ପରଦା ପଛର ଆମେରିକା

ଶ୍ରୀକାନ୍ତ ଚାଟାର୍ଜୀ

ବର୍ତ୍ତମାନ ପୃଥିବୀର ସବୁଠୁ ଧନୀ ଏବଂ ଶକ୍ତିଶାଳୀ ଦେଶ ହେଲା ଆମେରିକା। ଗତବର୍ଷ (୨୦୨୧)ର ପ୍ରମୁଖ ଘଟଣା ଥିଲା ଆଫଗାନିସ୍ତାନରୁ ଆମେରିକା ସେନାର ପଳାୟନ। ଏତେ କ୍ଷମତାଶୀଳ ଦେଶ ଏଭଳି ଘଟଣାରେ ଲିପ୍ତ ହୁଏ କାହିଁକି? ଏ ପ୍ରବନ୍ଧରେ ଏହି ବିଷୟରେ ଅଳ୍ପ ଆଲୋଚନା। ନିଃସନ୍ଦେହ ବର୍ତ୍ତମାନର ବିଶ୍ବ ବ୍ୟବସ୍ଥାରେ ଆମେରିକା ସାମରିକ ଏବଂ ଅର୍ଥନୈତିକ ଶକ୍ତି ଦୃଷ୍ଟିରୁ ସର୍ବାଗ୍ରେ। ଆମେରିକା ଅନେକ ସମୟରେ ପୃଥିବୀର ବିଭିନ୍ନ ଦେଶରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ଯୁଦ୍ଧରେ ଜଡ଼ିତ ହୋଇ ରହିଥାଏ। ଆମେରିକା ଏକ ସ୍ଥିର ଗଣତନ୍ତ୍ର ଏବଂ ମୁକ୍ତଚିନ୍ତା ଉପରେ ବିଶ୍ବାସ କରୁଥିବା ସମାଜ। ଏଭଳି ଏକ ଦେଶ ପୃଥିବୀସାରା ଯୁଦ୍ଧରେ ଜଡ଼ିତ ହୋଇ ରହିବା କୌତୂହଳ ସୃଷ୍ଟି କରେ। ବର୍ତ୍ତମାନ କାଳରେ ବିଶ୍ବ ଶାନ୍ତିର ଦାୟିତ୍ବ ଜାତିସଂଘର। ଅନ୍ୟ ଦେଶମାନେ ଏ ଦିଗରେ ଜାତିସଂଘକୁ ସହଯୋଗ କରିବା ଉଚିତ। ଆବଶ୍ୟକତା କ୍ଷେତ୍ରରେ ଜାତିସଂଘର ଅନୁମତି କ୍ରମେ ବଳପ୍ରୟୋଗ କରାଯାଇପାରେ। ହେଲେ ଦେଖାଯାଏ, ଆମେରିକା ଅନେକ ସମୟରେ ଏକତରଫା ବଳ ପ୍ରୟୋଗ କରେ। ଇରାକ୍‌ର କଥା ଦେଖନ୍ତୁ।

ପ୍ରଥମେ କୁହାଗଲା, ଇରାକ୍‌ ଗଣ ବିଧ୍ବଂସକାରୀ ଅସ୍ତ୍ର (ୱେପନ୍ସ ଅଫ୍‌ ମାସ୍‌ ଡିଷ୍ଟ୍ରକ୍ସନ) ତିଆରି କରିଛି/ କରୁଛି। ଜାତିସଂଘ ତରଫରୁ ତଦନ୍ତ କରାଗଲା। ତଦନ୍ତକାରୀଙ୍କୁ ଏହାର କୌଣସି ପ୍ରମାଣ ମିଳିଲା ନାହିଁ। ଜାତିସଙ୍ଘ ଇରାକ ଉପରେ ଆକ୍ରମଣ କରିବାର ଅନୁମତି ଦେଲେ ନାହିଁ। ତଥାପି ଆମେରିକା ଇରାକ୍‌ ଉପରେ ଏକତରଫା ଆକ୍ରମଣ କଲା ଏବଂ ରାଷ୍ଟ୍ରପତି ସଦ୍ଦାମ ହୁସେନଙ୍କୁ ହତ୍ୟା କଲା (୨୦୦୬)। ସେହିଭଳି ଆମେରିକା ଆଫଗାନିସ୍ତାନର ଗୋଳମାଳିଆ ପରିସ୍ଥିତିରେ ଗୋଡ଼ ଦେଲା। ‘ତାଲିବାନ’ ବିରୋଧରେ ଲଢ଼େଇ କଲା। ଶେଷକୁ ଆଫଗାନିସ୍ତାନକୁ ଅସଜଡ଼ା ସ୍ଥିତିରେ ଛାଡ଼ି ଛତ୍ରଭଙ୍ଗ ଦେଲା। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ତାଲିବାନ ହାତକୁ ଗଲା। ଆମେରିକାର ଏ ସବୁ ଅଭିଯାନରେ ବ୍ରିଟେନ ଭଳି ପାଶ୍ଚାତ୍ୟ ଦେଶ ଅଂଶଗ୍ରହଣ କରନ୍ତି। ହେଲେ, ପ୍ରମୁଖ ଭୂମିକା ଆମେରିକାର ହିଁ ରହେ।

ଆମେରିକାରେ ଯୁଦ୍ଧାସ୍ତ୍ର ତଥା ରଣନୀତି ପାଇଁ ଉନ୍ନତମାନର ଗବେଷଣା ହୁଏ ଏବଂ ପ୍ରଚୁର ଅସ୍ତ୍ରଶସ୍ତ୍ର ନିର୍ମାଣ ହୁଏ। ଏ ସବୁ ମୁଖ୍ୟତଃ ଘରୋଇ କ୍ଷେତ୍ରରେ ହୁଏ। ଅସ୍ତ୍ରଶସ୍ତ୍ରର କ୍ରୟକର୍ତ୍ତା ହେଲେ ଆମେରିକା ସରକାର। ଅନ୍ୟ ଦେଶକୁ ଅସ୍ତ୍ର ରପ୍ତାନି ମଧ୍ୟ ସରକାରୀ ନିୟମାଧୀନ। ପରିସଂଖ୍ୟାନ ଅନୁସାରେ କରୋନା ମହାମାରୀ ସତ୍ତ୍ବେ ୨୦୧୬-୨୦ ଅବଧିରେ ଆନ୍ତର୍ଜାତିକ ବଜାରରେ ଅସ୍ତ୍ରଶସ୍ତ୍ର କିଣାବିକା ପୂର୍ବ ପାଞ୍ଚବର୍ଷ ତୁଳନାରେ ସ୍ଥିର ଥିଲା। ପୃଥିବୀର ୯୬ଟି ଦେଶ ଆମେରିକାରୁ ଅସ୍ତ୍ର କିଣିଥିଲେ। ଆମେରିକାର ଅସ୍ତ୍ର ରପ୍ତାନିର ପ୍ରାୟ ଅଧା (୪୭%) ମଧ୍ୟ-ପ୍ରାଚ୍ୟ ଉଦ୍ଦିଷ୍ଟ ଥିଲା। ଆମେରିକା ସରକାରଙ୍କ ବୈଦେଶିକ ବିଭାଗର ଔପଚାରିକ ୱେବ୍‌ସାଇଟ୍‌ରୁ ଜଣାପଡ଼େ, ବୈଦେଶିକ ବିଭାଗ ଅନ୍ତର୍ଗତ ‘ବ୍ୟୁରୋ ଅଫ୍‌ ପଲିଟିକାଲ-ମିଲିଟାରୀ ଆଫେୟାର୍ସ’ଙ୍କ ତତ୍ତ୍ବାବଧାନରେ ଆମେରିକା ସରକାର ଅନ୍ୟ ଦେଶର ସରକାରଙ୍କୁ ଅସ୍ତ୍ରଶସ୍ତ୍ର ରପ୍ତାନି କରନ୍ତି। ଅସ୍ତ୍ର ରପ୍ତାନି ପାଇଁ ବିଭିନ୍ନ ଆଇନ୍‌ ଏବଂ ଆଇନ୍‌ଗତ ବ୍ୟବସ୍ଥା ଅଛି।

ଦୁଇ ପ୍ରମୁଖ ଆଇନ ହେଲା, ଆର୍ମ୍ସ୍‌ ଏକ୍ସପୋର୍ଟ କ​‌େ​‌ଣ୍ଟ୍ରାଲ ଆକ୍ଟ ଏବଂ ଫରେନ୍‌ ଆସିଷ୍ଟାନ୍ସ ଆକ୍ଟ। ଏସବୁ ନିୟମକାନୁନ୍‌ ମାଧ୍ୟମରେ ଆମେରିକା ସରକାର ବିଦେଶକୁ ବର୍ଷକୁ ହାରାହାରି ୫୫ ବିଲିୟନ୍‌ ଆମେରିକାନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ରପ୍ତାନି କରନ୍ତି। ଏହା ଛଡ଼ା ପୃଥିବୀର ପ୍ରାୟ ୧୫୦ ଦେଶରେ ଆମେରିକାର ସୈନ୍ୟବାହିନୀ ମୁତୟନ ଅଛନ୍ତି। ତାଙ୍କୁ ଉଚ୍ଚମାନର ଅସ୍ତ୍ରଶସ୍ତ୍ର ଆବଶ୍ୟକ। ଫଳରେ ଆମେରିକାରେ ଅଧିକରୁ ଅଧିକ ରଣନୀତି ଜନିତ ଗବେଷଣା ଏବଂ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ର ଉତ୍ପାଦନର ପ୍ରବଣତା ଦେଖାଦିଏ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆଇଜେନ୍‌ହାୱାର ତାଙ୍କ ବିଦାୟୀ ଭାଷଣରେ ଆମେରିକୀୟ ସମାଜକୁ ‘ମିଲିଟାରୀ-ଇଣ୍ଡଷ୍ଟ୍ରିଆଲ୍‌ କ‌େ‌ମ୍ପ୍ଲକ୍ସ’ର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବ ବିରୋଧରେ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ (ଜାନୁଆରୀ ୧୭, ୧୯୬୧)। ଏହି ବିଜ୍ଞ ସତର୍କବାଣୀ ସତ୍ତ୍ବେ ଆମେରିକୀୟ ବ୍ୟବସ୍ଥାରେ ଏହି ମିଲଟାରୀ-ଇଣ୍ଡଷ୍ଟ୍ରିଆଲ୍‌ କ​‌େ​‌ମ୍ପ୍ଲକ୍ସ (ସାମରିକ-​‌‌ଔଦ୍ୟୋଗିକ ସମୂହ)ର ପ୍ରବଳ ପ୍ରଭାବ ଅନୁଭୂତ ହୁଏ। ବଡ଼ବଡ଼ ଅସ୍ତ୍ର ଶିଳ୍ପ ବଡ଼ ଧରଣର ରଣନୀତି ଗବେଷଣାକୁ ଅର୍ଥ ଯୋଗାନ୍ତି। ଏସବୁ ଗବେଷଣା ସଂସ୍ଥା (ଥିଙ୍କ୍‌ ଟ୍ୟାଙ୍କ୍‌) ଆମେରିକାର ସାମରିକ ହସ୍ତକ୍ଷେପ ସପକ୍ଷରେ ମତବ୍ୟକ୍ତ କରନ୍ତି। ଅନେକ ପ୍ରଭାବଶାଳୀ ଅମଲା ଏବଂ ରାଜନେତା ଏହାକୁ ସମର୍ଥନ କରନ୍ତି। ଫଳରେ ଉଦ୍ୟୋଗ, ଅମଲା ଏବଂ ରାଜନେତାଙ୍କୁ ନେଇ ଏକ ‘ଆଇରନ୍‌ ଟ୍ରାୟାଙ୍ଗଲ୍‌’ (ଲୌହ ତ୍ରିଭୁଜ) ତିଆରି ହୁଏ। ଏଣୁ ବିଦେଶରେ ସାମରିକ ହସ୍ତକ୍ଷେପ, ବିଦେଶକୁ ଅସ୍ତ୍ର ରପ୍ତାନି ଆମେରିକୀୟ ବିଦେଶ ନୀତିର ଅଭିନ୍ନ ଅଙ୍ଗ ହୋଇଯାଏ।

ବିଶ୍ବ ବ୍ୟବସ୍ଥାରେ ଆଧିପତ୍ୟ ବଜାୟ ରଖିବାପାଇଁ ଆମେରିକାରେ ଦୃଶ୍ୟମାନ ଓ ଅଦୃଶ୍ୟ ଅନେକ କାର୍ଯ୍ୟକଳାପ ଜାରି ରହେ। ସେ ଭିତରୁ ଗୋଟିଏ ସ୍ତରରେ ପ୍ରଭାବଶାଳୀ ବୁଦ୍ଧିଜୀବୀ, ଧନ ଏବଂ କ୍ଷମତାସୀନ ବ୍ୟକ୍ତିଙ୍କ ଏକ ବଳୟ ସକ୍ରିୟ ରହେ। ଗୋଟିଏ ଉଦାହରଣ ନିଅନ୍ତୁ। ସତୁରି ଦଶକରେ ‘ଟ୍ରାଏଲାଟେରାଲ୍‌ କମିସନ୍‌’ (ତ୍ରିପାକ୍ଷିକ ଆୟୋଗ) ନାମକ ଏକ ସଂସ୍ଥା ତିଆରି ହେଲା। ୧୯୭୩ ମସିହାରେ ଡେଭିଡ ରକଫେଲର ନାମକ ଜଣେ ଧନାଢ଼୍ୟ ବ୍ୟାଙ୍କ ମାଲିକ ଏହା ତିଆରି କଲେ। ଉତ୍ତର ଆମେରିକା, ୟୁରୋପ ଓ ଜାପାନର ‘ବେସରକାରୀ ନାଗରିକ’ (ପ୍ରାଇଭେଟ୍‌ ସିଟିଜେନ୍) ମାନେ ଏହାର ସଦସ୍ୟ ଥିଲେ। ଆପାତ ଦୃଷ୍ଟିରେ ଏହାର ଉଦ୍ଦେଶ୍ୟ ଥିଲା ଆନ୍ତର୍ଜାତିକ ସହଯୋଗକୁ ପ୍ରୋତ୍ସାହନ ଯୋଗାଇବା। ହେଲେ, ଏହା ପଛର କାର୍ଯ୍ୟକଳାପ ଲକ୍ଷ୍ୟ କରନ୍ତୁ।

ଏହି ସଂସ୍ଥାର ପ୍ରଥମ ନିର୍ଦେଶକ ଥିଲେ ଜବିଗ୍‌ନ୍ୟୁ ବ୍ରେଜେନ୍‌ସ୍କି (୧୯୭୩-୭୬)। ପରେ ବ୍ରେଜେନ୍‌ସ୍କି ରାଷ୍ଟ୍ରପତି କାର୍ଟର୍‌ଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଲାଭ କରିଥିଲେ (୧୯୭୭-୮୧)। ଏମିତି ଅନେକ ଉଦାହରଣ। ସମାଲୋଚକଙ୍କ ମତରେ ଏହି ସଂସ୍ଥା ଆମେରିକୀୟ ବ୍ୟବସ୍ଥାକୁ ପ୍ରଭାବିତ କରେ ଏବଂ ସାଧାରଣ ଭାବେ ଉନ୍ନତ ରାଷ୍ଟ୍ରଙ୍କ ତଥା ନିର୍ଦିଷ୍ଟ ଭାବେ ଆମେରିକୀୟ ଆଧିପତ୍ୟ କେମିତି କାଏମ୍‌ ରହିବ ସେଥିପାଇଁ ଚେଷ୍ଟା କରେ। ଏହି ସଂସ୍ଥା ଧନୀ ଦେଶ ଏବଂ ଧନୀ ବ୍ୟକ୍ତିଙ୍କୁ ସୁହାଇଲାଭଳି କାମ କରେ ଏବଂ ପଛୁଆମାନଙ୍କୁ ଶୋଷଣ କରେ। ୧୯୭୫ ମସିହାରେ ସାମୁଏଲ ପି ହଣ୍ଟିଙ୍ଗ୍‌ଟନ୍‌ ଏବଂ ଆଉ ଦୁଇଜଣ ଲେଖକ ଉକ୍ତ କମିସନ୍‌ ତରଫରୁ ‘ଦି କ୍ରାଇସିସ୍‌ ଅଫ୍‌ ଡେମୋକ୍ରାସି (ଗଣତନ୍ତ୍ରର ସମସ୍ୟା) ନାମକ ବହି ଲେଖିଥିଲେ। ବହିର ମୂଳତତ୍ତ୍ବ ଥିଲା, ଆମେରିକାର ସମସ୍ୟାର କାରଣ ହେଲା ‘ଅତ୍ୟଧିକ ଗଣତନ୍ତ୍ର’, ଅତଏବ କେନ୍ଦ୍ରୀୟ ସରକାର ଏବଂ ସଂସ୍ଥାମାନଙ୍କ ପ୍ରତିଷ୍ଠା ଓ କ୍ଷମତାକୁ ପୁନଃସ୍ଥାପିତ କରିବାକୁ ପଡ଼ିବ। ଚୋମ୍‌ସ୍କିଙ୍କ ଭଳି ବିଦ୍ବାନ ବ୍ୟକ୍ତିମାନେ ଏଭଳି ତତ୍ତ୍ବର କଡ଼ା ସମାଲୋଚନା କରନ୍ତି। ଯାହାହେଉ, ମୋଟ ଉପରେ କଥା ହେଲା ଆମେରିକାର ଆଧିପତ୍ୟ ବଜାୟ ରଖିବାପାଇଁ ଏହା ‘ବୁଦ୍ଧିଜୀବୀ’ମାନଙ୍କର ଏକ ପ୍ରୟାସ।

ଆଉ ଏକ ଉଦାହରଣ ନିଅନ୍ତୁ। ଜନ୍‌ ପର୍କିନ୍ସ ନାମକ ଜଣେ ବ୍ୟକ୍ତି ଅଛନ୍ତି। ସେ ନିଜକୁ ଜଣେ ‘ଇକନମିକ୍‌୍‌ ହିଟମ୍ୟାନ୍‌’ ଭାବେ ଅଭିହିତ କରନ୍ତି। ତାଙ୍କ ଲିଖିତ ‘କନ୍‌ଫେସନ୍ସ ଅଫ୍‌ ଆନ୍‌ ଇକନମିକ୍‌ ହିଟ୍‌ମ୍ୟାନ୍‌’ (ଜଣେ ଅର୍ଥନୈତିକ ଘାତକଙ୍କ ସ୍ବୀକାରୋକ୍ତି) ୨୦୦୪ ମସିହାରେ ପ୍ରକାଶିତ ହୋଇଥିଲା ଏବଂ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ବହିର ତତ୍ତ୍ବକୁ ସେ ଅନ୍ୟତ୍ର ମଧ୍ୟ ପ୍ରକାଶିତ କରିଛନ୍ତି/ କହିଛନ୍ତି (ତାଙ୍କ ସ୍ବୀକାରୋକ୍ତି ୟୁଟ୍ୟୁବ୍‌ରେ ମଧ୍ୟ ଦେଖାଯାଇପାରେ)। ପର୍କିନସ୍‌ ଜଣେ ଆମେରିକୀୟ। ସେ ଚାସ୍‌.ଟି. ମେନ୍‌ ନାମକ ଏକ ଇଞ୍ଜିନିୟରିଙ୍ଗ୍‌ ପରାମର୍ଶଦାତା କମ୍ପାନି​‌େ​‌ର କାମ କରୁଥିଲେ। ତାଙ୍କ କାମ ଥିଲା ଅନୁନ୍ନତ ଦେଶମାନଙ୍କୁ ବଡ଼ବଡ଼ ନିର୍ମାଣ ଏବଂ ଇଞ୍ଜିନିୟରିଂ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ପ୍ରବର୍ତ୍ତାଇବା ଏବଂ ସେଥିପାଇଁ ତାଙ୍କୁ ବିଶ୍ବବ୍ୟାଙ୍କ, ଆଇଏମଏଫ୍‌ ଭଳି ସଂସ୍ଥାରୁ ଉନ୍ନତିମୂଳକ ଋଣ ଯୋଗାଇବାର ବ୍ୟବସ୍ଥା କରିବା।

ଏସବୁ ଉଦ୍ୟୋଗର ଠିକା ଆମେରିକୀୟ କମ୍ପାନୀଙ୍କୁ ଯାଉଥିଲା। ପର୍କିନ୍ସଙ୍କ ମତରେ ଇକନମିକ୍‌ ହିଟ୍‌ମ୍ୟାନ୍‌ ଭାବରେ ତାଙ୍କ ଅନ୍ୟତମ ଦାୟିତ୍ବ ଥିଲା ଆମେରିକାକୁ ସୁହାଉନଥିବା ସରକାରଙ୍କ ପତନ ଘଟାଇବା, ସେଭଳି ଦେଶର ନେତାଙ୍କ ହତ୍ୟା କରାଇବା ଏବଂ ଶେଷ ଅସ୍ତ୍ର ଭାବେ ସାମରିକ ବଳ ପ୍ରୟୋଗ କରିବା। ସେ ଅନେକ ଦେଶ ଏବଂ ସେ ଦେଶର ନେତାଙ୍କ ନାଁ ନେଇ ମନ୍ତବ୍ୟ ପ୍ରଦାନ କରନ୍ତି। ଉଦାହରଣ ସ୍ବରୂପ ସେ ଇରାକ୍‌ର ରାଷ୍ଟ୍ରପତି ସଦ୍ଦାମ ହୁ​‌େ​‌ସନଙ୍କ କଥା କହନ୍ତି। ତାଙ୍କ ମତରେ ପ୍ରଥମ ପାଳିର ଆକ୍ରମଣ ସତ୍ତ୍ବେ ହୁସେନ୍‌ ଆମେରିକାର କଥା ମାନିବାକୁ ରାଜି ହେଲେ ନାହିଁ; ତାଙ୍କ ଅଙ୍ଗରକ୍ଷକମାନେ ସଶକ୍ତ ଏବଂ ହୁସେନଙ୍କ ପ୍ରତି ଅନୁଗତ ଥିଲେ। ଏଥିପାଇଁ ସାମରିକ ବଳ ପ୍ରୟୋଗ କରାଗଲା ଏବଂ ହୁସେନଙ୍କୁ ଶେଷ କରି ଦିଆଗଲା। କିନ୍ତୁ ତାଙ୍କ କାର୍ଯ୍ୟକଳାପରେ ନ୍ୟାସନାଲ୍‌ ସିକ୍ୟୁରିଟି ଏଜେନ୍ସି (ଏନ୍‌ଏସ୍‌ଏ)ର ସମ୍ପୃକ୍ତି ବିଷୟରେ କହନ୍ତି। କିଛି ବିଶେଷଜ୍ଞ ପର୍କିନ୍ସଙ୍କ ତତ୍ତ୍ବକୁ ଅତିରଞ୍ଜିତ ମନେ କରନ୍ତି। ତେଣୁ ପର୍କିନ୍ସ ଯଦି ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ମନଗଢ଼ା କଥା କହୁଥା’ନ୍ତେ, ତେବେ ରାଷ୍ଟ୍ରବିରୋଧୀ କାର୍ଯ୍ୟକଳାପ ଜନିତ ଆଇନ୍‌ର ସମ୍ମୁଖୀନ ହୁଅନ୍ତେ। ଏଣୁ ତାଙ୍କ ତତ୍ତ୍ବକୁ ଅସତ୍ୟ କହିହେବ ନାହିଁ ବୋଲି ଅନେକଙ୍କ ମତ। ପର୍କିନ୍ସଙ୍କ ମୋଟାମୋଟି ତତ୍ତ୍ବ ହେଲା, କଳେବଳେ କୌଶଳେ ଆମେରିକା ପୃଥିବୀ ସାରା ତା’ର ଆଧିପତ୍ୟ ବଜାୟ ରଖିବାକୁ ଚେଷ୍ଟା କରେ। ସାମରିକ ବଳ, ଅର୍ଥନୈତିକ ବଳ, ଗୁଇନ୍ଦା ବ୍ୟବସ୍ଥା ଏବଂ ଠକାମି ଏହି ରଣନୀତିର ଅଙ୍ଗ।

ଉପସଂହାରକୁ ଆସିବା। ଆମେରିକା ଅର୍ଥନୈତିକ ଏବଂ ସାମରିକ ଦୃଷ୍ଟିକୋଣରୁ ଅଭୂତପୂର୍ବ ଉନ୍ନତି ହାସଲ କରିଛି। ଏଥିପାଇଁ ବୈଜ୍ଞାନିକ, ବୈଷୟିକ ଜ୍ଞାନକୌଶଳ, ବ୍ୟବସାୟୀ, ବୁଦ୍ଧିଜୀବୀ, ଅମଲା ଏବଂ ରାଜନେତାଙ୍କ ଯୋଗଦାନ ରହିଛି। ଆମେରିକା ଏକ ମୁକ୍ତ ସମାଜ। ହସ୍ତଶିଳ୍ପ, ଘରୋଇ କ୍ଷେତ୍ରରେ ତାଙ୍କୁ ଲାଭ ଦରକାର। ଆମେରିକା ସରକାରଙ୍କ କ୍ରୟ କ୍ଷମତାର ସୀମା ଅଛି। ଏଣୁ ଅସ୍ତ୍ର ରପ୍ତାନି ଏକ ସ୍ବାଭାବିକ ବିକଳ୍ପ। ଅସ୍ତ୍ରରପ୍ତାନି ସହିତ ବିଭିନ୍ନ ଦେଶରେ ଯୁଦ୍ଧରେ ଲିପ୍ତ ହେବା ମଧ୍ୟ ଏକ ସ୍ବାଭାବିକ ବିକଳ୍ପ। ଏଥିପାଇଁ ସମାଜରେ ମୋଟାମୋଟି ଏକ ସହମତି ଆବଶ୍ୟକ। ଆଇନଗତ ସମର୍ଥନ ଲୋଡ଼ା। ଏଥିପାଇଁ ବୁଦ୍ଧିଜୀବୀମାନେ କ୍ଷେତ୍ର ପ୍ରସ୍ତୁତ କରନ୍ତି। ବୈଜ୍ଞାନିକମାନେ ପାଠ ଶିଖାନ୍ତି। ଇଞ୍ଜିନିୟର୍‌ ଏବଂ ବୈଷୟିକ ଜ୍ଞାନ କୌଶଳୀମନେ ଏସବୁକୁୁ କାର୍ଯ୍ୟାନ୍ବିତ କରନ୍ତି ଏବଂ ଏକ ବିଶାଳକାୟ ମିଲିଟାରୀ ଇଣ୍ଡଷ୍ଟ୍ରିଆଲ୍‌ କ‌େ​‌ମ୍ପ୍ଲକ୍ସର ସ୍ବରୂପ ଦେଖାଦିଏ। ଏହି କ​‌େ​‌ମ୍ପ୍ଲକ୍ସ ଦେଶର ଆଭ୍ୟନ୍ତରୀଣ ଏବଂ ବିଦେଶ ନୀତିକୁ ପ୍ରଭାବିତ କରେ। ଆମେରିକା ପୃଥିବୀସାରା ନିଜର ଜୟଯାତ୍ରାରେ ଲିପ୍ତରହେ। ଏହା ଏକ ନିରନ୍ତର ଯାତ୍ରା- ଅସରନ୍ତି ଅସ୍ତ୍ର ରପ୍ତାନି ଏବଂ ଗୋଟିଏ ଯୁଦ୍ଧ ପରେ ଆଉ ଏକ ଯୁଦ୍ଧ।

Comments are closed.