ବୟସ୍କଙ୍କ ଶ୍ରୀଜଗନ୍ନାଥ ଦର୍ଶନ

- ସୁଲୋଚନା ଦାସ

ଶ୍ରୀଜଗନ୍ନାଥ ଓଡ଼ିଆର ରାଷ୍ଟ୍ରଦେବତା। ଓଡ଼ିଶାର ଆତ୍ମ ପରିଚିତି। ଓଡ଼ିଆର ଭାବାବେଗ। ଓଡ଼ିଆର ସ୍ବାଭିମାନର ପ୍ରତୀକ। ସେ ପୁଣି ଜଗତର ନାଥ ଶ୍ରୀଜଗନ୍ନାଥ। ବିଶ୍ବଭ୍ରାତୃତ୍ବ ଓ ବିଶ୍ବମୈତ୍ରୀର ପ୍ରତିଭୂ ପ୍ରଭୁ ସେ। ଓଡ଼ିଆର ପ୍ରାଣପ୍ରିୟ ଆପଣାପଣର ଠାକୁର। ପ୍ରତ୍ୟେକ ଓଡ଼ିଆ ତା’ର ସୁଖଦୁଃଖ, ଅଭାବ ଅସୁବିଧା, ଗ୍ଲାନି ଅବସାଦ…… ସବୁକିଛି କୁହେ ତା’ର ପ୍ରିୟପରମ, ପ୍ରେମମୟ ଶ୍ରୀଜଗନ୍ନାଥଙ୍କୁ। ଓଡ଼ିଶାର ସଂସ୍କୃତି, ପରମ୍ପରା, ଐତିହ୍ୟ, ରାଜନୀତି, ଅର୍ଥନୀତି, ପର୍ବପର୍ବାଣି, ସାମାଜିକ ଅନୁଷ୍ଠାନ, ସଂଗୀତ, ନୃତ, ଖାଦ୍ୟପେୟ…. ପ୍ରତ୍ୟେକଟି କଥା ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି। ବାହାପୁଆଣି, ଓଷାବ୍ରତ, ଜନ୍ମମୃତ୍ୟୁ ପ୍ରତ୍ୟେକ କାର୍ଯ୍ୟରେ ଓଡ଼ିଆଏ ଧାଇଁ ଯାଆନ୍ତି ତାଙ୍କ ଆରାଧ୍ୟ ଦେବତାଙ୍କ ପାଖକୁ। ତାଙ୍କ ଦର୍ଶନମାତ୍ରକେ ସବୁ ରିଷ୍ଟ ଅନିଷ୍ଟ ପୋଛି ହୋଇଯାଏ। ଅଶୁଭ ଶୁଭ ହୋଇଯାଏ।

ଆର୍ଯ୍ୟଭୂମି ଭାରତବର୍ଷର ପ୍ରସିଦ୍ଧ ଚାରିଧାମ ଭିତରେ ଶ୍ରୀଜଗନ୍ନାଥଙ୍କ ଶ୍ରୀପୁୁରୁଷୋତ୍ତମ ଧାମ ଅନ୍ୟତମ। ବିଶ୍ବାସ କରାଯାଏ ଭଗବାନ ବିଷ୍ଣୁ ଦ୍ବାରକାରେ ସ୍ନାନ, ରାମେଶ୍ବରମ୍‌ରେ ଉପାସନା, ପୁରୀରେ ଭୋଜନ ଓ ବଦ୍ରିନାଥରେ ଶୟନ କରିଥାନ୍ତି। ଏଣୁ ଛପନପ୍ରକାର ଷାଠିଏ ପଉଟି ପ୍ରସାଦ ଓଡ଼ିଆ ଆତିଥେୟତା ଓ ଐଶ୍ବର୍ଯ୍ୟର ପ୍ରତୀକ। ସେଥିପାଇଁ ସାରାଭାରତ ବର୍ଷରୁ ଆସନ୍ତି ଶ୍ରଦ୍ଧାଳୁ ଭକ୍ତ ଜଗନ୍ନାଥପ୍ରେମୀ। ଖାଲି ଭାରତ ନୁହେଁ, ବରଂ ବିଦେଶରୁ ଭକ୍ତମାନେ ମଧ୍ୟ ଆସନ୍ତି। ଶ୍ରୀମନ୍ଦିରରେ ନହେଲେ ବଡ଼ଦାଣ୍ଡରେ ଦର୍ଶନ କରନ୍ତି। ଏଣୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀ ପୁରୁଷୋତ୍ତମ ଧାମ ରୂପେ ପବିତ୍ର ତୀର୍ଥସ୍ଥାନ।

ଶ୍ରୀଜଗନ୍ନାଥଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ସଂପ୍ରତି ସରକାର ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନେକଗୁଡ଼ିଏ ନୀତି ନିୟମ ପ୍ରଚଳନ କରିଛନ୍ତି। କରୋନା ମହାମାରୀ ସମୟରେ ଅଗଣିତ ଦର୍ଶନାଭିଳାଷୀ ଦିଅଁ ଦର୍ଶନରୁ ବଞ୍ଚିତ ହୋଇଥିଲେ। କିଛିଦିନ ହେଲା ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଛି। ଏହା ଅତ୍ୟନ୍ତ ଆନନ୍ଦର କଥା। ଏବେ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ଆନନ୍ଦବଜାର, ମନ୍ଦିର ପରିପାର୍ଶ୍ବ ଓ ପୁରୀସହରକୁ ସ୍ବଚ୍ଛ, ସୁନ୍ଦର, ଓ ଉନ୍ନତମାନ କରାଯାଉଛି। ଏହା ଅତ୍ୟନ୍ତ ପ୍ରଶଂସନୀୟ ଓ ସ୍ବାଗତଯୋଗ୍ୟ କଥା। ଏଥିପାଇଁ ସରକାର ଗଠନ କରିଥିବା କମିସନ, ପ୍ରଶାସନ ବ୍ୟବସ୍ଥା, ପୁରୀ ବାସିନ୍ଦା ତଥା ଜନସାଧାରଣଙ୍କ ମତାମତକୁ ବିଚାର କରି ଅନେକଗୁଡ଼ିଏ ବ୍ୟବସ୍ଥା ପ୍ରଚଳନ କରାଯାଇଛି; କିନ୍ତୁ ପୁରୀକୁ ଯେତେ ପର୍ଯ୍ୟଟକ, ଭକ୍ତ, ଶ୍ରଦ୍ଧାଳୁ ଆସନ୍ତି ସମସ୍ତଙ୍କର ମୁଖ୍ୟ ଉଦ୍ଦେଶ୍ୟ ଓ ବ୍ୟାକୁଳତା ହେଉଛି ଶ୍ରୀ ଜଗନ୍ନାଥଙ୍କୁ ବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଥରେ ଭଲଭାବରେ ଦର୍ଶନ କରିବା। ଦିଅଁଙ୍କ ଦର୍ଶନ, ମହାପ୍ରସାଦ ସେବନ ପରେ ସମୁଦ୍ରକୂଳକୁ ବୁଲିଯିବା, କୋଣାର୍କ ମନ୍ଦିର ଯିବା, ମଉଜମସ୍ତି କରିବା ପର କଥା। ସମସ୍ତଙ୍କର ମୁଖ୍ୟ ଲକ୍ଷ୍ୟ ଠାକୁରଙ୍କୁ ହୃଦୟଭରି ଥରେ ଦର୍ଶନ କରି ପ୍ରାଣର ଆବେଗକୁ ନିବେଦନ କରିବା।

ଗାଁ ଗଣ୍ଡାରୁ, ସହର ଜନପଦରୁ, ଅନ୍ୟ ରାଜ୍ୟଗୁଡ଼ିକରୁ ଆସୁଥିବା ଭକ୍ତଟିର ଅନ୍ୟ କୌଣସି ଅଭିଳାଷ ନ ଥାଏ। ସରକାର କେଉଁ ନୀତି ନିର୍ଦ୍ଧାରଣ କଲେ, କି କି ପଦକ୍ଷେପ ଗ୍ରହଣ କରିଛନ୍ତି, କ’ଣ ଆଇନ କାନୁନ୍‌ ତିଆରି ହୋଇଛି ଏସବୁ କଥାରେ ସାଧାରଣ ଲୋକଟି ମୁଣ୍ଡ ପୂରାଏ ନାହିଁ। ନୀତିନିୟମ, ତତ୍ତ୍ବ, ତଥ୍ୟରେ ସେ ଭାରାକ୍ରାନ୍ତ ହେବାକୁ ଚାହେଁନି; କିନ୍ତୁୁ ଦିଅଁଦର୍ଶନର ଅସୁବିଧା ସୁବିଧା ହେଲେ ତାହା ତା ହୃଦୟକୁ ଭେଦେ। ଦେଶ ବିଦେଶରୁ ଆସୁଥିବା ଭକ୍ତମାନେ ଆସନ୍ତି ନାହିଁ କେତେ ସୁନ୍ଦର ଭାବରେ ଆରିପାମ ଗଛ ଲଗାଯାଇଛି, ବାରିକେଡ ତିଆରି ହୋଇଛି, ମନ୍ଦିରର ରଙ୍ଗ କେମିତି କ’ଣ ହୋଇଛି…. ଏସବୁ ଦେଖିବା ପାଇଁ। ଭକ୍ତଟି ଧାଇଁଯାଏ ରତ୍ନବେଦିରେ ବସିଥିବା ତା’ ହୃଦୟର ଦେବତା,ପ୍ରାଣପ୍ରିୟ ପ୍ରଭୁଙ୍କୁ ଥରେ ଆଖି ପୂରେଇ ଦେଖିବାପାଇଁ।
ଶହଶହ ବର୍ଷଧରି ଲକ୍ଷଲକ୍ଷ ଭକ୍ତଙ୍କର ସମାଗମ ହୋଇଆସୁଛି ଏଇ ବଡ଼ଦାଣ୍ଡରେ। ସେଠାରେ ବାରିକେଡ କରି ପାଞ୍ଚ ସାତଘେରା ଚଲେଇବାରେ କି ଉଦ୍ଦେଶ୍ୟ ସାଧିତ ହେଉଛି ତାହା ଅବଶ୍ୟ ବୁଝା ପଡ଼ୁନାହିଁ। ମୁଣ୍ଡ ଉପରେ ଛାତ ଅଛି। ତେଣୁ ତାହା କ୍ଲେଶଦାୟକ ନୁହେଁ କିମ୍ବା ଏଥିପାଇଁ କେହି ବ୍ୟସ୍ତ ବିବ୍ରତ ହୁଅନ୍ତି ନାହିଁ। ମନ୍ଦିର ବେଢ଼ାରେ ଥିବା ବାରିକେଡ ମଧ୍ୟ ଯନ୍ତ୍ରଣାଦାୟକ ନୁହେଁ; କିନ୍ତୁ ମନ୍ଦିର ଭିତର ପାହାଚ ଉଠିବାମାତ୍ରେ ଆରମ୍ଭ ହୋଇଯାଏ ଠେଲାପେଲା। ସେଠାରେ କି ପ୍ରକାର ଧାଡ଼ି ବ୍ୟବସ୍ଥା ହୋଇଥାଏ ତାହା କେବଳ ଅନୁଭବୀ ହିଁ କହିପାରିବେ। ବେଶ୍‌ ଠେଲାପେଲାରେ ବାହାର କାଠ ପାଖରେ ପହଞ୍ଚିବା ଜଣେ ବୟସ୍କଙ୍କ ପାଇଁ ବେଶ୍‌ ଆୟାସ ସାପେକ୍ଷ। ତା’ପରେ ସେହି ବାହାରକାଠ ପାଖରୁ ତିନିଦିଅଁଙ୍କୁ ଦର୍ଶନ କରିବା ମଧ୍ୟ ଅସମ୍ଭବ ହୋଇଯାଏ। ଗୋଟେ ଦୃଶ୍ୟ ଏଠାରେ ଅବତାରଣା କରାଯାଇପାରେ। ଜଣେ ଅଣଓଡ଼ିଆ ବୟସ୍କା ଭଦ୍ରମହିଳାଙ୍କୁ ତାଙ୍କ ଦିପୁଅ ରୀତିମତ ଟେକାଟେକି କରି ବହୁକଷ୍ଟରେ ଜଗନ୍ନାଥ ଦର୍ଶନ କରାଇଲେ; କିନ୍ତୁ ସେ ତିନିଦିଅଁଙ୍କୁ ଦେଖି ପାରିଲେ ନାହିଁ ବୋଲି ଦୁଃଖରେ କାନ୍ଦୁଥାନ୍ତି। ଏ ଦୃଶ୍ୟ ମନଗଢ଼ା କାହାଣୀ ନୁହେଁ। ଏକ ସତ୍ୟ ଘଟଣା। ଆଗେ ବର୍ଷବର୍ଷ ଧରି ଦକ୍ଷିଣ ଦ୍ବାର ଉତ୍ତରଦ୍ବାର ପ୍ରଭୃତି ଦେଇ ଭକ୍ତମାନେ ସ୍ବଚ୍ଛନ୍ଦ ଭାବରେ ମନ୍ଦିରରେ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରୁଥିଲେ।

ଏବେ ସବୁ ସମୟରେ ଭିତରକାଠ ପାଖକୁ ଛଡ଼ାଯାଉନାହିଁ। ବେଳେବେଳେ ଛଡ଼ାଯାଉଛି। ଫଳରେ ସେଠି ବି ଆରମ୍ଭ ହୋଇଯାଉଛି ଭୟଙ୍କର ଠେଲାପେଲା, ଧସ୍ତାଧସ୍ତି। ବର୍ଷବର୍ଷ ଧରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିବା ବ୍ୟକ୍ତିଟି ନିଶ୍ଚୟ ସ୍ବୀକାର କରିବ ଆଗରୁ ଦିଅଁ ଦର୍ଶନ କରିବା ଏତେ କଷ୍ଟ ସାଧ୍ୟ ନଥିଲା। ଏହା ବ୍ୟତୀତ ପରମାଣିକ ଟିକଟ କରି ଜଣେ ଅତି ସହଜରେ ରତ୍ନସିଂହାସନ ପାଖକୁ ଯାଇପାରୁଥିଲା। ସେ ଟିକଟ ବ୍ୟବସ୍ଥାରୁ କିଛି ଆୟ ବି ହେଉଥିଲା। ଏହି ଟିକଟ ବ୍ୟବସ୍ଥାକୁ ଯଦି ଗୋଟେ ନିର୍ଦିଷ୍ଟ ସଂଖ୍ୟାରେ ସୀମିତ ରଖି ଏ ବ୍ୟବସ୍ଥାର ପୁନର୍ବାର ପ୍ରଚଳନ କରାଯାଆନ୍ତା ତେବେ କ’ଣ କ୍ଷତି ହୁଅନ୍ତା? ଆଗରୁ ଖୋଲାମେଲା ଭାବରେ ସହଜରେ ଜଣେ ଶ୍ରଦ୍ଧାଳୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରୁଥିଲା। ଏବେ ସେପରି ଦର୍ଶନ ବିଡ଼ମ୍ବିତ। ଏହା ବ୍ୟତୀତ ପହଡ଼ ସମୟ, ଭୋଗଲାଗି ସମୟ ଛଡ଼ା ଅନ୍ୟ ସମୟରେ ଅନ୍ତତଃ ଭିତରକାଠ ପାଖକୁ ଛଡ଼ା ଯାଆନ୍ତା ତେବେ ଭକ୍ତଟିଏ ଅନ୍ତତଃ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଖିପୂରେଇ ଦର୍ଶନ କରିପାରନ୍ତା। ସାଧାରଣ ଭକ୍ତଟିଏ ମନ୍ଦିରର ନୀତିନିୟମ, ଶୃଙ୍ଖଳା କଥା କ’ଣ ବା ଜାଣେ। ସେ ବାବଦରେ ସେ ସଂପୂର୍ଣ୍ଣ ଅଜ୍ଞ। ଶ୍ରୀମନ୍ଦିର ପରିଚାଳନା ପାଇଁ ବହୁ ବିଚାର ଆଲୋଚନା ହେଉଛି। ସେ ଦିଗରେ ସମ୍ବାଦପତ୍ରଗୁଡ଼ିକରେ କ’ଣ ବାହାରୁଛି ତାହା ମୂର୍ଖ ଲୋକଟିଏ ବା କ’ଣ ଜାଣେ! ବିଶେଷ ପର୍ବପର୍ବାଣି ଦିନମାନଙ୍କ ବ୍ୟତୀତ କିପରି ସହଜରେ ଜଣେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ସମର୍ଥ ହେବ, ସେ ବାବଦରେ ପ୍ରଶାସନ ଦୃଷ୍ଟି ଦେବାକୁ ଅନୁରୋଧ।

ଫେରିବା ବାଟ ଉତ୍ତରଦ୍ବାର ଦେଇ। ଉଚ୍ଚାଉଚ୍ଚା ପାହାଚରେ ଜଣେ ବୟସ୍କ ବ୍ୟକ୍ତି ଓହ୍ଲେଇ ଆସି ଖାଲଢିପ ରାସ୍ତାରେ, ଟାଇଁଟାଇଁ ମୁଣ୍ଡ ଫଟା ଖରାରେ ଜୋତାଷ୍ଟାଣ୍ଡ ପାଖରେ ପହଞ୍ଚିଲାବେଳକୁ ସେଠାରେ ଶତାଧିକ ଲୋକ ଲାଇନରେ। ତୁମ ପାଳି ପଡ଼ିଲାବେଳକୁ ଆହୁରି ଘଣ୍ଟାକର କଥା। ଯିବାବେଳେ ବାଇଶପାହାଚରେ ପାଣିର ଝର ଦେଇ ଜଣେ ବିନା କ୍ଲେଶରେ ମନ୍ଦିର ଭିତରେ ପ୍ରବେଶ କରୁଛି; କିନ୍ତୁୁ ଫେରିବାବାଟରେ ମୁଣ୍ଡ ଉପରେ କୌଣସି ଛାତନାହିଁ କି ଛାଇ ନାହିଁ। ଥକ୍କାମାରି ବସିଯିବାପାଇଁ ବି ବ୍ୟବସ୍ଥା ନାହିଁ। ଉତ୍ତରଦ୍ବାର ପାଖରୁ ଜୋତାଷ୍ଟାଣ୍ଡ ପର୍ଯ୍ୟନ୍ତ ଯଦି ଉପରେ କୌଣସି ଛାତ ବା ଛାଇର ବ୍ୟବସ୍ଥା ହୁଅନ୍ତା ତେବେ ଜଣେ ବୟସ୍କ ବ୍ୟକ୍ତିପାଇଁ ଆରାମଦାୟକ ହୁଅନ୍ତା। ଆଗେ ମନ୍ଦିରରୁ ଫେରି ବାଇଶ ପାହାଚ ପାଖରେ ନୀଳଚକ୍ରକୁ ଚାହିଁ ପିତୃପୁରୁଷଙ୍କୁ ମହାପ୍ରସାଦ ଅର୍ପଣ କରିଥାନ୍ତି ବହୁ ଭକ୍ତ। ଫେରିବା ବାଟ ବନ୍ଦ ହୋଇଯିବା ଫଳରେ ସେ ପରମ୍ପରା ମଧ୍ୟ ବନ୍ଦ।
କେହିକେହି କହୁଛନ୍ତି ରାତି ଆଠଟା ପରେ ଆସିଲେ ସହଜରେ ଦିଅଁ ଦର୍ଶନ ହୋଇପାରିବ। ଦୂରଦୂରାନ୍ତରୁ, ଗାଁ ଗଣ୍ଡାରୁ, ଅନ୍ୟ ରାଜ୍ୟରୁ ଆସିଥିବା ଭକ୍ତଙ୍କୁ ବାଧ୍ୟ ହୋଇ ପୁରୀରେ ହୋଟେଲ ନେଇ ରହିବାକୁ ହେବ। ଖର୍ଚ୍ଚାନ୍ତ ହେବା ତ ଅନିବାର୍ଯ୍ୟ। ସମସ୍ତଙ୍କର କ’ଣ ସେ ସାମର୍ଥ୍ୟ ଅଛି?

ସାଆଣ ମେଲା, ଧୂଳିଆଦର୍ଶନ ପ୍ରଭୃତିରେ ଭକ୍ତ ଭଗବାନ ଏକାକାର ହୁଅନ୍ତି। ‘କାଳିଆ ସାଆନ୍ତ’ ବୋଲି ଡାକଦେଇ ଭକ୍ତ ତୃପ୍ତହୁଏ। ମଣିଷ ପରି ତାଙ୍କର ସବୁ ନୀତିନିୟମ, ନୀତିକାନ୍ତି। ସେଥିପାଇଁ ସେ ମଣିଷର ଦେବତା। ଭକ୍ତଠାରୁ ଭଗବାନଙ୍କୁ ଦୂରେଇ ଦେଲେ ଶ୍ରୀମନ୍ଦିରର କେଉଁ ଗୌରବ ବୃଦ୍ଧି ପାଇବ? ଯେଉଁମାନେ ନୀତିକାନ୍ତି, ଦର୍ଶନବ୍ୟବସ୍ଥା ନିର୍ଦ୍ଧାରଣ କରୁଛନ୍ତି, ସେମାନେ ଥରେ ସହୃଦୟତାର ସହ ବିଚାର କରିବା ଦରକାର- ଜଣେ ମଳିମୁଣ୍ଡିଆ, ସାଧାରଣ ଭକ୍ତଟି ପାଇଁ ଦିଅଁଦର୍ଶନ କିପରି ଦୁର୍ଲଭ ହୋଇଯାଉଛି। ମନ୍ଦିର, ତା’ର ଚତୁଃପାର୍ଶ୍ବ, ପୁରୀ ସହରକୁ ଚମତ୍କାର ଭାବରେ ସଜ୍ଜୀକରଣ କରାଗଲେ କୌଣସି ଶ୍ରଦ୍ଧାଳୁ ଅସୁଖୀ ହେବେନାହିଁ; ବରଂ ଆନନ୍ଦିତ ହେବେ; କିନ୍ତୁ ତା’ର ଈପ୍‌ସିତ ଲକ୍ଷ୍ୟ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଦୁର୍ଲଭ ଓ କଷ୍ଟକର ହେଲେ କୌଣସି ଭକ୍ତ ଖୁସି ହେବନାହିଁ। ବରଂ ଦୁଃଖ ପାଇବ। ଶ୍ରୀଗଜପତି ମହାରାଜା, ସେବାୟତ, ପ୍ରଶାସନ, ମନ୍ଦିର ପ୍ରଶାସକ ଏ ଦିଗରେ ଧ୍ୟାନ ଦେଲେ ଶ୍ରଦ୍ଧାଳୁମାନେ କୃତ୍ୟକୃତ୍ୟ ହୁଅନ୍ତେ। ଧନ୍ୟ ହୁଅନ୍ତେ।

Comments
Loading...