ଓଡ଼ିଆ ଅଭିଧାନ ସଂକଳନ

ଡ. ଅନ୍ତର୍ଯ୍ୟାମୀ ମିଶ୍ର

ବିଶ୍ବର ପ୍ରତ୍ୟେକ ଭାଷାର ଅଗ୍ରଗତି ସହିତ ଓଡ଼ିଆ ଭାଷାର ମଧ୍ୟ ଅଗ୍ରଗତି ହେଉଛି। ତେଣୁ ଆଗାମୀ ଶତାବ୍ଦୀ ନିମିତ୍ତ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ସେଥି ନିମିତ୍ତ ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ଓଡ଼ିଆ ଭାଷାର ମାନକତାକୁ ପ୍ରତିଷ୍ଠିତ କରିବା। ଓଡ଼ିଆ ଭାଷାରେ ପୂର୍ଣ୍ଣାଙ୍ଗ ଅଭିଧାନ ସଙ୍କଳନ ହେବାର ଶହେ ବର୍ଷରୁ ଊର୍ଦ୍ଧ୍ବ ହୋଇଗଲାଣି। ୟା’ ଭିତରେ ବହୁ ଛୋଟବଡ଼ ଅଭିଧାନ ସଙ୍କଳିତ ହୋଇଥିଲେ ହେଁ ତନ୍ମଧ୍ୟରୁ କ୍ବଚିତ୍‌ ଅଭିଧାନରେ ଅଗ୍ରଗତିର ପଦଚିହ୍ନ ରହିଛି। ତେଣୁ ଚଳିତ ଏକବିଂଶ ଶତାବ୍ଦୀ ଓ ଆଗାମୀ ଶତାବ୍ଦୀ ନିମିତ୍ତ ପ୍ରାମାଣିକ ଅଭିଧାନ ସଂକଳନର ଆବଶ୍ୟକତା ଅନୁଭୂତ ହେଲାଣି। କାରଣ ଆମର ପ୍ରୟୋଜନ ହଜାରହଜାର ଶବ୍ଦ, ଯେଉଁଗୁଡ଼ିକ ବସ୍ତୁବାଚକ ଶବ୍ଦ ନହୋଇ ଭାବବାଚକ ଶବ୍ଦ ହୋଇଥିବା ଉଚିତ। ଅର୍ଥାତ୍‌ ଅବ୍‌ଷ୍ଟ୍ରାକ୍ଟ କନ୍‌ସେପ୍ଟ ଶବ୍ଦ। ଏହାର ଅର୍ଥ ନୁହେଁ ଯେ ସମାଜରେ ବସ୍ତୁବାଚକ ଶବ୍ଦର ପ୍ରୟୋଜନ ନାହିଁ। ସେ ପ୍ରକାର ଶବ୍ଦ ହୁଏତ କିଛି ମିଳିବ ଗାଁ ଗଣ୍ଡାରେ- ହେଉ ପଛେ ତାହା ଶଗଡ଼ଗାଡ଼ିର ବିଭିନ୍ନ ଅଂଶର ନାମ; କିନ୍ତୁ ତା’ ସହିତ ଆମକୁ କମ୍ପ୍ୟୁଟରର ଊର୍ଜା ପାଇଁ ବି ଶବ୍ଦ ଖୋଜିବାକୁ ପଡ଼ିବ। ଭାବବାଚକ ଶବ୍ଦ ଆମକୁ ପୁରପଲ୍ଲୀରୁ କମ୍‌ ମିଳିବ, ଅଥଚ ବେଶୀ ମିଳିବ ଆଧୁଡ଼ିକ ଓ ଅତ୍ୟାଧୁନିକ ଗଣମାଧ୍ୟମରୁ, ଶିକ୍ଷାନୁଷ୍ଠାନରୁ, ପ୍ରୟୋଗଶାଳା, ଶିଳ୍ପକ୍ଷେତ୍ର ବା ପରୀକ୍ଷାଗାରରୁ। ତେବେ ବି ବହୁ ସ୍ଥଳରେ ଆମକୁ ହତାଶ ହେବାକୁ ପଡ଼ିବ, କାରଣ ସେସବୁ ଶବ୍ଦ ଏ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ତିଆରି ହୋଇନାହାନ୍ତି। କିଛି ବର୍ଷ ପୂର୍ବେ ଓଡ଼ିଆ ପାଠ୍ୟପୁସ୍ତକରେ କିଛି କିଛି ନୂତନ ଶବ୍ଦ ତିଆରି ହୋଇଥିଲା; ଯଥା- ତ୍ରିଭୁଜ, ଜ୍ୟା, ସରଳରେଖା, ତ୍ରିକୋଣମିତି, ଅମ୍ଳଜାନ, ପରମାଣୁ,ଭୂମଧ୍ୟସାଗର, ଜଳବାୟୁ, କାଣ୍ଡ, ବାୟବୀୟ ଚେର ଇତ୍ୟାଦି, ଯାହା ବର୍ତ୍ତମାନ ବୈଷୟିକ ବା ପାରିଭାଷିକ ଶବ୍ଦ ପରିବର୍ତ୍ତେ ସାଧାରଣ ହୋଇଯାଇଛି। ସେହି ପ୍ରକ୍ରିୟାକୁ ବର୍ତ୍ତମାନ ଆମକୁ ବାରମ୍ବାର ଆରମ୍ଭ କରିବାକୁ ପଡ଼ିବ ତଥା ନୂଆନୂଆ ବୈଷୟିକ ଓ ପାରିଭାଷିକ ଶବ୍ଦ ଅଭିଧାନର ପରିସରକୁ ଆଣିବାକୁ ପଡ଼ିବ, ତା’ହେଲେ ଏକବିଂଶ ଓ ଆଗାମୀ ଶତାବ୍ଦୀ ପାଇଁ ଗୋଟିଏ ପ୍ରାମାଣିକ ଅଭିଧାନ ସଂକଳନ କରାଯାଇପାରିବ।

ଅଭିଧାନରେ ଭାଷାର ସମ୍ଭାର ପଞ୍ଜୀକୃତ ହୋଇଥାଏ। ଓଡ଼ିଆ ଭାଷା ସମ୍ଭାରର ପ୍ରଥମ ପଞ୍ଜୀକରଣ ହୁଏ ସାରଳା ମହାଭାରତରେ। ଏହି ବିଶାଳ କୃତ ଓଡ଼ିଆ ଭାଷାର ପ୍ରାଚୀନତମ ଅଭିଧାନ। ସାରଳା ମହାଭାରତର ଶବ୍ଦସମ୍ଭାରକୁ ନେଇ ଏ ପର୍ଯ୍ୟନ୍ତ ଅଭିଧାନଟିଏ ସଂକଳନ ହୋଇ ପାରିନାହିଁ। ତା’ପୂର୍ବରୁ ଅବଶ୍ୟ ସାରଳା ମହାଭାରତର ଏକ ବିଜ୍ଞାନ ସମ୍ମତ ସଂସ୍କରଣ (ଶୁଦ୍ଧ ସଂସ୍କାରଣ ନୁହେଁ) ପ୍ରକାଶହେବା ବାଞ୍ଛନୀୟ। ଓଡ଼ିଆ ପ୍ରାଚୀନ ସାହିତ୍ୟର ବୈଜ୍ଞାନିକ ସଂପାଦନର ମାର୍ଗ ସ୍ବର୍ଗତ ଗବେଷକ କେଦାରନାଥ ମହାପାତ୍ର ଦେଖାଇ ଦେଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ଅନୁସୃତ ହୋଇନାହିଁ। ପ୍ରାଚୀନ ସାହିତ୍ୟରୁ ଭାଷା ବିଷୟକ ନିର୍ଭରଯୋଗ୍ୟ ତଥ୍ୟ ପାଇବାକୁ ହେଲେ ପ୍ରଥମେ ସାହିତ୍ୟ ବୈଜ୍ଞାନିକ ପ୍ରଣାଳୀରେ ସଂପାଦିତ ହେବା ଉଚିତ। ସାରଳା ମହାଭାରତ ଓଡ଼ିଆ ସାହିତ୍ୟର ଆଦି ସୃଷ୍ଟି ହେବା ସଙ୍ଗେସଙ୍ଗେ ଓଡ଼ିଆ ଭାଷାର ମଧ୍ୟ ପ୍ରଥମ ପଞ୍ଜୀକରଣ। ଏହାର ବିଶାଳତା ହେତୁ ସେତେବେଳର ଓଡ଼ିଆରେ ପ୍ରଚଳିତ ପ୍ରାୟ ସବୁ ଶବ୍ଦ ଏଥିରେ ବ୍ୟବହୃତ ହୋଇଥିବ। ଦ୍ବିତୀୟରେ, ସେ ଯୁଗରେ ସାହିତ୍ୟ ବ୍ୟତୀତ ଭାଷା ବିସ୍ତାରିତ ହେବାର ଅନ୍ୟ ମାଧ୍ୟମ ନଥିଲା ; କିନ୍ତୁ ସାରଳା ମହାଭାରତର ଭାଷାଭଣ୍ଡାରକୁ ଧରି ଏ ପର୍ଯ୍ୟନ୍ତ ବି ତତ୍କାଳୀନ ଓଡ଼ିଆଭାଷାର ଗୋଟିଏ ଅଭିଧାନ ପ୍ରସ୍ତୁତ କରାଯାଇ ପାରିନାହିଁ। ଏହା ହୋଇପାରିଲେ, ସାରଳା ଶବ୍ଦାବଳୀ ହେବ ଓଡ଼ିଆ ଭାଷାର ପ୍ରଥମ ଅଭିଧାନ ଓ ଓଡ଼ିଆଭାଷାର ଆଦିସ୍ବରୂପର ଏକ ବିଶ୍ବସ୍ତ ପ୍ରକାଶ। ସାରଳା ମହାଭାରତ ପରେ ଓଡ଼ିଆ ଭାଷାର ଦ୍ବିତୀୟ ଅଭିଧାନ ହେଲା ଭଞ୍ଜ ସାହିତ୍ୟ। ଭଞ୍ଜସାହିତ୍ୟ ମଧ୍ୟ ବିଶାଳ ଓ ମଧ୍ୟଯୁଗର ଓଡ଼ିଆ ଭାଷାର ଏକ ନିର୍ଭରଯୋଗ୍ୟ ଭଣ୍ଡାର। ଭଞ୍ଜ ସାହିତ୍ୟ ଯେହେତୁ ସାରଳା ମହାଭାରତ ପରି ଲୋକଙ୍କ କଥିତ ଭାଷାରେ ଲିଖିତ ହୋଇନାହିଁ ଓ ଭଞ୍ଜ ବହୁ ସଂସ୍କୃତ ଶବ୍ଦ ବ୍ୟବହାର କରିଛନ୍ତି, ଯାହାର ପ୍ରଚଳନ ଓଡ଼ିଆରେ ନାହିଁ। ତେଣୁ ଭଞ୍ଜ ସାହିତ୍ୟର ବୈଜ୍ଞାନିକ ପ୍ରଣାଳୀରେ ସଂପାଦନା ନିମିତ୍ତ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସାରଳା ଅଭିଧାନ ପରି ଭଞ୍ଜ ଅଭିଧାନ ମଧ୍ୟ ଅଦ୍ୟାବଧି ସଂକଳନ ହୋଇନାହିଁ। ଭଞ୍ଜ ସାହିତ୍ୟ ମଧ୍ୟଯୁଗୀୟ ଓଡ଼ିଆ ଭାଷାର ପ୍ରତିନିଧିତ୍ବ କରୁଥିଲେ ହେଁ ଭଞ୍ଜ ଅଭିଧାନ ସଂକଳନ ହୋଇ ପାରିନଥିବାରୁ ମଧ୍ୟଯୁଗୀୟ ଓଡ଼ିଆ ଭାଷାର ସ୍ବରୂପ ଅନୁଦ୍‌ଘାଟିତ। ପ୍ରଶ୍ନ ଉଠିଥାଏ, ସାରଳା ମହାଭାରତ ଓ ଭଞ୍ଜ ସାହିତ୍ୟକୁ ଆମେ ଯଦି ଅଭିଧାନର ଭୂମିକା ଓ ଆଖ୍ୟା ଦେଉଛୁ, ତା’ହେଲେ ଓଡ଼ିଆ ଭାଷାର ପରବର୍ତ୍ତୀ ସାହିତ୍ୟକୁ ଭାଷା ଅଭିଧାନର ଗୌରବ କାହିଁକି ଦିଆନଯିବ? ଏହାର ଉତ୍ତର ହେଉଛି ସାହିତ୍ୟର ବିଶାଳତା ଖାଲି ସେ ଗୌରବ ଦେଇନଥାଏ। ଓଡ଼ିଆ ଭାଷା ବିସ୍ଫୋରଣର ପରବର୍ତ୍ତୀ କାଳରେ ବହୁ ଲେଖକ ବିଶାଳ ସାହିତ୍ୟ ସୃଷ୍ଟି କରିଛନ୍ତି; କିନ୍ତୁ ସେତେବେଳକୁ ଭାଷା ଓ ସାହିତ୍ୟ ମଧ୍ୟରେ ସମ୍ବନ୍ଧ ବଦଳିଗଲାଣି। ଭାଷା ବିସ୍ଫୋରଣ ଫଳରେ ଭାଷା, ସାହିତ୍ୟର ସୀମାପାର ହୋଇ ବହୁ ଦିଗକୁ ଓ ବହୁ ଦୂରକୁ ଚାଲିଯାଇଛି। ବର୍ତ୍ତମାନ ଭାଷା ଏତେ ବଢ଼ିଯାଇଛି ଯେ, କୌଣସି ସାହିତ୍ୟ ତାକୁ ନିଜ ଭିତରେ ଧରିବାକୁ ସକ୍ଷମ। ବସ୍ତୁତଃ, ଭାଷା ବିସ୍ଫୋରଣ ପୂର୍ବରୁ ଭାଷା ଥିଲା ସାହିତ୍ୟର ଗୋଟିଏ ଅଙ୍ଗ; କିନ୍ତୁ ଭାଷା ବିସ୍ଫୋରଣ ପରେ ସାହିତ୍ୟ ହୋଇଯାଇଛି ଭାଷାର ଗୋଟିଏ ଅଙ୍ଗ। ତେଣୁ, ସାହିତ୍ୟକୁ ଆଉ ଭାଷାର ଅଭିଧାନ ସମ୍ମାନ ଦିଆଯାଇ ପାରିବ ନାହିଁ। ଭାଷା ଅନେକ ବଢ଼ିଯାଇଛି। ଭାଷାର ସମ୍ଭାର ସାହିତ୍ୟର ସମ୍ଭାରଠାରୁ ବହୁ ଗୁଣରେ ବ୍ୟାପକ, ବିସ୍ତୀର୍ଣ୍ଣ ଓ ବୈଚିତ୍ର୍ୟପୂର୍ଣ୍ଣ। ଏହି ଦୃଷ୍ଟିକୋଣରୁ କୌଣସି ଲେଖକ ବା କବିଙ୍କର କୃତିକୁ ଆଉ ଅଭିଧାନର ଗୌରବ ଦିଆଯାଇପାରିବ ନାହିଁ।

ଓଡ଼ିଆ ସାହିତ୍ୟରେ ରାଧାନାଥ ଯୁଗ ବେଳକୁ ଓଡ଼ିଆ ଭାଷାର ବିସ୍ଫୋରଣ ଆରମ୍ଭ ହୋଇଗଲାଣି। ମୁଦ୍ରାଯନ୍ତ୍ର ଓ ସମ୍ବାଦପତ୍ର, ପାଠ୍ୟପୁସ୍ତକ, ଅନୁବାଦ ପ୍ରଭୃତିର ପ୍ରଣୟନ ଦ୍ବାରା ଭାଷାର ପ୍ରସାରଣ ଓ ବ୍ୟବହାରରେ ଅଭୂତପୂର୍ବ ବିପ୍ଳବ ଆସିଛି। ଏହି ସମୟରେ ଓଡ଼ିଆ ଭାଷାର ଇଂରାଜୀ, ବଙ୍ଗଳା ଓ ଅନ୍ୟାନ୍ୟ ଭାଷାର ପ୍ରଭାବ ମଧ୍ୟ ପଡ଼ିଥିଲା। ବିଶ୍ବଯୁଦ୍ଧ, ଯନ୍ତ୍ରବିପ୍ଳବ, ଶିଳ୍ପବିପ୍ଳବ, ବିଦେଶୀ ଶାସନ, ପାଶ୍ଚାତ୍ୟ ଶିକ୍ଷା ଓ ସ୍ବାଧୀନତା ଆନ୍ଦୋଳନ ମଧ୍ୟ ଭାଷା ବିସ୍ଫୋରଣକୁ ନୂତନ ଇନ୍ଧନ ଯୋଗାଇଛନ୍ତି। ଏହି ସମୟରେ ହଜାରହଜାର ଶବ୍ଦ ଏକାଧିକ ମାଧ୍ୟମରେ ଓଡ଼ିଆ ଭାଷାରେ ପ୍ରବେଶ କରିଛି। ଭାଷାର ଆତ୍ମପ୍ରକାଶ ପାଇଁ ସାହିତ୍ୟ ଆଉ ଏକମାତ୍ର ମାଧ୍ୟମ ହୋଇ ରହିନାହିଁ। ବିଭିନ୍ନ ମାଧ୍ୟମ ଭିତରୁ ସାହିତ୍ୟ ଗୋଟିଏ ମାଧ୍ୟମ ହୋଇଛି। ତେଣୁ, ସାହିତ୍ୟକୁ ଭାଷାର ଅଭିଧାନ ଭାବେ ଦେଖିବା ଆଉ ସମ୍ଭବ ନୁହେଁ। କାରଣ ସାହିତ୍ୟ ବ୍ୟତୀତ ଅନ୍ୟ ସୂତ୍ରରୁ ଶବ୍ଦ, କଳ୍ପ ବା କନ୍‌ସେପ୍ଟ, ବ୍ୟାକରଣ ଆସି ଓଡ଼ିଆ ଭାଷାକୁ ଅଣନିଶ୍ବାସୀ କରି ପକାଉଛି। ସାହିତ୍ୟ ବାହାରେ ଏପରି ହଜାରହଜାର ଶବ୍ଦ ବ୍ୟବହୃତ ହେଉଛନ୍ତି, ଯାହାର କୌଣସି ପତ୍ତା ନାହିଁ ସାହିତ୍ୟରେ। ସାହିତ୍ୟକୁ ଅତିକ୍ରମ କରି ଭାଷା ବହୁତ ଆଗେଇଯାଇଛି। ସେ ଆଗେଇବାର ସୁଅ ବର୍ତ୍ତମାନ ସୁଦ୍ଧା ବନ୍ଦ ହୋଇନାହିଁ ଓ ଆଉ କେବେ ବନ୍ଦ ହେବ କି ନାହିଁ ସନ୍ଦେହଜନକ। ଦୁଇହଜାର ବର୍ଷ ତଳର ଗୋଟିଏ କଥିତ ଗାଉଁଲୀ, ଅଶିକ୍ଷିତ ସମାଜର ଭାଷା ସଂପ୍ରତି ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ଲାଭପୂର୍ବକ ପୃଥିବୀର ଅନ୍ୟତମ ଆଧୁନିକ ଭାଷାରେ ପରିଣତ ହେବାକୁ ଯାଉଛି। ଏହା କେବଳ ଭାଷା ବିସ୍ଫୋରଣ ଦ୍ବାରା ସମ୍ଭବ ହୋଇଛି।

ଓଡ଼ିଆ ଭାଷା ବିସ୍ଫୋରଣକୁ ଆଧାରକରି ଅଭିଧାନଟିଏ ସଙ୍କଳନ ହୋଇ ପାରିନାହିଁ। ପଣ୍ଡିତ ଗୋପୀନାଥ ନନ୍ଦଶର୍ମା ଓ ଗୋପାଳଚନ୍ଦ୍ର ପ୍ରହରାଜ ଓଡ଼ିଆ ଅଭିଧାନ କ୍ଷେତ୍ରରେ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିଯାଇଛନ୍ତି। ଇତିମଧ୍ୟରେ ଶହେ ବର୍ଷରୁ ଅଧିକ ସମୟ ଅତୀତ ହୋଇଗଲାଣି। ସେମାନଙ୍କ ପଦାଙ୍କ ଅନୁସରଣ କର ବହୁ ବ୍ୟକ୍ତି ବହୁ ଅଭିଧାନ ରଚନା କରିଛନ୍ତି; କିନ୍ତୁ ଅନେକ ଅଭିଧାନରେ ଭାଷା ବିସ୍ଫୋରଣର ପଞ୍ଜୀକରଣ ହୋଇପାରିନାହିଁ। ପୃଥିବୀର ଉନ୍ନତ ଭାଷାଗୁଡ଼ିକରେ ପ୍ରତିବର୍ଷ ନୂଆନୂଆ ଅଭିଧାନ ଛପା ହୋଇଥାଏ। ଗୋଟିଏ ଭାଷାରେ ବର୍ତ୍ତମାନ ଏତେ ଶବ୍ଦ ଆସି ମିଶୁଛନ୍ତି ଯାହା ଆଗେ ଶହଶହ ବର୍ଷରେ ବି ସମ୍ଭବ ହେଉନଥିଲା। ଆମ ଓଡ଼ିଆ ଭାଷାରେ ପ୍ରତିବର୍ଷ ଶହଶହ ଶବ୍ଦ ମିଶୁଥିଲେ ହେଁ ଅଭିଧାନକାରମାନେ ସେଗୁଡ଼ିକୁ ପଞ୍ଜୀକରଣ କରୁନାହାନ୍ତି। ନୂଆ ପ୍ରଚଳିତ ଶବ୍ଦ, ସେ ସାହିତ୍ୟରେ ହେଉ, ସମ୍ବାଦପତ୍ରରେ ହେଉ, ପ୍ରଶାସନରେ ହେଉ, ଗବେଷଣାରେ ହେଉ କି ବିଜ୍ଞାପନରେ ହେଉ, ଯଥାରୀତି ଅଭିଧାନକୁ ଆସୁନାହାନ୍ତି। ଲୋକେ ବୁଝୁନାହାନ୍ତି ଭାଷାବିସ୍ଫୋରଣ କ’ଣ? ସେଇ ଶବ୍ଦ ସବୁ ଅଭିଧାନ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚିଲେ, ଲୋକେ ବୁଝନ୍ତେ। ହଜାରହଜାର ନୂତନ ଶବ୍ଦ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇସାରିଥିଲେ ମଧ୍ୟ ଅଭିଧାନରେ ସ୍ଥାନିତ ହେଉନାହିଁ। ପଞ୍ଜୀକୃତ ନହେବା ଫଳରେ ସେହି ସବୁ ଶବ୍ଦ ଆମ ଭାଷାରେ ସ୍ଥାୟୀ ହେଉନାହିଁ ବା ଭାଷାବିଭବ ସ୍ବରୂପରେ ବିବେଚିତ ହେଉନାହିଁ। ଭାଷାକୁ ସେ ଶବ୍ଦ ଆସୁଛି, ବ୍ୟବହୃତ ହେଉଛି, ପୁଣି ଲୋକେ ସେଗୁଡ଼ିକୁ ପାସୋରି ଦେଉଛନ୍ତି। ସାଧାରଣ ଲୋକେ ଜାଣିପାରୁ ନାହାନ୍ତି ଯେ ଭାଷା ବିସ୍ଫୋରଣ ହେଉଛି ଭାଷା ଉପାଦାନର ପ୍ରଚଣ୍ଡ ଉତ୍ପାଦନ। ଏକ ଆଧୁନିକ ଭାଷା ଭାବେ ଓଡ଼ିଆ ଭାଷାରେ ସେହି ଉତ୍ପାଦନ ହେଉଛି; କିନ୍ତୁ ସେ ଉତ୍ପାଦନ ଯଥୋଚିତ ଭାବେ ଗଚ୍ଛିତ ହେଉନାହିଁ। ତେଣୁ ଭାଷା ଭଣ୍ଡାରର ଅଭିବୃଦ୍ଧି ହେଉନାହିଁ କି ଲୋକେ ସେଗୁଡ଼ିକ ଶିଖୁନାହାନ୍ତି। ସେହି କାରଣରୁ ଆମେ କହିବାକୁ ବାଧ୍ୟ ହେଉଛୁ ଯେ, ଓଡ଼ିଆ ଭାଷାର ଆଧୁନିକ ଅଭିଧାନ ଏଯାବତ୍‌ ସଙ୍କଳିତ ହୋଇନାହିଁ।

ଇଂରାଜୀ ଭାଷାର ପ୍ରସିଦ୍ଧ ଅଭିଧାନ ଅକ୍ସଫୋର୍ଡ ଇଂଲିଶ ଡିକ୍ସନାରୀ କିଛି ବର୍ଷ ପୂର୍ବେ ଏକବିଂଶ ଶତାବ୍ଦୀ ନିମିତ୍ତ ପ୍ରସ୍ତୁତି ଆରମ୍ଭ କରିଥିଲା। ବିଗତ ବର୍ଷ ଭିତରେ ଇଂରାଜୀ ଭାଷାରେ ବ୍ୟବହୃତ ହୋଇଥିବା ହଜାରହଜାର ନୂଆ ଶବ୍ଦ, ପଦ ଓ ବୈଷୟିକ ଶବ୍ଦକୁ ପ୍ରଥମଥର ପାଇଁ ଅଭିଧାନରେ ସ୍ଥାନିତ କରିବା ନିମିତ୍ତ ବିଶ୍ବର ପ୍ରତ୍ୟେକ ଇଂରାଜୀ ଭାଷୀ ଜନସମୁଦ୍ରକୁ ଅନୁରୋଧ କରାଗଲା। ୧୮୭୯ ମସିହାରେ ଏହି ଅଭିଧାନର ପ୍ରଥମ ସଂପାଦକ ଜେମ୍‌ସ ମରେ ଏହିପରି ଏକ ଅନୁରୋଧ ପତ୍ର ସମଗ୍ର ବିଶ୍ବବାସୀଙ୍କୁ ଜଣାଇଲେ। ଯାହାର ଉତ୍ତରରେ ପୃଥିବୀର କୋଣ ଅନୁକୋଣରୁ ପ୍ରାୟ ଚାରିଶହ ବ୍ୟକ୍ତି ଅଶୀହଜାର ଶବ୍ଦ ସଂଗ୍ରହଣ କେନ୍ଦ୍ରକୁ ପଠାଇଲେ। ବର୍ତ୍ତମାନ ମଧ୍ୟ ସେହି ପରମ୍ପରା ରକ୍ଷା ପୂର୍ବକ ଇଂରାଜୀଭାଷା ନିମିତ୍ତ ଶବ୍ଦ ସଂଗ୍ରହଣ ଚାଲିଛି ତଥା ଶବ୍ଦଗୁଡ଼ିକୁ ପରୀକ୍ଷାନିରୀକ୍ଷା ପରେ ବିଚାରଯୋଗ୍ୟ ଶବ୍ଦକୁ ଅଭିଧାନରେ ସ୍ଥାନିତ କରାଯାଉଛି। ଯେ ଯାହା ପାରିଲା ଶବ୍ଦ ପଠାଇଲେ ଅଭିଧାନ ସେସବୁ ଗ୍ରହଣ କରିବା ପାଇଁ ବାଧ୍ୟ ନୁହେଁ। ନୂତନ ଶବ୍ଦକୁୁ ଅଭିଧାନର ସୂଚିଭୁକ୍ତ କରାଇବା ସଂପାଦକଙ୍କର ଦାୟିତ୍ବ। ​‌େ​‌ଗାଟିଏ ଶବ୍ଦ କେବଳ ବ୍ୟବହୃତ ହେଲେ ଚଳିବ ନାହିଁ, ସେ ଶବ୍ଦର ଯେପରି ଯୋଗ୍ୟତା ଥାଏ ଭାଷାରେ ଚାଲିବା ପାଇଁ, ତାହା ଅବଶ୍ୟ ସଂପାଦକ ବିଚାର କରିଦେଖିବେ। ଅଭିଧାନ ଭାଷା ପାଇଁ ଗୋଟିଏ ପ୍ରାମାଣିକ ଗ୍ରନ୍ଥ, ତେଣୁ ଯେ କୌଣସି ଶବ୍ଦ ଏଥିରେ ସ୍ଥାନିତ କରିବା ଏକ ପ୍ରମାଦିକ ତଥା ଆତ୍ମଘାତୀ ନୀତି। ଅଭିଧାନ ଗଣାଭିମୁଖୀ ହେବା ଭଲ କଥା, ଯେପରି ବର୍ତ୍ତମାନ ଅକ୍ସଫୋର୍ଡ ଇଂଲିଶ ଡିକ୍ସିନାରୀ କରୁଛନ୍ତି; କିନ୍ତୁ ଅଭିଧାନରେ ସାଧାରଣ ଲୋକେ ଅଂଶଗ୍ରହଣ କରିବା ଉପରେ ଯଦି ସଂପାଦକୀୟ ଅଙ୍କୁଶ ନ ଲାଗେ, ତା’ହେଲେ ଏହାର ପ୍ରାମାଣିକତା ଭ୍ରଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ଓଡ଼ିଶାରେ ଯେତେ ଭିନ୍ନଭିନ୍ନ ପ୍ରକାରର ଶବ୍ଦ ଚଳିଲେ ହେଁ ବିକଳ୍ପ ବ୍ୟବହାର ଭିତରୁ ଗୋଟିଏ ଶବ୍ଦକୁ ଆମକୁ ବାଛିବାକୁ ପଡ଼ିବ, ଯାହାକୁ ଓଡ଼ିଆ ଭାଷାର ମାନକ ଶବ୍ଦ ସ୍ବୀକୃତି ମିଳିବ। ମନେରଖିବାକୁ ହେବ ଯେ, ଓଡ଼ିଆଭାଷୀଙ୍କ ଭିତରୁ ବହୁତ କମ୍‌ ଲୋକ ମାନକ ଓଡ଼ିଆ ଭାଷା ଜାଣନ୍ତି। ଏପରି କି ବହୁ କ୍ଷେତ୍ରରେ ଉଚ୍ଚଶିକ୍ଷିତ ଲୋକେ ବି ମାନକ ଭାଷାରେ ପାରଙ୍ଗମ ନୁହନ୍ତି। ଏହି ଦୁଇଟିଯାକ କ୍ଷେତ୍ର ପାଇଁ ଓଡ଼ିଆ ଅଭିଧାନ ଯଦି ଶିକ୍ଷକର ଭୂମିକା ଗ୍ରହଣକରେ, ତେବେ ଯାଇ ଆମେ ତାକୁ କହିବା ଗୋଟିଏ ‘ପ୍ରାମାଣିକ ଅଭିଧାନ’। ଏହି କାରଣରୁ ‘ପ୍ରାମାଣିକ ଅଭିଧାନ’ର ଅର୍ଥ ନୁହେଁ, ସବୁ ଆଞ୍ଚଳିକ ଶବ୍ଦର ଏକ ଗନ୍ତାଘର, ବରଂ ମାନକ ଭାଷାର ଏହା ଏକ ଗନ୍ତାଘର ହେବା ବିଧେୟ।

Comments are closed.