ବୃହତ୍‌ ଆନିକଟର ଆବଶ୍ୟକତା

ପ୍ରଭାତ ଦାଶ

୨୦୧୪-୨୦୧୫ରେ ମିଳିତ ଜାତିସଂଘ ତରଫରୁ ଭାରତର ବିଭିନ୍ନ ଅଞ୍ଚଳର ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ପରିବେଶ ଏବଂ ପରିସ୍ଥିତିର ଏକ ଅଧ୍ୟୟନ କରାଯାଇଥିଲା। ସେହି ଅଧ୍ୟୟନରୁ ଜଣା ପଡ଼ିଲା ଯେ ଭୁବନେଶ୍ବରର ଚତୁର୍ଦିଗରେ ମରୁଭୂମିର ଆଭାସ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଭୁବନେଶ୍ବରରେ ଜଳାଭାବ ଜନିତ ପରିସ୍ଥିତି ଏପରି ହେଲାଣି ଯେ ବର୍ଷା ସମୟ ବ୍ୟତୀତ ଅନ୍ୟ ସମୟରେ ମାଟି ଉପରୁ ୫ରୁ ୬ଫୁଟ୍‌ ତଳ ପର୍ଯ୍ୟନ୍ତ ଜଳୀୟ ଅଂଶ ଆଦୌ ନାହିଁ। ଫଳତଃ ବିଭିନ୍ନ ଅଞ୍ଚଳରେ ଲାଗୁଥିବା ଛୋଟଛୋଟ ବୃକ୍ଷଲତା ନିରନ୍ତର ଜଳ ସିଞ୍ଚନ ନହେଲେ ବଞ୍ଚି ରହିବାର ସମ୍ଭାବନା ବହୁ କ୍ଷୀଣ। ଏହି ଭୟଙ୍କର ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ଭୁବନେଶ୍ବରର ନିକଟବର୍ତ୍ତୀ ଅଞ୍ଚଳରେ ଏକ ବୃହତ୍‌ ଜଳଭଣ୍ଡାର ସୃଷ୍ଟି।

ବିଗତ ୨୦ରୁ ୩୦ବର୍ଷ ତଳେ ଭୁବନେଶ୍ବର ଏବଂ ତା’ର ଆଖପାଖ ଅଞ୍ଚଳରେ କୂଅମାନଙ୍କରେ ୮ରୁ ୧୦ ଫୁଟରୁ ଆରମ୍ଭ କରି ୧୫ରୁ ୨୦ଫୁଟ ତଳ ପର୍ଯ୍ୟନ୍ତ ଜଳ ପରିପୂର୍ଣ୍ଣ ରହୁଥିଲା। କିନ୍ତୁ ବର୍ତ୍ତମାନ ଭୁବନେଶ୍ବର ଏବଂ ତା’ର ଆଖପାଖ ଅଞ୍ଚଳରେ କୂଅମାନଙ୍କରେ ଜଳସ୍ତର ୫୦ ଫୁଟରୁ ତଳକୁ ଚାଲିଗଲାଣି। କାରଣ ଭୁବନେଶ୍ବର ନିକଟରେ ପ୍ରବାହିତ ହୋଇଥିବା କୁଆଖାଇ ନଦୀଟି ବର୍ତ୍ତମାନ ସଂପୂର୍ଣ୍ଣ ଶୁଷ୍କ। ସରକାର ପାଇପ ଦ୍ବାରା ନରାଜଠାରୁ ଭୁବନେଶ୍ବରକୁ ଜଳଯୋଗାଣ ବ୍ୟବସ୍ଥା କରିଛନ୍ତି। ଆଗକୁୁ ସାତକୋଶିଆ ଠାରୁ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ସରକାରୀ ସ୍ତରରେ ଚେଷ୍ଟା ଚାଲୁରହିଛି।

ପୂର୍ବରୁ କୁଆଖାଇ ଏବଂ ତା’ର ଶାଖା ନଦୀ ସବୁ ଚିରପ୍ରବାହିତ ଥିଲେ। ମାତ୍ର ବିଗତ ପ୍ରାୟ ୩୦ ବର୍ଷ ଭିତରେ ପରିସ୍ଥିତିର ସଂପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି। ଚିରସ୍ରୋତା କୁଆଖାଇ ସଂପୂର୍ଣ୍ଣ ଏକ ଶୁଖିଲା ବାଲି ଶଯ୍ୟାରେ ପରିଣତ ହୋଇଛି ଏବଂ ଫଳରେ କୁଆଖାଇ ନିକଟବର୍ତ୍ତୀ ଭୁବନେଶ୍ବରର ସମସ୍ତ ଅଞ୍ଚଳ ଏବଂ କୁଆଖାଇର ଉତ୍ତର ପାର୍ଶ୍ବରେ ଥିବା ସମସ୍ତ ଅଞ୍ଚଳ ମଧ୍ୟ ବହୁ ଭାବରେ ପ୍ରବାଭିତ ହୋଇ ନିରାଟ ଶୁଷ୍କ ଅଞ୍ଚଳରେ ପରିଣତ ହେଲାଣି। ଏ ପରିସ୍ଥିତିର ନିରାକରଣ ପାଇଁ ଏକ ମାତ୍ର ସମାଧାନ ହେଉଛି କୁଆଖାଇ ନଦୀରେ ଏକ ବୃହତ୍‌ ଜଳଭଣ୍ଡାର ସୃଷ୍ଟି।
୨୦୧୦ରୁ ଓଡ଼ିଶା ସରକାରଙ୍କ ପାଖରେ ଦୃଢ଼ ଭାବେ ଯାହା ଉପସ୍ଥାପନ କରାଯାଉଅଛି ତାହାହେଲା କୁଆଖାଇରେ ଏକ ବୃହତ୍‌ ଆନିକଟ ନିର୍ମାଣ କରାଯାଉ ଏବଂ ଏହା ସହିତ ନଦୀର ଧାରେଧାରେ ଦୃଢ଼ ଭାବେ ସୁଉଚ୍ଚ ବନ୍ଧ ଏବଂ ରାସ୍ତା ନିର୍ମାଣ କରିବା ଉଚିତ, ଯେପରି କି କୁଆଖାଇର ଜଳସ୍ତର ଯଥେଷ୍ଟ ଉପରେ ରହିବ ଏବଂ କୌଣସି ଅବସ୍ଥାରେ ଯେପରି ନଦୀଧାରରେ ଥିବା ବନ୍ଧରାସ୍ତାର କୌଣସି କ୍ଷତି ନହୁଏ। ଏହା ସହିତ କୁଆଖାଇକୁ ବର୍ତ୍ତମାନର ଶଯ୍ୟା ପତନରୁ ଆହୁରି ୩୦ରୁ ୩୫ଫୁଟ ପର୍ଯ୍ୟନ୍ତ ଖାଲି ନଦୀର ଶଯ୍ୟାକୁ ଏତେ ପରିମାଣରେ ଗଭୀର କରାଯିବା ଉଚିତ ଯେପରି କି ଯଥେଷ୍ଟ ଜଳ ସଂରକ୍ଷଣ କରାଯାଇ ପାରିବ ଏବଂ ଭୁବନେଶ୍ବର ନିକଟରେ ଏକ ବିରାଟ ଜଳଭଣ୍ଡାର ସୃଷ୍ଟି ହେବ। ଏହି ନଦୀ ସମ୍ମୁଖ ବା ଧାରରେ ଥିବା ରାସ୍ତା କୁଆଖାଇ ନଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ବିସ୍ତାରିତ ହେବା ଉଚିତ ଯାହାକି ଭୁବନେଶ୍ବରଠାରୁ ମାତ୍ର ୨୦ରୁ ୨୫ କିଲୋମିଟର ପର୍ଯ୍ୟନ୍ତ ଏବଂ ଏହି ବନ୍ଧ ରାସ୍ତା ନଦୀକୁ ସୁରକ୍ଷା ଦେବା ସହିତ ନଦୀର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ମଧ୍ୟ ଯଥେଷ୍ଟ ସୁଯୋଗ ଦେବ।

ଏହିଠାରେ ଗୁଜୁରାଟର ଅହମଦାବାଦ ଠାରେ ଥିବା ସାବରମତୀ ନଦୀ ବିଷୟରେ ଲେଖିବା ଉଚିତ ହେବ। ପ୍ରାୟ ୪୦ ବର୍ଷ ତଳେ ସାବରବତୀ ନଦୀ ଶଯ୍ୟା ଏକ ସଂପୂର୍ଣ୍ଣ ଶୁଷ୍କ ମରୁଅଞ୍ଚଳ ଭଳି ଲାଗୁଥିଲା; କିନ୍ତୁ ସାବରମତୀରେ ବୃହତ ବ୍ୟାରେଜ କରିବା ଫଳରେ ବର୍ତ୍ତମାନ ସାବରମତୀ ଏକ ପୂର୍ଣ୍ଣଗର୍ଭା ଚିରପ୍ରବାହିତ ନଦୀ। ସାବରମତୀର ଉଭୟ ପାର୍ଶ୍ବରେ ଦୃଢ଼ ଉଚ୍ଚ ବନ୍ଧ ଏବଂ ଚଉଡ଼ା ରାସ୍ତା ତିଆରି କରାଯାଇଛି। ଯାହା ଜାଣିବାକୁ ମିଳେ ସାବରମତୀକୁ ବହୁ ଗଭୀର ଖନନ କରାଯାଇଛି ଯାହାଦ୍ବାରା କି ସାବରମତୀ ଏକ ଗଭୀର ପୂର୍ଣ୍ଣଗର୍ଭା ନଦୀରେ ପରିଣତ ହୋଇଛି। ଫଳତଃ ପ୍ରତିଦିନ ଲକ୍ଷଲକ୍ଷ ସଂଖ୍ୟାରେ ପର୍ଯ୍ୟଟକ ସାବରମତୀର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ତା’ର କୂଳରେ ପହଞ୍ଚିଯାଉଛନ୍ତି ଏବଂ ଏହା ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି।

ସମାନ ଭାବେ କୁଆଖାଇ ନଦୀରେ ମଧ୍ୟ ବାଲିଅନ୍ତାଠାରେ ଏକ ବୃହତ୍‌ ଆନିକଟ ନିର୍ମାଣ କରାଯାଉ, ନଦୀର ଉଭୟ ପାର୍ଶ୍ବରେ କୂଳକୁ ଲାଗି ଦୃଢ଼ ବନ୍ଧ ଏବଂ ଚଉଡ଼ା ରାସ୍ତା ନିର୍ମାଣ କରାଯାଉ ତଥା କୁଆଖାଇକୁ ୩୦ରୁ ୩୫ ଫୁଟ ଖନନ କରାଯାଇ ଏହାକୁ ଏକ ପୂର୍ଣ୍ଣଗର୍ଭା ସୁବିଶାଳ ନଦୀରେ ପରିଣତ କରାଯାଉ। ମାତ୍ର ପରିତାପର ବିଷୟ ୨୦୨୧ ମସିହାରେ ହଠାତ୍‌ ଓଡ଼ିଶା ସରକାର ନିଷ୍ପତ୍ତି ନେଲେ ଯେ ବାଲିଅନ୍ତାଠାରେ ଗୋଟିଏ ବ୍ୟାରେଜ ନକରି ଅଳ୍ପ ତଳକୁ କୁଶଭଦ୍ରା ଏବଂ କୁଆଖାଇ ନଦୀରେ ୨ଟି ଆନିକଟ କରିବେ।

କୁଆଖାଇ ପାର୍ଶ୍ବବର୍ତ୍ତୀ ଅଞ୍ଚଳବାସୀ ଭାବିଥିଲେ ଯେ ସରକାର ଏକ ଉନ୍ନତ ଆଭିମୁଖ୍ୟ ନେଇ ୨ଟି ବୃହତ୍‌ ଆନିକଟର ପରିକଳ୍ପନା କରୁଛନ୍ତି ଯାହା ଦ୍ବାରା କୁଆଖାଇରେ ଯଥେଷ୍ଟ ଜଳ ସଂରକ୍ଷଣ ହେବା ସହିତ ତା’ର ଶାଖା ନଦୀମାନଙ୍କରେ ମଧ୍ୟ ଅନେକ ପରିମାଣରେ ଜଳ ସଂରକ୍ଷଣ ହୋଇପାରିବ। ଏହି ବର୍ଷର ପ୍ରାରମ୍ଭରେ କୁହାଗଲା ଯେ ଉଭୟ ନଦୀରେ ବୃହତ୍‌ ଆନିକଟ କରିବାଦ୍ବାରା ଗୋଟିଏ ଗୋଟିଏ ଆନିକଟରେ ପ୍ରାୟ ୧୫୦୦ କୋଟି ବା ତତୋଽଧିକ ଖର୍ଚ୍ଚ ହେବ ଏବଂ ଏହା ଦ୍ବାରା କୂଆଖାଇ ନଦୀ ତା’କ୍ର ମୂଳ ଉତ୍ସ ପର୍ଯ୍ୟନ୍ତ ଜଳ ପରିପୂର୍ଣ୍ଣ ହୋଇ ରହିବ। ବର୍ତ୍ତମାନ ଓଡ଼ିଶା ସରକାର ନିର୍ଦ୍ଧାରଣ କରିଛନ୍ତି ଯେ ଉଭୟ ନଦୀରେ ଛୋଟଛୋଟ ଆନିକଟ କରାଯିବ ଯାହାକୁ ଓଡ଼ିଶାର ସରକାରୀ କର୍ତ୍ତୃପକ୍ଷ ଇନଷ୍ଟିମ ଆନିକଟ ବା ଅନ୍ୟ ଭାଷାରେ ଚେକ ଡ୍ୟାମ କୁହାଯାଏ। ଏହି ଚେକ ଡ୍ୟାମ ହେବା ଦ୍ବାରା ପ୍ରତ୍ୟେକ ଚେକ ଡ୍ୟାମ୍‌ରେ ୧୦୦ରୁ ୧୫୦କୋଟିଟଙ୍କା ଭିତରେ ଖର୍ଚ୍ଚ ହେବ ଏବଂ ଆନିକଟ ପାଖରେ ଅତି ବେଶିରେ ୩ମିଟର ପର୍ଯ୍ୟନ୍ତ ଜଳ ସଂରକ୍ଷଣ ହୋଇପାରିବ। ଫଳରେ ସଂରକ୍ଷିତ ଜଳର ବିସ୍ତାର ଖୁବ୍‌ ବେଶିରେ ଆନିକଟଠାରୁ ୨ରୁ ୩ କିଲୋମିଟର ଭିତରେ ସୀମିତ ରହିବ। ଯାହା ଜଣାପଡ଼ୁଛି ସରକାରଙ୍କର ଏକମାତ୍ର ଲକ୍ଷ୍ୟ ଯେ ହଂସପାଳଠାରେ କୁଆଖାଇରେ ବାଲିବନ୍ଧ କରି ପଳାଶୁଣୀ ଜଳ ବିଶୁଦ୍ଧୀକରଣ ପ୍ରକଳ୍ପ ପାଇଁ ଯେଉଁ ଜଳ ଯାଉଥିଲା ସେହି ପ୍ରକଳ୍ପ ପାଇଁ ବିନା ବାଲି ବନ୍ଧରେ ଜଳଯୋଗାଣ। ଓଡ଼ିଶା ସରକାରଙ୍କର କୁଆଖାଇକୁ ନେଇ ଅନ୍ୟ ଆବଶ୍ୟକତା ପୂରଣ ନେଇ କୌଣସି ଲକ୍ଷ୍ୟ ନାହିଁ। ଯେପରି କି ଏକ ବୃହତ୍‌ ଆନିକଟ ଫଳରେ ନଦୀ ପୂର୍ଣ୍ଣଗର୍ଭା ହେବା ସହିତ ଜଳବାୟୁ ପରିବର୍ତ୍ତନର ଅନେକ ପ୍ରଭାବ ପଡ଼ିବ। ଭୂଗର୍ଭରେ ବର୍ତ୍ତମାନ ଶୁଖିଯାଇଥିବା ଜଳୀୟ ଅଂଶର ପୁନଃ ସଂରଚନା ଫଳରେ ମାଟିର ଉପର ସ୍ତରରେ ମଧ୍ୟ ଜଳୀୟ ଅଂଶ ଦେଖାଦେବ ଯାହାଫଳରେ ଭୁବନେଶ୍ବର ଏବଂ ତା’ର ଆଖପାଖ ଅଞ୍ଚଳରେ ଲାଗୁଥିବା ବହୁ ଛୋଟଛୋଟ ଗଛ ନିର୍ଦ୍ବନ୍ଦ୍ବରେ ନିର୍ବିଘ୍ନରେ ବିନା ଜଳ ସିଞ୍ଚନରେ ବଞ୍ଚିପାରିବ ଏବଂ ବୃଦ୍ଧି ଲାଭ କରିବ। ସମାନ ଭାବରେ କୂପମାନଙ୍କରେ ବହୁ ତଳକୁ ଚାଲିଯାଇଥିବା ଜଳସ୍ତର ସେମାନଙ୍କ ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରିଆସିବେ।

ଯାହାଫଳରେ ଭୁବନେଶ୍ବରରେ ଦେଖା ଦେଉଥିବା ମରୁଡ଼ିର ପଦଚିହ୍ନକୁ ଲିଭାଇ ଦିଆଯାଇପାରିବ। ଏହା ବ୍ୟତୀତ ଏକ ବୃହତ୍‌ ଜଳଭଣ୍ଡାର ଦ୍ବାରା ପର୍ଯ୍ୟଟନକୁ ମଧ୍ୟ ଯଥେଷ୍ଟ ପ୍ରୋତ୍ସାହନ ମିଳିବ ଏବଂ ପ୍ରତିଦିନ ହଜାରହଜାର ପର୍ଯ୍ୟଟକ ଏକ ବୃହତ୍‌ ଜଳଭଣ୍ଡାରର ଶୋଭା ଉପଲବ୍ଧି କରିବାକୁ ଜଳଭଣ୍ଡାର ନିକଟରେ ଏକାଠି ହେବେ। ଏହା ବ୍ୟତୀତ ବର୍ତ୍ତମାନ ଭୁବନେଶ୍ବର ନିକଟରେ ମତ୍ସ୍ୟ ଉତ୍ପାଦନର ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ଏକ ବିରାଟ ଜଳ ଭଣ୍ଡାର ସୃଷ୍ଟି ହେବା ଫଳରେ ମତ୍ସ୍ୟ ଉତ୍ପାଦନ ଯେ ହଜାର ଗୁଣ ବୃଦ୍ଧି ପାଇବ ଏଥିରେ କୌଣସି ସନ୍ଦେହ ନାହିଁ। ଫଳତଃ ଏହା ଅର୍ଥନୀତିକୁ ମଧ୍ୟ ଅନେକାଂଶରେ ସକାରାତ୍ମକ ଭାବେ ସାହାଯ୍ୟ କରିବ। ଏକ ବୃହତ୍‌ ଜଳ ଭଣ୍ଡାର ଜଳବାୟୁକୁ ମଧ୍ୟ ଯଥେଷ୍ଟ ପରିମାଣରେ ପ୍ରଭାବିତ କରିବ ଫଳତଃ ଭୁବନେଶ୍ବରର ଗ୍ରୀଷ୍ମ ପ୍ରଭାବ ଫଳରେ ଯେଉଁ ଉତ୍ତାପ ୪୫ ଡିଗ୍ରୀ ଟପିଯାଉଥିଲା ତାହା ନିଶ୍ଚିତ ଭାବେ ନିରାଟ ଗ୍ରୀଷ୍ମ ସମୟରେ ମଧ୍ୟ ୩୫ରୁ ୪୦ ଡିଗ୍ରୀ ଭିତରେ ହିଁ ରହିବ। ଏହା ବ୍ୟତୀତ ଏହି ବିରାଟ ଜଳ ଭଣ୍ଡାର ଭୁବନେଶ୍ବର ଉପରେ ଏକ ବିରାଟ ସୁଷମ ସକରାତ୍ମକକ ପ୍ରଭାବ ପକାଇବ ଏଥିରେ କୌଣସି ସନ୍ଦେହ ନାହିଁ। ଏହି ବୃହତ୍‌ ଜଳ ଭଣ୍ଡାର ଯେ ଆସନ୍ତା ୧୦୦ ବର୍ଷରୁ ୨୦୦ ବର୍ଷ ବା ତତୋଽଧିକ ସମୟ ଅକ୍ଷୁଣ୍ଣ ରହିବ ଏବଂ ଭୁବନେଶ୍ବରକୁ ଏକ ଅତି ଉତ୍ତମ ସହର ଭାବେ ପରିଗଣିତ ହେବାରେ ସାହାଯ୍ୟ କରିବ ଏଥିରେ କୌଣସୀ ସନ୍ଦେହ ନାହିଁ।

ଅତି ପରିତାପର ବିଷୟ ବର୍ତ୍ତମାନ ସରକାରୀ କର୍ତ୍ତୃପକ୍ଷ ଏକ ବୃହତ୍‌ ଜଳଭଣ୍ଡାର ବ୍ୟବସ୍ଥାରୁ ଆଣି ଏକ ଚେକ୍‌ଡ୍ୟାମ୍‌ରେ ପହଞ୍ଚାଇଲେଣି। ମହାନଦୀ ସମସ୍ୟା ବା ମାଲିମକଦ୍ଦମାକୁ ଆଳକରି ଯଦି ବୃହତ୍‌ ଜଳଭଣ୍ଡାର ବ୍ୟବସ୍ଥାକୁ ଆଣି ଏକ ଚେକ ଡ୍ୟାମରେ ପହଞ୍ଚାଇ ଦିଆଯାଏ ଏହାଠାରୁ ଲଜ୍ଜାଜନକ ବ୍ୟବସ୍ଥା ଆଉ କିଛି ହୋଇନପାରେ।

ଓଡ଼ିଶା ସରକାରଙ୍କୁ କୁଆଖାଇ ନଦୀ ନିକଟବର୍ତ୍ତୀ ଅଞ୍ଚଳବାସୀ ଜଣାଇ ଦେବାକୁ ଚାହାନ୍ତି ଯେ ସେମାନେ କୁଆଖାଇକୁ ଏକ ପୂର୍ଣ୍ଣଗର୍ଭା ବୃହତ୍‌ ଜଳଭଣ୍ଡାର ଆକାରରେ ଦେଖିବାକୁ ଚାହାନ୍ତି। ତା’ସହିତ ନଦୀର ଉଭୟ ପାର୍ଶ୍ବରେ ସୁଉଚ୍ଚ ଦୃଢ଼ ନଦୀବନ୍ଧ ହେବାର ନିହାତି ଆବଶ୍ୟକତା ଅଛି। ତା’ହେଲେ ବନ୍ୟା ସମୟରେ ନିଦୀର ଉଭୟ ପାର୍ଶ୍ବ ଆଦୌ କ୍ଷତିଗ୍ରସ୍ତ ନହୋଇ ସମସ୍ତ ଜଳ ନଦୀ ଭିତର ଦେଇ ପ୍ରବାହିତ ହୋଇପାରିବ। ନଦୀର ଅଭ୍ୟନ୍ତର ଶଯ୍ୟାକୁ ୩୦ରୁ ୩୫ ଫୁଟ ଖନନ କରି ଯଥେଷ୍ଟ ଜଳ ସଂରକ୍ଷଣ କରାଯିବା ଉଚିତ ଯେପରି କି ଆସନ୍ତା ଶହଶହ ବର୍ଷ ପର୍ଯ୍ୟନ୍ତ କୁଆଖାଇ ଏକ ଉନ୍ନତ ବୃହତ୍‌ ଜଳଭଣ୍ଡାର ଆକାରରେ ଭୁବନେଶ୍ବର ଏବଂ ଏହାର ଆଖାପାଖ ଅଞ୍ଚଳର ପ୍ରକୃତି ଏବଂ ପରିବେଶକୁ ଦୃଢ଼ ଭାବେ ସାହାଯ୍ୟ କରିଚାଲିଥିବ। ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଏହି ଅଳ୍ପ କେତେବର୍ଷ ଭିତରେ ଛତିଶଗଡ଼ ରାଜ୍ୟ ନିଜର ଦୃଢ଼ ନିଷ୍ପତ୍ତି ଫଳରେ ୫୧୬ଟି ବୃହତ୍‌ ଏବଂ ମଧ୍ୟମ ଧରଣର ଆନିକଟ କରିପାରିଛି ଯେଉଁ ଜାଗାରେ ଓଡ଼ିଶା ସରକାର କେବଳ ସମୟ ନଷ୍ଟ କରୁଛନ୍ତି। ଓଡ଼ିଶା ସରକାର ଛତିଶଗଡ଼ ସରକାରଙ୍କଠାରୁ କର୍ମପ୍ରବଣତା ଶିକ୍ଷାକରି କୁଆଖାଇ ଉପରେ ଏକ ବୃହତ୍‌ ଆନିକଟ ପାଇଁ ନିଷ୍ପତ୍ତି ନେବାକୁ ଅନୁରୋଧ। ଏହି ବୃହତ୍‌ ଆନିକଟ ଭୁବନେଶ୍ବରର ଅର୍ଥନୀତିକୁ ମଧ୍ୟ ଯଥେଷ୍ଟ ସକାରାତ୍ମକ ଭାବେ ପ୍ରଭାବିତ କରିବ ଏଥିରେ କୌଣସି ସନ୍ଦେହ ନାହିଁ।

Comments are closed.