ଆତ୍ମ-କଥନ

ପ୍ରଦୀପ ମହାପାତ୍ର

ମନକୁ ସ୍ୱେଚ୍ଛାକ୍ରମେ କଥାବାର୍ତ୍ତା ବା ମାନସିକସ୍ତରରେ ନିଜ ସହ ନିଜ ଆଳାପକୁ ‘ଆତ୍ମ-କଥନ’ କୁହାଯାଏ। ମନୁଷ୍ୟ ଭାବକୁ ଭାଷା ରୂପ ଦେବା ଶିଖିବା କାଳରୁ ଜୀବଦ୍ଦଶା ଶେଷ ଯାଏ ଆତ୍ମ-କଥନରେ ସଂପୃକ୍ତ ରହିଥାଏ। ଏକ ଅଧ୍ୟୟନ ଅନୁଯାୟୀ ୯୬ ପ୍ରତିଶତ ବୟସ୍କ ବ୍ୟକ୍ତି ଆତ୍ମ-କଥନ ସ୍ୱୀକାର କରନ୍ତି । ତିନିଚତୁର୍ଥାଂଶ ଆତ୍ମ-କଥନ ମାନସିକସ୍ତରରେ ଆବଦ୍ଧ ରଖୁଥିବା ସ୍ଥଳେ ଏକଚ଼ତୁର୍ଥାଂଶଙ୍କ କ୍ଷେତ୍ରରେ ଉଚ୍ଚାରିତ ବା ଶୁଣିବାକୁ ମିଳିଥାଏ। ଆତ୍ମ-କଥନ ପ୍ରାୟତଃ ଅପର ସହ କଥାବାର୍ତ୍ତା ତୁଲ୍ୟ ପ୍ରତୀୟମାନ। ତେବେ ବକ୍ତା ଏବଂ ଶ୍ରୋତା ଏକକ ଚ଼ରିତ୍ରରେ ସୀମିତ।

ବିଶେଷଜ୍ଞଙ୍କ ମତରେ ଆତ୍ମ-କଥନ ପ୍ରାକୃତିକ। ମନୁଷ୍ୟ ଜୀବନବ୍ୟାପୀ ନିଜଠାରୁ ନିଜେ ଯେତେ କଥା ଶୁଣେ ତାହାର ପରିମାଣ ଅନ୍ୟ ସମସ୍ତଙ୍କଠାରୁ ଶୁଣା କଥାରୁ ​‌େ​‌ଢର ଅଧିକ। ଏହି କାରଣରୁ ଆତ୍ମ-କଥନ ପ୍ରତ୍ୟେକଙ୍କ ବ୍ୟକ୍ତିତ୍ୱ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରେ। ବ୍ୟକ୍ତିର ବ୍ୟବହାର ଓ ଦକ୍ଷତା ଆତ୍ମ-କଥନ ଦ୍ୱାରା ପ୍ରଭାବିତ। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନରେ ଆତ୍ମ-କଥନ ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କିମ୍ୱା ନିରୁତ୍ସାହିତ କରିଥାଏ।

ମନୁଷ୍ୟ ଦୈନନ୍ଦିନ ଜୀବନରେ ଜାଗ୍ରତ ଅବସ୍ଥାରେ ପ୍ରାୟତଃ ଆତ୍ମ-କଥନରେ ସଂପୃକ୍ତ ରହିଥାଏ। କୌଣସି ବିଷୟରେ ଚ଼ିନ୍ତା, ବିତର୍କ କିମ୍ୱା ଅନ୍ୟ ସହ କଥାବାର୍ତ୍ତାର ପୂର୍ବପ୍ରସ୍ତୁତି ଆତ୍ମ-କଥନର ଉପାଦାନ। ଅତୀତ ଅନୁଶୀଳନ, ସ୍ଥିତାବସ୍ଥା ବିଶ୍ଳେଷଣ ଓ ସମ୍ଭାବ୍ୟ ଭବିଷ୍ୟତ ଆକଳନ କାଳରେ ଆତ୍ମ-କଥନ ବ୍ୟକ୍ତିଗତ ଦୃଷ୍ଟିକୋଣ ଶାଣିତ କରେ। କୁହାଯାଏ ଯେ ଜଣେ ବ୍ୟକ୍ତିର ଚ଼ିନ୍ତା ପରିସରରେ ଦୈନିକ ପଚାଶ ହଜାର ଯାଏ ବିଷୟ ପହଞ୍ଚିଥାଏ।

ଆତ୍ମ-କଥନ ସକାରାତ୍ମକ ଏବଂ ନକାରାତ୍ମକ ଦୁଇ ବର୍ଗରେ ବିଭକ୍ତ। ଆଶାବାଦୀଙ୍କ କ୍ଷେତ୍ରରେ ସକାରାତ୍ମକ ଓ ନିରାଶାବାଦୀଙ୍କ କ୍ଷେତ୍ରରେ ନକାରାତ୍ମକ ମନୋଭାବ ଉଦ୍ରେକ ହେଉଥିବା ହେତୁ ତାହା ସଂପୃକ୍ତ ପକ୍ଷଙ୍କ ଆତ୍ମ-କଥନରେ ପ୍ରତିଫଳିତ। ଆଧୁନିକ ସଭ୍ୟତାରେ ବ୍ୟକ୍ତିଗତସ୍ତରରେ ଆନନ୍ଦ ଅନୁଭବ, ସାମାଜିକ ସଂପର୍କ, ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ଗୁରୁତ୍ୱ ଦିଆଯାଉଥିବା ତଥା ଏହିସବୁ କ୍ଷେତ୍ରରେ ସଫଳ ହେବା ନିମନ୍ତେ ଉଦ୍ୟମରେ ସକାରାତ୍ମକ ଆତ୍ମ-କଥନ ନିମନ୍ତେ ବିଧିବଦ୍ଧ ଅଭ୍ୟାସକୁ ପ୍ରାଧାନ୍ୟ ଦିଆଯାଇଥାଏ।

ମନୋବିଜ୍ଞାନୀଙ୍କ ମତରେ ସକାରାତ୍ମକ ଆତ୍ମ-କଥନ ବ୍ୟକ୍ତିର ମନରେ ବିଶ୍ୱାସ (କନଫିଡେନ୍ସ) ସୃଷ୍ଟିକରେ। ଅନେକ ସମୟରେ ବ୍ୟକ୍ତି ବିଭିନ୍ନ କାରଣରୁ ବିଭିନ୍ନ କାର୍ଯ୍ୟ ସାଧନଲାଗି ନିଜକୁ ଅପ୍ରସ୍ତୁତ ତଥା ସାମର୍ଥ୍ୟହୀନ ବୋଧ କରିଥାଏ। ସକାରାତ୍ମକ ଆତ୍ମ-କଥନ ଉଦ୍ୟମ କରିବା ନିମନ୍ତେ ପ୍ରୋତ୍ସାହିତ କରେ। ସଫଳତା ହାସଲକାରୀମାନେ ନିଜ କୃତିତ୍ୱ ନିମନ୍ତେ ଆତ୍ମ-ବିଶ୍ୱାସକୁ ଶ୍ରେୟ ଦେଇଥାନ୍ତି।

ସକାରାତ୍ମକ ଆତ୍ମ-କଥନ ମାନସିକ ଚାପ ହ୍ରାସ କରିବାରେ ସକ୍ଷମ। ଏକ ପକ୍ଷରେ ଚାପ ମୁକ୍ତ ଜୀବନ ଦକ୍ଷତା ଏବଂ ଅପରପକ୍ଷରେ ସୁସ୍ଥ ଜୀବନଯାତ୍ରାରେ ସହାୟକ। ବ୍ୟକ୍ତି ଦୀର୍ଘ ଉଦ୍ୟମ ଓ ପରିଶ୍ରମରେ ଅବଶ ହୋଇ ପଡ଼ିଲେ ଆତ୍ମ-କଥନ ପ୍ରୋତ୍ସାହିତ କରେ। ବିଭିନ୍ନ ଗବେଷଣାରେ ଚାପମୁକ୍ତ ଜୀବନ ହୃଦରୋଗ ଭଳି ଅସୁସ୍ଥତା ଏଡ଼ାଇ ଦେଉଥିବା ତଥା ଦୀର୍ଘଜୀବନ ପାଇଁ ପଥ ଉନ୍ମୁକ୍ତ କରୁଥିବା ପ୍ରମାଣିତ।

ଅବସାଦ ବିଶ୍ୱରେ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ରୂପେ ମୁଣ୍ଡ ଟେକିଛି। ଆଧୁନିକ ଜୀବନଯାତ୍ରାରେ ବିଭିନ୍ନ ପ୍ରତିକୂଳ ପରିବେଶ ସମ୍ମୁଖୀନ ହୋଇ ସଂଖ୍ୟାଧିକ ଜୀବନର ବିଭିନ୍ନ ମୋଡ଼ରେ ଅବସାଦଗ୍ରସ୍ତ ହୋଇପଡୁଥିବା ପରିସଂଖ୍ୟାନର ଅଭାବ ନାହିଁ। ମାନସିକସ୍ତରରେ ଅବସାଦଗ୍ରସ୍ତ ହେଲେ ନିଦ୍ରାହୀନତା, କ୍ଷୁଧାହାନି ଭଳି ଶାରୀରିକ ଲକ୍ଷଣମାନ ପ୍ରକାଶ ପାଇ ମନୁଷ୍ୟର ଉତ୍ପାଦିକତା ଶକ୍ତିରେ ବାଧକ ସାଜିଥାଏ। ସକାରାତ୍ମକ ମନୋଭାବ ଅବସାଦର ପରିପନ୍ଥୀ ଏବଂ ସକାରାତ୍ମକ ଆତ୍ମ-କଥନ ବ୍ୟକ୍ତିମାନସରେ ସକାରାତ୍ମକ ଦୃଷ୍ଟିକୋଣ ସୃଷ୍ଟିକରେ।

ଜନଜୀବନରେ ପାରିପାର୍ଶ୍ୱିକ ଘଟଣାବଳୀ ବ୍ୟକ୍ତିର ଆୟତ୍ତାଧୀନ ନଥିବା ସ୍ଥଳେ ପ୍ରତ୍ୟେକ ଘଟଣାକ୍ରମ ପ୍ରତି ବ୍ୟକ୍ତିଗତସ୍ତରରେ ପ୍ରତିକ୍ରିୟା ନିୟନ୍ତ୍ରଣ ଅବଶ୍ୟ ସମ୍ଭବ। ବ୍ୟକ୍ତିଗତ ଦୃଷ୍ଟିକୋଣ ସଂରଚନାରେ ଆତ୍ମ-କଥନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆତ୍ମ-କଥନର ଉପାଦେୟତା ଉପଲବ୍ଧ କରି ଏହାର ସଂଶୋଧନ ନିମନ୍ତେ ଆଗ୍ରହ ପ୍ରକାଶ ପାଉଥିବା ସ୍ଥଳେ ସାଧାରଣ ବ୍ୟକ୍ତିବିଶେଷଙ୍କ ଅଭ୍ୟାସ ନିମନ୍ତେ ବିଭିନ୍ନ ପଦ୍ଧତିମାନ ନିର୍ଦ୍ଧାରିତ ହୋଇଥାଏ।

ନେଦରଲ୍ୟାଣ୍ଡର ପେସାଧାରୀ ମନୋବିଜ୍ଞାନୀମାନଙ୍କ ଏକ ପ୍ରତିଷ୍ଠାନ ପକ୍ଷରୁ ଅନଲାଇନରେ ପ୍ରକାଶିତ ଏକ ପଦ୍ଧତିରେ ବ୍ୟକ୍ତିଗତସ୍ତରରେ ସକାରାତ୍ମକ ମନୋଭାବ ବିକାଶକଳ୍ପେ ତ୍ରି-ସ୍ତରୀୟ ପଦକ୍ଷେପ ପରାମର୍ଶ ଦିଆଯାଇଥାଏ। ପ୍ରଥମତଃ, ଜଣେ ବ୍ୟକ୍ତି ଦୈନିକ ଭିତ୍ତିରେ କେତେ ପରିମାଣରେ ସକାରାତ୍ମକ ଓ ନକାରାତ୍ମକ ଆତ୍ମ-କଥନରେ ସଂପୃକ୍ତ ରହୁଛି ତାହା ହିସାବ ରଖିବ। ଦ୍ୱିତୀୟରେ ସାପ୍ତାହିକ ହିସାବକୁ ତର୍ଜମା କରି କେଉଁ କାରଣରୁ ନକାରାତ୍ମକ ଆତ୍ମ-କଥନ ସୂତ୍ରପାତ ହେଉଛି ତାହା ଅନୁଧ୍ୟାନ କରିବ। ତୃତୀୟରେ ଏହି କାରଣଗୁଡ଼ିକ ତଥ୍ୟାଶ୍ରିତ, ନା ଅଭିମତ ସମ୍ୱଳିତ ନିର୍ଦ୍ଧାରଣ କରି ସଂଶୋଧନ ନିମନ୍ତେ ଉଦ୍ୟମ କରିବା ଆବଶ୍ୟକ।

ମାନସିକସ୍ତରରେ ନକାରାତ୍ମକ ପ୍ରଭାବ ନିୟନ୍ତ୍ରଣ ନିମନ୍ତେ ମାନସିକ ସ୍ଥିତାବସ୍ଥାକୁ ଦୈନିକଭିତ୍ତିରେ ଲିପିବଦ୍ଧ କରି ତାହାର ଅନୁଶୀଳନ କଲେ ସଂପୃକ୍ତ ବ୍ୟକ୍ତି ନିଜସ୍ୱ ଭାବଧାରା ଉଦ୍ରେକର କାରଣ ଓ ନିରାକରଣ ସଂପର୍କରେ ସଚ଼େତନ ହୋଇପାରେ; କିନ୍ତୁ ଏହି ଅଭ୍ୟାସ ସାଧାରଣ ପ୍ରଚଳିତ ହୋଇପାରିନାହିଁ। ମନୁଷ୍ୟର ବ୍ୟାବହାରିକ ପରିବର୍ତ୍ତନ ‘ବିହେଭିରିଆଲ ଚେଞ୍ଜ୍‌’ ନିମନ୍ତେ ଦିନଲିପି (ଜର୍ଣ୍ଣାଲିଂ) ଉପାଦେୟ।

ଆତ୍ମ-କଥନ ଯୁକ୍ତିଯୁକ୍ତ (ରେସନାଲ) ସ୍ତରକୁ ଆଣିବା ନିମନ୍ତେ ଉଦ୍ୟମ ପ୍ରତ୍ୟେକଙ୍କ ପାଇଁ ଉପଯୋଗୀ। ଅଧ୍ୟୟନରୁ ଜଣାଯାଏ ଯେ ମନୁଷ୍ୟ ମନରେ ନକାରାତ୍ମକ ଚ଼ିନ୍ତାଧାରା ସହଜରେ ବସା ବାନ୍ଧି ରହିଥାଏ। ପ୍ରାକୃତିକଭାବେ ସକାରାତ୍ମକ ପରିବେଶକୁ ପରିବର୍ତ୍ତନ ସମ୍ଭବ ନହେଲେ ପ୍ରାୟୋଜିତ ପଦ୍ଧତି ଅନୁସରଣ କରିବାକୁ ପଡ଼େ। ଆତ୍ମ-କଥନରେ ଭାଷା ବ୍ୟବହାର ପ୍ରଭାବଶାଳୀ। ‘ମୁଁ’ ବଦଳରେ ‘ସେ’ ବ୍ୟବହାରରେ ତୁଳନାତ୍ମକଭାବେ ନିରପେକ୍ଷତା (ଅବଜେକ୍ଟଭିଟି) ସୃଷ୍ଟିରେ ସହାୟକ ହୋଇଥାଏ। ତାହା ଯୁକ୍ତିଯୁକ୍ତ ଆଚ଼ରଣ ଲାଗି ପ୍ରବର୍ତ୍ତାଏ।

ଆତ୍ମ-କଥନ ସଂପର୍କରେ ସଚ଼େତନ ହେବାପରେ ସକାରାତ୍ମକ ଆତ୍ମ-କଥନ ଅଭ୍ୟାସ ନିମନ୍ତେ ପ୍ରସ୍ତୁତି ଦୀର୍ଘ ସମୟ ଆବଶ୍ୟକ। ବଦ୍ଧମୂଳ ଧାରଣାଗୁଡ଼ିକର ସତ୍ୟାସତ୍ୟ ବିଚାରକରି ସଂଶୋଧନ ସହଜପ୍ରଦ ବୋଧ ନହୋଇପାରେ। ସର୍ବୋପରି ଏକ ନିର୍ଦିଷ୍ଟ ସକାରାତ୍ମକ ଆତ୍ମ-କଥନ ହେତୁ ସେହି ନିର୍ଦିଷ୍ଟ କ୍ଷେତ୍ରରେ ସକାରାତ୍ମକ ଫଳାଫଳର ହିସାବ ଖୋଜି ପାଇହୁଏନା। ନକାରାତ୍ମକ ଆତ୍ମ-କଥନରେ ଫଳାଫଳ ଯେ ନକାରାତ୍ମକ ହୁଏ ତାହାର ମଧ୍ୟ ପ୍ରମାଣ ନଥାଏ। ଦୈନନ୍ଦିନ ଜୀବନରେ ଆତ୍ମ-କଥନ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଏବଂ ଏହାକୁ ତଥ୍ୟାଶ୍ରୟୀ ଓ ଯୁକ୍ତିଯୁକ୍ତ ଭାବେ ଗଢ଼ିତୋଳିବା ନିମନ୍ତେ ଉଦ୍ୟମ ଗ୍ରହଣଯୋଗ୍ୟ ବିଚାର କରାଯାଇପାରେ।

Comments are closed.