ଜୀବଜନ୍ତୁଙ୍କ ବଞ୍ଚିବାର ଅଧିକାର

ବିଶ୍ବଭୂଷଣ ହରିଚନ୍ଦନ

ବୁଲା କୁକୁରର କ’ଣ ବଞ୍ଚିବାର ଅଧିକାର ଅଛି? ସେ ତ କାହାର ନୁହେଁ। ଗୋଟିଏ ଅତି ନଗଣ୍ୟ ଅବାଞ୍ଛିତ ଜୀବ। ଦିନ ସାରା ବୁଲୁଥାଏ। କାହା ଘର ପାଖରେ ଅଇଁଠା ପତର, କେଉଁ ହୋଟେଲ କିମ୍ବା ଢାବା ପାଖରେ ଫୋପଡ଼ା ଯାଇଥିବା ଅଇଁଠା ଖାଇ ଜୀବନ ବଞ୍ଚାଏ। କିଏ ତାକୁ ଟେକା ପଥର ଫିଙ୍ଗେ ତ କିଏ ଠେଙ୍ଗା ଧରି ତାକୁ ଗୋଡ଼ାଇ ପିଟେ କିମ୍ବା ତା ଉପରେ ଫୁଟୁଥିବା ଗରମ ପାଣି ଫୋପାଡ଼େ। ବଡ଼ ବିକଳରେ ଚିତ୍କାର କରି ନିରୀହ ଜୀବଟି ଦୌଡ଼ି ସେଠାରୁ ପଳାଇଯାଏ। ପ୍ରତ୍ୟେକ ମଣିଷର ତାର ସାମ୍ବିଧାନିକ ଅଧିକାର ସହିତ ମାନବିକ ଅଧିକାର ରହିଛି। ଏପରିକି ମଣିଷ ରକ୍ତରେ ହୋଲି ଖେଳୁଥିବା ଓ ବହୁ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ସନ୍ତ୍ରାସବାଦୀ, ପୁଲିସ କିମ୍ବା ସେନାର ଯବାନଙ୍କର ବନ୍ଧୁକ ଗୁଳିରେ ମୃତ୍ୟୁବରଣ କଲେ ଆମର କିଛି ତଥାକଥିତ ମାନବିକ ଅଧିକାର ପ୍ରବକ୍ତା ଚିତ୍କାର କରି ଉଠନ୍ତି। ମାନବିକ ଅଧିକାରର ନଗ୍ନ ଉଲଙ୍ଘନ ହୋଇଗଲା ବୋଲି ପ୍ରତିବାଦର ସ୍ୱର ଉଠାନ୍ତି।

ସେହିଭଳି ମାନବବାଦୀମାନଙ୍କର ସାଧାରଣ ଓ ଅବହେଳିତ ମଣିଷଙ୍କ ପାଇଁ ଚିନ୍ତା ନଥାଏ। ସାଧାରଣ ଜୀବ ବା ବୁଲାକୁକୁରଙ୍କ ପାଇଁ ରହିବ କେମିତି। ପ୍ରକୃତ ମାନବିକ ଅଧିକାରର ପ୍ରବକ୍ତାମାନେ ହେଉଛନ୍ତି ଭିନ୍ନ। ସେମାନେ ସାଧାରଣ ମଣିଷର ମାନବିକ ଅଧିକାର ପାଇଁ ଲଢ଼େଇ କରିବା ସହିତ ଜୀବଜନ୍ତୁଙ୍କ ପାଇଁ ସହାନୁଭୂତିଶୀଳ ହୋଇଥାନ୍ତି। ଆମେ ଆମର ସାମ୍ବିଧାନିକ ଓ ମାନବିକ ଅଧିକାର ଓ କ୍ଷମତା ପାଇଁ ଯେତେ ସଚେତନ ଅନ୍ୟମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ଓ ମାନବିକତା ଯଥା ଦୟା, କରୁଣା, ଅନୁକମ୍ପା, ସହାନୁଭୂତି ପ୍ରଦର୍ଶନ କରିବାରେ କଣ ସେତିକି ସଚେତନ! ସୃଷ୍ଟିର ପ୍ରତି ଜୀବର ଯେ ବଞ୍ଚିବାର ଅଧିକାର ଅଛି ତା ଆମେ ଭୁଲିଯାଉ। ଆମ ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ପାଇଁ ସମସ୍ତଙ୍କର ବଞ୍ଚିବାର ଅଧିକାର, ଏପରିକି ଜୀବନ ନେଇଯିବା ପାଇଁ ପଶ୍ଚାତ୍‌ପଦ ହେଉନାହୁଁ। ଯେଉଁ ଜୀବମାନଙ୍କର ପାଟି ଫିଟୁନାହିଁ, ଯେଉଁମାନେ ପ୍ରତିବାଦ କରି ପାରୁ ନାହାନ୍ତି ତାଙ୍କ ପାଇଁ କହିବ କିଏ? ଅସୁରକ୍ଷିତ ହୋଇ ସେମାନେ ଜନ୍ମ ନେଇଛନ୍ତି ଏ ଦୁନିଆରେ, ଅସୁରକ୍ଷିତ ଭାବରେ ସେମାନେ ଜୀବନ କାଟିବେ ଓ ଶେଷରେ ଏ ସଂସାରରୁ ବିଦାୟ ନେବେ। ସେମାନଙ୍କର ହିସାବ କେହି ରଖନ୍ତି ନାହିଁ। ଏହା କେବଳ ଜୀବଜଗତ ନୁହେଁ ମଣିଷ ସମାଜ ପାଇଁ ମଧ୍ୟ ପ୍ରଯୁଜ୍ୟ। ଅନେକ ନିଃସ୍ୱ ଅସହାୟ ଦରିଦ୍ର ଲୋକ ଅଛନ୍ତି ଯେଉଁମାନେ ଅସୁରକ୍ଷିତ ଭାବରେ ବଞ୍ଚନ୍ତି ଓ ଏ ସଂସାରରୁ ସମସ୍ତଙ୍କ ଅଗୋଚରରେ ବିଦାୟ ନିଅନ୍ତି। ଆମ ସମାଜ ଓ ଶାସନ ତାଙ୍କ ପ୍ରତି କ୍ୱଚିତ୍‍ ଧ୍ୟାନ ଦିଅନ୍ତି।

ଏଇ କିଛି ମାସ ତଳେ ଗଣମାଧ୍ୟମରେ ପ୍ରକାଶିତ ଏକ ଚାଞ୍ଚଲ୍ୟକର ଓ ହୃଦୟବିଦାରକ ସମ୍ବାଦ ଦେଖି ମୁଁ ସ୍ତବ୍ଧ ଓ ବ୍ୟଥିତ ହୋଇପଡ଼ିଲି। ଜଣେ ହୋଟେଲ ମାଲିକ ଫୁଟା ଗରମପାଣି ଢାଳି ତାଙ୍କ ହୋଟେଲ ପାଖରେ ବୁଲୁଥିବା ୫ଟି ବୁଲା କୁକୁରକୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଆଉ ଯେଉଁ ଚାରି ପାଞ୍ଚଟି ବୁଲା କୁକୁର ସେଠାରେ ବୁଲୁଥିଲେ ସେମାନଙ୍କୁ ଖୁବ୍‍ ଶୀଘ୍ର ମାରିବାର ଯୋଜନା କରିଥିଲେ। କଣ ଥିଲା ସେମାନଙ୍କର ଅପରାଧ! ଗ୍ରାହକମାନେ ଖାଇ ସାରିବା ପରେ ବାହାରେ ଫୋପଡ଼ା ଯାଇଥିବା ଅଇଁଠା ପତ୍ର ଚାଟି ସେମାନେ ବଞ୍ଚୁଥିଲେ। ହେଲେ ଏ ବୁଲା କୁକୁରଗୁଡ଼ିକୁ ହୋଟେଲ୍‍ ପାଖରେ ଦେଖି ଗ୍ରାହକ କୋଉଠି ଅସନ୍ତୁଷ୍ଟ ହେଉଥିବାରୁ ସେ ଏଭଳି ପଦକ୍ଷେପ ନେଲେ ବୋଲି ଗର୍ବର ସହିତ କହୁଥିଲେ। ତାଙ୍କର ଏ ଭଳି କାର୍ଯ୍ୟକୁ କେତେକ ଭଦ୍ରବ୍ୟକ୍ତି ନିନ୍ଦା ଓ ବିରୋଧ କଲେ।

ଏ ଭଳି ଅମାନୁଷିକ ଜଘନ୍ୟ କାର୍ଯ୍ୟ ନକରିବାକୁ ସତର୍କ କରାଇଲେ। ଉକ୍ତ ହୋଟେଲ ମାଲିକ ଏଥିନେଇ ଲଜ୍ଜିତ କିମ୍ବା ଭୟଭୀତ ହେବା ପରିବର୍ତ୍ତେ ଅତ୍ୟନ୍ତ ଉତ୍‍କ୍ଷିପ୍ତ ହୋଇ ଉଠିଲେ। ସେ ଓ ତାଙ୍କର ପୁଅ ସେମାନଙ୍କ ସହ ଝଗଡ଼ା ଆରମ୍ଭ କରିଦେଲେ। ତାଙ୍କ ହୋଟେଲ ପାଖରେ ଭୋକ ବିକଳରେ ଅଇଁଠା ପତ୍ର ଚାଟୁଥିବା ବୁଲା କୁକୁରଗୁଡ଼ିକୁ ମାରିବାର ଅଧିକାର ତାଙ୍କର ଥିବା କଥା ସେ ଉଚ୍ଚ କଣ୍ଠରେ କହିଲେ। ସେମାନଙ୍କ ଭିତରେ ପାଟିତୁଣ୍ଡ ଓ ଉଚ୍ଚବାଚ ହେଲା। ବହୁ ଲୋକ ସେଠାରେ ଜମିଗଲେ। ଖବର ପାଇ ପୁଲିସ୍‍ ସେଠାରେ ପହଞ୍ଚିଲେ ଓ ତାଙ୍କୁ ଏ ଅପକର୍ମ ପାଇଁ କୋଉଠି ଗିରଫ କଲେ। ଏଇ ଦୁଇଦିନ ତଳେ ଆହୁରି ଏକ ଅମାନୁଷିକ ଓ ବର୍ବରୋଚିତ କାଣ୍ଡ ଗଣମାଧ୍ୟମରେ ଆସିଲା। ଭୁବନେଶ୍ୱର ଖଣ୍ଡଗିରି ପାଖ ଜାଗମରାଠାରେ ଜଣେ ବ୍ୟକ୍ତି ଅତି ନିର୍ମମ ଭାବରେ ଦୁଇଟି କୁକୁରଙ୍କୁ ଗୁଳି କରିଦେଲେ। ଗୋଟିଏ କୁକୁର ମୃତ୍ୟୁବରଣ କଲା ଓ ଅନ୍ୟଟି ଗୁରୁତର ହୋଇ ମରଣ ସହିତ ଲଢ଼େଇ କରୁଛି। ଏଭଳି ଅନେକ ଯନ୍ତ୍ରଣାଦାୟକ ଘଟଣା ବିଭିନ୍ନ ସ୍ଥାନରେ ଘଟି ଚାଲିଛି। ସତରେ କଣ ହୋଇଯାଇଛି ଏ ସମାଜ ଓ ସମାଜର ସାଧାରଣ ମଣିଷର ବ୍ୟବହାର! ମାନବିକତା କ’ଣ ଆମ ଭିତରୁ ପୂରା ଲୋପ ପାଇଯାଇଛି!

ଏ ସଂପର୍କରେ ବୁଲାକୁକୁର ଓ ତା ଭଳି ଅନ୍ୟ ଜୀବମାନଙ୍କର ଆଇନଗତ ଅଧିକାର ଓ ତାଙ୍କର ସୁରକ୍ଷା ସଂପର୍କରେ ଆଲୋଚନା କରିବା ହୁଏତ ପ୍ରାସଙ୍ଗିକ ହେବ। ଆମ ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ଅଧ୍ୟାୟର ୨୧ ଧାରାରେ ପ୍ରତ୍ୟେକ ନାଗରିକର ବଞ୍ଚିବାର ଅଧିକାର ଭଳି ପଶୁମାନଙ୍କର ସୁରକ୍ଷା ନଥିଲେ ସୁଦ୍ଧା, ସମ୍ବିଧାନର ଧାରା ୫୧ କ(ଜି) (ଆର୍ଟିକିଲ ୫୧ ଇ(ଶ))ରେ ପ୍ରତ୍ୟେକ ନାଗରିକର ଏ ଜୀବମାନଙ୍କ ପାଇଁ ଦୟା ଓ ଅନୁକମ୍ପା ପ୍ରଦର୍ଶନ କରିବା ମୌଳିକ କର୍ତ୍ତବ୍ୟ ଭାବେ ଉଲ୍ଲିଖିତ ରହିଛି। ଏ ଜୀବମାନଙ୍କର ସୁରକ୍ଷା ପାଇଁ ଅନେକଗୁଡ଼ିଏ ଆଇନ ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଛି। ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ସେଥିରୁ କେତେକ ଆଇନ ସଂପର୍କରେ ସମ୍ୟକ ଧାରଣା ଦେବା ହୁଏତ ସମୀଚୀନ ହେବ। କେନ୍ଦ୍ର ସରକାରଙ୍କର ‘ପଶୁମାନଙ୍କ ପ୍ରତି ନିଷ୍ଠୁରତା ନିରୋଧ ଆଇନ ୧୯୭୨’ ରହିଛି ଏବଂ ଏଥିପାଇଁ ନିଷ୍ଠୁରତା ପ୍ରଦର୍ଶନ କରିଥିବା ବ୍ୟକ୍ତିକୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଗୃହପାଳିତ ପଶୁର ସୁରକ୍ଷା ଓ ଗୋହତ୍ୟା ନିରୋଧ ଆଇନ ସବୁ ରାଜ୍ୟ ସ୍ତରରେ ରହିଛି।

କିଛି ରାଜ୍ୟ ଏହାକୁ କଡ଼ାକଡ଼ି ଭାବରେ ପାଳନ କରୁଛନ୍ତି ମଧ୍ୟ। ଭାରତୀୟ ପିଙ୍ଗଳ କୋଡର ଧାରା ୪୨୮ ଓ ୪୨୯ରେ ଏ ଭଳି ନିଷ୍ଠୁରତା ପ୍ରଦର୍ଶନ ଯଥା ପଶୁମାନଙ୍କୁ ହତ୍ୟା କରିବା, ସେମାନଙ୍କ ପ୍ରତି ବିଷ ପ୍ରୟୋଗ କରିବା, ସେମାନଙ୍କୁ ପଙ୍ଗୁ କିମ୍ବା ଅକର୍ମଣ୍ୟ କରିଦେବା ଦଣ୍ଡନୀୟ ଅପରାଧ ଭାବେ ପରିଗଣିତ ହୋଇଛି ଓ ସେଥିପାଇଁ ଦଣ୍ଡବିଧିର ବ୍ୟବସ୍ଥା ମଧ୍ୟ ରହିଛି। ଭାରତୀୟ ସମ୍ବିଧାନ ଓ ଆମ ଦେଶର ଓ ରାଜ୍ୟର ଏ ଭଳି ସବୁ ଆଇନ ଥିବା ସତ୍ତ୍ବେ, ତାର ନଗ୍ନ ଉଲ୍ଲଙ୍ଘନ କରି ଏ ସବୁ ଜୀବଗୁଡ଼ିକ ପ୍ରତି ଏତେ ନିଷ୍ଠୁର ଆମେ କି ଭଳି ହୋଇପାରିବା! ଆଇନ ଓ ମାନବିକତା ଉଭୟ ଦୃଷ୍ଟିରୁ ଏ କ୍ରୂରତା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ।

ଏ ବୁଲା କୁକୁରଗୁଡ଼ିକର ପ୍ରକୃତରେ କିଏ ଅଛି ଏ ସଂସାରରେ। କେଡ଼େ ନିଃସହାୟ ଏ ଜୀବଗୁଡ଼ିକ! ସେମାନଙ୍କ କଥା କିଏ କଣ କେବେ ଚିନ୍ତା କରିଛି! ସେଇ ବୁଲା କୁକୁରଗୁଡ଼ିକ ଯେଉଁଠି ଦିଟା ଅଇଁଠା ଖାଇ କିମ୍ବା କିଛି ସହୃଦୟ ବ୍ୟକ୍ତିଙ୍କର ଘରର ବଳକା ଫୋପଡ଼ା ଖାଦ୍ୟ ଦିଟା ଖାଇ ପଡ଼ିଥାଆନ୍ତି, କି ପ୍ରବଳ ଆନୁଗତ୍ୟ ଦେଖାନ୍ତି ସେ ପ୍ରାଣୀଗୁଡ଼ିକ। ସେ ଲୋକର ସୁରକ୍ଷା ପାଇଁ ସେମାନେ ଜୀବନ ଦେଇଦେବେ। ତା’ଘରେ ଚୋର ପଶିଲେ କିମ୍ବା ତାକୁ କିଏ ଆକ୍ରମଣ କଲେ ଏ ନିରୀହ ଜୀବଟି ଏକ ଭୟଙ୍କର ଜୀବରେ ପରିଣତ ହୋଇଯାଏ। ସେ ବ୍ୟକ୍ତିକୁ ତା’ର ମାଲିକ ମନେକରି ତା ପାଇଁ ଲଢ଼େଇ କରିବାକୁ ବାହାରିପଡ଼େ। ଗାଁ ଗଣ୍ଡାରେ ମଧ୍ୟ ଏ ଭଳି ଅନେକ ଘଟଣା ଦେଖିବାକୁ ମିଳେ। ରାତିରେ ଯେତେବେଳେ ସମଗ୍ର ଗାଆଁର ଲୋକ କିମ୍ବା ସହରର ଗଳି କନ୍ଦିରେ ସମସ୍ତେ ନିଦ୍ରିତ, ବାହାର ଗାଁ କିମ୍ବା ସହରର ଅନ୍ୟ ଅଞ୍ଚଳରୁ କୌଣସି ଅପରିିଚିତ ଲୋକ ଆସିଲେ ଏ ବୁଲାକୁକୁରଗୁଡ଼ିକ, ଯେଉଁମାନଙ୍କୁ ଏତେ ହତାଦର କରାଯାଇଥାଏ ସେମାନେ ମେଳି ହୋଇ ଭୁକି ଉଠନ୍ତି, ବାହାର ଲୋକ କିମ୍ବା ଚୋର ବା ତସ୍କର ହୋଇଥିଲେ ତାଙ୍କୁ ଭିତରକୁ ପଶିବାକୁ ଦିଅନ୍ତିନାହିଁ। ଫଳରେ ସେ ଅଞ୍ଚଳରେ ଲୋକମାନେ ଜାଗ୍ରତ ହୋଇଯାଆନ୍ତି ଓ ଆବଶ୍ୟକ ସ୍ଥଳେ ପରିସ୍ଥିତିର ମୁକାବିଲା କରନ୍ତି। କୁକୁର ଭଳି ଏତେ ବିଶ୍ୱସ୍ତ ଜୀବ ଆଉ କେହି ନାହାନ୍ତି।

ଆଇନଗତ ଓ ମାନବିକତା ଦୃଷ୍ଟିକୋଣରୁ ପ୍ରତ୍ୟେକ ଜୀବ ପ୍ରତି ଆମର ବା ମାନବ ସମାଜର ଦୃଷ୍ଟିକୋଣ କ’ଣ ହେବ ତା ଉପରେ ଆମେ ସମ୍ୟକ ଆଲୋଚନା କରିଛେ। ଏବେ ଆସନ୍ତୁ ଧାର୍ମିକ, ମାନବିକ ଓ ଅନ୍ୟ ସବୁ ଦୃଷ୍ଟିରୁ ଏ କୁକୁରର ସ୍ଥାନ ଓ ଅବଦାନ ଓ ଆବଶ୍ୟକତା ଉପରେ ଆଲୋଚନା କରିବା। ଟି.ଭି. ପରଦାର ଭାଗ୍ୟରେଖା କାର୍ଯ୍ୟକ୍ରମ କେତେକ ସମୟରେ ଦେଖିବାର ସୁଯୋଗ ମିଳେ। ବିଭିନ୍ନ ବ୍ୟକ୍ତି ତାଙ୍କର ଭାଗ୍ୟ ଓ ଭବିଷ୍ୟତ ଉପରେ ଜ୍ୟୋତିର୍ବିଦମାନଙ୍କୁ ତାଙ୍କର ଆବଶ୍ୟକ ପ୍ରଶ୍ନ ପଚାରିଥାନ୍ତି। ସେମାନେ ତାଙ୍କର ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସେମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତି। ଅନେକ ସମୟରେ ପ୍ରଶ୍ନକର୍ତ୍ତାଙ୍କର ସଙ୍କଟର ସମାଧାନ କିମ୍ବା ରିଷ୍ଟ ଖଣ୍ଡନ ପାଇଁ କୌଣସି ଦେବଦେବୀ ବା ମନ୍ଦିରରେ ପୂଜାଅର୍ଚ୍ଚନା କରିବାକୁ ଉପଦେଶ ଦେଇଥାନ୍ତି। କିନ୍ତୁ ପ୍ରାୟ ପ୍ରତ୍ୟେକ ଜ୍ୟୋତିର୍ବିଦ ରିଷ୍ଟ ଖଣ୍ଡନ ପାଇଁ ବୁଲାକୁକୁରମାନଙ୍କୁ ଖାଇବାକୁ ଦେବାକୁ ପରାମର୍ଶ ଦେଇଥାନ୍ତି। ବୁଲାକୁକୁରକୁ ଖାଇବାକୁ ଦେଇ ଯେଉଁ ପୁଣ୍ୟ ଅର୍ଜନ କରାଯିବ ତା ଦ୍ୱାରା ସେମାନଙ୍କର ରିଷ୍ଟ ଖଣ୍ଡନ ହେବ ବା ସଙ୍କଟ ଦୂର ହୋଇଯିବ। ଏ ଉପଦେଶ ସେମାନେ ତାଙ୍କ ମନରୁ ଦିଅନ୍ତି ନାହିଁ, ଏହା ଶାସ୍ତ୍ରସମ୍ମତ ମଧ୍ୟ। ଏହା ଉପରେ କାହାର କଣ ମତ ରହିଛି ସେ ବିଷୟରେ ମୁଁ କୌଣସି ମନ୍ତବ୍ୟ ଦେବା ପାଇଁ ଚାହୁଁନାହିଁ; କିନ୍ତୁ ସେମାନେ ଏ ଯେଉଁ ପରାମର୍ଶ ଦେଉଛନ୍ତି ମାନବିକତା ଦୃଷ୍ଟିରୁ ତାହା ଯେ ଗ୍ରହଣୀୟ ଏଥିରେ କୌଣସି ସନ୍ଦେହ ନାହିଁ। ଦୁଃସ୍ଥ ଅସହାୟ ଓ ଅବହେଳିତ ମଣିଷ ବା ଜୀବ ପାଇଁ ଦୟା ଓ ଅନୁକମ୍ପା ଯେ ନିଶ୍ଚିତ ଭାବରେ ମାନବୀୟ କର୍ତ୍ତବ୍ୟ ଏଥିରେ ଦ୍ୱିମତ ନାହିଁ। ଆଜି ଆମ ସମାଜ ଭିତରେ ଅନେକ ଲୋକଙ୍କର ଭାଗ୍ୟ ବୁଲା କୁକୁରଭଳି ହୋଇଯାଇଛି। ଉତ୍କଟ ଦାରିଦ୍ର୍ୟ, ଦୁରାରୋଗ୍ୟର ଅସହ୍ୟ ଯନ୍ତ୍ରଣା, ସମାଜ ଓ ବିଶେଷ ଭାବରେ ଶାସନର କ୍ରୂର ଅବହେଳା, ଏ ସବୁର ଶିକାର ସେମାନେ ହୋଇଛନ୍ତି। ଏ ସମସ୍ତଙ୍କ ପାଇଁ ଚିନ୍ତା କରିବା ସେମାନଙ୍କର ସ୍ୱଚ୍ଛଳ ଭାବରେ ବଞ୍ଚିବାର ଅଧିକାର ପାଇଁ ଲଢ଼େଇ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ।

Comments are closed.