ଲୋକପ୍ରିୟ ସରକାର କ’ଣ ଭଲ ସରକାର

ରାଜେନ୍ଦ୍ର ନାରାୟଣ ଦାସ

“A Popular Government need not necessarily mean Good Governance. Good Governance, in my opinion, where citizens of the country are assured of minimum requirements of life like food, like health, like education, so on and so forth. And if you judge from that angle, the governance cannot be termed as good governance.” (ଓଡ଼ିଆ ମର୍ମାନୁବାଦ: ଏକ ଲୋକପ୍ରିୟ ସରକାରର ଅର୍ଥ ଉତ୍ତମ ଶାସନ ବୋଲି ମନେ କରିବା ଆବଶ୍ୟକ ନୁହେଁ। ମୋ ମତରେ ଉତ୍ତମ ଶାସନ ହେଉଛି ତାହା, ଯେଉଁଠାରେ ଦେଶର ନାଗରିକମାନେ ଖାଦ୍ୟ, ସ୍ୱାସ୍ଥ୍ୟ ଓ ଶିକ୍ଷା ପରି ଜୀବନର ସର୍ବନିମ୍ନ ଆବଶ୍ୟକତା ବିଷୟରେ ନିଶ୍ଚିନ୍ତ ହୋଇ ପାରୁଥିବେ ଏବଂ ଯଦି ତୁମେ ସେହି ଦୃଷ୍ଟିରୁ ବିଚାର କର, ଆଜିର ଶାସନକୁ ଉତ୍ତମ ଶାସନ ବୋଲି କୁହାଯାଇପାରିବ ନାହିଁ)।

ଏହା ଥିଲା ପ୍ରାୟ ଦୁଇମାସ ତଳେ (୨୪.୧୧.୨୦୨୧ରେ) ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତାଙ୍କର ଆତ୍ମଜୀବନୀ ‘ମନେଅଛି ଯେତିକି’ ପୁସ୍ତକର ଉନ୍ମୋଚନ ଉତ୍ସବରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରାକ୍ତନ ପ୍ରଧାନ ବିଚାରପତି, ନ୍ୟାୟମୂର୍ତ୍ତି ଗୋପାଳବଲ୍ଲଭ ପଟ୍ଟନାୟକଙ୍କ ଏକ ‘ବିସ୍ଫୋରକ ବୟାନ’। ସଭାଗୃହଟି ଓଡ଼ିଶାର ଆଗଧାଡ଼ିର ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ଭରପୂର ଥିଲା। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ମଧ୍ୟ ଆଗଧାଡ଼ିରେ ଉପବିଷ୍ଟ ଥିଲେ। ସେ ଏପରି ବୟାନ ଦେଲାବେଳେ ଉପସ୍ଥିତ ଶ୍ରୋତାମାନେ ସମ୍ପୂର୍ଣ୍ଣ ନିରବ ଥିଲେ। ଜଣେ କେହି ବି ଶ୍ରୋତା କରତାଳି ଦେଇନଥିଲେ। ବୋଧହୁଏ କୌଣସି ରାଜନୈତିକ ଦଳର ମୁଖିଆଙ୍କ ନିର୍ବାଚନ ସଭା ହୋଇଥିଲେ ଶ୍ରୋତାଙ୍କର କରତାଳି ଶବ୍ଦରେ ସଭାଗୃହର ଛାତଟି ଭୁଶୁଡ଼ି ପଡ଼ିଥାନ୍ତା। ସେହି କିମ୍ବଦନ୍ତୀ ପୁରୁଷଙ୍କର ଏହି ବୟାନକୁ ଆଜିର ପରିସ୍ଥିତିରେ କେବେହେଲେ ହାଲୁକା ଭାବରେ ନିଆଯାଇ ପାରିବ ନାହିଁ। ଏ ବିଷୟରେ ସାମାନ୍ୟ କିଛି ଆଲୋଚନା ଏହି ଆଲେଖ୍ୟର ଉଦ୍ଦେଶ୍ୟ।

ଭାରତବର୍ଷରେ ନିର୍ବାଚନ ହେଉଛି ‘ଗଣତନ୍ତ୍ରର ମହୋତ୍ସବ’। ନିର୍ବାଚନ ସମୟରେ ମହାମହିମ ରାଷ୍ଟ୍ରନେତାଙ୍କଠାରୁ ଆରମ୍ଭ କରି ଗାଉଁଲି କୁଜି ନେତାମାନଙ୍କ ପର୍ଯ୍ୟନ୍ତ, ସେମାନଙ୍କର ଗଉଁ ଦେଖିଲେ ଆମ ଭଳି ସାଧାରଣ ଲୋକମାନଙ୍କର ଆଖି ଖୋସି ହୋଇଯାଏ। ଫାଇଦା ହାସଲ ପାଇଁ ଭାବୀନେତାମାନେ କେତେ ଯେ ଫନ୍ଦିଫିକର କରନ୍ତି, ତା’ର କଳନା କରିବା କାଠିକର ପାଠ। ଏପରି ଲୋକପ୍ରିୟତା ହାସଲରେ ରାଜ୍ୟର ବା ଦେଶର ଉନ୍ନତି ସାଧନ ହୁଏ କି? ଏହା ତ ‘କେରାଣ୍ଡି ଗୁନ୍ଥି ବାଳିଆ ଧରିବା’ ସହ ସମାନ। ସବୁ ଦଳ ସମାନ। ସମସ୍ତଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ‘କ୍ଷମତା-ସିଂହାସନ ଦଖଲ’।

ଇତିହାସର ପୃଷ୍ଠାକୁ ଟିକିଏ ଓଲଟାଇବା। ଏକଦା ଭାରତୀୟ ରାଜନୀତିରେ ସମସ୍ତଙ୍କର ପ୍ରିୟ ଅଜା ହୋଇ ବସିଥିବା ପୂଜ୍ୟ ଆଚାର୍ଯ୍ୟ କୃପାଳିନୀ (୧୮୮୮-୧୯୮୨) ଯେତେବେଳେ ଦେଖିଲେ ତାଙ୍କ ଆଖି ଆଗରେ ଦେଶର ମୂଳଦୁଆ ବା ଡିହରୁ ଖଣ୍ଡଖଣ୍ଡ ହୋଇ ଅତଡ଼ା ଖସିଯାଉଛି, ସେତେବେଳେ ସେ ଖବରକାଗଜରେ ଏକ ବିବୃତି ଦେଇଥିଲେ ଯେ– “ତାଙ୍କର ଯଦି ଟୋକା ବୟସ ହୋଇଥାଆନ୍ତା ତେବେ ସେ ଏ ଦେଶରେ ନିଆଁ ଲଗେଇ ଦିଅନ୍ତେ।” ବୋଧହୁଏ ସେ କାହା ପାଖରେ କୌଣସି ଦାବି କରି ନପାରି, ରାଗିଯାଇ, ନିଜକୁ ବୃଦ୍ଧ ଓ ଅସମର୍ଥ ଭାବି ଏତେ ବଡ଼ କଥାଟିଏ କହି ପକାଇଥିଲେ।

କ’ଣ ପାଇଁ ସେ ଏପରି କହିଲେ? ସିଏ ତ ଭାରତର ସ୍ୱାଧୀନତା ସଂଗ୍ରାମବେଳେ ବ୍ରିଟିଶ୍‍ ସରକାର ବିରୋଧରେ ଲଢ଼ିଥିଲେ। ସେତେବେଳେ ସେ ବୁଢ଼ା ହୋଇଯାଇନଥିଲେ; ଯୁବକ ଥିଲେ। ସେତେବେଳେ ସେ ଜାଣିଥିଲେ ଯେ ଏ ଲଢ଼େଇ ପରେ ଆହୁରି ଲଢ଼େଇ କରିବାକୁ ହେବ। ଦେଶର ଜନଗଣଙ୍କୁ ପ୍ରକୃତ ଗଣତନ୍ତ୍ରର ସ୍ୱାଦ ଚଖାଇବାକୁ ହେବ। ଯାବତୀୟ ସ୍ୱେଚ୍ଛାଚାର, ଦୁର୍ନୀତି ଓ ସାମାଜିକ ଅସମତାକୁ ସମାଜବାଦ ପ୍ରତିଷ୍ଠାପାଇଁ ଦୂର କରିବାକୁ ହେବ। ସ୍ୱାଧୀନତା ପରେ ସେ କିନ୍ତୁ ତାଙ୍କର ସମଧର୍ମାମାନଙ୍କର କକ୍ଷଚ୍ୟୁତି ଓ କର୍ତ୍ତବ୍ୟରେ ଖିଲାପକୁ ଦେଖିଲେ। ଏହା ତାଙ୍କ ଭିତରେ ଗ୍ଳାନିର ନିଆଁ ଜାଳିଦେଲା। ତେଣୁ ସେ ଖୁବ୍‍ ପରିଣତ ବୟସରେ ଦେଶରେ ନିଆଁ ଲଗାଇଦେବାକୁ କହିଥିଲେ। ପରେପରେ ଲାଲ୍‍କୃଷ୍ଣ ଆଡ଼ୱାଣି ଦେଶରେ ଏକ ଜରୁରୀକାଳୀନ ପରିସ୍ଥିତିର ଆବଶ୍ୟକତା କଥା କହି ହୁଙ୍କାର ଦେଇଥିଲେ। ମଲାବେଳକୁ ହନୁ ସତ କହେ ପରା!

୧୯୮୮ ମସିହା ଜାନୁଆରୀ ୨୬ ତାରିଖ, ସାଧାରଣତନ୍ତ୍ର ଦିବସ ଉତ୍ସବରେ ଭାରତର ଦ୍ୱାଦଶ ପ୍ରଧାନମନ୍ତ୍ରୀ ଇନ୍ଦ୍ରକୁମାର ଗୁଜୁରାଲ୍‍ ପତାକା ଉତ୍ତୋଳନ କରିବା ପରେ ଦେଶରେ ଦେଖାଯାଉଥିବା ନାନା ବିଭ୍ରାନ୍ତି, ବିଶୃଙ୍ଖଳା, ଦୁର୍ନୀତି ଓ ଆତଙ୍କରାଜରେ ବିଚଳିତ ହୋଇ, ତା’ର ପ୍ରତିକାର ପାଇଁ ଆଉ ଏକ ‘ସତ୍ୟାଗ୍ରହ ଆନ୍ଦୋଳନ’ର ଆବଶ୍ୟକତା ରହିଛି ବୋଲି ତାଙ୍କର ଓଜସ୍ୱିନୀ ଭାଷଣରେ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ। ତାହାର କିଛିଦିନ ପରେ ଲୋକସଭାର ଏକ ବିଶେଷ ଅଧିବେଶନ ଡକାଯାଇ ଦେଶର ତତ୍‍କାଳୀନ ସ୍ଥିତି ଉପରେ ଆଲୋଚନା କରାଯାଇଥିଲା। ଚାରିଦିନ ବ୍ୟାପୀ ଚାଲିଥିବା ସେହି ଅଧିବେଶନରେ ଉଭୟ କୌରବ ଓ ପାଣ୍ଡବମାନେ ବକ୍ତା ଓ ଶ୍ରୋତା ଥିଲେ। ବାଚସ୍ପତି ପି.ଏ. ସାଙ୍ଗମା ଅଧିବେଶନର ପରିଚାଳନା କରିଥିଲେ। ସେହି ‘ସାଂସଦ-ସମୁଦ୍ର-ମନ୍ଥନ’ରୁ ଦେଶର ହିତପାଇଁ କିଛି ଅମୃତ ବାହାରିବ ବୋଲି ଦେଶବାସୀ ଅତ୍ୟନ୍ତ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ। ମାତ୍ର ମାନ୍ୟବର ବାଚସ୍ପତି ସାଙ୍ଗମା ଦୃଢ଼ କଣ୍ଠରେ ଘୋଷଣା କଲେ ଯେ ଦେଶ ସକାଶେ ଆଉ ଏକ ‘ସ୍ୱାଧୀନତା ସଂଗ୍ରାମ’ର ଆବଶ୍ୟକତା ରହିଛି।

ଏହି ଘୋଷଣାରେ ସଦସ୍ୟମାନଙ୍କର କରତାଳିରେ ସଂସଦ ଭବନ ପ୍ରକମ୍ପିତ ହୋଇଥିଲା।
ଏହା ଭିତରେ ଦୀର୍ଘ ବର୍ଷ ବିତିଗଲାଣି। ୩୦ ନଭେମ୍ବର ୨୦୧୨ରେ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲଙ୍କର ବିୟୋଗ ପରେ ନଅ ବର୍ଷରୁ ଅଧିକକାଳ ବିତିଗଲାଣି। ଶ୍ରୀ ସାଙ୍ଗମା ଭାରତର ରାଷ୍ଟ୍ରପତି ପଦ ପାଇବା ପାଇଁ ଜୋରଦାର ପ୍ରଚାର କରି, ଶେଷରେ ପରାଜିତ ହୋଇ, ସକ୍ରିୟ ରାଜନୀତିରୁ ସମ୍ଭବତଃ ସନ୍ନ୍ୟାସ ନେଇଛନ୍ତି। ଅଥଚ ସେଦିନ ସାଂସଦମାନେ ‘ଆଉ ଏକ ସ୍ୱାଧୀନତା ସଂଗ୍ରାମ’ ପାଇଁ ଯେଉଁ ବିହ୍ୱଳ ଭାବ ପ୍ରକାଶ କରିଥିଲେ, ତାହା ଆକାଶ କୁସୁମ ହୋଇଯାଇ ନାହିଁ କି?

ରାଜନୀତିର ଫୁଲ୍‍କା ଉପରେ ପହିଲ୍‍ମାନ ବୋଲାଇ ଦେଶକୁ ଲୁଟ୍‍ କରିଥିବା ବାବୁମାନଙ୍କର ଆଉ ଅଭାବ ନାହିଁ। ସମସ୍ତେ ନୋଟ୍‍ ଦେଇ ଭୋଟ୍‍ ପାଇବାରେ ବ୍ୟସ୍ତ। ନେତାମାନେ କେବଳ ରାଜନୀତିରେ ଲାଭବାନ୍‍ ହେବାପାଇଁ ବିକଳ। ଥରେ ସିଂହାସନ ମାଡ଼ି ବସିଲେ ତେଣିକି ବଣିଜ ଚାଲୁଛି। ଦେଶ ଯୁଆଡ଼କୁ ଯାଉଛି ଯାଉ, ସେ ଦିଗକୁ କାହାରି ଧ୍ୟାନ ନାହିଁ। ଜଣେ ଅଧେ କେହି ଦେଶ ପାଇଁ ଉତ୍ସର୍ଗୀକୃତ ଭାବରେ କାମ କରିବାକୁ ଆଗେଇ ଆସିଲେ, ଅଭିମନ୍ୟୁକୁ ସପ୍ତରଥୀ ଘେରି ମାରିଲା ପରି ଉପଭୋଗୀ ଓ ସୁବିଧାବାଦୀ ନେତାମାନେ ତାକୁ ଚାରିଆଡ଼ୁ ଘେରି ଆସୁଛନ୍ତି। ଏଇମାନେ ନୂଆ ନୂଆ ଦକ୍ଷତା ଓ କୌଶଳରେ ଦେଶକୁ କେବଳ ଉପଭୋଗ କରିବା ପାଇଁ ଚାହାନ୍ତି। ବଡ଼ ଚତୁରତାର ସହ ଲୋକମାନଙ୍କୁ ସବୁଥିରୁ ବଞ୍ଚିତ କରାଇ ରଖିଛନ୍ତି। ଏଇଥିପାଇଁ ନିଶ୍ଚୟ ଇନ୍ଦ୍ରକୁମାର ଗୁଜରାଲ ଓ ଶ୍ରୀ ସାଙ୍ଗମା ଏକ ନୂତନ ସଂଗ୍ରାମ କଥା କହିଥିଲେ। ହେଲେ ସେ ସଂଗ୍ରାମ କାହିଁ ବା ସେ ସଂଗ୍ରାମୀ କାହାନ୍ତି?

ଏହି ପରିପ୍ରେକ୍ଷୀରେ, ଆମ ଓଡ଼ିଶା ରାଜ୍ୟର ପ୍ରସଙ୍ଗ ଆଲୋଚ୍ୟ। ରାଜ୍ୟର ଭୂଗୋଳକୁ ଓ ରାଜ୍ୟର ଭାଷାକୁ, ଏପରି କି ରାଜ୍ୟର ସଂସ୍କୃତିକୁ ଆଦୌ ଜାଣି ନଥିବା ରାଜ୍ୟର ମୁଖ୍ୟ ଦୀର୍ଘ ଏକୋଇଶ ବର୍ଷ ଧରି ‘ଶସ୍ତା ରାଜନୀତି’ରେ କେବଳ ରହିନାହାନ୍ତି, ସେ ସମସ୍ତଙ୍କ ମୁହଁରେ ତୁଣ୍ଡି ବାନ୍ଧିଦେଇ ‘ମୋ ସରକାର’ର ସଫଳତାର ସାମଗାନ କରୁଛନ୍ତି। ସବୁଠାରେ ‘ରେ ରେ କାର’ ଧ୍ୱନି।

ଏ ପ୍ରସଙ୍ଗରେ ଆଜିଠୁ ଠିକ୍‍ ଶହେ ବର୍ଷ ତଳେ ଜେଲ୍‍ ଭିତରେ ଥାଇ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ତାଙ୍କ ଡାଏରିରେ ଯେଉଁ ଶବ୍ଦଗୁଡ଼ିକ ଲେଖିଥିଲେ, ତାହା ମନରେ ଗଭୀର ରେଖାପାତ କରେ। ସେ ଲେଖିଥିଲେ – “Election and their corruptions, injustice and the power and tyranny of wealth and the inefficiency of administration will make a hell of life as soon as freedom is given to us” (24th January 1922)।

ଏହି ଭବିଷ୍ୟବାଣୀ ସଂପ୍ରତି କେତେ ସତ୍ୟ, ତାହା ଯେ କେହି ଅନୁଭବ କରିପାରିବେ। ଆଜିର ନିର୍ବାଚନସର୍ବସ୍ୱ ରାଜନୀତିରେ ଭୋଟ ଜାଲିଆତି, ଦୁର୍ନୀତି, ଅନ୍ୟାୟ, ସ୍ୱେଚ୍ଛାଚାର, କ୍ଷମତା ଓ କଳାଟଙ୍କା ଆକାଶ ସ୍ପର୍ଶ କରିସାରିଲାଣି। ଏହାର ମୁଖ୍ୟ କାରଣ ହେଉଛି, ରାଜନେତାମାନଙ୍କର ଦେଶ ପାଇଁ ଅଙ୍ଗୀକାରବଦ୍ଧତା ନାହିଁ। କେବଳ ଅଛି କ୍ଷମତା ଦଖଲ କରିବାର ଆକାଂକ୍ଷା ଓ ନିଜର ସ୍ୱାର୍ଥ ସାଧନ କରିବାର ଅଭିଳାଷ। ଏପରି ମନୋଭାବ ଧର୍ମ ଧର୍ମ, ଜାତି ଜାତି ଭିତରେ ସଂଘର୍ଷ ଲଗାଇ ଦେଇଛି ଏବଂ ଏହା ରାଜନୀତିକୁ ସୁହାଉଛି।

ଏପରି ପରିସ୍ଥିତିକୁ ଦେଖି କବିବର ରାଧାନାଥ ରାୟଙ୍କର ପଦଟିଏ ମନେ ପଡ଼ିଯାଉଛି–
‘ଦେବୀ ବୀଣାପାଣି! କେଉଁ ପାପ ଫଳେ
କରୁଣା ତୋହର ଊଣା ଏ ଉତ୍କଳେ?’

ଆଜି ମନେହେଉଛି, ବୀଣାପାଣି ଆଉ ଓଡ଼ିଶାକୁ କରୁଣା ଦୃଷ୍ଟିରେ ଚାହୁଁନାହାନ୍ତି। ନାରାୟଣ ଜଗନ୍ନାଥ ମଧ୍ୟ ଦାରୁଭୂତ ମୁରାରି। ସେମାନେ ପ୍ରକୃତରେ ଆଜିର ରାଜନୀତିକ ନେତାଙ୍କର ଶକ୍ତି ଓ ସାମର୍ଥ୍ୟ ନିକଟରେ ହୀନପ୍ରଭ। ଆଜିର ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ରାଜଗୋପାଳାଚାରୀଙ୍କ ଆତ୍ମା ସ୍ୱର୍ଗପୁରରେ ଆତ୍ମଗ୍ଳାନିରେ ନିଶ୍ଚୟ ଭାଙ୍ଗି ପଡ଼ୁଥିବ। ଏପରି ପରିସ୍ଥିତିରେ ଓଡ଼ିଶାକୁ କିଏ ରକ୍ଷା କରିବ? ରକ୍ଷା ନ ପାଇଲେ କ’ଣ ହେବ ଅବସ୍ଥା? ସମୟ ଆସିଛି ଏ ବିଷୟରେ ସମସ୍ତେ ଚିନ୍ତା କରିବା ପାଇଁ; କିନ୍ତୁ ଚିନ୍ତା କରିବା ପାଇଁ ଯେଉଁ ସ୍ୱାଧୀନ ମସ୍ତିଷ୍କଟିଏ ଥିବା ଦରକାର, ତାହା ଆଜି କେତେଜଣଙ୍କର ଅଛି?

Comments are closed.