ଅଦୃଶ୍ୟ ମୃତ୍ୟୁଦୂତ ଜୈବିକ ଅସ୍ତ୍ର

ପ୍ରମୋଦ କୁମାର ମହାପାତ୍ର

ଏକବିଂଶ ଶତାବ୍ଦୀ ଜ୍ଞାନର ବିକାଶ କାଳରେ ମଣିଷ ବିଭିନ୍ନ କ୍ଷେତ୍ରରେ ଯେତିକି ବିକାଶଲାଭ କରିଛି ବୋଲି ଆମେ ଅନୁଭବ କରିଥାଉ, ତା’ଠାରୁ ସାଧାରଣ ଲୋକଙ୍କ ଅଜ୍ଞାତରେ ହୁଏତ ଅନେକ କିଛି ଭୟାବହ ବିନାଶମୂଳକ କାର୍ଯ୍ୟ କରୁଛି। ପରମାଣୁ ବୋମାର ଭୟାବହ ନରସଂହାର ଓ ନିରପରାଧ ମଣିଷମାନଙ୍କୁ ଜାଳିପୋଡ଼ି ଅକସ୍ମାତ ମାରିବା ସହ ଏକ ପ୍ରାଚୁର୍ଯ୍ୟପୂର୍ଣ୍ଣ ସୁନ୍ଦର, କୋଳାହଳମୟ ସହରକୁ ମାତ୍ର କେତେ ସେକେଣ୍ଡରେ କଳା ପାଉଁଶ ଗଦାରେ ପରିଣତ କରିଦେବାର ଭୟଙ୍କର ଦୃଶ୍ୟ ଜାପାନର ହିରୋସୀମା ଓ ନାଗାସାକୀ ସହରରେ ସମଗ୍ର ମାନବ ସମାଜ ଦେଖି ଆତଙ୍କିତ ହୋଇଥିବାବେଳେ ଏହି ବିଭୀଷିକାକୁ ଆଜିଯାଏ ଭୁଲିନାହିଁ। ଆଶ୍ବାସନାର କଥା ଯେ ପୃଥିବୀପୃଷ୍ଠର ୯ଟି ଦେଶ ନିକଟରେ ୧୨,୭୦୦ ପରମାଣୁ ବୋମା ମହଜୁଦ୍ ଥିବାବେଳେ ବିଗତ ୭୭ବର୍ଷ ମଧ୍ୟରେ ଆଉ ପରମାଣୁ ବୋମାର ମାରାତ୍ମକ ବିସ୍ଫୋରଣ ଘଟଣା ଘଟିନାହିଁ। ତେବେ ଆମେ ପୃଥିବୀବାସୀ ଏଥିପାଇଁ ବିଶେଷଭାବେ ଖୁସି ହେବାର କାରଣ ନାହିଁ। କାରଣ ଆମେ ବିଂଶଶତାବ୍ଦୀ କାଳରୁ ପରମାଣୁ ବୋମା ବ୍ୟତୀତ ଆହୁରି କେତେକ ଅତ୍ୟନ୍ତ ମାରାତ୍ମକ ବୋମା ସୃଷ୍ଟି କରିଛୁ, ଯାହା ଯେଉଁ ସ୍ଥାନରେ ପଡ଼େ ସେଠାକାର ମଣିଷଙ୍କୁ ବୋମା ପଡ଼ିବାର କୌଣସି ସୂଚନା ନଦେଇ ମାତ୍ର କେତେ ମିନିଟ୍‌ ମଧ୍ୟରେ ନିଜର ବିଭୀଷିକାମୟ କାର୍ଯ୍ୟ ମାଧ୍ୟମରେ ଭୀଷଣ କଷ୍ଟ ଦେଇ ମାରି ଦେଇଥାଏ।

ପରମାଣୁ ବୋମା ମାଡ଼ ସ୍ଥାନରେ ଥିବା କୋଠାଘର, ଗଛ, ଶସ୍ୟକ୍ଷେତ୍ର ସବୁ ଧ୍ବଂସ ପାଇ ଏକ ମହାଶ୍ମଶାନର ରୂପ ନେଉଥିବାବେଳେ ଓ ପ୍ରଚଣ୍ଡ ଶବ୍ଦ ସହ ସେ ଅଞ୍ଚଳ ଥରହର ହେଉଥିବାବେଳେ ଏହି ବୋମା ପକାଯିବା ସ୍ଥଳରେ ବା ଯୁଦ୍ଧକ୍ଷେତ୍ରରେ ସାମାନ୍ୟ ଧୂଆଁ ହୁଏତ ଉଠିଥାଏ ମାତ୍ର କାଁ ଭାଁ ଏହା ହେଲେ ମଧ୍ୟ ମଣିଷ ଓ ଜୀବଜନ୍ତୁଙ୍କ ମୃତ୍ୟୁ ବ୍ୟତୀତ କୋଠାଘର, ରାସ୍ତାଘାଟ ଇତ୍ୟାଦିର କୌଣସି କ୍ଷତି ଏସବୁ ଅସ୍ତ୍ର ଘଟାଏ ନାହିଁ। ଏଭଳି ଦୁଇଟି ଅତ୍ୟନ୍ତ ମାରାତ୍ମକ ତଥା ଭୟଙ୍କର ବୋମା ହେଉଛି ରାସାୟନିକ ବୋମା ଓ ଜୈବିକ ବୋମା। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଏବେ ପୃଥିବୀର ଅଧିକାଂଶ ବିକାଶପ୍ରାପ୍ତ ଦେଶ ନିକଟରେ ଏଭଳି ବୋମା ମହଜୁଦ୍ ଅଛି।

ରାସାୟନିକ ବୋମା ହେଉଛି ଏମିତି ଏକ ବୋମା ଯାହା ବିଷାକ୍ତ ରାସାୟନିକ ବାଷ୍ପରେ ସମୃଦ୍ଧ। ବୋମା ପଡ଼ିବା ମାତ୍ରେ ଏହିସବୁ ବାଷ୍ପ ବୋମା ଭିତରୁ ବାହାରି ଚତୁର୍ଦିଗକୁ ବିସ୍ତାରିତ ହୋଇ ମଣିଷ ଓ ଜୀବଜନ୍ତୁଙ୍କୁ ଆକ୍ରାନ୍ତ କରିଥାଏ। ପ୍ରମୁଖ ଭାବେ ମଣିଷର ଚର୍ମ, ଫୁସ୍‌ଫୁସ୍‌, ଚକ୍ଷୁ ଓ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗକୁ ଏହା ଆକ୍ରାନ୍ତ କରିଥାଏ। ଏହି ବାଷ୍ପ ସମ୍ପର୍କରେ ଆସିବା ମାତ୍ରେ ମଣିଷ ଶରୀରର ଚାରିଆଡ଼େ ବଡ଼ବଡ଼ ଫୋଟକା ସୃଷ୍ଟିହୁଏ ଓ ସାରା ଶରୀର ଜଳାପୋଡ଼ା କରି ଅସହ୍ୟ ଯନ୍ତ୍ରଣା ଦିଏ। ବେଳେବେଳେ ଚର୍ମ ଫାଟି ଲୋଚାକୋଚା ହୋଇ ଶରୀରରୁ ବାହାରିଆସି ଓହଳିପଡ଼ି ଶରୀରକୁ କଦାକାର ରୂପ ଦିଏ। ଯୁଦ୍ଧ ସମୟରେ ଏହି ବୋମା ଇରାକ ଇରାନ ବିରୋଧରେ ବ୍ୟବହାର କରିଥିଲା। ସମଗ୍ର ଶରୀରରୁ ଚର୍ମ ଉତୁରିଥିବା ଓ ଚକ୍ଷୁର ଡୋଳା ପଦାକୁ ବାହାରି ଆସି ଓହଳିପଡ଼ି ନଷ୍ଟ ହେବାଭଳି ସେତେବେଳର ଅନେକ ଅବିଶ୍ବସନୀୟ, ହୃଦୟବିଦାରକ ପ୍ରକାଶିତ ଫଟୋଚିତ୍ର ଦେଖି ସ୍ବତଃ ମନକୁ ଆସୁଥିଲା ମଣିଷ ଆଉ ଜଣେ ନିଜ ଜାତିଭାଇଙ୍କୁ ମାରିବାପାଇଁ କେତେ କ୍ରୂର ଆଚରଣ କରିପାରେ ସ​‌େ​‌ତ?

ଏହି ବୋମା ସ୍ପର୍ଶରେ ଆସିବାମାତ୍ରେ ଲୋକେ ଅନବରତ କାଶିବା, ଛିଙ୍କିବା, ଧାରଧାର ଆଖିରୁ ଲୋତକ ବୋହି ଚାଲିବା ଭଳି ଅବସ୍ଥା ଚାରିଆଡ଼େ ସୃଷ୍ଟି ହୁଏ। ପ୍ରଥମ ବିଶ୍ବଯୁଦ୍ଧ କାଳରେ ୧୯୧୫ ଏପ୍ରିଲ ୨୨ରେ ଜର୍ମାନୀ ପକ୍ଷରୁ ସର୍ବପ୍ରଥମେ ରାସାୟନିକ ଯୁଦ୍ଧ ଆରମ୍ଭ କରାଯାଇଥିଲା। ବିଷାକ୍ତ ଗ୍ୟାସ ପ୍ରୟୋଗ ଫଳରେ ସେତେବେଳେ ଶତ୍ରୁ ପକ୍ଷରୁ ଛଅ ହଜାର ସୈନ୍ୟଙ୍କର ମୃତ୍ୟୁ ଘଟିଥିଲା। ଏଭଳି ହଠାତ୍‌ ମୃତ୍ୟୁ ଆଣୁଥିବା ଅଜଣା ଗ୍ୟାସ ବୋମା କ’ଣ ସେତେବେଳେ ସାଧାରଣରେ ଅଜଣା ଥିଲା। ଏହି ଯୁଦ୍ଧରୁ ବଞ୍ଚିବା ପାଇଁ ରୁଷ ବୈଜ୍ଞାନିକ ଜେଲିନସ୍କି ଏକ ଗ୍ୟାସ ମୁଖା ନିର୍ମାଣ କରିଥିଲେ। ସୈନ୍ୟମାନେ ହୁଏତ ଏହାକୁ ପିନ୍ଧି ବଞ୍ଚିଯିବେ; ମାତ୍ର ସାଧାରଣ ଲୋକ? ଏହା ଅଦୃଶ୍ୟ ଭଳି ଥିବାରୁ କେତେ ବାଟ ବିସ୍ତାରିତ ହେବ ତାହା ପ୍ରସ୍ତୁତ କର୍ତ୍ତା ହିଁ କେବଳ ଜାଣିଥାନ୍ତି। ଯେଉଁସବୁ ରାସାୟନିକ ପଦାର୍ଥ- ଏହି ବୋମା ପ୍ରସ୍ତୁତରେ ବ୍ୟବହାର କରାଯାଏ ସେ ସବୁ ହେଲା ଟିଟାନିୟମ ଟେଟ୍ରାକ୍ଲୋରାଇଡ, ଦସ୍ତାଗୁଣ୍ଡ, ସଲଫର ଟ୍ରାଇଅକ୍ସାଇଡ, ହେକ୍ସାକ୍ଳୋରେ ଇଥେନ, କ୍ଳୋରୋସଲ୍‌ ଫୋନିକ ଏସିଡ, ମଷ୍ଟାର୍ଡ ଗ୍ୟାସ, ଶ୍ବେତ ଫସଫରସ ଆଦି ଅତ୍ୟନ୍ତ ବିଷାକ୍ତ ରାସାୟନିକ ପଦାର୍ଥ। ଯୁଦ୍ଧ କ୍ଷେତ୍ରରେ ଏହା ପଡ଼ିବାର ଅଳ୍ପ ସମୟ ମଧ୍ୟରେ ଅନେକ ସୈନ୍ୟଙ୍କର ମୃତ୍ୟୁ ଘଟିଥାଏ। ବିଗତ ଦିନରେ ଅନେକବାର ଏହି ଅସ୍ତ୍ର ବ୍ୟବହାର ପରେ ବହୁ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଛି। ପାର୍ଶ୍ବ ପ୍ରତିକ୍ରିୟାରେ ଅସୁସ୍ଥ ହୋଇ ଅଳ୍ପଦିନ ମଧ୍ୟରେ ନିଜର ଫୁସଫୁସ୍‌ ନଷ୍ଟ ହୋଇ ଅସୁସ୍ଥଙ୍କ ମୃତ୍ୟୁ ଘଟିଛି। ଜେନେଭା ରାଜିନାମାରେ ଏହି ଅସ୍ତ୍ର ପ୍ରସ୍ତୁତ ନକରିବାକୁ ଅନେକ ଦେଶ ରାଜି ହୋଇଥିଲେ ମଧ୍ୟ ବର୍ତ୍ତମାନ ପୃଥିବୀର ଅନେକ ଦେଶରେ ହଜାରହଜାର ଟନ ଏଭଳି ମାରାତ୍ମକ ଗ୍ୟାସ ମହଜୁଦ୍‌ ରହିଛି। ୟୁକ୍ରେନ ଉପରେ ରୁଷ ପରମାଣୁ ବୋମା ନ ପକାଇ ପ୍ରଥମେ ଏହି ଅସ୍ତ୍ର ପ୍ରୟୋଗ କରିବ ବୋଲି ଆଶଙ୍କା ସୃଷ୍ଟି ହୋଇଥିବାବେଳେ ୟୁକ୍ରେନର ଗବେଷଣାଗାରରେ ଏଭଳି ଅସ୍ତ୍ର ରହିଥିବାର ରୁଷ ଅଭିଯୋଗ କରିଛି।

ଦ୍ବିତୀୟ ମାରାତ୍ମକ ଅସ୍ତ୍ର ହେଲା ଜୈବିକ ଅସ୍ତ୍ର। ଏହି ଅସ୍ତ୍ରର ପ୍ରୟୋଗ ମଧ୍ୟ ପ୍ରଥମ ବିଶ୍ବଯୁଦ୍ଧ ବେଳେ ଆରମ୍ଭ ହୋଇଥିଲା। ପ୍ଲେଗ ରୋଗ ଜୀବାଣୁ, ବସନ୍ତ ରୋଗର ଭୂତାଣୁ, ଆନ୍ଥାକ୍ସ ଓ ମଣିଷ ଦେହରେ ବିଭିନ୍ନ ରୋଗ ସୃଷ୍ଟିକାରୀ ଜୀବାଣୁଙ୍କୁ ଶତ୍ରୁ ଦେଶକୁ ଲୁଗାପଟା, ପୋଷ୍ଟାଲ ଚିଠି ଭିତରେ ସହଜରେ ପଠାଇଦେଇ ସେ ସବୁ ଦେଶରେ ଏସବୁରୋଗର ବିଭୀଷିକା ସୃଷ୍ଟି କରିବାର ଅତୀତ ଇତିହାସ ଯେତିକି କୌତୂହଳପ୍ରଦ ସେତିକି ମର୍ମାନ୍ତିକ। ଏସବୁ ରୋଗସୃଷ୍ଟିକାରୀ ବୀଜାଣୁ, ଭୂତାଣୁ ଓ ଅନ୍ୟ ଅଣୁଜୀବମାନେ ପ୍ରମୁଖ ଭାବେ ଅଦୃଶ୍ୟ ହୋଇଥିବାରୁ ଏମାନଙ୍କୁ ଶତ୍ରୁ ଦେଶକୁ ପଠାଇ ସେଠାରେ ପ୍ରଳୟ ସୃଷ୍ଟି କରିବାସହ ଅକାଳରେ ହଜାରହଜାର ଲୋକଙ୍କ ଜୀବନ ନେବାଭଳି ନିର୍ଦୟ ଆଚରଣ ଆମେ ଅତୀତରେ ବହୁବାର ଦେଖିଛୁ। ଏପରିକି ହଇଜା ବୀଜାଣୁକୁ ଜଳସୂତ୍ରରେ ଛାଡ଼ି କେତେକ ନିର୍ଦୟ ବ୍ୟକ୍ତି ହଇଜା ମହାମାରୀ ବ୍ୟାପିବାରେ ସହଯୋଗୀ ହୋଇ ଅନେକ ଶତ୍ରୁପକ୍ଷ ଲୋକଙ୍କର ମୃତ୍ୟୁ ଦେଖି ଉଲ୍ଲସିତ ହୋଇଥିବାର ଅଭିଯୋଗ ମଧ୍ୟ ହୋଇଛି।

ଏହା ଅତ୍ୟନ୍ତ ମାରାତ୍ମକ ମଣିଷଦ୍ବାରା ପ୍ରସ୍ତୁତ ଜୈବିକ ଅସ୍ତ୍ର ହୋଇଥିବାରୁ ଏହାକୁ ବନ୍ଦ କରିବାକୁ ମିଳିତ ଜାତିସଙ୍ଘ ପକ୍ଷରୁ ଏକ ଜୈବ ଅସ୍ତ୍ର ନିରୋଧ ଚୁକ୍ତି ୧୯୭୫ ମସିହାରେ ସ୍ବାକ୍ଷରିତ ହୋଇଛି, ଯେଉଁଥିରେ ସେତେବେଳେ ୧୮୩ ଦେଶର ପ୍ରତିନିଧି ସ୍ବାକ୍ଷର କରିଥିଲେ। ମାତ୍ର ଏହା ସତ୍ତ୍ବେ କରୋନା ଭୂତାଣୁ ମହାମାରୀର ଆବିର୍ଭାବ ଓ ଏଥିରେ ୬୦ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଏବେ ସାରା ପୃଥିବୀରେ ହଇଚଇ ସୃଷ୍ଟି କରିଛି। ଚୀନର ଉହାନସ୍ଥିତ ଭୂତାଣୁ ଗବେଷଣା କେନ୍ଦ୍ରରେ ସାଧାରଣ ଥଣ୍ଡାରୋଗ ସୃଷ୍ଟିକାରୀ କରୋନା ଭୂତାଣୁକୁ ଗବେଷଣାଗାରରେ ଅତ୍ୟଧିକ ସଂକ୍ରାମକ କରି ଏହାକୁ ମଣିଷମରା ଭୂତାଣୁରେ ରୂପାନ୍ତରିତ କରି ଚୀନ ଏକ ଭୟଙ୍କର କାର୍ଯ୍ୟ ସାରାମାନବ ସମାଜର ବିନାଶ ପାଇଁ କରିଛି ବୋଲି ଆମେରିକା ସମେତ ଅନେକ ​ଦେଶ ଅଭିଯୋଗ କରିଛନ୍ତି। ଜାତିସଂଘ ପକ୍ଷରୁ ଏହା ଉପରେ ତଦନ୍ତ ହେଉଛି।

ଶିକ୍ଷିତ ମଣିଷଙ୍କ ଦ୍ବାରା ଚାଲିଥିବା ଏପରି ଗଣହତ୍ୟାର ଅନ୍ତ କେବେ ତାହା ହିଁ ଏକବିଂଶ ଶତାବ୍ଦୀର ଜ୍ଞାନୀଗୁଣୀ ବସବାସ କରୁଥିବା ପୃଥିବୀପୃଷ୍ଠର ସାଧାରଣ ଜନତାଙ୍କ ପାଇଁ ଏବେ ପ୍ରଥମ ଓ ପ୍ରଧାନ ଚିନ୍ତା ହୋଇଛି। ମଣିଷଙ୍କର ଏଭଳି ଅପରିଣାମଦର୍ଶୀ କାର୍ଯ୍ୟ ଦେଖି କହିବାକୁ ହେଉଛି, ‘ବିନାଶ କାଳେ ବିପରୀତ ବୁଦ୍ଧି’।

Comments are closed.