ଏକକ ନିର୍ବାଚନ ନୁହେଁ; ସଂସ୍କାର ଆବଶ୍ୟକ

- ଅଭୟ କୁମାର ଦାସ

ବିଭିନ୍ନ ଶାସନ ବ୍ୟବସ୍ଥା ମଧ୍ୟରୁ ଗଣତନ୍ତ୍ର ସର୍ବୋତ୍କୃଷ୍ଟ ବୋଲି ବିବେଚିତ ହୋଇଛି; କାରଣ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନାଗରିକ କ୍ଷମତା ସମ୍ପନ୍ନ ଅନୁଭବ କରେ, ନାଗରିକ ନିଜ ପସନ୍ଦର ନେତା ମନୋନୟନ କରିପାରେ ଓ ବିଭିନ୍ନତା ନିର୍ବିଶେଷରେ ପ୍ରତ୍ୟେକ ନାଗରିକକୁ ଆଇନ ଆଗରେ ସମାନ ଭାବେ ବିଚାର କରାଯାଇଥାଏ। ତେଣୁ ୧୯୫ ଦେଶରୁ ୧୬୭ଟି ଦେଶ ଗଣତନ୍ତ୍ରକୁ ବାଛିଛି; କିନ୍ତୁ ସବୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ର ପୂର୍ଣ୍ଣକ୍ଷମ ନୁହେଁ। ଲଣ୍ଡନସ୍ଥିତ ‘ଦି ଇକୋନୋମିଷ୍ଟ୍‍ ଇଣ୍ଟେଲିଜେନ୍‍ସ’ ତରଫରୁ ଗଣତନ୍ତ୍ରର ବିଭିନ୍ନ ସୂଚକାଙ୍କ ଉପରେ ହୋଇଥିବା ଗବେଷଣା ପ୍ରଥମ ୧୯ଟି ରାଷ୍ଟ୍ରକୁ ‘ପୂର୍ଣ୍ଣଗଣତନ୍ତ୍ର’ ମାନ୍ୟତା ପ୍ରଦାନ କରିଥିବାବେଳେ ଆମ ଦେଶ ଭାରତକୁ ୪୨ତମ ସ୍ଥାନରେ ରଖି ‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’ ଭାବେ ସ୍ଥାନିତ କରିଛି। ଦୀର୍ଘଦିନ ହେବ ବୁଦ୍ଧିଜୀବୀମାନେ ଆମ ଗଣତନ୍ତ୍ରରେ କିଛି ସଂସ୍କାର ଦାବି କରୁଥିଲେ ହେଁ ସେ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ।

ପ୍ରଥମ ସଂସ୍କାର ହେଉଛି ‘ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା’। ଏହି ବ୍ୟବସ୍ଥାରେ ନିର୍ଦିଷ୍ଟ ଦଳକୁ ମିଳିଥିବା ଭୋଟ ଅନୁପାତ ଆଧାରରେ ସେହି ଦଳର ସମୁଦାୟ ଆସନ ସଂଖ୍ୟା ସ୍ଥିର ହୋଇଥାଏ। ଏହି ବ୍ୟବସ୍ଥା ୯୪ଟି ଦେଶରେ ପ୍ରଚଳିତ ଥିଲେ ହେଁ ଜର୍ମାନୀ ଢାଞ୍ଚାକୁ ସର୍ବୋତ୍କୃଷ୍ଟ ବୋଲି ବିବେଚନା କରାଯାଏ। ଦେଶର ଅଧା ନିର୍ବାଚନ ମଣ୍ଡଳୀରେ ଆମ ଢାଞ୍ଚାରେ ନିର୍ବାଚନ ହେଉଥିବାବେଳେ ବାକି ଅଧା ‘ପାର୍ଟି ତାଲିକା ଭୋଟିଂ’ ମାଧ୍ୟମରେ ହୁଏ। ସବୁ ଭୋଟର ଦୁଇଟି ଭୋଟ ଦିଅନ୍ତି। ଆମ ଦେଶରେ ଏହି ବ୍ୟବସ୍ଥା ଲାଗୁ ହେଲେ ୫୪୩ଟି ସିଟ୍‍ରୁ ୨୭୧ଜଣ ଆମ ପ୍ରଚଳିତ ଢାଞ୍ଚାରେ ନିର୍ବାଚିତ ହେବେ। ଉଦାହରଣ ସ୍ୱରୂପ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୩୭.୪ ଶତାଂଶ ଭୋଟ୍‍ ପାଇଛି। ତେବେ ପାର୍ଟି ତାଲିକା ଭୋଟିଂ ଅନୁସାରେ ବିଜେପିର ସର୍ବାଧିକ ଆସନ ୫୪୩ର ୩୭.୪ ଶତାଂଶ ଅର୍ଥାତ୍‍ ୨୦୩ରେ ସୀମିତ ରହିବ। ମନେକରାଯାଉ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ବ୍ୟବସ୍ଥାରେ ୨୭୧ରୁ ଯଦି ତାକୁ ୧୦୦ ଆସନ ମିଳିଥାଏ ତେବେ ‘ପାର୍ଟି ତାଲିକା ଭୋଟିଂ’ରୁ ବାକି ୧୦୩ ମିଳିବ ଯେପରି କି ସମୁଦାୟ ଆସନ ୨୦୩ରେ ସୀମିତ ରହିବ।

ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ହେଉଛି ‘ରାଷ୍ଟ୍ର ବହନ କରୁଥିବା ନିର୍ବାଚନ ଖର୍ଚ୍ଚ (ଷ୍ଟେଟ୍‍ ଫଣ୍ଡିଂ)’। ଗଣତନ୍ତ୍ର ସଂସ୍କାର ସଙ୍ଗଠନ ତଥ୍ୟ ଅନୁଯାୟୀ ଆମ ଦେଶରେ ୭୦ଶତାଂଶ ରାଜନୈତିକ ପାଣ୍ଠିର ଉତ୍ସ ଅଜ୍ଞାତ। ଗତ ୧୦ବର୍ଷରେ ରାଜନୈତିକ ଦଳଙ୍କ ପାଣ୍ଠି ଆଦାୟ ୪୧୮ ଶତାଂଶ ବୃଦ୍ଧି ଘଟିିଛି ବୋଲି ନିର୍ବାଚନ ଆୟୋଗ କହନ୍ତି। ନିର୍ବାଚନ ପାଣ୍ଠି ପାଇଁ ଦୁର୍ନୀତିର ଆଶ୍ରୟ ନେବାକୁ ପଡ଼ୁଥିବା ବେଳେ ପୁଞ୍ଜିପତିଙ୍କ କାନ୍ଧରେ ହାତ ରଖିବାକୁ ପଡ଼ିଥାଏ। ଏହି ବ୍ୟବସ୍ଥାରେ ଦାତା କୌଣସି ରାଜନୈତିକ ଦଳକୁ ଚାନ୍ଦା ନ ଦେଇ ରାଷ୍ଟ୍ରକୁ ପ୍ରଦାନ କରିଥାଏ। ଫଳରେ ଦୁର୍ନୀତି ରୋକିବାରେ ସଫଳତା ମିଳିବା ସହ ଛୋଟ ବଡ଼ ଦଳ ସମସ୍ତଙ୍କୁ ସମାନ ଗୁରତ୍ୱ ମିଳିଥାଏ। ରାଷ୍ଟ୍ର ପାଣ୍ଠିକୁ ହାତେଇବାକୁ ଲକ୍ଷ୍ୟ ରଖିଥିବା ଅଣଗୁରୁତ୍ୱପୂର୍ଣ୍ଣ ପ୍ରାର୍ଥୀଙ୍କୁ ନିରୁତ୍ସାହିତ କରିବା ପାଇଁ ସମୁଦାୟ ଭୋଟିଂର ନିର୍ଦିଷ୍ଟ ଶତାଂଶ ହାସଲର ନିୟମ ଏହି ବ୍ୟବସ୍ଥାରେ ଥାଏ। କିଛି ଦେଶରେ ଭୋଟ ଖଣ୍ଡ ପ୍ରତି ଏକ ନିର୍ଦିଷ୍ଟ ରାଶି ବି ଧାର୍ୟ୍ୟ କରାଯାଇଥାଏ। ଏସବୁ ପରିବର୍ତ୍ତେ ୨୦୧୪ ପରେ ଆମ ସରକାର ‘ଇଲେକ୍ଟୋରାଲ ବଣ୍ଡ୍‌’ ପ୍ରଚଳନ ଓ ବିଦେଶୀ କମ୍ପାନୀଠାରୁ ଚାନ୍ଦା ନେବାର କଟକଣାକୁ ଉଚ୍ଛେଦ କଲେ ଯାହାକି ତଦନ୍ତ ପରିସରଭୁକ୍ତ ନୁହେଁ ଏବଂ ଦାତା-ଗ୍ରହୀତାଙ୍କ ସୂଚନା ଗୋପନ ରହିଲା। ଏତଦ୍‍ ବ୍ୟତୀତ ଗୋଟିଏ କମ୍ପାନୀ ତା’ର ନିଟ୍‍ ଲାଭର ୭.୫ ଶତାଂଶରୁ ଅଧିକ ଚାନ୍ଦା ନଦେବାର ଯେଉଁ କଟକଣା ଥିଲା ତାହା ମଧ୍ୟ ଉଚ୍ଛେଦ କରାଗଲା। ଉପରଠାଉରିଆ ଭାବେ ନଗଦ ଟଙ୍କା ଦେୟର ସୀମା ସ୍ଥିର କରାଗଲା; କିନ୍ତୁ ଚେକ୍‍ର ସୀମା ରହିଲା ନାହିଁ।

ତୃତୀୟ ସଂସ୍କାର ହେଉଛି ନିର୍ବାଚିତ ପ୍ରତିନିଧିଙ୍କୁ ପ୍ରତ୍ୟାବର୍ତ୍ତନ କରିବାର ଅଧିକାର ଅର୍ଥାତ୍‍ ଅପରାଧ, ଦୁର୍ନୀତି, କାର୍ୟ୍ୟଦକ୍ଷତା ଆଦିକୁ ବିଚାରକୁ ନେଇ ଭୋଟ ଜରିଆରେ ନିର୍ବାଚିତ ପ୍ରାର୍ଥୀଙ୍କୁ ଅବଧି ଶେଷ ପୂର୍ବରୁ ଫେରାଇ ଆଣିବାର ବ୍ୟବସ୍ଥା। କାନାଡ଼ାରେ ଅନ୍ୟୂନ ୫୦% ଭୋଟ ପ୍ରାର୍ଥୀଙ୍କ ବିରୋଧରେ ଗଲେ ଫେରାଇ ଆଣିବାର ବ୍ୟବସ୍ଥା ଅଛି।

‘ତ୍ରୁଟିପୂର୍ଣ୍ଣ ଗଣତନ୍ତ୍ର’କୁ ‘ପୂର୍ଣ୍ଣଗଣତନ୍ତ୍ର’ କରିବାକୁ ଆବଶ୍ୟକ ସଂସ୍କାର ଉପରେ ଧ୍ୟାନ ନଦେଇ ଏକକାଳୀନ ନିର୍ବାଚନ ପାଇଁ ସରକାର ଯେଉଁ ଅଣ୍ଟା ଭିଡ଼ିଛନ୍ତି, ତାହା ମହରଗରୁ ଯାଇ କାନ୍ତାରରେ ପଡ଼ିବା ଭଳି ମନେ ହୁଏ। ୨୦୧୪ ରେ କ୍ଷମତାକୁ ଆସିବା ପରେ ସରକାର ‘ଏକ ଦେଶ-ଏକ ଟିକସ’, ‘ୱାନ୍‍ ନେସନ-ୱାନ୍‍ ରେସନ୍‍’, କୃଷିରେ ‘ଏକ ଦେଶ-ଏକ ବଜାର’ ଭଳି ଶ୍ରୁତିମଧୁର ଶବ୍ଦ ବିନ୍ୟାସ କରି ଆଇନ ଆଣିବା ପରେ ‘ୱାନ୍‍ ନେସନ୍‍-ୱାନ୍‍ ଇଲେକ୍‍ସନ୍‍’ ଅର୍ଥାତ୍‍ ଏକକ ନିର୍ବାଚନ ପାଇଁ ସମସ୍ତ ଶକ୍ତି ଦେଇ ଲାଗି ପଡ଼ିଛନ୍ତି। ସରକାରଙ୍କ ନିର୍ଦେଶରେ ଗଠିତ କମିଟିଗୁଡିକ ମଧ୍ୟରୁ କାର୍ମିକ-ସର୍ବସାଧାରଣ ଅଭିଯୋଗ-ଆଇନ ଓ ନ୍ୟାୟ ସଂପର୍କିତ ଷ୍ଟାଣ୍ଡିଙ୍ଗ୍‍ କମିଟି ୨୦୧୫ରେ ଏକକ ନିର୍ବାଚନ ସପକ୍ଷରେ ତା’ର ୭୯ତମ ରିପୋର୍ଟ ପ୍ରଦାନ କରିଛି। ୨୦୧୭ରେ ନିତି ଆୟୋଗ ତାଙ୍କ କାର୍ୟ୍ୟକାରୀ ଦଲିଲରେ ୨୦୧୯ରୁ କ୍ରମଶଃ ଏକକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରି ୨୦୨୪ରେ ସଂପୂର୍ଣ୍ଣ ଏକକାଳୀନ ନିର୍ବାଚନ ଲାଗୁ ପାଇଁ ମତ ରଖିଛି। ସେହିଭଳି ଆଇନ କମିସନ ୩୦ ଅଗଷ୍ଟ ୨୦୧୮ରେ ଏକକାଳୀନ ନିର୍ବାଚନକୁ ସମର୍ଥନ କରି ସରକାରଙ୍କୁ ଏକ ଡ୍ରାଫ୍ଟ ରିପୋର୍ଟ ପ୍ରଦାନ କରିଛନ୍ତି ଯେଉଁଥିରେ କି ସମ୍ବିଧାନର ପାଞ୍ଚଟି ଅନୁଚ୍ଛେଦ, ୧୯୫୧ର ଜନପ୍ରତିନିଧି ଆଇନ ଓ ଲୋକସଭା/ବିଧାନସଭା ନିୟମ-ପ୍ରଣାଳୀ ପରିବର୍ତ୍ତନର କଥା ରହିଛି। ଏସବୁ ପରିବର୍ତ୍ତନ କରି ସମକାଳୀନ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ନିଉଜ୍‍-୧୮ରେ ଏକ ସାକ୍ଷାତ୍‍କାର ମଧ୍ୟ ଦେଇଛନ୍ତି। ଅନ୍ୟପଟେ ୨୬ନଭେମ୍ବର ୨୦୨୦ରେ ପ୍ରଧାନମନ୍ତ୍ରୀ ୮୦ତମ ଅଖିଳ ଭାରତ ପ୍ରିଜାଇଡ଼ିଂ ଅଫିସରଙ୍କ ସମ୍ମିଳନୀରେ ସମକାଳୀନ ନିର୍ବାଚନ ପାଇଁ ଏକକ ଭୋଟର ଲିଷ୍ଟ ପ୍ରସ୍ତୁତ ପାଇଁ ପରାମର୍ଶ ଦେଇଛନ୍ତି ଓ ଶାସକଦଳ ଆଗାମୀ ସପ୍ତାହରେ ୨୫ଟି ୱେବିନାର୍‍ ଆୟୋଜନ କରିବାର ନିଷ୍ପତ୍ତି ନେଇଛି। ପ୍ରତ୍ୟେକ ଘଟଣାକୁ ବିଚାର କଲେ ମନେ ହୁଏ ଶାସକ ଦଳ କାହିଁକି କେଜାଣି ୨୦୨୪ ନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱର ସହ ବିଚାର କରୁଛନ୍ତି ଓ ୨୦୨୪ରେ ଏକକାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି।

ନିର୍ବାଚନ କମିସନଙ୍କ ମତାମତ ହେଉଛି (୧) ଲୋକସଭା/ବିଧାନସଭାର ମିଆଦ ଏକ ନିର୍ଦିଷ୍ଟ ତାରିଖରେ ଆରମ୍ଭ ଓ ଶେଷ ହେବ (୨) ମିଆଦ ଶେଷ ପୂର୍ବରୁ ଗୃହ ଭଙ୍ଗ ପ୍ରସଙ୍ଗ ଆସିଲେ ଜର୍ମାନୀ ଢାଞ୍ଚାରେ ‘ଅନାସ୍ଥା ପ୍ରସ୍ତାବ’ ସହ ଏକ ବିକଳ୍ପ ସରକାର ପାଇଁ ଆସ୍ଥା ପ୍ରସ୍ତାବ ଆସିବା ଆବଶ୍ୟକ (୩) ତା’ ସତ୍ତ୍ବେ ଯଦି ଗୃହ ଭଙ୍ଗ ହୁଏ, ତେବେ ନିମ୍ନ ପଦକ୍ଷେପମାନ ନିଆଯିବ। (କ) ମିଆଦ ଶେଷ ହେବାକୁ ଅଧିକ ସମୟ ବାକି ନଥିଲେ ରାଷ୍ଟ୍ରପତି/ରାଜ୍ୟପାଳ ଏକ କାମଚଳା ମନ୍ତ୍ରୀ ପରିଷଦ ଗଠନ କରିବେ (ଖ) ମିଆଦ ଅଧିକ ସମୟ ବାକି ଥିଲେ ମଧ୍ୟବର୍ତ୍ତୀ ନିର୍ବାଚନ କରାଯିବ ଯାହାର କାର୍ୟ୍ୟକାଳ ପାଞ୍ଚବର୍ଷ ନ ହୋଇ ବକେୟା ସମୟ ମଧ୍ୟରେ ସୀମିତ ରହିବ।

ଆମ ଦେଶରେ ଏକକାଳୀନ ନିର୍ବାଚନ କୌଣସି ନୂଆ କଥା ନୁହେଁ। ୧୯୫୧ରେ ନିର୍ବାଚନ ଆରମ୍ଭ ବର୍ଷ ଓ ତା’ପରେ ୧୯୫୬ରେ ମଧ୍ୟ ଏକକାଳୀନ ନିର୍ବାଚନ ହୋଇଥିଲା; କିନ୍ତୁ ବ୍ୟତିକ୍ରମ ଆରମ୍ଭ ହୋଇଥିଲା ଯେତେବେଳେ ୩୫୬ ଧାରାର ଅପପ୍ରୟୋଗ ମାଧ୍ୟମରେ କେରଳର ଇ.ଏମ୍‍.ଏସ୍‍.ନମ୍ବୁଦ୍ରିପଦଙ୍କ ନିର୍ବାଚିତ କମ୍ୟୁନିଷ୍ଟ ସରକାରଙ୍କୁ ଭାଙ୍ଗି ୧୯୬୦ରେ ମଧ୍ୟବର୍ତ୍ତୀ ନିର୍ବାଚନ କରାଯାଇଥିଲା, ସେହିପରି ୧୯୫୭ରେ ଓଡ଼ିଶାର ଝୁଲା ବିଧାନସଭା ପତନ ପରେ ୧୯୬୧ର ମଧ୍ୟବର୍ତ୍ତୀ ନିର୍ବାଚନ ହୋଇଥିଲା ଓ ୧୯୭୧ରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏକ ବର୍ଷ ପୂର୍ବରୁ ସାଧାରଣ ନିର୍ବାଚନ ଘୋଷଣା କରିଥିଲେ। ଏଭଳି ଅନେକ ସମୟରେ ଝୁଲା ଗୃହ ଓ ୩୫୬ ଧାରାର ଅପପ୍ରୟୋଗ ଯୋଗୁଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଛି। ସୁପ୍ରିମ୍‍କୋଟଙ୍କ ବୋମାଇ ରାୟ ଯୋଗୁଁ (ଦଳବଦଳ) ଅନେକାଂଶରେ ୩୫୬ ଧାରାର ଅପପ୍ରୟୋଗ ରୋକାଯାଇପାରିଛି।

ଏକକାଳୀନ ନିର୍ବାଚନ ଯୋଗୁଁ ବହୁତ ଅର୍ଥ ସଞ୍ଚୟ କରାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ ଯାହା କୁହାଯାଉଛି, ତାହା ସଂପୂର୍ଣ୍ଣ ସତ୍ୟ ନୁହେଁ। ସେଣ୍ଟର ଫର୍‍ ମିଡ଼ିଆ ଷ୍ଟଡ଼ି କହେ, ୨୦୧୯ ସାଧାରଣ ନିର୍ବାଚନରେ ଖର୍ଚ୍ଚ ହୋଇଥିବା ସମୁଦାୟ ୬୦,୦୦୦କୋଟି ଟଙ୍କାରୁ ନିର୍ବାଚନ ପରିଚାଳନା ପାଇଁ ମାତ୍ର ୧୦,୦୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ୫୦,୦୦୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ତନ୍ମଧ୍ୟରୁ ବିଜେପି କେବଳ ୨୭,୦୦୦କୋଟି ଟଙ୍କା ଖର୍ଚ୍ଚ କରିଛି। ତେଣୁ ଏହି ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ପୂର୍ବଆଲୋଚିତ ଷ୍ଟେଟ୍‍ ଫଣ୍ଡିଂ ହିଁ ଏକମାତ୍ର ବିକଳ୍ପ। ଗଣତନ୍ତ୍ର ଭଳି ଦୁର୍ଲଭ ବସ୍ତୁକୁ ମଜଭୁତ କରିବା ପାଇଁ ବିଭିନ୍ନ ଉପାୟରେ ଆୟ ବୃଦ୍ଧି କରିବା ସହିତ ଖର୍ଚ୍ଚ କାଟ କରାଯାଇପାରିବ। ଯୁକ୍ତି ରଖାଯାଉଛି ବାରମ୍ବାର ନିର୍ବାଚନ ଯୋଗୁଁ ଆଚରଣ ବିଧି ଲାଗୁ ହେବା ଫଳରେ ଉନ୍ନୟନ କାର୍ୟ୍ୟ ବାଧାପ୍ରାପ୍ତ ହେଉଛି, ତାହାବି ସଂପୂର୍ଣ୍ଣ ଠିକ୍‍ ନୁହେଁ। ଗୋଟିଏ ରାଜ୍ୟରେ ନିର୍ବାଚନ ହେଲେ ତାହା ବାକି ରାଜ୍ୟର ଉନ୍ନୟନମୂଳକ କାର୍ୟ୍ୟରେ ତ ବାଧା ସୃଷ୍ଟି କରୁନାହିଁ; ବରଂ ତା’ର ଫଳାଫଳ ଅନ୍ୟ ରାଜ୍ୟ ଓ କେନ୍ଦ୍ରକୁ ଜନବାଦୀ ହେବାକୁ ପ୍ରବର୍ତ୍ତାଇବ। ଯେଉଁ ସରକାର ୫ବର୍ଷରେ ଉନ୍ନୟନମୂଳକ କାର୍ୟ୍ୟ କରିପାରିଲେ ନାହିଁ, ନିର୍ବାଚନ ପାଇଁ ଆବଶ୍ୟକ ଦୁଇମାସରେ କି ଉନ୍ନତି କରିବେ?

ସଂସଦୀୟ ଗଣତନ୍ତ୍ରର ମୌଳିକ ଉଦ୍ଦେଶ୍ୟ ହେଉଛି ସରକାର ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ରହିବ ଓ ସଂଖ୍ୟାଧିକ ମତାମତକୁ ସମ୍ମାନ ଦେବ। କୌଣସି ଦଳ ସଂଖ୍ୟାଗରିଷ୍ଠତା ହରାଇଲେ ଏକ ସଂଖ୍ୟାଲଘୁ ସରକାରକୁ ଅର୍ଥନୀତି, ବୈଦେଶିକ ନୀତି, ବଜେଟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାସ କରିବାକୁ ଅନୁମତି ଦେବା ଗଣତନ୍ତ୍ରର ମୌଳିକ ଲକ୍ଷ୍ୟର ବିରୋଧାଚରଣ କରୁନାହିଁ କି? ଉଲ୍ଲିଖିତ ଜର୍ମାନୀ ଢାଞ୍ଚାରେ ନିର୍ବାଚନ ପଦ୍ଧତିକୁ ଗ୍ରହଣ ନକରି ଗୃହଭଙ୍ଗ ପ୍ରସଙ୍ଗ ଆସିଲେ ଜର୍ମାନୀ ଢାଞ୍ଚାର ‘ଅନାସ୍ଥା ପ୍ରସ୍ତାବ’ ସହ ଗଠନମୂଳକ ଆସ୍ଥା ପ୍ରସ୍ତାବ’ ଆଣିବାକୁ ବିରୋଧୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିବା ହାସ୍ୟାସ୍ପଦ ନୁହେଁ କି? ସୂଚନାଯୋଗ୍ୟ ଯେ ନଭେମ୍ବର ୨୦୧୯ରେ ସଂଖ୍ୟା ନଥାଇ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡ଼ନାଭିସ୍‍ଙ୍କୁ ରାଜ୍ୟପାଳ ସରକାର ଗଠନ କରିବାକୁ ଅନୁମତି ଦେଲେ ଯାହାର କାର୍ୟ୍ୟକାଳ ଥିଲା ମାତ୍ର ୩ଦିନ। ଏପରି ସ୍ଥଳେ ବିରୋଧୀ ଯଦି ନୂଆ ସରକାର ଗଠନ କରିବାକୁ ଆସ୍ଥା ପ୍ରସ୍ତାବ ନ ଆଣିପାରିବେ, ତେବେ ସେ ସଂଖ୍ୟାଲଘୁ ସରକାର ୫ବର୍ଷ ଯାଏ ବଳବତ୍ତର ରହିବା କେଉଁ ପ୍ରକାର ଗଣତନ୍ତ୍ର ? ଆମର ରାଷ୍ଟ୍ରପତି ଓ ରାଜ୍ୟପାଳ ଯେହେତୁ ଆମେରିକାର ରାଷ୍ଟ୍ରପତି-ରାଜ୍ୟପାଳଙ୍କ ଭଳି ସିଧାସଳଖ ନିର୍ବାଚିତ ହୁଅନ୍ତି ନାହିଁ, ତାଙ୍କ ନେତୃତ୍ୱରେ ନିରପେକ୍ଷ କାମଚଳା ମନ୍ତ୍ରିପରିଷଦ ଗଠନ କରିବା ଢେର ସଂଶୟପୂର୍ଣ୍ଣ।

ସାମ୍ବିଧାନିକ ଦୃଷ୍ଟିକୋଣରୁ ଯାନ୍ତ୍ରିକ ଭାବେ ଏକକାଳୀନ ନିର୍ବାଚନ ଯଦି ଲଦି ଦିଆଯାଏ ତାହା ଆମ ସଂଘୀୟ ବ୍ୟବସ୍ଥା ପ୍ରତି ଘାତକ ସିଦ୍ଧ ହେବ। ପ୍ରାନ୍ତୀୟ/ଆଞ୍ଚଳିକ ସମସ୍ୟା ଗୁରୁତ୍ୱ ହରେଇବ ଓ ବଡ଼ବଡ଼ ଜାତୀୟ ଦଳକୁ ଫାଇଦା ଦେବ। କିଛି ଦିନ ହେବ ଦେଖାଯାଉଛି ନିର୍ବାଚନରେ ଜନସାଧାରଣଙ୍କ ପ୍ରକୃତ ସମସ୍ୟା ବଦଳରେ ରୋଚକ ପୂର୍ଣ୍ଣ ଓ ଭାବାବେଗପୂର୍ଣ୍ଣ ଘଟଣା ସବୁ ପ୍ରାଧାନ୍ୟ ପାଉଛି। ୨୦୧୯ ସାଧାରଣ ନିର୍ବାଚନରେ ଯେଭଳି ପୁଲୱାମା ଘଟଣା ଆଚ୍ଛାଦିତ କରିଦେଲା, ଭବିଷ୍ୟତରେ ସେଭଳି ଘଟି ଯଦି ଲୋକସଭା ଓ ଅଧିକାଂଶ ବିଧାନସଭା କୌଣସି ବଡ଼ଦଳ ସପକ୍ଷରେ ଗଲା ସେମାନେ ରାଜ୍ୟସଭାକୁ ମଧ୍ୟ କରାୟତ୍ତ କରିନେବେ। ଫଳରେ ବିରୋଧୀ ବିନା ସ୍ୱେଚ୍ଛାଚାରିତା ବା ମନମୁଖୀ ଶାସନକୁ ଆମନ୍ତ୍ରଣ କରିବ।

ଯଦିଓ ପ୍ରସ୍ତାବିତ ଏକକ ନିର୍ବାଚନ ଭଳି ନୁହେଁ, ୧୯୮୮ ସାଧାରଣ ନିର୍ବାଚନ ପରଠାରୁ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନ ସହ ହେଉଛି। ଯାନ୍ତ୍ରିକ ଏକକକାଳୀନ ନିର୍ବାଚନ ପାଇଁ ସମ୍ବିଧାନର ଅନେକ ଧାରା, ନିର୍ବାଚନ ପ୍ରଣାଳୀର ପରିବର୍ତ୍ତନ ଅଧିକ ଜଟିଳତା ଆଣିବ। ଆଲୋଚିତ ସଂସ୍କାର ସହ ୩୫୬ ଧାରାର ଅପପ୍ରୟୋଗ ରୋକିବା, ଅର୍ଥ-ବାହୁବଳର ପ୍ରଭାବକୁ ଶୂନ କରିବା, ଜାତି, ଧର୍ମ-ସମ୍ପ୍ରଦାୟ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଅସ୍ତ୍ର ନକରାଗଲେ ଗଣତନ୍ତ୍ର ଅଧିକ ସ୍ୱଚ୍ଛ-ଅବାଧ-ନିରପେକ୍ଷ ହୋଇପାରିବ। ଆବଶ୍ୟକ ସଂସ୍କାର ପରିବର୍ତ୍ତେ ସଂକୀର୍ଣ୍ଣ ତଥା ରାଜନୈତିକ ଅଭିଳାଷକୁ ଚରିତାର୍ଥ କରିବା ନିମନ୍ତେ ଦେଶ ଉପଏକକାଳୀନ ନିର୍ବାଚନ ଲଦିଦେବା ଅନୁଚିତ।

Comments are closed.