ଜଳବାୟୁ ପରିବର୍ତ୍ତନ: ଉଚ୍ଛିଷ୍ଟ ଖାଦ୍ୟ ବିପଦ ଓ ବିପନ୍ନ କୃଷି ଉତ୍ପାଦନ

- ବିଭୂତି ପତି

ସମଗ୍ର ବିଶ୍ୱରେ ରନ୍ଧା ହୋଇ ଖାଇବା ଥାଳିରେ ଛାଡ଼ି ଦିଆଯାଉଥିବା ଉଚ୍ଛିଷ୍ଟ ଖାଦ୍ୟ (ବଳକା ଅଇଁଠା ଖାଦ୍ୟ)ର ନଷ୍ଟ ହେବାକୁ ନେଇ ଏପ୍ରିଲ ମାସର ପ୍ରଥମ ସପ୍ତାହରେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଗଭୀର ଉଦ୍ବେଗ ସୃଷ୍ଟିକରାଯାଇ ଏକ ଚିଠା (ରିପୋର୍ଟ) ପ୍ରକାଶ କରିଛି। ଠିକ୍ ସେହିପରି ଜଳବାୟୁ ପରିବର୍ତ୍ତନ କାରଣରୁ ଗତ ଦୁଇ ଦଶନ୍ଧି ଧରି ଖାଦ୍ୟ ଉତ୍ପାଦନ ପ୍ରକ୍ରିୟା କ୍ରମାଗତ ବାଧାପ୍ରାପ୍ତ ହୋଇ ଆସୁଛି ବୋଲି ମଧ୍ୟ ଅନ୍ୟ ଏକ ଚିଠା (ରିପୋର୍ଟ) ଜାତିସଂଘ ପକ୍ଷରୁ ପ୍ରକାଶ ପାଇଛି। ଏହି ଦୁଇଟି ଚିଠା (ରିପୋର୍ଟ) ବର୍ତ୍ତମାନ ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ ଭବିଷ୍ୟତର ମାନବ ସମାଜ ପାଇଁ ଆଜି ଏକ ଅଦେଖା ଅଚିହ୍ନା ଅସ୍ପଷ୍ଟ ବିପଦ ସୃଷ୍ଟି କରି ଚାଲୁଛି।

ବିଶ୍ୱରେ ରନ୍ଧା ଯାଇ ଖାଇବା ଥାଳିରେ ନଷ୍ଟ ହେଉଥିବା ଅଇଁଠା (ଉଚ୍ଛିଷ୍ଟ) ଖାଦ୍ୟ ସୂଚକାଙ୍କ ୨୦୨୧ ଚିଠା (ରିପୋର୍ଟ) ଜାତିସଂଘ ଦ୍ୱାରା ପ୍ରକାଶ କରାଯାଇ ସମଗ୍ର ପୃଥିବୀର ଦୃଷ୍ଟି ଆକର୍ଷଣ କରାଯାଇଛି। ଆଜିର ଦିନରେ କୋଟି କୋଟି ମଣିଷ ଯେତେବେଳେ ଓଳିଏ ଖାଇବାକୁ ନପାଇ ଭୋକ ଉପବାସରେ ଜୀବନ କାଟୁଛନ୍ତି, ଠିକ୍ ସେତିକିବେଳେ ପୃଥିବୀରେ ଲକ୍ଷାଧିକ ମଣିଷ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରନ୍ଧା ଖାଦ୍ୟକୁ ଖାଇବା ଥାଳିରେ ଅଇଁଠା କରି (ଲେଫ୍ଟ ଓଭର ଫୁଡ୍) ଫୋପାଡ଼ି ଦେଇ ନଷ୍ଟ କରୁଛନ୍ତି। ଆମ ଆଖିରେ ଏଇ ଘଟଣା ପ୍ରତିଦିନ ନିତାନ୍ତ ସାଧାରଣ ଭାବରେ ଘଟୁଥିଲେ ମଧ୍ୟ ଏହା ପଛରେ ଲୁଚି ଚାଲିଥିବା ଅମାନବୀୟ ତଥା ଅସମ୍ବେଦନଶୀଳ ଦିଗଟିର ଭବିଷ୍ୟତ ଭୟଙ୍କର ବିପଦକୁ ଆମେ ବୁଝିବାକୁ ସମର୍ଥ ହୋଇପାରିନାହୁଁ।

ଜାତିସଂଘର ଉଚ୍ଛିଷ୍ଟ ଖାଦ୍ୟ ନଷ୍ଟ ସୂଚକାଙ୍କ ଚିଠାରେ ଦର୍ଶାଯାଇଛି, ୨୦୨୦ ମସିହାରେ ପ୍ରାୟ ୯୩୧୦ ଲକ୍ଷ ଟନ୍ ଅଇଁଠା ବା ଉଚ୍ଛିଷ୍ଟ ଖାଦ୍ୟକୁ ଖାଇବା ସମୟରେ ଥାଳିରେ ଛାଡ଼ି ନଷ୍ଟ କରିଛନ୍ତି। ଏଥିମଧ୍ୟରୁ ୬୧ପ୍ରତିଶତ ଖାଦ୍ୟକୁ ଲୋକମାନେ ନିଜ ଘରେ ରନ୍ଧା ଯାଇଥିବା ଖାଇବା ଥାଳିରେ ଅଇଁଠା କରି ନଷ୍ଟ କରିଥାନ୍ତି ଏବଂ ଅବଶିଷ୍ଟ ୩୯ପ୍ରତିଶତ ଅଇଁଠା ଖାଦ୍ୟ ହୋଟେଲରେ ନଷ୍ଟ ହୋଇଥାଏ।

ସମଗ୍ର ମାନବ ଜାତି ପାଇଁ ନଷ୍ଟ ହେଉଥିବା ଅଇଁଠା ଖାଦ୍ୟ ଦ୍ୱାରା ଆଗାମୀ ଦିନରେ ସୃଷ୍ଟି ହେବାକୁ ଯାଉଥିବା ଭୟଙ୍କର ଅସ୍ପଷ୍ଟ ଭୋକର ଭୂଗୋଳ ଯେଉଁ ଉତ୍କଟ କ୍ଷୁଧାର ବିପଦ ସୃଷ୍ଟି କରି ପୃଥିବୀକୁ ବିପନ୍ନ କରିବ ତାହା ଏହି ସାମାନ୍ୟ ଉଦାହରଣରୁ ସ୍ପଷ୍ଟ ହୋଇଯାଏ। ଏଠାରେ ଉଲ୍ଲେଖଯୋଗ୍ୟ ମୋଟ ଉତ୍ପାଦନ ହେଉଥିବା ଖାଦ୍ୟ ଶସ୍ୟର ୧୭% ରାନ୍ଧି ସାରିବା ପରେ ଆମେମାନେ ନଷ୍ଟ କରିଥାଉ। ପ୍ରାକୃତିକ ବିପଦ ଏବଂ ଆମର ଦାୟିତ୍ୱହୀନତା କାରଣରୁ ୨୪% ଉତ୍ପନ୍ନ ଖାଦ୍ୟ ଶସ୍ୟ ନଷ୍ଟ ହୋଇଥାଏ। ଏହା ସହିତ ଅନ୍ୟ କେତେକ କାରଣରୁ ୨% ଖାଦ୍ୟ ନଷ୍ଟ ହୋଇଥାଏ। ଏଥିରୁ ବୁଝାପଡୁଛି ୧୦୦ପ୍ରତିଶତ ଲୋକମାନଙ୍କ ପାଇଁ ଆମର ଉତ୍ପନ୍ନ ଖାଦ୍ୟ ଶସ୍ୟ ପ୍ରାପ୍ତର ସୁଲଭତା ହେଉଛି ମାତ୍ର ୬୭%। ଏହି ଗାଣିତିକ ସୂଚନା ସହିତ ଜାତିସଂଘ ଚିଠା (ରିପୋର୍ଟ)ରେ ଏହାକୁ ଚିତ୍ରାତ୍ମକ ତଥ୍ୟ ଆଧାରରେ ମଧ୍ୟ ପ୍ରକାଶ କରାଯାଇଛି। ଜାତିସଂଘ ସୂଚନା ଦେଇଛି, ନଷ୍ଟ ହେଉଥିବା ବାର୍ଷିକ ଖାଦ୍ୟର ଓଜନରେ ସାତଥର ପୃଥିବୀକୁ ଘୋଡ଼ାଇ ଦିଆଯାଇପାରିବ।

ଭାରତରେ ପ୍ରତ୍ୟେକ ଘରେ ରନ୍ଧା ହୋଇ ନଷ୍ଟ ହେଉଥିବା ଅଇଁଠା ଖାଦ୍ୟର ପରିମାଣ ହିସାବକୁ ନେଇ ଜାତିସଂଘ ଦର୍ଶାଇଛି, ହାରାହାରି ଜଣେ ବ୍ୟକ୍ତି ଭାରତରେ ୫୦କିଲୋଗ୍ରାମ ପର୍ଯ୍ୟନ୍ତ ଖାଦ୍ୟ ନଷ୍ଟ କରିଥାଏ। ଭାରତରେ ବାର୍ଷିକ ଅତିକମରେ ୫ଲକ୍ଷ କୋଟି ଟଙ୍କାର ରନ୍ଧା ଖାଦ୍ୟ ବିଭିନ୍ନ କାରଣରୁ ନଷ୍ଟ ହୋଇଥାଏ। ଏଥିରେ ଘରୋଇ ରନ୍ଧା ଖାଦ୍ୟ ସାମିଲ ନୁହେଁ। ଏହି ତଥ୍ୟ ମୋଟ ଜନସଂଖ୍ୟା ଓ ମୋଟ ନଷ୍ଟ ହେଉଥିବା ଅଇଁଠା ଖାଦ୍ୟର ପରିମାଣକୁ ନେଇ ଏହି ତଥ୍ୟ ଦିଆଯାଇଛି। ଆମେରିକା ଓ ଚୀନ ତୁଳନାରେ ଏହି ବାର୍ଷିକ ଅଇଁଠା ଖାଦ୍ୟ ନଷ୍ଟ ହାର କମ୍ । ଆମେରିକା ଓ ଚୀନ ତୁଳନାରେ ଭାରତରେ ଅଇଁଠା ଖାଦ୍ୟ ନଷ୍ଟ ତୁଳନାତ୍ମକ ହାରରେ କମ୍ ହେବା କାରଣ ସମ୍ପର୍କରେ ଜାତିସଂଘ ଚିଠାରେ କୁହାଯାଇଛି, ଭାରତର ଜନସାଧାରଣ ସଚେତନତା କିମ୍ବା ଯତ୍ନବାନ ହୋଇ ରନ୍ଧା ଯାଇଥିବା ଅଇଁଠା ଖାଦ୍ୟ ନଷ୍ଟ କରନ୍ତି ନାହିଁ ବୋଲି ଭାବିବା ଠିକ୍ ନୁହେଁ ବରଂ ଭାରତରେ ଖାଦ୍ୟ ଉପଲବ୍ଧତା ହାର ଆମେରିକା ଓ ଚୀନ ଅନୁପାତରେ ଯଥେଷ୍ଟ କମ୍।

ରନ୍ଧା ଯାଇଥିବା ଭୋଜନ ଖାଦ୍ୟର ନଷ୍ଟ ଓ ଧ୍ୱଂସସାଧନ ପ୍ରତିଟି ଦେଶରେ ପର୍ଯ୍ୟାପ୍ତ ପରିଣାମରେ ହୋଇଚାଲିଛି। ମାତ୍ର ବିକାଶଶୀଳ ଦେଶଗୁଡ଼ିକରେ ଏଭଳି ରନ୍ଧା ହୋଇ ଭୋଜନ ଥାଳିରେ ନଷ୍ଟ ହେଉଥିବା ଖାଦ୍ୟ ସର୍ବାଧିକ ଭାବେ ହୋଇଥାଏ। ଜାତିସଂଘ ଖାଦ୍ୟ ଓ କୃଷି ସଂସ୍ଥାନ (ଫାଓ) ଦ୍ୱାରା ଆକଳନ କରାଯାଇ ଦର୍ଶାଯାଇଛି। ଭୋଜନ ଥାଳିରେ ମୋଟ ରନ୍ଧା ଖାଦ୍ୟର ଏକ ତୃତୀୟାଂଶ ବିଶ୍ୱରେ ନଷ୍ଟ ହେଉଛି। ରନ୍ଧା ଯାଇ ନଷ୍ଟ ହେଉଥିବା ଅଇଁଠା ଖାଦ୍ୟ କାରଣରୁ ପୃଥିବୀର ସର୍ବାଧିକ ମଣିଷ ଭୋକ ଉପାସରେ ଦିନ କାଟୁଛନ୍ତି। ଏହି ଅନୁଧ୍ୟାନ ଓ ଆକଳନ ସମୟରେ ଖାଦ୍ୟ ଶସ୍ୟର ଉତ୍ପାଦନ, ବିହନ ସଞ୍ଚୟ ଓ ସୁରକ୍ଷା, ଗମନାଗମନ, ବଜାରରେ କିଣାବିକା ଏବଂ ଶୀତଳଭଣ୍ଡାରରେ ସାଇତି ରଖିବା ସମୟରେ ଜଣାପଡ଼ିଛି କେବଳ ଉଚ୍ଛିଷ୍ଟ ହେଉଥିବା ଖାଦ୍ୟର ନଷ୍ଟ ହିସାବକୁ ନିଆଯାଇଛି। ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଭବିଷ୍ୟତର ଅସ୍ପଷ୍ଟ କ୍ଷୁଧାର ବିପଦ। ଏହି ବିପଦରୁ ମୁକ୍ତି ପାଇବାକୁ ଚୀନ ନିଜ ଦେଶରେ ‘କ୍ଲିନ୍ ପ୍ଲେଟ କ୍ୟାମ୍ପେନ’ ଅର୍ଥାତ୍ ଭୋଜନ ଥାଳିରେ ଖାଦ୍ୟ ନଛାଡ଼ିବାର ସଚେତନତା ଆରମ୍ଭ କରିଛି।

ଜଳବାୟୁ ପରିବର୍ତ୍ତନ କାରଣରୁ ଯେତେବେଳେ ପୃଥିବୀରେ ‘ଅସ୍ପଷ୍ଟ ହା-ଅନ୍ନର’ର ଭୟଙ୍କର ବିପଦ ମାଡ଼ି ଆସୁଛି ଏଭଳି ଘଡ଼ିସନ୍ଧି ସମୟରେ ଖାଇବା ଥାଳିରେ ସଚେତନ ହୋଇ ଅଇଁଠା ଖାଦ୍ୟ ନଷ୍ଟ ନକରିବା ଆମ ସମସ୍ତଙ୍କ ପ୍ରତି ଏକ ଆହ୍ୱାନ ପାଲଟିଛି। ଆମର ଭୋଜନ ସମୟରେ କିପରି ଥାଳିରେ ଖାଦ୍ୟ ଟିକିଏ ମଧ୍ୟ ନଷ୍ଟ ନହେବ ଏହା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ହେବା ଆଜିର ଦିନରେ ଜରୁରୀ ହୋଇପଡ଼ିଛି। ଖାଦ୍ୟ ରନ୍ଧା ହେବା ସମୟରୁ ଆରମ୍ଭ କରି ଭୋଜନ ଥାଳିରେ ଖାଇବା ନଷ୍ଟ ହେବାର ଏକ ନିରନ୍ତର ପ୍ରକ୍ରିୟା ଘଟି ଚାଲିଥାଏ। ଭୋଜନ ପରଷିବା ସମୟରେ ଯଥେଷ୍ଟ ସତର୍କ ଓ ସଚେତନ ହୋଇ ଥାଳିରେ ଖାଦ୍ୟ ବାଢ଼ିବା ଆବଶ୍ୟକ। ଭୋଜନ ଥାଳିରେ ଖାଦ୍ୟ ଯେପରି ନଷ୍ଟ ନହେବ ସେଥିପ୍ରତି ଆମେମାନେ ସମସ୍ତେ ଧ୍ୟାନ ଦେବା ଆବଶ୍ୟକ। ଆମେ ମିଳିମିଶି ଟିକିଏ ସଚେତନ ହେଲେ ଏହି ରନ୍ଧା ଖାଦ୍ୟର ସୁରକ୍ଷା ହୋଇପାରି ଆମର ଅର୍ଥନୈତିକ ସ୍ଥିତିରେ ଉନ୍ନତି ଘଟିବା ସହିତ ଭୋକିଲା ମଣିଷର ପେଟକୁ ଖାଦ୍ୟ ପହଞ୍ଚିପାରିବ। ଏହାଦ୍ୱାରା ଖାଦ୍ୟ ସୁରକ୍ଷା ସୁଦୃଢ଼ ହେବ। ବିଶେଷତଃ ବିଭିନ୍ନ ଉତ୍ସବ ଓ ମାଙ୍ଗଳିକ କାର୍ଯ୍ୟରେ ରନ୍ଧା ଖାଦ୍ୟ ନଷ୍ଟ ସର୍ବାଧିକ ହୋଇଥାଏ, ଏହା ଯେପରି ନହେବ ସେଥିପ୍ରତି ଯତ୍ନବାନ ହେବା ଜରୁରୀ। ଆମେ ଭୁଲିଯିବା ଉଚିତ୍ ନୁହେଁ, ଆମେ ଆୟ କରୁଥିବା ଅର୍ଥ ନିଶ୍ଚିତ ଆମର କିନ୍ତୁ ଆମେ କିଣୁଥିବା ଓ ଖାଉଥିବା ଖାଦ୍ୟଶସ୍ୟ ହେଉଛି ଦେଶର ନିଜସ୍ୱ ସମ୍ପଦ। ଏଥିରେ ବ୍ୟକ୍ତିଗତ ଅଧିକାର ଆମର ନାହିଁ। ତେଣୁ ରନ୍ଧା ଖାଦ୍ୟ ନଷ୍ଟ କରିବା ନୈତିକତା, ମାନବିକତା ଏବଂ ଆଇନଗତ ଦିଗରୁ ଅମାନବୀୟ ଆଚରଣ ଓ ଅକ୍ଷମଣୀୟ ଅପରାଧ ଅଟେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଖାଦ୍ୟ ନଷ୍ଟ ହେବା ହ୍ରାସ ପାଇଲେ ନିଶ୍ଚିତ ଭାବେ ଆବଶ୍ୟକ ଅନୁଯାୟୀ ରନ୍ଧା ଯାଉଥିବା ଖାଦ୍ୟ ପ୍ରସ୍ତୁତ ହେବ, ଏହାଦ୍ୱାରା ସବୁଜ ବାଷ୍ପ (ଗ୍ରୀନ ହାଉସ ଗ୍ୟାସ) ଉତ୍ସର୍ଜନ ମଧ୍ୟ ହ୍ରାସ ପାଇବ। ଏପରି ହୋଇପାରିଲେ ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣରେ ଆମେ ସହାୟକ ହୋଇପାରିବ। ରନ୍ଧା ଓ ଉଚ୍ଛିଷ୍ଟ ଖାଦ୍ୟ ନଷ୍ଟ ନହେବାକୁ ନିୟନ୍ତ୍ରଣ କରିବା କାର୍ଯ୍ୟକ୍ରମକୁ ପ୍ରତ୍ୟେକ ରାଜ୍ୟ ଏକ ଲକ୍ଷ୍ୟ (ମିଶନ) ଭାବେ ଗ୍ରହଣ କରି ଯୋଜନା ପରିଚାଳନା କରିବା ଦରକାର। ଏହା ହୋଇପାରିଲେ ମଣିଷ ସମାଜ, ସାମାଜିକ, ପାରିବେଶିକ ଓ ଅର୍ଥନୈତିକ ବିକାଶ ଲକ୍ଷ୍ୟକୁ ତ୍ୱରାନ୍ୱିତ କରିପାରିବ ବୋଲି ଫାଓ ସତର୍କ ସୂଚନା ଦେଇଛି। ଜଳବାୟୁ ପରିବର୍ତ୍ତନର ଘଡ଼ିସନ୍ଧି ସମୟରେ ଏହାର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଛି। ଏକ ଗବେଷଣା ଅନୁଧ୍ୟାନ ଚିଠା (ରିପୋର୍ଟ)ରୁ ଜଣାପଡ଼ିଛି, ୧୯୬୦ ଦଶକର ପରବର୍ତ୍ତୀ ସମୟରୁ ଯେପରି ଭାବେ ୨୧% ଖାଦ୍ୟ ଉତ୍ପାଦନ ବୃଦ୍ଧି ପାଇ ଆସୁଥିଲା ତାହା କ୍ରମାଗତ ଭାବେ ବିଗତ ଶତାବ୍ଦୀରେ ବାଧାପ୍ରାପ୍ତ ହୋଇଚାଲିଛି। ତେଣୁ ଖାଦ୍ୟ ନଷ୍ଟ ଓ ଉତ୍ପାଦନ ହ୍ରାସ ପୃଥିବୀରେ ସ୍ଥିତିକୁ ବିପନ୍ନ କରିବ ବୋଲି କୋର୍ନେଲ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ରିପୋର୍ଟକୁ ଜାତିସଂଘ ଗ୍ରହଣ କରି ଏହାକୁ ‘ନେଚର କ୍ଲାଇମେଟ ଚେଞ୍ଜ’ ପତ୍ରିକା ସନ୍ଦର୍ଭରେ ପ୍ରକାଶ କରାଯାଇଛି।

ପ୍ରକାଶିତ ସନ୍ଦର୍ଭରେ ଜାତିସଂଘ ପକ୍ଷରୁ ଦର୍ଶାଯାଇଛି, “ଗତ ୭ବର୍ଷ ଧରି ଖାଦ୍ୟ ଶସ୍ୟର ଯେଉଁ ଉତ୍ପାଦନ ହୋଇଛି ତାହା ଆମର ଆବଶ୍ୟକ ହେଉଥିବା ଉତ୍ପାଦିତ ଖାଦ୍ୟଶସ୍ୟ ସହ ସମାନ। ଖାଦ୍ୟ ଶସ୍ୟର ବଳକା ହାର ଜଳବାୟୁ ପରିବର୍ତ୍ତନ କାରଣରୁ ବୃଦ୍ଧି ପାଇପାରୁନାହିଁ। ଜାତିସଂଘ ଦ୍ୱାରା ପରିଚାଳିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସତର୍କ ସୂଚନା ଜାରି କରି କହିଛି” ନଷ୍ଟ ହେଉଥିବା ରନ୍ଧା ଖାଦ୍ୟ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ ଉତ୍ପାଦନ ହ୍ରାସ ଆମର ପୃଥିବୀକୁ ଏକ ଆକସ୍ମିକ ଅକାଳ ଦୁର୍ଭିକ୍ଷର ବିପଦ ଆଡ଼କୁ ନେଇଯାଉଛି। ଏହି ବିପଦ ପୃଥିବୀର ୫୪୦ ଲକ୍ଷ (୫୪ ମିଲିୟନ) ଲୋକଙ୍କ ଜୀବନର ବଞ୍ଚିବା ପ୍ରକ୍ରିୟାକୁ ଛାରଖାର କରିଦେବ। ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ ଭଳି ବିକାଶଶୀଳ ଦେଶର ଜୀବନଧାରଣ ବିପନ୍ନ ହେବ ଏବଂ ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଏହି ବିପଦକୁ ତୀବ୍ର କରିବ। ଅଚାନକ ପୃଥିବୀ ପୃଷ୍ଠରେ ‘ହା ଅନ୍ନ’ର ଉତ୍କଟ ସ୍ଥିତି ସୃଷ୍ଟି ହେବ। କୃଷକମାନଙ୍କର ଜୀବନ ଧାରଣ ଆବଶ୍ୟକତା ମାନ ହ୍ରାସ ପାଇବ ତଥା ସେମାନଙ୍କ ଚାହିଦା ବଢ଼ିଚାଲିବା କାରଣରୁ ଖାଦ୍ୟ ମୁଦ୍ରାସ୍ଫୀତି ଆକାଶ ଛୁଅାଁ ହେବ। ଅନ୍ୟପଟରେ ଏହି ଖାଦ୍ୟ ମୁଦ୍ରାସ୍ଫୀତିକୁ ଜଳବାୟୁ ପରିବର୍ତ୍ତନ ହେତୁ ପାଣିପାଗର ଅନିୟମିତା ଆଗକୁ ମାଡ଼ିଚାଲି ଅଧିକ ବିପଦ ସୃଷ୍ଟି କରିବାରେ ଯଥେଷ୍ଟ ସହାୟକ ହେବ”।

ପ୍ରଥମଥର ପାଇଁ ଜଳବାୟୁ ପରିବର୍ତ୍ତନ ଦ୍ୱାରା ବିଶ୍ୱବ୍ୟାପୀ ଖାଦ୍ୟ ଉତ୍ପାଦନ ଏବଂ ଅଇଁଠା ଖାଦ୍ୟ ଉପରେ କେଉଁଭଳି ଭାବେ ପ୍ରଭାବ ପଡୁଛି ତାର ଗବେଷଣା କରାଯାଇଛି। ଅର୍ଥନୈତିକ ଓ ଜଳବାୟୁ ମାପକାଠିର ବ୍ୟବହାର କରି ଜଳବାୟୁ ପରିବର୍ତ୍ତନ ଖାଦ୍ୟ ଉତ୍ପାଦନ ଏବଂ ଗୃହପାଳିତ ପଶୁ ସମ୍ପଦ ଉପରେ କିପରି କୁପ୍ରଭାବ ଜଳବାୟୁ ପରିବର୍ତ୍ତନ ପକାଇଛି ତାହା ଅନୁଧ୍ୟାନ କରାଯାଇଛି। ଆଶ୍ଚର୍ଯ୍ୟର କଥା ଉନ୍ନତମାନର ବିହନରୁ ନେଇ ଆଧୁନିକ କୃଷି ବୈଜ୍ଞାନିକ ପଦ୍ଧତିର ବ୍ୟବହାର କରାଯାଇ ଚାଷ କରାଯାଉଥିବା ସମୟରେ ଖାଦ୍ୟ ଉତ୍ପାଦନ କମିଯାଉଛି। ଯଦିଓ ବିଶ୍ୱ ବ୍ୟାପୀ ଫସଲ ଉତ୍ପାଦନ ଅଧିକ ହେଉଛି ବୋଲି ଆକଳନ କରାଯାଉଛି ମାତ୍ର ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇ ସମାନ ହାରରେ ବିଗତ ଦିନ ଅନୁପାତରେ ଉତ୍ପାଦନ ବୃଦ୍ଧି ହେଉନାହିଁ। ଏହି ଅସମାନତା ଫସଲ ଉତ୍ପାଦନ ଆଜି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ବୋଲି ପ୍ରସିଦ୍ଧ କୃଷି ଅର୍ଥନୀତି ବିଜ୍ଞାନୀ ଏରିୟେଲ୍ ଓରଟିନ୍ ବୋବେୟା କହିଛନ୍ତି।

କୃଷି ଉତ୍ପାଦନ ବୃଦ୍ଧିର କ୍ଷତି ସମାନ ଭାବେ ସବୁ ଅଞ୍ଚଳରେ ଏକା ଭଳି ପରିଲକ୍ଷିତ ହେଉନାହିଁ। ତାପମାତ୍ରା ବୃଦ୍ଧି ଅଞ୍ଚଳରେ ମୁଖ୍ୟତଃ ଅଧିକ ଉଷ୍ମପ୍ରବଣ ସ୍ଥାନଗୁଡ଼ିକରେ ଏହି କ୍ଷତି ଅଧିକ ଦେଖାଯାଇଛି; କିନ୍ତୁ ଅନ୍ୟ କେତେକ ଅଞ୍ଚଳରେ ଫସଲ ଉତ୍ପାଦନ ଅର୍ଥନୀତିର ଏକ ବୃହତ୍ ଅଂଶ ହୋଇ ଉଭା ହୋଇଛି। ଏହି ଅସମାନତା ଆଗାମୀ ଦିନରେ ଆହୁରି ଅଧିକ ହେବ ଏବଂ ଏହାଦ୍ୱାରା ସାମାଜିକ ଅପରାଧ ଓ ହିଂସା ବୃଦ୍ଧି ପାଇବ ବୋଲି ଜାତିସଂଘ ଚେତାବନୀ ଦେଇଛି।

ଜଳବାୟୁ ପରିବର୍ତ୍ତନ କାରଣରୁ କୃଷି ଉତ୍ପାଦନ କିପରି ଗୁରୁତର ଭାବେ ପ୍ରଭାବିତ ହେବ ଏବଂ ଏହାର କୁପ୍ରଭାବରେ ଅର୍ଥନୀତି ରୁଗ୍ଣ ହେବାକୁ ନେଇ ପର୍ଯ୍ୟାପ୍ତ ଓ ଅଧିକ ଗବେଷଣା ହୋଇନାହିଁ। ସବୁଠାରୁ ଉଦ୍ବେଗର ପ୍ରସଙ୍ଗ ଭବିଷ୍ୟତ ଜଳବାୟୁ ପରିବର୍ତ୍ତନ ଜନିତ ଯେଉଁ ବିପଦ ଘଟିବାକୁ ଯାଉଛି ସେଥିପାଇଁ ଆମେ ଆଜି ନିଜକୁ ପ୍ରସ୍ତୁତ କରିନାହୁଁ କିମ୍ବା ଆଗାମୀ ଦଶକରେ ପ୍ରସ୍ତୁତ ହେବାକୁ କୌଣସି ଉତ୍ସାହ କିମ୍ବା ଚିନ୍ତା ଦେଖାଇବାର ପ୍ରୟାସ କରିନାହୁଁ। ଆମେ କେବଳ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ନେଇ ଏହାର ସମାଧାନ ଓ କୃଷି କାର୍ଯ୍ୟ ପରିଚାଳନା କରି ଚାଲିଛୁ। ଏହାଦ୍ୱାରା ଖାଦ୍ୟ ସୁରକ୍ଷା ଓ ଶୃଙ୍ଖଳାର ସ୍ଥିତି ବିଗିଡ଼ି ଯିବାର ସମ୍ଭାବନା ସୃଷ୍ଟି ହୋଇଛି।

Comments are closed.