ପିଲାଙ୍କ ଭାଷା

ଦ୍ବିତୀଚନ୍ଦ୍ର ସାହୁ

ପ୍ରାଥମିକ ଶ୍ରେଣୀରେ ଏବେ ବହୁଭାଷୀ ପିଲା। ପିଲାଙ୍କ ଭାଷା ଅଲଗା ଅଲଗା। ଏକାଧିକ ଭାଷାଗୋଷ୍ଠୀର ପିଲାଙ୍କ ସମାଗମ। ଶ୍ରେଣୀରେ ବିଭିନ୍ନତା ଭିତରେ ଏକତାର ସୂତ୍ରପାତ। ଶିକ୍ଷଣ ପ୍ରକ୍ରିୟା ମାନକ ଭାଷାରେ ଆଦୌ ସମ୍ଭବ ନୁହେଁ। ପିଲାଏ ଶିକ୍ଷକଙ୍କ ଭାଷା ବୁଝିପାରିବେନି। ଶିକ୍ଷକଙ୍କୁ ପିଲାଙ୍କ ଭାଷା ସହ ପରିଚିତି ଲାଭ କରିବାକୁ ପଡିବ। ପିଲାଙ୍କ ଭାଷାରେ ପିଲାଙ୍କ ସହ ଆଲୋଚନା କରିବାକୁ ପଡିବ। ଏଥି ସହ ତୃତୀୟ ଶ୍ରେଣୀ ବେଳକୁ ପିଲାଟି ମାନକ ଭାଷାରେ ପଢି ଲେଖିବା ସହ ସ୍ୱଚ୍ଛନ୍ଦରେ କଥାବାର୍ତ୍ତା କରିବାକୁ ହେବ। କେବଳ ସେତିକି ନୁହେଁ; ସଂଖ୍ୟା ଗଣନାରେ ପାରଦର୍ଶିତା ଲାଭ କରିବାକୁ ହେବ। ଏସବୁ ଭିତରେ ମୂଲ୍ୟାୟନର ପ୍ରକ୍ରିୟା ବି ବଦଳିବ। ପାଠ୍ୟକ୍ରମରେ ସ୍ଥାନୀୟ ପ୍ରସଂଗଗୁଡିକ ସ୍ଥାନ ପାଇବ। ବରିଷ୍ଠତା ନୁହେଁ ଦକ୍ଷତା ଭିତ୍ତିରେ ପଦୋନ୍ନତି ଓ ବାର୍ଷିକ ବେତନ ବୃଦ୍ଧି ହେବ। ଜାତୀୟ ସ୍ତରର ସଂସ୍ଥାନ ଦ୍ୱାରା ନିର୍ଦ୍ଧାରିତ ଆକଳନ ଅନୁସାରେ ପାରଦର୍ଶିତା ଲାଭ କରିବାକୁ ହେବ। ବୃତ୍ତି ଓ ପ୍ରବୃତ୍ତିରେ ଶିକ୍ଷକ ନିଜେ ଦକ୍ଷ ହେବାକୁ ପଡିବ।

ଏଇ କ୍ରମରେ ଆଗାମୀ ଦିନରେ ପ୍ରାଥମିକ ଶିକ୍ଷକ ପାଇଁ ବଡ ଆହ୍ୱାନ। ଶିକ୍ଷକମାନେ ନିଜେ ବଦଳିବାକୁ ପଡିବ। ସମସ୍ତଙ୍କ ନିକଟରେ ବୈଷୟିକ ଜ୍ଞାନ ରହିବା ବାଞ୍ଛନୀୟ। ବିଦ୍ୟାଳୟର ପରିସର ନିର୍ଦ୍ଦିଷ୍ଟ ଭୌଗୋଳିକ ସୀମା ଭିତରେ ଆବଦ୍ଧ ରହିବ ନାହିଁ। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରାଥମିକ ଶିକ୍ଷାରେ ବୈପ୍ଲବିକ ପରିବର୍ତ୍ତନ ଆସିବ। ଏ ଦିଗର ଜଣେ ଶିକ୍ଷକଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ। ବିଦ୍ୟାଳୟ ସହ ପ୍ରାକ୍‌ ପ୍ରାଥମିକ ଶିକ୍ଷାକୁ ଜଡିତ କରାଯାଇଥିବାରୁ ଶିକ୍ଷକମାନେ ଆହୁରି ଅଧିକ ସଚେତନ ହେବାକୁ ପଡିବ। ତିନି ବର୍ଷର ଶିଶୁ ବିଦ୍ୟାଳୟକୁ ଆସିବାର ସମ୍ଭାବନା ରହିଥିବାରୁ ଏଇ କୁନିକୁନି ପିଲାଙ୍କ ସର୍ବାଙ୍ଗୀଣ ବିକାଶର ଭାର ନ୍ୟସ୍ତ ରହିବ ପ୍ରାଥମିକ ବିଦ୍ୟାଳୟରେ।

ପ୍ରାଥମିକ ଶିକ୍ଷାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପିଲାଙ୍କ ଭାଷା। ଯେହେତୁ ଓଡିଶା ଆଦିବାସୀ ବହୁଳ ରାଜ୍ୟ। ଏଠାରେ ୬୨ ପ୍ରକାର ଜନଜାତି ଗୋଷ୍ଠୀର ଲୋକ ବସବାସ କରୁଛନ୍ତି। କେବଳ ଜନଜାତି କଥା ବିଚାରକୁ ନେଲେ ଏଠାରେ ଅନ୍ୟୂନ ୨୧ ଗୋଟି ଭାଷା ତଥା ଅତି କମରେ ୭୪ ଗୋଟି ଉପଭାଷା ସଂପର୍କରେ ଆସୁ। ଏସବୁ ଭାଷା କ୍ଷେତ୍ରର ପିଲାଏ ଯଦି ସ୍କୁଲରେ ନାମ ଲେଖାନ୍ତି ତେବେ ଶିକ୍ଷକଙ୍କୁ ତଦନୁସାରେ ଦକ୍ଷ ହେବାକୁ ପଡ଼ିବ। ଓଡ଼ିଶା ପରିପ୍ରେକ୍ଷୀରେ ଜନଜାତି ଭାଷାର ଗୁରୁତ୍ୱ ବୃଦ୍ଧି ପାଇଛି। ଶିକ୍ଷକ ଅତି କମରେ ଚଳଣୀୟ ଜନଜାତି ଭାଷା ଜାଣିବା ଆବଶ୍ୟକ। ଏକଥା ସତ ଯେ ଜଣେ ଶିକ୍ଷକ ଭାବରେ ଏକାଧିକ ପିଲାଙ୍କ ଭାଷା ଶିଖିବା ବି ସହଜସାଧ୍ୟ କାମ ନୁହଁ। ଅଞ୍ଚଳ ଭିତ୍ତିରେ ଭାଷାରେ ବ୍ୟାପକ ପରିବର୍ତ୍ତନ ହେଉଛି।

ବୃତ୍ତିଗତ ବଦଳି ପରେ ନୂଆ ଅଞ୍ଚଳର ଭାଷା ଶିଖିବା ବି ​‌େ​‌ସତେ ସହଜ ନୁହେଁ; ଅଥଚ ପିଲାଙ୍କୁ ସେମାନଙ୍କ ନିଜ ଭାଷାରେ ଶିକ୍ଷାଦାନ ଦେବା ଜରୁରୀ। ଏଭଳି ପରିସ୍ଥିତିରେ ଶିକ୍ଷକମାନଙ୍କ ଦାୟିତ୍ୱ ବୃଦ୍ଧି ପାଇବ। ଶିକ୍ଷକମାନେ ନିଜ ପାରଦର୍ଶିତା ହାସଲ ଲାଗି ଅନେକ କୌଶଳ ଆପଣାଇବାକୁ ହେବ। ଏଥିପାଇଁ ଶିକ୍ଷକ ବିଦ୍ୟାଳୟ ପରିସରରେ ଏକାନ୍ତରେ ପିଲାମାନେ ଆଲୋଚନା କରୁଥିବା ଭାଷାକୁ ଅନୁଧ୍ୟାନ କରିବାକୁ ହେବ। ବହୁଳ ବ୍ୟବହୃତ ଶବ୍ଦକୁ ସାଉଁଟିବାକୁ ପଡିବ। ଶିକ୍ଷଣ ପ୍ରକ୍ରିୟା ବେଳେ ସ୍ଥାନୀୟ ଭାଷାରେ ପୋଖତ ଥିବା ସହକର୍ମୀ କିମ୍ବା ବଡ ଶ୍ରେଣୀର ପିଲାଙ୍କ ସହାୟତା ନେବା ଆବଶ୍ୟକ। ପିଲାଙ୍କ ଭାଷାକୁ ନେଇ ଗୋଷ୍ଠୀ ସହାୟତାରେ ସ୍ଥାନୀୟ ଭାଷାକୋଷ ପ୍ରସ୍ତୁତ କରିବା ଅବଶ୍ୟମ୍ଭାବୀ। ପିଲାଙ୍କ ଭାଷା ସହ ମାନକ ଭାଷାର ସମତାଳେ ଦୈନନ୍ଦିନ ବ୍ୟବହାର ହେଉଥିବା ଶବ୍ଦ ସମୂହକୁ ନେଇ ‘ଚାର୍ଟ’ ପ୍ରସ୍ତୁତ କରିବାକୁ ହେବ। ଏହାରି ସହାୟତାରେ ଅନ୍ତତଃ ଶିକ୍ଷଣ ପ୍ରକ୍ରିୟାରେ ପିଲାଙ୍କ ଭାଷା ବ୍ୟବହାର କରିବା ଜରୁରୀ।

ଜାତୀୟ ଶିକ୍ଷା ନୀତି ୨୦୨୦ରେ ସ୍ଥାନୀୟ ଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଲୋକ କଳା, ଲୋକ ସଂସ୍କୃତି, ଲୋକ ପରମ୍ପରା, ଲୋକ ଗୀତ ସମେତ ସ୍ଥାନୀୟ ଗପ, ଢଗ, ଧନ୍ଦା, ସ୍ଥାନୀୟ ଖେଳ ଆଦିକୁ ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିବା ଲାଗି ମଧ୍ୟ ଗୁରୁତ୍ୱ ଦେଇଛି ନୂତନ ଶିକ୍ଷା ନୀତି। ଏକଥା ସତ ଯେ ପିଲାଙ୍କ ଭାଷାରେ ଶିକ୍ଷାଦାନ ପିଲାଙ୍କ ଭିତରେ ଆତ୍ମ ବିଶ୍ୱାସ ବୃଦ୍ଧି ସହ ଶିକ୍ଷଣ ପ୍ରକ୍ରିୟାକୁ ସକ୍ରିୟ, ପ୍ରଭାବଶାଳୀ ଓ ଆକର୍ଷଣୀୟ କରି ଗଢି ତୋଳେ। ପାଠ ପ୍ରତି ବିମୁଖ ଭାବକୁ ହ୍ରାସ କରେ। ଏଥିପାଇଁ ଜାତୀୟ ଶିକ୍ଷାନୀତିରେ ପଞ୍ଚମ ଶ୍ରେଣୀ ଯାଏ ସ୍ଥାନୀୟ ଭାଷାର ବ୍ୟବହାର କଥା କୁହାଯାଇଛି। ଆବଶ୍ୟକସ୍ଥଳେ ଅଷ୍ଟମ ଶ୍ରେଣୀ ଯାଏ ମଧ୍ୟ ମାତୃଭାଷା ବ୍ୟବହାର କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଜନଜାତି ଭାଷା ପ୍ରତି ସାଧାରଣରେ ଉପେକ୍ଷା ଭାବ ରହିଛି। ଆମ ସମାଜ ଏହାକୁ ବିଶେଷ ଗୁରୁତ୍ୱ ଦେଇନାହିଁ; କିନ୍ତୁ ଏବେ ସମସ୍ତ ଜନଜାତି ଭାଷା ଓଡିଶା ପ୍ରାଥମିକ ଶିକ୍ଷାର ମେରୁଦଣ୍ଡ ପାଲଟିବା ଉଚିତ। ପିଲାଏ ଏଣିକି ମାନକ ଭାଷା, ଜାତୀୟ ଭାଷା ଓ ବୈଦେଶିକ ଭାଷା ସହ ନିଜର ମାତୃଭାଷାରେ ବି ପଢିବେ। ପିଲାଙ୍କ ଭାଷା ପ୍ରତି ଗୁରୁତ୍ୱ ଦିଆଯାଇଥିବାରୁ ଆଗାମୀ ଦିନରେ ପ୍ରାଥମିକ ଶିକ୍ଷା ପିଲାଙ୍କର, ପିଲାଙ୍କ ପାଇଁ ଓ ପିଲାଙ୍କ ଦ୍ୱାରା ପରିଚାଳିତ ହେବ। ଶିକ୍ଷକ ଏହାକୁ ସୁନିଶ୍ଚିତ କରିବାକୁ ବାଧ୍ୟ।

Comments are closed.