ସଂଘୀୟ ବ୍ୟବସ୍ଥା ଓ ସମ୍ବିଧାନ

- ଗୋଧନେଶ୍ବର ହୋତା

ମାନବୀୟ ମୂଲ୍ୟବୋଧର ଭିତ୍ତିଭୂମିରେ ଜନ୍ମିତ ଆମ ସମ୍ବିଧାନ। ଏହା କେବଳ ମନୁଷ୍ୟତାକୁ ଶ୍ରଦ୍ଧା, ସମ୍ମାନ ଓ ମର୍ଯ୍ୟାଦାର ଶିକ୍ଷା ଦିଏ ନାହିଁ, ତା ସଙ୍ଗେସଙ୍ଗେ ଏହା ମଣିଷର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବିକାଶ କଥା କହେ; ମଣିଷମଣିଷ ମଧ୍ୟରେ ଭ୍ରାତୃଭାବ ଓ ବନ୍ଧୁତାର ଗାଥା ବଖାଣେ। ଏହା ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ପ୍ରତିଟି କ୍ଷେତ୍ରରେ ସମାନତା, ସ୍ୱାଧୀନତା ଓ ସ୍ୱତନ୍ତ୍ରତାର ନୀତି ପ୍ରଚାର କରେ ଏବଂ ଏହା ସମସ୍ତଙ୍କୁ ନ୍ୟାୟପ୍ରଦାନ ସୁନିଶ୍ଚିତ କରେ। ସ୍ୱାଧୀନତା ପରେ ଦେଖାଯାଉଛି ଯେ ଦେଶରେ ଯାହା ଅସମ୍ଭବ ମନେ ହେଉଥିଲା ତାହା ସମ୍ଭବ ହେଲା; କିନ୍ତୁ ଯାହା ଆପଣାଛାଏଁ ହୋଇଯିବ ବୋଲି ଆଶା କରାଯାଉଥିଲା ତାହା ହେଲା ନାହିଁ। ଦାରିଦ୍ର୍ୟ, ଅଶିକ୍ଷା, ଶୋଷଣ, ଦୁର୍ନୀତି, ଜାତିବାଦ, ସାମ୍ପ୍ରଦାୟିକତା, ଅନ୍ୟାୟ, ମହିଳା ଶିଶୁ ନିର୍ଯାତନା ଆମ ଦେଶରେ କେବଳ ରହିନାହିଁ, ଧୀରେଧୀରେ କାୟା ବିସ୍ତାର କରିଛି। ଆମେ ଯଦି ଏହାକୁ ହିଂସା କହିବା, ତେବେ ତାହା ସମ୍ଭବତଃ ଆଦୌ ଭୁଲ ହେବ ନାହିଁ। ଏହି ହିଂସା ଚିରସ୍ଥାୟୀ ହୋଇପାରିଛି, କାରଣ ଆମ ସମାଜର ତହିଁରେ ସମ୍ମତି ରହିଛି। ସମାଜ ଏସବୁ ବିଷୟରେ ନିରବ ରହୁଛି ଅଥବା ଉପେକ୍ଷା କରୁଛି, ତା’ମାନେ ତହିଁରେ ସମାଜର ଖୋଲା ଅଥବା ମୌନ ସମ୍ମତି ରହିଛି। ଆଜି ନୈତିକତା ଓ ଶାଳୀନତାର ଅବକ୍ଷୟମୁଖୀ ଆମର ଦେଶ।

ଆମ ଦେଶର ଭୌଗୋଳିକ ବିଶାଳତା ଓ ଜୀବନ ଜିଇବାର ଶୈଳୀ ଓ ସଂସ୍କୃତିରେ ବିଭିନ୍ନତାକୁ ଦୃଷ୍ଟିରେ ରଖି ଏକ ଶକ୍ତିଶାଳୀ କେନ୍ଦ୍ର ଗଠନ ସଙ୍ଗେସଙ୍ଗେ ରାଜ୍ୟଗୁଡ଼ିକ ଯେପରି ପ୍ରତିଟି କ୍ଷେତ୍ରରେ ଆତ୍ମନିର୍ଭର ହୋଇ କେନ୍ଦ୍ରକୁ ଅଧିକ ଶକ୍ତିଶାଳୀ କରିବାରେ ନିଜ ଭାଗର ଦାୟିତ୍ୱ ତୁଲାଇପାରିବେ ସେଥିପାଇଁ ଆମ ସମ୍ବିଧାନ ପ୍ରଣେତାମାନେ ତାଙ୍କ ବିଜ୍ଞତା ଓ ଦୂରଦର୍ଶିତାର ପରିଚୟ ଦେଇ ସମ୍ବିଧାନ ପ୍ରଣୟନ କରିଛନ୍ତି। ତେବେ ପ୍ରଥମେ ଦେଶ ଓ ପରେ ପ୍ରଦେଶ ନୀତିରେ ଆମ ସମ୍ବିଧାନରେ ଅସାଧାରଣ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରକୁ ରାଜ୍ୟଗୁଡ଼ିକର ସାମ୍ବିଧାନିକ ଅଧିକାର ଉପରେ ଅଙ୍କୁଶ ରଖିବାର କ୍ଷମତା ପ୍ରଦାନ କରାଯାଇଛି ଯାହାକି ଭିନ୍ନତାଭରା ଆମ ଦେଶ ପାଇଁ ନିହାତି ଜରୁରୀ। ସମ୍ବିଧାନର ମୂଳ ଲକ୍ଷ୍ୟ ଥିଲା ଭାରତକୁ ଏକ ସୁଯୋଗ ଓ ସମ୍ଭାବନାର ଦେଶ ଭାବେ ଗଢ଼ିବାକୁ; କିନ୍ତୁ ଦେଶ ଆଜି ସୁବିଧାବାଦୀଙ୍କ ଦେଶ ହେବାକୁ ବସିଲାଣି। ସ୍ୱାଧୀନତାର ୭୩ ବର୍ଷର ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ଚାଲୁଥିବା ଆମ ଦେଶକୁ ସମୀକ୍ଷା କଲେ ଦେଖାଯାଏ ଯେ ସମ୍ବିଧାନର ବିଭିନ୍ନ ମୌଳିକ ନୀତିଗୁଡ଼ିକୁ ପାଣିରେ ଫିଙ୍ଗି ଦିଆଯାଇଛି। ମାନବୀୟ ମୂଲ୍ୟବୋଧ ଓ ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନ ଦିନକୁ ଦିନ ପତନୋନ୍ମୁମୁଖୀ ହେଉଥିବା ବେଳେ ରାଜ୍ୟଗୁଡ଼ିକର କ୍ଷମତାଗୁଡ଼ିକୁ ସମ୍ବିଧାନର ଅଯୌକ୍ତିକ ଓ କେନ୍ଦ୍ରକୁ ସୁହାଇବା ପରି ବ୍ୟାଖ୍ୟା କରି ସଙ୍କୁଚିତ କରାଯାଉଛି। ଫଳରେ ରାଜ୍ୟଗୁଡ଼ିକ ସମ୍ବିଧାନରେ ଉଦ୍ଦିଷ୍ଟ ପ୍ରଗତି କରିପାରୁନାହାନ୍ତି ଓ ବିକାଶ କ୍ଷେତ୍ରରେ ଆଞ୍ଚଳିକ ସନ୍ତୁଳନ ରହିପାରୁନାହିଁ।

ଆମ ସମ୍ବିଧାନର ଅନୁଚ୍ଛେଦ ୧ ମତେ ଭାରତ ରାଜ୍ୟଗୁଡ଼ିକର ଏକ ସଂଘ ଦେଶ ହେବ। ସମ୍ବିଧାନର ବ୍ୟବସ୍ଥା ମତେ ସାଧାରଣ ପରିସ୍ଥିତିରେ ସଂଘର ଭାଗୀଦାର ରାଜ୍ୟଗୁଡ଼ିକ ରାଜ୍ୟ ତାଲିକାରେ ବିନିର୍ଦ୍ଦିଷ୍ଟ ବିଷୟଗୁଡ଼ିକ ଉପରେ ନିଜେ ନିଷ୍ପତ୍ତି ନେଇ ପ୍ରଗତି କରିବେ। ସାଧାରଣ ସମୟରେ ରାଜ୍ୟଗୁଡ଼ିକର ସ୍ୱତନ୍ତ୍ରତା ଓ ସ୍ୱତନ୍ତ୍ର ପରିଚୟ ଆମ୍ଭର ସମ୍ବିଧାନ ଦେଇଛି, କେନ୍ଦ୍ର ସରକାର ନୁହେଁ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ବିଧାନରେ ‘‘ସଂଘ’’ର ଉଲ୍ଲେଖ ରହିଛି ‘‘କେନ୍ଦ୍ର’’ର ନୁହେଁ। କେନ୍ଦ୍ର ବିଷୟରେ କୌଣସି ଉଲ୍ଲେଖ ନ ଥିବା ସତ୍ତ୍ବେ ସାଧାରଣ ଭାବେ କୁହାଯାଉଥିବା ଆତ୍ମଘୋଷିତ ‘‘କେନ୍ଦ୍ର’’ର ରାଜ୍ୟଗୁଡ଼ିକ ଉପରେ ଆସ୍ୱାଭାବିକ ଆଧିପତ୍ୟ ଆମ ସାମ୍ବିଧାନିକ ପରିକଳ୍ପନା ଓ ସ୍ୱତନ୍ତ୍ରତାର ଅନୁରୂପ ନୁହେଁ। ନଦୀର ପ୍ରବାହ ସାଗରରେ ମିଶିବା ପାଇଁ, କିନ୍ତୁ ସାଗର କୂଳ ଲଂଘି ମାନବ ସମାଜ ପାଇଁ ଦୁଃଖ କଷଣର କାରଣ ନହେଉ। ସମ୍ବିଧାନରେ ଭାରତରେ ଏପରି ଏକ ସଂଘୀୟ ସରକାର (ସାଧାରଣ ଭାବେ କେନ୍ଦ୍ର ସରକାର ଭାବେ ବିଦିତ) ଗଠନର ପରିକଳ୍ପନା କରାଯାଇଛି ଯାହାର ଦାୟିତ୍ୱର କୌଣସି ସୀମା ରହିବ ନାହିଁ; କିନ୍ତୁ ସର୍ବଦା ଆଇନର ଶାସନର ସୀମା ରହିବ, ସାମ୍ବିଧାନିକ ଶୃଙ୍ଖଳା ଓ ନମ୍ରତାର ସୀମା ରହିବ ଏବଂ ଦେଶବାସୀଙ୍କୁ ସୁହାଉନଥିବା କୌଣସି ଆଇନ ପ୍ରଣୟନ ନ କରିବାର ସୀମା ରହିବ। ଆମ ସମ୍ବିଧାନର ବ୍ୟବସ୍ଥାମତେ ଦେଶରେ ମାନବୀୟ ମର୍ଯ୍ୟାଦା ଓ ମୂଲ୍ୟବୋଧ କେବେ ବି ସ୍ଥାଣୁ ରହିବ ନାହିଁ; କିନ୍ତୁ ସର୍ବଦା ସ୍ଥିର ରହିବ, କେବେ ବି ନଷ୍ଟ ନ ହୋଇ ସର୍ବଦା ବିକଶିତ ହେବ।

ଯେଉଁ କେତୋଟି ବିଷୟରେ ରାଜ୍ୟଗୁଡ଼ିକର ପ୍ରାୟତଃ କେନ୍ଦ୍ର ଉପରେ ଅସନ୍ତୋଷ ରହୁଛି ତହିଁରୁ ସବା ଆଗରେ ରହିଛି କେନ୍ଦ୍ର ଅସୁଲ କରୁଥିବା କର ଓ ରାଜସ୍ୱରୁ ରାଜ୍ୟଗୁଡ଼ିକୁ ସେମାନଙ୍କ ନ୍ୟାୟୋଚିତ ହକ୍‍ ବଣ୍ଟନରେ ଅବ୍ୟବସ୍ଥା ଓ ପାତରଅନ୍ତର ନୀତି। ସମ୍ବିଧାନର ବ୍ୟବସ୍ଥାମତେ କେନ୍ଦ୍ର ରାଜ୍ୟଗୁଡ଼ିକୁ ସମ୍ପ୍ରତି ଦୁଇ ପ୍ରକାରର ଅନୁଦାନ ଦିଅନ୍ତି, ଯଥା ଅନୁଚ୍ଛେଦ ୨୭୫ ଅନୁଯାୟୀ ଅର୍ଥ କମିଶନଙ୍କ ସୁପାରିସ ମତେ ରାଜ୍ୟଗୁଡ଼ିକୁ ସହାୟକ ଅନୁଦାନ ଓ ଅନୁଚ୍ଛେଦ ୨୮୨ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଉଥିବା ଅଣକାନୁନୀ/ଇଚ୍ଛାଧୀନ ଅନୁଦାନ। ତେବେ ଦେଖାଯାଉଛି ଯେ କେନ୍ଦ୍ର ରାଜନୈତିକ ଉଦ୍ଦେଶ୍ୟରେ, ରାଜ୍ୟଗୁଡ଼ିକ ପ୍ରତି ପାତରଅନ୍ତର ନୀତି ଆପଣାଉଥିବା ଯୋଗୁଁ ରାଜ୍ୟଗୁଡ଼ିକ ଅସନ୍ତୋଷ ଓ କ୍ଷୁବ୍ଧ ହେଉଛନ୍ତି। ରାଜ୍ୟଗୁଡ଼ିକର ଅଭିଯୋଗ ହେଲା କେନ୍ଦ୍ରରେ ଯେଉଁ ଦଳର ସରକାର ଗଠିତ ହେଉଛି, ସେମାନେ ତାଙ୍କ ଦଳର ସରକାର ଯେଉଁଯେଉଁ ରାଜ୍ୟରେ ରହିଛି ସେହି ରାଜ୍ୟଗୁଡ଼ିକ ପ୍ରତି ମାତ୍ରାଧିକ ଅନୁକମ୍ପା ପ୍ରଦର୍ଶନ କରୁଥିବା ବେଳେ ବିକାଶରେ ପଛୁଆ ରହି ଯାଇଥିବା ରାଜ୍ୟଗୁଡ଼ିକୁ ବିକାଶ ପଥରେ ଆଗେଇ ଯିବା ପାଇଁ ଯେଉଁ ପରିମାଣର ଅନୁଦାନ ଦେବା ନିହାତି ଜରୁରୀ ତାହା ଦିଆଯାଉନାହିଁ।

ରାଜ୍ୟଗୁଡ଼ିକ ସହିତ କେନ୍ଦ୍ରର ସମ୍ପର୍କ ରକ୍ଷାବେଳେ ଯେ ପର୍ଯ୍ୟନ୍ତ ଦଳୀୟ ସ୍ୱାର୍ଥରୁ ଊର୍ଦ୍ଧ୍ବରେ ରହିବାର ପରମ୍ପରା ସୃଷ୍ଟି ନହୋଇଛି ସେ ପର୍ଯ୍ୟନ୍ତ ଆମ ଦେଶରେ ସଂଘୀୟ ସରକାର ଫଳପ୍ରଦ ଭାବେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ସଂଘବାଦରେ ଅହେତୁକ ଆକ୍ରମଣ ହେଉଛି। ଏହା ସମ୍ବିଧାନର କଦାପି ଉଦ୍ଦେଶ୍ୟ ନ ଥିଲା ଯେ କେନ୍ଦ୍ରର ଇଚ୍ଛାଧୀନ ବଦାନ୍ୟତା ଲାଭ କରିବା ପାଇଁ ଅନୁନୟ ବିନୟ ହେବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଧାରାବାହିକ ଭାବେ ତୀର୍ଥାଟନରେ ଗଲାପରି ନୂଆଦିଲ୍ଲୀ ଯିବାକୁ ପଡିବ। ନିଜ ଅଧିକାର ପାଇବା ପାଇଁ କି ଅସହାୟ ସଂଘୀୟ ବ୍ୟବସ୍ଥାରେ ଅଂଶୀଦାର ଏହି ରାଜ୍ୟଗୁଡ଼ିକ! ଅସାଧାରଣ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ କେନ୍ଦ୍ରକୁ ସମ୍ବିଧାନ ଅଧିକ କ୍ଷମତା ପ୍ରଦାନ କରିଛି ସତ; କିନ୍ତୁ ସେହି କ୍ଷମତାଗୁଡ଼ିକୁ ଅତି ମାମୁଲି ଓ ଖାମଖିଆଲି ଭାବେ କେନ୍ଦ୍ର ପ୍ରୟୋଗ କରୁଥିବା କାରଣରୁ ରାଜ୍ୟଗୁଡ଼ିକର ଅର୍ଥନୈତିକ, ରାଜନୈତିକ ଓ ସାମ୍ବିଧାନିକ ଅଗ୍ରଗତିରେ ବାଧା ସୃଷ୍ଟି ହେବା ସଙ୍ଗେସଙ୍ଗେ ରାଜ୍ୟଗୁଡ଼ିକର ସାମ୍ବିଧାନିକ ସ୍ୱାଭିମାନ କ୍ଷୁଣ୍ଣ ହେଉଛି। କେନ୍ଦ୍ର କିଛି ନ ଭାବି ନ ଚିନ୍ତି ସାମ୍ବିଧାନିକ ଆଳ ଦେଖାଇ ସମ୍ବିଧାନରେ ଯାହା ଅକ୍ଷରରେ ଲେଖାଯାଇଛି ତାହା ପାଳନ କରୁଛନ୍ତି ସତ; କିନ୍ତୁ ଯେଉଁ ଭାବନା ନେଇ ତାହା ଲେଖାଯାଇଛି ସେହି ଭାବନାକୁ ଉପଯୁକ୍ତ ସମ୍ମାନ ଦେବା କେନ୍ଦ୍ରର ଯେ ଏକ ସାମ୍ବିଧାନିକ କର୍ତ୍ତବ୍ୟ ତାହା ସମ୍ଭବତଃ ଭୁଲିଯାଉଛନ୍ତି।

ଆମ ସମ୍ବିଧାନ ଅଥବା କୌଣସି ଆଇନକାନୁନ ଗଣିତ ନୁହେଁ ଯେ ସଦାସର୍ବଦା ଦୁଇରେ ଦୁଇ ମିଶାଇଲେ ମିଶାଣଫଳ ଚାରି ହେବ। ଅପରପକ୍ଷେ ସମ୍ବିଧାନ ଏକ ଜୀବନଦର୍ଶନ, ଯାହାର ମିଶାଣଫଳ ଜୀବନର ଭିନ୍ନଭିନ୍ନ ପର୍ଯ୍ୟାୟରେ, ପରିସ୍ଥିତିରେ ଭିନ୍ନଭିନ୍ନ ହୋଇପାରେ। ବିଡମ୍ବନା, କେନ୍ଦ୍ର ନିଜ କ୍ଷମତା ବିଷୟରେ ଯେତିକି ସଚେତନ ରାଜ୍ୟଗୁଡ଼ିକର ଅଧିକାର ପ୍ରତି ସେତିକି ଉଦାସୀନ। ସେଦିନ ଆସିବ ଯେତେବେଳେ ରାଜ୍ୟଗୁଡ଼ିକ ସଂଘର ସମ୍ବିଧାନ ବିରୁଦ୍ଧ ଦମନ ଓ ବଶବର୍ତ୍ତୀକରଣ ଆଭିମୁଖ୍ୟକୁ ପ୍ରତ୍ୟାଖ୍ୟାନ କରି ସମ୍ବିଧାନରେ ବିହିତ ସେମାନଙ୍କ ନ୍ୟାଯ୍ୟ ମର୍ଯ୍ୟାଦା ଦାବି କରିବାକୁ ଜାଗ୍ରତ ହେବେ।

ସମ୍ବିଧାନକୁ ଅସମ୍ମାନଜନକ ଭାବେ ପ୍ରୟୋଗ ଦ୍ୱାରା ଅଳ୍ପ କିଛି ନିହିତ ସ୍ୱାର୍ଥ ସାଧିତ ହେବ ସିନା, ଭାରତର ଜନଗଣଙ୍କ ସାମଗ୍ରିକ ହିତ ସାଧନ କଦାପି ହୋଇପାରିବ ନାହିଁ। ସାଧାରଣ ଜନତାଙ୍କ ସଚେତନତାର ଅଭାବ, ରାଜନୈତିକ ସ୍ୱାର୍ଥସର୍ବସ୍ୱତା ଏବଂ ସମାଜର ପ୍ରତିଷ୍ଠିତ ବିଦ୍ୱାନ ଓ ବୁଦ୍ଧିଜୀବୀଙ୍କ ଉଦାସୀନତା ଯୋଗୁଁ ସମ୍ବିଧାନର ମୌଳିକ ଆଦର୍ଶ ବିନଷ୍ଟପ୍ରାୟ। ଦେଶ ପ୍ରଶାସନଭାର ସମ୍ପୂର୍ଣ୍ଣ ରୂପେ ରାଜନୈତିକ ନେତୃବୃନ୍ଦଙ୍କ ହାତରେ ସମର୍ପି ଦେଇଥିବା ଯୋଗୁଁ ଆମ ଦେଶକୁ ଆଜି ବହୁମୂଲ୍ୟ ଦେବାକୁ ପଡୁଛି। କେବଳ ମନ୍ତ୍ରୀ ବା ଅମଲାତନ୍ତ୍ର ଦ୍ୱାରା ଏ ଦେଶ କଦାପି ଆଗକୁ ବଢ଼ିପାରିବ ନାହିଁ ବା ଅବକ୍ଷୟରୁ ବର୍ତ୍ତିପାରିବ ନାହିଁ। ଦେଶପାଇଁ ନୀତିନିୟମ ପ୍ରଣୟନ ଓ କାର୍ଯ୍ୟାନ୍ୱୟନରେ ସାଧାରଣ ଜନତା ସକ୍ରିୟ ଅଂଶଗ୍ରହଣ କରିବା ନିହାତି ଆବଶ୍ୟକ। ସରକାର ଓ ଜନତାଙ୍କ ପରସ୍ପର ସହିତ ସାମ୍ବିଧାନିକ ନିର୍ଭରଶୀଳତା ଆଧାରରେ ଦେଶ ଚଳାଇବା ଆବଶ୍ୟକ। ଏ ଦେଶର ସୁରକ୍ଷାଭାର ଜନସାଧାରଣ ଯଦି ନିଜ ହାତରେ ରଖିବେ ତେବେ ଦେଶ ସର୍ବଦା ସୁରକ୍ଷିତ ହୋଇରହିବ; କିନ୍ତୁ ନିଜ ହାତରୁ ଯଦି ଅନ୍ୟ କାହା ହାତକୁ ଟେକି ଦେବେ ତେବେ ଏ ଦେଶକୁ କେହି ବି ରକ୍ଷା କରିପାରିବେ ନାହିଁ।

Comments are closed.