆସିଛନ୍ତି। କୂଟନୀତି ବିଶାରଦ ଇଂରେଜମାନେ ଏ ସବୁ ବିଷୟରେ ଭଲ ଭାବରେ ଅବଗତ ଥିବାରୁ ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଏକ ବିଶେଷ ଆଦେଶ ବଳରେ ଶ୍ରୀମନ୍ଦିରର ସମସ୍ତ ଦାୟିତ୍ୱ ସେତେବେଳର ପୁରୀ ରାଜାଙ୍କ ଉପରେ ଛାଡ଼ି ଦେଇଥିଲେ।

କେତେକ ଚକ୍ରାନ୍ତର ଶିକାର ହୋଇ ସେତେବେଳର ପୁରୀ ରାଜା ଦିବ୍ୟସିଂହ ଦେବ ଏକ ମିଥ୍ୟା ହତ୍ୟା ମୋକଦ୍ଦମାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେଲେ ଓ ଦ୍ୱୀପାନ୍ତର ଦଣ୍ଡରେ ଦଣ୍ଡିତ ହୋଇଥିଲେ। ଏ ପରିସ୍ଥିତିର ସୁଯୋଗ ନେଇ, ତତ୍କାଳୀନ ପୁରୀ ଜିଲାପାଳ ତାଙ୍କର ଉପରିସ୍ଥ ଇଂରେଜ ଶାସକମାନଙ୍କୁ ପ୍ରବର୍ତ୍ତାଇ ଶ୍ରୀମନ୍ଦିରର ଶାସନ ସରକାରଙ୍କ ହାତକୁ ନେବାକୁ ପ୍ରଯତ୍ନ କଲେ।
ଦିବ୍ୟସିଂହ ଦେବଙ୍କର ମାତା, ରାଜମାତା ସୂର୍ଯ୍ୟମଣି ପାଟମହାଦେଈ ଇଂରେଜମାନଙ୍କର ଚକ୍ରାନ୍ତ ବିଷୟରେ ଅବଗତ ହେବାମାତ୍ରେ ତାଙ୍କର ନାତି ତଥା ଦିବ୍ୟସିଂହ ଦେବଙ୍କ ପାଞ୍ଚବର୍ଷର ପୁତ୍ର ଜଗନ୍ନାଥ ଜେନାମଣିଙ୍କୁ ସମସ୍ତ ରାଜକୀୟ ରୀତିନୀତି ପାଳନ କରି ରାଜା ଭାବେ ତାଙ୍କର ଅଭିଷେକ କରାଇଦେଲେ। ଜେନାମଣିଙ୍କୁ ରାଜାଭାବେ ସ୍ୱୀକୃତି ଦେଇ ଶ୍ରୀମନ୍ଦିର ପରିଚାଳନା ଭାର ଅଭିଭାବକ ଭାବେ ତାଙ୍କ ଉପରେ ନ୍ୟସ୍ତ କରିବାକୁ ଇଂରେଜ ଅଧିକାରୀମାନଙ୍କୁ ଯେତେ ଦରଖାସ୍ତ କଲେ ମଧ୍ୟ କେହି ଶୁଣିଲେ ନାହିଁ। ଓଲଟି ମନ୍ଦିର ପରିଚାଳନା ଦାୟିତ୍ୱ ରାଜାମାତାଙ୍କ ହାତରୁ କାଢ଼ି ନେଇଗଲେ। ପୂର୍ବ ଚୁକ୍ତି ଅନୁଯାୟୀ ପୁରୀ ରାଜା ସରକାରୀ ରାଜକୋଷରୁ ଯେଉଁ ବାର୍ଷିକ ଟ.୨୧,୩୩୩୧.୪ ପାହୁଲା ପାଉଥିଲେ ସେଥିରୁ ତାଙ୍କୁ ବଞ୍ଚିତ କରାଗଲା। ପୁଣି ରାଜାଙ୍କର ଯାହା ଭୂସଂପତ୍ତି ଥିଲା ସେ ସବୁର ଆୟ ମଧ୍ୟ କୋର୍ଟ ଆଦେଶରେ ବନ୍ଦ କରିଦିଆଗଲା। ଏହା ପରେ ସୂର୍ଯ୍ୟମଣି ପାଟମହାଦେଈଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଲା। ରାଜ ଉଆସ ଓ ମନ୍ଦିରର ଦୈନନ୍ଦିନ ଖର୍ଚ୍ଚ ତୁଲାଇବାକୁ ତାଙ୍କୁ ନାନା ଆଡ଼ୁ ଋଣ କରିବାକୁ ପଡ଼ିଲା। ସ୍ଥାନୀୟ ଶାସନ କର୍ତ୍ତୃପକ୍ଷ କୋର୍ଟରେ ମୋକଦ୍ଦମା କରି ମନ୍ଦିର ପରିଚାଳନା ପାଇଁ ‘ରିସିଭର’ ନିଯୁକ୍ତ କରିବାରେ ସଫଳ ହେଲେ।

ଶ୍ରୀମନ୍ଦିର ପରିଚାଳନା ପାଇଁ ‘ରିସିଭର’ ନିଯୁକ୍ତ କରି, ପୁରୀ ରାଜବଂଶର ସମସ୍ତ ଅଧିକାରରୁ ତାଙ୍କୁ ବଞ୍ଚିତ କରିବା ପରେ କୋର୍ଟ ରାୟ ବିରୋଧରେ କଲିକତା ଉଚ୍ଚ ନ୍ୟାୟାଳୟରେ ଲଢ଼ି ପ୍ରତିକାର ଲୋଡ଼ିବାର ଆର୍ଥିକ କ୍ଷମତା ଆଉ ସୂର୍ଯ୍ୟମଣି ପାଟମହାଦେଈଙ୍କର ନଥିଲା। ତାଙ୍କୁ ଚତୁର୍ଦ୍ଦିଗ ଦେଖାଗଲା ଅନ୍ଧକାର। ଘନ ଅନ୍ଧକାର ଭିତରେ ଏକ ଉଳ ଆଲୋକ ଶିଖା ଭଳି ରାଜମାତା ଏବଂ ତାଙ୍କର ପରାମର୍ଶଦାତାମାନଙ୍କ ସାମ୍ନାରେ ଝଲସି ଉଠିଲା ଗୋଟିଏ ସୁଦୀପ୍ତ ମୁଖମଣ୍ଡଳ, ଏକ ମହାନ ବ୍ୟକ୍ତିତ୍ୱ, ଉତ୍କଳର ଗର୍ବ, ଗୌରବ ଓ ସ୍ୱାଭିମାନର ମହାନ ଯୋଦ୍ଧା ମଧୁସୂଦନ। ଏ ଘୋର ବିପତ୍ତି ବେଳେ ତାଙ୍କୁ ସାହାଯ୍ୟ କରିବାକୁ ରାଜମାତା ମଧୁସୂଦନଙ୍କୁ ବାର୍ତ୍ତା ପ୍ରେରଣ କଲେ। ସମସ୍ତେ ଚକିତ ହେଲେ ଯେ ଖ୍ରୀଷ୍ଟିଆନ ଧର୍ମ ଅବଲମ୍ବନ କରିଥିବା ମଧୁସୂଦନ ଶ୍ରୀଜଗନ୍ନାଥ ମନ୍ଦିର ପାଇଁ କଣ ମୋକଦ୍ଦମା ଲଢ଼ିବେ!

ସମସ୍ତଙ୍କ ଧାରଣାକୁ ଭୁଲ୍ ପ୍ରମାଣିତ କରି ପୁରୀ ରାଜଉଆସରେ ଆସି ପହଞ୍ଚିଲେ ମଧୁସୂଦନ। ଉଆସ କରଣ ଦୁଃଖିଶ୍ୟାମ ପଟ୍ଟନାୟକ ତାଙ୍କୁ ପାଛୋଟି କରି ଉଆସ ଭିତରକୁ ନେଲେ। ପ୍ରାଙ୍ଗଣ ପରେ ପ୍ରାଙ୍ଗଣ ଟପିଯିବା ଭିତରେ ମଧୁସୂଦନ ରାଜଉଆସର ଶୋଚନୀୟ ଅବସ୍ଥା ଉପରେ ଆଖି ବୁଲାଇ ଆଣିଲେ। ଏ କଣ ଏକ ରାଜଉଆସ ନା ଏକ ଉପେକ୍ଷିତ ଅଟ୍ଟାଳିକା! ମରାମତି ହୋଇନଥିବା କାନ୍ଥ ସବୁରୁ ଚୂନ ଛାଡ଼ିଯାଇ ବିବର୍ଣ୍ଣ ଦେଖାଯାଉଛି। ଯେଉଁ ରାଜଉଆସ ମନ୍ତ୍ରୀ, ପାରିଷଦ, ରାଜ କର୍ମଚାରୀ, ଦାସୀ ପରିଚାରୀଙ୍କ ଆତଯାତ ଓ କୋଳାହଳରେ ଗହଗହ ଡ଼ାକୁଥିଲା, ତାହା ସଂପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଛି। ଦୁଇ ଚାରିଜଣ ସେବକଙ୍କ ଛଡ଼ା ଆଉ କେହି ମଧୁସୂଦନଙ୍କ ଆଖିରେ ପଡ଼ିଲେ ନାହିଁ। ସ୍ତବ୍ଧ ହୋଇଗଲେ ମଧୁସୂଦନ। ନିଜକୁ ନିଜେ ପ୍ରଶ୍ନ କଲେ, ‘ଏଇ କଣ ଆଗଙ୍ଗାଗୋଦାବରୀ ବିଜେତା ଓଡ଼ିଆ ଜାତିର ଗର୍ବ ଓ ଗୌରବର ବିଜୟ କେତନକୁ ଶହଶହ ବର୍ଷ ଧରି ଉଡ଼ାଇ ରଖିଥିବା, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ଗଜପତି ମହାରାଜାଙ୍କ ରାଜ ନବର!’ ଶେଷ ପ୍ରାଙ୍ଗଣ ଟପି ଏକ ବୃହତ୍ କୋଠରି ପାଖକୁ ମଧୁସୂଦନଙ୍କୁ ନେଇଗଲେ ଦୁଃଖିଶ୍ୟାମ ପଟ୍ଟନାୟକ। ପରଦା ଉହାଡ଼ରେ ରହି ଆସନ ଗ୍ରହଣ କରିବାକୁ କହିଲେ ସୂର୍ଯ୍ୟମଣି ପାଟମହାଦେଈ। ସେଇ ପରଦା ଉହାଡରେ ରହି ପୁଣି କହିଲେ, “ମୋକଦ୍ଦମା ସଂପର୍କରେ ଦୁଃଖିଶ୍ୟାମଙ୍କ ଠାରୁ ତ ସବୁ ଶୁଣିଥିବେ। ଶ୍ରୀମନ୍ଦିରର ସମସ୍ତ ଦାୟିତ୍ୱ ରାଜ ପରିବାର ହାତରୁ ଇଂରେଜ ସରକାର କେବଳ ଛଡ଼ାଇ ନେଇନାହିଁ, ପୂର୍ବର ଚୁକ୍ତି ଅନୁସାରେ ରାଜା ପାଉଥିବା ବାର୍ଷିକ ପ୍ରାପ୍ୟକୁ ମଧ୍ୟ ବନ୍ଦ କରିଦେଇଛି। ଏପରି କି ବ୍ୟକ୍ତିଗତ ସମ୍ପତ୍ତିର ଆୟକୁ ବି ବନ୍ଦ କରିଦେଇଛନ୍ତି। ଓଡ଼ଆ ଜାତିର ଆରାଧ୍ୟ ଦେବତା, ଜଗତର ନାଥ ଜଗନ୍ନାଥଙ୍କ ଗୌରବ ଗରିମା, ପରମ୍ପରାକୁ ଧୂଳିସାତ୍ କରିବା ପାଇଁ ଚକ୍ରାନ୍ତ ଚାଲିଛି। ଏ ସବୁ ଆଉ ସହି ହେଉ ନାହିଁ। ହୃଦୟ ଫାଟି ଯାଉଛି। ଏ ସଙ୍କଟରୁ ଆପଣ ହିଁ କେବଳ ଆମକୁ ଉଦ୍ଧାର କରିପାରିବେ। ମୁଁ ତ ଆଜି ନିଃସ୍ୱ!”

“ଆଉ କିଛି କୁହନ୍ତୁ ନାହିଁ ରାଜାମାତା”, ବାଷ୍ପାକୁଳ କଣ୍ଠରେ କହିଲେ ମଧୁସୂଦନ। “ମୋ ଜାତିର ଗର୍ବ, ଗୌରବ ଓ ପରମ୍ପରା ଉପରେ ଇଂରେଜ ସରକାର ପଦାଘାତ କରିବ, ଆଉ ତାକୁ ଏ ମଧୁସୂଦନ ମୁଣ୍ଡପାତି ସହିଯିବ, ଏହା କେବେ ସମ୍ଭବ ନୁହେଁ। ମୁଁ ଓକିଲ ଭାବରେ ଅର୍ଥ ଲାଳସାରେ ଏଠାକୁ ଆସିନାହିଁ। ମୋ ଜାତିର ଆତ୍ମା, ଓଡ଼ିଶାର ରାଷ୍ଟ୍ର ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଓ ତାଙ୍କର ଚଳି ଆସିଥିବା ଶହଶହ ବର୍ଷର ପରମ୍ପରା ଓ ମୋ ଓଡ଼ିଆ ଜାତିର ମଉଡ଼ମଣି ଗଜପତି ମହାରାଜାଙ୍କର ସମ୍ମାନ ରକ୍ଷା ପାଇଁ ମୁଁ ଶେଷ ପର୍ଯ୍ୟନ୍ତ ଲଢ଼ିବି। ଆପଣ ଚିନ୍ତା କରନ୍ତୁ ନାହିଁ। ସବୁ ଦାୟିତ୍ୱ ମୋ ଉପରେ ଛାଡ଼ି ଦିଅନ୍ତୁ।”

ଏକ ବିରାଟ ଦାୟିତ୍ୱର ବୋଝ ନେଇ ମଧୁବାବୁ ରାଜ ଉଆସ ଛାଡ଼ିଲେ। କଟକରେ ନିଜ ସିରସ୍ତାରେ ବସି ଶ୍ରୀମନ୍ଦିର ସଂପର୍କୀୟ ବହୁ ତଥ୍ୟ ଉପରେ ପର୍ଯ୍ୟାଲୋଚନା କଲେ। ମାଦଳା ପାଞ୍ଜି, ନୀଳାଦ୍ରି ମହୋଦୟ ଓ ମନ୍ଦିର ପରମ୍ପରା ସଂପର୍କୀୟ ଅନ୍ୟାନ୍ୟ ପୁସ୍ତକ ସବୁ ପାଠ କଲେ। ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା, ସେଥିରେ ଗଜପତି ମହାରାଜା ବା ରାଜ ପରିବାରର ଭୂମିକା ଓ ଇଷ୍ଟ ଇଣ୍ଡିଆ କମ୍ପାନୀ ଓଡ଼ିଶା ଦଖଲ କରିବା ପରେ ଶ୍ରୀମନ୍ଦିର ପରିଚାଳନାରେ ଗଜପତିଙ୍କର ଅଧିକାରକୁ ଗଭର୍ଣ୍ଣର ଜେନେରାଲଙ୍କ ସ୍ୱୀକୃତି ଦେବା ଆଦେଶ ସହିତ ଅନ୍ୟାନ୍ୟ ସନନ୍ଦ ସବୁ ଅଧ୍ୟୟନ କଲେ। ଏ ସଂପର୍କରେ ମଧୁବାବୁ ସତେ ଯେଭଳି ଗବେଷଣା ଆରମ୍ଭ କରିଦେଇଥିଲେ। ସେ ମୋକଦ୍ଦମାରେ ଜିଣିବାର ତିଳେମାତ୍ର ସମ୍ଭାବନା ନଥିବା କହି, ମଧୁବାବୁ କାହିଁକି ଏଥିରେ ଏ ଭଳି ମାତିଛନ୍ତି ବୋଲି ଅନେକେ ମନ୍ତବ୍ୟ ଦେଲେ। ମଧୁବାବୁ କିନ୍ତୁ କାହାର ସମାଲୋଚନା ଓ ନିରୁତ୍ସାହ ବାଣୀକୁ ଶୁଣିବାକୁ ପ୍ରସ୍ତୁତ ନଥିଲେ। ସେ କଲିକତା ଉଚ୍ଚ ନ୍ୟାୟାଳୟରେ ମି. ଟି. ଉଡୁରଫ ଆଦି ବିଖ୍ୟାତ ଇଂରେଜ ଆଇନଜୀବୀମାନଙ୍କୁ ଏ ମୋକଦ୍ଦମାରେ ଲଢ଼ିବା ପାଇଁ ନିଯୁକ୍ତ କଲେ ସତ, ହେଲେ ଏ ସବୁ ପଛରେ ଥିଲା ମଧୁବାବୁଙ୍କର ଜିଦ୍, ଗବେଷଣା, ବିଚକ୍ଷଣ ବୁଦ୍ଧି ଓ ଗଭୀର ଜ୍ଞାନ। କଲିକତା ଉଚ୍ଚ ନ୍ୟାୟାଳୟରେ ଏ ମୋକଦ୍ଦମା ଦୀର୍ଘ ଦିନ ଚାଲିବା ପରେ ମଧୁସୂଦନଙ୍କର ଶ୍ରମ ଶେଷରେ ସାର୍ଥକ ହେଲା। ଉଚ୍ଚ ନ୍ୟାୟାଳୟ ତଳ ନ୍ୟାୟାଳୟର ରାୟକୁ ରଦ୍ଦ କରି ଏଥିରେ ‘ରିସିଭର’ ନିଯୁକ୍ତିର କୌଣସି ଆବଶ୍ୟକତା ନଥିଲା ବୋଲି ସ୍ପଷ୍ଟ କରିଦେଲେ। ଫଳରେ ରାଜାଙ୍କର ପୁଣି ଦେଉଳ ଉପରେ ସମସ୍ତ ଅଧିକାର ସାବ୍ୟସ୍ତ ହେଲା। ସରକାର ବାଧ୍ୟ ହୋଇ ସୂର୍ଯ୍ୟମଣି ପାଟମହାଦେଈଙ୍କ ସହିତ ସୁସଂପର୍କ ସ୍ଥାପନ କଲେ ଓ ରାଜ ପରିବାରର ସମସ୍ତ ଅଧିକାର ଫେରାଇଦେଲେ। ଉଚ୍ଚ ନ୍ୟାୟାଳୟରେ ମଧୁବାବୁଙ୍କର ଏ ବିଜୟ ସମଗ୍ର ଓଡ଼ିଶାରେ ଚହଳ ପକାଇଦେଲା ଓ ସାରା ଓଡ଼ିଶାର ପ୍ରତି ପ୍ରାନ୍ତରୁ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଲା। ଓଡ଼ିଆ ଜାତି, ତାର ଗର୍ବିତ ଇତିହାସ, ସଂସ୍କୃତି, ପରମ୍ପରା, ଓଡ଼ିଆ ଜାତିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥ ଓ ଏ ଜାତିର ଦିଗ୍ବିଜୟର ଶ୍ରେଷ୍ଠ ନାୟକ ଗଜପତି ମହାରାଜାଙ୍କ ପରିବାର ପ୍ରତି ମଧୁବାବୁଙ୍କର ଯେ କି ଅଖଣ୍ଡ ଶ୍ରଦ୍ଧା ଓ ସମ୍ମାନ ଥିଲା, ତାହା ଏହାଦ୍ୱାରା ପ୍ରମାଣିତ ହୋଇଗଲା। ଏ ବିଜୟର ମହାନାୟକ ମଧୁବାବୁଙ୍କୁ ଓଡ଼ିଶାବାସୀ ଜଣାଇଲେ ଶ୍ରେଷ୍ଠ ଶ୍ରଦ୍ଧା ଓ ସମ୍ମାନ।

Comments are closed.