ଖଣି କ୍ଷେତ୍ରକୁ ଜୀବନ୍ୟାସ

- ପ୍ରହଲ୍ଲାଦ ଯୋଶୀ (କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ)

କୋଭିଡ ପରବର୍ତ୍ତୀ ବିଶ୍ୱର ପୁନର୍ଗଠନ ପାଇଁ ଦୃଢ ମନୋବଳ, ଅଧ୍ୟବସାୟ ଏବଂ ଦୂରଦୃଷ୍ଟି ଆବଶ୍ୟକ। ଏଭଳି ତିନିଟି ଯାକ ଅମୂଲ୍ୟ ଗୁଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରେ ରହିଛି। ସମଗ୍ର ବିଶ୍ୱ ଏକ ମହାମାରୀ ଯୋଗୁଁ ପଛେଇ ଯାଇଥିବା ସ୍ଥଳେ ଏବେ ବି ଏହା ବିରୁ୍‍ଦ୍ଧରେ ସଂଘର୍ଷ କରୁଛି। ଏଭଳି ସମୟରେ ଆମର ପ୍ରଧାନମନ୍ତ୍ରୀ ଦେଶକୁ ଆତ୍ମନିର୍ଭର କରିବା ପାଇଁ ଏକ ଦୂରଦୃଷ୍ଟି ସମ୍ପନ୍ନ ଆହ୍ୱାନ ଦେଇଛନ୍ତି, ତାହା ହେଉଛି ‘ଆତ୍ମନିର୍ଭର ଭାରତ’।

ଖଣି ଏବଂ କୋଇଲା ମନ୍ତ୍ରଣାଳୟର ଜଣେ ମନ୍ତ୍ରୀ ଭାବରେ ପ୍ରଧାନମନ୍ତ୍ରୀଙ୍କ ମହାନ୍‍ ଉଦ୍ୟମକୁ ମୋ ମନ୍ତ୍ରଣାଳୟରେ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଛି। ଆମେ ପ୍ରତିଦିନ ଜିଲାସ୍ତରରୁ ତଥ୍ୟ ସଂଗ୍ରହ କରୁଛୁ ଏବଂ ଏହାକୁ ନେଇ ନିଜେ ପ୍ରଧାନମନ୍ତ୍ରୀ ସମୀକ୍ଷା କରୁଛନ୍ତି। ତେଣୁ ବାଣିଜ୍ୟିକ ଭିତ୍ତିରେ କୋଇଲା ଖଣି ନିଲାମ ପ୍ରକ୍ରିୟା ଗତ ୨୦୨୦ ଜୁନ ୧୮ତାରିଖରେ ଆରମ୍ଭ ହେବା ସମୟରେ ଗତ ଦଶନ୍ଧିରେ କୋଇଲା କ୍ଷେତ୍ରରେ ଅଚଳାବସ୍ଥା ଥିବା ଏବଂ ଏକ ନୂଆ ରୂପରେ ଏହା ଆତ୍ମପ୍ରକାଶ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗତ ମାସଗୁଡିକ ମଧ୍ୟରେ ସରକାର ଖଣି ଓ ଖଣିଜ କ୍ଷେତ୍ରରେ ଥିବା ବ୍ୟବସ୍ଥାକୁ ନୂଆ ରୂପ ଦେଇଛନ୍ତି।
ନିଯୁକ୍ତି ସୃଷ୍ଟିରେ କୃଷି କ୍ଷେତ୍ର ପରେ ଦ୍ୱିତୀୟରେ ଖଣି କ୍ଷେତ୍ର ହିଁ ରହିଛି। ଏହି କ୍ଷେତ୍ର ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ୧.୧କୋଟି ଲୋକଙ୍କୁ ନିଯୁକ୍ତି ଦେଇଛି ଏବଂ ୫.୫କୋଟି ଲୋକଙ୍କୁ ଜୀବନଜୀବିକା ଯୋଗାଇ ଦେଇଛି। ଖଣି କ୍ଷେତ୍ରର ଗୋଟିଏ ପ୍ରତ୍ୟକ୍ଷ ନିଯୁକ୍ତି ୧୦ଟି ପରୋକ୍ଷ ନିଯୁକ୍ତି ସୃଷ୍ଟି କରେ। ଠିକ୍‍ ସେହିପରି ଖଣି କ୍ଷେତ୍ରର ୧ଶତାଂଶ ଅଭିବୃଦ୍ଧି ଶିଳ୍ପ କ୍ଷେତ୍ରରେ ୧.୫ଶତାଂଶ ଉତ୍ପାଦନ ବୃଦ୍ଧି କରେ। ଅନ୍ୟାନ୍ୟ ସଂଯୁକ୍ତ କ୍ଷେତ୍ରକୁ ଆଲୋଚନା ପ୍ରସଙ୍ଗକୁ ଅଣାଗଲେ ଏହାର ଗୁରୁତ୍ୱ ବହୁ ଗୁଣରେ ବଢିଯାଏ। ଏହି କ୍ଷେତ୍ରଗୁଡିକ ଖଣିକୁ ନେଇ ନିଜର ସ୍ଥିତି ମଜଭୁତ କରିଥାଏ। ଲୌହ, ଆଲୁମିନିୟମ, ବାଣିଜ୍ୟିକ ଗାଡି, ରେଳ ପରିବହନ, ବନ୍ଦର, ଜାହାଜ ଚଳାଚଳ, ଶକ୍ତି ଉତ୍ପାଦନ ଇତ୍ୟାଦି କ୍ଷେତ୍ରଗୁଡିକ ଖଣି କ୍ଷେତ୍ର ସହିତ ନିବିଡ ଭାବରେ ସମ୍ପର୍କିତ। ତେଣୁ ଖଣି କ୍ଷେତ୍ରକୁ ସୁଦୃଢ କରାଗଲେ ଏହି ସବୁ କ୍ଷେତ୍ର ସୁଦୃଢ ହେବା ସହ ଏ ସବୁ ମିଶି ଦେଶର ଅର୍ଥନୀତିକୁ ସୁଦୃଢ କରନ୍ତି। କର୍ମନିଯୁକ୍ତିରେ ବିଭିନ୍ନ ଦିଗକୁ ପ୍ରଭାବିତ କରୁଥିବା ଏହିଭଳି ଏକ କ୍ଷେତ୍ର ପାଇଁ ମୋଦୀଙ୍କ ସରକାର ଆସନ୍ତା ୭ବର୍ଷରେ ଖଣିଜ ଉତ୍ପାଦନକୁ ୨୦୦ଗୁଣ ବଢାଇବା ଏବଂ ଦେଶର ମୋଟ ଘରୋଇ ଉତ୍ପାଦନରେ ଏହାର ଅବଦାନକୁ ୧.୭୫%ରୁ ୨.୫ ଶତାଂଶରେ ପହଞ୍ଚାଇବା ଲକ୍ଷ୍ୟ ରଖିଛି।

ପୂର୍ବ ପ୍ରଶାସନ ସମୟରେ ଦେଶର ଖଣିଜ କ୍ଷେତ୍ର ଅନେକ ଦଶନ୍ଧି ଧରି ଅଚଳାବସ୍ଥା ଦେଇ ଗତି କରୁଥିଲା। ଦେଶରେ ବିପୁଳ ଖଣିଜ ସମ୍ପଦ ରହିଥିବା ସତ୍ତ୍ବେ ଦେଶର ସମଗ୍ର ଆୟତନର ୧୭ଶତାଂଶ ଖଣିଜ ସମ୍ପଦରେ ଭରପୂର ଥିବା ସ୍ଥଳେ ଏ ପର୍ଯ୍ୟନ୍ତ ଭାରତ ମାତ୍ର ଏହାର ୦.୨୫ ଶତାଂଶ ବ୍ୟବହାର କରିଛି। ଏହି ସମୟରେ ପୁଞ୍ଜିନିବେଶ କ୍ଷେତ୍ର ମଧ୍ୟ ଅତ୍ୟନ୍ତ ନିରୁତ୍ସାହଜନକ ଥିଲା। ଖଣିଜ ଉତ୍ପାଦନ ବାର୍ଷିକ ୧.୨୫ଲକ୍ଷ କୋଟି ଟଙ୍କା ଥିବା ସ୍ଥଳେ ଏହାର ଆମଦାନୀ ୨.୫ଲକ୍ଷ କୋଟି ଟଙ୍କା ଆଶା କରାଯାଉଥିଲା।

ଓଟପକ୍ଷୀ ଭଳି ମରୁଭୂମିର ବାଲି ଭିତରେ ମୁଣ୍ଡ ପୋତିବାର ଅଭ୍ୟାସ ନଥିଲେ ଗତ ୧୦ମାସ ମଧ୍ୟରେ ଦେଶର ଅର୍ଥନୀତିକ ପ୍ରଗତି କ୍ଷେତ୍ରକୁ ନୂଆ ଦିଗ୍‍ଦର୍ଶନ ଦେଇ ହାସଲ କରାଯାଇଥିବା ସଫଳତାକୁ ଯେ କେହି ବି ଅନୁଭବ କରିପାରିବେ? ଖଣି ଏବଂ ଖଣିଜ ପଦାର୍ଥ ଏଭଳି ଏକ ଶୃଙ୍ଖଳିତ ପଦ୍ଧତିରେ ସଂସ୍କାର ଅଣାଯାଇଥିବା କ୍ଷେତ୍ର। ଏଇ ନିକଟରେ ହୋଇଥିବା ଖଣି ଏବଂ ଖଣିଜପଦାର୍ଥ (ଉନ୍ନୟନ ଓ ନିୟନ୍ତ୍ରଣ) ସଂଶୋଧନ ଆଇନ-୨୦୨୧ ଏ କ୍ଷେତ୍ରରେ ସର୍ବାଗ୍ରେ ଦୃଷ୍ଟିକୁ ଆସେ। ଏହି ସଂସ୍କାର ଖଣି କ୍ଷେତ୍ରକୁ ନୂଆ ଜୀବନ ଦେବ। ଏଥିରେ ଦୀର୍ଘକାଳୀନ ପ୍ରଭାବ ଖଣିଜ ଉତ୍ପାଦନକୁ ତୁରନ୍ତ ବଳଶାଳୀ କରିବା, ସାଧାରଣ ଲୋକଙ୍କ ମଙ୍ଗଳକୁ ଧ୍ୟାନ ଦେବା ଏବଂ ଇଜ୍‍ ଅଫ ଡୁଇଙ୍ଗ୍‍ ବିଜିନେସ୍‍କୁ ତ୍ୱରାନ୍ୱିତ କରାଯିବା ଲକ୍ଷ୍ୟ ରହିଛି। ଦୀର୍ଘ ବର୍ଷ ଧରି ବିପୁଳ ପରିମାଣର ଉନ୍ନତମାନର ଖଣିଜ ସମ୍ପଦକୁ ଉତ୍ପାଦନ ପରିସରଭୁକ୍ତ କରାଯାଇ ନ ଥିବା ଦେଖାଯାଇଛି। ଏହା ଫଳରେ ଦେଶର ଖଣିଜ ସମ୍ପଦର ବିନିଯୋଗ କ୍ଷେତ୍ରରେ ଅଧୋଗତି ଘଟିଛି। ସେଥିମଧ୍ୟରୁ ଅଧିକାଂଶକୁ ଉତରାଧିକାରୀ ପରି ବିବାଦୀୟ ସ୍ଥିତି ଯୋଗୁଁ ବନ୍ଦ କରିଦିଆଯାଇଥିଲା।

ଏହି ଉତ୍ତରାଧିକାରୀ ପ୍ରସଙ୍ଗଗୁଡିକ ମଧ୍ୟରେ କେତେକ ଖଣିକୁ ପୁନର୍ବାର ଦିଆଯାଇପାରୁ ନଥିଲା କିମ୍ବା ଆଇନଗତ ପ୍ରତିବନ୍ଧକ ସୃଷ୍ଟି କରାଯାଉଥିଲା। ଏକ ସ୍ୱଚ୍ଛ ନିଲାମ ପଦ୍ଧତି ମାଧ୍ୟମରେ ଏହି ସବୁ ପ୍ରତିବନ୍ଧକଗୁଡିକୁ ଦୂରକରିବା ପାଇଁ ଖଣି ବ୍ଲକ ଆବଣ୍ଟନ ନୀତିରେ ଆମେ ସଂଶୋଧନ କରିଛୁ। ଠିକ୍‍ ସେହିପରି ନିଲାମ ହୋଇଥିବା ଖଣି ତିନିବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ନ ହେଲେ ସେଗୁଡିକୁ ସମ୍ପୃକ୍ତ ରାଜ୍ୟକୁ ପୁନର୍ବାର ସ୍ୱଚ୍ଛତା ରକ୍ଷା ପଦ୍ଧତିରେ ଆବଣ୍ଟନ ପାଇଁ ଫେରାଇ ଦିଆଯିବା ବ୍ୟବସ୍ଥା ହୋଇଛି। ପବ୍ଲିକ ସେକ୍ଟର ୟୁନିଟ୍‍ଗୁଡିକ ଏହିଭଳି କ୍ଷେତ୍ରରେ ତିନିବର୍ଷ ମଧ୍ୟରେ ଖଣିବ୍ଲକ କାର୍ଯ୍ୟକ୍ଷମ କରି ନ ଥିଲେ, ସେ ସବୁକୁ ପୁନର୍ବାର ନିଲାମ ପାଇଁ ବିଚାର କରାଯିବାକୁ ରାଜ୍ୟଗୁଡିକୁ ଫେରାଇ ଦେବାର ବ୍ୟବସ୍ଥା ହୋଇଛି। ଅବ୍ୟବହୃତ ବ୍ଲକଗୁଡିକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯିବା ଦ୍ୱାରା ଅନେକ କର୍ମନିଯୁକ୍ତି ସୃଷ୍ଟି ହେବା ସହ ସେହି ଅଂଚଳର ପ୍ରଗତି ହୋଇପାରିବ।

ସେହିପରି ସଂସ୍କାର କ୍ଷେତ୍ରରେ ଗୋଟିଏ ମୁଖ୍ୟ ପ୍ରସଙ୍ଗ ହେଉଛି ସମସ୍ତ ଆଇନସିଦ୍ଧ ଅଧିକାର, ଅନୁମୋଦନ, ପ୍ରତିବନ୍ଧକ ବିହୀନ ସର୍ତ୍ତ, ଲାଇସେନ୍ସ ଆଦିକୁ ଅନ୍ୟମାନଙ୍କୁ ଖଣି ଶେଷ ନ ହେବା ପର୍ଯ୍ୟନ୍ତ ହସ୍ତାନ୍ତର କରାଯିବା ବ୍ୟବସ୍ଥା ରହିଛି। ଏହା ଫଳରେ ଜଣେ ଲିଜଧାରୀ ନ ଥିଲେ ମଧ୍ୟ ଆଇନସିଦ୍ଧ ଭାବେ ତାଙ୍କୁ ବ୍ଲକ ହସ୍ତାନ୍ତର କରାଗଲେ ନୂଆ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ହେବ ଏବଂ ଖଣି କ୍ଷେତ୍ରରେ ନୂଆ ଉଦ୍ୟୋଗ ସୃଷ୍ଟି ହେବ।

୨୦୧୫ ମସିହାଠାରୁ ୧୪୩ଟି ଖଣିଜ ବ୍ଲକକୁ ଭୂତାତ୍ତ୍ବିକ ରିପୋର୍ଟ ଆଧାରରେ ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରାଯାଇଛି। ଏଗୁଡିକର ନିଲାମ ପାଇଁ ମଧ୍ୟ ପ୍ରସ୍ତୁତି ହୋଇସାରିଛି; କିନ୍ତୁ ଏଥିମଧ୍ୟରୁ ରାଜ୍ୟମାନଙ୍କ ଦ୍ୱାରା ମାତ୍ର ୭ଟିର ନିଲାମ ହୋଇଛି। ଦେଶର ବିକାଶ ନିମନ୍ତେ ରାଷ୍ଟ୍ରୀୟ ସମ୍ପତ୍ତିଗୁଡିକର ସର୍ବାଧିକ ଉପଯୋଗକୁ ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର କୌଣସି ଅସୁବିଧାର ସମ୍ମୁଖୀନ ହେଉଥିଲେ ତାଙ୍କ ସହ ପରାମର୍ଶ କରି କେନ୍ଦ୍ର ସରକାର ବ୍ଲକ ନିଲାମ କରିପାରିବେ। captive ଉଦ୍ୟୋଗଗୁଡିକ ନିଜସ୍ୱ ଉପଯୋଗ ପାଇଁ ଉଦ୍ଦିଷ୍ଟ ଖଣି ଓ ସାଧାରଣ ଖଣି ବା noncaptive ମାଇନ୍‍ସ ଭିତରେ ଥିବା ପ୍ରଭେଦ ଦୂର କରିବା ପାଇଁ ଦୀଘଦିନରୁ ଦାବି ହୋଇ ଆସୁଥିଲା। କାରଣ, ଗୋଟିଏ ଗୋଡ ବାନ୍ଧିଦେଲେ ଦୌଡିବା କଷ୍ଟକର। ବର୍ତ୍ତମାନ ଏଭଳି କୌଣସି ପ୍ରଭେଦ ନ ଥିବାରୁ ଖଣିଜ ବ୍ଲକ ନିଲାମ କାର୍ଯ୍ୟରେ ସମତୁଲ ଆସିଛି। ଆହୁରି ମଧ୍ୟ captive ଖଣିଗୁଡିକୁ ସେମାନଙ୍କ ଆବଶ୍ୟକତା ପୂରଣ ପରେ ଖଣିଜଦ୍ରବ୍ୟ ବିକ୍ରି ପାଇଁ ଅନୁମତି ଦିଆଯିବ। ଏ କ୍ଷେତ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଖଣିଜ ଉତ୍ପାଦନ ଓ ପରିବହନ କରିଲେ ରାଜସ୍ୱର ଅଂଶଭାବରେ ଶତକଡା ୫୦ ପର୍ଯ୍ୟନ୍ତ ରିଆତି ବ୍ୟବସ୍ଥା ହୋଇଛି।
ଲାଇସେନ୍ସ ଏବଂ ମାଇନିଂ ଲିଜ୍‍ ଦିଆଯାଇ ଆଂଶିକଭାବେ କାର୍ଯ୍ୟକ୍ଷମ ଥିବା ଖଣି ବ୍ଲକଗୁଡିକ ନିମିତ୍ତ ଆଇନରେ ସଂଶୋଧନ ପାଇଁ ଏବଂ ପୁନର୍ବାର ସଂଜ୍ଞା ନିର୍ଦ୍ଧାରଣ ପାଇଁ ପ୍ରସ୍ତୁତି ଚାଲିଛି। ଏହା ଫଳରେ ଖନନ କାର୍ଯ୍ୟରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଘରୋଇ ଅଂଶୀଦାରମାନଙ୍କୁ ଉତ୍ସାହିତ କରିବ। ଏହା ଫଳରେ ଆଇନ ଅଧିକ ସ୍ପଷ୍ଟ ହେବା ସହିତ ଲିଜ୍‍ଧାରୀମାନଙ୍କୁ ଅଯୌକ୍ତିକ ଜୋରିମାନା ଏବଂ ବିଭିନ୍ନ ଝାମେଲାରୁ ମୁକ୍ତ କରିବ।

ପାର୍ଲାମେଣ୍ଟ ସଦସ୍ୟମାନଙ୍କୁ ଜିଲା ଖଣିଜ ଫାଉଣ୍ଡେସନ ପରିଚାଳନା ମଣ୍ଡଳୀର ସଦସ୍ୟ କରିବାକୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ଆମେ ଏହାକୁ ପୂରଣ କରିବାକୁ ଯାଉଛୁ। ଜିଲା ଖଣିଜ ଫାଉଣ୍ଡେସନ ଅଧୀନରେ ଥିବା ପାଣ୍ଠିର ସଦ୍‍ବିନିଯୋଗ ହେବାପାଇଁ ଓ ଅପବ୍ୟବହାର ରୋକିବା ପାଇଁ ବ୍ୟବସ୍ଥା କରାଯାଉଛି।

ସେହିପରି ଅନେକ ପରିବର୍ତନ ଏମ.ଏମ.ଡି.ଆର. ଆଇନରେ କରାଯାଇ ଇଜ୍‍ ଅଫ ଡୁଇଙ୍ଗ ବିଜିନେସକୁ ସୁଦୃଢ କରାଯିବ। ଏହାକୁ ଅଧିକ ଦକ୍ଷ ଏବଂ ପ୍ରତିଯୋଗିତା ଭିତ୍ତିକ କରାଯିବ। ଏମ୍‍ଏମଡିଆର ଆଇନ-୨୦୨୧ର ସଂଶୋଧନ ଦ୍ୱାରା ୫୫ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଅନ୍ୟାନ୍ୟ ଆନୁଷଙ୍ଗିକ ବିଭିନ୍ନ କ୍ଷେତ୍ରର ପ୍ରଗତି ହୋଇପାରିବ। ଦେଶର ଅର୍ଥନୀତିକୁ ସୁଦୃଢ କରିବା କ୍ଷେତ୍ରରେ ଖଣି ଓ ଖଣିଜ କ୍ଷେତ୍ର ପ୍ରକୃତ ଭୂମିକା ନିର୍ବାହ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନିଶ୍ଚିତ କରିଛନ୍ତି। ବିଭିନ୍ନ ବୈଠକରେ ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତିକୁ ୫ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେଇ ଖଣି ସମ୍ପର୍କିତ ଅନ୍ୟାନ୍ୟ ଶିଳ୍ପର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି। ନୂତନ ଭାରତ ଗଠନ କ୍ଷେତ୍ରରେ ଏହି ଆଇନର ସଂଶୋଧନଗୁଡିକ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣରେ ସହାୟକ ହେବାକୁ ଯାଉଥିବାରୁ ମୁଁ ବିଶେଷ ଆନନ୍ଦିତ।

Comments are closed.