ବିବାହ ବିଚ୍ଛେଦ

ରାଜେନ୍ଦ୍ର ନାରାୟଣ ଦାସ

“୨୦୧୧-୨୦୧୨ ମଧ୍ୟରେ ହୋଇଥିବା ସର୍ବେକ୍ଷଣ ଅନୁସାରେ, ରାଜଧାନୀ ଦିଲ୍ଲୀ, ମହାନଗରୀ ମୁମ୍ବଇରେ ସମୟକ୍ରମେ ବିଚ୍ଛେଦର ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକୁ ଅତି କମ୍‍ରେ ୨୨ଟି ବିଚ୍ଛେଦ ମାମଲା ଆସୁଥିବାବେଳେ ଦିଲ୍ଲୀରେ ଏହି ସଂଖ୍ୟା ବଢ଼ୁଥିବାର ଦେଖାଯାଉଛି। କିଛି ବର୍ଷ ତଳେ ଘରୋଇ ହିଂସା, ଯୌତୁକ, ଭୁଲ୍‍ ବୁଝାମଣା କାରଣରୁ ବିଚ୍ଛେଦ ହେଉଥିବାବେଳେ ଏବେ କିନ୍ତୁ ପରକୀୟା ପ୍ରୀତି କାରଣରୁ ହିଁ ଅଧିକାଂଶ ବିଚ୍ଛେଦ ହେଉଛି।” (‘ସମାଜ’, ୨୮.୧୦.୨୦୨୧)। ଏହାର କାରଣ ବିଷୟରେ ସାମାନ୍ୟ କିଛି ଆଲୋଚନା କରିବା ଏହି ପ୍ରବନ୍ଧର ଲକ୍ଷ୍ୟ।

ଦିନ ବଞ୍ଚୁଥିବା ମଣିଷ ଜୀବନକୁ ଭୋଗ କରେ ଏକ ପ୍ରକାରେ ଓ ସେଇ କଥାକୁ ବଖାଣେ ଅନ୍ୟ ପ୍ରକାରେ। ସଂସାର ଗଢ଼ିବାର ହସଖୁସି ଯେ ଦିନେ ବିଚ୍ଛେଦରେ ପରିଣତ ହେବ– ଏଇ ଭୟଟି ଆଜିର ଭାରତୀୟ ସମାଜରେ ବଢ଼ିବଢ଼ି ଚାଲିଛି। ଆମ ବିବାହ ପଦ୍ଧତି ଦିନେ ସଂସାର ଗଢ଼ିବାକୁ ନୂଆ ଚଢ଼େଇଙ୍କୁ ସହନଶୀଳତା ଶିଖାଇଥିଲା। ସ୍ୱାମୀ ସ୍ତ୍ରୀ କ୍ଷେତ୍ର ମାପି ହୁସିଆରିରେ ଚଳୁଥିଲେ। ଉଭୟଙ୍କ ମନ ଯୋଡ଼ି ହେଉଥିଲା। ନିଜ ବିବାହର ଦମ୍ଭ ଦେଖେଇବାକୁ ସେମାନେ ସତମିଛ ମିଶି କହୁଥିଲେ; କାରଣ ଯୌନ ସ୍ୱେଚ୍ଛାଚାର ସହ୍ୟ କରିବା ଭାରତୀୟ ବିବାହର ଧର୍ମ ନୁହେଁ।
ଦିନ ଥିଲା ନିରକ୍ଷରା ଶାଶୂର ପଣତ ଆଢୁଆଳରେ ଅପାଠୁଆ ବା ଅଯୋଗ୍ୟ ବୋହୂମାନଙ୍କର ଜୀବନ ନିର୍ବିଘ୍ନରେ ବିତି ଯାଉଥିଲା। ସେଇଥିପାଇଁ ବୋଧହୁଏ ‘ବାହା ଚିଟାଉ’ରେ ଲେଖାଯାଉଥିଲା- “ସମୁଦୁଣୀ ଘେନ ନମସ୍କାର। ବିନତି କରୁଛି ବାରମ୍ବାର। ମୋ ଅଲିଅଳିକି ବୁଝାଇ କହିଛି ତମ ବଡ଼ପଣ ତମ ଟାଣ। କିଛି ଜାଣିନି ସେ ଧୂଳି ଖେଳୁଥିଲା କାହାକୁ ବୁଝିଲା ବୋଲି ଜାଣ। ନିଜ ଝିଅ ତୁଲ ବିଚାର କରିବ ରଖିବ ଜଗତେ ଶାଶୂ ଟାଣ। ଗଞ୍ଜଣା ଦେବନି ନିରିମାଖିକୁ ଯେ ତୁମକୁ ରହିଲା ମଣି ରାଣ।”

ହେଲେ ଇଏ ତ ପୁରୁଣା କାଳର କଥା। ଏହା ପରଠାରୁ ପ୍ରାୟ ଦୁଇ କି ତିନି ପିଢ଼ି ପରେ– ଅର୍ଥାତ୍‍ ୧୯୬୦ ବେଳକୁ, ଝିଅମାନେ ସାର୍ବଜନୀନ ଭାବେ ଶିକ୍ଷିତା ହେଲେ। କୁଳ, ରୂପ, ଯାନିଯୌତୁକ ସବୁ ନିର୍ଦ୍ଧାରିତ କରି କେତେ ବାଟଖର୍ଚ୍ଚ, କେତେ ତୋଳା ସୁନା ଏବଂ ଗ୍ରୀନ୍‍ ମଡ଼େଲ୍‍ ରାଲେ ସାଇକେଲ୍‍, ଫିଲିପ୍‌ସ୍‍ ରେଡ଼ିଓ, ଓମେଗା କି ଟିସଟ୍‍ ଘଣ୍ଟା, ଜିଲେଟ୍‍ ରେଜର୍‍, ପାର୍କର ପେନ୍‍ ଆଦିର ନିର୍ଦ୍ଧାରଣ ପରେ ପାଠୁଆ ଓ ସରକାରୀ ଚାକିରିଆ ବରମାନେ ଅତିକମ୍‍ରେ ମାଟ୍ରିକ୍‍ ପାସ୍‍ ଝିଅ ବାହାହେବାକୁ ପସନ୍ଦ କଲେ ଓ ପାଉଥିଲେ ମଧ୍ୟ।

ପରେପରେ ପାଠୋଈ ରେବତୀମାନେ ସମାଜରେ ବିରାଜମାନା ହେଲେ। ୭୦ ଦଶକ ବେଳକୁ ମଧ୍ୟବିତ୍ତ ପରିବାରର ବୋହୂମାନେ ପ୍ରାୟ ମାଟ୍ରିକ୍‍ ବା ତଦୂର୍ଦ୍ଧ୍ବ। ସେହି ବୋହୂମାନଙ୍କର ଆଦର୍ଶ ଥିଲା ବିଭୂତି ପଟ୍ଟନାୟକଙ୍କ ଉପନ୍ୟାସ ‘ବଧୂ ନିରୁପମା’। ଆଦର୍ଶବାଦୀ ହୋଇ ଚଳିବାପାଇଁ ଏଇ ବୋହୂମାନେ ଚିନ୍ତା କରୁଥିଲେ। ପରିବାରରେ ସମସ୍ତଙ୍କୁ ନେଇ ଚଳିବା, ପରିବାରରେ ସ୍ନେହ, ଶ୍ରଦ୍ଧା, ମମତାବୋଧ ସାନମାନଙ୍କ ପ୍ରତି ପୋଷଣ କରିବା, ବଡ଼ମାନଙ୍କ ପ୍ରତି ଭକ୍ତିଭାବନା ଥିଲା ସେମାନଙ୍କର ଯଥାର୍ଥ ସ୍ୱରୂପ। ଏଇ ସମୟର ବୋହୂମାନଙ୍କ ଜୀବନର ଲକ୍ଷ୍ୟ ଥିଲା, ପରିବାରର ସୁଖ ଓ ସମୃଦ୍ଧି। ସେଥିପାଇଁ କିଛିଟା ତ୍ୟାଗ ଏମାନଙ୍କଠାରେ ପ୍ରାୟତଃ ଦେଖିବାକୁ ମିଳୁଥିଲା। ସ୍ୱାମୀ ପ୍ରତି ସମ୍ମାନ, ପରିବାରର ସାନବଡ଼ ସମସ୍ତଙ୍କୁ ଆପଣାର କରିବାର ଦୃଢ଼ ଇଚ୍ଛାଶକ୍ତି ଥିଲା ଏଇ ବୋହୂମାନଙ୍କର ବୈଶିଷ୍ଟ୍ୟ।
ଅଶୀ ଦଶକ ବେଳକୁ ଏହି ଛାପର ବୋହୂ ଆଉ ଚଳିଲେ ନାହିଁ। ଗାଁ ଛାଡ଼ି ସହରକୁ ନିଜର କରିବା, ଶାଶୂଶ୍ବଶୁରଙ୍କୁ ଛାଡ଼ି ସହରରେ କୋଠାଘର ଖଣ୍ଡିଏ କରି ସେଇଠି ରହିବା ଅଭ୍ୟାସ ପ୍ରାୟ ପାଠୋଈ ବୋହୂମାନଙ୍କ ଦ୍ୱାରା ଆଜିକାଲି ଅଧିକ ସଂପାଦିତ ହୋଇଛି। ସ୍ୱାମୀ ଓ ଆପଣାର ପିଲାଛୁଆ ଏଇ ବୋହୂମାନଙ୍କର ସର୍ବସ୍ୱ। ତେଣୁ ପରିବାର କହିଲେ ମାତ୍ର ଏତିକି। ଏମାନେ ଆତ୍ମସର୍ବସ୍ୱ ଜୀବନଯାପନରେ ବିଶ୍ୱାସୀ ହେଲେ।

ଆଜି ମନ ମିଳିବାକୁ ସୁଯୋଗ ନାହିଁ; କାରଣ ତା ଆଗରୁ କଚେରି ଓ ମହିଳା ଥାନା ଇତ୍ୟାଦିର ଠିକଣା ମିଳିଯାଉଛି। ତେଣୁ ‘ଗଞ୍ଜଣା’ ଶବ୍ଦଟା ଅଭିଧାନରୁ ଉଠିଗଲାଣି। ଏଇ କାରଣରୁ ପୁଅର ବାପାମାନେ ଡରିଡରି ବାହାଘର ଯୋଗାଡ଼ କରୁଛନ୍ତି। ସେମାନେ ଭଗବାନଙ୍କୁ ଡାକୁଛନ୍ତି – ହେ ଭଗବାନ୍‍ ପୁଅର ମଙ୍ଗଳ ହେଉ ଓ ଆମେମାନେ ଯେପରି ଥାନାଫାନାକୁ ନ ଯାଉ! ମନରେ ଲୋଭ ଥିବାରୁ ବାପାମା’ମାନେ ସେମାନଙ୍କର ସମାଜରେ ପ୍ରତିଷ୍ଠା ଇତ୍ୟାଦିର ପ୍ରମାଣ ଦେଇ ଯୌତୁକ କିନ୍ତୁ ମାଗିନିଅନ୍ତି।

ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ସୁବିଧାବାଟ ହେଉଛି ‘ପ୍ରେମ ବିବାହ’। ଏଥିରେ ଜାତି ଓ ପ୍ରତିଷ୍ଠା ଅମେଳ ଗୋଟିଏ ବିରାଟ ସମସ୍ୟା। ଏଥିରେ ମା’ମାନଙ୍କ ଅବଦାନ ସବୁଠାରୁ ବେଶୀ। ‘ମୋ ପୁଅକୁ ମୁଁ ଚିହ୍ନିଛି। ତାକୁ ପ୍ରେମ କରିବା ଆସେ ନାହିଁ। ସେ କେମିତିକା ଝିଅକୁ ଭଲ ପାଇବ? ମୁଁ ହେଉଛି ଯୋଗ୍ୟ, ଯିଏ ତା ପାଇଁ ଝିଅ ବାଛିପାରିବ।’ ଏପରି ଅସମ୍ଭବ ଧାରଣାଗୁଡ଼ିକ ମା’ମନରେ ସୀମିତ ରହିଲେ ଚଳନ୍ତା, ମାତ୍ର ତାହା ଯେମିତି ହେଲେ ବି ବାହାଘର ବେଳେ ବଜାରକୁ ଡେଇଁପଡ଼େ।

ସ୍ୱାଧୀନତା ପରବର୍ତ୍ତୀ ଭାରତୀୟ ବିବାହଗୁଡ଼ିକରେ ପୁରୁଷମାନେ ‘ହିନ୍ଦୁ କୋଡ୍‍-ବିଲ୍‍’ ଯୋଗୁ ବିଭିନ୍ନ ଦଣ୍ଡବିଧି ଆଇନରେ ତଣ୍ଡ ସହୁଛନ୍ତି, ଯାହା ଅନ୍ୟ ଧର୍ମାବଲମ୍ବୀଙ୍କ ପାଇଁ ନାହିଁ। କାରଣ ସେମାନଙ୍କ ଉପରେ ସଂସଦର କିଛି ଅଧିକାର ନାହିଁ। ସେମାନଙ୍କ ପଦ୍ଧତି ଯେଉଁ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବ, ଆଜି ବି ସେମିତି ଚାଲିଛି। ମାତ୍ର ହିନ୍ଦୁ ବିଧି (ସ୍ତ୍ରୀ-ଧନ)ରେ ୧୯୮୩ଠାରୁ ଭାରତୀୟ ଦଣ୍ଡବିଧି ଆଇନରେ ୪୯୮ଏ ପ୍ରବେଶ ପରେ ଅବସ୍ଥା ଏକଦମ୍‍ ଓଲଟ ପାଲଟ ହୋଇଛି। ବିବାହ କରି ପୁରୁଷ ସ୍ତ୍ରୀକୁ ପ୍ରେମ କରିବାକୁ ମନ ଡଙ୍କେଇବା ଆଗରୁ ଡରୁଛି ବେଶି। ଆଗ ଜୈବିକ ଆହ୍ଲାଦର ଖାତିରି ଏବେ ଆଇନ ଭୟରେ ବଦଳିଛି। ନାରୀକୁ ଗଣତାନ୍ତ୍ରିକ ସୁରକ୍ଷା ଦେବା ବାହାନାରେ ବ୍ୟବସ୍ଥା ସତଠାରୁ ଦୂରଛଡ଼ା ହୋଇଛି ଏବଂ ସର୍ବଦା ପୁରୁଷ ଓ ତା’ ପରିବାର ଦଣ୍ଡିତ ହେଉଛି। ଆଇନରେ ମିଳୁଥିବା ଭରଣପୋଷଣ ବହୁ କ୍ଷେତ୍ରରେ ବ୍ୟବସାୟରେ ପରିଣତ ହୋଇଛି ଏବଂ ପୁରୁଷ ‘ତ୍ରାହି ମାଂ’ ଚିତ୍କାର କଲେ ବି ସେ ଶବ୍ଦ ଅର୍ଥହୀନ ହୋଇପଡୁଛି।

ଆମ ସମାଜରେ ପୁରୁଷଟିକୁ ସାଧାରଣ ଭାବରେ ବଳଶାଳୀ, ପରାକ୍ରମଶାଳୀ ଭାବରେ ଚିତ୍ରଣ କରାଯାଏ। ପୁରୁଷଟିଏ ଯେତେ ସରଳ, ଅମାୟିକ, ପରୋପକାରୀ ଓ ଶାନ୍ତ ସ୍ୱଭାବର ହେଲେ ସୁଦ୍ଧା ତା’ର ସଦ୍‍ଗୁଣଗୁଡ଼ିକୁ ଆମ ସମାଜ ସହଜରେ ଗ୍ରହଣ କରେ ନାହିଁ। ଆମ ଭାରତୀୟ ଦର୍ଶନରେ ‘ସ୍ୱାମୀ’ କହିଲେ କ’ଣ ନାଇଁ କ’ଣ ବୁଝାଏ; କିନ୍ତୁ ଆଜିର ପରିସ୍ଥିତିରେ ଜୀବନ ସାରା ଯିଏ ସବୁକିଛି ସେବା ତା’ର ପରିବାରକୁ ଦେଇ ସବୁ କରିସାରି କିଛି ବି ସ୍ୱୀକୃତି ପାଏ ନାହିଁ, ବୋଧହୁଏ ତା’ ନାଁ ହେଲା ସ୍ୱାମୀ। ଏଇ ସ୍ୱାମୀମାନଙ୍କର ଦାୟିତ୍ୱର ତାଲିକା ବେଶ୍‍ ଲମ୍ବା। ବାହାବେଦୀରେ ସ୍ତ୍ରୀର ଦଶ ଦୋଷକୁ କ୍ଷମା ଦେବ ବୋଲି ରାଣ ଖାଇଥାଏ ବୋଲି ଆଉ ସେ ବନ୍ଧନୀ ବାହାରକୁ ଯାଇ ଏଇ ବିଚରାମାନେ ନୂଆ ଗଣିତରେ ପରିଣତ ହୋଇପାରନ୍ତି ନାହିଁ।

Comments are closed.