ଓଡ଼ିଶାରେ ଜମିବାଡ଼ିର ରେକର୍ଡ ପ୍ରସ୍ତୁତି

ଚକ୍ରଧର ପାଢ଼ୀ

ଶତାବ୍ଦୀ ଶତାବ୍ଦୀ ଧରି ଭୂମିଜନିତ ସମସ୍ୟା ଲାଗିରହିଛି। ପୌରାଣିକ ଉପାଖ୍ୟାନରୁ ଆରମ୍ଭ କରି ଅଦ୍ୟାବଧି ଭୂମିପାଇଁ ଯୁଦ୍ଧ ଅହରହ ଚାଲିଅଛି। ତାହା କେବଳ ଦେଶଦେଶ ମଧ୍ୟରେ ସୀମିତ ନୁହେଁ, ବରଂ ଏହା ଭାଇଭାଇ ପଡ଼ୋଶୀମାନଙ୍କ ମଧ୍ୟରେ। ଏଥିପାଇଁ ହଣାକଟା, ମୋକଦ୍ଦମା, ମନାନ୍ତର, ମାନସିକ ଭାରସାମ୍ୟ ହରାଇବା ଏମିତି କେତେ କ’ଣ। ଏଇ ଭୂମିକୁ ନେଇ ଚାଷବାସ, ଖଣିଜ ସମ୍ପଦ, ଜଳସେଚନ, ଜଙ୍ଗଲ ସୃଷ୍ଟି ପରି ଏମିତି କେତେ ପ୍ରକଳ୍ପ। ପରିଚାଳନା ପାଇଁ କେବଳ ସରକାରୀ ସ୍ତରରେ ରାଜସ୍ବ ବିଭାଗ, କୃଷିବିଭାଗ,ଜଳସେଚନ ବିଭାଗ, ଜଙ୍ଗଲ ବିଭାଗ ଓ ବିଭାଗ ଅଧୀନରେ କେତେ ପ୍ରକାର ନିଗମ। ହଜାରହଜାର କର୍ମଚାରୀ ନିୟୋଜିତ। ସବୁର ମୂଳ ଭିତ୍ତିଭୂମି ହେଲା ଭୂମିର ଭିତ୍ତିକୁ ସଜାଡ଼ିବା, ସୁପରିଚାଳନା; କିନ୍ତୁ ଭୂମିର ମୂଳଭିତ୍ତିଭୂମି ବିକଶିତ କି?

୨୦୦୫ରେ ସରକାରୀ ନିର୍ଦେଶ ମତେ ଓଡ଼ିଶାର ବନ୍ଦୋବସ୍ତ, ଚକବନ୍ଦୀ କାର୍ଯ୍ୟ ବନ୍ଦ କରିଦିଆଗଲା। ଅଳ୍ପ କେତେକ କର୍ମଚାରୀଙ୍କୁ ଉକ୍ତ ବିଭାଗରେ ବକେୟା କାର୍ଯ୍ୟ କରିବା ନିମନ୍ତେ ଛାଡ଼ିଦେଇ, ସମସ୍ତ କର୍ମଚାରୀଙ୍କୁ ତହସିଲମାନଙ୍କରେ ଅବସ୍ଥାପିତ କରାଗଲା। ଉଦ୍ଦେଶ୍ୟ ଥିଲା ସମସ୍ତ ଜମିବାଡ଼ି କାର୍ଯ୍ୟ ଅର୍ଥାତ୍‌ ବନ୍ଦୋବସ୍ତ, ଜମିଜମାର ସର୍ବେକ୍ଷଣ। ରେକର୍ଡ ପ୍ରସ୍ତୁତି, ଅଭିଯୋଗ ଶୁଣାଣି, ପଟ୍ଟା ବଣ୍ଟନ କାର୍ଯ୍ୟ ତହସିଲ ମାଧ୍ୟମରେ ସମାହିତ ହେବ। ଏଥିପାଇଁ ଅଧିକ ଉଚ୍ଚ ସରକାରୀ ପଦ ମଧ୍ୟ ସୃଷ୍ଟି ହୋଇଗଲା ଓ ସମୟକ୍ରମେ ନିୟୋଜିତ ହେଲେ ମଧ୍ୟ କୁହାଗଲା ଏକକ ଝରକା ବ୍ୟବସ୍ଥା (ସିଙ୍ଗଲ୍‌ ଉଇଣ୍ଡୋ) ମାଧ୍ୟମରେ ଜମିବାଡ଼ିର ସମସ୍ତ ସୁବିଧା କରାଯିବ। ସେପରି ହେଲେ ଜମିବାଡ଼ିର ସମସ୍ୟା ଗୋଟିଏ ସ୍ଥାନରେ ସମାଧାନ ହୋଇଯିବ। କେଡ଼େ ସୁନ୍ଦର ଶୁଭୁଛି ସତେ; କିନ୍ତୁ ପ୍ରକୃତରେ ହୋଇଛି କ’ଣ? ୨୦୦୫ ମସିହାଠାରୁ ସାରା ଓଡ଼ିଶାର ୫୨୦୦୦ ଗ୍ରାମ ମଧ୍ୟରୁ ଗୋଟିଏ ହେଲେ ବି ନୂତନ ସର୍ବେକ୍ଷଣ ହୋଇନାହିଁ।

ବନ୍ଦୋବସ୍ତ ଚକବନ୍ଦୀ ବିଭାଗରେ ବକେୟା କାର୍ଯ୍ୟ ବ୍ୟତୀତ ଗୋଟିଏ ​ବି ନୂତନ ଭାବେ ରେକର୍ଡ ସଂଶୋଧନ କାର୍ଯ୍ୟ ହୋଇନାହିଁ। ଏ ବାବଦରେ ଡିଜିଟାଲ ସର୍ବେକ୍ଷଣ ହୋଇ ରେକର୍ଡ ପ୍ରସ୍ତୁତ ହେବାପାଇଁ ନୀତି ନିର୍ଦ୍ଧାରଣ ହେଲା। କୋଟିକୋଟି ଟଙ୍କା ବ୍ୟୟ ହେଲା। କିନ୍ତୁ ଡିଜିଟାଲ ସର୍ବେକ୍ଷଣର ଫଳାଫଳ କ’ଣ ହେଲା ତାହା ସମସ୍ତଙ୍କୁ ଜଣା। ପୂର୍ବ ବନ୍ଦୋବସ୍ତ ମାନଚିତ୍ର ସହ ତା’ର ତାଳମେଳ ରହିଲା ନାହିଁ। ପୂର୍ବ ବନ୍ଦୋବସ୍ତର ମାନଚିତ୍ର ରେକର୍ଡକୁ ସୂଚନାକୁ ନ ନେଲେ ହାଲ ରେକର୍ଡ ପ୍ରସ୍ତୁତ କରିବା ଅସମ୍ଭବ। ଏଣୁ ଡିଜିଟାଲ ସର୍ବେକ୍ଷଣ ବନ୍ଦ କରାଗଲା ଓ ସରକାରୀ କଳ, ରେକର୍ଡ ପ୍ରସ୍ତୁତି ବାବଦ ଜଟିଳତାକୁ ଦେଖି ନୀରବଦ୍ରଷ୍ଟା ହୋଇ ରହିଗଲେ। କୁହାଗଲା ରେକର୍ଡ ସଂଶୋଧନ, ବିଭାଗୀକରଣ, ମାନଚିତ୍ର ସଂଶୋଧନ ଆଦି ତହସିଲରେ ହେବ; କିନ୍ତୁ ଜଣେ ସାଧାରଣ ନାଗରିକ କହିପାରିବେ କି କେବଳ ଜମି କିଣାବିକା ପରେ ନାମଜାରି, ଦାଖଲ ଖାରଜ ବ୍ୟତୀତ କେଉଁ କାର୍ଯ୍ୟ ତହସିଲରେ ହେଉଛି? ଚକବନ୍ଦୀ ବିଭାଗ, ବନ୍ଦୋବସ୍ତ ବିଭାଗର କର୍ମଚାରୀ ଗାଁଗୁଡ଼ିକରେ କ୍ୟାମ୍ପକୋର୍ଟ କରି ଜମି ସର୍ବେକ୍ଷଣ, ବିଭାଗୀକରଣ, ରେକର୍ଡ ପ୍ରସ୍ତୁତି କାର୍ଯ୍ୟ କରୁଥିଲେ।

ଜମିବାଡ଼ିର ବିବାଦ ପାଇଁ ଅଦାଲତକୁ ନଯାଇ, ଓକିଲ ପାଉଣା ନଦେଇ, ସମୟ ନଷ୍ଟ ନ କରି ଗାଁରେ ବସି ରେକର୍ଡ ସଂଶୋଧନ କରାଉଥିଲେ ଏବଂ ନିଜ ପିଢ଼ି ସହ ପରବର୍ତ୍ତୀ ପିଢ଼ି ପାଇଁ ଜମିଜନିତ ସମସ୍ୟା ଦୂରୀଭୂତ କରାଉଥିଲେ। କିନ୍ତୁ ଏ ସବୁ ଏବେ ସ୍ବପ୍ନ। କଥାରେ ଅଛି ବର୍ଣ୍ଣମାଳାର ‘ଜ’ ପରେ ‘ଝ’। ଅର୍ଥାତ୍‌ ଜମି ରଖିଛ ମାନେ ଝମେଲାରେ ପଶିବ। ସେଥିପାଇଁ ବୋଧହୁଏ ଏ ସୁନ୍ଦର ବ୍ୟବସ୍ଥା। ଅଦାଲତକୁ ଆସ। ତମ ସଞ୍ଚିତ ଅର୍ଥ ବିଭିନ୍ନ ଦିଗରେ, ଅର୍ଥାତ୍‌ ଗାଡ଼ିଭଡ଼ାଠାରୁ ହୋଟେଲ, ଓକିଲ, ମୋହରିର ଓ ଅନ୍ୟାନ୍ୟ ବାବଦ ଖର୍ଚ୍ଚ କର। ଟଙ୍କାଟା ଖେଳେଇ ହୋଇଗଲେ ଅନେକଙ୍କର ଉନ୍ନତି ହେବ!
କେଉଁକେଉଁ ଅସୁବିଧା ସୃଷ୍ଟି ହେଉଛି ତାହା ସଂକ୍ଷେପରେ ସୂଚନା ଦିଆଗଲା।
(କ) ଜମିବାଡ଼ିର (ନକ୍ସା) ମ୍ୟାପ ସଂଶୋଧନ, ରେକର୍ଡ ସଂଶୋଧନ ହେଉନଥିବାରୁ ଦୀର୍ଘ ୪୦/୫୦ ବର୍ଷ ପୂର୍ବେ ହୋଇଥିବା ବନ୍ଦୋବସ୍ତ ରେକର୍ଡ ଉପରେ ନିର୍ଭର କରିବାକୁ ପଡ଼ୁଛି ଏବଂ ସତ୍ତା, ସ୍ବତ୍ବ, ଦଖଲ ନିମନ୍ତେ ବାଦବିବାଦ ମନାନ୍ତର, ହଣାକଟା ଭଳି ସମସ୍ୟା ସୃଷ୍ଟି ହେଉଛି।
(ଖ) ଜମିର ବିଭାଜନ (ପାର୍ଟିସନ) ନହେବା ଫଳରେ ବ୍ୟାଙ୍କଋଣ, ଦରକାରବେଳେ ଜମିର ବିକ୍ରୟ, ବନ୍ଧକ, ଦାନ ପାଇଁ ସମସ୍ୟା ହେଉଛି।
(ଗ) ଜମିବାଡ଼ିକୁ ନେଇ ଦେୱାନୀ ମୋକଦ୍ଦମା, ତଦ୍‌ଜନିତ ଉଦ୍ଭବ ଫୌଜଦାରୀ ମାମଲା ଦ୍ରୁତଗତିରେ ବଢ଼ିଚାଲିଛି।
ତହସିଲ କାର୍ଯ୍ୟାଳୟରେ ପାର୍ଟିସନ ନିୟମ ଥିଲେ ​‌େ​‌ହଁ ସାରା ଓଡ଼ିଶାରେ ୧କୋଟି ୭୩ଲକ୍ଷ ଖତିୟାନ ମଧ୍ୟରୁ କେତୋଟି ଖାତାର ପାର୍ଟିସନ ହୋଇଛି, ତାହା ପ୍ରଣିଧାନ ଯୋଗ୍ୟ ଏବଂ ଏଥିପାଇଁ ତହସିଲରେ ମଧ୍ୟ କର୍ମଚାରୀ ନାହାନ୍ତି। ଯେତକ ବି ଅଛନ୍ତି ଦାଖଲଖାରଜ, ସୈରାତରୁ ଆୟ, ଖଜଣା ଆଦାୟ, ଶାନ୍ତିଶୃଙ୍ଖଳା ରକ୍ଷା, ରିଲିଫ ବଣ୍ଟନ, ବିବିଧ ପ୍ରମାଣପତ୍ର ପ୍ରଦାନ, ସରକାରୀ ରିପୋର୍ଟ ଫେରସ୍ତ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ। ଜମି ସମସ୍ୟାକୁ ତୁଟାଇବାକୁ ବେଳ କାହିଁ?

ବର୍ତ୍ତମାନ ଗାଁଠାରୁ ସହରଯାଏ ଗୋଟିଏ ବଡ଼ ଅସୁବିଧା। ତାହା ହେଉଛି ଚାଷ କରିବାକୁ ଜମିକୁ ଯିବାପାଇଁ ରାସ୍ତା ନାହିଁ କିମ୍ବା ସର୍ବସାଧାରଣ ଜମିକୁ ଜଳନିଷ୍କାସନ ନିମନ୍ତେ ନାଳ ନାହିଁ। ଆଗରୁ ଚକବନ୍ଦୀ ବିଭାଗ ଦ୍ବାରା ସର୍ବସାଧାରଣ ରାସ୍ତା ବା ନାଳକୁ ଯଥାକ୍ରମେ ରାସ୍ତା ଓ ନାଳର ବ୍ୟବସ୍ଥା କରାଯାଉଥିଲା। ତାହା ଏବେ ଶୂନ୍‌। ଗାଁ ଏବଂ ସହରର ରାସ୍ତା ପାଖ ଜମି ବାଡ଼ବନ୍ଦୀ। ତେଣୁ ଚାଷବାସ କରିବାକୁ ଯିବାପାଇଁ ଅନେକ ସମସ୍ୟା। ଅନେକ ରାସ୍ତା ବୁଲିବାକୁ ହେଉଛି ଏବଂ ଏଥିପାଇଁ ମଧ୍ୟ କଳହ। ପାଣି ନିଷ୍କାସନ ପାଇଁ ମଧ୍ୟ ସେହି ସମସ୍ୟା।

ଖଣ୍ଡ ବିଖଣ୍ଡିତ ଜମି ହେତୁ ବ୍ୟକ୍ତିଟି ନା ନିଜେ ଭଲ ଭାବରେ ଚାଷକରି ପାରୁଛି ନା କାହାକୁ ଭାଗସୂତ୍ରରେ ଚାଷ କରିବାକୁ ଦେଇପାରୁଛି। ଜମି ଅଧିକାଂଶ ପଡ଼ିଆ କିନ୍ତୁ ସରକାରୀ ପରିସଂଖ୍ୟାନର ଏତେଏତେ ହଜାର ହେକ୍ଟରରେ ଭଳିକି ଭଳି ଚାଷ। ସୁନେଲି ସପନ ଦେଖିବା ସାର।

ଏ ସବୁର ସମାଧାନ ପାଇଁ ଓ ବ୍ୟକ୍ତିବିଶେଷଙ୍କର ମାନସିକ ଶାନ୍ତିପାଇଁ ଆଧୁନିକ ଉପାୟରେ ଜମିର ନୂତନ ସର୍ଭେ, ରେକର୍ଡ ପ୍ରସ୍ତୁତି, ସଂଶୋଧନ, ବିଭାଜନ, ଚାଷଜମିକୁ ରାସ୍ତା, ଜଳର ନିଷ୍କାସନ, ବିଶେଷକରି ଖଣ୍ଡବିଖଣ୍ଡିତ ଜମିର ଏକତ୍ର କରାଗଲେ ଜଳସେଚନର ସୁବିଧା ଚାଷର ଉନ୍ନତି,ଚାଷୀର ପ୍ରଗତି, ଅଧିକ ଉତ୍ପାଦନ, ଜନକଲ୍ୟାଣ, ସର୍ବୋପରି ପ୍ରଦେଶର ଉନ୍ନତି ହୋଇପାରନ୍ତା। ଏଥିପାଇଁ ସରକାରୀ କଳର ସମର୍ପିତ ଭାବନା ଆବଶ୍ୟକ।

Comments are closed.