ମାନ ମୋହରେ ମଣିଷ

- ବ୍ରହ୍ମଚାରୀ ସତ୍ୟଚୈତନ୍ୟ

ଆମ ଭିତରେ କିଛି ଲୋକ ପ୍ରଚଳିତ ଗତାନୁଗତିକ ଧାରାରୁ ଟିକିଏ ବାହାରି ଆସି ଭଲ କାମ କରିଥାଆନ୍ତି। ସଫଳ ବି ହୋଇଥାଆନ୍ତି। ସେ ସଫଳତା ଧନସମ୍ପତ୍ତି, କଳା, ଶିକ୍ଷା, ସମାଜସେବା ବା କୌଣସି ଦିଗରେ ବି ହୋଇପାରେ। ସମାଜର ଦୃଷ୍ଟି ଆକର୍ଷିତ ହୋଇଥାଏ ତାଙ୍କ ଆଡ଼କୁ। ଅନ୍ୟମାନେ ତାଙ୍କୁ ଦେଖିଥାଆନ୍ତି ଏକ ଭିନ୍ନ ଦୃଷ୍ଟିରେ। ଉତ୍ସାହିତ କରିବା ପାଇଁ ହେଉ, ସ୍ୱାର୍ଥ ଦୃଷ୍ଟିରୁ ହେଉ ବା କୌଣସି କାରଣରୁ କିଛି ଲୋକ ବା ଅନୁଷ୍ଠାନ ତାଙ୍କୁ ଉପହାର, ପ୍ରଶଂସାପତ୍ର, ସମ୍ମାନ ଆଦି ଦେଇଥାଆନ୍ତି। ନିମନ୍ତ୍ରଣ କରିଥାଆନ୍ତି ବିଭିନ୍ନ ସଭାସମିତିକୁ। ଏହାଦ୍ୱାରା ବ୍ୟକ୍ତିଙ୍କର ପ୍ରତିଷ୍ଠା ଆହୁରି ବଢ଼ିଯାଏ। ବିଭିନ୍ନ ଆଡ଼ୁ ଛୁଟିଆସେ ମାନପତ୍ର, ପ୍ରଶଂସା ଏବଂ ଉପଢ଼ୌକନ ଆଦିର ସୁଅ। ଆଶା କରିନଥିବା ସମ୍ମାନର ଅଧିକାରୀ ହୋଇଯାଆନ୍ତି ବ୍ୟକ୍ତିଜଣକ। ଏଇଠି ଧୀରେଧୀରେ ଗ୍ରାସକରେ ସଭାମଞ୍ଚର ମୋହ ଓ ମାନସମ୍ମାନର ଶୀତଳ ବିଷ।

ଏବେ ବି ଆମ ଗହଣରେ ଏଭଳି ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ ସମ୍ମାନର ମୋହ ମାୟାରୁ ଥାଆନ୍ତି ଯୋଜନଯୋଜନ ଦୂରରେ। ଏମାନଙ୍କୁ ମଞ୍ଚର ମାୟା ଗ୍ରାସ କରିନଥାଏ। ଜୀବନଚର୍ଯ୍ୟା ବହି ଚାଲିଥାଏ ନଦୀର ସ୍ୱାଭାବିକ କୁଳୁକୁଳୁ ନାଦ ଭଳି। ନିଜର ହଜିଯାଉଥିବା ପରିଚୟକୁ ନେଇ ଏଭଳି ବ୍ୟକ୍ତିମାନେ କେବେ ବ୍ୟଥିତ ହୁଅନ୍ତିନାହିଁ। ସେମାନେ ବୁଝି ଥାଆନ୍ତି ସମ୍ମାନ ମିଳେ ବ୍ୟକ୍ତିତ୍ୱକୁ; ବ୍ୟକ୍ତିକୁ ନୁହେଁ। ଗୁଣକୁ, ମଣିଷକୁ ନୁହେଁ। ମଣିଷ ମାଧ୍ୟମ ମାତ୍ର। ସେହି ଗୁଣ ଓ ସୁବିଧା ଆଉ କାହା ଭିତରେ ଥିଲେ ହୁଏତ ସେ ମଧ୍ୟ ଉକ୍ତ ସମ୍ମାନର ଅଧିକାରୀ ହୋଇଥାଆନ୍ତା। ଏହି ତତ୍ତ୍ୱଟିକୁ ବୁଝି ନଥିବା ମଣିଷ ପଡ଼ିଯାଆନ୍ତି ସମ୍ମାନର ଚକ୍ରବ୍ୟୂହରେ। ନିଜକୁ ଅସାଧାରଣ ବ୍ୟକ୍ତି ବିଚାର କରନ୍ତି। ନିଜ ଚଳଣି, କଥାବାର୍ତ୍ତା, ବ୍ୟବହାର, ପୋଷାକପରିଚ୍ଛଦ ଆଦିରେ ବାରିହେଇ ପଡ଼େ ସୂକ୍ଷ୍ମ ଅହମିକାର ଗନ୍ଧ। ଭିତରେ ପୁଞ୍ଜୀଭୂତ ହେଉଥାଏ ପ୍ରଶଂସା ପାଇବାର ପ୍ରବଳ ଲାଳସା। କ୍ରମଶଃ ମାତି ଯାଆନ୍ତି ପ୍ରତିଷ୍ଠାର ଦୌଡ଼ରେ। ଧୀରେଧୀରେ ଓହରି ଯାଆନ୍ତି ମୁଖ୍ୟ ସ୍ରୋତରୁ। ଲକ୍ଷ୍ୟଚ୍ୟୁତ ହୋଇଯାଆନ୍ତି। ଏମିତି ସମୟ ଆସେ କୌଣସି ଅନୁଷ୍ଠାନରୁ ନିମନ୍ତ୍ରଣ ଆସିବା ବନ୍ଦ ହୋଇଯାଏ। ମଞ୍ଚ ମାୟାରେ କବଳିତ ମଣିଷ ବଳେବଳେ ବିନା ନିମନ୍ତ୍ରଣରେ ଉପସ୍ଥିତ ହୋଇଥାଆନ୍ତି ନାନାଦି ଅନୁଷ୍ଠାନରେ। କେହିକେହି ଠିକାଦାର ଭଳି ନିଜ ପାଇଁ ପ୍ରଶଂସକଟିଏ ଯୋଗାଡ଼ି ଥାଆନ୍ତି। ଏହାର କାରଣ ହେଲା ପ୍ରଶଂସା ଆଶା କରୁଥିବା ବ୍ୟକ୍ତି ଶରୀରର ମୃତ୍ୟୁକୁ ଯେତିକି ଭୟ କରିନଥାନ୍ତି ତତୋଧିକ ଆଶଙ୍କିତ ହୋଇ ପଡ଼ିଥାଆନ୍ତି ସ୍ୱ-ପ୍ରତିଷ୍ଠାର ମୃତ୍ୟୁରେ। ସଂସାରରେ ଶରୀର ଧରି ବଞ୍ଚିବା ଅପେକ୍ଷା ଲୋକଙ୍କ ମନରେ ନିଜର ଅସ୍ତିତ୍ୱ ବିସ୍ତାର କରିବାକୁ ବ୍ୟାକୁଳ ହୁଅନ୍ତି ଏହି ପ୍ରଶଂସାପ୍ରିୟ ମଣିଷମାନେ।

ଏହିଭଳି ଏକ ସନ୍ଧିକ୍ଷଣରେ ପହଞ୍ଚିଲା ବେଳକୁ ଦୁନିଆରେ ଆହୁରି ଅନେକ ବ୍ୟକ୍ତି ବିଶେଷ ସମ୍ମାନିତ ହୋଇ ସାରିଥାଆନ୍ତି। ପହଞ୍ଚି ଥାଆନ୍ତି ଉତ୍କର୍ଷର ଶୀର୍ଷରେ। କ୍ରମଶଃ ପୂର୍ବରୁ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ହରାଇ ବସିଥାଆନ୍ତି ସେମାନଙ୍କର ଶେଷ ସଞ୍ଚିତ ସମ୍ମାନ ଟିକକ। ଏକ ଅବ୍ୟକ୍ତ ମାନସିକ ବ୍ୟାଧିରେ ପୀଡ଼ିତ ହୋଇ କ୍ଷୀଣ ହୋଇଯାଏ ତନ ସହ ମନ। ଅନ୍ୟର ପ୍ରତିଷ୍ଠା ଦେଖିଲେ ନିଜ ଭିତରେ ଜନ୍ମ ନେଇଥାଏ ଈର୍ଷା ଓ ବିଦ୍ୱେଷ ଭାବ। ଅତୀତର ସେହି ଆହ୍ଲାଦିତ ଜୀବନ ଟାଣି ହୋଇଯାଏ ବିଷାଦର ଅନ୍ଧାରି ମୁଲକକୁ। ଅତୀତର ସ୍ମୃତିକୁ ଉଖାରିଲାବେଳେ କେହି ହେଲେ ତାଙ୍କ ଚାରିପାଖରେ ନଥାଆନ୍ତି। କାରଣ ସେ ନିଜେ ହିଁ ଏ ସବୁ ପରିସ୍ଥିତିର ସ୍ରଷ୍ଟା। ଅତୀତରେ ନିଜକୁ ସ୍ୱତନ୍ତ୍ର ମଣିଷ ବିଚାର କରି ଅନ୍ୟକୁ ନିମ୍ନ ଦୃଷ୍ଟିରେ ଦେଖିଥିବା ମଣିଷ ନିଜେ ଅପାଙ୍‍କ୍ତେୟ ହୋଇ ପଡ଼ିଥାଏ।

ମଣିଷକୁ ଭଲ ପାଇବାରେ ଯେଉଁ ଆତ୍ମତୃପ୍ତି ମିଳିଥାଏ ତାହା ବୋଧହୁଏ ଏ ମିଛ ସମ୍ମାନରେ ନଥାଏ। ପ୍ରଶଂସାପତ୍ର ମଣିଷ ଦେଇଥାଏ। ଯେତେ ବଡ଼ ସମ୍ମାନର ଅଧିକାରୀ ହେଲେ ମଧ୍ୟ ତାହା କିଛି ଲୋକଙ୍କ ଭିତରେ ସୀମିତ ରହିଯାଏ। ସମସ୍ତେ ଜାଣିପାରନ୍ତି ନାହିଁ। ଜାଣିଲେ ମଧ୍ୟ ମନେରଖି ନଥାଆନ୍ତି; କିନ୍ତୁ ପ୍ରକୃତି ଆମକୁ କେବେ ବି ଭୁଲି ନଥାଏ। ବିନା ଚିହ୍ନା-ପରିଚୟରେ ପାଣି, ପବନ, ଖରା, ବର୍ଷା, ଶୀତ, କାକର, ପକ୍ଷୀର କାକଳି ଆଦି ସବୁକିଛି ଅକୁଣ୍ଠରେ ଅଜାଡ଼ି ଦେଇଥାଏ। ଦୁନିଆରେ କେହି ନପଚାରିଲେ ବି ପ୍ରକୃତି ଆମକୁ ପଚାରୁଛି। ଏହା କ’ଣ ଆମ ପାଇଁ ସମ୍ମାନବୋଧ ନୁହେଁ? ମିଳିଥିବା ମାନପତ୍ରକୁ ନେଇ ଆମେ ଗର୍ବ କରିଥାଉ; କିନ୍ତୁ ମାନପତ୍ର, ସମ୍ମାନ, ଉପଢ଼ୌକନ ଆମକୁ ନେଇ କେତେ ଗର୍ବିତ ହେଉଥିବେ ଥରେ ଚିନ୍ତା କରିବା କଥା।

ତୁମ ସମ୍ମାନ ଅନ୍ୟ ପାଇଁ ପ୍ରେରଣା ସାଜୁ। ନିଜ ପାଇଁ ଅହମିକାର ଅଟ୍ଟାଳିକା ନହେଉ। ଯେଉଁ ସଫଳତା ପାଇଁ ସମ୍ମାନ ମିଳିଛି ସେ ଦିଗରେ ଆଗେଇଯାଅ। ସମ୍ମାନର ମୋହରୁ ମୁକୁଳି ଯିବା ପାଇଁ ପ୍ରଥମେ ସରଳ ହୋଇଯାଅ। ସାଧାରଣଙ୍କ ଭଳି ଚଳିବାକୁ ଚେଷ୍ଟାକର। ନିଜକୁ ଯେତିକି ଅସାଧାରଣ ଭାବୁଥିବ ତୁମେ ସେତିକି ଯନ୍ତ୍ରଣାର ଅଗ୍ନିରେ ଦଗ୍‍ଧୀଭୂତ ହେଉଥିବ। ସରଳ ହେବା ଏକ ବଡ଼ ସାଧନା। ଜଟିଳ ହେବା ତ ଅତି ସହଜ। ସରଳତା ହେଉଛି ଅସଲ ସୁଖର ଚାବିକାଠି। ତୁମେ ଯେତେ ସମ୍ମାନ ଯୋଗାଡ଼ କରୁଥାଅ ନା କାହିଁକି, ସବୁ ଏଇଠି ପଡ଼ିରହିବ। ଯଦି ଏ ଶରୀର ସ୍ଥାୟୀ ନୁହେଁ, ସମ୍ମାନ କିପରି ସ୍ଥାୟୀ ହେବ? ତୁମ ବ୍ୟକ୍ତିତ୍ୱ, ବ୍ୟବହାର ହିଁ ତୁମ ପାଇଁ ସମ୍ମାନର ଶିଳାଲେଖ। ସୁବ୍ୟବହାର, ଲୋକଙ୍କ ପ୍ରତି ସ୍ନେହ-ଶ୍ରଦ୍ଧା ହିଁ ତୁମ ସମ୍ମାନର ଆଧାରଶିଳା। ମାନପତ୍ର, ଉପଢୌକନକୁ ନେଇ ଘର ସଜାଯାଇପାରେ। ତାକୁ ମନରେ ରଖି କର୍ମ କ୍ଷେତ୍ରରେ ଆଗେଇଲେ କର୍ମ କ୍ଷେତ୍ରରେ ପ୍ରେରଣା ମିଳିଥାଏ; କିନ୍ତୁ ମାନପତ୍ରକୁ ନେଇ ସମ୍ମାନ ଖୋଜିଲେ ଅସମ୍ମାନ ହିଁ ମିଳିବା ସାର ହୋଇଥାଏ। ଅସଲ କଥା ହେଲା- ଯେଉଁ ମଣିଷ ଜୀବନରେ ଆଦୌ ସମ୍ମାନ ପଛରେ ଗୋଡ଼ାନ୍ତି ନାହିଁ ବା ଲାଳାୟିତ ହୁଅନ୍ତି ନାହିଁ, ଦେଖାଯାଏ ସମ୍ମାନ ଓ ସମାଜ ତାକୁ ହିଁ ଖୋଜି ଥାଆନ୍ତି।

Comments are closed.