ସାଧାରଣତନ୍ତ୍ରରେ ଜନସାଧାରଣ

ରବିରଞ୍ଜନ ସାହୁ

ଆଜକୁ ସତୁରି ବର୍ଷ ତଳେ ଆମ ଦେଶରେ ନୂଆ ସମ୍ବିଧାନ କାର୍ଯ୍ୟକାରୀ ହେଲା। ୨୬ ଜାନୁଆରୀ ଆଜିର ଦିନରେ ଭାରତ ଏକ ସାର୍ବଭୌମ, ସମାଜବାଦୀ, ଗଣତାନ୍ତ୍ରିକ ଓ ଧର୍ମ ନିରପେକ୍ଷ ସାଧାରଣତନ୍ତ୍ର ଭାବେ ବିଶ୍ୱରେ ନିଜର ପରିଚୟ ଧାରଣ ପୂର୍ବକ ବିଗତ ଶତ ଶତ ବର୍ଷର ଦୁଃଖ, ଦୁର୍ଦିନ, ଦୁଃସ୍ଥିତି ଓ ଲାଞ୍ଛନାକୁ ଏଡ଼ାଇ ଦେଇ ନିଜକୁ ଏକ ପ୍ରଗତିଶୀଳ ରାଷ୍ଟ୍ରଭାବେ ଆଗେଇ ନେବାକୁ ଉଦ୍ୟମ କଲା। ଭାରତୀୟ ସମ୍ବିଧାନ ଏହାର ବଳିଷ୍ଠ ଉଦାହରଣ ଯାହା ଦୀର୍ଘ ଦିନର ଆଲୋଚନା, ବିଚାର ବିମର୍ଶ, ଯୁକ୍ତିତର୍କ ଓ ସମାଲୋଚନାର ଶରବ୍ୟକୁ ଅତିକ୍ରମ କରି ଉଭା ହୋଇଛି। ଏହି ସମ୍ବିଧାନ ପ୍ରଣୟନ ପାଇଁ ଯୋଗ୍ୟ ଓ ବିଚାରବନ୍ତ ଭାରତୀୟମାନେ ଆପ୍ରାଣ ଉଦ୍ୟମ କରିଛନ୍ତି। ବିଶେଷ କରି ଦୀର୍ଘ ଦିନର ରାଜତନ୍ତ୍ର ଶାସନ ପରେ ଭାରତ ବିଦେଶୀ ଶାସନରେ ଏକ ପ୍ରକାର ଗୋଲାମ ହୋଇଯାଇଥିଲା। ସେହି ଗୋଲାମି, ଜଡ଼ତା, ବନ୍ଧନରୁ ମୁକ୍ତ ହେବା ପରେ ନିଜ ପାଇଁ ନିଜେ ଖସଡ଼ା ପ୍ରସ୍ତୁତ କରିବା ଯେତିକି କଷ୍ଟକର ଓ ସମୟ ସାପେକ୍ଷ ଥିଲା ସେତିକି ଥିଲା ଅବିସ୍ମରଣୀୟ। ବିଭିନ୍ନ ପ୍ରସଙ୍ଗରେ ସମ୍ବିଧାନ ପ୍ରଣୟନ ସଭାରେ ଧାରାବାହିକ ଆଲୋଚନା ପର୍ଯ୍ୟାଲୋଚନା ପରେ ଯେଉଁ ନିର୍ଯ୍ୟାସ ବାହାରିଲା ତାହା ସାରା ଭାରତବାସୀଙ୍କ ପାଇଁ ତଥା ବିଶ୍ୱ ପାଇଁ ଏକ ନୂଆ ବାତାବରଣ ସୃଷ୍ଟି କଲା। ଅନେକ ରାଜନୀତିକ ସମୀକ୍ଷକ ଏହା ସ୍ୱୀକାର କରନ୍ତି ଯେ ଭାରତୀୟ ସମ୍ବିଧାନ ବିଶ୍ୱରେ ବିରଳ।

ସମ୍ବିଧାନ ଶାସନର ମୌଳିକ ଗୁଣ, ଲକ୍ଷଣ ପ୍ରକାଶ କରିଥାଏ ଏବଂ ସର୍ବୋଚ୍ଚ ନୀତି ବା ଆଇନ, ସରକାରଙ୍କର ସମସ୍ତ କାର୍ଯ୍ୟ, କ୍ଷମତା, ବିଭାଗର କାର୍ଯ୍ୟ ସାଧାରଣ ଜନତା ଦେଶବାସୀଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟର କଥା କହିଥାଏ। ଏହି ସମ୍ବିଧାନ ସମସ୍ତଙ୍କ ପାଇଁ ମାନ୍ୟ ଓ ଏହାର ସୁରକ୍ଷା ମଧ୍ୟ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ସମ୍ବିଧାନ ପ୍ରଣୟନ ସଭାରେ ୨୯୯ ଜଣ ସଦସ୍ୟ ରହିିଥିଲାବେଳେ ସମ୍ବିଧାନ ଚିଠା ପ୍ରସ୍ତୁତିର ଦାୟିତ୍ୱ ସ୍ୱତନ୍ତ୍ର କମିଟି ହାତରେ ନ୍ୟସ୍ତ ଥିଲା। ଡ଼ଃ ବାବା ସାହେବ ଭୀମରାଓ ଆମ୍ବେଦକର ଏହି କମିଟିର ମୁଖ୍ୟ ଓ ଅନ୍ୟ ୬ ଜଣଙ୍କୁ ନେଇ ବିଶ୍ୱର ସର୍ବବୃହତ୍‌ ସମ୍ବିଧାନ ଚିଠା ପ୍ରସ୍ତୁତ କରାଯାଇଥିଲା। ତେଣୁ ଆମ୍ବେଦକରଙ୍କୁ ସମ୍ବିଧାନର ଜନକ କୁହାଯାଏ। ଦୁଇ ବର୍ଷ ଏଗାର ମାସ ଅଠର ଦିନର ପରିଶ୍ରମ ଏବଂ ଉଦ୍ୟମ ପରେ ୩୯୫ ଧାରା ଓ ଅନେକ ଉପଧାରା, ୧୨ଟି ସିଡ୍ୟୁଲ ଏବଂ ୫ଟି ଆପେଣ୍ଡିକସ୍‍କୁ ନେଇ ଏହି ବିଶାଳ ସମ୍ବିଧାନକୁ ୨୬ ନଭେମ୍ବର ୧୯୪୯ ମସିହାରେ ସମ୍ବିଧାନ ପ୍ରଣୟନ ସଭା ଦ୍ୱାରା ମଞ୍ଜୁରୀ ମିଳିଥିଲା ଓ ଏହା ୨୬ ଜାନୁଆରୀ ୧୯୫୦ଠାରୁ କାର୍ଯ୍ୟକାରୀ ହେଲା। ବ୍ରିଟେନ୍‍, ଯୁକ୍ତରାଷ୍ଟ୍ର ଆମେରିକା, ଆୟାରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ଫ୍ରାନ୍ସ, ସୋଭିଏତ ସଂଘ, ଜାପାନ ଆଦି ୬୦ଟି ଦେଶର ସମ୍ବିଧାନକୁ ଅନୁଧ୍ୟାନ କରି ଆମ୍ବେଦକରଜୀ ଓ ତାଙ୍କ ଦଳ ଆମ ସମ୍ବିଧାନ ପ୍ରସ୍ତୁତ କରିଥିଲେ। ଏହି ସମ୍ବିଧାନ ଆମ ଦେଶର ସମ୍ବିଧାନରେ ଥିବା କେତେକ ବ୍ୟବସ୍ଥାକୁ ଗ୍ରହଣ କରିଥିଲେ ମଧ୍ୟ ଏହା ଆପଣା ଗୁଣରେ ମହିମାମୟ ଓ ଗରୀୟାନ। ବିଶେଷ କରି ସମ୍ବିଧାନର ମୁଖବନ୍ଧ ବା ପ୍ରିଏମ୍ବୁଲ୍‍ ଅଧିକ ଗୁରୁତ୍ୱ ବହନ କରେ ଯାହା ସମ୍ବିଧାନର ମୌଳିକ ନିର୍ଯାସକୁ ପ୍ରତିପାଦନ କରୁଛି। ଏକ ସମାଜବାଦୀ ଧର୍ମନିରପେକ୍ଷ, ସଂସଦୀୟ ପ୍ରଜାତନ୍ତ୍ର ଭାବେ ଭାରତ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରିଅଛି।

ଏହା ଆଶ୍ଚର୍ଯ୍ୟର କଥା ଯେ ଏହି ସମ୍ବିଧାନ ବିଗତ ୭୦ ବର୍ଷ ମଧ୍ୟରେ ୧୦୩ଥର ସଂଶୋଧିତ ହୋଇସାରିଲାଣି। ସମ୍ବିଧାନର ୧୦୩ତମ ସଂଶୋଧନ ୨୦୧୯ ଜାନୁଆରୀ ମାସରେ ହୋଇଥିଲା। କେତେକ ସରକାର ସମ୍ବିଧାନ ସଂଶୋଧନ ମାଧ୍ୟମରେ ଏହାର ଗୁରୁତ୍ୱକୁ ନଷ୍ଟ କରିଥିବା ଅଭିଯୋଗ ରହିଛି, ଯେପରି ସଂଶୋଧନ ମାଧ୍ୟମରେ ରାଷ୍ଟ୍ରପତିଙ୍କ କ୍ଷମତାକୁ ସଂକୁଚିତ କରିଦିଆଯାଇଛି ଓ ଦେଶର ସର୍ବୋଚ୍ଚ କ୍ଷମତାଶାଳୀ ଭାବେ ପ୍ରଧାନମନ୍ତ୍ରୀ ଉଭା ହୋଇଛନ୍ତି। ସେହିପରି ସଂଶୋଧନ ମାଧ୍ୟମରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ସଂସ୍କାର ଦେଶ ତଥା ଗଣତନ୍ତ୍ରକୁ ଶକ୍ତିଶାଳୀ କରାଇବାରେ ଏବଂ ଶାସନ ପ୍ରକ୍ରିୟାରେ ଲୋକଙ୍କ ଭାଗୀଦାରିତାକୁ ବଢ଼ାଇବାରେ ସକ୍ଷମ ହୋଇପାରିଛି।

ସମ୍ବିଧାନ ଦେଶର ସର୍ବୋଚ୍ଚ ବିଧାନ ଓ ଏହାକୁ ମାନି କାମ କରିବା ସରକାର ତଥା ଜନସାଧାରଣଙ୍କର ପବିତ୍ର କର୍ତ୍ତବ୍ୟ। ଆମ ଦେଶ ଏକ ସଂଘୀୟ ବ୍ୟବସ୍ଥାକୁ ଗ୍ରହଣ କରିଛି। ଅନେକ ରାଜ୍ୟକୁ ନେଇ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା କାମ କରୁଛି। କେତେକ କେନ୍ଦ୍ରଶାସିତ ଅଞ୍ଚଳ ରହିଛନ୍ତି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରହିବା, ସଂପର୍କ ଠିକ୍‍ ରହିବା ଉଚିତ୍‍, ମାତ୍ର ତାହା ହୋଇପାରିନଥାଏ। ଅନେକ କ୍ଷେତ୍ରରେ କେନ୍ଦ୍ରର ଆଇନକୁ କେତେକ ରାଜ୍ୟ ସେ ପ୍ରଦେଶରେ କାର୍ଯ୍ୟକାରୀ କରିବାକୁ ନେଇ ସହଜ ମନେ କରିନଥାନ୍ତି। ଶାସନ ପ୍ରକ୍ରିୟାରେ ଏପରି ବ୍ୟତିକ୍ରମ ପ୍ରକାଶ ପାଇବା ଅନୁଚିତ। ସମସ୍ତେ ସମ୍ବିଧାନର ମାର୍ଗଦର୍ଶନକୁ ଗ୍ରହଣ କରିବା ଆବଶ୍ୟକ। ଦେଶରେ ସ୍ଥିରତା ଓ ଶାସନଗତ ଶୃଙ୍ଖଳା ସହିତ ପ୍ରଗତି ପାଇଁ ଏହା ଅତ୍ୟନ୍ତ ଜରୁରୀ। ମାତ୍ର ଅନେକ ଭାରତୀୟ ଗଣତନ୍ତ୍ର ଶାସନକୁ ନେଇ ବୀତସ୍ପୃହ। ଏହି ଶାସନ ପ୍ରକ୍ରିୟାରେ ସାଧାରଣ ଲୋକଙ୍କର ସେପରି କିଛି ଭୂମିକା ରହୁନଥିବା ଲୋକେ ଅନୁଭବ କରୁଛନ୍ତି। ରାଜନୀତିକ ଦଳ ଓ ନେତାମାନେ ହିଁ ଲୋକଙ୍କ ଭାଗ୍ୟବିଧାତା ହୋଇ ରହିଛନ୍ତି। ଜନସାଧାରଣଙ୍କୁ ଏପରି ଶାସନ ବ୍ୟବସ୍ଥାରୁ ସୁଖ, ସୁବିଧା ଓ ଲାଭ ମିଳୁନଥିବା କେତେକ ସଂଗଠନ ଦାବି କରନ୍ତି ଓ ଆପଣାର ଉଗ୍ରବାଦୀ କାର୍ଯ୍ୟକ୍ରମ ମଧ୍ୟ ଏ ଦେଶରେ ଜାରି ରଖିଛନ୍ତି। ଗଣତନ୍ତ୍ର ଶାସନ, ସମ୍ବିଧାନକୁ ଅସ୍ୱୀକାର କରୁଥିବା ଏହି ସଂଗଠନଗୁଡ଼ିକ ଆଲୋଚନା ମାଧ୍ୟମରେ ତାଙ୍କର ଇଚ୍ଛା ବ୍ୟକ୍ତ କରିପାରନ୍ତି; କିନ୍ତୁ ହିଂସା ବାଟରେ କୌଣସି ସମାଧାନ ନ ଥିଲାବେଳେ ସେମାନେ ହିଂସା ଛାଡ଼ି ପାରିନାହାନ୍ତି। ଏହା ଦ୍ୱାରା ଦେଶର ଗୌରବ ନଷ୍ଟ ହେବା ସହିତ ଅନେକ ସମସ୍ୟା ସୃଷ୍ଟି ହେଉଛି। ସେହିପରି ସୀମାରେ ଅନେକ ସମସ୍ୟା ରହିଛି ଯାହାକୁ ସମାଧାନ କରିବାରେ ସରକାର ଓ ବ୍ୟବସ୍ଥା ସକ୍ଷମ ହୋଇପାରିନାହିଁ। ଯଦି ସମ୍ବିଧାନକୁ ଗୁରୁତ୍ୱ ଦିଆଯାଇ କାର୍ଯ୍ୟ କରାଯାଏ ତେବେ ଏପରି ସମସ୍ୟା ନାହିଁ ଯାହା ସମାଧାନ ହୋଇନପାରେ। ମାତ୍ର ଏଥିନେଇ ସହମତି ପ୍ରକାଶ ପାଇବା ଦରକାର ଓ ସମ୍ବିଧାନ ପ୍ରତି ଗୁରୁତ୍ୱ ତଥା ତା’ର ମହନୀୟତାକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି।

କେତେକ ଦକ୍ଷିଣପନ୍ଥୀ ସଂଗଠନ ଭାରତୀୟ ସମ୍ବିଧାନକୁ ବିଶ୍ୱାସ କରନ୍ତି ନାହିଁ। ସେମାନେ ଆପଣାର ଲକ୍ଷ୍ୟ ହାସଲ ପାଇଁ ସମ୍ବିଧାନର ମୌଳିକ ଢ଼ାଞ୍ଚାରେ ଆମୂଳଚୂଳ ପରିବର୍ତ୍ତନ ଚାହାନ୍ତି। ବିଶେଷ କରି ‘ଧର୍ମନିରପେକ୍ଷ’ ସେମାନଙ୍କ ପାଇଁ ଅଡୁଆ ହୋଇଛି। ଏହାର ଉଚ୍ଛେଦ ପାଇଁ ସ୍ୱର ଉଠୁଛି। ଭାରତ ଏକ ହିନ୍ଦୁ ରାଷ୍ଟ୍ର ହେବା ଉଚିତ୍‍ ଏବଂ ଧର୍ମ ନିରପେକ୍ଷ ସିଦ୍ଧାନ୍ତ ଠିକ୍‍ ନୁହେଁ ବୋଲି କୁହାଯାଇ ଏହାକୁ ବିରୋଧ କରାଯାଉଛି, ଯାହାର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ। କେବଳ ଆପଣାର ଜିଦ୍‍କୁ କାର୍ଯ୍ୟକାରୀ କରାଇବା ପାଇଁ ସେମାନେ ଚାହାନ୍ତି। ଯେଉଁ ସମ୍ବିଧାନକୁ ସାରା ବିଶ୍ୱରେ ଗୁରୁତ୍ୱ ଦିଆଯାଉଛି ଓ ତା’ର କାର୍ଯ୍ୟକାରିତାକୁ ନେଇ ଅନେକ ଆଶାବାଦୀ, ସେତେବେଳେ କେତେକ ଉଗ୍ରବାଦୀ ଓ କେତେକ ଧର୍ମଧ୍ୱଜାଧାରୀ ଦକ୍ଷିଣ ପନ୍ଥୀ ଭାରତୀୟ ସମ୍ବିଧାନର ମୌଳିକ ଆଦର୍ଶକୁ ଆଘାତ ଦେବାକୁ ଉଦ୍ୟମ କରିବା ଆଦୌ ଗ୍ରହଣୀୟ ନୁହେଁ। ଏହି କାରଣରୁ ଅନେକ ଆଶଙ୍କା ପ୍ରକାଶ କରୁଛନ୍ତି ଯେ ସମ୍ବିଧାନ ଅସୁରକ୍ଷିତ ହୋଇଯାଇଛି। ସମ୍ବିଧାନକୁ ସୁରକ୍ଷା ଦେବା ପରୋକ୍ଷରେ ରାଷ୍ଟ୍ର ଓ ଶାସନଗତ ସୁରକ୍ଷାକୁ ବୁଝାଏ। ଯେତେବେଳେ ସମ୍ବିଧାନ ଅସୁରକ୍ଷିତ ହୋଇଯିବ ସେତେବେଳେ ଦେଶରେ ଆଇନର ଶାସନ ବଳବତ୍ତର ରହିବ ବୋଲି କହିହେବ ନାହିଁ। ଏ ପରିସ୍ଥିତିରେ ବାହ୍ୟ ଶତ୍ରୁ ଏହାର ସୁଯୋଗ ନେବା ଅଯୁକ୍ତିକର ନୁହେଁ। ଏଣୁ ସମ୍ବିଧାନର ମୌଳିକ ନୀତି ଆଦର୍ଶକୁ ଗ୍ରହଣ କରି ସରକାର ଓ ଦେଶବାସୀ କାମ କରିବା ଆବଶ୍ୟକ। ଆମ ସମ୍ବିଧାନର ଗୌରବ କିପରି ବୃଦ୍ଧି ହେବ ଏବଂ ତାର କାର୍ଯ୍ୟକାରିତା, ଜନମଙ୍ଗଳ ଆଭିମୁଖ୍ୟ କିପରି ପ୍ରସାରିତ ହେବ, ଶାସନ ପ୍ରକ୍ରିୟାରେ ଅଧିକରୁ ଅଧିକ ଲୋକଙ୍କୁ କିପରି ସାମିଲ କରାଯାଇପାରିବ ଓ ଏହାରି ମାଧ୍ୟମରେ ଭାରତୀୟ ପ୍ରଜାତନ୍ତ୍ରକୁ ବିଶ୍ୱର ଏକ ଶ୍ରେଷ୍ଠ ପ୍ରଜାତନ୍ତ୍ରର ମାନ୍ୟତା ମିଳିବ ସେ ଦିଗରେ ଅଗ୍ରସର ହେବାର ଆବଶ୍ୟକତା ରହିଛି। ଆଜି ସାଧାରଣତନ୍ତ୍ର ଦିବସରେ ଏହି ଶପଥ ନେବା ଜରୁରୀ।

Comments are closed.