ବସୁଧୈବ କୁଟୁମ୍ବକଂ ବାସ୍ତବତା

ଅଶୋକ

ଅୟଂ ନିଜଃ ପରୋବେତି ଗଣନା ଲଘୁଚେତସାଂ।
ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକଂ।।

ପଞ୍ଚତନ୍ତ୍ର ଓ ହିତୋପଦେଶରେ ସ୍ଥାନିତ ଏହି ଶ୍ଳୋକଟି ଭାରତବର୍ଷରେ ଅତୀବ ଲୋକପ୍ରିୟ ଲୋକଗଳ୍ପମାଳା ସିଂହାସନବତ୍ରିଶିରେ ବି ଦେଖିବାକୁ ମିଳେ, ଯାହା ଦ୍ବାତ୍ରିଂଶତ-ପୁତ୍ତଳିକା-ସିଂହାସନମ୍‌ ବା ବିକ୍ରମ ଚରିତ ନାମରେ ମଧ୍ୟ ପ୍ରସିଦ୍ଧ। ଅବଶ୍ୟ ଏଥିରେ ଏହାର କେତେକ ଶବ୍ଦ ଭିନ୍ନ ଥିବାବେଳେ ସକାରାତ୍ମକ ଅର୍ଥରେ ବ୍ୟବହୃତ। ପ୍ରାଚୀନ ଧାରାବତୀ ନଗରୀ (ଜଗନ୍ନାଥ ସିଂହଙ୍କ ଓଡ଼ିଆ ‘ବତ୍ରିଶ ସିଂହାସନ’ରେ ଏହାର ନାମ ଉଳ ନଗ୍ର ଭାବେ ବର୍ଣ୍ଣିତ)ର ସମ୍ରାଟ ଭୋଜଦେବ ପରମାର ଐତିହାସିକ ଚରିତ୍ର ହେଲେ ହେଁ ତାଙ୍କ କଥନିକା ଓ ସ୍ମୃତି ଗ୍ରାମ୍ୟଗୀତି, ସହରୀ ପ୍ରବାଦ, ଥଟ୍ଟାପରିହାସ ଓ ସର୍ବୋପରି ଲୋକଗଳ୍ପ ମଧ୍ୟରେ ହଜାରହଜାର ବର୍ଷ ଧରି ଭାରତୀୟ ଜନମାନସରେ ଜୀବିତ ରହିଚି। ଏସବୁ ଆନୁମାନିକ ଏକାଦଶ ଖ୍ରୀଷ୍ଟାବ୍ଦରେ ରାଜା ଭୋଜଙ୍କ ସମୟରେ ରଚନା କରାଯାଇଥିଲା ଏବଂ ଇତିହାସ ଅନୁସାରେ ୧୩୦୫ ମସିହା ବେଳକୁ ସୁଦୂର ମଙ୍ଗୋଲିଆ ବାଟ ଦେଇ ରୁଷିଆ ଓ ଜର୍ମାନୀରେ ପହଞ୍ଚିଥିବା ପ୍ରମାଣ ମିଳେ। ଏପରି କି ମଙ୍ଗୋଲୀୟ ଲୋକକଥାରେ ‘ଅର୍ଜି ବୁଜି’ ନାମକ ଯେଉଁ ଚରିତ୍ର ରହିଛି, ତାହା ‘ରାଜା ଭୋଜ’ ବୋଲି କୁହାଯାଏ। ସେହିପରି ବିଶ୍ବପ୍ରସିଦ୍ଧ ଗ୍ରୀମ୍‌ସ କାହାଣୀମାଳାରେ ରହିଥିବା ଗୋଟିଏ ଗଳ୍ପ ମଧ୍ୟ ବିକ୍ରମ ଚରିତ ପ୍ରେରଣାରେ ରଚିତ ହୋଇଥିବା ସ୍ପଷ୍ଟ।

ବିକ୍ରମ ଚରିତରେ ବସୁଧୈବ କୁଟୁମ୍ବକଂ ପରିପ୍ରେକ୍ଷକୁ ବୁଝିବାକୁ ହେଲେ ଏହାର ମୂଳ କାହାଣୀର ଉପୋଦ୍‌ଘାତକୁ ଜାଣିବା ଜରୁରୀ। ତାହା ସଂକ୍ଷେପରେ ଏହିପରି: ଘଟନାକ୍ରମରେ ଦିନେ ସମ୍ରାଟ ବିକ୍ରମାଦିତ୍ୟ/ବିକ୍ରମାର୍କଙ୍କର ଏକ ସିଂହାସନରେ ଉପବେଶନ କରିବାକୁ ଗଲାବେଳେ ସେଥିରେ ଖଚିତ ବତିଶିଟି ପୁତ୍ତଳି/ପୁତ୍ତଳିକା ରାଜା ଭୋଜଙ୍କୁ ବିକ୍ରମାଦିତ୍ୟଙ୍କ କୀର୍ତ୍ତି ଓ ମହାନତା ସମ୍ବନ୍ଧରେ ବର୍ଣ୍ଣନା କରିବାକୁ ଯାଇ ପ୍ରତ୍ୟେକେ ଗୋଟିଏ ଗୋଟିଏ କାହାଣୀ କହନ୍ତି ଏବଂ ତାଙ୍କ ପରି ହୋଇପାରିଲେ ଯାଇ ସେହି ସିଂହାସନରେ ସେ ବସିପାରିବେ ବୋଲି ତାଙ୍କୁ ଚେତାଇ ଦିଅନ୍ତି। ଏଇଠାରୁ ହିଁ ବତିଶି ପୁତ୍ତଳିକାଙ୍କ କାହାଣୀ ଆରମ୍ଭ ହୁଏ। ବିକ୍ରମ ଚରିତ ଭାରତର ପ୍ରାୟ ସମସ୍ତ ଭାଷାରେ ଉପଲବ୍ଧ ଥିଲେ ହେଁ ସବୁଠୁ ପ୍ରାଚୀନ ଯେଉଁଗୁଡ଼ିକୁ ଧରାଯାଏ, ତାହା ହେଲା ଆନ୍ଧ୍ରପ୍ରଦେଶରେ ମିଳୁଥିବା ସଂସ୍କରଣ, ଗଦ୍ୟରେ ବର୍ଣ୍ଣିତ ଆଉ ଏକ ସଂସ୍କରଣ, ଦେବନାଗରୀ ଲିପିରେ ଲିଖିତ ଦୁଇଟି ଜୈନ ସଂସ୍କରଣ ଓ ବରରୁଚିଙ୍କ ରଚିତ ସଂସ୍କରଣ। (ଉଲ୍ଲେଖଯୋଗ୍ୟ, ଏହି ବିକ୍ରମ ଚରିତ ଧାରାରେ ବେତାଳ ପଞ୍ଚବିଂଶତି/ବେତାଳ ପଚିଶି ନାମକ କାହାଣୀମାଳା ମଧ୍ୟ ଭାରତୀୟ ଭାଷାଗୁଡ଼ିକରେ ଦେଖିବାକୁ ମିଳେ।) ବସୁଧୈବ କୁଟମ୍ବକଂ ଶ୍ଳୋକଟିକୁ ବିକ୍ରମ ଚରିତର ତେଲୁଗୁ ସଂସ୍କରଣରେ ଦେଖିବାକୁ ମିଳେ ପ୍ରାରମ୍ଭିକ କାହାଣୀ ‘ସର୍ବସ୍ବ-ଦକ୍ଷିଣା-ଯଜ୍ଞ ବର୍ଣ୍ଣନଂ’ରେ, ଯାହାକୁ ସୁପ୍ରଭା ନାମକ ପୁତ୍ତଳିକା କହିଛି। ଏଥିରେ ବର୍ଣ୍ଣିତ ଶ୍ଳୋକଟି ଏହିପରି: ଅୟଂ ନିଜଃ ପରୋବେତି ବିକଳ୍ପୋ ଭ୍ରାନ୍ତଚେତସାଂ/ ପୁନସ୍ତୁଦାର ଚିତ୍ତାନାଂ ବସୁଧୈବ କୁଟୁମ୍ବକଂ। (ବିକ୍ରମ ଚରିତ, ଆନ୍ଧ୍ର, ୩.୧)। ସେହିପରି ଜୈନ ସଂସ୍କରଣରେ ଏହି ଶ୍ଳୋକଟି ସ୍ଥାନ ପାଇଛି ‘ପରୋପକାରାୟ-ସ୍ବଦେହାହୁତି-ଦାନ’ ନାମକ କାହାଣୀରେ, ଯାହାକୁ କହିଛି ସେହି ସୁପ୍ରଭା; କିନ୍ତୁ ଏଠାରେ ସେ ତୃତୀୟ ନୁହେଁ, ସପ୍ତଦଶତମ ପୁତ୍ତଳିକା ରୂପରେ। ତେବେ ବିକ୍ରମ ଚରିତରେ ବିକ୍ରମାଦିତ୍ୟଙ୍କ ଉଦାର ହୃଦୟ ଓ ନ୍ୟାୟ ପରାୟଣତା ଦର୍ଶାଇବାକୁ ବସୁଧୈବ କୁଟୁମ୍ବକଂ ବ୍ୟବହାର କରାଯାଇଛି; ବିଶ୍ବଭ୍ରାତୃତ୍ବ ଆଦି ଦର୍ଶାଇବା ପାଇଁ ନୁହେଁ; ଯେପରି ଆଧୁନିକ ସମୟରେ ଏହାର ତ୍ରୁଟିପୂର୍ଣ୍ଣ ଉପଯୋଗ ହୋଇଛି।

ବସୁଧୈବ କୁଟୁମ୍ବକଂ ଶ୍ଳୋକଟିକୁ ପଞ୍ଚତନ୍ତ୍ର, ହିତୋପଦେଶ, ବିକ୍ରମ ଚରିତ ବା ଅନ୍ୟ ଯେଉଁଥିରେ ବି ବର୍ଣ୍ଣନା କରାଯାଇଛି, ସେଥିରେ ତାହା ଉଦ୍ଧୃତି ରୂପରେ ହିଁ ସଂଲଗ୍ନ ହୋଇଛି, କେବଳ ଗୋଟିଏକୁ ଛାଡ଼ି। ଏହା ହେଉଛି ମହୋପନିଷଦ। ଏଥିରେ ଏହାର ସ୍ବାଭାବିକ ବର୍ଣ୍ଣନା ରହିଥିବାରୁ ବର୍ତ୍ତମାନ ସୁଦ୍ଧା ଏହା ହିଁ ଏହି ବହୁକଥିତ ଶ୍ଳୋକର ମୂଳ ଉତ୍ସ ବୋଲି ଧରାଯାଇଆସୁଚି। ବ୍ରହ୍ମସୂତ୍ରର ଟୀକାକାର ଭାବେ ପ୍ରସିଦ୍ଧ ଆଚାର୍ଯ୍ୟ ରାମାନୁଜ ଶ୍ରୀ-ଭାଷ୍ୟମ୍‌ ଦ୍ବିତୀୟ ଅଧ୍ୟାୟର ସପ୍ତମ ଅଧିକରଣାରେ ତାଙ୍କ ତର୍କକୁ ପୁଷ୍ଟ କରିବାପାଇଁ ମହୋପନିଷଦରୁ ଉଦ୍ଧୃତି ଦେଇଛନ୍ତି। ଅନ୍ୟାନ୍ୟ ଉପନିଷଦଗୁଡ଼ିକ ପରି ଏହା ଏତେଟା ଲୋକପ୍ରିୟ ନହେଲେ ହେଁ ଏହାକୁ ଅନ୍ୟ ପ୍ରାଚୀନ ସଂସ୍କୃତଜ୍ଞମାନେ (ଯମୁନାଚାର୍ଯ୍ୟ ‘ପୁରୁଷ ନିର୍ଣ୍ଣୟ’ରେ; ନାରାୟଣାଚାର୍ଯ୍ୟ ‘ତତ୍ତ୍ବ ନିର୍ଣ୍ଣୟ’ରେ, ଯାଦବ ପ୍ରକାଶ ‘ଭଗବତ୍‌ଗୀତା ଟୀକା’ରେ) ଏ ସମ୍ବନ୍ଧରେ ଦର୍ଶାଇଛନ୍ତି।

ବସୁଧୈବ କୁଟୁମ୍ବକଂ ଶ୍ଳୋକଟି ମହୋପନିଷଦର ଷଷ୍ଠ ଅଧ୍ୟାୟର ବାସ୍ତରିତମ ଶ୍ଳୋକ। ତେବେ ଏଥିରେ ଅୟଂ ନିଜଃ ପରୋବେତି ସ୍ଥାନରେ ରହିଛି ଅୟଂ ବନ୍ଧୁରୟଂ ନେତି। ଏହି ଶ୍ଳୋକଟିର ପ୍ରକୃତ ଭାବ ଓ ଭିତ୍ତିକୁ ବୁଝିବାକୁ ହେଲେ ଏହାର ପୂର୍ବାପର ଶ୍ଳୋକ ଜାଣିବା ନିହାତି ଆବଶ୍ୟକ:

ଉଦାର ପେଶାଲାଚାରଃ ସର୍ବାଚାରାନୁବୃତ୍ତିମାନ/ ଅନ୍ତଃସଙ୍ଗ-ପରିତ୍ୟାଗୀ ବହିଃ ସଂଭାରବାନିବ। ଅନ୍ତଃବୈରାଗ୍ୟମାଦାୟ ବହିରାଶୋନ୍ମୁଖେହିତଃ/ ଅୟଂ ବନ୍ଧୁରୟଂ ନେତି ଗଣନା ଲଘୁ ଚେତସାଂ/ ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକଂ। ଭାବାଭାବ ବିନିର୍ମୁକ୍ତଂ ଜରାମରଣବର୍ଜିତଂ/ ପ୍ରଶାନ୍ତ କଳନାରଭ୍ୟଂ ନୀରାଗଂ ପଦମାଶ୍ରୟ। ଏଷା ବ୍ରାହ୍ମୀସ୍ଥିତିଃ ସ୍ବଚ୍ଛା ନିଷ୍କାମା ବିଗତାମୟା/ ଆଦାୟ ବିହରନ୍ନେବଂ ସଙ୍କଟେଷୁ ନ ମୁହ୍ୟତି।। (ମହୋପନିଷଦ: ୬.୭୦-୭୩)

ଏହି ଶ୍ଳୋକାଂଶଟିରେ ସେହି ମହାନ ବ୍ୟକ୍ତିଙ୍କ ଆଚାରବ୍ୟବହାର ଓ ଲକ୍ଷଣ ବିଷୟରେ ବର୍ଣ୍ଣିତ, ଯିଏ ଅଧ୍ୟାତ୍ମର ସର୍ବୋଚ୍ଚ ସୋପାନ ବ୍ରାହ୍ମୀସ୍ଥିତିକୁ ପ୍ରାପ୍ତ କରିଛନ୍ତି। ଏହାର ଭାବାର୍ଥ ଏପରି: ବ୍ରାହ୍ମୀସ୍ଥିତିକୁ ଯିଏ ଲାଭ କରିପାରିଛି, ସେ ଉଦାର, ସ୍ବଚ୍ଛ ଆଚାରସଂପନ୍ନ ଏବଂ ସମସ୍ତ ମୋହମାୟାରୁ ମୁକ୍ତ। ବାହାରକୁ ସେ ଅନ୍ୟ ନଶ୍ବରଙ୍କ ପରି ସମସ୍ତ ସାଂସାରିକ କର୍ତ୍ତବ୍ୟ କରୁଥିଲେ ମଧ୍ୟ ଆନ୍ତରିକ ଭାବେ ସେ ସବୁକିଛି ପରିତ୍ୟାଗ କରିଥାନ୍ତି। ନୀଚମନା (ସାଧାରଣ) ଲୋକେ ‘ଇଏ ବନ୍ଧୁ ଓ ସିଏ ନୁହେଁ’ ଏପରି ଭେଦ କରନ୍ତି, କିନ୍ତୁ ଏହାଙ୍କର (ବ୍ରାହ୍ମୀସ୍ଥିତି ଲାଭ କରିଥିବା ମହାପୁରୁଷ) ହୃଦୟ ଏତେ ଉଦାର ଯେ ସମଗ୍ର ବିଶ୍ବବ୍ରହ୍ମାଣ୍ଡକୁ ସେ ନିଜର କୁଟୁମ୍ବ/ପରିବାର ମନେକରନ୍ତି। ଭାବଅଭାବରୁ ମୁକ୍ତ, ଜରାମରଣ ବିବର୍ଜିତ ଏହାଙ୍କ କ୍ଳେଶରୂପକ ଅଗ୍ନି ନିର୍ବାପିତ ହୋଇସାରିଥାଏ; ତେଣୁ ତାଙ୍କଠାରେ କୌଣସି ମୋହମାୟା ଆଶ୍ରୟ ନେଇପାରେ ନାହିଁ। ଏହା ହେଉଛି ବ୍ରାହ୍ମୀସ୍ଥିତିର ଲକ୍ଷଣ; ପୂର୍ଣ୍ଣ ବିଶୁଦ୍ଧ ଓ ନିଷ୍କାମ, ଯାହା ସମସ୍ତ ଦୁଃଖଶୋକଠାରୁ ଊର୍ଦ୍ଧ୍ବରେ। ଏପରି ଲକ୍ଷଣସଂପନ୍ନ ମହାପୁରୁଷ କୌଣସି ପ୍ରକାର ସଙ୍କଟର ସମ୍ମୁଖୀନ ନହୋଇ ଧରାପୃଷ୍ଠରେ ମୁକ୍ତ/ସ୍ବାଧୀନ ଭାବେ ବିଚରଣ କରନ୍ତି।

ଏଥିରୁ ଏହା ଅବଶ୍ୟ ନିଃସନ୍ଦେହରେ କୁହାଯାଇପାରେ ଯେ, ବସୁଧୈବ କୁଟୁମ୍ବକଂର ପରିପ୍ରେକ୍ଷ କୌଣସି ସମାଜ/ରାଷ୍ଟ୍ର ପାଇଁ କୌଣସି ପ୍ରକାରର ଆଦର୍ଶ/ବିଚାରର ଉପସ୍ଥାପନ କରାଯାଇ ନାହିଁ ଅଥବା ଏହା କୌଣସି ପ୍ରକାରର ରାଜନୈତିକ/କୂଟନୈତିକ ଦର୍ଶନ ବି ନୁହେଁ, ଯେପରି ଆଧୁନିକ ସମୟରେ ଏକ ଧାରଣା ସୃଷ୍ଟି ହୋଇଛି ବା କରାଯାଇଛି; ବରଂ ଏହାରି ଉଦ୍ଦେଶ୍ୟ, କେବଳ ବ୍ୟକ୍ତିଗତ ଆଧ୍ୟାତ୍ମିକ ଉତ୍କର୍ଷ ହାସଲ କରିଥିବା ‘ବ୍ରହ୍ମବେତ୍ତା’ଙ୍କ ଲକ୍ଷଣ ଦର୍ଶାଇବା।

ଏହା ସତ୍ୟ ଯେ ଭାରତବର୍ଷର ଭୌଗୋଳିକ ପରିସୀମା ଯାହା ଥାଉ ନା କାହିଁକି, ପ୍ରାଚୀନ କାଳରେ ଏହା ଖୁବ୍‌ ସମ୍ଭବ ପୃଥିବୀର ଅନ୍ୟ ପ୍ରାନ୍ତର ଅଧିବାସୀଙ୍କ ନିମନ୍ତେ ଉଦାର ଦୃଷ୍ଟିକୋଣସଂପନ୍ନ ହୋଇ ରହିଥିଲା। ବିଗତ ପାଞ୍ଚ ସାତଶହ ବର୍ଷର ଇତିହାସ ମଧ୍ୟ କହେ ଯେ, ଇରାନର ପାର୍ସିଙ୍କଠାରୁ ଆରମ୍ଭ କରି ପୂର୍ବ ଆଫ୍ରିକାରୁ ଇଉରୋପୀୟଙ୍କ ଦ୍ବାରା ଅଣାଯାଇଥିବା କ୍ରୀତଦାସଙ୍କ ପର୍ଯ୍ୟନ୍ତ (ଏହାଙ୍କ ମଧ୍ୟରୁ କୁତୁବୁଦ୍ଦିନ ଆଇବାକ୍‌ ରାଜସିଂହାସନ ମଧ୍ୟ ଆରୋହଣ କରିଥିଲେ), ସଭିଙ୍କୁ ଭାରତ ଉଦାର ଚିତ୍ତରେ ଗ୍ରହଣ କରିଥିଲା। ସେହିପରି ବାଣିଜ୍ୟ ପାଇଁ ହେଉ ଅବା ରାଜ୍ୟ ଜୟ ଲୋଭରେ ହେଉ, ଭାରତକୁ ଆସିଥିବା ତୁର୍କ, ହୁଣ, ମଙ୍ଗୋଲ୍‌, ଆଫଗାନ, ଆରବୀୟ ପ୍ରଭୃତି ଏଠାରେ ହିଁ ନିଜକୁ ପ୍ରତିଷ୍ଠିତ କରି ପରବର୍ତ୍ତୀ ସମୟରେ ଆପଣାକୁ ‘ଭାରତୀୟ’ କରିଦେଇଥିଲେ। କେବଳ ସେତିକି ନୁହେଁ; ଶୈକ୍ଷିକ/ସାଂସ୍କୃତିକ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ବ ପ୍ରତି ଏକ ଉଦାର ଦୃଷ୍ଟିକୋଣ ରଖିଥିଲା, ଯାହାର ଫଳସ୍ବରୂପ ବିଶ୍ବର କୋଣ ଅନୁକୋଣରୁ ନାଳନ୍ଦା, ତକ୍ଷଶିଳା, ବିକ୍ରମଶିଳା ଭଳି ବିଶ୍ବବିଦ୍ୟାଳୟକୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଶିକ୍ଷାଗ୍ରହଣ/ଶିକ୍ଷାଦାନ କରିବାକୁ ଆସୁଥିଲେ। ଗ୍ରୀସ୍‌ର ମେଘାସ୍ଥିନିସ୍‌, ଚୀନର ଫାହିୟାନ ଓ ହୁଏନ୍‌ ସାଂଙ୍କଠାରୁ ମରକ୍କୋର ଇବନ ବତୁତାଙ୍କ ପର୍ଯ୍ୟନ୍ତ ବହୁ ଐତିହାସିକ/ଶିକ୍ଷାବିତ୍‌/ଜ୍ଞାନପିପାସୁ ଏଠାକୁ ଆସି ଜ୍ଞାନଚର୍ଚ୍ଚା କରିଥିବା ଜଣାଯାଏ। ଅପରପକ୍ଷେ, ପ୍ରାଚୀନ ଭାରତ କେବେ ଅନ୍ୟ ମନୁଷ୍ୟ ସମୂହ ବା ଭୌଗୋଳିକ ପରିସୀମା ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟିତ ହୋଇନାହିଁ। ଚୀନ ପରି ପୁରାତନ ସଭ୍ୟତା ନିଜକୁ ସର୍ବଦା ‘ସାମ୍ରାଜ୍ୟର କେନ୍ଦ୍ର’ (ମିଡିଲ୍‌ କିଙ୍ଗ୍‌ଡମ୍‌) ବୋଲି ବିଶ୍ବାସ କରି ନିଜକୁ ଅନ୍ୟ ସଭ୍ୟତାଠାରୁ ଯଥାସମ୍ଭବ ଦୂରତା ଅବଲମ୍ବନ କରିଆସିଥିବାବେଳେ ପାଶ୍ଚାତ୍ୟ ରାଷ୍ଟ୍ରସମୂହ (ଗ୍ରେକୋ-ରୋମାନ ସଭ୍ୟତା) ବିଶ୍ବର ଅନ୍ୟ ସଭ୍ୟତାଠାରୁ ଆପଣାକୁ ‘ଶ୍ରେଷ୍ଠ’ କହି ଅନ୍ୟମାନଙ୍କ ଅଧିପତି ହେବା ତାଙ୍କର ଅଧିକାର ବୋଲି ଏକ ନିର୍ବୋଧ ଭାବନାର ବଶବର୍ତ୍ତୀ ହୋଇଆସିଛନ୍ତି। ଏହି ସାମନ୍ତବାଦୀ ପ୍ରବୃତ୍ତି ହିଁ ବିଶ୍ବରେ ବହୁଳାଂଶ ସନ୍ତ୍ରାସ/ଯୁଦ୍ଧର ସୂତ୍ରପାତ ଘଟାଇଚି। କୌଣସି ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମାରେ ଆବଦ୍ଧ ଭୂଖଣ୍ଡ ଅର୍ଥାତ୍ ଦେଶ ରାଷ୍ଟ୍ରକୁ ମାତା (ମଦରଲାଣ୍ଡ୍‌) ବୋଲି ବିଚାର କରିବାର ବୋଧଟି ମୂଳତଃ ପାଶ୍ଚାତ୍ୟ ସଭ୍ୟତାର, ଇଉରୋପର। ପ୍ରାଚୀନ ଗ୍ରୀସ୍‌ ଓ ଇଉରୋପର ପ୍ରତିନିଧିତ୍ବ କରୁଥିବା ଦାର୍ଶନିକ ସକ୍ରେଟିସ୍‌ ଓ ପ୍ଲେଟୋ କହୁଥିଲେ ଯେ ଗ୍ରୀସ୍‌ଦେଶରେ ଜଣେ ନାଗରିକ ଭାବରେ ଭୂମିଷ୍ଠ ହୋଇଥିବାରୁ ଏବଂ ଅନ୍ୟ ଦେଶରେ ମ୍ଳେଚ୍ଛ ଭାବେ ଜନ୍ମ ନେଇ ନଥିବାରୁ ସେମାନେ ଭାଗ୍ୟଦେବତାଙ୍କ ପାଖରେ କୃତଜ୍ଞ। ଆରିଷ୍ଟୋଟଲ ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ‘ନୀତିଶାସ୍ତ୍ର’ରେ କେବଳ ଗ୍ରୀସ୍‌ର ନାଗରିକଙ୍କୁ ହିଁ ପ୍ରକୃତ ମଣିଷ ବୋଲି ସ୍ବୀକାର କରିବା ସହ ଗ୍ରୀସ୍‌ ସୀମାର ଚତୁଃପାର୍ଶ୍ବ, ଅର୍ଥାତ୍‌ ସଂସାରର ଅନ୍ୟ ମଣିଷମାନଙ୍କୁ ମ୍ଳେଚ୍ଛ, ବର୍ବର ଓ ପଶୁ ବୋଲି ଅଭିହିତ କରିଚନ୍ତି। ଏସବୁ ମୋହୋକ୍ତିମାନ ପରବର୍ତ୍ତୀ କାଳରେ ଆଧୁନିକ ଇଉରୋପରେ ରାଷ୍ଟ୍ରବାଦର ବୀଜ ବପନ କରିଥିଲା। ବିଡ଼ମ୍ବନା ଯେ ସେହି ରାଷ୍ଟ୍ରବାଦକୁ ଆଧୁନିକ ଭାରତର କେତେକ ଗୋଷ୍ଠୀ ଉଧାର ଆଣି ଆପଣାକୁ ରାଷ୍ଟ୍ରବାଦୀ/ଜାତୀୟତାବାଦୀ ବୋଲି ବୃଥାଗର୍ବ କରିଆସିଚନ୍ତି; ଅଥଚ ଭାରତବର୍ଷର ପୁରାତନ ସଂସ୍କୃତିରେ ପରିସୀମାଚିହ୍ନିତ କୌଣସି ଭୂଖଣ୍ଡକୁ ନୁହେଁ, ବରଂ ମାଟିକୁ ହିଁ ମାଆ ବୋଲି ଜ୍ଞାନ କରାଯାଇଆସିଚି। ମାଟି ଅର୍ଥାତ୍‌ ସମଗ୍ର ବିଶ୍ବର ମାଟି; ସମଗ୍ର ଧରିତ୍ରୀ। ଏହି ଧରିତ୍ରୀ ଉପରେ ବସବାସ କରୁଥିବା ମନୁଷ୍ୟ ତେଣୁ ମ୍ଳେଚ୍ଛ, ବର୍ବର କି ପଶୁ ନୁହନ୍ତି; ସେମାନେ ସମସ୍ତେ ‘ଅମୃତ ପୁତ୍ର’, ଯାହାର ଉଦ୍‌ଘୋଷଣା ଏହିପରି:

ୟୁଜେ ବାଂ ବ୍ରହ୍ମ ପୂର୍ବ୍ୟଂ ନମୋଭିର୍ବିଶ୍ଳୋକ/ ଏତୁ ପ​‌େ​‌ଥ୍ୟବ ସୁରେଃ। ଶୃଣ୍ବନ୍ତୁ ବିଶ୍ବେ ଅମୃତସ୍ୟ ପୁତ୍ରା ଆ ୟେ/ ଧାମାନି ଦିବ୍ୟାନି ତସ୍ଥୁ।। (ଶ୍ବେତାଶ୍ବତର ଉପନିଷଦ: ଦ୍ବିତୀୟ ଅଧ୍ୟାୟ; ଶ୍ଳୋକ: ୫) ଅର୍ଥାତ୍‌: ଜ୍ଞାନୀଜନଙ୍କ ପଦଚିହ୍ନର ଅନୁଗମନ କରି ମୁଁ ନିରନ୍ତର ଧ୍ୟାନ ଦ୍ବାରା ତୁମ ଦୁଇଜଣଙ୍କୁ ଅନାଦି ବ୍ରହ୍ମରେ ବିଲୟ କରୁଚି। ମହିମାମୟ ପ୍ରଭୁ ସ୍ବୟଂ ନିଜକୁ ଅଭିବ୍ୟକ୍ତ କରନ୍ତୁ। ବିଶ୍ବର ସମସ୍ତ ଅମୃତ ପୁତ୍ର ମୋ କଥା ଶୁଣନ୍ତୁ ଏବଂ ସେମାନେ ବି ଶୁଣନ୍ତୁ, ଯେଉଁମାନେ ଦିବ୍ୟଧାମରେ ନିବାସ କରନ୍ତି।

ରାଷ୍ଟ୍ର/ରାଷ୍ଟ୍ରବାଦ/ରାଷ୍ଟ୍ରନୀତି(ରାଜନୀତି) ସୀମା ତିଆରି କରେ; କଣ୍ଟାବାଡ଼/ପ୍ରାଚୀର ଲଗାଇ ମନୁଷ୍ୟର ଗତିରୋଧ କରେ। ଧର୍ମ ଯେବେଠୁ ଅଧ୍ୟାତ୍ମ ରହିତ ହେଲା, ତାହା ମଧ୍ୟ ରାଜନୀତିର ନିୟନ୍ତ୍ରଣରେ ରହିଲା; ମନୁଷ୍ୟ ପାଇଁ କାଳ ହେଲା। ‘ଗୋଟିଏ ବିଶ୍ବ’ (ୱାନ୍‌ ୱାର୍ଲଡ), ‘ସୀମାବିହୀନ ପୃଥିବୀ’ (ବର୍ଡରଲେସ୍‌ ୱାର୍ଲଡ), ‘ବିଶ୍ବ ଗ୍ରାମ’ (ଗ୍ଲୋବାଲ୍‌ ଭିଲେଜ) ଆଦି ଚାତୁର୍ଯ୍ୟପୂର୍ଣ୍ଣ ପରିକଳ୍ପନାମାନ ଯେ ଅବାସ୍ତବ ଧାରଣା, ତାହା କ୍ରମେ ପ୍ରମାଣିତ ହେବାରେ ଲାଗିଚି। ‘ବସୁଧୈବ କୁଟୁମ୍ବକଂ’ର ବ୍ୟକ୍ତିଗତ ଆଧ୍ୟାତ୍ମିକ ଦର୍ଶନର ରାଜନୈତିକ ପ୍ରୟୋଗ ମଧ୍ୟ ତଦନୁରୂପ ଏକ ଛଳନା ଅବା ନିର୍ବୋଧତାରୁ ସୃଷ୍ଟ; ତେଣୁ ଅବାସ୍ତବ।

Comments are closed.