ସେ କି କେବେ ପ୍ରଭୁ ପଦକୁ ଭାଜନ

ଭାବଗ୍ରାହୀ ବାରିକ୍‌

“ପ୍ରଭୋ! ତୁମେ ଥରେ ମୋ ହାତ ଧରି ଆଗକୁ ଚଳାଇ ନିଅ। ଥରେ ତୁମ ଚରଣ ସ୍ପର୍ଶ କରିବାକୁ ଦିଅ; କିନ୍ତୁ ମୋତେ ପଛକରି ଚାଲିଯାଅନା। ତୁମଠାରୁ ମୋତେ କେବେ ଦୂରରେ ରଖନାହିଁ। ତୁମ ବିନା ତୁମ ଧ୍ୟାନ, ତୁମ ଭକ୍ତି ବିନା ଏ ଜୀବନ-ସବୁ ମୂଲ୍ୟହୀନ। ବରଂ ମରିଯିବା ଭଲ କିନ୍ତୁ ତୁମଠାରୁ ଅଲଗା ହୋଇ ସଂସାରରେ ରହିବା ମୋ ପକ୍ଷେ ଅସହଣୀୟ। ତୁମ ପାଇଁ ପଛେ ସଂସାର ଯାକର ସବୁ ଦୁଃଖ ସହିଯିବି, ହେଲେ ତୁମ ବିରହ ଜନିତ ଦୁଃଖ ସହିପାରିବି ନାହିଁ।” ଇଏ ଜଣେ ମହାନ ପ୍ରଭୁଭକ୍ତ ସନ୍ଥ କବୀରଙ୍କର ଅନ୍ତରର କଥା। ଏହା ମଧ୍ୟ ଯେ କୌଣସି ସାଧାରଣ ସେବକର ହୃଦୟର କଥା, ଯିଏ କି ତା’ର ମୁନିବକୁ ପ୍ରତିଦିନ ପଦସ୍ପର୍ଶ ପ୍ରଣାମ କରି ତାର କୃତଜ୍ଞତା ସ୍ୱୀକାର କରେ।

ବିଶ୍ୱସ୍ତ ସେବକଙ୍କ ପ୍ରତି ସନ୍ଦେହ, ଅବିଶ୍ୱାସ, ଈର୍ଷା ପ୍ରକଟ କରିବା ଜଣେ ପ୍ରକୃତ ପ୍ରଭୁର ଆଚରଣ ନୁହେଁ। ତାହା ହୁଏ ତ କୌଣସି ଚଳଚ୍ଚିତ୍ର ଦୃଶ୍ୟରେ ଅଭିନୀତ ଜଣେ ଦକ୍ଷ ଅଭିନେତାଙ୍କ ଅଭିନୟ ହୋଇପାରେ। ଯିଏ ମାଲିକ ସେ ବିଶାଳ ହୃଦୟବାନ୍‍। ନିଜ କର୍ମଚାରୀଙ୍କ ଶତଶତ ତ୍ରୁଟି, ବିଚ୍ୟୁତି, ଅଭିଯୋଗ, ଆପତ୍ତିକୁ ସହିପାରିବାର ମାନସିକ ସାମର୍ଥ୍ୟ ତାଙ୍କଠାରେ ଥିବା ନିଶ୍ଚିତ। ଶ୍ରେଣୀଗୃହରେ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ବି ସାଧାରଣ ଭାବେ ଜଣେ ପ୍ରଭୁ ବା ‘ମାଷ୍ଟର’ କହନ୍ତି। କାରଣ ସେମାନେ କେବଳ ନିଜ ପାଠ୍ୟଦାନ କାର୍ଯ୍ୟରେ ଦକ୍ଷ ନୁହନ୍ତି; ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଅସୁବିଧା ସମାଧାନ କରିବାରେ ବି ଦକ୍ଷ ଅଟନ୍ତି। ଯିଏ ନିଜର ଅଖଣ୍ଡ ପ୍ରଭାବ ବଳରେ ଅନ୍ୟମାନଙ୍କ ହୃଦୟ ଓ ଚେତନାରେ ଆଧିପତ୍ୟ ବିସ୍ତାର କରନ୍ତି ସେ ହିଁ ପ୍ରଭୁ, ସେହି ହିଁ ମୁନିବ, ସେହି ହିଁ ପ୍ରକୃତ ଅନ୍ନଦାତା, ପିତା। ଈଶ୍ୱର, ଶାସକ, ମାଲିକ, ସ୍ୱାମୀ ଓ ବରିଷ୍ଠଙ୍କୁ ପ୍ରଭୁ ବୋଲି ସମ୍ବୋଧନ କରାଯାଏ। କାରଣ ଏମାନେ ସମସ୍ତେ ତାଙ୍କ ଅଧୀନସ୍ଥଙ୍କୁ ସଂକଟରୁ ରକ୍ଷା କରିବାର ସାମର୍ଥ୍ୟ ଧାରଣ କରିଥାନ୍ତି। ଏଥି ସହିତ ଅଖଣ୍ଡ ଶ୍ରଦ୍ଧା, କ୍ଷମା, ଉଦାରତା ମାଧ୍ୟମରେ ସେ ତାଙ୍କ ଆଶ୍ରିତଙ୍କୁ ଅନୁପମ ସୁଖ, ଅନୁରାଗ ଓ ଆନ୍ତରିକତା ପ୍ରଦାନ କରନ୍ତି। ସେବକ ଓ ଆଶ୍ରିତଙ୍କ ପ୍ରଭୁଭକ୍ତି ଯୁଗେ ଯୁଗେ ଅମ୍ଳାନ। ଏହା ଶାଶ୍ୱତ।

ଇତର ପ୍ରାଣୀଟିର ବି ପ୍ରଭୁଭକ୍ତି ଦୃଷ୍ଟାନ୍ତମୂଳକ। ସେ ପ୍ରାଣୀଟି କୁକୁର, ବିଲେଇ, ମାଙ୍କଡ଼, ମଇଁଷି ବା ପକ୍ଷୀ ହୋଇଥାଉ ପଛେ। ଉଦାହରଣ ସ୍ୱରୂପ ଆଜି ବି ଗାଁ ଗହଳିରେ ମଇଁଷିମାନେ ନିଜ ପ୍ରଭୁ ମଇଁଷିଆଳର ନି​‌େ​‌ର୍ଦଶକୁ ଯେପରି ପାଳନ କରନ୍ତି, ଠିକ୍‍ ସେହିପରି ଯଦି କୌଣସି କାରଣରୁ ମଇଁଷିଆଳଟି ଅସୁସ୍ଥତା ବଶତଃ ମୂର୍ଚ୍ଛାଯାଏ, ସେଇ ନିର୍ଜନ ନିଛାଟିଆ ବିଲ ମଝିରେ ମଇଁଷିମାନେ ଏକତ୍ର ତାକୁ ଘେରିଯାଇ ନିଜ ଜିଭରେ ଚାଟିଚାଟି ଚେତା ଫେରାଇ ଆଣନ୍ତି। ମଇଁଷିଆଳ ସୁସ୍ଥ ନ ହେବାଯାଏ ତାକୁ ଛାଡ଼ି ତା’ ମଇଁଷିମାନେ ପଳାଇ ଆସନ୍ତି ନାହିଁ।

ସମଗ୍ର ମାନବ ସଭ୍ୟତାରେ ପ୍ରତିଟି ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ନିବିଡ଼। ‘ବିବାହ’ ଶବ୍ଦଟି ସାର୍ଥକ ହୁଏ, ଯେତେବେଳେ ସ୍ୱାମୀ ସ୍ତ୍ରୀଙ୍କର ସମସ୍ତ ଦାୟିତ୍ୱ ବହନ କରନ୍ତି। ଯେଉଁ କ୍ଷେତ୍ରରେ ସ୍ୱାମୀ ସ୍ତ୍ରୀଙ୍କ ଦାୟିତ୍ୱ ବହନ ନ କରନ୍ତି, ସେଠାରେ ‘ବିବାହ’, ‘ନିର୍ବାହ’ ପର୍ଯ୍ୟାୟଭୁକ୍ତ ହୋଇଯାଏ। ନିର୍ବାହରେ ସ୍ୱାମୀ ନିଜକୁ ସେବ୍ୟ ମନେକରେ, ବିବାହରେ ଉଭୟ ସ୍ୱାମୀ-ସ୍ତ୍ରୀ ପରସ୍ପରର ସଖା ଓ ସେବକ। ‘ପ୍ରେମ’ ହିଁ ସେମାନଙ୍କ ପ୍ରଭୁ। ଯିଏ ପ୍ରେମମୟ ସେ ସାରା ଜଗତର ପ୍ରଭୁ, ମହାପ୍ରଭୁ। ପ୍ରେମରେ ପ୍ରଭୁତ୍ୱ ପ୍ରଦର୍ଶନ ନଥାଏ।

ଜଣେ ମହାନ୍‍ ଗୁରୁ ଥିଲେ। ତାଙ୍କ ମହିମାରେ ଆକୃଷ୍ଟ ହୋଇ ଜଣେ ବ୍ରହ୍ମତେଜା ଋଷି ଏକଦା ତାଙ୍କର ଅତିଥି ହେଲେ। ସେଦିନ ଗୁରୁ ଓ ଶିଷ୍ୟମାନଙ୍କର କି ଆନନ୍ଦ! ସେବା, ଆତିଥ୍ୟରେ ପରମ ସନ୍ତୋଷ ଲାଭକରି ଋଷି ଗୁରୁଦେବଙ୍କୁ ଏକ ବର ପ୍ରାର୍ଥନା ପାଇଁ ଅଭୟ ପ୍ରଦାନକଲେ। ଗୁରୁ ଜାଣିଥିଲେ ଋଷିଙ୍କ ବର ଅବ୍ୟର୍ଥ। ତେଣୁ ସେ ବିନୀତ ଭାବେ ଯାଚନା କଲେ, “ପ୍ରଭୁ! ମୋତେ ଏହି ବର ଦିଅନ୍ତୁ, ମୋର ସମସ୍ତ ଶିଷ୍ୟ ଜଣେ ଜଣେ ମୋ ଠାରୁ ଆହୁରି ଦକ୍ଷ ଗୁରୁ ବନିଯାଆନ୍ତୁ।” ଏହା ଶୁଣି ଉପସ୍ଥିତ ସମସ୍ତ ଶିଷ୍ୟଙ୍କ ଆଖିରେ ଭରିଗଲା ଆନନ୍ଦାଶ୍ରୁ; ସ୍ୱୟଂ ଋଷି ମଧ୍ୟ ହୋଇଗଲେ ଭାବବିହ୍ୱଳ। ଧନ୍ୟ, ଧନ୍ୟ ସେଇ ଗୁରୁ ଯିଏ ପ୍ରକୃତରେ ପ୍ରଭୁ ହେବାକୁ ଯୋଗ୍ୟ। ସେଇଥିପାଇଁ ପରା କୁହାଯାଏ – “ଚିହ୍ନିବାକୁ ନାହିଁ ଯା’ର ପର ମନ, ସେ କି କେବେ ପ୍ରଭୁ ପଦକୁ ଭାଜନ?”

Comments are closed.